ପ୍ରବନ୍ଧ

ଧୁକୁ ଧୁକୁ ଭାଷାପ୍ରୀତି

Biraja Routray's odia prose Dhuku Dhuku Bhasha Priti

ଆଜକୁ ସତୁରୀ ବର୍ଷରୁ ଉର୍ଦ୍ଧ୍ଵ ହେବ ଓଡ଼ିଶା ବୋଲି ଏକ ସ୍ୱତନ୍ତ୍ର ଭାଷାଭିତ୍ତିକ ପ୍ରଦେଶର ଭୌଗୋଳିକ ଗୌରବଟିଏ ଆମକୁ ମିଳିଥିଲା

ଧୁକୁ ଧୁକୁ ଭାଷାପ୍ରୀତି

ଆମକୁ ପ୍ରଥମେ ଦେଖିବାର କଥା ଚାରିକୋଟି ମଣିଷଙ୍କ ମୁହଁର ଭାଷା ରୂପେ ଓଡ଼ିଆ ଭାଷା ଯେଉଁ ମର୍ଯ୍ୟାଦାର ସହିତ ବଞ୍ଚିବା କଥା ସେହିପରି ଭାବେ ବଞ୍ଚିପାରିଛି କି ନାହିଁ । ଆଜକୁ ସତୁରୀ ବର୍ଷରୁ ଉର୍ଦ୍ଧ୍ଵ ହେବ ଓଡ଼ିଶା ବୋଲି ଏକ ସ୍ୱତନ୍ତ୍ର ଭାଷାଭିତ୍ତିକ ପ୍ରଦେଶର ଭୌଗୋଳିକ ଗୌରବଟିଏ ଆମକୁ ମିଳିଥିଲା । ଆମେ ଏହି ଐତିହାସିକ ଗୌରବଟିର ଉତ୍ତରାଧିକାରୀ ଭାବେ ନିଜକୁ ପ୍ରତିପାଦିତ କରିପାରିଛୁ କି ନାହିଁ । ପୁଣି ଏହି ଗୌରବ ଦିନକ କିମ୍ୱା ଦୁଇ ଦିନର ଶ୍ରମର ଫଳ ନଥିଲା । ଏଥିପାଇଁ ଏହି ଜାତିକୁ ରୀତିମତ୍ ଭାବରେ ଲଢ଼େଇ କରିବାକୁ ପଡ଼ିଥିଲା । ୧୮୬୮ ମସିହାରୁ ଆରମ୍ଭ ହୋଇଥିବା ଓଡ଼ିଆ ଭାଷା ଆନ୍ଦୋଳନ ପରବର୍ତ୍ତୀ ସମୟରେ ଉତ୍କଳ ସମ୍ମିଳନୀରୁ ସାଂଗଠନିକ ବଳ ପାଇ ନିଜର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହୋଇଥିଲା । ଯାହାର ପରିଣାମ ସ୍ୱରୂପ ଓଡ଼ିଆ ପରି ଏକ ସମୃଦ୍ଧ ଭାଷାର ସୁଦୃଢ଼ ପାଚେରୀ ଉପରେ ଓଡ଼ିଶା ନାମକ ଏକ ପ୍ରଦେଶର ନିର୍ମାଣ ସମ୍ଭବପର ହୋଇଥିଲା ।

ସାମ୍ପ୍ରତିକ ପୃଷ୍ଠପଟରେ ଓଡ଼ିଆ ଭାଷା ଓ ଏହାର ପ୍ରଚଳନକୁ ନେଇ ଅନେକ ଅସମାଧିତ ପ୍ରଶ୍ନ ସବୁ ମୁଣ୍ଡ ଟେକି ଉଠିଛି । ଆମର ପ୍ରମୁଖ କ୍ଷେତ୍ରମାନଙ୍କରେ ଏହି ଭାଷାର ବ୍ୟବହାର ଦିନକୁ ଦିନ କମିଯିବାରେ ଲାଗିଛି କିମ୍ୱା ଆଦୌ ବ୍ୟବହୃତ ହେଉନାହିଁ କହିଲେ ଚଳେ । ଏହିସବୁର ପର୍ଯ୍ୟାଲୋଚନାରେ ଓଡ଼ିଆ ଭାଷାର ସାମ୍ପ୍ରତିକ ସ୍ଥିତିକୁ ସମ୍ଭବତଃ ଅଧିକ ବାସ୍ତବ ରୂପେ ଆକଳନ କରାଯାଇପାରିବ ।

ପ୍ରଥମେ ଆମ ଶିକ୍ଷା ବ୍ୟବସ୍ଥାକୁ ଦେଖାଯାଉ । ପ୍ରାରମ୍ଭିକ ଅବସ୍ଥାରେ ଶିଶୁ କଥା କହିବା ଆରମ୍ଭ କଲା ଦିନରୁ ନିଜର ମାତୃଭାଷାକୁ ବ୍ୟବହାର କରିଥାଏ । ପରବର୍ତ୍ତୀ ସମୟରେ ପ୍ରାଥମିକ ଶିକ୍ଷାସ୍ତରରୁ ବିଦ୍ୟାଳୟ ଶିକ୍ଷା ପର୍ଯ୍ୟନ୍ତ ଏହି ଭାଷା ମାଧ୍ୟମରେ ଶିକ୍ଷାଲାଭ କରିବାର ସୁଯୋଗ ପାଇଥାଏ । ନିଜ ମାତୃଭାଷା ମାଧ୍ୟମରେ ଶିକ୍ଷା ଗ୍ରହଣ କରିବା ଦ୍ୱାରା ପିଲାଟି ଦୁଇ ପ୍ରକାର ଭାବେ ଉପକୃତ ହୋଇଥାଏ । ପ୍ରଥମରେ ସେ ନିଜର ମାତୃଭାଷାକୁ ଭଲ ରୂପେ ଆୟତ୍ତ କରିବା ଶିଖିପାରିଥାଏ । ଦ୍ୱିତୀୟରେ ଏହି ମାଧ୍ୟମରେ ଶିକ୍ଷାଲାଭ କରୁଥିବାରୁ ପାଠ୍ୟ ବିଷୟବସ୍ତୁକୁ ଅବବୋଧ କରିବା ତା’ ପକ୍ଷରେ ସହଜ ହୋଇଥାଏ । ମାତ୍ର ବିଗତ କିଛି ବର୍ଷ ଧରି ଓଡ଼ିଶାରେ ଇଂରାଜୀ ମାଧ୍ୟମ ସ୍କୁଲଗୁଡ଼ିକ ଯେଉଁପରି ଭାବରେ ନିଜର କାୟା ବିସ୍ତାର କରିଚାଲିଛନ୍ତି ତା’ର ପ୍ରଭାବରେ ଓଡ଼ିଆ ମାଧ୍ୟମରେ ଶିକ୍ଷାଦାନ କରୁଥିବା ସ୍କୁଲ୍‌ ଗୁଡ଼ିକ ଲୁଚିଯିବାକୁ ବସିଲେଣି । ସହରମାନଙ୍କରେ ଏହିସବୁ ସ୍କୁଲ୍‌ଗୁଡ଼ିକୁ ଦେଖିଲେ ଏଗୁଡ଼ିକ ଏକ ପ୍ରକାର ଅବହେଳିତ ଓ ଅନୁନ୍ନତ ଅବସ୍ଥାରେ ପଡ଼ି ରହିଥିବା ପରି ଜଣାପଡ଼ିଥାନ୍ତି । ଧନୀ ଶ୍ରେଣୀ, ଉଚ୍ଚ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀମାନଙ୍କର ଆକାଂକ୍ଷାକୁ ସୁହାଇଲା ଭଳି ବିଭିନ୍ନ କିସମର ଇଂରାଜୀ ମାଧ୍ୟମ ସ୍କୁଲ୍‌ଗୁଡ଼ିକ ସହରର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ନିଜ ଅକ୍ତିୟାରକୁ ନେବାକୁ ବସିଲେଣି । କେବଳ ଓଡ଼ିଶାର ଗ୍ରାମାଞ୍ଚଳ ମାନଙ୍କରେ ଗତାନୁଗତିକ ଓଡ଼ିଆ ମାଧ୍ୟମ ସରକାରୀ ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମି ଏ ପର୍ଯ୍ୟନ୍ତ ସୁଦୃଢ଼ ହୋଇ ରହିଅଛି । ମାତ୍ର ଯେଉଁ ପରିମାଣରେ ଏବେ ଦ୍ରୁତ ଅର୍ଥନୈତିକ ପରିବର୍ତ୍ତନ ସହ ସହରର ବ୍ୟବସ୍ଥାଗୁଡ଼ିକ ଗ୍ରାମାଞ୍ଚଳର ପରିବେଶ ଆଡ଼କୁ ପ୍ରସାରିତ ହେବାରେ ଲାଗିଛି, ସେଠାକାର ଏହିସବୁ ପାରମ୍ପରିକ ଶିକ୍ଷାନୁଷ୍ଠାନଗୁଡ଼ିକ ଆଉ ବେଶୀକାଳ ସୁରକ୍ଷିତ ନୁହେଁ ବୋଲି କହିବାକୁ ହେବ । ଏଇଥିରୁ ଶିକ୍ଷା କ୍ଷେତ୍ରରେ ଥିବା ଓଡ଼ିଆ ଭାଷାର ବିପନ୍ନ ସ୍ଥିତିକୁ ସହଜରେ ଅବଧାରଣା କରିହୁଏ ।

ନୂଆପିଢ଼ିର ଶିକ୍ଷିତ ଓଡ଼ିଆ ଯୁବକମାନଙ୍କୁ ଯଦି ଓଡ଼ିଆ ଭାଷାର ଗୁରୁତ୍ୱ ବିଷୟରେ ବୁଝାଇ କୁହାଯାଏ, ସେମାନେ ତତ୍‌କ୍ଷଣାତ୍ ଏକ ନାସ୍ତିବାଚକ ପ୍ରତିକ୍ରିୟା ପ୍ରକାଶ କରିବେ । ତାଙ୍କ ବିଚାରରେ ଆଜିର ବହୁଦେଶୀୟ ବଜାରରେ ଓଡ଼ିଆ ଭାଷା ତା’ର ବିନିୟମ ମୂଲ୍ୟ ହରାଇ ସାରିଛି । ଏହି ଭାଷା ରୂପକ ମୁଦ୍ରାଟିକୁ ଧରି ଆଜିର ପ୍ରତିଯୋଗିତାପୂର୍ଣ୍ଣ ଦୁନିଆଁରେ ନା କେହି ନିଜ ପାଇଁ ବୃତ୍ତିଟିଏ ଯୋଗାଡ଼ କରିପାରିବ ନା ସାମାଜିକ ପ୍ରତିଷ୍ଠା ପାଇପାରିବ ।

ଶିକ୍ଷା ପରି ଆମ ଶାସନ ବ୍ୟବସ୍ଥାରେ ମଧ୍ୟ ଆମ ଓଡ଼ିଆ ଭାଷାର ଅବସ୍ଥା ତଦ୍ରୁପ । ଆମର ଏଠି ସଚିବାଳୟରେ ଲେଖାଯାଉଥିବା ଶୁଦ୍ଧ ଇଂରାଜୀ ଭାଷାର ଚିଠି ଓ ନିର୍ଦ୍ଦେଶାବଳୀ ସବୁ ଯାଇ ପହଞ୍ଚିଥାଏ ଜିଲ୍ଲାସ୍ତରୀୟ ମୁଖ୍ୟ କାର୍ଯ୍ୟାଳୟମାନଙ୍କରେ । ସେଠାରେ ଏହି ଇଂରାଜୀ ଭାଷାରେ ଲିଖିତ ଚିଠିସବୁର ଆଉ ଏକ ଏକ ଇଂରାଜୀ ବ୍ୟାଖ୍ୟା କରାଯାଇ ତଳସ୍ତରର ଅଫିସର୍‌ମାନଙ୍କୁ ପ୍ରେରଣ କରାଯାଇଥାଏ । ପୁନଶ୍ଚ ସେଠାରୁ ଯେଉଁ ଚିଠି ପ୍ରସ୍ତୁତ ହୋଇ ଆହୁରି ତଳସ୍ତର ପର୍ଯ୍ୟନ୍ତ ଯାଇଥାଏ, ତାହା ମଧ୍ୟ ଲେଖା ହୋଇଥାଏ ଇଂରାଜୀ ଭାଷାରେ । ଏପରିକି ତୃଣମୂଳ ସ୍ତରରେ ଓଡ଼ିଶା ପ୍ରଶାସନକୁ ପ୍ରତିନିଧିତ୍ୱ କରୁଥିବା ଗ୍ରାମାଞ୍ଚଳର ପଞ୍ଚାୟତ ଅଫିସ୍ ଓ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ମଧ୍ୟ ଏହି ସାହେବୀ ଭାଷାର ଯୋଗସୂତ୍ର ଦ୍ୱାରା ସହବନ୍ଧିତ । ଓଡ଼ିଶା ଲୋକସଂଖ୍ୟାର ଅର୍ଦ୍ଧେକ ନିରକ୍ଷର ଓ ଅଳ୍ପ ସାକ୍ଷର ଲୋକମାନେ କେବଳ ଏହି ଚିଠିଗୁଡ଼ିକୁ ଦୂରରୁ ଦେଖି ନିର୍ବୋଧ ପରି ଆଁ କରି ଛିଡ଼ା ହୋଇ ରହିବା ଛଡ଼ା ଏଗୁଡ଼ିକର ମର୍ମକୁ ହେଜି ପାରିନଥାନ୍ତି । ସେମାନଙ୍କ ପାଇଁ ସରକାର କ’ଣ କରୁଛନ୍ତି ? କେମିତି କରୁଛନ୍ତି ? ଓ କିପରି କରୁଛନ୍ତି ? ଏସବୁ ଜାଣିବାର ଯୁ’ ସେମାନଙ୍କ ପାଖରେ ନଥାଏ । ପ୍ରଶାସନକୁ ଚଳାଉଥିବା ବାବୁମାନଙ୍କର ଅଭେଦ୍ୟ ଦୁର୍ଗ ଭିତରକୁ ଇଂରାଜୀ ଭାଷାରେ ଅଜ୍ଞ ସାଧାରଣ ଓଡ଼ିଆ ଲୋକଟିଏ ସହଜରେ ପଶିପାରିନଥାଏ ।

ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ ଚାଲୁ ବୋଲି ଆଗରୁ ଏକ ବା ଏକାଧିକ ଥର ଉଦ୍ୟମ ନିଆଯାଇଛି । କିନ୍ତୁ ଏହି ସରକାରୀ କଳର ବାବୁଭାୟାମାନଙ୍କର ଷଡ଼ଯନ୍ତ୍ର କିମ୍ୱା ଅବଜ୍ଞା ହେତୁ ଏହା ଏପର୍ଯ୍ୟନ୍ତ ଫଳବତୀ ହୋଇପାରିନାହିଁ ।

ଆଜିର ଏହି ଆଧୁନିକ ଯୁଗକୁ ସଂଚାରର ଯୁଗ ବା ଯୋଗାଯୋଗର ଯୁଗ ବୋଲି କୁହାଯାଉଛି । ଉଭୟ ବ୍ୟକ୍ତିଗତ ଓ ଗଣ ଯୋଗାଯୋଗ କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତି କୌଶଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ ଉପକରଣ ଦ୍ୱାରା ଏହି କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ ସଂଗଠିତ ହୋଇଛି । ଯେପରିକି ଟେଲିଫୋନ୍, ମୋବାଇଲ୍ ଫୋନ୍ ପ୍ରଭୃତି ଏବେକାର ବ୍ୟକ୍ତିଗତ ଓ ସାମାଜିକ ଭାବ ବିନିମୟ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସମ୍ପର୍କର ଭାଷା ପାଲଟିଛି ଅଧିକ ଦ୍ରୁତ ଓ ସାଙ୍କେତିକ । ଏହି ଯନ୍ତ୍ର ମାଧ୍ୟମ ଗୁଡ଼ିକର ଭାଷା ଆମର ପ୍ରଚଳିତ ମୌଖିକ ଓ ଲିଖିତ ଭାଷାକୁ ମଧ୍ୟ ପ୍ରଭାବିତ କରିବାରେ ଲାଗିଛି । ଏହା ପରୋକ୍ଷରେ ଓଡ଼ିଆ ଭାଷାକୁ ଯନ୍ତ୍ର ଅନୁକୂଳ (ଟେକ୍ନୋ-ଫ୍ରେଣ୍ଡଲି) ବା ଯୁଗୋପଯୋଗୀ କରିବା ନିମନ୍ତେ ଏକ ଆହ୍ୱାନ ସୃଷ୍ଟି କରିଛି । ଏକବିଂଶ ଶତାବ୍ଦୀର ଓଡ଼ିଆ ଭାଷା ସବୁ ଦିଗରୁ ନିଜକୁ ଏହି ଆହ୍ୱାନ ନିମନ୍ତେ ପ୍ରସ୍ତୁତ କରିପାରିଛି କି ? ଶିକ୍ଷା, ଶାସନ ଓ ସଞ୍ଚାର ପରି ପ୍ରମୁଖ କ୍ଷେତ୍ରମାନଙ୍କରେ ଓଡ଼ିଆ ଭାଷା ବ୍ୟବହୃତ ହୋଇପାରୁନଥିବାରୁ ଏହି ଭାଷା ଯେପରି ସମୃଦ୍ଧ ଓ ବିକାଶପ୍ରାପ୍ତ ହେବା କଥା ସେହିପରି ସମ୍ଭବ ହୋଇପାରିନାହିଁ । ଏହାକୁ ଆମର ଅପାରଗତା ବୋଲି କୁହାଯିବ ନା ଆମ ଭାଷାର ଅଯୋଗ୍ୟତା ବୋଲି ବିବେଚନା କରାଯିବ କିମ୍ୱା ଉଭୟଯାକକୁ ପରିପୂରକ ଭାବେ ସତ୍ୟ ବୋଲି ଗ୍ରହଣ କରାଯିବ ।

ଭାଷାର ଉଦାର ଓ ମୁକ୍ତ ପ୍ରୟୋଗ ଏହାର ସମ୍ପ୍ରସାରଣ କ୍ଷମତାକୁ ବୃଦ୍ଧି କରାଇଥାଏ । ରକ୍ଷଣଶୀଳ ବ୍ୟବହାର ଭାଷାର ପରିଧିକୁ କେବଳ ସଙ୍କୁଚିତ କରି ରଖିନଥାଏ, ପରନ୍ତୁ ଏହି ମନୋବୃତ୍ତି ଭାଷାର ବିକାଶରେ ବାଧକ ହୋଇଥାଏ । ମୁକ୍ତ ଗ୍ରହଣଶୀଳତା ଭାଷା କ୍ଷେତ୍ରରେ ଅଭିବୃଦ୍ଧିରେ କିପରି ସହାୟକ ହୋଇଥାଏ, ତାହାକୁ ଏକ ଲଘୁ ଦୁଷ୍ଟାନ୍ତ ମାଧ୍ୟମରେ ବିଶିଷ୍ଟ ଭାରତୀୟ ଇଂରାଜୀ ଲେଖକ ଖୁସ୍ୱନ୍ତ ସିଂହ ଏକଦା ନିଜ ଓଡ଼ିଶା ଗସ୍ତକାଳୀନ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ କହିଥିଲେ- “English is a great language because it is bastard language.’‘ ଆସ୍ତିସୂଚକ ଅର୍ଥରେ ତାଙ୍କ କହିବାର ମର୍ମ ଥିଲା ଗ୍ରହଣଶୀଳତାର ବ୍ୟାପାରରେ ଯେଉଁ ଭାଷା ଯେତିକି ଜାରଜ ସେହି ଭାଷା ସେତିକି ଶ୍ରେଷ୍ଠ, ସେତିକି ବ୍ୟାପକ । ଅର୍ଥାତ୍ ଇଂରାଜୀ ଭାଷା ଏକ ଜାରଜ ଭାଷା ହୋଇଥିବାରୁ ତାହା ବିଶ୍ୱର ଅନ୍ୟ ଭାଷାମାନଙ୍କରେ ପ୍ରଚଳିତ ଶବ୍ଦମାନଙ୍କୁ ଗ୍ରହଣ କରି ନିଜକୁ ସମୃଦ୍ଧ କରି ବିଶ୍ୱର ଅଗ୍ରଣୀ ଭାଷାରେ ପରିଣତ ହୋଇଛି । ଏହି ପରିପ୍ରେକ୍ଷୀରେ ଆମ ଓଡ଼ିଆ ଭାଷାର ଗ୍ରହଣଶୀଳତା କେତେ ତାହା ଭାଷାବିତ୍ ଓ ଭାଷାପ୍ରେମୀମାନେ ବସି ସ୍ଥିର କରନ୍ତୁ ।

ଭାଷାର ଇତିହାସକୁ ଅନୁଧ୍ୟାନ କଲେ ଏହା ଜଣାପଡ଼ିଥାଏ ଯେ କୌଣସି ଜୀବନ୍ତ ଭାଷା କୌଣସି ଜାତିର କେବେ ଏକ ସ୍ଥିତିବାନ୍ ବିଭବ ହୋଇ ରହିନାହିଁ । ସମୟ ସହିତ ଏହା ଗତିଶୀଳ ରହି ଆବଶ୍ୟକସ୍ଥଳେ ପରିବର୍ତ୍ତିତ ଓ ପରିବର୍ଦ୍ଧିତ ହୋଇଥାଏ । ଏହା ଦେଖାଯାଇଛି ଯେ ଇତିହାସର ଯେଉଁ ମୋଡ଼ରେ କୌଣସି ଭାଷା ନିଜର ଗତିଶୀଳତା ହରାଇ ଅଟକି ଯାଇଛି ସେହି ଭାଷା ପରବର୍ତ୍ତୀ ସମୟରେ ମୃତ ବୋଲି ବିବେଚିତ ହୋଇ ଭାଷା ବିଜ୍ଞାନୀମାନଙ୍କ ନିମନ୍ତେ ଗବେଷଣାର ଏକ ସାମଗ୍ରୀ ପାଲଟି ଯାଇଛି । ସମୟ ଆସିଛି ପ୍ରତ୍ୟେକ ଓଡ଼ିଆଭାଷୀ ନିଜର ମାତୃଭାଷାକୁ ଭବିଷ୍ୟତରେ ମୃତ କି ଜୀବନ୍ତ ଅବସ୍ଥାରେ ଦେଖିବାକୁ ଚାହାନ୍ତି, ତାହା ସ୍ଥିର କରିନେବା ଦରକାର ।

ଲୋକପ୍ରିୟ ଲେଖା

To Top