ପ୍ରବନ୍ଧ

ଦେହ ଭଲ ନାହିଁ

ନଡ଼ିଆଗଛର ଶେଷ ବାହୁଙ୍ଗା ପରି ସେ ସେତେବେଳେ ନଇଁ ପଡ଼େ । ମଝି ବାହୁଙ୍ଗା ତାକୁ ଆବଶ୍ୟକତାର ନିକିତିରେ ତଉଲତାଉଲ କରେ । ଉପର ବାହୁଙ୍ଗା ସଗର୍ବରେ ହସଟାଏ ହସେ ।

ଦେହ ଭଲ ନାହିଁ

ଦେହ ଭଲ ନାହିଁ ବୋଲି ଯେଉଁ କଥାଟି ଆମେ କହୁ, ଏହା ଏକ ଖୁବ୍ ସାଧାରଣ ଚିରାଚରିତ ପ୍ରସଙ୍ଗ, ପ୍ରାୟ ନିତିଦିନିଆ ଘଟଣା । ଦେହ ଦୁଃଖରେ ପଡ଼ିଗଲେ ମଣିଷକୁ ସବୁ ଅନ୍ଧାର ଦେଖାଯାଏ । ସେ ହତାଶ ହୋଇଯାଏ । ଏକେ ତ ଶରୀର କଷ୍ଟ ପୁଣି ତା’ ସହିତ ଯଦି ଗୋଡ଼ହାତ ଅଚଳ ହୋଇଯାଏ, ଏହି କତରାଲଗା ଦୁଃଖ, ନର୍କ ଯନ୍ତ୍ରଣାରୁ ବି ଆହୁରି ବଳି ପଡ଼େ । ପରିବାରରେ ମଣିଷଟି ବୋଧ ହୋଇଯାଏ । ଦେଣନେଣ ସଂସାର ଭିତରେ ପରିବାର ପାଇଁ ସେ ସତେ ଯେପରି ଅଲୋଡ଼ା ! ନଡ଼ିଆଗଛର ଶେଷ ବାହୁଙ୍ଗା ପରି ସେ ସେତେବେଳେ ନଇଁ ପଡ଼େ । ମଝି ବାହୁଙ୍ଗା ତାକୁ ଆବଶ୍ୟକତାର ନିକିତିରେ ତଉଲତାଉଲ କରେ । ଉପର ବାହୁଙ୍ଗା ସଗର୍ବରେ ହସଟାଏ ହସେ ।

ଦେହ ଖରାପ ରହିବା ଯଦି କ୍ଷଣସ୍ଥାୟୀ, ତା’ ହେଲେ ରକ୍ଷା । ଯଦି ଏହା ଦୀର୍ଘସ୍ଥାୟୀ ଅଥବା ଚିରସ୍ଥାୟୀ ତେବେ କଥା ସରିଲା । ସହିବାର ସୀମା ଟପିଗଲା ପରେ ମୃତ୍ୟୁ ହିଁ ଏକ ଉତ୍ତମ ଉପଚାର ପରି ଲାଗେ । ନିଜେ ନିଷ୍ପତ୍ତି ନେଇ ଜବରଦସ୍ତ ଦେହତ୍ୟାଗ କରିବାର ଅଧିକାର ଏ ମଣିଷର ନାହିଁ । ଏହା ଆତ୍ମହତ୍ୟା ନାମରେ ଅଭିହିତ, ଆଇନ୍ ବିରୁଦ୍ଧ । ଶାସ୍ତ୍ର ବିଚାରରେ ଏହା ମଧ୍ୟ ମହାପାପ । ଏଣେ ପୁଣି ଇଚ୍ଛାମୃତ୍ୟୁର ସ୍ୱାଧୀନତା ନାହିଁ । ଇଚ୍ଛାଧୀନ ମୃତ୍ୟୁ ପାଇଁ ଦେଶର ସର୍ବୋଚ୍ଚ ସାମ୍ୱିଧାନିକ ଶାସନ କର୍ତ୍ତାଙ୍କ ଅନୁମତି ଲୋଡ଼ା । ସେ ମନା କରିଦେଲେ କଥା ସରିଲା । ଏଠି ଏମିତି ଦ୍ୱିବିଧ ଦ୍ୱିଧାରେ ଏ ମଣିଷ ଦ୍ୱିଖଣ୍ଡିତ । ସେଥିପାଇଁ ଏ ମର୍ତ୍ତ୍ୟର ମଣିଷ, ଆଜିଯାଏ ବି ସେକାଳର ମହାଭାରତର ଭୀଷ୍ମ ପିତାମହଙ୍କୁ ଧନ୍ୟ ଧନ୍ୟ କହି, ଖୁବ୍ ଆଦର ସମ୍ମାନରେ ପ୍ରଣିପାତ କରେ ।

ବିଶ୍ୱବ୍ରହ୍ମାଣ୍ଡ କଥା କହିଲେ ସହଜରେ କଳନା କରିହେଉନାହିଁ । ସେଥିପାଇଁ ଉଦାହରଣସ୍ୱରୂପ ଆମର ଏଇ ପ୍ରିୟ ପୃଥିବୀକୁ ନିଆଯାଇପାରେ । ପଣ୍ଡିତେ କୁହନ୍ତି ଯେ, ନିରାକାର- ଅଣାକାର ପରମବ୍ରହ୍ମଙ୍କର ଏକ ବିଚିତ୍ର ପାର୍ଥିବ ଆକାର ହେଉଛି ଏଇ ପୃଥିବୀ । ଏହା ସେହି ଅଦୃଶ୍ୟ ଦିବ୍ୟ ସତ୍ତାଙ୍କର ଏକ ଦୃଶ୍ୟମାନ ଦେହ । ଏ ଦେହ ମାଟି ପାଣି ପବନ ଓ ଆକାଶର ପ୍ରତିଟି ଅଣୁପରମାଣୁରେ ପରିବ୍ୟାପ୍ତ । ଏହା ଏକ ବହୁବିଶାଳ ଦେହ । ଏହି ଦେହରେ ଭଲମନ୍ଦ, ଅମୃତ ହଳାହଳ, ରୋଗ ବୈରାଗ୍ୟ ଭରପୂର । ରୋଗ ସୃଷ୍ଟିକାରୀ ଜୀବାଣୁ ସବୁଠାରେ ହାଉଯାଉ । ପ୍ରାଣୀଜଗତ ହେଉ ବା ଉଦ୍ଭିଦ ଜଗତ ହେଉ, ଜଳଚର ହେଉ ବା ସ୍ଥଳଚର ହେଉ, ବାୟୁମଣ୍ଡଳ ହେଉ ଅଥବା ଶୂନ୍ୟମଣ୍ଡଳ ହେଉ, ସବୁଠାରେ ଦେହକୁ ଦହଗଞ୍ଜ କରୁଥିବା ରୋଗୀଙ୍କର ରାଜୁତି ।

ସୃଷ୍ଟିତତ୍ତ୍ୱର ତତ୍ତ୍ୱାବଧାନରେ ସୃଷ୍ଟିସଞ୍ଚରଣ ପ୍ରକ୍ରିୟା ଅନବରତ କ୍ରିୟାଶୀଳ । ଚିର ପରିବର୍ତ୍ତନଶୀଳ ବହୁଚର୍ଚ୍ଚିତ ଚିତ୍ରକାବ୍ୟ, ଏଠି ଦେହ ଦେହରେ ଦ୍ୟୁତିମୟ ତଥା ବାଙ୍ମୟ । ଏଠି ଯାତ୍ରା ହୁଏ ଗର୍ଭରୁ ଗର୍ଭକୁ, ଦେହରୁ ଦେହକୁ । ଏହା ସତେ ଯେପରି ଏକ ଦେହଧାରଣ ସମାରୋହ, ମୂର୍ତ୍ତିଧାରଣ ସମାରୋହ । ସେଥିପାଇଁ ସେ ଜୀବଟି ଦେହଜ, ଅଙ୍ଗଜାତ, ଏକ ଶରୀର ଧାରଣ କରିଥିବା ଶରୀରୀ, ଅଙ୍ଗୀ, ଦେହୀ ଦେହଧାରୀ ।

ପରିବର୍ତ୍ତନ ପ୍ରକ୍ରିୟା ସହିତ ଦେହଧାରଣ ପ୍ରକ୍ରିୟାର ଏକ ଗୁପ୍ତ ସଲାସୁତୁରା, ରାଜିନାମା ଥିବାପରି ଲାଗେ । ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ଦେହକୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଏ ମାଟି ରଙ୍ଗମଞ୍ଚରୁ ଅବ୍ୟାହତି ନେବାକୁ ହୁଏ । ଆବଶ୍ୟକତା ସରିଗଲା ପରେ, ତା’ର ଅଭିନୟ ଅଲୋଡ଼ା ହୋଇପଡ଼େ । ଏହାକୁ ଅନ୍ୟ ଏକ ଭାଷାରେ ଲୋକେ କହନ୍ତି- ସିନ୍ ପତନ, ଦେହପାତ, ଦେହାନ୍ତ, ଦେହାବସାନ ଅଥବା ଶରୀରାନ୍ତ, ଶରୀରପାତ । ଖୁବ୍ ସିଧାସଳଖ କଡ଼ା ଭାଷାରେ ଏହାର ଅନ୍ୟ ନାମ ମୃତ୍ୟୁ । ତା’ପରେ ସେ ହୋଇଯାଏ ଅଶରୀରୀ । ମଣିଷ ସେମାନଙ୍କ ଭିତରୁ କେତେକଙ୍କୁ ଭୂତପ୍ରେତ ଭାବି ଭୟ କରେ ।

ତଥାପି ଏ ଦେହର ଦ୍ୟୁତି ଓ ଦର୍ପ ଆମ ସମସ୍ତଙ୍କ ପାଇଁ ଖୁବ୍ ଆକର୍ଷଣୀୟ, ଆଦରଣୀୟ । ଚିକିତ୍ସାବିଜ୍ଞାନୀମାନେ ଏହି ଦେହର ଦାୟିତ୍ୱ ନେବାରେ ଖୁବ୍ ଦାୟିତ୍ୱବାନ୍ । ଏହାକୁ ଯଥାସମ୍ଭବ ସୁସ୍ଥ ନୀରୋଗ ରଖି ଏହାର ପରମାୟୁ ବୃଦ୍ଧି ପାଇଁ, ବିଜ୍ଞଆନ ବିଶେଷ ଭାବେ ବ୍ୟଗ୍ର । ଏପରିକି ଏହି ଦେହର ଅଙ୍ଗପ୍ରତ୍ୟଙ୍ଗକୁ ସଜାଡ଼ି, ମରାମତି କରି, ଆବଶ୍ୟକ ସ୍ଥଳେ କାଟି ଫିଙ୍ଗି ବଦଳେଇ ଦେଇ, ଏହାର ବୟସ ବୃଦ୍ଧିର ବ୍ୟବସ୍ଥା ବି କରୁଛନ୍ତି । ଏହି କାୟା ଆଉ ତା’ର ଛାୟା ପ୍ରତି ବି ଆମର ଅମାପ ମାୟା । ଏହି ଦେହ ପ୍ରତି ଆମର ମୁହୂର୍ତ୍ତ ମୁହୂର୍ତ୍ତ ମୋହ ।

ଦେହ ଯେତିକି ସୁନ୍ଦର ସେତିକି ଅସୁନ୍ଦର, ଭୟଙ୍କର । ଏହାର ମାଂସ ଚର୍ମର ମୁଖା ଯେତିକି ମନମଞ୍ଜୁଳ, ତା’ର ହାଡ଼ ପଞ୍ଜରାର ଛାଞ୍ଚ ତତୋଦ୍ଧିକ ଭୟସଙ୍କୁଳ । ଏହା ଖୁବ୍ ପ୍ରାଞ୍ଜଳ ଭାବରେ ଜାଣନ୍ତି ଶରୀର ତତ୍ତ୍ୱବିତ୍‌ମାନେ । ସେମାନେ ସେଥିପାଇଁ ଏକ ସୁସ୍ଥ ଶରୀର ମାଧ୍ୟମରେ ସୁସ୍ଥ ମନଟିଏ ମଣିଷକୁ ଦେବାକୁ ସତତ ଯତ୍ନଶୀଳ ।

ଅପରପକ୍ଷରେ ସାଧୁସନ୍ଥମାନେ ମଧ୍ୟ, ଏହି ନାରଖାର ଦେହ ଏବଂ ଦେହ ପଞ୍ଜରର କ୍ଷଣସ୍ଥାୟୀ ଅସାରତା ପ୍ରତି ଏକ ଆଧ୍ୟାତ୍ମିକ ଆଲୋକପାତ କରି, ମଣିଷକୁ ସଦାସଜାଗ ରହିବା ପାଇଁ ପରାମର୍ଶ ଦିଅନ୍ତି । ଯନ୍ତ୍ର ପରି ମାୟାମନ୍ତ୍ରଚାଳିତ ମନକୁ ଦେହ-ମୋହରୁ ବିଚୁ୍ୟତ କରି, ଏକ ପବିତ୍ର ଡୋରି ଡାକରାରେ ବିଭୁପ୍ରେମୀ ହେବା ପାଇଁ ଆକୃଷ୍ଟ କରନ୍ତି । ଏଇଠୁଁ ହିଁ, ଏକ ରହସ୍ୟକୁ ଉନ୍ମୋଚନ କରିବା ପାଇଁ ପ୍ରୟାସର ଅୟମାରମ୍ଭ ହୁଏ । ଶାସ୍ତ୍ରପୁରାଣ ଭରପୂର ହୋଇଯାଏ ଏମିତି ଅନେକ ଆଲୋଚନା, ନୀତିନିର୍ଦ୍ଦେଶରେ । ଚତୁର୍ଦ୍ଦିଗକୁ ଚମକିତ ଚଳଚଞ୍ଚଳ କରେ ଶରୀରଭେଦ ଭଜନମାଳା । ଅମାନିଆ ଏ ଉଦଣ୍ଡ ମନକୁ ମନ୍ତ୍ରମୋହିତ କରେ ମନବୋଧ ଚଉତିଶା । କୋଟି କୋଟି ପୀଡ଼ିତ ପ୍ରାଣର ପ୍ରାସକୁ ପ୍ରଶମିତ କରିବାକୁ ପ୍ରୟାସ କରନ୍ତି ସଖା, ପଞ୍ଚସଖା ।

ତଥାପି ଦେହମନ୍ଦିରର ମରାମତି ଅବ୍ୟାହତ ରହେ ଦିଅଁ ପୂଜା ପାଇଁ । ସେଇଥିପାଇଁ ତ, ଶରୀରବୃତ୍ତର ବିପୁଳ ବ୍ୟବସ୍ଥା । ଦେହର ସର୍ବଥା ଶ୍ରୀ ବର୍ଦ୍ଧନାର୍ଥ ପ୍ରୟୋଜନୀୟ । ସଂସାର ଭିତରେ ଏହା ଆଉ ଏକ ଶରୀର-ସଂସାର । ଦେହର ପବିତ୍ରତା ସମ୍ପାଦନ ଆମ ସମସ୍ତଙ୍କର ଏକ ଈଶ୍ୱରୀୟ ସଂକଳ୍ପ । ଏହାର ସୌନ୍ଦର୍ଯ୍ୟ ସାଧନ ଏକ ଅସମ୍ପୂର୍ଣ୍ଣ ସତ୍ୟ । ଏହି ଅଙ୍ଗୀକାରବଦ୍ଧତା ମୋଟାମୋଟି ଭାବରେ ସ୍ୱୀକାର୍ଯ୍ୟ ।

ପଚିସଢ଼ି ଯିବାଯାଏ, ପୋଡ଼ି ପାଉଁଶ ହେବାଯାଏ, ମାଟି ସହିତ ମାଟି ହୋଇଯିବା ଯାଏ ପାରୁ ପର୍ଯ୍ୟନ୍ତେ ଶରୀରଚର୍ଯ୍ୟା ଚାଲେ । ଶରୀର-ଶାସ୍ତ୍ର ଆବଶ୍ୟକତା ପଡ଼େ । ଶରୀରର ସୌନ୍ଦର୍ଯ୍ୟସାଧନ ଆବଶ୍ୟକ ହୁଏ । ପୁରୁଣା ପ୍ରସାଧନ ପ୍ରଣାଳୀ ଅନୁସାରେ, ଚନ୍ଦନ କୁଙ୍କୁମାଦିର ଅଙ୍ଗରାଗ ଆବଶ୍ୟକ ହୁଏ । ବ୍ୟୁଟିପାର୍ଲର ନାମରେ ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ପ୍ରସାଧନଶାଳା ଠାଏ ଠାଏ ଉଦ୍ଘାଟିତ ହୁଏ । ଘରେ ଘରେ ଡ୍ରେସିଂଟେବୁଲ୍ ପାଖରେ, ଦେହ ବିନ୍ୟାସ ସହିତ ମୁଖ, ନଖ, ଓଠ, କେଶ ବିନ୍ୟାସ ପାଇଁ ଉତ୍କୃଷ୍ଟ ଉପକରଣ ସବୁ ଥାକମରା ହୁଏ ।

ଗଛବୃଚ୍ଛର ଦେହକୁ, ଗାଈଗୋରୁ ଛେଳିମେଣ୍ଢାଙ୍କ ମୁହଁଠାରୁ ଆରମ୍ଭ କରି ଢେଲା ଫୋପଡ଼ କୁରାଢ଼ି ପର୍ଯ୍ୟନ୍ତ ବିପଦ ରହିଲା ପରି, ମଣିଷର ଦେହରକ୍ଷା ତା’ ଠାରୁ ଗମ୍ଭୀର । ଶତ୍ରୁ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଶରୀରରକ୍ଷୀ ଆବଶ୍ୟକ । ଅଙ୍ଗକୁ ଅଭୟ ଦେବା ପାଇଁ ଅଙ୍ଗତ୍ରାଣ, ଅଭେଦ୍ୟ କବଚ ଆବଶ୍ୟକ । ନଦୀ ହଜିଯିବା ଯାଏ ବହେ । ଫୁଲ ଶୁଖିଯିବା ଯାଏ ହସେ । ବୁଦ୍‌ବୁଦ୍‌ ଫାଟିଯିବା ଯାଏ ନାଚେ । ନିଆଁ ଲିଭିଯିବା ଯାଏ ଜଳେ । ଦେହଟିଏ ଏଥିରୁ ବାଦ୍‌ଯିବ ବା କିପରି ! ଶତଚେଷ୍ଟା ଶତ ସାଧନା ସତ୍ତ୍ୱେ ସେ ବେଳେବେଳେ ଭଲ ରହେ ତ, ବେଳେ ବେଳେ ଭଲ ନ ଥାଏ । ଏହା ସୂର୍ଯ୍ୟଚନ୍ଦ୍ର ପରି ସତ୍ୟ ।

ତେବେ, ଦେହଟି ଭଲ ଥିଲେ ମଧ୍ୟ ଭଲ ନାହିଁ ବୋଲି କହିବା ବେଳେବେଳେ ଏକ ଆବଶ୍ୟକତା ବୋଲି ମନେହୁଏ । ପ୍ରସ୍ତୁତି ନ ଥାଇ କାହା ସହିତ ମୁହାଁମୁହିଁ ହେବା ପାଇଁ ଦୁର୍ବଳ ଲାଗେ । ଭଲମନ୍ଦ ନ ବୁଝି କାହାକୁ ଏକ ନିଷ୍ପତ୍ତି ଶୁଣାଇବାକୁ ଭୟ ଲାଗେ । ଉଧାର ଦେଇଥିବା ଲୋକ ହଠାତ୍ ଟଙ୍କା ଫେରସ୍ତ ପାଇଁ ଅଡ଼ି ବସିଲେ ଉପାୟ ନ ଥାଏ । ଘର ଭଡ଼ା ଦେଇଥିବା ସାହୁକାର ଘରଭଡ଼ା ପଇଠ କରିବା ପାଇଁ ଅଗତ୍ୟା ପହଞ୍ଚିଗଲେ, ଭଡ଼ାଟିଆ ହାଉଳି ଖାଏ । ହାକିମର ହାଣ ମୁହଁକୁ ଯିବାକୁ ଯଦି କିଛି ବିପଦର ସଙ୍କେତ ଥାଏ, ସେତେବେଳେ ଅଧସ୍ତନ ଆକୁଳ ବିକଳ ହୁଏ । ଏମିତି ଅନେକ କାରଣ ଥାଏ ଯେତେବେଳେ ମଣିଷର ସତ୍ୟକୁ ସାମନା କରିବା ସାହସ ଆଉ ଅଣ୍ଟେନା । ସେ ମିଥ୍ୟାର ସାହାର ନିଏ । ଦେହ ଭଲ ଥିଲେ ବି ଭଲ ନାହିଁ ବୋଲି ବାହାନା କରେ । ଏହା ତା’ର କେତେକ ସ୍ଥଳେ ବାଧ୍ୟବାଧକତା, ବିବଶତା । ଧର୍ମରାଜ ଯୁଧିଷ୍ଠିର ବି, ଏ ପର୍ଯ୍ୟାୟରୁ ବାଦ୍ ଯାଇ ନ ଥିଲେ କୁରୁକ୍ଷେତ୍ର ରଣଭୂମିରେ ।

ସାଧାରଣ କର୍ମକ୍ଷେତ୍ରରେ ଏପରି ମାନସିକତାର ପ୍ରାବଲ୍ୟ । ସରକାରୀ ଚାକିରୀ କ୍ଷେତ୍ରରେ ଏ ବ୍ୟବସ୍ଥା ବେଳେବେଳେ ବିବଶତାରୁ ବି ବଳିଯାଏ । ଦେହ ଭଲ ନ ଥିବା ତ ରୋଗ, କିନ୍ତୁ ଦେହ ଭଲ ନ ଥିବାର ମିଛ ବାହାନା କରିବା ଏକ ଦୁରାରୋଗ୍ୟ ରୋଗ । ଏ ରୋଗର ଉପଶମ ପାଇଁ ଉପଚାର ନାହିଁ । ଏ ରୋଗକୁ ଆୟତ୍ତ କରିବାକୁ ଉପାୟ ବି ନାହିଁ । ଏ ରୋଗ କ୍ୟାନ୍ସର୍ ଏବଂ ଏଡ଼ସ୍‌ଠାରୁ ମଧ୍ୟ ଭୀଷଣ ଭୟଙ୍କର । ଔଷଧ ନିରୁପାୟ, ଚିକିତ୍ସାବିଜ୍ଞାନ ନିରୁପାୟ, ଶାସନ ନିରୁପାୟ, ଦଣ୍ଡବିଧାନ ବ୍ୟବସ୍ଥା ମେରୁଦଣ୍ଡହୀନ । “ଚବିଶ ଘଣ୍ଟା ଭିତରେ କର୍ମକ୍ଷେତ୍ରରେ ଯୋଗ ଦିଅ ନଚେତ୍ ପରିଣାମ ଭୋଗ କର” ସର୍ବୋଚ୍ଚ ଶାସନକର୍ତ୍ତାଙ୍କର ଏହି ଭୟ ଉଦ୍ରେକକାରୀ ରଡ଼ିହୁଙ୍କାର, ଥମ୍‌କିନା ଥମିଯାଏ ପାନେ ମାତ୍ର କଡ଼ା ଔଷଧରେ- “ଦି ପେସେଣ୍ଟ ଇଜ୍ ମେଡ଼ିକାଲି ଅନ୍ଫିଟ୍” । ବିଶେଷଜ୍ଞଙ୍କର ଧାଡ଼ିକିଆ ଭେଟୋ ପ୍ରୟୋଗ ଗରମ ପରିସ୍ଥିତିକୁ ଖୁବ୍ ନରମ ଏବଂ “କୁଲ୍‌କୁଲ୍ ଥଣ୍ଡାଥଣ୍ଡା” କରିଦିଏ ।

ଠିକ୍ ସେତିକିବେଳେ ମଣିଷ ପିନ୍ଧିପକାଏ ସାମ୍ୱିଧାନିକ ସାଞ୍ଜୁ । ତାହା ହିଁ ତ, ତା’ର ରାଷ୍ଟ୍ରପ୍ରଦତ୍ତ ସାମ୍ୱିଧାନିକ ସୁରକ୍ଷା କବଚ । ଏପରି ପରୀକ୍ଷା ନିରୀକ୍ଷାର ଫଳାଫଳ ଏ ମାଟିରେ ଅର୍ଦ୍ଧାଶତାବ୍ଦୀ କାଳରୁ ବେଶୀ । କଡ଼ା ରୁବାବ୍‌କୁ କଡ଼ା ଜବାବ୍ । ଶକ୍ତି ସାମ୍ୱିଧାନିକ ଆଜ୍ଞାକୁ ଶକ୍ତ ସାମ୍ୱିଧାନିକ ଅବଜ୍ଞା । ପୁରାଣବର୍ଣ୍ଣିତ ଯୁଦ୍ଧମାନଙ୍କରେ ଏପରି ପରୀକ୍ଷା ପ୍ରଭୂତ ଏବଂ ପ୍ରାଞ୍ଜଳ । ବର୍ଷା ବାଣକୁ ଅଗ୍ନିବାଣ, ସର୍ପାସ୍ତ୍ରକୁ ଗରୁଡ଼ାସ୍ତ୍ର, ଦେବାସ୍ତ୍ରକୁ ବ୍ରହ୍ମାସ୍ତ୍ରର ବ୍ୟବସ୍ଥା ଖୁବ୍ ପୁରାତନ । ଏ ତ ଧର୍ମକ୍ଷେତ୍ରରେ ଧର୍ମଯୁଦ୍ଧର କଥା । ଅଧର୍ମ କ୍ଷେତ୍ରରେ ଅଧର୍ମ ଯୁଦ୍ଧ କେତେ ଯେ ଧୂରୀଣ ହୋଇଥିବ, ସେକଥା କ’ଣ ବା କହିବା । ଦେହ ଭଲ ନାହିଁ ବୋଲି କଞ୍ଚା ମିଛଟିଏ କହି ସହଜରେ ବର୍ତ୍ତିଯିବା କିମ୍ୱା ସେ ଜାଲଫାନ୍ଦରୁ ଉଧୁରି ଆସିବାର ଉପାୟ ଅନେକ । ଏ ପଥଟି ଖୁବ୍ ଲମ୍ୱା, ଅସରା ବି । ଗ୍ରାମସଭାଠାରୁ ସୁପ୍ରିମକୋର୍ଟ ଯାଏ ଏହାର ଧାଁ ଦଉଡ଼ର ଧାପ । ନିଜଠାରୁ ନାତିଯାଏ ଏବଂ ନାତିଠାରୁ ତା’ ନାତିଯାଏ ମଧ୍ୟ, ଏ ଧାପର ସମୟ ସୀମା । ପଥେ ପଥେ କଣ୍ଟାଝଣ୍ଟା ଖାଲଖମା, ତୃପ୍ତ ଅତୃପ୍ତ ତୃଷାର ତନ୍ମୟ ତର୍ଜମା ।

ଦେହ ଭଲ ନାହିଁ ବୋଲି ମିଛଟାଏ କହି ଚୁପ୍‌ଚାପ୍ ବସିଗଲେ ଚଳିବ ନାହିଁ । ସେଥିରେ ବିପଦ ଅଛି । ଧରାପଡ଼ିଯିବାର ସମ୍ଭାବନା ଅଛି । ଘର ଭିତରେ ଟେଲିଫୋନ୍ ତାରର ସଂଯୋଗକୁ ବିଚ୍ଛିନ୍ନ କରିଦେବାର ଅଛି । ମୋବାଇଲ୍ ଫୋନ୍ ସୁଇଚ୍ ବନ୍ଦ କରିବାର ଅଛି । ଘର ଭିତରେ ଚୁପ୍‌ଚାପ୍ ପାଟିତୁଣ୍ଡ ନ କରି ଘର ବାହାର ପଟ କବାଟରେ ତାଲା ପକାଇବାର ଅଛି । ତା’ ହେଲେ ଲୋକେ ଅନୁମାନ କରି ବିଶ୍ୱାସ କରିବେ ଯେ, ଆପଣ ଡାକ୍ତର ପାଖକୁ ଯାଇଛନ୍ତି । ଏସବୁ ଆନୁଷଙ୍ଗିକ, ଆପାତତଃ ସାକ୍ଷ୍ୟ ପ୍ରମାଣର ପ୍ରାସଙ୍ଗିକତା ଅଛି, ଆପଣଙ୍କ ଦେହ ପ୍ରକୃତରେ ଭଲ ନାହିଁ । ଏଥିପାଇଁ ଲୋକେ ଆହା ପଦୁଟିଏ ହେଲେ କହିବେ, ସମବେଦନା ପ୍ରକାଶ କରିବେ । ନୈତିକ ଓ ସାମାଜିକ ସମର୍ଥନ ଦେବେ ।

କିନ୍ତୁ ଘରେ ଛୋଟ ପିଲା ଥିଲେ ଏ ସମସ୍ତ ଅସାଧୁ ଯୋଜନା ଫସର ଫାଟିଯାଏ । ସେ ପିଲାଟି ପୋଷା ଶୁଆ ନୁହେଁ ଯେ, ତାକୁ ଖୁଆଇ ପିଆଇ ଯାହା ପଢ଼େଇଥିବ, ଏଚ୍.ଏମ୍.ଭି. ରେକର୍ଡ ପରି ଖାଲି ଗାଇଯିବ । ସଚ୍ଚା ସରଳ ସଚ୍ଚୋଟପମ ପାଇଁ ତ, ସେ ପିଲାଙ୍କୁ ନିରୋଳା ଦେବଶିଶୁର ଆଖ୍ୟା ଦିଆଯାଏ । ଏମିତି ଏକ ଡ୍ରାମାର ପରଦା ପଛପଟର ପ୍ରମ୍ପଟିଙ୍ଗ୍ ପ୍ରଭାବିତ କରିପାରିବ ନାହିଁ । ସେ କହିବ, “ବାପା ଘରେ ଅଛନ୍ତି ।” ଅନ୍ୟ ଏକ ପ୍ରକାରରେ ମଧ୍ୟ ସେ କହିପାରେ, “ବାପା କହିଛନ୍ତି ଯେ, ସେ ଘରେ ଅଛନ୍ତି ବୋଲି କାହାକୁ କହିବୁ ନାହିଁ ।” ପିଲାଟିର ଉଭୟ ପ୍ରକାରର ତଥ୍ୟ ପ୍ରଦାନ ବିପଦପୂର୍ଣ୍ଣ । ବରଂ ଦ୍ୱିତୀୟଟି ପ୍ରଥମଠାରୁ ଆହୁରି ମାରାତ୍ମକ ।

କୌଣସି ଏକ ବାଧ୍ୟବାଧକତାକୁ ଜାଣିଶୁଣି ଏଡ଼ାଇବାକୁ ହେଲେ ମିଥ୍ୟାର ଆଶ୍ରୟ ନେବା, ଆଉଏକ ବିପଦଜ୍ଜନକ ବାଧ୍ୟ ବାଧକତା । ବେଳେବେଳେ କେହି କେହି କହିଥାନ୍ତି- ମୋ ସ୍ତ୍ରୀଙ୍କ ଦେହ ଭଲ ନାହିଁ କିମ୍ୱା ପୁଅ, ଝିଅ, ନାତିନାତୁଣୀ, ବାପ ବୋଉ ଏମିତି ଅନେକଙ୍କର ନାମ ଧରି, ବିବାଦର ବୈତରଣୀକୁ ପାର ହୋଇଯିବାର ମସୁଧା କରନ୍ତି । କିନ୍ତୁ ଏଥିରେ ସ୍ତ୍ରୀ ମଧ୍ୟ ସହଜରେ ରାଜି ନ ହୋଇ ରାଗ ଗରଗର ହୋଇଯାଆନ୍ତି । ସେ କୁହନ୍ତି- “ମୋ ନାଁ ଯାହା ଧରିଲ ଧରିଲ, ମୋ ପୁଅ ଝିଅ, ନାତିନାତୁଣୀଙ୍କ ନାଁ ଧରିବ ନାହିଁ । କିହୋ, ସେମାନେ ତ କଅଁଳକଅଁଳ ଫୁଲ । ସେମାନଙ୍କର ବା ଦୋଷ କ’ଣ ? ସେମାନେ କାହିଁକି ବା ଏ ଦୋଷରେ ଭାଗୀ ହେବେ ? ତୁମ ପାପ କଥା ତୁମେ ବୁଝିବ । ସେମାନଙ୍କ ନାମରେ ଏ କାଳ କଥା କହିବ କାହିଁକି ?” ସେତେବେଳେ ଏ ମଣିଷ ବିଚରା ବିବ୍ରତ ହୋଇଯାଏ ।

ବନ୍ଧୁମାନେ ବେଳେବେଳେ ଅବୁଝା ହେଲେ ବି, ବାସ୍ତବ ଅସୁବିଧାକୁ ବେଶ୍ ବୁଝନ୍ତି । କୌଣସି ଦୁରାରୋଗ୍ୟ ରୋଗରେ ଘରର ଘରଣୀ ପୀଡ଼ିତ ଥିଲେ, ଆଗନ୍ତୁକ ଅତିଥି ସୌଜନ୍ୟମୂଳକ ସହୃଦୟତା ସହ କହନ୍ତି- “ଆଜ୍ଞା, ଚାହା ପାଣି ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ, ଆମେ ଖାଲି ଦି’ପଦ ହସଖୁସିରେ କଥାବାର୍ତ୍ତା ହେବା ।” ଏହା ସେମାନଙ୍କର ଉଦାରତା । ସାମୟିକ ଭାବରେ ବି ଯଦି ଘରଣୀଙ୍କର ଦେହ ଖରାପ ଅଛି ତା’ ହେଲେ ବି ଚଳିଯିବ । କିନ୍ତୁ ଅସଲ ଅସୁବିଧା ଆସେ, ଯେତେବେଳେ ଘରଣୀଙ୍କର ଦେହ ଜାଣିଶୁଣି ମିଛିମିଛିକା ଖରାପ ହୁଏ ।

ଘଡ଼ିବାଣ ଫୁଟେ, ବମ୍ ବି ଫୁଟେ । ସିଲିଣ୍ଡର ଫାଟେ, ବେଲୁନ୍ ବି ଫାଟେ । ପାଣିଫୋଟକା ଫାଟେ, ତାଳ ଫୋଟକା ଫୁଟେ । ଏହି ଫାଟିବା ଫୁଟିବାପଣ ଯେଉଁଠି ଦେଖିବ ସେଠି । ଅବରୁଦ୍ଧପଣଟିଏ ଉଶ୍ୱାସ ହେବ ତ, ବିଜ୍ଞାନର ବିବଶତା ! ଝଡ଼ ପରେ ପବନ ଉଶ୍ୱାସ ହୋଇ ନିଃଶ୍ୱାସ ମାରେ । ବର୍ଷାରାଣୀ ଶ୍ରାବଣୀ, ତା’ ଗୁମାନ୍-ଗହଳ ଥଲଥଲ ଓହଳିଆ ଆଖିରୁ, ଅଜସ୍ର ଲୁହଟୋପା ଝରେଇ ଝରେଇ ଖୁବ୍ ଉଶ୍ୱାସ ହୋଇଯାଏ । ଭୀଷଣ ରାଗ ହେଉ ଅଥବା ଭୀଷଣ ଦୁଃଖ ହେଉ, ଉଭୟ ପରିସ୍ଥିତିରେ ଉଶ୍ୱାସ ହେବାଟା ନିହାତି ଜରୁରୀ, ନଚେତ୍ ବିଶାଳ ବିସ୍ଫୋରଣ ହୋଇପାରେ । ବିପୁଳ କ୍ଷତି ହୋଇପାରେ । ଘରର ଘରଣୀ ଏମିତିକା ସ୍ୱାଭାବିକ୍ ଘଟଣାଚକ୍ରରେ ନିଜେ ଘାରନ୍ତି ତ, ଗୃହକର୍ତ୍ତାଙ୍କୁ ଚକାଭଉଁରୀ ପରି ଘୂରାନ୍ତି ।

ପ୍ରତିପଦାରୁ ପୂର୍ଣ୍ଣିମା ଏବଂ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ପୂର୍ଣ୍ଣିମାରୁ ପୁଣି ପ୍ରତିପଦା ଯାଏ ଆକାଶରେ ଚନ୍ଦ୍ରଙ୍କର କ୍ଷୟ ବୃଦ୍ଧି ପରି, ଘରେ ଘରେ ଘରଣୀଙ୍କର ପୂର୍ଣ୍ଣମୀ ଓ ଅମାବାସ୍ୟା ବ୍ରତ । ମୌନଗୁମାନ ବ୍ରତ ବେଳେବେଳେ ଗୃହକର୍ତ୍ତାଙ୍କ ପାଇଁ ଭାରି ମହଙ୍ଗା ହୁଏ । ସେମିତି ଏକ ତିଥିରେ ଯଦି ଦୁର୍ଭାଗ୍ୟକୁ ଅତିଥି ଆସନ୍ତି ସେତେବେଳେ ଅବସ୍ଥା ଅସମ୍ଭାଳ ହୋଇଉଠେ । ଅତିଥି ଚର୍ଚ୍ଚା ଅଧୁରା ରହେ । ଚାହା ଦି’କପ୍ ପାଇଁ ଗୃହକର୍ତ୍ତାଙ୍କର ସ୍ୱର୍ଣ୍ଣ ତ୍ରିଭୁଜ ଯାତ୍ରା ଘନଘନ ହୁଏ । ଡ୍ରଇଁରୁମ୍, ବେଡରୁମ୍ ଏବଂ କିଚିନ୍ ପାଲଟିଯାଆନ୍ତି ଧାଁଦଉଡ଼ ପାଇଁ ସ୍ୱର୍ଣ୍ଣ-ତ୍ରିଭୁଜର ତୀର୍ଥ । ବେଡରୁମ୍ ଭିତରେ ଗୃହଲକ୍ଷ୍ମୀଙ୍କର ଗୁମାନ ଗଭୁରପଣ ବେଶ୍ ଗୁରୁଗମ୍ଭୀର, ଗୁରୁତର । ମାସମାସକର ଓରମାନ ମେଣ୍ଟେଇବା ପାଇଁ ତାଙ୍କର ଏହି ସୁଯୋଗଟି ରଜଦୋଳି ଖୁସି ପରି, ଓହଳ-ଦୋଳି ଖେଳେ । ଆଗନ୍ତୁକ ଅତିଥି ବନ୍ଧୁ ହୁଅନ୍ତୁ, ଅଧୀନସ୍ଥ ସହକର୍ମୀ ହୁଅନ୍ତୁ ଅଥବା ଉପରିସ୍ଥ ହାକିମ ହୁଅନ୍ତୁ, ଘରଣୀ ସେମାନଙ୍କ ଅଧୀନସ୍ଥ ନୁହନ୍ତି । କାହା ପାଖରେ ସେ ମୁଣ୍ଡ ବିକି ନାହାନ୍ତି । କପେ ଚାହା ନ ଦେଲେ ବି ତାଙ୍କ ସିସିଆର ଖରାପ ହେବାର ନାହିଁ । ସେ ଡରନ୍ତି ନାହିଁ, ଡରାଇ ପାରନ୍ତି । ବଡ଼ ଦେଉଳକୁ ବିମଣ୍ଡିତ କରୁଥିବା ଦୁଇ ବପୁବନ୍ତ ଭାଇ ମଧ୍ୟ ଡରିଯାଆନ୍ତି ମହାଲକ୍ଷ୍ମୀଙ୍କ ପାଖରେ । ହାଣ୍ଡିଶାଳ ତାଙ୍କରି ହାତରେ, ହାଣ୍ଡି ତାଙ୍କରି ହାତରେ, ଚଟୁ ତାଙ୍କରି ହାତରେ । ସେଥିପାଇଁ ଚୁଟି ବି ତାଙ୍କରି ହାତରେ ।

ଏମିତି ଏକ ଅଭାବନୀୟ ପରିସ୍ଥିରେ ଗୃହକର୍ତ୍ତା ଅତିଥିଙ୍କ ନିକଟରେ ତାଙ୍କର ଅକର୍ମଣ୍ୟ ଅହଂକାରଟିକୁ, ଅବନମିତ କରିବାକୁ ବାଧ୍ୟ ହୁଅନ୍ତି । ଏକ ଦାନ୍ତନିକୁଟା ନିଉଛାଳିଆ ହସ ହଠାତ୍ ଉକୁଟି ଉଠେ, ତାଙ୍କ ମଳିନ ମୁଖମଣ୍ଡଳରେ । ଘାଆ-ଘାଉଳି ହୋଇ ତାଙ୍କର ହାଉଳି ଖାଇବା ପଣରେ ସେ କିଞ୍ଚିତ୍ ହତବାକ୍ ହୋଇ ନିଠେଇ ନିଠେଇ କହୁନ୍ତି- “ମିସେସ୍‌ଙ୍କ ଦେହ ଭଲ ନାହିଁ, ଜର ବଢ଼ିଯାଇଛି, ଶୋଇଛନ୍ତି । ଡାକ୍ତରଙ୍କୁ ଏବେ ଡାକି ଆଣିବାକୁ ଯିବାକୁ ହେବ । ଆପଣଙ୍କ ଗକୁ ଗଲେ ଆପଣ କେତେ କ’ଣ ଖାଇବାକୁ ଦିଅନ୍ତି । କିନ୍ତୁ କ୍ଷମା କରିବେ ଆଜି ମୋର ଦୁର୍ଭାଗ୍ୟ ଯେ, ମୁଁ ଚାହା କପେ ମଧ୍ୟ ଦେଇପାରୁନି ।” ଅତିଥିଙ୍କର ତୁଣ୍ଡରେ ସମବେଦନାର ସ୍ୱର ସଞ୍ଚରିଯାଏ । ବନ୍ଧୁ ଆସର ଯଥାଶୀଘ୍ର ସମାପ୍ତ ହୁଏ ।

ଗୃହକର୍ତ୍ତା ଏବେ ଆତ୍ମଗ୍ଲାନିରେ ଯେତିକି ଆନ୍ଦୋଳିତ, ଆତ୍ମରକ୍ଷାର ସଫଳ ଅଭିଯାନରେ ସେତିକି ଆଶ୍ୱସ୍ତ । ସତ୍ୟ ଏବଂ ମିଥ୍ୟା ନିକଟରେ ସେ ଯେତିକି ପ୍ରତିଶ୍ରୁତିବଦ୍ଧ, ସେତିକି ପ୍ରତାରଣାପୂର୍ଣ୍ଣ । ବରଂ ସେ ଏବେ ମିଥ୍ୟା ନିକଟରେ କୃତଜ୍ଞ । “ମିସେସ୍‌ଙ୍କ ଦେହ ଭଲ ନାହିଁ”, ଏହି ଉଦ୍ଘୋଷଣାଟି ମାନସିକ ସ୍ତରରେ ଯେତିକି ସତ, ବାସ୍ତବ, ସାମାଜିକ ସ୍ତରରେ ସେତିକି ମିଛ । ସେପରି ଏକ ଡାହା ମିଛକୁ ଘୋଡ଼ାଇବା ଅଥବା ଘଉଡ଼େଇବା ପାଇଁ ଡାକ୍ତରୀ ସାର୍ଟିଫିକେଟ୍ ମାଗିବାକୁ କାହାର ଦମ୍ ନ ଥାଏ । ଗୁମାନ ଭାଙ୍ଗିବାଟା ହିଁ ଏ ମିଛର ମହୌଷଧି ।

“ଦେହ ଭଲ ନାହିଁ” – ଏହି ବାର୍ତ୍ତାଟି ସତେ ଯେପରି ଏକ ଦୁଇଧାରୁଆ ଛୁରୀ ! ଶ୍ରାବଣର ନଦୀଟିଏ ପରି ଏଇ ଉକ୍ତିର ପ୍ରବାହ ଦୁଇକୂଳକୁ ଉବୁଟୁବୁ କରେ । ଏ କୂଳରେ ଆତ୍ମଦହନ ତ, ଆର କୂଳରେ ଆତ୍ମଗ୍ଲାନି । ଏ ପାଖରେ ସମ୍ପର୍କର ଆକର୍ଷଣ ତ, ସେ ପାଖରେ ବିକର୍ଷଣର ବ୍ୟବଧାନ । ଉଭୟର ପରିଚୟ ହିଁ ଦହନ । ଗୋଟିଏ ଜଳେ, ଅନ୍ୟଟି କୁହୁଳେ ।

ଲୋକପ୍ରିୟ ଲେଖା

To Top