ପ୍ରବନ୍ଧ

ଧର୍ମ ଓ ମାନବତା

Dr Chhayakanta Sarangi's odia prose Dharma o Maanabataa

ଧର୍ମ ସେତେବେଳେ ସାର୍ଥକ ହୁଏ, ଯେତେବେଳେ ଏହା ମାନବିକ ମୂଲ୍ୟବୋଧ ଦ୍ୱାରା ପରିଚାଳିତ ହୁଏ । ସନ୍ଥ କବୀର ଓ ନାନକ ଏହି ମାନବ ଧର୍ମରେ ବିଶ୍ୱାସ କରୁଥିଲେ ।

ଧର୍ମ ଓ ମାନବତା

ପ୍ରଜାମାନଙ୍କୁ ଯାହା ଧରି ରଖେ ତାହା ଧର୍ମ (ଧାରଣାତ୍ ଧର୍ମ ଇତ୍ୟାହୁଃ ଧର୍ମୋ ଧାରୟତେ ପ୍ରଜାଃ) । ଏଠାରେ ଧର୍ମ ଏକ ସାର୍ବଜନୀନ ମୂଲ୍ୟବୋଧକୁ ବୁଝାଏ, ଯାହା ଜଗତର ସମସ୍ତଙ୍କୁ ଶୃଙ୍ଖଳିତ ଭାବରେ ଧରି ରଖେ । ମାତ୍ର ସମ୍ପ୍ରତି ଧର୍ମ ତା’ର ଏହି ଅର୍ଥ ହରାଇ ବସିଛି । ଧର୍ମ କହିଲେ ଈଶ୍ୱର, ଧର୍ମଗ୍ରନ୍ଥ, ପୂଜାଜନିତ କର୍ମକାଣ୍ଡ, କେତେକ ରୀତିନୀତି ଓ ପ୍ରଥାର ସମନ୍ୱୟକୁ ବୁଝାଉଛି । ଈଶ୍ୱରଙ୍କ ସହ ସମ୍ପର୍କ ରକ୍ଷା କରିବା ପାଇଁ ଜଣେ କେଉଁ ପଦ୍ଧତି ବା ମାଧ୍ୟମ ଗ୍ରହଣ କରିବ, ତାହା ତା’ର ବ୍ୟକ୍ତିଗତ ରୁଚିର ବିଷୟ । ମାତ୍ର ଯେତେବେଳେ ଧର୍ମୀୟ ଧାରା ଆନୁଷ୍ଠାନିକ ବିଧିବିଧାନରେ ବନ୍ଧା ହୋଇଯାଏ ତାହା ଯାନ୍ତ୍ରିକ ପାଲଟିଯାଏ । ପୁଣି ଯେତେବେଳେ ସେହି ବିଧିବିଧାନ ହିଁ ଶ୍ରେଷ୍ଠ ଓ ଧର୍ମ ସେଠି ସାମୂହିକ ଅହଂର ପରିପ୍ରକାଶ ପାଲଟିଯାଏ । ଯୁଗେ ଯୁଗେ ଧର୍ମ ନାମରେ ମଣିଷ ସହ ମଣିଷର ସଂଘର୍ଷ କମ୍ ହୋଇ ନାହିଁ । ଗଣହତ୍ୟା ସଂଘଟିତ ହୋଇଛି । ଧର୍ମ ଧାରଣ ନ କରି ଧ୍ୱଂସର ଆୟୁଧ ହୋଇଛି । ଏଣୁ ବିଶିଷ୍ଟ ଚିନ୍ତାନାୟକ ପର୍ଲଏସ୍. ବୁକ୍ କହିଥିଲେ, “ସମ୍ଭବତଃ ଧର୍ମର ମୃତ୍ୟୁ ଘଟିଛି । ଯଦି ତାହା ହୋଇଥାଏ ଖୁବ୍ ବିଳମ୍ୱ ହୋଇଯିବା ପୂର୍ବରୁ ଆମେ ବରଂ ନୈତିକ ଶକ୍ତିର ଅନ୍ୟ କୌଣସି ଉତ୍ସର ସନ୍ଧାନରେ ବାହାରି ପଡ଼ିବା ଉଚିତ୍ ।”

(It may be that religion is dead, and if it is, we had better know it and set ourselves to try to discover other sources of moral strength before it is too late.।)”

ସମ୍ପ୍ରତି କେତେବେଳେ ହିନ୍ଦୁମାନଙ୍କ ସହ ମୁସଲମାନମାନଙ୍କର ତ ଆଉ କେତେବେଳେ ହିନ୍ଦୁମାନଙ୍କ ସହ ଖ୍ରୀଷ୍ଟିଆନ୍‌ମାନଙ୍କର ସଂଘର୍ଷ ସଂଘଟିତ ହେଉଛି । ମାତ୍ର ଯେଉଁମାନେ ପ୍ରକୃତରେ ଧର୍ମର ତତ୍ତ୍ୱକୁ ବୁଝିଛନ୍ତି, ସେମାନେ ଧର୍ମର ସଂକୀର୍ଣ୍ଣତାରୁ ଉର୍ଦ୍ଧ୍ଵକୁ ଯାଇ ଧର୍ମକୁ ମାନବ ସମ୍ପ୍ରୀତିର ଏକ ମାର୍ଗ ଭାବରେ ଗ୍ରହଣ କରିଛନ୍ତି । ଧର୍ମ ସେତେବେଳେ ସାର୍ଥକ ହୁଏ, ଯେତେବେଳେ ଏହା ମାନବିକ ମୂଲ୍ୟବୋଧ ଦ୍ୱାରା ପରିଚାଳିତ ହୁଏ । ସନ୍ଥ କବୀର ଓ ନାନକ ଏହି ମାନବ ଧର୍ମରେ ବିଶ୍ୱାସ କରୁଥିଲେ । ଶିଶୁ କବୀରଙ୍କୁ ରାସ୍ତା ଉପରୁ ଉଠାଇ ଆଣିଥିଲେ ଜଣେ ମୁସଲମାନ୍ । ପରବର୍ତ୍ତୀ ସମୟରେ କବୀର ଆଚାର୍ଯ୍ୟ ରାମାନନ୍ଦଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ । ସେ ରାମାନନ୍ଦଙ୍କ ଶିଷ୍ୟତ୍ୱ ଗ୍ରହଣ କଲେ । ରକ୍ଷଣଶୀଳମାନେ କବୀରଙ୍କୁ ଡାକି ଅଭିଯୋଗର ସତ୍ୟତା ପଚାରନ୍ତେ କବୀର କହିଲେ, “ମୁଁ ହିନ୍ଦୁ ନୁହେଁ କି ମୁସଲମାନ ନୁହେଁ । ଏଣୁ ହିନ୍ଦୁ କିମ୍ୱା ମୁସଲମାନ କୌଣସି ସମ୍ପ୍ରଦାୟ ଆଶା କରିବା ଉଚିତ୍ ନୁହେଁ ଯେ ମୁଁ ସେମାନଙ୍କର ରୀତିନୀତି ମାନିବି । ମୁଁ ଭଗବାନ୍‌ଙ୍କର । ଭଗବାନ୍‌ଙ୍କ ଆଖିରେ ହିନ୍ଦୁ ମୁସଲମାନ ଭେଦ ନାହିଁ ।” କବୀରଙ୍କ ଭଳି ନାନକ ମଧ୍ୟ ଧର୍ମର ସଙ୍କୀର୍ଣ୍ଣତାରେ ନିଜକୁ ଆବଦ୍ଧ ରଖି ନଥିଲେ । ଯେତେବେଳେ ସେ ବୋଧଗୟାରେ ପହଞ୍ଚିଥିଲେ ପଣ୍ଡାମାନେ ତାଙ୍କୁ କହିଲେ, “ଆପଣ ଯଦି ହିନ୍ଦୁ ତେବେ ଏଠାରେ ପିତୃପୁରୁଷଙ୍କୁ ପିଣ୍ଡ ଦିଅନ୍ତୁ । ସେମାନେ ମୋକ୍ଷ ହେବେ ।” ନାନକ କହିଲେ, “ମୁଁ ହିନ୍ଦୁ ନୁହେଁ କି ମୁସଲମାନ ନୁହେଁ । ସଂସାରରେ ଗୋଟିଏ ଧର୍ମ ଅଛି- ତାହା ହେଉଛି ମାନବ ଧର୍ମ । ତା’ ଠାରୁ ବଡ଼ ଧର୍ମ ଆଉ କିଛି ନାହିଁ ।” ଆରବ ଯାଇଥିବାବେଳେ ନାନକ କ୍ଳାନ୍ତ ହୋଇ ଶୋଇଥାନ୍ତି । ତାଙ୍କ ପାଦ ରହିଥାଏ ମକ୍କା ଆଡ଼କୁ, ଯାହାକୁ ମୁସଲମାନ୍‌ମାନେ କାବା କହିଥାନ୍ତି । ଇସ୍‌ଲାମ୍ ଧର୍ମରେ କାବା ଆଡ଼କୁ ପାଦ ରଖିବା ଏକ ଅକ୍ଷମଣୀୟ ଅପରାଧ ହୋଇଥିବାରୁ ଜଣେ ଫକୀର ତାଙ୍କୁ ବିଧର୍ମୀ କହି ଗାଳି ଦେଲେ । ନାନକ କହିଲେ, “ମୁଁ ଜାଣେ ନାହିଁ ଖୁଦାଙ୍କ ଘର କେଉଁଆଡ଼େ । ଏଣୁ ଯେଉଁଆଡ଼େ ଖୁଦାଙ୍କ ଘର ନଥିବ ସେହି ଆଡ଼କୁ ମୋ ପାଦ ରଖିଦିଅ ।” ଫକୀର ଜଣକ ରାଗିଯାଇ ତାଙ୍କ ପାଦକୁ ବିଭିନ୍ନ ଦିଗରେ ବୁଲାଇଲେ । ଦେଖିଲେ ପାଦ ଯେଉଁଆଡ଼େ ବୁଲାଇଲେ, ସେହିଆଡ଼େ କାବା ଦେଖାଗଲା । ଚାରିଆଡ଼େ ପ୍ରଚାର ହୋଇଗଲା ଯେ, ସେ ଜଣେ ଆଧ୍ୟାତ୍ମିକ ଅନୁଭବର ସନ୍ଥ । ତା’ପରଦିନ କିଛି ପଣ୍ଡିତ ତାଙ୍କ ନିକଟକୁ ଆସି ପ୍ରଶ୍ନ କଲେ “ଆପଣ ହିନ୍ଦୁ ନା ମୁସଲମାନ ?” ନାନକ ଉତ୍ତର ଦେଲେ, “ମୁଁ ହିନ୍ଦୁ ନୁହେଁ କି ମୁସଲମାନ ନୁହେଁ । ମୁଁ ଈଶ୍ୱରଙ୍କ ସୃଷ୍ଟ ଏକ ମଣିଷ । ଧର୍ମ ଆମକୁ ପ୍ରେମ ଶିକ୍ଷା ଦିଏ, ଶତ୍ରୁତା ନୁହେଁ । ଯେଉଁଠାରେ ପ୍ରେମ ଅଛି, ସେଠାରେ ଈଶ୍ୱର ଅଛନ୍ତି । ସେ ସର୍ବତ୍ର ବିଦ୍ୟମାନ ।”

ଏହିଭଳି ଜଣେ ମଣିଷ ଥିଲେ ଓଡ଼ିଶାର ମଧୁବାବୁ । ସେ ଯିଶୁଖ୍ରୀଷ୍ଟଙ୍କ ବାଣୀ ଦ୍ୱାରା ପ୍ରଭାବିତ ହୋଇ ଖ୍ରୀଷ୍ଟଧର୍ମ ଗ୍ରହଣ କଲେ । ସେଥିପାଇଁ ତାଙ୍କୁ ନିଜ ଗ୍ରାମରୁ ବାସନ୍ଦ କରାଯାଇଥିଲା । ତଥାପି ସେ ହିନ୍ଦୁମାନଙ୍କୁ ବିରୋଧ କରି ନଥିଲେ କି ଖ୍ରୀଷ୍ଟଧର୍ମ ଗ୍ରହଣ କରିବା ପାଇଁ କାହାକୁ ପ୍ରବର୍ତ୍ତାଇ ନଥିଲେ । ବରଂ ୧୮୮୨ ମସିହାରେ ଇଂରେଜ ସରକାର ଜଗନ୍ନାଥ ମନ୍ଦିରର ପରିଚାଳନା ଦାୟିତ୍ୱ ନେବା ପାଇଁ ଚେଷ୍ଟିତ ହୋଇଥିବା ବେଳେ ସେ ତା’ର ବିରୋଧ କରିଥିଲେ । ସେ ଯୁକ୍ତି କରିଥିଲେ ଯେ, “ଜଗନ୍ନାଥ ମନ୍ଦିର ହିନ୍ଦୁମାନଙ୍କର ଧାର୍ମିକ ଅନୁଷ୍ଠାନ । ତେଣୁ ସେମାନେ ତାକୁ ପରିଚାଳନା କରିବା ଉଚିତ୍ ।” ତାଙ୍କରି ପ୍ରଚେଷ୍ଟାରେ ମନ୍ଦିର ପରିଚାଳନା ଦାୟିତ୍ୱ ହିନ୍ଦୁମାନଙ୍କ ହାତରେ ରହିଲା । ସେ ଖ୍ରୀଷ୍ଟିଆନ୍ ହୋଇଥିଲେ ହେଁ ହିନ୍ଦୁମାନଙ୍କ ସହ ତାଙ୍କର ବନ୍ଧୁତା ଓ ସୌହାର୍ଦ୍ଦ୍ୟ ରହିଥିବା । ଯେତେବେଳେ ତାଙ୍କର ଦେହାନ୍ତ ହେଲା ଖ୍ରୀଷ୍ଟିଆନ୍ କହିଲେ “ତାଙ୍କ ରୀତିରେ କବର ଦେବାପାଇଁ, ହିନ୍ଦୁମାନେ କହିଲେ ହିନ୍ଦୁରୀତିରେ ଅନ୍ତ୍ୟେଷ୍ଟି କ୍ରିୟା କରିବା ପାଇଁ ।” ଶେଷରେ ହିନ୍ଦୁ ରୀତି ଅନୁସାରେ ତାଙ୍କର ମରଶରୀର କୋକେଇରେ ବୁହା ହେଲା ଓ ଖ୍ରୀଷ୍ଟିଆନ୍ ରୀତିରେ କବରରେ ସମାଧି ଦିଆଗଲା । ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ପ୍ରଣେତା ଗୋପାଳ ଚନ୍ଦ୍ର ପ୍ରହରାଜ ଲେଖିଲେ, “ଧର୍ମବିଶ୍ୱାସରେ ତୁମେ ଖ୍ରୀଷ୍ଟିଆନ୍ ଥିଲ ବୋଲି ଖ୍ରୀଷ୍ଟିଆନ୍ ବିଧିରେ ତୁମର କବର ହେଲା, କିନ୍ତୁ ହିନ୍ଦୁ ମତରେ ତୁମେ ତମ ଜାତିଭାଇଙ୍କ କାନ୍ଧରେ ଗଲ । ହିନ୍ଦୁ ମତରେ ହରିବୋଲ ହୁଳହୁଳିରେ ଗଗନ ଉଛୁଳିଲା । ମୁସଲମାନ ମତରେ ତୁମ ଶବ ବିମାନକୁ ବାଟରେ ଯେ ହାବୁଡ଼ିଲା ସେ ବିମାନ ବାଉଁଶରେ କାନ୍ଧ ଲଗାଇଲା । ବ୍ରାହ୍ମ ମତରେ ଶବଯାତ୍ରାବେଳେ ଉପାସନା ସହଯାତ୍ରୀମାନେ କରୁଥାଆନ୍ତି ଓ ବୌଦ୍ଧ ମତରେ ତୁମର ସମାଧି ହେଲା ଓ ତୁମେ ନିର୍ବାଣ ଲାଭ କଲ । ମୋଟ୍ ଉପରେ ମଧୁବାବୁ କେଉଁ ଧର୍ମ ଗ୍ରହଣ କରିଥିଲେ ତାହାର ଗୁରୁତ୍ୱପୂର୍ଣ୍ଣ ନ ଥିଲା । ମାତ୍ର ଧର୍ମାଚାରର ଉର୍ଦ୍ଧ୍ଵକୁ ଯାଇ ମାନବୋଚିତ ଆଚରଣ ପ୍ରଦର୍ଶନ କରିବା ଥିଲା ତାଙ୍କର ଚାରିତ୍ରିକ ବୈଶିଷ୍ଟ୍ୟ ।”

ପ୍ରତ୍ୟେକ ଧର୍ମ ହେଉଛି ମୂଳତଃ ଜୀବନଧର୍ମ । ପ୍ରତ୍ୟେକ ଦର୍ଶନ ମୂଳତଃ ଜୀବନ ଦର୍ଶନ । ଯେତେବେଳେ ଧର୍ମ ଓ ଦର୍ଶନ ଜୀବନଠାରୁ ବିଚ୍ଛିନ୍ନ ହୋଇଯାଏ ସେତେବେଳେ ଧର୍ମ ଓ ଦର୍ଶନ ମୂଲ୍ୟହୀନ ହୋଇପଡ଼େ । ଯେଉଁଠି ଧର୍ମ ମାନବିକତା ଦ୍ୱାରା ଆଦର ହୁଏ ସେଠି ତାହା ଜୀବନଧାରାରରେ ପରିଣତ ହୁଏ । ଯେଉଁମାନେ ମଣିଷ ପ୍ରତି ସମ୍ୱେଦନଶୀଳ ଓ ଦରଦୀ ସେମାନେ ହିଁ ପ୍ରକୃତ ଧାର୍ମିକ । ମନେପଡ଼େ ବହୁ ବର୍ଷ ତଳର ଏକ ବିଦେଶୀ ଖବର । ସେତେବେଳେ ଓଡ଼ିଶାରେ ଏକ ଭୟଙ୍କର ବାତ୍ୟା ହୋଇ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରଭୂତ କ୍ଷୟକ୍ଷତି ହୋଇଥିଲା, ସେହି ସମୟରେ ଜାପାନରେ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ଛାତ୍ରଛାତ୍ରୀ ଏହି ବାତ୍ୟାଜନିତ ଦୁର୍ଦ୍ଦଶା ଜାଣି ବ୍ୟସ୍ତ ହୋଇପଡ଼ିଲେ । ସେମାନେ ଗୋଟିଏ ଦିନର ବିରାମକାଳୀନ ଜଳଖିଆ ନ ଖାଇ ସେହି ପଇସା ସଂଗ୍ରହ କରି ଓଡ଼ିଶାର ବାତ୍ୟାବିପନ୍ନ ଲୋକଙ୍କ ପାଇଁ ପଠାଇଲେ । ସେମାନେ ଓଡ଼ିଶା ବିଷୟରେ କିଛି ଜାଣି ନଥିଲେ ବା ଓଡ଼ିଶାରେ ଯେଉଁମାନେ ବାତ୍ୟାବିପନ୍ନ ହୋଇଥିଲେ ସେମାନେ କେଉଁ ଧର୍ମର ଲୋକ ଥିଲେ ତାହା ସେମାନଙ୍କ ବିଚାରକୁ ଆସି ନଥିଲା । ମାତ୍ର ଅନ୍ୟର ଦୁଃଖ ଖବର ପାଇ କୋମଳମତି ପିଲାମାନଙ୍କ ଅନ୍ତରରେ ଯେଉଁ ସମ୍ୱେଦନଶୀଳ ଆବେଗ ସୃଷ୍ଟି ହୋଇଥିଲା, ତାହା ହେଉଛି ମାନବିକତା । ଏହି ମାନବିତା ସମସ୍ତ ସାମ୍ପ୍ରଦାୟିକତାର ଉର୍ଦ୍ଧ୍ଵରେ । ଏହି ମାନବିକତା ହିଁ ସମଗ୍ର ପ୍ରଜାକୁଳକୁ ଧରି ରଖିବ । ଏହାର ନାମ ମାନବଧର୍ମ । ଆଜି ପୃଥିବୀରେ ହିନ୍ଦୁ, ଖ୍ରୀଷ୍ଟିଆନ୍, ମୁସଲମାନ୍, ପାର୍ସି ଇତ୍ୟାଦି ବହୁ ଧର୍ମାବଲମ୍ୱୀ ଅଛନ୍ତି । ନିଜ ନିଜର ରୀତି ଅନୁସାରେ ସେମାନେ ପରିଚାଳିତ ହେଉଛନ୍ତି । ମାତ୍ର ସେମାନେ ଭୁଲିଯିବା ଉଚିତ୍ ନୁହେଁ ଯେ ସେମାନେ ପ୍ରଥମେ ମଣିଷ, ତା’ପରେ ଖ୍ରୀଷ୍ଟିଆନ୍ ବା ମୁସଲମାନ୍ ବା ହିନ୍ଦୁ । ସେମାନଙ୍କ ପ୍ରଥମ ଧର୍ମ ହେଉଛି ମାନବ ଧର୍ମ ।

ଲୋକପ୍ରିୟ ଲେଖା

To Top