ପ୍ରବନ୍ଧ

ଧର୍ମନିରପେକ୍ଷ ଓ ଦଳନିରପେକ୍ଷ

Dr Chhayakanta Sarangi's odia prose Dharmanirapekhya o dalanirapekhya

ଏହି ଅର୍ଥରେ କୌଣସି ରାଷ୍ଟ୍ର ଧର୍ମନିରପେକ୍ଷ ହୋଇପାରିବ ନାହିଁ, ସମ୍ପ୍ରଦାୟ ନିରପେକ୍ଷ ହୋଇପାରିବ । ସେ ଯାହାହେଉ ସମ୍ପ୍ରତି ଭାରତୀୟ ରାଜନୀତିରେ ଏହି ଧର୍ମନିରପେକ୍ଷତାକୁ ନେଇ ପ୍ରଚଣ୍ଡ ବାଦାନୁବାଦ ଚାଲିଛି ।

ଧର୍ମନିରପେକ୍ଷ ଓ ଦଳନିରପେକ୍ଷ

୧୯୫୦ ମସିହାରେ ଯେତେବେଳେ ଭାରତୀୟ ସମ୍ୱିଧାନ କାର୍ଯ୍ୟକାରୀ ହେଲା ସେତେବେଳେ ଏହାର ମୁଖବନ୍ଧରେ “ସିକ୍ୟୁଲାର୍” ଶବ୍ଦଟି ନ ଥିଲା । ୧୯୭୬ ମସିହାରେ ୪୨ତମ ସମ୍ୱିଧାନ ସଂଶୋଧନ ସମୟରେ ଏହି ଶବ୍ଦକୁ ଯୋଡ଼ି ଦିଆଗଲା । ଏହି ଶବ୍ଦଟି ଈଶ୍ୱର ଆରାଧନା ପାଇଁ ଉଦ୍ଦିଷ୍ଟ ପୂଜାପଦ୍ଧତିକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିଭିନ୍ନ ସମ୍ପ୍ରଦାୟ ପ୍ରତି ନିରପେକ୍ଷ ହେବା ଅର୍ଥରେ ବ୍ୟବହୃତ ହୋଇଛି । “ସିକ୍ୟୁଲାର୍” ଶବ୍ଦକୁ ଭାରତୀୟ ଭାଷାରେ ଅନୁବାଦ କଲାବେଳେ ତାକୁ ଧର୍ମନିରପେକ୍ଷ କୁହାଗଲେ ମଧ୍ୟ ଏହା ପ୍ରକୃତରେ ସମ୍ପ୍ରଦାୟ ନିରପେକ୍ଷ ଭାବରେ ଅନୂଦିତ ହେବାର ବେଶି ଯଥାର୍ଥ୍ୟ ଅଛି । କାରଣ ନୀତିଶାସ୍ତ୍ର ପ୍ରଣେତା ମନୁଙ୍କ ମତରେ ଧର୍ମ କହିଲେ “ଧୃତି, କ୍ଷମା, ଦମ, ଅସ୍ତେୟ, ଶୌଚ, ଇନ୍ଦ୍ରିୟନିଗ୍ରହ, ଧୀର, ବିଦ୍ୟା, ସତ୍ୟ ଓ ଅକ୍ରୋଧକୁ ବୁଝାଏ ।” ଏହି ଅର୍ଥରେ କୌଣସି ରାଷ୍ଟ୍ର ଧର୍ମନିରପେକ୍ଷ ହୋଇପାରିବ ନାହିଁ, ସମ୍ପ୍ରଦାୟ ନିରପେକ୍ଷ ହୋଇପାରିବ । ସେ ଯାହାହେଉ ସମ୍ପ୍ରତି ଭାରତୀୟ ରାଜନୀତିରେ ଏହି ଧର୍ମନିରପେକ୍ଷତାକୁ ନେଇ ପ୍ରଚଣ୍ଡ ବାଦାନୁବାଦ ଚାଲିଛି । କେଉଁ ଦଳ କେତେ ଧର୍ମନିରପେକ୍ଷ, ସେକଥା ଜନସାଧାରଣଙ୍କୁ ଜଣାଇବା ପାଇଁ ଏକ ତୀବ୍ର ପ୍ରତିଯୋଗିତା ଚାଲିଛି । ଆଜି ଅନେକ ରାଜନୈତିକ ଦଳ ନିଜକୁ ଧର୍ମନିରପେକ୍ଷ ବୋଲି ଦାବି କରି ନିର୍ଦ୍ଦିଷ୍ଟ ଦଳକୁ ସାମ୍ପ୍ରଦାୟିକ ବୋଲି ସମାଲୋଚନା କରୁଛନ୍ତି । ସେମାନଙ୍କ ଯୁକ୍ତି ହେଲା ଏହି ଦଳ ଗୋଟିଏ ଧର୍ମକୁ ସମର୍ଥନ କରି ବହୁ ଧର୍ମାବଲମ୍ୱୀ ବାସ କରୁଥିବା ଭାରତରେ ବିଭେଦର ସୂତ୍ରପାତ କରୁଛନ୍ତି । ମାତ୍ର ଯେଉଁମାନେ ଏଭଳି ଯୁକ୍ତି କରୁଛନ୍ତି ସେମାନେ ନିଜେ ଜାତି ଓ ଗୋଷ୍ଠୀକୁ ଭିତ୍ତିକରି ଦେଶକୁ ବିଭାଜିତ କରୁଛନ୍ତି । ବିହାର, ଉତ୍ତରପ୍ରଦେଶ ଇତ୍ୟାଦି ରାଜ୍ୟରେ ଜାତିବାଦ ଉଗ୍ର ରୂପ ଧାରଣ କରିଛି । ମାତ୍ର ସେମାନେ ଭୁଲିଯିବା ଉଚିତ୍ ନୁହେଁ ଯେ ସାମ୍ପ୍ରଦାୟିକତା କେବଳ ହିନ୍ଦୁ-ମୁସଲମାନ ଭେଦରେ ସୀମାବଦ୍ଧ ନୁହେଁ । ଜାତି ଗୋଷ୍ଠୀକୁ ଭିତ୍ତି କରି ସମ୍ପ୍ରଦାୟ ଗଢ଼ିଲେ ତାହା ମଧ୍ୟ ସାମ୍ପ୍ରଦାୟିକତା । ସାମ୍ପ୍ରଦାୟିକତା ବିରୋଧୀ ଧ୍ୱନି ଆଜି ରାଜନୈତିକ ପ୍ରହସନ ଓ ପ୍ରତାରଣାର ଅନ୍ୟ ନାମ । ଜାତିପ୍ରଥାରୁ ମୁକୁଳିବା ପାଇଁ ଭାରତୀୟ ସମ୍ୱିଧାନରେ ବ୍ୟବସ୍ଥା କରାଯାଇଥିଲା । ମାତ୍ର ଆଜି ଜାତି ଉପଜାତି ରାଜନୀତିର ପୁଞ୍ଜି ହୋଇଛି । ପୁନଶ୍ଚ କିଛି ନେତା, ଯେଉଁମାନେ ଏକ ନିର୍ଦ୍ଦିଷ୍ଟ ଦଳକୁ ସାମ୍ପ୍ରଦାୟିକ ଓ ନିଜକୁ ଧର୍ମନିରପେକ୍ଷ ବୋଲି ବହୁ ବର୍ଷ ଧରି ଦାବି କରି ଆସୁଥାନ୍ତି ସେମାନେ ସ୍ୱାର୍ଥ ବ୍ୟାହତ ହେଲେ ହଠାତ୍ ସେହି ଦଳରେ ଯୋଗ ଦିଅନ୍ତି । ଠିକ୍ ସେପରି ଅନେକ ନେତା ବହୁଦିନ ଧରି ତଥାକଥିତ ସାମ୍ପ୍ରଦାୟିକ ଦଳରେ ରହିବା ପରେ ସ୍ୱାର୍ଥ ବ୍ୟାହତ ହେଲେ ହଠାତ୍ ସେହି ଦଳ ତ୍ୟାଗ କରି ଅନ୍ୟ ଦଳରେ ଯୋଗ ଦିଅନ୍ତି ଓ କିଛିଦିନ ପରେ ପୂର୍ବ ଦଳକୁ ସାମ୍ପ୍ରଦାୟିକ କହି ସମାଲୋଚନା କରନ୍ତି । ବୁଝିହୁଏ ନାହିଁ ସେମାନେ ରାତାରାତି କିପରି ସାମ୍ପ୍ରଦାୟିକତା ବିଷମୁକ୍ତ ହୁଅନ୍ତି ।

ନିର୍ବାଚନ ଯେତିକି ପାଖେଇ ଆସେ ନେତାମାନଙ୍କର ଦଳ ତ୍ୟାଗ ଓ ନୂତନ ଦଳରେ ଯୋଗଦାନ ସଂଖ୍ୟା ବଢ଼ିଚାଲେ । ଅଶୀଦଶକରେ କଂଗ୍ରେସ ଦଳରୁ ନିର୍ବାଚିତ ହୋଇ ବାଙ୍ଗାରପ୍ପା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେଲେ । ତ୍ରୟୋଦଶ ଲୋକସଭାରେ ସେହି ଦଳ ତରଫ୍‌ରୁ ସେ ହେଲେ ଏମ୍.ପି. । ଚତୁର୍ଦ୍ଦଶ ଲୋକସଭା ନିର୍ବାଚନ ସମୟରେ ସେ ଭାଜପାରେ ଯୋଗ ଦେଇ ଏମ୍ପି ଭାବେ ନିର୍ବାଚିତ ହେଲେ । ତା’ପରେ ସେ ଉକ୍ତ ଦଳ ଛାଡ଼ି ସମାଜବାଦୀ ପାର୍ଟିରେ ଯୋଗ ଦେଲେ । ଏବେ ପୁଣି କଂଗ୍ରେସ ପ୍ରତି ଆକର୍ଷିତ ହେଲେ । ଦଳବଦଳ କରିବାରେ ବାଙ୍ଗାରପ୍ପା କେବଳ ଉଦାହରଣ ନୁହନ୍ତି । ଏହା ଭାରତର ପ୍ରତ୍ୟେକ ରାଜ୍ୟରେ ଚାଲିଛି । ଉତ୍ତରପ୍ରଦେଶରେ ଯେଉଁ କଲ୍ୟାଣ ସିଂହ ଭାଜପାର ଦୀର୍ଘଦିନ ସଦସ୍ୟ ଥିଲେ ଓ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେ ଆଜି ସେହି ଦଳ ଛାଡ଼ି ନିଜର ପୂର୍ବ ଶତ୍ରୁର ଦଳ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି । ପ୍ରଶ୍ନ ଉଠେ ଏକ ନିର୍ଦ୍ଦିଷ୍ଟ ଆଦର୍ଶକୁ ଆଧାର କରି ଏକ ରାଜନୈତିକ ଦଳ ଗଠିତ ହୋଇଥାଏ । ଯେଉଁମାନେ ସେହି ଆଦର୍ଶରେ ବିଶ୍ୱାସ କରନ୍ତି ସେମାନେ ସେହି ଦଳରେ ଯୋଗ ଦିଅନ୍ତି । ଆଦର୍ଶ ଥରେ ଅଧେ ବଦଳିବାର ସମ୍ଭାବନା ଥାଏ । କୌଣସି କାରଣରୁ ଗୋଟିଏ ଆଦର୍ଶକୁ ଛାଡ଼ି ଅନ୍ୟ ଏକ ଆଦର୍ଶକୁ ଆପଣେଇ ନେବାରେ କିଛି ଆପତ୍ତି ନାହିଁ । ମାତ୍ର ଗୋଟିଏ ଆଦର୍ଶକୁ ତ୍ୟାଗ କରି ଆଉ ଏକ ଆଦର୍ଶକୁ ଆପଣେଇ ନେବାର କିଛିଦିନ ପରେ ତାକୁ ଛାଡ଼ି ପୁଣି ପୂର୍ବ ଆଦର୍ଶକୁ ଫେରିବା ଓ ଆଉ ଏକ ନୂଆ ଆଦର୍ଶକୁ ଆପଣେଇବା ଏକ ପ୍ରହସନ, ପ୍ରତାରଣା ଓ ସୁଯୋଗବାଦୀ ଚିନ୍ତାଧାରା ବ୍ୟତୀତ ଅନ୍ୟ କିଛି ନୁହେଁ । ଏହା ଦଳବଦଳ ପଛରେ କୌଣସି ଆଦର୍ଶର ପ୍ରଭାବ ନ ଥାଏ, ରହିଥାଏ କେବଳ କ୍ଷମତା ଲୋଭ ଓ ଆସନ ପ୍ରାପ୍ତି । କବିବର ରାଧାନାଥଙ୍କ ଭାଷାରେ : –

“ଆସନ ସକାଶେ ବୃଦ୍ଧେ ଏତେ ବାଇ
ବାଳକେ ଯେସନେ କ୍ରୀଡ଼ନକ ପାଇଁ ।” (ଦରବାର)

ଦିନେ ଭାରତର ସ୍ୱାଧୀନତା ପାଇଁ କେତେ ଦେଶପ୍ରେମୀ ଫାଶୀ ଖୁଣ୍ଟରେ ଝୁଲି ପ୍ରାଣବଳି ଦେଇଥିଲେ । ମାତ୍ର ଆଜି ସମସ୍ତେ ସ୍ୱାର୍ଥସର୍ବସ୍ୱ । କାଳଦ୍ରଷ୍ଟା ରାଧାନାଥ ଶହେ ବର୍ଷ ପୂର୍ବରୁ ଏମାନଙ୍କୁ ଚିହ୍ନେଇ ଦେଇଥିଲେ :-

“ଭାବୀ ଅନ୍ଧ, ବର୍ତ୍ତମାନ ସର୍ବସ୍ୱ ବର୍ବରେ
ସର୍ବେ ଆତ୍ମଚିନ୍ତାରତ ସର୍ବେ ଜାତିଦ୍ରୋହୀ ।” (ମହାଯାତ୍ରା)

ଥରେ ଏଚ.ଏଲ୍. ମେନ୍କେନ୍ କହିଥିଲେ “ଗଣତନ୍ତ୍ରରେ ପ୍ରତି ଦଳ ପ୍ରମାଣ କରିବାକୁ ଚେଷ୍ଟା କରନ୍ତି ଯେ ଅନ୍ୟ ଦଳ ଶାସନ କରିବାକୁ ଅଯୋଗ୍ୟ ।” ଅବଶେଷରେ ପ୍ରମାଣିତ ହୁଏ ଯେ ପ୍ରତି ଦଳ ସତ କହୁଛନ୍ତି । ଠିକ୍ ସେପରି ପ୍ରତ୍ୟେକ ଦଳ ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି ଯେ ଅନ୍ୟ ଦଳଟି ସାମ୍ପ୍ରଦାୟିକ । ଶେଷରେ ପ୍ରମାଣିତ ହେଉଛି ଯେ ପ୍ରତି ଦଳ ଠିକ୍ କହୁଛନ୍ତି । କାରଣ କେଉଁଠି ଧର୍ମ ଭେଦରେ ତ ଆଉ କେଉଁଠି ଜାତି, ଉପଜାତି ଭେଦରେ ସାମ୍ପ୍ରଦାୟିକତା ବଞ୍ଚିଛି । ସବୁଠାରୁ ଆହୁରି ଭୟଙ୍କର ବିଷୟ ହେଉଛି ଯେ ଯେତେବେଳେ କୌଣସି ଦଳ ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରନ୍ତି ନାହିଁ, ସେତେବେଳେ କିଛି ବିଧାୟକ-ଏମ୍.ପି.ମାନଙ୍କୁ କିଣିବାର ପ୍ରଚେଷ୍ଟା କରାଯାଏ । ସ୍ୱାଧୀନ ବିଧାୟକ-ଏମ୍.ପି.ଙ୍କ ଦାମ୍ ଆକାଶଛୁଆଁ ହୋଇଯାଏ । ସେମାନଙ୍କୁ କିଣିବା ପାଇଁ ସଂଖ୍ୟାଗରିଷ୍ଠତା ନିକଟବର୍ତ୍ତୀ ଦଳମାନଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଚାଲେ । ସେମାନେ କେଉଁ ଦଳ ଆଡ଼କୁ ଢଳିବେ ତାହା ଜାଣିବା ମୁସ୍କିଲ୍ ହୋଇପଡ଼େ । ଏହି ପ୍ରସଙ୍ଗରେ ମନେପଡ଼େ ଏକ ଫରାସୀ ଲୋକକଥା । ଗୋଟିଏ ଦ୍ୱୀପରେ ଅନେକ ପ୍ରକାର ଜୀବଜନ୍ତୁ ଥିଲେ, ମାତ୍ର ଏଣ୍ଡୁଅ ନଥିଲା । ରାଜା ଘୋଷଣା କଲେ ଯେ ଯିଏ ଏଣ୍ଡୁଅଟିଏ ଯୋଗାଡ଼ କରିପାରିବ ତାକୁ ଏକଶତ ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ଦିଆଯିବ । ତିନିଜଣ ବନ୍ଧୁ ଏଣ୍ଡୁଅ ସନ୍ଧାନରେ ବାହାରି ପହଞ୍ଚିଲେ ଏକ ନୂଆ ରାଜ୍ୟକୁ । ଗୋଟିଏ ଏଣ୍ଡୁଅ ସଂଗ୍ରହ କରି ଏକ ବାକ୍ସରେ ତାକୁ ପୂରାଇ ବୋଇତରେ ନିଜ ଦେଶକୁ ଫେରିଲେ । ରାଜାଙ୍କଠାରୁ ଏକଶତ ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ପାଇବେ ବୋଲି ସେମାନଙ୍କ ଆନନ୍ଦର ସୀମା ନ ଥାଏ । ଜଣେ ବନ୍ଧୁ କହିଲା, “ଏ ଅଦ୍ଭୁତ ସବୁଜ କୀଟକୁ ରାଜା ଦେଖିଲେ ଭାରି ଖୁସି ହେବେ । ଦ୍ୱିତୀୟଜଣକ କହିଲା, “ରାଜା ନିଶ୍ଚୟ ଖୁସି ହେବେ, କିନ୍ତୁ ତୁମେ ଭୁଲ୍ କରୁଛ, ଏ ଜୀବଟି ସବୁଜ ନୁହେଁ, ଲାଲ୍ ।” ତୃତୀୟ ବନ୍ଧୁ କହିଲା, “ତୁମେ ଦୁଇଜଣ ଭୁଲ୍ କହୁଛ । କାରଣ ଏଣ୍ଡୁଅର ରଙ୍ଗ ମାଟିଆ ।” ତିନିଜଣ ବନ୍ଧୁଙ୍କ ମଧ୍ୟରେ ଏଣ୍ଡୁଅର ରଙ୍ଗକୁ ନେଇ ଯୁକ୍ତିତର୍କ ଚାଲିଲା । ଶେଷରେ ବାକ୍ସଟି ଖୋଲିଗଲା । ଦେଖାଗଲା ଯେ ଏଣ୍ଡୁଅଟି ଧଳା ଦିଶୁଛି । ତିନିଜଣ ଯାକ ବିସ୍ମିତ ହେଲେ । ଠିକ୍ ସେହି ସମୟରେ ଏଣ୍ଡୁଅଟି ବାକ୍ସ ଭିତରୁ ବାହାରକୁ ଖସିଯାଇ ବଣ ଭିତରକୁ ପଳାଇଲା । ବହୁ ବର୍ଷ ତଳେ ବିଶିଷ୍ଟ କଥାକାର ମନୋଜ ଦାସ କହିଥିଲେ, ପ୍ରାଗୈତିହାସିକ କାଳରୁ ଜୀବଜଗତକୁ ନେଇ କେତେ ପ୍ରକାର ପରୀକ୍ଷା କରିଆସିଛି ପ୍ରକୃତି । ଏଣ୍ଡୁଅକୁ ଘନ ଘନ ରଙ୍ଗ ବଦଳାଇବାର ଶକ୍ତି ବା ଗୁଣ ଦାନ କରି ସେ ଯେଉଁ ପରୀକ୍ଷା ଆରମ୍ଭ କରିଥିଲା, ତାହା ନିଶ୍ଚେ ଶେଷ ହୋଇ ନାହିଁ । ସେହି ଅସମାପ୍ତ ପରୀକ୍ଷା ଆଜିର ରାଜନୀତି ଅଭିଳାଷୀମାନଙ୍କ ଚରିତ୍ର ଉପରେ ଦେଇ ପ୍ରକୃତି ପୁନର୍ବାର ଆରମ୍ଭ କରିଛି ବୋଲି ମନେହୁଏ । ଏହି ପରୀକ୍ଷାର ଗତି ଆଗାମୀ ନିର୍ବାଚନ ପରେ ଦେଖିବାକୁ ବାକି ରହିଲା ଏବଂ ଯେଉଁମାନେ ବାରମ୍ୱାର ଦଳ ପରିବର୍ତ୍ତନ କରି ରାଜନୀତି କରୁଛନ୍ତି ସେମାନଙ୍କୁ ଦଳନିରପେକ୍ଷ ନେତା କୁହାଯିବ ନା ଆଉ କିଛି ତାହା ରାଜନୀତିଜ୍ଞମାନଙ୍କ କାମ ।

ଲୋକପ୍ରିୟ ଲେଖା

To Top