ପ୍ରବନ୍ଧ

ଦିଲ୍ଲୀଚିଠି

କୁନ୍ତଳା କୁମାରୀ ସାବତ

ଆମେ ଏଡ଼େ ଲୁଚି ରହିବାକୁ ପଛଆଡ଼େ କହିବାକୁ କାହିଁକି ଭଲ ପାଉଁ କେଜାଣି । ଏ ନୂଆବୋହୂ ଢଙ୍ଗ ଓଡ଼ିଶାର ପ୍ରକୃତରେ ଗୋଟିଏ ସାହିତ୍ୟିକ ଶୋଭା ।

ଦିଲ୍ଲୀଚିଠି

ସମ୍ପାଦକ ମହାଶୟ, ସାଦର ନମସ୍ତେ ।

ମୁଁ ଦିଲ୍ଲୀଚିଠି ସମ୍ୱନ୍ଧରେ ଆପଣଙ୍କର ପତ୍ର ପାଇଥିଲି । ଅପରର ନିନ୍ଦାସ୍ତୁତିରେ ସଚ୍ଚା ସମାଲୋଚକ ବିଚଳିତ ହେଲେ ଚଳିବ ନାହିଁ । ରୋଗୀର କାତରତାରେ ବିଚଳିତ ହୋଇ ସର୍ଜନ୍ ଯଦି ଦୁଷ୍ଟ ବ୍ରଣର ଅପରେସନ୍‌ରେ ପରାଙ୍ମୁଖ ହୁଅନ୍ତି, ତା’ହେଲେ ରୋଗୀର ମଙ୍ଗଳ ହୁଏ କି ଜୀବନାଶଙ୍କା ଘଟେ, ଭାବି ଦେଖନ୍ତୁ । ଓଡ଼ିଶାର ଦୁର୍ଦ୍ଦଶା, ସମାଲୋଚନାର ଅଭାବ । ଟଙ୍କାଟି ବଜାଇ ବଜାଇ ପରଖି ନେବାକୁ ହୁଏ । ଦିଲ୍ଲୀଚିଠି ସମ୍ୱନ୍ଧରେ ଯଦି କାହାରି ମତାନ୍ତର ଥାଏ, ଖୋଲା ମଇଦାନ୍‌କୁ ଆସି ମୋ ପତ୍ରର ଉତ୍ତର ଦେଲେ ମୁଁ ବଡ଼ ଖୁସି ହେବି । କାରଣ ବ୍ୟକ୍ତିଗତ ଆକ୍ରୋଶ ତ ଆମର ନାହିଁ, ଦେଶର ବ୍ୟାଧିକୁ ଦୂର କରିବାର ପ୍ରୟାସ ମାତ୍ର ।

ଆମେ ଏଡ଼େ ଲୁଚି ରହିବାକୁ ପଛଆଡ଼େ କହିବାକୁ କାହିଁକି ଭଲ ପାଉଁ କେଜାଣି । ଏ ନୂଆବୋହୂ ଢଙ୍ଗ ଓଡ଼ିଶାର ପ୍ରକୃତରେ ଗୋଟିଏ ସାହିତ୍ୟିକ ଶୋଭା । ନୋହିଲେ ଆମର ବିଶାଳ ସାହିତ୍ୟ, ବିରାଟ ଇତିହାସ ଥାଉଁ ଥାଉଁ ଆମେ ଅନ୍ୟ ଜାତିଙ୍କ କତିରେ ଆଜି ଉପହାସାସ୍ପଦ କାହିଁକି ?

ଗତ ମାସ ସଂଖ୍ୟା ହଂସରେ (ବିଖ୍ୟାତ ହିନ୍ଦୀ ଲେଖକ ପ୍ରେମଚାନ୍ଦ ସମ୍ପାଦିତରେ ଦେଖିଲି, ମରହଟ୍ଟା ଚିମନବାବୁଙ୍କ ଜୀବନର କିଛି ସମାଲୋଚନା । ସେଥିରେ ସେ କଟକ ବିଜୟୀ ଓଡ଼ିଆକୁ ପରାସ୍ତ କରି ସେନାବାହାଦୂର ଉପାଧି ପେଶବାଙ୍କ ଠାରୁ ପାଇଥିବାର ବିଶଦ ବିବରଣୀ ଲିପିବଦ୍ଧ ଅଛି । ମାତ୍ର ଢେଙ୍କାନାଳ ରାଜାଙ୍କ ଶ୍ରୀକରଦ୍ୱାରା ଯେ ସେ କେତେଥର ପରାଜିତ ହୋଇ ପଳାଇଥିଲେ, ଉତ୍କଳର ସ୍ୱନାମଧନ୍ୟ କବି ବ୍ରଜନାଥ ବଡ଼ଜେନାଙ୍କ କୃତ ସମରତରଙ୍ଗ ଯାହାର ସାକ୍ଷୀ, କାହିଁ ସେ କଥା ତ ପଦେ ମାତ୍ର ନାହିଁ । ଗତ ସଂଖ୍ୟା ସହକାରରେ ଉକ୍ତ ବିଷୟ ଦେଖି ଏବଂ ହଂସର ସମାଲୋଚନାକୁ ତାହା ସଙ୍ଗେ ତୁଳନା କରି ଓଡ଼ିଆ ପ୍ରାଣ ବହିଥିବାରୁ ଆତ୍ମାରେ ବଡ଼ ଦୁଃଖ ହେଲା । ହାୟ, ଆମେ ଅବଶ, ଶିଥିଳ, ଆମ ଇତିହାସ କେହି ନ ଜାଣୁ, ଆମର ଗୋପନ ପେଡ଼ି ଭଣ୍ଡାର କେହି ନ ଖୋଲୁ, ଆମେ ଆମରି ଜାତିଭାଇଙ୍କ ଆଗରେ ଆପଣାର କୀର୍ତ୍ତି କାହାଣୀ ଗାଇ ମନ କୁଣ୍ଢେମୋଟ କରି ବସିଥାଉଁ, ଏ ଆମର ବାହାଦୂରୀ । ପ୍ରକୃତରେ ଆମେ ପ୍ରାଣେ ପ୍ରାଣେ ବୈଷ୍ଣବ, ଜଗନ୍ନାଥଙ୍କ ବାନାଧାରୀ । ଦାରୁମୂର୍ତ୍ତି ହୋଇ ଅଚଳ ବିଷ୍ଣୁ ଭଳି ବସିବା ଆମର ସ୍ୱଭାବଗତ ହେଲାଣି । କେବେ ଏ ଅଳସ ନିଦ ଭାଙ୍ଗିବ କେଜାଣି ।

ଜାତି ଜାଗ୍ରତ ସୂଚନା କିନ୍ତୁ ଏ କଂଗ୍ରେସ ଆନ୍ଦୋଳନରୁ ଯେ ମିଳିଳାଣି, ଏହା ଦେଖି ଆମେ ଭବିଷ୍ୟତ ପାଇଁ ବଡ଼ ଆଶାନ୍ୱିତ । କାରଣ ଉତ୍କଳର ବିଖ୍ୟାତ ହାଣ୍ଡିଶାଳର କୋଣ-ମଣ୍ଡିନୀ ସରଳ ସୀମନ୍ତିନୀର ଯେଉଁ ଲଳିତ କାବ୍ୟ କବିତାଠାରୁ ଆରମ୍ଭ କରି ମାଦଳା ପାଞ୍ଜି ଲେଖା ପର୍ଯ୍ୟନ୍ତ, ଯୁଦ୍ଧ ପଡ଼ିଆରେ ଦଣ୍ଡୀ, ଶକୁନ୍ତଳା, ଦୁର୍ଗାବତୀଙ୍କର ଯେଉଁ ଅପୂର୍ବ ବୀରତ୍ୱ, କୀର୍ତ୍ତିକଳା, ଆଜି ତା’ ପୁଣି ଜାଗ୍ରତ ହୋଇଛି । ନୋହିଲେ କି ବ୍ରାହ୍ମଣ ଶାସନର ବୋହୂମାନେ, କରଣ ସାମନ୍ତଙ୍କର କୁଳକନ୍ୟାମାନେ ଆଜି ହାତଯୋଡ଼ି ମଦ ଅଫିମ ଦୋକାନରେ ପିକେଟିଂ କରି ଅପମାନ ସହନ୍ତେ । କେହି ଉତ୍କଳର କୃତୀସନ୍ତାନ କହନ୍ତା, ପିକେଟର୍‌ଙ୍କୁ ନିସ୍ତୁକ ଛେଚ, ସ୍ୱରାଜ୍ୟ ମିଳିଯିବ । ଭୟନାହିଁ ଭଉଣୀ । ତମରି ହାତରେ ସ୍ୱରାଜ୍ୟ, ତୁମ ଅପମାନ, ତୁମ ନିର୍ଯ୍ୟାତନାରେ ସ୍ୱରାଜ୍ୟର ଗମ୍ଭିରୀ ମନ୍ଦିର ଖୋଲିଯିବ । ତୁମେ ପରା ଦେଶର ଲକ୍ଷ୍ମୀ, ତୁମେ ପରା ଶକ୍ତିରେ ଦୁର୍ଗା, ମା’ ବିରଜାଇ ପ୍ରତିମୂର୍ତ୍ତୀ, ତୁମେ ପରା ଉତ୍କଳର ବାଣୀ ବୀଣାପାଣି । ତୁମେ ଉଠ, ତୁମେ ଏଡ଼େ ଧୀରେ ଧୀରେ କାହିଁକି ଉଠୁଛ ? ଚଞ୍ଚଳ ଚେଇଁ ଉଠ, ଦେଶର ଭାଦ୍ୟ ତୁମେ ହିଁ ନିର୍ଣ୍ଣୟ କରିବ । ତମ ହାତ ମୁଠାରେ ଦେଶର ଭାଗ୍ୟ ଡୋରି ।

ଭାରତ-ନାରୀର ଶକ୍ତି, ଅଟଳ ପ୍ରତିଜ୍ଞା, ଦୁଃଖବରଣର ଦୃଢ଼ତା ପାଇ ନଥିଲେ ମହାତ୍ମା ଗାନ୍ଧୀ ସୁଦ୍ଧା ଆଜି ଭାରତ ସ୍ୱରାଜର ସ୍ୱପ୍ନ ଏଡ଼େ ପରିଷ୍କାର ଦେଖୁ ନଥାନ୍ତେ । ଭାରତ ଭାଗ୍ୟାକାଶ ନିର୍ମଳ । କାରଣ ଭାରତର ନାରୀ ଆଜି ଜାଗ୍ରତ । ସେ ଆଉ ନିଜ ନିଜ ଉପରେ ଅନ୍ୟାୟ ଅବିଚାରକୁ ରାଜତ୍ୱ କରିବାକୁ ଦେବନାହିଁ । ତା’ ପାଇଁ ଯେଉଁ ଯେଉଁ ଧର୍ମଶାସ୍ତ୍ର, ପାଞ୍ଜି, ପୋଥିଟିମାନ ବନେଇଚ, ସେ ଆଉ ତା’ର ଅନ୍ଧ ଅନୁଶାସନ ମାନିବାକୁ ପ୍ରସ୍ତୁତ ନୁହେଁ । ସେ ତା’ର ନ୍ୟାଯ୍ୟ ଦାବୀ, ଜଗତରେ ତା’ର ନ୍ୟାଯ୍ୟ ସ୍ଥାନ, ଜାତି କତିରେ ତା’ର ପ୍ରକୃତ ଅଧିକାର ହାସଲ କରି ଛାଡ଼ିବ । ଏଥିପାଇଁ କେହି ମରହଟ୍ଟୀ ପୁରାତନପନ୍ଥୀ ନାକ ଫୁଲାଇ, ମୁହଁ ଫୁଲାଇ ରାଗ, ଦ୍ୱେଷ, ନୈରାଶ୍ୟ ପ୍ରକଟ କଲେ ସେ ଶୁଣିବ ନାହିଁ । ବର୍ତ୍ତମାନ ସେ ଅମିତ ବିକ୍ରମରେ ମୋହନ ମନ୍ତ୍ରବଳରେ ଜାଗ୍ରତ । ଏଥର ତୁମ ପୋଥି ପାଞ୍ଜି ସବୁ ବଦଳିଯିବ । ତୁମ ଆଇନ୍‌କାନୁନ୍ ସବୁ ଓଲଟିଯିବ, ତୁମ ଏକଚାଟିଆ ଅଧିକାର ଧରା ଉପରେ “ଜୋର୍ ଯାହାର ରାଜ୍ୟ ତାହାର”ର ସାମ୍ରାଜ୍ୟବାଦ ସବୁ ଚୂର୍ଣ୍ଣ ହୋଇଯିବ । କାରଣ ଏ ଯୁଗ ପ୍ରଜାତନ୍ତ୍ରର ଯୁଗ । ଏ ଯୁଗ ଜଣକର, ଗୋଟାଏ ଦଳର, ଗୋଟାଏ ଅଭ୍ରାନ୍ତ ଶାସ୍ତ୍ରବାଦର ଯୁଗ ନୁହେଁ । ଏ ଯୁଗରେ ସମସ୍ତେ ମନୁଷ୍ୟତ୍ୱର ବିକାଶ ଲାଗି, ଆତ୍ମୋନ୍ନତି, ଆତ୍ମସମ୍ମାନ ଲାଗି ସତତ ସଚେଷ୍ଟ । ଏ ଯୁଗରେ କେବଳ “ସର୍ଭାଇଭାଲ୍ ଅଫ୍ ଦି ଫିଟେଷ୍ଟ୍”। ଅତଏବ ତୁମ୍ଭମାନଙ୍କୁ ଜାଗ୍ରତ ହେବାକୁ ପଡ଼ିବ । ଜଗତ ସହିତ ସମାନ ଗତିରେ ଦଉଡ଼ିବାକୁ ହେବ । ଅଳସୁଆଙ୍କ ପରି ପଛରେ ପଡ଼ି ରହିଲେ, ତୁମ ଦାବି ଆଉ କିଏ ମାରି ନେବ । ତୁମେ ଜଗତର ପରିବର୍ତ୍ତନ ଆଡ଼କୁ ଲକ୍ଷ୍ୟ ରଖ, ଜଗତ କୁଆଡ଼େ ଯାଉଛି । କେବଳ ନିଜ ଆତ୍ମତୋଟା ଆଢୁଆଳରେ ଶାନ୍ତିମୟ କୁଟୀରରେ ଦୀର୍ଘ ଦିବାସ୍ୱପ୍ନ ଦେଖିଲେ ଚଳିବ ନାହିଁ । ସଂସାର ସମୁଦ୍ରର ବାଆବତାସୀ ପନବପାଣି ସଙ୍ଗରେ ଅଣ୍ଟା ଭିଡ଼ି ଯୁଝିବାକୁ ହେବ । ତେବେ ତ ତୁମ ନଉକା ପାରରେ ଲାଗିବ । ବୀର, ସାହସୀ, ନାବିକ-ଜାତି । ଚାରି ହଜାର ବର୍ଷ ପୂର୍ବରେ ତୁମ ଜାତିର ପୁଅମାନେ ଦୂର ମିଶର, ସୋର୍, ସିଦୋନ୍, ବାବିଲନ୍, ନିନିଭ ସହିତ ବାଣିଜ୍ୟ କରୁଥିଲେ । ଫିନିସିଆନ୍ ନାବିକମାନଙ୍କର ଇତିହାସ ପଢ଼ । ଦେଖିବ ତୁମ ଜାତିର ପୁଅମାନେ ହୀରା, ନୀଳା, ମୁକ୍ତା, ପ୍ରବାଳ, ଲାଖ ଓ ହାତୀଦାନ୍ତ ଘେନି କେଉଁ ଦୂର ମୁଲକୁ ବଣିଜ ବେପାର କରିଯାଇ ନାହାନ୍ତିଟି । ତୁମେ ହିଁ ତ ପ୍ରଥମେ ଧ୍ରୁବତାରା ଚିହ୍ନିଥିଲ, ଦିଗ୍‌ବାରିଣୀ ଯନ୍ତ୍ର ତ ତୁମରି ମୁଣ୍ଡରୁ ବାହାରିଥିଲା, ତା’ର ପ୍ରମାଣ କୋଣାର୍କର ବିଶାଳ ଚୁମ୍ୱକ ସ୍ଥାପନ, ତା’ର ପ୍ରମାଣ ଧ୍ରୁବ ପୁରାଣରେ – ତା’ର ପୁତ୍ର ଉତ୍କଳର ନାମୋଲ୍ଲେଖ । ତୁମ ଜାତିରେ ସାଧବଝିଅମାନେ କି ଶରଧାରେ ବୋଇତ ବନ୍ଦାଇବାକୁ ବନ୍ଦାପନା ଥାଳି ଧରି ନଥାନ୍ତିଟି ! ଭାରତର ଆଉ କେଉଁ ଜାତିର ପ୍ରାଚୀନ ଇତିହାସରେ “ବୋଇତ ବନ୍ଦାପନାର ମଧୁର ଗୀତ”ଅଛି କୁହ ଭଲା ! ତୁମ ଜାତିରେ ସୌଦାଗର ଝିଅ ବିପୁଳାର ଲୋକୋତ୍ତର ଇତିହାସ ! ଅତୀତକୁ ଏକାବେଳେ ଭୁଲି ଯାଅନା- ଅତୀତ ତୁମକୁ ପ୍ରେରଣା ଦେବ । ଭବିଷ୍ୟତ ପାଇଁ ନବବଳ ଦେବ । ଚାରି ହଜାର ବର୍ଷ ପୂର୍ବର କଥା – ସେ ବୀର ସାହସୀ କଳିଙ୍ଗ ନାବିକର ଚିତ୍ର ମନେ ପଡ଼ିଲେ ରୋମ ଟାଙ୍କୁରି ଉଠେ, ଆଖିରୁ ଆନନ୍ଦାଶ୍ରୁ ଝରିପଡ଼େ । ସେତେବେଳେ ପୃଥିବୀର ଆଧୁନିକ ସଭ୍ୟଧର୍ମ ଭିତରୁ ଗୋଟିକର ସୁଦ୍ଧା ଜନ୍ମ ହୋଇନଥିଲା । ଥିଲା କେବଳ ଯୁଗ ଯୁଗାନ୍ତର ବୈଦିକ ଧର୍ମ ଆଉ ଆର୍ଯ୍ୟ ଜାତିର ସଭ୍ୟତା । ସେହି ସଭ୍ୟ ଆର୍ଯ୍ୟ କଳିଙ୍ଗ ଜାତି ଥିଲେ ଭାରତର ନାବିକ ଶିରୋମଣି । ଆମେରିକା, ଆଫ୍ରିକା ପର୍ଯ୍ୟନ୍ତ ଯେଉଁମାନଙ୍କର ବାଣିଜ୍ୟର ପ୍ରସାର ଥିଲା । ଏସବୁ ଇତିହାସରେ ନ ଦେଖିଥିଲେ ସ୍ୱପ୍ନ ପରି ଲାଗନ୍ତା, ଆମେ ନିଜେ ବି ବିଶ୍ୱାସ କରନ୍ତୁ ନାହିଁ । କିନ୍ତୁ ଦେଖ ଇତିହାସ- ଇହୁଦିଙ୍କର ଇତିହାସ ଦେଖ, ବାବିଲନ୍‌ର ଇତିହାସ ଦେଖ, ପରାକ୍ରାନ୍ତ ନିନିଭ ସମ୍ରାଟଙ୍କର ଜୀବନୀପଢ଼, ବୁଝିବ ଉତ୍କଳର ହୀରା, ମୁକ୍ତା ହାତୀଦାନ୍ତ ତାଙ୍କର ଗୃହର ଶୋଭା ଥିଲା । କଳିଙ୍ଗ ଯେ ହାତୀର ଦେଶ, କଳିଙ୍ଗର ରାଜା ଯେ ଗଜପତି ।

ଏହାପରେ ପୁଣି ଯଦି ଭାବ ଆମର ଇତିହାସ ନାହିଁ, ତା’ହେଲେ ଆମଠାରୁ ଦୀନ ଅରକ୍ଷିତ ବୋଧହୁଏ ଆଉ କେହି ଦୁନିଆଁରେ ନାହିଁ ।

ଏ ତ ଗଲା ଅତୀତ ! ଆଧୁନିକ ଆନ୍ଦୋଳନରେ ବୋଧହୁଏ, ଓଡ଼ିଆର ଯେତେ ଭାଗ, ଯେତେ ଦୁଃଖ ଭୋଗ ଯେତେ କଷ୍ଟ ନିର୍ଯ୍ୟାତନା ଲାଭ, ଏକା ଗୁଜରାତ (ବମ୍ୱେ) ଛଡ଼ା ଆଉ କୋଉଠି ଏପରି ହୋଇ ନାହିଁ । ବାଲେଶ୍ୱର, ମେଦିନୀପୁର କାନ୍ଥୀ (ବଙ୍ଗର ବର୍ତ୍ତମାନ କବଳରେ ଥିଲେ ସୁଦ୍ଧା ତାଙ୍କର ରକ୍ତ ତ ଓଡ଼ିଆ)ର ଭୀଷଣ ରକ୍ତକ୍ଷେତ୍ର; ନୀଳଗିରିର ଅତ୍ୟାଚାରର କ’ଣ ଊଣା ଭୟାବହ ?

ଉତ୍କଳ ଛିନ୍ନଭିନ୍ନ, ତା’ର ଅଙ୍ଗ ଖଣ୍ଡ ଖଣ୍ଡ, ଅସ୍ଥି ଭଗ୍ନ କଙ୍କାଳ ଚୂର୍ଣ୍ଣୀଭୂତ । ତଥାପି ନିରାଶ ହେବାର କୌଣସି କାରଣ ନାହିଁ । ଆମେ ତଳେ ପଡ଼ିଛୁ ବୋଲି ଏକାବେଳେ ମରି ହଜି ମାଟିରେ ମିଶିଯିବୁ ନାହିଁ । ଆମେ ନିଶ୍ଚେ ଉଠିବୁ- ନୂଆ ବଳ, ନୂଆ ପ୍ରେରଣା, ନୂଆ ଦେହ ମନ ସହିତ ଆମର ନବ କଳିଙ୍ଗର ପୁନର୍ଜନ୍ମ ହେବ । ଉତ୍କଳର ଯୁବକ ଶକ୍ତି ଅନ୍ୟାନ୍ୟ ଦେଶର ଯୁବକ ଶକ୍ତିଠାରୁ କଦାପି ହୀନ ନୁହେଁ । ଏହିମାନେ ଅସାଧ୍ୟ ସାଧନ କରିବେ । ଏହିମାନେ ଉତ୍କଳ ବିଜୟବାନା ସ୍ପର୍ଦ୍ଧାରେ ଉଚ୍ଚରେ ତୋଳି ଧରିବେ, ଏହିମାନେ ଆମ ଜାତିର ଭରସା, ଏହିମାନେ ଆମର ଭଗୀରଥ ।

ଅଳ୍ପଦିନ ତଳେ ଦିଲ୍ଲୀରେ ହଠାତ୍ ସାହେବ ବେଶଧାରୀ ଏକ ଖାଣ୍ଟି ଉତ୍କଳୀୟ ଯୁବକ ସହିତ ମୋର ସାକ୍ଷାତ୍ ହେଲା, ଯେ କି କେବଳ ଆତ୍ମନିର୍ଭରତା ବଳରେ ୟୁରୋପରେ ହଲାଣ୍ଡ, ଜର୍ମାନୀ, ବେଲ୍‌ଜିୟମ୍, ଇଟାଲି, ଫ୍ରାନ୍ସ, ଇଂଲଣ୍ଡ, ଟର୍କି, ଚେକୋସ୍ଲୋଭିଆ ଓ ଭାରତର ପ୍ରାୟ ସମସ୍ତ ଦେଶ ବୁଲି କିଛିଦିନ ରହି ପୁଣି ଆପଣାର ବ୍ରାହ୍ମଣ କୁଳକନ୍ୟା ଅସୂର୍ଯ୍ୟମ୍ପଶ୍ୟା ସହଧର୍ମିଣୀଙ୍କ ସହ ଛଅ ବର୍ଷ ଇରାକ୍‌ରେ ରହି ତାଙ୍କୁ ଓଡ଼ିଆ ବଙ୍ଗଳାଠାର ଆରବିକ୍, ଇଂରାଜୀ ପର୍ଯ୍ୟନ୍ତ ଶିଖାଇ ଗଭର୍ଣ୍ଣମେଣ୍ଟ୍ର ବୈଦେଶିକ ବିଭାଗରେ ଉଚ୍ଚପଦରେ ଚାକିରୀ କରି ସୁଦ୍ଧା, ଆପଣା ଦେଶ ଓ ଜାତିର ପ୍ରେମରେ ନିତ୍ୟ ଉଦ୍‌ବୋଧିତ, ଆଉ ଜାତିକୁଳ ନ ଛାଡ଼ି ଆପଣାର ପୁରାତନ ବ୍ରାହ୍ମଣ-ଶାସନୀ ଗୃହସ୍ଥାଶ୍ରମରେ ପୂର୍ଣ୍ଣମାତ୍ରରେ ଅଛନ୍ତି । ମୁଁ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି । ପ୍ରକୃତରେ କିଏ ଜାଣୁଚି କେଉଁ ଓଡ଼ିଆ କୋଉଁଠି ଅଛି ? ଦେଶର ଏହିପରି ଗୋଟିଏ ଗୋଟିଏ ବ୍ୟକ୍ତି ସହିତ ସାକ୍ଷାତ୍ ହେଲେ ବିଦେଶୀ ଓଡ଼ିଆର ଯେ କେତେ ଆନନ୍ଦ ହୁଏ, ତା’ ଦେଶବାସୀ ବୁଝିପାରିବେ ନାହିଁ । ଦେଶ ଆମର, ଜାତି ଆମର, ତା’ର ପ୍ରତ୍ୟେକ କୃତୀ ସନ୍ତାନ ଆମ ଗର୍ବ ଗୌରବର ସାମଗ୍ରୀ । ଯେ ଯେଉଁ ବିଭାଗରେ ଉନ୍ନତି କରୁ ପଛେ, ଯେ ଯେତେ ବଡ଼ ହେଲା, ସେ ଆମର ସୌଭାଗ୍ୟ । ଆମ ଭିତରର ହିଂସା, ଈର୍ଷା, ଦ୍ୱେଷ ଦଳାଦଳି ନ ହେଉ । ବୀରମାଟି ବାରବାଟୀ କଟକ ଆମର ତ, ନୀଳ ଚକ୍ରଧାରୀ ଜଗନ୍ନାଥ ଆମର । ଆମେ କିଆଁ ତୋର ମୋର ହେବୁ । ସବୁ ତ ଆମରି । ସତ୍ୟବାଦୀର ଛୁରୀଅନା କୁଞ୍ଜର ସାଧନାଠୁଁ ଇଞ୍ଚୁଡ଼ିର ଲବଣ କ୍ଷେତ୍ରର ସଂଗ୍ରାମ ପର୍ଯ୍ୟନ୍ତ, ମେଦିନୀପୁରଠୁଁ ଗଞ୍ଜାମ, ବ୍ରହ୍ମପୁର, ଜୟପୁର ବସ୍ତରଯାଏ ଆମର, ସବୁ ଆମର । ଏତେଟିକେ ଆମେ ଛାଡ଼ିବାକୁ ପ୍ରସ୍ତୁତ ନୋହୁଁ । ଉତ୍କଳର କଂଗ୍ରେସ ଆମ ଜାତୀୟ କଂଗ୍ରେସ – ସେଥିରେ ସେତୁବନ୍ଧ ବାନ୍ଧିଲା ବେଳେ “ଗୁଣ୍ଡୁଚିମୂଷା’ର ସାହାଯ୍ୟ ପର୍ଯ୍ୟନ୍ତ ଆମର ଲୋଡ଼ା । ଘରକାମରେ କି ଆପ୍ସରା, ମାନମରା ! ଓଡ଼ିଆ ଆପଣାର ସମଗ୍ର ଶକ୍ତି ଦେଇ କଂଗ୍ରେସକୁ ସଫଳ କରି ଭାରତର ଆପଣାର ସ୍ଥାନ କରିନେଉ, ଏତିକି ଏକାନ୍ତ କାମନା । ଏ ସୁବର୍ଣ୍ଣ ସୁଯୋଗ ଆଉ ଆସିବ କେବେ କିଏ ଜାଣେ ? ହାତ କତିରେ ଆସିଛି ଯାହା, ତାକୁ ଛାଡ଼ିବାର ନୁହେଁ ।

ଏଥିପାଇଁ ମୁଁ ଉତ୍କଳର ନାରୀ ସମାଜକୁ ବିଶେଷ ନିବେଦନ କରୁଛି । ସେମାନେ ଶହ ଶହ ହଜାର ହଜାର ବାହାରି ପଡ଼ି ଏ ମହାଆୟୋଜନକୁ ସଫଳ କରନ୍ତୁ ! ସବୁ ମଙ୍ଗଳ କାର୍ଯ୍ୟ ମୂଳରେ ତ ତାଙ୍କରି ଲକ୍ଷ୍ମୀହାତ ଥାଏ । ଏଥିରେ ବି ତାଙ୍କର ଲକ୍ଷ ଲକ୍ଷ ହାତ ଲାଗିଯାଉ ! ଦେଖିବ ସବୁ ଅଭାବ ଅସୁବିଧା ଦୂର ହେବ । ସବୁ ବଙ୍କା ବାଟ ସଳଖ ହୋଇଯିବ, ସବୁ ନୈରାଶ୍ୟ ଆଶାରେ ପରିଣତ ହେବ ।

ଆଜିକାଲି ଓଡ଼ିଆ ଖବର କାଗଜ ଫିଟାଇଲା ମାତ୍ରେ କେତେ କେତେ ନାରୀ କର୍ମୀଙ୍କର ନାମ ଆଖି ଆଗରେ ପଡ଼ି ପ୍ରାଣରେ ଆନନ୍ଦର ସ୍ରୋତ ବୁହାଇ ଦିଏ । ଓଡ଼ିଆ ନାରୀ ଆଜି ବୀଚ୍ ବଜାରରେ ପିକେଟିଙ୍ଗ୍ କରୁଚି – ବିଧବାକୁଳର ନିୟମ ଲଙ୍ଘି ପଞ୍ଚରେ ବସି ଶାସ୍ତ୍ରୀୟ ବିବାହ କରୁଛି । ଓଡ଼ିଆ ଯୁବତୀ ରଣଭୂମିରେ, ସଭାସ୍ଥଳୀରେ ପୁରୁଷ ସମାଜରେ ଅଧିନାୟିକାତ୍ୱ କରୁଛି । ଘରେ ବାହାରେ ଏଥର ସବୁଆଡ଼େ ତା’ର ଆଧିପତ୍ୟ – ଏଇତ ଶୁଭଲକ୍ଷଣ, ଜାତି ଜାଗୃତିର ଚିହ୍ନ । ଏଥିପାଇଁ ମୋର ସାଦର ନିବେଦନ, ସମସ୍ତ ଉତ୍କଳୀୟାଙ୍କ ନିକଟରେ ମୋର ଐକାନ୍ତିକ ପ୍ରାର୍ଥନା, ସେମାନେ ଜାତିର ମାନ ରକ୍ଷା କରନ୍ତୁ । ଏଥର ଉତ୍କଳ ରମଣୀ ବୃହତ୍ତର ଉତ୍କଳ ଗଢ଼ି ଘର ପୁଅଙ୍କୁ ଘରେ ଭାତ ଦେଉ । ଅରଟ ସୁନ୍ଦରୀ ଖଦଡ଼ବସନାଙ୍କ ରାଜ୍ୟ ପୁଣି ଫେରିଆସୁ । ଆମ ଦେଶର ପାଟ ପୀତାମ୍ୱରୀ ମାଣିଆବନ୍ଦିରେ ଆମ ଗନ୍ତାଘର ପେଡ଼ିଟିମାନ ଭରି ଉଠୁ । ଉତ୍କଳ ନାରୀର ଆଜି ମହାକର୍ମର ଦିବସ । ସେ କର୍ମ ଦିବସରେ ଆଳସ୍ୟ ଓ ବିମୁଖତା ଯେପରି ଦେଶର ସର୍ବନାଶ ନ କରୁ, ଅଧିକ ଆଉ କ’ଣ ଲେଖିବି ?


ଲେଖିକାଙ୍କ ପରିଚୟ :-

ନାମ:- କୁନ୍ତଳା କୁମାରୀ ସାବତ (୧୯୦୦-୧୯୩୮) । ଠିକଣା:- ବସ୍ତର, ମଧ୍ୟପ୍ରଦେଶ ।

ବ୍ରହ୍ମଦେଶରେ ତାଙ୍କର ଶୈଶବ ଓ କୈଶୋର ଜୀବନ ଅତିବାହିତ ହୋଇଥିଲା । ମାତାଙ୍କ ସହ ଓଡ଼ିଶା ଆସି କଟକସ୍ଥ ରେଭେନ୍ସା ବାଳିକା ବିଦ୍ୟାଳୟ ଓ ମେଡ଼ିକାଲ୍ ସ୍କୁଲ୍‌ରେ ଅଧ୍ୟୟନ କରିଥିଲେ । ଏଲ୍.ଏମ୍.ପି. ପାଶ୍ କଲା ପରେ କଟକ ରେଡ୍‌କ୍ରସ୍‌ରେ ଅଳ୍ପ କିଛି ଦିନ କାର୍ଯ୍ୟକରି ସେ ଦିଲ୍ଲୀ ଯାଇ ସେଠାରେ ଚିକିତ୍ସିକା ଭାବେ କର୍ମଜୀବନ ଅତିବାହିତ କରିଥିଲେ । କଟକରୁ ହିଁ ତାହାଙ୍କ ସାହିତ୍ୟ-ସାଧନାର ଆରମ୍ଭ । ଦିଲ୍ଲୀ ଅବସ୍ଥାନ କାଳରେ ସାହିତ୍ୟିକ ଓ ସମାଜସେବିକା ଭାବରେ ସେ ସର୍ବଭାରତୀୟ ଖ୍ୟାତି ଲାଭ କରିଥିଲେ । ତାଙ୍କର ରଚନାବଳୀ ମଧ୍ୟରେ ଅଞ୍ଜଳି, ସ୍ଫୁଲିଙ୍ଗ, ଉଚ୍ଛ୍ୱାସ, ପ୍ରେମଚିନ୍ତାମଣି (କବିତା), ରଘୁଅରକ୍ଷିତ (ଉପନ୍ୟାସ), ଭ୍ରାନ୍ତି, ନଅତୁଣ୍ଡୀ, କାଳୀବୋହୂ, ପରଶମଣି (ବଡ଼ ଗଳ୍ପ) ପ୍ରକୃତି ଉଲ୍ଲେଖନୀୟ । ସ୍ୱଦେଶପ୍ରେମ, ପ୍ରକୃତି ଅର୍ଚ୍ଚନା, ମାନବପ୍ରୀତି ଓ ବିଭୁପ୍ରେମ ତାଙ୍କର ପଦ୍ୟ ତଥା ଗଦ୍ୟରଚନାର ମୁଖ୍ୟ ସ୍ୱର । ତାଙ୍କର ରଚନା ଆଦର୍ଶଧର୍ମୀ ଓ ଉଦ୍‌ବୋଧନମୂଳକ । ୧୯୩୧ ମସିହାରେ ଦିଲ୍ଲୀରୁ ଲିଖିତ ତାଙ୍କର ଦେଶାତ୍ମବୋଧକ ପତ୍ରବଳୀ “ସହକାର’ ପତ୍ରିକାର ଧାରାବାହିକ ଭାବେ ପ୍ରକାଶିତ ହୋଇ ଜନପ୍ରିୟତା ଅର୍ଜନ କରିଥିଲା । ସେତେବେଳକୁ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହୋଇ ନଥିଲା । ଏଠାରେ ସ୍ଥାନିତ ପତ୍ରଟି ସହକାର ଦ୍ୱାଦଶ ଭାଗ ତୃତୀୟ ସଂଖ୍ୟାରୁ ଗୃହୀତ । ଜାତୀୟ କଂଗ୍ରେସର ଭାବଧାରା ଲେଖିକାଙ୍କୁ କିପରି ଅନୁପ୍ରାଣିତ କରିଥିଲା, ତାହା ଏଥିରେ ପ୍ରତିଫଳିତ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top