ପ୍ରବନ୍ଧ

ଦୃଷ୍ଟିଭଙ୍ଗୀ

Bikesh Kumar Sahu's odia prose Drushtibhangi

ସମସ୍ତଙ୍କ ମନରେ ଆଜି ଅଶ୍ଳୀଳ ଓ ଅନୈତିକ ଦୃଷ୍ଟିଭଙ୍ଗୀର ବିଜ ବପନରେ ଏଇ ଆଧୁନିକତା ସମ୍ପୂର୍ଣ୍ଣ ଭାବରେ ଦାୟୀ

ଦୃଷ୍ଟିଭଙ୍ଗୀ

ଓଡ଼ିଆରେ ଗୋଟିଏ ଢଗ ଅଛି-

ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ
ମଣିଷ ପ୍ରକୃତି ମଲେ ତୁଟେ ।।

ଆଶାକରେ ଆପଣ ମାନେ ସମସ୍ତେ ଏଇ ଢଗ ସହ ବହୁତ ଆଗରୁ ପରିଚିତ ।

ଏହା କହିବାର ବାହୁଲ୍ୟ ଏଇଆ ଯେ ସମଗ୍ର ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ଯେମିତି ବିଚିତ୍ର ଠିକ ସେହିପରି ତାଙ୍କ ସୃଷ୍ଟିର ସର୍ବଶ୍ରେଷ୍ଟ ପ୍ରାଣୀ ଏଇ ମଣିଷ ମଧ୍ୟ ସଂସାରର ଯେତେକ ପ୍ରାଣୀ ଅଛନ୍ତି ସମସ୍ତଙ୍କ ଠାରୁ ବିଚିତ୍ର । ଆଉ ସେ ଏଇଥି ପାଇଁ ବିଚିତ୍ର କାହିଁକି ନା ତାପାଖରେ ବୁଦ୍ଧି, ବିବେକ ଓ ଭାବନାଶକ୍ତି ରହିଛି ଯାହା ଏ ଦୁନିଆର ଆଉ କୌଣସି ପ୍ରାଣୀ ଠାରେ ପତିୟମାନ ହୁଏ ନାହିଁ । ଆଉ ଏଇ ବିଚିତ୍ର ମଣିଷର ସବୁଠାରୁ ବିଚିତ୍ର ଗୁଣ ହେଉଛି ସେ ନିଜ ଭାବକୁ ଭାଷାର ରୂପ ଦେଇ ଅନ୍ୟ ଆଗରେ ପରିପ୍ରକାଶ କରିପାରେ । ତେଣୁ ତାର ସେଇ ସବୁ ବିଚିତ୍ରତା ଯୋଗୁ ସେ ସଗର୍ବେ ଘୋଷଣା କରେ ସମଗ୍ର ପୃଥିବୀର ସର୍ବଶକ୍ତିମାନ ଓ ସର୍ବୋଚ୍ଚ ପ୍ରାଣୀ ଭାବରେ ନିଜକୁ । ଆକାଶରେ ଉଡିବା ଠାରୁ ଆଜି ଜଳରେ ବୁଡିବା ଯାଏଁ, ଏପରିକି ଆଲୋକଠୁ ମଧ୍ୟ ଆହୁରି ଅଧିକ ବେଗରେ ଗତି କରୁଥିବା ଆଧୁନିକ ଯାନବାହାନର ଆବିଷ୍କାର କରିସାରି ଥିବା ଏଇ ବିଚିତ୍ର ମଣିଷ ଈଶ୍ୱରଙ୍କ ଏଇ ଅପୂର୍ବ ସୃଷ୍ଟି ଧରଣୀ ରାଣୀକୁ ଛାଡି ମଙ୍ଗଳ ଗ୍ରହରେ ରହିବାର ବାଟ ବି ସେ ଖୋଜିସାରିଛି । ତଥାପି ବଦଳି ପାରିନି ମଣିଷର ସେଇ ପ୍ରକୃତି, ପ୍ରବୃତ୍ତି ଓ ଦୃଷ୍ଟିଭଙ୍ଗୀ ।

କହିବାର ତାତ୍ପଯ୍ୟ ଏଇଆ ଯେ ମଣିଷ ଆଜି ଯେତେ ଆଧୁନିକତା ଆଡ଼କୁ ଗତି କରୁଛି ତାର ଦୃଷ୍ଟିଭଙ୍ଗୀ ସେତେ ବଦଳିବାରେ ଲାଗିଛି । ବନଜଙ୍ଗଳରେ ବାସକରୁଥିବା ସେଇ ଆଦିମ ମଣିଷ ଓ ଆଜିର ମଣିଷ ଭିତରେ ଆଜି ଆକାଶ ପାତାଳ ତଫାତ । ଆଧୁନିକତାର ପ୍ରଭାବ ଓ ଯାନ୍ତ୍ରିକ ସଭ୍ୟତାର ପ୍ରଭାବ ଆଜି ମଣିଷକୁ ବିଶେଷ ଭାବରେ ପ୍ରଭାବିତ କରିଛି । ଆଧୁନିକ ଜ୍ଞାନ କୌଶଳର ଉପଯୋଗ କରି ଆଜି ମଣିଷ ଅସାଧ୍ୟ ସାଧନ କରିପାରୁଛି । ପିଲା ଠାରୁ ବୁଢା ସମସ୍ତ ଙ୍କ ପାଖରେ ଆଜି ରହିଛି ମୋବାଇଲ । ଇଣ୍ଟରନେଟ ସାହାଯ୍ୟରେ ଯେ କୌଣସି ସମୟରେ ଯେ କୌଣସି ବିଷୟ ଅତି ସହଜରେ ଆଉ ତା ପୁଣି ସ୍ୱଳ୍ପ ସମୟ ମଧ୍ୟରେ ଜାଣିପାରୁଛି ଆଜିର ମଣିଷ । ଯାହା ମଣିଷକୁ ଆଜି ଭିନ୍ନ ଦିଗନ୍ତର ପଥିକ ସଜାଇ ଦେଇଛି । ସମସ୍ତଙ୍କ ମନରେ ଆଜି ଅଶ୍ଳୀଳ ଓ ଅନୈତିକ ଦୃଷ୍ଟିଭଙ୍ଗୀର ବିଜ ବପନରେ ଏଇ ଆଧୁନିକତା ସମ୍ପୂର୍ଣ୍ଣ ଭାବରେ ଦାୟୀ । ଯେପରି ଏକ ନବ ଯୌବନା ବାରାଙ୍ଗନାକୁ ଅବଲୋକନ ପୂର୍ବକ କବି, ଭାବୁକ, ପ୍ରେମିକ, ସନ୍ୟାସୀଙ୍କ ମତାମତ ନିଆଯାଏ ତାହେଲେ ସେମାନଙ୍କ ମତ ନିମ୍ନ ପ୍ରକାର ହୁଅନ୍ତା । ଯେପରି

କବି ଜଣକ ତରୁଣୀର ରୂପକୁ ପ୍ରକୃତି ସହ ତୁଳନା କରି ଭାବ ବିହ୍ଵଳିତ ହୋଇଉଠିବା ବେଳେ ଭାବୁକ ଜଣକ ତାର ସୌନ୍ଦର୍ଯ୍ୟକୁ ଭୂୟସୀ ପ୍ରସଂଶା କରି ତାର ରୂପରେ ବିମୁଗ୍ଧ ହୋଇଥାନ୍ତେ ଠିକ୍‌ ସେହିପରି ପ୍ରେମିକ ଜଣକ କାମନାବଣରେ ଅଧୀର ହୋଇ ଦେହ ଭୋଗ ବାସନା ପୋଷଣ କଲାବେଳେ ସନ୍ୟାସୀ ଜଣକ ଦେବୀ ଦୁର୍ଗାଙ୍କ ପ୍ରତିରୂପ ସହ ତୁଳନା କରି ବନ୍ଦନା ପାଠରେ ଲାଗିପଡ଼ନ୍ତେ । ଯାହା ଶଶୀଭୂଷଣ ରାୟଙ୍କ ‘ସୌନ୍ଦର୍ଯ୍ୟ ଓ ପ୍ରେମ’ ପ୍ରବନ୍ଧରେ ପ୍ରତୀୟମାନ ହୁଏ । ଠିକ୍‌ ସେଇପରି ଆଜି ଦୃଷ୍ଟିଭଙ୍ଗୀର ତାରତମ୍ୟ ପରିଲକ୍ଷିତ ହେଉଛି ଆଜିର ସମାଜରେ । ଯାହା ଏକ ଛୋଟ ଉଦାହରଣରୁ ସ୍ପଷ୍ଟ ହୋଇପାରିବ-

ସମୟ ପ୍ରାୟ ୧ଟା ପାଖାପାଖି । ଖରାଦିନ ସହର ମୁଖ୍ୟରାସ୍ତା ର ବାମ ପାର୍ଶ୍ୱରେ ଥିବା ଏକ ବରଗଛ ତଳେ ଛୋଟିଆ ଗୁପ୍‌ଚୁପ୍‌ ଠେଲାଟିଏ । ସେଇଥି ଚାରିପାଞ୍ଚ ଜଣ କଲେଜ ଛାତ୍ର ତା ସହିତ ଜଣେ ବୃଦ୍ଧ ଯାହାଙ୍କ ବୟସ ପାଖାପାଖି ଷାଠିଏ ବର୍ଷ ହେବ । ମୁଣ୍ଡର ବାଳ ସବୁପାଚି ପବନରେ ଉଡୁଥାଏ । ଠିକ୍‌ ତାଙ୍କରି ବାଆଁ ପଟେ ଦୁଇଜଣ ମଧ୍ୟବୟସ୍କ ଯୁବକ ପ୍ରାୟ ବିବାହିତ ଜଣାପଡୁଥାନ୍ତି । ଠିକ୍‌ ଏଇ ସମୟରେ ଗୋଟିଏ ମଟରସାଇକେଲ ରେ ଜଣେ ନବଯୌବନା ଯୁବତୀ ଓ ତାଙ୍କ ପଛ ସିଟରେ ଜଣେ ଭଦ୍ରବ୍ୟକ୍ତି । ଯାହାଙ୍କ ବୟସ ପ୍ରାୟ ଚାଳିଶ ପାଖାପାଖି ହେବ । ଯୁବତୀ ଜଣକ ନେରୋ ଜିନ୍ସ ପ୍ୟାଣ୍ଟ ସାଙ୍ଗକୁ ଗୋଟେ ଢିଲା ସାଟ ତା ସାଥିକୁ ଗୋଟେ ବଡ଼ ଚଷମା ପିନ୍ଧି ଥାନ୍ତି ଏବଂ ଆମ ଆଡକୁ ଆସୁଛନ୍ତି । ଆସିକି ସେଇ ଠେଲା ପାଖରେ ମଟରସାଇକେଲକୁ ରଖିଦେଇ କିଛି ସମୟ ସେଇଠି ଛିଡାହେଲେ । ଏଇ ଛିଡା ହେବା ସମୟରେ ମୁଁ ଅନୁଭବ କରୁଥାଏ ସମସ୍ତେ କେମିତି ସେଇ ଯୁବତୀ ଜଣକଙ୍କୁ ଚାହିଁଥାନ୍ତି । କିଛି ସମୟ ପରେ ସେଇ ଯୁବତୀ ଜଣକ ଗୁପଚୁପ ଖାଇ ସେଇଠୁ ଚାଲିଗଲେ । ତାଙ୍କ ଗଲାପରେ ସେଇ କଲେଜ ଛାତ୍ର ମାନଙ୍କ ଭିତରୁ ଜଣେ ତାଙ୍କୁ ଅଶ୍ଳୀଳ ଦୃଷ୍ଟିଭଙ୍ଗୀରେ ଦେଖି କହିଲେ “ବୁଢା ଟାକୁ ଦେଖ ଏତେ ବୁଢା ବୟସରେ ବି ଟୋକି ସାଥିରେ ମଜା ନେଉଛି , କେତେ ଆରାମରେ ବସିଯାଇଛି ” ବୋଲି କହିଲା ବେଳେ ଅନ୍ୟ ଯୁବକ ଟିଏ ସେମାନଙ୍କ ସମ୍ପର୍କକୁ ନେଇ ମନରେ ସନ୍ଦେହର ଅବକାଶ କଲେ ଠିକ ସେଇ ପରି ବୃଦ୍ଧ ଜଣକ ସମୟକୁ ଦୋଷ ଦେଇ ଚୁପରହିଲେ । କିନ୍ତୁ ପ୍ରକୃତରେ ପଛ ସିଟରେ ବସିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଯୁବତୀ ଜଣଙ୍କ ବାପା ।

ଏହା କହିବାର ତାତ୍ପଯ୍ୟ ହେଉଛି ଆଜି ସମାଜରେ ମଣିଷର ଦୃଷ୍ଟିଭଙ୍ଗୀ କେତେ ତଳକୁ ଖସିଗଲାଣି । ବାପଝିଅର ସମ୍ପର୍କକୁ ମଧ୍ୟ ଆଜିର ସମାଜ ଖରାପ ଦୃଷ୍ଟିରେ ଦେଖିବା ଆରମ୍ଭ କରିଦେଲାଣି । ଏପରିକି କଲେଜରୁ ଫେରୁଥିବା ଭାଇଭଉଣୀର ସମ୍ପର୍କ ଉପରେ ମଧ୍ୟ ଆଜି କୁଦୃଷ୍ଟି ପଡିସାରିଲାଣି । ଏଇଟା ସତ ଯେ ଆଜିର ସମାଜରେ ଏମିତି ଅନେକ ଘଟଣା ଘଟୁଛି ଯାହା କେବେ ବିଶ୍ୱାସ କରାଯାଇ ନ ପାରେ । ଅନେକାଂଶ ରେ ବାପ ଝିଅ ଙ୍କର ପାପସମ୍ପର୍କ , ଗୁରୁ ଶିଷ୍ୟ ଙ୍କ ଭିତରେ କୁସମ୍ପର୍କ ଏପରିକି ସମ୍ପର୍କ ନାଆ ରେ କେତେଯେ ଆପରାଧ ଆଜି ଘଟିଚାଲିଛି । ଯେଉଁଥି ପାଇଁ ଆଜି ମଣିଷ ଆଖିରେ କେବଳ କୁଦୃଷ୍ଟିର କଳାବାଦଲ ଛାଇହୋଇରହିଛି । ତା ବାହାରେ ମଧ୍ୟ ଆମକୁ ଦୃଷ୍ଟିଭାଙ୍ଗୀ ବଦଳାଇବାକୁ ପଡିବ ଏକ ସୁସମାଜ ଗଠନ ପାଇଁ । ଏକ ନୂତନ ସୁସଂସ୍କାରୀତ ଆଗାମୀ ପିଢ଼ି ଗଠନର ଉଦ୍ଦେଶ୍ୟ ନେଇ । ଜଣ କୁ ଦେଖି ଗଣ ଉପରେ ପ୍ରୟୋଗ କରିବା ଆମକୁ ବନ୍ଦ କରିବାକୁ ପଡିବ । ତା ନ ହେଲେ ସେ ଦିନ ଆଉ ଦୂର ନାହିଁ ଯେଉଁଦିନ ମଣିଷ ମନରେ ବିଶ୍ୱାସ ଓ ଭରସାର ଚିହ୍ନବର୍ଣ୍ଣ ବି ଆଉ ରହିବନି । ରହିଯିବି କେବଳ ମିଛ କେଲେଙ୍କାରୀ ଅପଭ୍ରଷ୍ଟ ମଣିଷର ବିଦ୍ରୁପ ଅନୈତିକ ଚେହେରା । ନ ଥିବ ଏଇ ସ୍ନେହ ପ୍ରେମ ଓ ମମତାର ଡୋର ।

ଆମ ସମାଜରେ ବଡ଼କୁ ଦେଖି ହିଁ ସାନ ମାନେ ଶିଖିଥାନ୍ତି । ତେଣୁ ଆମକୁ ନିଜ ଦୃଷ୍ଟିଭଙ୍ଗୀ ବଦଳାଇବାକୁ ପଡିବ । ଯାହା ଏକ ନୂତନ ସମାଜ ଗଠନ ପାଇଁ ନିହାତି ଆବଶ୍ୟକର ବିଷୟ । ତେଣୁ ଆସନ୍ତୁ ଦୃଷ୍ଟିଭଙ୍ଗୀ ପରିବର୍ତ୍ତନ କରିବା ଆଉ ଗଢିବା ଏକ ସ୍ୱର୍ଗୀୟ ସମାଜ ଯେଉଁଠି ଥିବ ସ୍ନେହ , ପ୍ରେମ, ଭରଷା ଓ ମାନବିକତା ।

ଗୋଟିଏ ପାଦ ପରିବର୍ତ୍ତନ ଆଡକୁ…….

ଲୋକପ୍ରିୟ ଲେଖା

To Top