ପ୍ରବନ୍ଧ

ଧର୍ମ ରଖିଛି କିଏ ?

Odia Writer Shreebatsa Prasad Nath

ସମାଜକୁ ଠିକ୍ ବାଟରେ ଚଳାଇବା ପ୍ରତ୍ୟେକ ଧର୍ମର ମୂଖ୍ୟ ଲକ୍ଷ୍ୟ । ତେବେ ବର୍ତ୍ତମାନ ଧର୍ମ ରଖିଛି କିଏ ?

ଧର୍ମ ରଖିଛି କିଏ ?

ଧରତି ଧାରୟତି ବା ଲୋକମ୍ ଇତି ଧର୍ମଃ !

ସୃଷ୍ଟି ପ୍ରାରମ୍ଭରୁ ବିଶ୍ୱ ବ୍ରହ୍ମାଣ୍ଡରେ ଧର୍ମ ବିଦ୍ୟମାନ । ସେତେବେଳେ ଏହା ଥିଲା ପ୍ରକୃତି ଗତ, ସ୍ୱୟଂଭୂବ । ମାନବ ଜନ୍ମ ପରଠାରୁ ଧର୍ମ ଲୌକିକ ଭିତ୍ତିରେ ଭିନ୍ନ ଭିନ୍ନ ରୂପରେ ଦେଖାଦେଇଛି । ସେଥିରେ କେତେ ସଂକୀର୍ଣ୍ଣତା ଓ ବାଦାନୁବାଦ ସୃଷ୍ଟି ହୋଇଛି । ତଥାପି ଧର୍ମ ଅବିନଶ୍ୱର । ଯାହା ଶାଶ୍ୱତ ସତ୍ୟ, ତା’ର ରୂପାନ୍ତର ଘଟିଛି ସିନା ନାନା ଧର୍ମରେ, କିନ୍ତୁ ସବୁ ଧର୍ମର ମୂଳତତ୍ତ୍ୱ ଏକ । ସମାଜକୁ ଠିକ୍ ବାଟରେ ଚଳାଇବା ପ୍ରତ୍ୟେକ ଧର୍ମର ମୂଖ୍ୟ ଲକ୍ଷ୍ୟ । ତେବେ ବର୍ତ୍ତମାନ ଧର୍ମ ରଖିଛି କିଏ ? ଏହି ପ୍ରଶ୍ନ ମନରେ ବାରମ୍ୱାର ଉଠେ ।

ଏହି ପ୍ରଶ୍ନର ଉତ୍ତର ପାଇବା ପାଇଁ ମନ ନାନା ବିଭ୍ରାନ୍ତିକର ପରିସ୍ଥିତିର ସମ୍ମୁଖୀନ ହୁଏ । ଧର୍ମ ବୋଧହୁଏ ଗୀର୍ଜା, ମସ୍‌ଜିଦ୍ କିମ୍ୱା ମନ୍ଦିରରେ ଅଛି । ଯଦି ଅଛି, ତେବେ ସେଠାରେ ଏତେ ସାମ୍ପ୍ରଦାୟିକତା, ହିଂସା, ଦ୍ୱେଷ ଓ ରକ୍ତପାତ ଉଦ୍ଭବ ହେଉଛି କାହିଁକି ? ଧର୍ମାନୁଷ୍ଠାନ ଗୁଡ଼ିକ ନାନା ସଂକୀର୍ଣ୍ଣତାରେ ପୂର୍ଣ୍ଣ ହୋଇ ପରସ୍ପର ଧର୍ମ ପ୍ରତି ବିଦ୍ୱେଷ ମନୋଭାବ ପୋଷଣ କାହିଁକି କରୁଛନ୍ତି ? ଈଶ୍ୱର ଅନନ୍ତ, ଅରୂପ, ଅଣାକାର ଓ ସର୍ବବ୍ୟାପୀ ହେତୁ ମନ୍ଦିର, ମସ୍‌ଜିଦ୍, ଗୀର୍ଜାର ସୀମିତ କ୍ଷୁଦ୍ର ପରିବେଶ ମଧ୍ୟରେ ରହିବେ ବା କିପରି ? ଅପର ପକ୍ଷରେ ଧର୍ମଯାଜକ, ଦେବପୂଜକ ବା ପୁରୋହିତ ମାନେ ଅମରତ୍ୱ ଲାଭ କରନ୍ତେ ; କିନ୍ତୁ ସେମାନଙ୍କଠାରେ ଅର୍ଥଲିପ୍ସା, ଅନ୍ୟାୟ, ଅବିଚାର ଦେଖିଲେ କେହି ଏକଥା ସ୍ୱପ୍ନରେ ସୁଦ୍ଧା ଭାବିବେ ନାହିଁ । ଧର୍ମ-ଧର୍ମ ମଧ୍ୟରେ ଚିରଦିନ ସଂଗ୍ରାମ ଲାଗି ଆସିଛି । ଗୋଟିଏ ଧର୍ମ ସଂପ୍ରଦାୟର ବ୍ୟକ୍ତି ଅନ୍ୟ ଧର୍ମାବଲମ୍ୱୀଙ୍କୁ ଘୃଣା ଦୃଷ୍ଟିରେ ଦେଖନ୍ତି । ନିଜ ଧର୍ମର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାକୁ ଯାଇ ଅପର ଧର୍ମର ନିନ୍ଦା କରନ୍ତି । ଏସବୁ କ’ଣ ପ୍ରକୃତରେ ଧର୍ମନୀତି ? ଆଜି ଧର୍ମ ନାମରେ ନାନା ବ୍ୟଭିଚାର ଦେଖା ଦେଉଛି । ଯିଏ ଧର୍ମ କଥା କହୁଛନ୍ତି, ସିଏ ନିଜ ଜୀବନରେ ବହୁ ଅଧର୍ମାଚରଣ କରିଛନ୍ତି । ଅନେକ ଲୋକ ଧର୍ମସଭା, ଧର୍ମକାର୍ଯ୍ୟ, ଦେବ ଉପାସନା ଆଦି ଲୋକ ଦେଖାଣିଆ ଢଙ୍ଗରେ କରିଥାନ୍ତି । ସେଥିରେ ନିଃସ୍ୱାର୍ଥପରତା, ଆନ୍ତରିକତା ଆଦି ନ ଥାଏ । କିଛି ଗୋଟାଏ ଅପବିତ୍ର ଉଦ୍ଦେଶ୍ୟ ରଖି ସେମାନେ ଏହି ସବୁ କାର୍ଯ୍ୟ କରିଥାନ୍ତି । ମନ ତାଙ୍କର ଖୋଜେ ଧନ, ମାନ, ଯଶ, ସୁଖ୍ୟାତି ପାଇବା ପାଇଁ । ଏମାନେ ଭଗବାନଙ୍କ ଅତି ନିକଟତମ ବା ଅତି ଆପଣାର ବୋଲି ପ୍ରଚାର କରୁଥିଲେ ସୁଦ୍ଧା ଈଶ୍ୱର ସୃଷ୍ଟିର ଅତି ନଗଣ୍ୟ । ଜୀବ ପ୍ରତି ସେମାନଙ୍କ ହୃଦୟରେ ତିଳେ ହେଲେ ମମତା ନାହିଁ । ସମଗ୍ର ବିଶ୍ୱକୁ ପ୍ରେମ ଦୃଷ୍ଟିରେ ଦେଖିବା ତ ଦୂରର କଥା, ନିଜର ଅତି ସମ୍ପର୍କୀୟ ପ୍ରତିବେଶୀ ମାନଙ୍କୁ ମଧ୍ୟ ଭଲ ଦୃଷ୍ଟିରେ ଦେଖି ପାରନ୍ତି ନାହିଁ । ଧର୍ମଯାଜକ ମାନଙ୍କ କଥା ତ ଛାଡ଼ । ସେମାନେ ଦେବତା ନାମରେ ସମାଜକୁ ବିଭିନ୍ନ ଉପାୟରେ ଶୋଷଣ କରନ୍ତି । ଜଗତରେ ନିଜର ପ୍ରତିଷ୍ଠା ସୁରକ୍ଷା କରିବାକୁ ଯାଇଁ ନାନା ନାରକୀୟ କାର୍ଯ୍ୟରେ ଲିପ୍ତ ରହନ୍ତି । ତେବେ ଧର୍ମ ରଖିଛି କିଏ ? ସେହି ଏକା ପ୍ରଶ୍ନ ପୁନର୍ବାର ମନ ଭିତରେ ଉଦ୍ରେକ ହୁଏ ।

ଶିକ୍ଷା ମଣିଷକୁ ପଶୁ ଠାରୁ ଭିନ୍ନ କରି ଗଢେ଼ । ଏହି ଶିକ୍ଷା ବଳରେ ମାନବର ବୁଦ୍ଧି, ବିବେକ ଓ ଜ୍ଞାନର ଉତ୍ତରୋତ୍ତର ବିକାଶ ହୋଇଛି । ଆଜି ଆମେ ସୁସଭ୍ୟ ବୋଲି ଗର୍ବ ଅନୁଭବ କରୁଥିଲାବେଳେ ଆଦିମକାଳର ଅନେକ ପଶୁ ପ୍ରବୃତ୍ତି ଆମ୍ଭମାନଙ୍କ ହୃଦୟ ମଧ୍ୟରେ ସ୍ଥାନ ମାଡ଼ି ବସିଛି । ବହୁକାଳରୁ ପୁରୁଷାନୁକ୍ରମେ ଶିକ୍ଷା ପାଇ ଆସୁଥିଲେ ସୁଦ୍ଧା ଏହି ପାଶବିକ ସ୍ୱଭାବ ଆମ୍ଭମାନଙ୍କ ମନରୁ ଦୂର ହୋଇପାରି ନାହିଁ । ମନୁଷ୍ୟ କେବଳ ବେଶ ପୋଷାକରେ ସଭ୍ୟ ଓ ଚାଲିଚଳନ, ରଙ୍ଗଢଙ୍ଗରେ ଅତ୍ୟାଧୁନିକ ମଣିଷ ବୋଲି ନିଜକୁ ବିବେଚନା କରୁଛି । କିନ୍ତୁ ବର୍ତ୍ତମାନ ଯାହା ଦେଖା ଯାଉଛି, ଯିଏ ଯେତେ ପରିମାଣରେ ଉଚ୍ଚ ଶିକ୍ଷା ଲାଭ କରୁଛନ୍ତି, ସିଏ ସେତେ ସ୍ୱାର୍ଥପର ଓ ଭିନ୍ନେ ମଣିଷ ରୂପରେ ଦେଖାଦେଇ ଜଗତର ମାନବ ଧର୍ମକୁ କଳୁଷିତ କରୁଛନ୍ତି ।

ଆଜିର ଶିକ୍ଷା ମଣିଷ ପଣିଆ ଲୋପ କରୁଛି । ଶିକ୍ଷାନୁଷ୍ଠାନ ଗୁଡ଼ିକ ଗୁଡ଼ିଏ ଅମଣିଷ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ସରଳ, ସୁନ୍ଦର ମାନବ ସମାଜକୁ ଅଯଥା ଜଟିଳ କରୁଛନ୍ତି । ଭୌତିକ ଶ୍ରମ ବିନା ଅନାୟାସରେ କିପରି ବିପୁଳ ସମ୍ପଦର ଅଧିକାରୀ ଖୁବ୍ ଶୀଘ୍ର ହୋଇପାରିବେ । ଏଥିପାଇଁ ଶିକ୍ଷିତ ଗୋଷ୍ଠୀ ମଧ୍ୟରେ ପ୍ରବଳ ପ୍ରତିଯୋଗିତା ଚାଲିଛି । ଏଭଳି ନୀତିରେ ଆଗେଇ ଯାଉଥିବା ବ୍ୟକ୍ତିକୁ ଆମ ସମାଜରେ ବେଶୀ ଆଦର, ପ୍ରଶଂସା ମିଳୁଛି । ଅନ୍ୟାୟ ଉପାର୍ଜନକାରୀ ଆଜି ଅଶେଷ ଧନ୍ୟବାଦର ପାତ୍ର । “ବେଗ ହିଁ ଉନ୍ନତିର ଲକ୍ଷଣ” ଏହି ନ୍ୟାୟରେ ସାଂସାରିକ ବା ପାର୍ଥିବ ସୁଖ ସମ୍ଭୋଗ ପାଇଁ ଶିକ୍ଷିତ ଗୋଷ୍ଠୀ ଜୀବନଯାତ୍ରାର ବେଗ ବଢ଼ାଇ ଦେଇଛି । କିନ୍ତୁ ଆଧ୍ୟାତ୍ମିକ ଉନ୍ନତି କ୍ଷେତ୍ରରେ ସେମାନେ ଶିଥିଳ ଓ ବିତସ୍ପୃହ ହୋଇପଡ଼ିଛନ୍ତି ।

ଆଜିକାଲି ସ୍ଥାନେ ସ୍ଥାନେ ବେଦପାଠ, ଗୀତାପାଠ, ଗୀତାଯଜ୍ଞ, ପୁରାଣ ପାରାୟଣ ପ୍ରଭୃତି ଧର୍ମାଲୋଚନା ଚାଲୁଥିଲେ ସୁଦ୍ଧା ଶିକ୍ଷିତ ସମାଜ ପାଶ୍ଚାତ୍ୟ ଶିକ୍ଷାରେ ଅନୁପ୍ରାଣିତହୋଇ ବୈଦିକ ଯୁଗର ନୀତି ନୀୟମକୁ ଭୁଲି ବେଦ ବିରୋଧୀ ଚିନ୍ତାଧାରାକୁ ହୃଦୟ ମଧ୍ୟରେ ଉଚ୍ଚ ଆସନ ଦେଉଛନ୍ତି । ଉଦାହରଣ ସ୍ୱରୂପ ବେଦ ବିରୋଧୀ ଚାର୍‌ବାକ୍‌ପନ୍ଥୀମାନଙ୍କ ଭାଷାରେ “ଋଣଂ କୃତ୍ୱା ଘୃତଂ ପିବେତ୍, ଯାବତ୍ ଜୀବେତ୍ ସୁଖଂ ଜୀବେତ୍ ।” “ଶରୀରମାଦ୍ୟ ଖଳୁ ଧର୍ମ ସାଧନମ୍ ।” ପୁନଶ୍ଚ – “ଭୋଜନଂ ମାଂସ ରହିତଂ, ଶୟନଂ ସୁନ୍ଦରୀ ବିନାଃ, ଗମନ ପାଦ ଚାରେଣଂ, କିମତଂ ନରକଂ ପରଃ ।” – ଶ୍ଳୋକ ଗୁଡ଼ିକ ବେଦମନ୍ତ୍ର ରୂପରେ ସତେ ଯେପରି ବେଦ ରଚୟିତା ମୁନିଋଷିମାନଙ୍କ ଦ୍ୱାରା ପ୍ରଚାରିତ ହୋଇଛି । ଏକଥା ଆମ୍ଭେମାନେ ପୂର୍ଣ୍ଣଭାବରେ ଉପଲବ୍ଧି କରୁଛୁ । ବେଦ ଧର୍ମର ଏହା ଯେ’ ସମ୍ପୂର୍ଣ୍ଣ ବିପରୀତ ଏ ବିଷୟ ପାଶ୍ଚାତ୍ୟ ସଭ୍ୟତାଭିମାନୀ ମଣିଷ ଭୁଲି ଯାଉଛି । ଏହାର ମୂଳ କାରଣ ଆମ ଧର୍ମ, ଆମ ସଂସ୍କୃତି, ଆମ ସଭ୍ୟତାର ପର୍ଯ୍ୟାପ୍ତ ଅନୁଶୀଳନର ଅଭାବ । ଆମ ରାଷ୍ଟ୍ର ହିନ୍ଦୁଦେଶ ବା ହିନ୍ଦୁସ୍ଥାନ ନାମ ବୋଲାଉଥିଲେ ସୁଦ୍ଧା ଦେଶବାସୀ ହିନ୍ଦୁଧର୍ମ ପ୍ରତି ଅନୁରାଗୀ ନୁହଁନ୍ତି ।

ଏଣୁ ଆମ ଦେଶରେ ଶିକ୍ଷାର ପ୍ରସାର ଯେତେ ଅଧିକ ଘଟୁଛି, ସେତେ ଆର୍ଯ୍ୟ ଧର୍ମ ବିରୋଧୀ ମନୋଭାବ ବଢୁଛି । ଆର୍ଯ୍ୟମାନଙ୍କର ସରଳ, ସୁନ୍ଦର, ନିରାଡମ୍ୱର ଗ୍ରାମ୍ୟ ଜୀବନ ଆଜି ଲୋପ ପାଇଛି । ଏଠାରେ ପ୍ରତିଷ୍ଠିତ ହୋଇଛି ନଗର ସଭ୍ୟତା । ଜଟିଳ କୂଟିଳ ନଗର ସଭ୍ୟତାରେ ସ୍ୱାର୍ଥନ୍ୱେଷୀ ମଣିଷ ଖୋଜି ବୁଲୁଛି ଆପଣାର ସୁଖ ସ୍ୱାଚ୍ଛନ୍ଦ୍ୟ । ସେ ପର ଦୁଃଖରେ ଦୁଃଖିତ ନୁହେଁ । ଅନ୍ୟର ସୁଖ ଶିରୀ ତା’ମନରେ ଆନନ୍ଦ ଦେଉ ନାହିଁ । ନିଜର ପାର୍ଥିବ ଚିନ୍ତାରେ ସେ ନିମଗ୍ନ ଅନ୍ୟ କଥା ଭାବିବାକୁ ବେଳ କାହିଁ ? ଗ୍ରାମମାନଙ୍କର ଗୋଷ୍ଠୀ ଜୀବନ ଆଜି ବ୍ୟଷ୍ଟିରେ ପରିଣତ ହୋଇଛି । ଏଣୁ ବର୍ତ୍ତମାନ ଶିକ୍ଷିତ ସମାଜରେ ମାନବ ଧର୍ମ ନାହିଁ । ନାନା ଅପକର୍ମ ଉଚ୍ଚ ଶିକ୍ଷିତ ଲୋକମାନଙ୍କ ଦ୍ୱାରା ସଙ୍ଘଟିତ ହେଉଥିବା ଲକ୍ଷ୍ୟ କରାଯାଉଛି । ସାମାଜିକ ସ୍ଥିତି ଆଜି ବିପର୍ଯ୍ୟସ୍ତ । ସମାଜ ଜୀବନ ଶାନ୍ତି ବିରହିତ ହୋଇ, ଧ୍ୱଂସ ସ୍ତୁପରେ ପରିଣତ ହେବାକୁ ଯାଉଛି । ଏପରି ଅବସ୍ଥାରେ ଶିକ୍ଷିତମାନଙ୍କ ମଧ୍ୟରେ ଧର୍ମଭାବ ଥିଲା ପରି ବୋଧ ହେଉ ନାହିଁ । ତେବେ ଧର୍ମ ରଖିଛି କିଏ ? ପୁଣି ମନରେ ଏହି ପ୍ରଶ୍ନ ଉଠେ ।

ଦିନେ ରାସ୍ତାରେ ଯାଉ ଯାଉ ଏହି ପ୍ରଶ୍ନର ଉତ୍ତର ପାଇଗଲି । ଭାବିଲି, ଏହି ରାସ୍ତାକୁ ଯେଉଁମାନେ ପିଚୁ କରିଛନ୍ତି କିମ୍ୱା ସହରର କୋଠାବାଡ଼ି, ରାସ୍ତାଘାଟ, ପାର୍କ ପ୍ରଭୃତି ଯାବତୀୟ କାର୍ଯ୍ୟ ଯେଉଁମାନଙ୍କର ହାତ ତିଆରି, ସେମାନେ ଦିନେ ହେଲେ ଏହାକୁ ଉପଭୋଗ କରନ୍ତି ନାହିଁ । ପ୍ରତ୍ୟେକ ନିର୍ମାଣ କାର୍ଯ୍ୟରେ ଲାଭ ମାରି ନିଅନ୍ତି ଇଞ୍ଜିନିୟର, କଣ୍ଟ୍ରାକ୍ଟର ଓ ଅଫିସରମାନେ । ମୂଲିଆ, ମୂଲିଆଣୀମାନେ ପାଆନ୍ତି ନିର୍ଯ୍ୟାତନା । କଣ୍ଟ୍ରାକ୍ଟର ସେମାନଙ୍କୁ ଧମକ ଦିଏ, ମୂଲ କାଟି ନିଏ, ଅଧିକନ୍ତୁ ମାଡ଼ଗାଳି ଦିଏ । ତଥାପି ଏମାନେ ନୀରବରେ ସବୁ ସହି ଯାଆନ୍ତି । ବାବୁମାନଙ୍କୁ ଭରସି କିଛି କହିପାରନ୍ତି ନାହିଁ । ସେମାନେ ଚାହିଁଲେ ବାବୁଙ୍କ ବେକ ମୋଡ଼ି ଦେଇ ପାରିବେ । ଶରୀରରେ ତାଙ୍କର ଅସୀମ ବଳ ରହିଛି । ତଥାପି ସେମାନେ ଧର୍ମଛଡ଼ା ହୁଅନ୍ତି ନାହିଁ ।

ଏମାନେ ସମସ୍ତେ ମୂର୍ଖ । ଇଂରେଜୀ ପାଠ ପଢ଼ି ନାହାଁନ୍ତି କିମ୍ୱା ପାଶ୍ଚାତ୍ୟ ସଭ୍ୟତାରେ ଅନୁପ୍ରାଣିତ ନୁହନ୍ତି । ଦୁନିଆଁର ହାଲ୍‌ଚାଲ୍ କିଛି ବୁଝନ୍ତି ନାହିଁ । ପଶୁ ପରି ଜୀବନଯାପନ କରନ୍ତି । ସଭ୍ୟ ମଣିଷ ଏମାନଙ୍କୁ ଘୃଣା କରେ । ପାଖରେ ବସାଇ ଦିଏ ନାହିଁ । ସବୁ କ୍ଷେତ୍ରରେ ଏମାନଙ୍କ ସ୍ଥାନ ପଛରେ । ସମାଜରେ ସମସ୍ତଙ୍କ ଠାରୁ ଅବହେଳିତ, ଲାଞ୍ଛିତ, ଅପମାନିତ ହୁଅନ୍ତି ଏଇମାନେ । ହସି ହସି ଏମାନେ ସହି ଯାଆନ୍ତି ସମସ୍ତ ନିର୍ଯ୍ୟାତନା, ଦୁଃଖ ଓ ଦୈନ୍ୟ । ଦିନେ ହେଲେ ଏମାନଙ୍କ ମନକୁ ଅପବିତ୍ରତା ସ୍ପର୍ଶ କରିନାହିଁ । ପରଧନ କିମ୍ୱା ଅନ୍ୟର ସୁଖ ସୌଭାଗ୍ୟ ଦେଖି ଏମାନେ କାତର ହୁଅନ୍ତି ନାହିଁ । ପରର ଝିଅ ବୋହୂଙ୍କୁ ଏମାନେ ଚାହାଁନ୍ତି ନାହିଁ । ସଦା ସର୍ବଦା ଈଶ୍ୱରଙ୍କ ଉପରେ ଭରସା ରଖି ଚଳନ୍ତି । ଏଇ ହତଭାଗାମାନେ ଆମ୍ଭମାନଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ନିଜ ରକ୍ତକୁ ପାଣି କରି ଦିଅନ୍ତି । ଏଇମାନଙ୍କ ପାଇଁ ସଭ୍ୟ ସମାଜର ସମସ୍ତ ସୁଖ ସୌଭାଗ୍ୟ । ହାୟ ! ଏହି ଅଦ୍ଭୁତ ଜୀବମାନଙ୍କୁ ସମାଜ ଉପଯୁକ୍ତ ସମ୍ମାନ ଦିଏ ନାହିଁ କିମ୍ୱା ଆଦର ସୁଦ୍ଧା କରେ ନାହିଁ । ତଥାପି ଏମାନେ ବଞ୍ଚି ରହନ୍ତି ଓ ରହିବେ ମଧ୍ୟ ।

ଆମେ ବିପଦରେ ପଡ଼ିଥିବାବେଳେ, ଅସମୟରେ କୌଣସି ଦୁଃର୍ଘଟଣାର ସମ୍ମୁଖୀନ ହେବା ସମୟରେ ଏଇମାନେ ଆମ ଆଡ଼କୁ ଦୌଡ଼ି ଆସନ୍ତି ଏବଂ ବିପଦରୁ ଦୁର୍ଘଟଣାରୁ ଆମକୁ ରକ୍ଷା କରନ୍ତି । ସେଠାରେ ଯଦି ଶିକ୍ଷିତ ଲୋକ ଥାଆନ୍ତି, ତେବେ ସେ “ରକ୍ଷାକର- ରକ୍ଷାକର”, “କିଏ ଅଛ ଦୌଡ଼ି ଆସ” – ଇତ୍ୟାଦି ଚିତ୍କାର କରିବା ବ୍ୟତୀତ ନିଜେ ବିପଦବରଣ କରି ଅନ୍ୟକୁ ରକ୍ଷା କରିବେ ନାହିଁ, ଏହା ନିଃସନ୍ଦେହ । ଏଇ ଭାଗ୍ୟହୀନମାନଙ୍କ ମଧ୍ୟରେ ପରସ୍ପର ସ୍ନେହ, ଶ୍ରଦ୍ଧା, ପ୍ରେମ ଓ ମୈତ୍ରୀଭାବ ରହିଛି । ଏମାନେ ପ୍ରକୃତିର ମଣିଷ । ପ୍ରକୃତିର କୋଳରେ ଏମାନଙ୍କର ଜନ୍ମ । ଏଇ ପ୍ରକୃତି ଏମାନଙ୍କର ଜନ୍ମଭୂମି, କର୍ମଭୂମି ଓ ସୁଖ ସମ୍ଭୋଗ । ଶେଷରେ ଏହିଠାରେ ହିଁ ଏମାନଙ୍କର ମୃତ୍ୟୁ । ସମାଜ ଚକ୍ଷୁରେ ହୀନ, ଘୃଣ୍ୟ, ହତଭାଗ୍ୟ ସବୁଥିରେ ନ୍ୟୁନ ହେଲେ ମଧ୍ୟ ଏଇମାନେ ପ୍ରକୃତରେ ଧର୍ମ ରଖିଛନ୍ତି । ଏମାନେ ମନ୍ଦିର ମଧ୍ୟରେ କାଷ୍ଠ ପାଷାଣର ଦେବତାଙ୍କୁ ସିନା ଦର୍ଶନ କରିବାର ସୁଯୋଗ ପାଆନ୍ତି ନାହିଁ । ହେଲେ ମାନବ ଦେବତାର ପୂଜା ଏଇମାନେ କରନ୍ତି । ନିରନ୍ତର ଏମାନଙ୍କ ମନ ଭଗବାନଙ୍କ ପାଖରେ ଥାଏ । ସରଳ, ଧର୍ମ ବିଶ୍ୱାସୀ ଏମାନେ, ଛନ୍ଦ କପଟର ପାଖ ମାଡ଼ନ୍ତି ନାହିଁ । ଏବେ କିନ୍ତୁ ସୁସଭ୍ୟ ମାନବ ସମାଜ ସମ୍ପର୍କରେ ଆସି ଏମାନେ ମଧ୍ୟ କଳୁଷିତ ହେବାକୁ ଯାଉଛନ୍ତି ।

ଲୋକପ୍ରିୟ ଲେଖା

To Top