ପ୍ରବନ୍ଧ

ଧର୍ମାନ୍ତରୀକରଣ; ଏକ ବିବେଚନ

Dr Chhayakanta Sarangi's odia prose Dharmaantikarana Eka Bibechan

ଭାରତରେ ଧର୍ମାନ୍ତରୀକରଣର ଇତିହାସକୁ ଲକ୍ଷ୍ୟ କଲେ ଜଣାପଡ଼େ ଯେ ଆଦିବାସୀ ଅନୁସୂଚିତ ଜାତି, ଦଳିତ, ପତିତ ଓ ଶୋଷିତମାନେ ହିଁ ଧର୍ମାନ୍ତରୀକରଣରେ ସାମିଲ ହେଉଛନ୍ତି । ସେମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଧର୍ମାନ୍ତରୀକରଣ କରାଯାଉଛି ।

ଧର୍ମାନ୍ତରୀକରଣ; ଏକ ବିବେଚନ

ଯେତେବେଳେ ମାନବ ସମାଜରେ ଅନେକ ଧର୍ମ ଥାଏ, ସେତେବେଳେ ଧର୍ମାନ୍ତରୀକରଣର ସମ୍ଭାବନା ଥାଏ । ବର୍ତ୍ତମାନ ପ୍ରଶ୍ନ ଉଠେ, ସୃଷ୍ଟି ଆରମ୍ଭରୁ କ’ଣ ଅନେକ ଧର୍ମ ଥିଲା ? ଅଧିକାଂଶ ଐତିହାସିକ ଏକ ମତ ଯେ ୫୭୦ ଖ୍ରୀଷ୍ଟାବ୍ଦରେ ମହାତ୍ମା ମହମ୍ମଦ ଜନ୍ମ ହୋଇଥିଲେ ଓ ତାଙ୍କ ପୂର୍ବରୁ ମୁସଲମାନମାନଙ୍କ ଧର୍ମଗ୍ରନ୍ଥ କୋରାନ୍ ସୃଷ୍ଟି ହୋଇନଥିଲା । ଯିଶୁଙ୍କ ଜନ୍ମ କେତେ ମସିହାରେ ହୋଇଥିଲା ତାଙ୍କ ଏ ପର୍ଯ୍ୟନ୍ତ ବିବାଦୀୟ ହୋଇ ରହିଛି । ତଥାପି ଏତିକି କୁହାଯାଇପାରେ ଯେ ପ୍ରାୟ ଦୁଇ ହଜାର ବର୍ଷ ପୂର୍ବରୁ ଖ୍ରୀଷ୍ଟଧର୍ମର ପ୍ରସାର ହୋଇ ନଥିଲା । ମାତ୍ର ମହମ୍ମଦ ଓ ଯିଶୁଙ୍କ ପୂର୍ବରୁ ଇହୁଦୀ ଧର୍ମ ପୈଗମ୍ୱର ମୋଶାଙ୍କ ଦ୍ୱାରା ପ୍ରଚାରିତ ହୋଇସାରିଥିଲା । ତା’ ପୂର୍ବରୁ ବା ଅନେକ ଗବେଷକଙ୍କ ମତରେ ସେହି ସମୟରେ ଜୋରାଷ୍ଟର୍ ନାମକ ଜଣେ ସନ୍ଥ ପାର୍ସୀ ପ୍ରବର୍ତ୍ତନ କରିଥିଲେ ଓ ତା’ର ଧର୍ମଶାସ୍ତ୍ର ଥିଲା ଜିନ୍ଦାବେସ୍ତା । ଅନେକ ପାଶ୍ଚାତ୍ୟ ବିଦ୍ୱାନ୍‌ଙ୍କ ମତରେ ବିଶ୍ୱର ପ୍ରାଚୀନତମ ଧର୍ମ ହେଉଛି ଜୋରାଷ୍ଟର ପ୍ରଚାରିତ ପାର୍ସୀ ଧର୍ମ ଓ ଏହି ଧର୍ମ ଅଖଣ୍ଡ ପ୍ରଭାବ ପଡ଼ିଛି ଖ୍ରୀଷ୍ଟଧର୍ମ ଓ ମୁସଲମାନ ଧର୍ମ ଉପରେ । “ବାଇବଲ୍ ଇନ୍ ଇଣ୍ଡିଆ” ପୁସ୍ତକର ଲେଖକ ଜେକୋଲେଟ୍ ସାହେବଙ୍କ ମତରେ ଜୋରାଷ୍ଟର୍ ଭାରତରେ ଜନ୍ମଗ୍ରହଣ କରିଥିଲେ । ସେ ହିନ୍ଦୁ ଧର୍ମରେ ସଂସ୍କାର ଆଣିବାକୁ ଚେଷ୍ଟା କରିବାରୁ ବ୍ରାହ୍ମଣମାନେ ତାଙ୍କୁ ଅତ୍ୟାଚାର କଲେ । ଏଣୁ ସେ ପାରସ୍ୟ ପଳାୟନ କରି ସେଠାରେ ନିଜ ଧର୍ମର ପ୍ରଚାର କଲେ । ଜୋରାଷ୍ଟର୍ ଧର୍ମାବଲମ୍ୱୀମାନେ ଉତ୍ତର ଭାରତରୁ ଯାଇ ପ୍ରାଚୀନ ପାରସ୍ୟରେ ରହୁଥିଲେ ବୋଲି ଜର୍ମାନ ପଣ୍ଡିତ ମେକ୍ସମୁଲାର୍ ମଧ୍ୟ ମତ ଦିଅନ୍ତି । ସେ ପୁଣି କହିଛନ୍ତି ବିଶ୍ୱ ଗ୍ରନ୍ଥାଗାରରେ ବେଦ ସର୍ବପ୍ରାଚୀନ ଗ୍ରନ୍ଥ ଅଟେ । ଉପଯୁକ୍ତ ତଥ୍ୟ ପ୍ରତିପାଦନ କରେ ଯେ ସର୍ବପ୍ରଥମେ ଗୋଟାଏ ହିଁ ଧର୍ମ ଥିଲା । ତାହା ଥିଲା ବୈଦିକ ଧର୍ମ । ଏଣୁ ସେତେବେଳେ ଧର୍ମାନ୍ତରୀକରଣର ପ୍ରଶ୍ନ ନଥିଲା । ମାତ୍ର କ୍ରମେ ମଣିଷର ସଂଖ୍ୟା ବଢ଼ିଲା ଓ ତା’ର ବୌଦ୍ଧିକ ବିକାଶ ଘଟିଲା । ସେ ପ୍ରଚଳିତ ଧର୍ମବିଶ୍ୱାସକୁ ଅନୁଶୀଳନ କଲା ଓ ପ୍ରଶ୍ନ କଲା । ସୃଷ୍ଟି ହେଲା ନୂଆ ଧର୍ମ । କ୍ରମେ ଧର୍ମ ଧର୍ମ ମଧ୍ୟ ଆଦର୍ଶଗତ ବିଭେଦ ଦେଖାଦେଲା । ପ୍ରତ୍ୟେକ ଧର୍ମାବଲମ୍ୱୀ ନିଜ ଧର୍ମକୁ ଶ୍ରେଷ୍ଠ ବୋଲି ଚିନ୍ତା କରିବା ଆରମ୍ଭ କଲେ । ଶେଷରେ ନିଜ ଧର୍ମର ଶ୍ରେଷ୍ଠତ୍ୱ ବଖାଣି ଅନ୍ୟମାନଙ୍କୁ ନିଜ ଧର୍ମ ପ୍ରତି ଆକର୍ଷିତ କରିବା ପାଇଁ ଚେଷ୍ଟା କରାଗଲା । ସେଠୁ ଆରମ୍ଭ ହେଲା ଧର୍ମାନ୍ତରୀକରଣ ।

ଜଣେ ଏକ ନିର୍ଦ୍ଦିଷ୍ଟ ପରିବାରରେ ଜନ୍ମ ହେଲେ ସେହି ଧର୍ମର ପରିବେଶରେ ବଢ଼େ ଓ କ୍ରମେ ତା’ର ଅଜାଣତରେ ସେହି ଧର୍ମଟି ତା’ର ଆପଣାର ହୋଇଯାଏ । ବାଲ୍ୟକାଳେ ମଣିଷର ଚିନ୍ତାଶକ୍ତି ପ୍ରଖର ନ ଥିବାରୁ ସେ ପରିବାରରେ ପ୍ରଚଳିତ ଧର୍ମକୁ ନିର୍ଦ୍ୱନ୍ଦ୍ୱରେ ଗ୍ରହଣ କରିନିଏ । ମାତ୍ର ବୟସ ବଢ଼ିବା ସଙ୍ଗେ ସଙ୍ଗେ ତା’ର ବୌଦ୍ଧିକ ବିକାଶ ଘଟେ । ସମାଜରେ ପ୍ରଚଳିତ ଅନ୍ୟାନ୍ୟ ଧର୍ମମାନଙ୍କ ବିଷୟରେ ଅବଗତ ହେବା ପରେ ସେଗୁଡ଼ିକର ମୌଳିକ ତତ୍ତ୍ୱ ସହ ନିଜ ଧର୍ମର ତତ୍ତ୍ୱର ତୁଳନାତ୍ମକ ବିଚାର କରେ । ଅନ୍ୟର ଧର୍ମ ନିଜ ଧର୍ମ ଅପେକ୍ଷା ଶ୍ରେଷ୍ଠ ମନେ ହେଲେ ସେ ନିଜ ଧର୍ମ ତ୍ୟାଗ କରି ଅନ୍ୟ ଧର୍ମ ଗ୍ରହଣ କରେ । ମାତ୍ର ଏହି ପ୍ରକ୍ରିୟାରେ ଧର୍ମ ପରିବର୍ତ୍ତନ କ୍ୱଚିତ୍ ସଂଘଠିତ ହୁଏ । ଯେଉଁମାନେ ପ୍ରକୃତରେ ଧାର୍ମିକ ତତ୍ତ୍ୱ ତୁଳନାତ୍ମକ ବିଚାର କରନ୍ତି, ସେମାନେ ଉପଲବ୍ଧି କରନ୍ତି ଯେ ସମସ୍ତ ଧର୍ମର ମୂଳତତ୍ତ୍ୱ ଏକ । ରାମକୃଷ୍ଣ ପରମହଂସ ଠିକ୍ ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ । ଏଣୁ ସେ ସବୁ ଧର୍ମକୁ ସମାନ ଦୃଷ୍ଟିରେ ଦେଖୁଥିଲେ । ମାତ୍ର ଆଜି ଧର୍ମାନ୍ତରୀକରଣ ବଢ଼ିବା ପଛରେ ଏହି ତାତ୍ତ୍ୱିକ ଅନୁଶୀଳନ ନାହିଁ । ଏହାରି ପଛରେ ରହିଛି ବିଶ୍ୱାସଗତ, ସାମାଜିକ ଓ ରାଜନୈତିକ କାରଣ । ମଣିଷର ଧାରଣା ଯେ ସେ ବିଶ୍ୱାସ କରୁଥିବା ଈଶ୍ୱର ତା’ର ମନୋବାଞ୍ଛା ପୂରଣ କରିବେ । ଯେତେବେଳେ ତା’ର ସେହି ମନୋବାଞ୍ଛା ପୂର୍ଣ୍ଣ ହେବାର ପ୍ରତିଶ୍ରୁତି ଦିଅନ୍ତି, ସେତେବେଳେ ସେଥିରେ ସେ ଆକର୍ଷିତ ହୋଇ ନିଜ ଧର୍ମ ତ୍ୟାଗ କରେ ଓ ନୂଆ ଧର୍ମରେ ଦୀକ୍ଷିତ ହୁଏ । ଭାରତରେ ଧର୍ମାନ୍ତରୀକରଣର ଇତିହାସକୁ ଲକ୍ଷ୍ୟ କଲେ ଜଣାପଡ଼େ ଯେ ଆଦିବାସୀ ଅନୁସୂଚିତ ଜାତି, ଦଳିତ, ପତିତ ଓ ଶୋଷିତମାନେ ହିଁ ଧର୍ମାନ୍ତରୀକରଣରେ ସାମିଲ ହେଉଛନ୍ତି । ସେମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଧର୍ମାନ୍ତରୀକରଣ କରାଯାଉଛି । କିନ୍ତୁ ଯେତେବେଳେ ସେମାନଙ୍କ ଆଶା ପୂରଣ ହେଉ ନାହିଁ, ସେମାନେ ପୁଣି ମୂଳ ଧର୍ମକୁ ଫେରୁଛନ୍ତି । ଯେଉଁମାନେ ମୂଳ ଧର୍ମ ତ୍ୟାଗ କରି ନୂତନ ଧର୍ମରେ ଦୀକ୍ଷିତ ହୁଅନ୍ତି, ସେମାନେ ପ୍ରକୃତରେ ମୂଳ ଧର୍ମର ଦେବଦେବୀଙ୍କ ଉପରେ ସମ୍ପୂର୍ଣ୍ଣ ଆସ୍ଥା ହରାଇ ନ ଥାନ୍ତି । କେବଳ ନିଜର ସ୍ୱାର୍ଥ ହାସଲ କରିବା ପାଇଁ ସେମାନେ ନିଜକୁ ଏକ ଭିନ୍ନ ଧର୍ମାବଲମ୍ୱୀ ଭାବରେ ଦେଖାଇ ହୁଅନ୍ତି । ଅନେକ ହିନ୍ଦୁଧର୍ମ ଛାଡ଼ି ଖ୍ରୀଷ୍ଟିଆନ ହେଉଛନ୍ତି, ମାତ୍ର ଧର୍ମ ବଦଳାଇବା ପରେ ମଧ୍ୟ ଜାତି ବଦଳାଇବାକୁ ସେମାନେ ନାରାଜ, କାରଣ ଚାକିରୀ କ୍ଷେତ୍ରରେ ଥିବା ଜାତିଭିତ୍ତିକ ସ୍ଥାନ ସଂରକ୍ଷଣ ସୁବିଧାରୁ ସେମାନେ ବଞ୍ଚିତ ହେବାକୁ ଚାହାଁନ୍ତି ନାହିଁ । ହିନ୍ଦୁଧର୍ମରେ ଜାତିପ୍ରଥା ଥିବାବେଳେ ଅନ୍ୟ ଧର୍ମରେ ତାହା ନାହିଁ । ଜଣେ ହିନ୍ଦୁଧର୍ମରୁ ଅନ୍ୟ ଧର୍ମକୁ ଯାଉଛି ଓ ପୁଣି କିଛି ଦିନ ପରେ ମୂଳଧର୍ମକୁ ଫେରିଲେ ତା’ ପୂର୍ବ ଜାତି ବଜାୟ ରହୁଛି । ମାତ୍ର ଶହ ଶହ ବର୍ଷ ଧରି ଅଣହିନ୍ଦୁ ଥିବା ଲୋକେ ହିନ୍ଦୁଧର୍ମକୁ ଆସିଲେ ସେମାନେ କେଉଁ ଜାତିରେ ଯିବେ, ତାହା ଏକ ବିଷମ ସମସ୍ୟା !

ହିନ୍ଦୁଧର୍ମର ଜାତିପ୍ରଥାକୁ ବିରୋଧ କରି ବାବାସାହେବ ଆମ୍ୱେଦକର ବୌଦ୍ଧଧର୍ମ ଗ୍ରହଣ କରିଥିଲେ । ଠିକ୍ ସେପରି କିଛି ବର୍ଷ ତଳେ ମଇ ମାସରେ ବୌଦ୍ଧଧର୍ମ ଗ୍ରହଣ କରିବା ପାଇଁ ମୁମ୍ୱାଇରେ ପ୍ରାୟ ସହସ୍ରାଧିକ ବନଜାରା ଜାତିର ଲୋକେ ଏକଜୁଟ ହୋଇଥିଲେ । ଏନ୍.ସି.ପି. ଦଳର ବିଧାୟକ ତଥା ମରାଠୀ ସାହିତ୍ୟିକ ଲକ୍ଷ୍ମଣ-ମାନେ ଏହି ଧର୍ମାନ୍ତରୀକରଣର ଆୟୋଜନ କରିଥିଲେ । ତାକୁ ସାହାଯ୍ୟ କରିଥିଲେ ରିପବ୍ଲିକାନ୍ ପାର୍ଟିର ସାଂସଦ ରାମଦାସ ଆଠବଲେ । ମହାରାଷ୍ଟ୍ରରେ ବନଜାରାମାନଙ୍କର କୌଣସି ନିର୍ଦ୍ଦିଷ୍ଟ ଘର ନ ଥାଏ । ସେମାନେ ସାରାଜୀବନ ଚାରିଆଡ଼େ ତମ୍ବୁ ପକାଇ ବସବାସ କରନ୍ତି ଓ ଛୋଟ ଛୋଟ ବ୍ୟବସାୟ କରି ଚଳନ୍ତି । ୧୮୭୮ ମସିହାରେ ବ୍ରିଟିଶ ସରକାର ଏହି ପ୍ରକାର ଜାତିମାନଙ୍କୁ ଅପରାଧୀ ଜାତି ବୋଲି ଧରି ନେଇଥିଲେ । ସମାଜର ଅଧିକାଂଶ ଚୋରି, ଡକାୟତି ଭଳି ଅପରାଧ ଏମାନେ କରୁଥିଲେ ବୋଲି ବ୍ରିଟିଶ୍ ସରକାରଙ୍କ ଦୃଢ଼ ଧାରଣା ଥିଲା । ଏବେ ମଧ୍ୟ ଯେତେବେଳେ ଚୋରି, ଡକାୟତି ହେଉଛି, ପ୍ରଥମେ ସେମାନଙ୍କୁ ସନ୍ଦେହ କରାଯାଉଛି ଓ ନିର୍ଯାତନା ଦିଆଯାଉଛି । ଏବେ ଏହି ବନଜାରା ଜାତିର ଧାରଣା ଯେ ସେମାନେ ବୌଦ୍ଧ ହୋଇଗଲେ ସେମାନଙ୍କୁ ସାମାଜିକ ମର୍ଯ୍ୟାଦା ମିଳିବ । ଏହି ଧର୍ମାନ୍ତରୀକରଣ ଉତ୍ସବରେ ୨୦୦ ଜଣ ଲୋକ ହିନ୍ଦୁଧର୍ମ ଛାଡ଼ି ବୌଦ୍ଧଧର୍ମ ଗ୍ରହଣ କଲେ ଓ ଚୋରି ଡକାୟତି କରିବେ ନାହିଁ, ମିଛ କହିବେ ନାହିଁ ବୋଲି ଶପଥ ଗ୍ରହଣ କଲେ । ଯେଉଁମାନେ ଏହି ଉତ୍ସବର ଯୋଗ ଦେଲେ ସେମାନେ ଧର୍ମ ଦୁଇଟିର ତୁଳନାତ୍ମକ ଅନୁଶୀଳନ କରି ହିନ୍ଦୁଧର୍ମ ତ୍ୟାଗ କରି ନାହାନ୍ତି । ଏହାରି ପଛରେ ରହିଛି ଏକ ରାଜନୈତିକ ଉଦ୍ଦେଶ୍ୟ । ଉଭୟ ଲକ୍ଷ୍ମଣ-ମାନେ ଓ ଆଠବଲେ ବୌଦ୍ଧ ହୋଇଥିବାରୁ ସେମାନେ ଅନେକଙ୍କୁ ବୌଦ୍ଧ କରିବାକୁ ଚାହାଁନ୍ତି, କାରଣ ତଦ୍ଦ୍ୱାରା ସେମାନଙ୍କର ରାଜନୈତିକ ଶକ୍ତି ବଢ଼ିବ । ବିଡ଼ମ୍ୱନାର ବିଷୟ ଯେ ସମ୍ପ୍ରତି ଭାରତରେ ବହୁ ରାଜନେତା ନିଜକୁ ଧର୍ମନିରପେକ୍ଷ କହି ଅପରପକ୍ଷରେ ଅନ୍ୟମାନଙ୍କୁ ନିଜ ଧର୍ମଆଡ଼କୁ ଟାଣି ନିଜର ରାଜନୈତିକ ଶକ୍ତିକୁ ବଢ଼ାଇବା ପାଇଁ କୁଣ୍ଠାବୋଧ କରୁ ନାହାନ୍ତି ।

ସମ୍ପ୍ରତି ରାଜନୀତିର ଦଳବଦଳ ପ୍ରକ୍ରିୟା ଧର୍ମକ୍ଷେତ୍ରକୁ ଆକ୍ରାନ୍ତ କରିଲାଣି । ରାଜନୀତିରେ ଜଣେ ନେତା ମୂଳ ଦଳ ଛାଡ଼ି ଏକ ନୂଆ ଦଳରେ ଯୋଗ ଦେଉଛନ୍ତି । ପୁଣି କିଛି ଦିନ ପରେ କୌଣସି କାରଣରୁ ତାଙ୍କ ସ୍ୱାର୍ଥରେ ଆଞ୍ଚ ଆସିଲେ ଅସନ୍ତୁଷ୍ଟ ହୋଇ ମୂଳ ଦଳକୁ ଫେରୁଛନ୍ତି । ତାକୁ କୁହାଯାଉଛି ଘରବାହୁଡ଼ା । ଅବିକଳ ଭାବରେ ଏହି ପ୍ରକ୍ରିୟା ଧର୍ମକ୍ଷେତ୍ରକୁ ଆକ୍ରାନ୍ତ କରିଲାଣି । କିଛି ଲୋକ ମୂଳଧର୍ମ ତ୍ୟାଗ କରି ଅନ୍ୟ ଏକ ଧର୍ମରେ ଦୀକ୍ଷିତ ହେବାର କିଛିଦିନ ପରେ ପୁଣି ନିଜର ମୂଳଧର୍ମକୁ ଫେରୁଛନ୍ତି । ଅବଶ୍ୟ ଅନ୍ୟଧର୍ମରୁ ହିନ୍ଦୁଧର୍ମକୁ ଆସିବା ସଂଖ୍ୟା କ୍ୱଚିତ୍ ଥିବାବେଳେ ହିନ୍ଦୁଧର୍ମରୁ ଅନ୍ୟଧର୍ମକୁ ଯିବା ସଂଖ୍ୟା ବେଶି ପରିଲକ୍ଷିତ ହେଉଛି ।

ଆଜି କିଛି ଲୋକ ନିଜକୁ ହିନ୍ଦୁ କହି ଗର୍ବ ଅନୁଭବ କରୁଛନ୍ତି । ମାତ୍ର ନିକଟରେ ଆର୍ଥିକ ଅଭାବରେ ପଡ଼ି ଭୋକରେ ସଢୁଥିବା ବା ଚିକିତ୍ସା ଅଭାବରେ ରୋଗ ପ୍ରପୀଡ଼ିତ ହୋଇ ମୃତ୍ୟୁକୁ ଅପେକ୍ଷା କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁନାହାନ୍ତି । ସେତେବେଳେ ଅନ୍ୟ ଧର୍ମ ପ୍ରଚାରକମାନେ ସାହାଯ୍ୟର ହାତ ବଢ଼ାଇଲେ ବୁଭୁକ୍ଷ ଓ ରୁଗ୍ଣ ବ୍ୟକ୍ତି ସେହି ଧର୍ମ ପ୍ରତି ଆକୃଷ୍ଟ ହେବା ସ୍ୱାଭାବିକ୍ । ପ୍ରଥମେ ଜୀବନ ରକ୍ଷା ଓ ତା’ପରେ ଧର୍ମାଚରଣ । ଏଣୁ ବିବେକାନନ୍ଦ କହୁଥିଲେ “ଯେ ପର୍ଯ୍ୟନ୍ତ ଆମେ ମଣିଷକୁ ଦି’ଓଳି ଦି’ମୁଠା ଖାଇବାକୁ ଦେଇପାରି ନାହୁଁ ଓ ନଗ୍ନତା ଲୁଚାଇବା ପାଇଁ ବସ୍ତ୍ର ଖଣ୍ଡେ ପିନ୍ଧିବାକୁ ଦେଇପାରୁ ନାହୁଁ ସେ ପର୍ଯ୍ୟନ୍ତ ତାକୁ ଧର୍ମ କଥା କହିବା ଅର୍ଥହୀନ । ସେ କହୁଥିଲେ ମାନବ ସେବା ହିଁ ଈଶ୍ୱର ସେବା । ଯେଉଁ ଧର୍ମରେ ମାନବ ପ୍ରତି କରୁଣା ନାହିଁ, ପ୍ରୀତି ନାହିଁ, ମୈତ୍ରୀ ନାହିଁ, ତାହା ଧର୍ମ ପଦବାଚ୍ୟ ନୁହେଁ । ମାତ୍ର ସବୁ ଧର୍ମର ଅନୁଶୀଳନ କଲେ ଜଣାଯାଏ ଯେ ଭ୍ରାତୃଭାବ ଓ ମାନବପ୍ରୀତି ସବୁ ଧର୍ମର ମୂଳ କଥା ।” ଏହା ବୁଝିଗଲେ ଧର୍ମାନ୍ତରୀକରଣର ଆବଶ୍ୟକତା ପଡ଼ିବ ନାହିଁ ।

ତା’ପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top