ପ୍ରବନ୍ଧ

ଧ୍ରୁବ

Odia Writer Shreebatsa Prasad Nath

ବିଷୟବସ୍ତୁକୁ ଗଭୀର ଭାବରେ ଅନୁଶୀଳନ, ଚିନ୍ତନ ଓ ମନନ କଲେ ଜଣାଯିବ ଯେ ପ୍ରକୃତରେ ତାହା କୌଣସି ରାଜାଙ୍କର ରାଜତ୍ୱକାଳର ଘଟଣା ନୁହେଁ ।

ଧ୍ରୁବ

ଆମର ପ୍ରାଚୀନ ପୁରାଣଶାସ୍ତ୍ରମାନଙ୍କରେ ନାନା ଉପାଖ୍ୟାନ ଓ ଆଖ୍ୟାୟିକା ସନ୍ନିବେଶ କରାଯାଇ ସେଗୁଡ଼ିକକୁ ସରସ ଓ ମଧୁମୟ କରାଯାଇଛି । ଯାହାକି ବାରମ୍ୱାର ପଠନରେ ଚିତ୍ତରେ କୌଣସି ପ୍ରକାର ଅଶ୍ରଦ୍ଧା ଭାବ ଜାତ କରେ ନାହିଁ । ବରଂ ତାହା ଶ୍ରବଣ ମାତ୍ରକେ ହୃଦୟ ବିସ୍ମୟାଭୀଭୂତ ହୁଏ । ସେହିଭଳି ଏକ ଉପାଖ୍ୟାନର ଅବତାରଣା କରିବା ଏହି ପ୍ରବନ୍ଧର ଉଦ୍ଦେଶ୍ୟ ।

ଧ୍ରୁବ ଚରିତ ସମ୍ପର୍କରେ ପ୍ରାୟ ସମସ୍ତେ ଅବଗତ ଅଛନ୍ତି । ପୂର୍ବେ ଭାରତ ବର୍ଷରେ ଉତ୍ତାନପାଦ ନାମକ ଜଣେ ସୁନାମଧନ୍ୟ ରାଜା ରାଜପଣ କରୁଥିଲେ । ତାଙ୍କର ଦୁଇଟି ରାଣୀଥିଲେ । ପ୍ରଥମା ସୁରୁଚି ଓ ଦ୍ୱିତୀୟା ସୁନୀତି । ଏହି ଦୁଇଟି ରାଣୀଙ୍କ ଗର୍ଭରୁ ସେ ଦୁଇଗୋଟି ପୁତ୍ରସନ୍ତାନ ଲାଭ କରିଥିଲେ । ସୁରୁଚି ରାଣୀଙ୍କ ପୁତ୍ର ଉତ୍ତମ ଓ ସୁନୀତି ରାଣୀଙ୍କ ପୁତ୍ର ଧ୍ରୁବ । ଥରେ ରାଜାଙ୍କ କୋଳରେ ଧ୍ରୁବ ବସିଥିବାର ଦେଖି ସୁରୁଚି ରାଣୀ ସପତ୍ନୀ ପୁତ୍ରହେତୁ ହୃଦୟରେ ଅସୂୟାଭାବ ପୋଷଣ କରି ନାନା କୂଟ ଚକ୍ରାନ୍ତ ବଳରେ ରାଣୀ ସୁନିତୀଙ୍କୁ ବହୁତ ଦୁଃଖ କଷ୍ଟ ଦେଇଥିଲେ । ତା’ପରେ ଧ୍ରୁବ ରାଜାଙ୍କ ବିରାଗଭାଜନ ହୋଇ ବନକୁ ଗମନ କଲେ ଏବଂ ସେଠାରେ ବହୁ କ୍ଳେଶ ସ୍ୱୀକାର ପୂର୍ବକ ଭଗବତ୍ ଦର୍ଶନ ଲାଭ କରିଥିଲେ ।

ଏହି ଚରିତଟିକୁ ଆମ୍ଭେମାନେ ସାଧାରଣ ଅର୍ଥରେ ଗ୍ରହଣକରି କଥାବସ୍ତୁରେ ମନ ମଜାଇ ଦେଉ ଏବଂ କେହି ଅବା ଧ୍ରୁବର ଏତାଦୃଶ ଭାଗ୍ୟର ବିଡ଼ମ୍ୱନାରେ ଦୁଃଖ ପ୍ରକାଶ କରିଥାନ୍ତି । ପୁନଶ୍ଚ କେତେକ ସୁରୁଚି ରାଣୀଙ୍କ କୂଟନୀତିରେ କ୍ଷୁବ୍ଧ ହୋଇ ତାଙ୍କପ୍ରତି ଅଭିଷାପ ବର୍ଷଣ କରନ୍ତି । କିନ୍ତୁ ବିଷୟବସ୍ତୁକୁ ଗଭୀର ଭାବରେ ଅନୁଶୀଳନ, ଚିନ୍ତନ ଓ ମନନ କଲେ ଜଣାଯିବ ଯେ ପ୍ରକୃତରେ ତାହା କୌଣସି ରାଜାଙ୍କର ରାଜତ୍ୱକାଳର ଘଟଣା ନୁହେଁ । ଧ୍ରୁବ ବୋଲି ପୂର୍ବେ ଯଦି କୌଣସି ମହର୍ଷି ଜନ୍ମିଥିଲେ, ତେବେ ତାଙ୍କର ଅନାନ୍ୟ ସାଧାରଣ ପ୍ରତିଭା ଓ ହରିଦର୍ଶନ ସମ୍ପର୍କରେ ଏଭଳି ଏକ ଉପାଖ୍ୟାନର ସୃଷ୍ଟି ହୋଇଥିବ ବୋଧହୁଏ ।

“ଉତ୍ତାନପାଦ” ଏହି ଶବ୍ଦକୁ ବିଶ୍ଳେଷଣ କଲେ ଜଣାଯାଏ “ଉତ୍ଥିତ ପାଦ ଯସ୍ୟ ସଃ’ । ଏ ଜୀବ ଜଗତରେ ସମସ୍ତେ ଉର୍ଦ୍ଧ୍ଵାଭିମୁଖୀ । ଆତ୍ମାର ପରମାତ୍ମାଙ୍କଠାରେ ଲୀନ ହେବାର ଆକାଂକ୍ଷା ଅତି ପ୍ରବଳ । ଆମ୍ଭେମାନେ ସିନା କ୍ଷଣିକ ସୁଖ ସମ୍ଭୋଗରେ ବିମୋହିତ ହୋଇଥାଉ, କିନ୍ତୁ ତାହା ଚିରସ୍ଥାୟୀ ନୁହେଁ । ଏ ଜୀବନ ମହୋତ୍ସବମୟ ନୁହେଁ । ଏଥିରେ (ଭୋଗ ବିଳାସରେ) କୌଣସି ଆନନ୍ଦ କରିବାର କୌଣସି କାରଣ ନାହିଁ । ସଂସାରରେ ଜନ୍ମମାତ୍ରେ ଜୀବ ଦୁଃଖ ଯାତନା ଭୋଗ କରିଥାଏ । ବାରମ୍ୱାର ଜନ୍ମଗ୍ରହଣ କରି ତାର କର୍ମଫଳ ଭୋଗକରେ । ତେଣୁ ଗଳ୍ପଟିରେ ଉତ୍ତାନପାଦ ରାଜା ନାମରେ ଯାହା ଅବତାରଣା କରାଯାଇଅଛି, ତାହା ଜୀବଜଗତର ସମସ୍ତ ଆତ୍ମା ଉଦ୍ଦେଶ୍ୟରେ ଅଭିପ୍ରେତ । ଜୀବ ମାତ୍ରେ ପ୍ରାବଚ୍ଛ ପରେ ପ୍ରାବଚ୍ଛ (ଯାହାକି ଲୌକିକ ମତାନୁସାରେ ଘଟାନ୍ତର) ଅତିକ୍ରମ କରି ଶେଷରେ ଉର୍ଦ୍ଧ୍ଵାଭିମୁଖୀ ହୋଇ ପରମାତ୍ମାଙ୍କଠାରେ ନିର୍ବାଣ ପ୍ରାପ୍ତ ହୁଏ ।

ଉତ୍ତାନପାଦ ରାଜା ଯଦି ଜୀବାତ୍ମା ହେଲେ, ତେବେ ତାଙ୍କର ରାଣୀ ଦୁଇଟି ହେଲେ – ସୁରୁଚି-ମାର୍ଗ ଓ ସୁନୀତି-ମାର୍ଗ । ଏ ସଂସାରରେ ଜୀବ ସମ୍ମୁଖରେ ଦୁଇଟି ପଥ ନିର୍ଦ୍ଧାରଣ କରାଯାଇଛି । ଗୋଟିଏ ହେଉଛି ଋଷିମୁନିମାନଙ୍କ ଦ୍ୱାରା ପ୍ରଦର୍ଶିତ ଉତ୍ତମ ନୀତିପୂର୍ଣ୍ଣ ମାର୍ଗ । ଯେଉଁ ପଥରେ ଯାତ୍ରା କଲେ ପ୍ରାଣୀ ଅକ୍ଳେଶରେ ଭଗବତ୍ ଦର୍ଶନ ପ୍ରାପ୍ତ ହୋଇଥାଏ । ଆଉ ଗୋଟିଏ ପଥ ହେଉଛି ସୁରୁଚି ପୂର୍ଣ୍ଣ ମାର୍ଗ । ଯାହାକି ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରାଯାଇପାରେ । ଜୀବ ସାଂସାରିକ ଭୋଗ ବିଳାସରେ ମାତି ରହି ନିଜର ରୁଚି ଅନୁସାରେ ଗତିକରି ନିଜକୁ ଜଣେ ଜଣେ ନବଧର୍ମ ପଟୁ ବୋଲି ମନେକରନ୍ତି । ରାଜା ଉତ୍ତାନପାଦ ତାଙ୍କର ପ୍ରଥମ ଜୀବନରେ ସୁନୀତି ରାଣୀଙ୍କୁ ଆଦର କରୁଥିଲେ ବୋଲି ସେ ତାଙ୍କ ଠାରୁ ଧ୍ରୁବ ନାମକ ପୁତ୍ର ସନ୍ତାନ ଲାଭ କରିଥିଲେ । ଅର୍ଥାତ୍ ଧ୍ରୁବ ଏଠାରେ ପରମ ସତ୍ୟକୁହିଁ ବୁଝିବାକୁ ହେବ । ଭଗବାନ ଏ ବିଶ୍ୱବ୍ରହ୍ମାଣ୍ଡରେ ଏକମାତ୍ର ସତ୍ୟ-ଏ ଜଗତ ମିଥ୍ୟା । ଜୀବ ଯଦି ସୁନୀତି ମାର୍ଗ ଗ୍ରହଣ କରେ, ତେବେ ସେ ଧ୍ରୁବ ପଦ ଲାଭ କରିବ । ଅର୍ଥାତ୍ ସଚ୍ଛିଦାନନ୍ଦ ପରମବ୍ରହ୍ମଙ୍କୁ ପ୍ରାପ୍ତ ହେବେ । ଏବଂ ତା’ର ଆତ୍ମା ଅମରତ୍ୱ ଲାଭକରିବ ।

ରାଜା ଯେତେବେଳେ ସୁରୁଚି ରାଣୀଙ୍କ ପ୍ରରୋଚନାରେ ପଡ଼ି ରାଣୀ ସୁନୀତିକୁ ତ୍ୟାଗ କଲେ । ସେତେବେଳେ ସେ ଲାଭ କରିଥିଲେ-ପୁତ୍ର ଉତ୍ତମକୁ । ଏହି କଥାର ତାତ୍ପର୍ଯ୍ୟ ଏହିକି- ଆମ୍ଭେମାନେ ସମସ୍ତେ ସାଂସାରିକ ସୁଖସମ୍ଭୋଗରେ ମଜ୍ଜି ରହି ସୁନୀତି ମାର୍ଗ ପରିତ୍ୟାଗ କରି ସୁରୁଚିମାର୍ଗ ଅର୍ଥାତ୍ ନିଜର ଇଚ୍ଛାନୁସାରେ ସ୍ୱେଚ୍ଛାଚାରୀ ହୋଇ ଶେଷରେ ଉତ୍ତମ ପଦପ୍ରାପ୍ତ ହୋଇଥାଉଁ । ଆମ୍ଭମାନଙ୍କର ଜୀବନଯାପନ ପ୍ରଣାଳୀ ଉତ୍ତମ ଅର୍ଥାତ୍ “ଆାଚ୍ଛା” ଜୀବନ ହୋଇଥାଏ । ଜୀବ ଉତ୍ତମ ଜୀବନ ଲାଭ କରେ ଏବଂ କ୍ଷଣିକ ଆହ୍ଲାଦଦାୟକ ବସ୍ତୁକୁ ପାଏ । ଜୀବ ଯଦି ସୁନୀତି ମାର୍ଗ ପରିତ୍ୟାଗ କରି କେବଳ ସୁରୁଚି ମାର୍ଗକୁ ଆଦର କରେ, ତେବେ ଧ୍ରୁବ ଅର୍ଥାତ୍ ଚିରନ୍ତନ ସତ୍ୟକୁ ପାଇପାରେ ନାହିଁ । ଏ ସଂସାର କ୍ଷେତ୍ରରେ ସେ କେବଳ ନାନା ଭୋଗ ବିଳାସପୂର୍ଣ୍ଣ ଉତ୍ତମ ଜୀବନଯାପନ କରିବାର ଗୌରବ ଓ ସୌଭାଗ୍ୟ ଅର୍ଜନ କରିବ ।

ସାଧାରଣତଃ ଏହି ବୈଚିତ୍ର୍ୟମୟ ଦୁନିଆରେ ଆମ୍ଭେମାନେ ଦେଖିଥାଉ-ବିଷୟବାସନାରେ ସଦାସର୍ବଦା ମଜ୍ଜିରହିଥିବା ଜୀବ ସାଂସାରିକ ସୁଖ ସୌଭାଗ୍ୟ ଅଧିକ ପରିମାଣରେ ପାଇଥାଏ । ସେ ନିବିଡ଼ ଅନ୍ଧକାର ମଧ୍ୟରେ ଥାଇ ନିଜକୁ ଆଲୋକରେ ଅଛିବୋଲି ମନେକରେ । ହସକାନ୍ଦ ଭରା ଜୀବନରେ ତା’ ଭାଗ୍ୟରେ ବହୁ ସୁଯୋଗ ଯୁଟେ । ଏବଂ ସେ ସେଥିରେ ଆତ୍ମହରା ହୋଇ କ୍ରମଶଃ ଜୀବନର ପରମ ଓ ଚରମ ଲକ୍ଷ୍ୟପଥକୁ ଭୂଲିଯାଏ । ଅନ୍ତିମ କାଳରେ ଅନୁତାପାନଳରେ ଆତ୍ମା ତା’ର ଛଟପଟ ହୋଇଉଠେ । କିନ୍ତୁ ଯେଉଁ ଜୀବ ଏ ବସ୍ତୁ ଜଗତରେ ନଥାନ୍ତି-ତାଙ୍କର ବିଷୟ ବାସନା ନାହିଁ । କେବଳ ସଂସାର କ୍ଷେତ୍ରରେ ବଞ୍ଚି ରହି ନିଜର କର୍ତ୍ତବ୍ୟ ସମ୍ପାଦନ କରିଥାନ୍ତି, ମାତ୍ର ସେଥିରେ କୌଣସି ପ୍ରକାରର ଆସକ୍ତି ନ ଥାଏ । ସେମାନେ ଦୁଃଖ ଭାଗୀ । ସେମାନଙ୍କ ପାଇଁ ଭଗବାନ ବହୁ ପରୀକ୍ଷା ରଖିଥା’ନ୍ତି । ନାନା ଦୁଃଖ କ୍ଳେଶ ରୂପ ଅଗ୍ନିଦାହ ମଧ୍ୟରେ ସେମାନେ ସର୍ବଦା ଜର୍ଜ୍ଜରିତ ହୋଇ ଶେଷରେ ଶୁଦ୍ଧ ସୁବର୍ଣ୍ଣ ପରି ଜାଜ୍ଜ୍ୱଲ୍ୟମାନ ହୁଅନ୍ତି । ସେହିମାନେ ଧ୍ରୁବପଦ ଅର୍ଥାତ୍ ନିରାଟ ସତ୍ୟ ଅମରପଦ ଲାଭ କରନ୍ତି ।

ଲୋକପ୍ରିୟ ଲେଖା

To Top