ପ୍ରବନ୍ଧ

ଦ୍ୱିତୀୟ ଈଶ୍ୱର

Dr Chhayakanta Sarangi's odia prose Dwitiya Ishwara

ଲୋକଙ୍କ ବିଶ୍ୱାସ ମଣିଷର ବଞ୍ଚିବା ନିର୍ଭର କରେ ଈଶ୍ୱରଙ୍କ ଇଚ୍ଛା ଉପରେ । ରୋଗୀର ବଞ୍ଚିବା ନିର୍ଭର କରେ ଡାକ୍ତରଙ୍କ ଚିକିତ୍ସା ଉପରେ । ସେଇଥିପାଇଁ ବୋଧହୁଏ ଡାକ୍ତରମାନଙ୍କୁ ଦ୍ୱିତୀୟ ଈଶ୍ୱର କୁହାଯାଏ ।

ଦ୍ୱିତୀୟ ଈଶ୍ୱର

କିଛି ମାସ ତଳେ ବୁର୍ଲା ମେଡ଼ିକାଲ୍ କଲେଜ୍ ଓ ଡାକ୍ତରଖାନାରେ ବାହାରିଆ ଗୁଣ୍ଡାମାନଙ୍କ ବିରୋଧରେ ଡାକ୍ତରୀ ଛାତ୍ରମାନେ ଆନ୍ଦୋଳନ କରିଥିଲେ ଓ ବୁର୍ଲା ସମେତ ରାଜ୍ୟର ତିନୋଟିଯାକ ମେଡ଼ିକାଲ୍ କଲେଜ୍ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ଅଚଳାବସ୍ଥାରେ ପହଞ୍ଚିଥିଲା । ବିଡ଼ମ୍ୱନାର ବିଷୟ ଯେ ଗୁଣ୍ଡାଗିରିକୁ ବିରୋଧ କରିଥିବା ସେହି ଛାତ୍ରମାନେ କିଛିଦିନ ତଳେ ନିଜେ ଗୁଣ୍ଡାଗିରି କରିଛନ୍ତି । କଲେଜର ଫିଜିଓଥେରାପି ବିଭାଗକୁ ସେମାନେ ଧ୍ୱସ୍ତବିଧ୍ୱସ୍ତ କରିପକାଇଛନ୍ତି । ପରିବେଷିତ ଖବର ଅନୁଯାୟୀ ପ୍ରାୟ ୫୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଛି । ସବୁଠାରୁ ବେଶି ଦୁର୍ଭାଗ୍ୟଜନକ ହେଉଛି ଆନ୍ଦୋଳନର କାରଣ । କେତେକ ଛାତ୍ରଛାତ୍ରୀ ପରୀକ୍ଷାରେ ଫେଲ୍ ହୋଇଥିବାରୁ ଅସନ୍ତୋଷ ପ୍ରକାଶ କରି ଏହି ଭୟଙ୍କର କାଣ୍ଡ ଭିଆଇଛନ୍ତି । ଅର୍ଥାତ୍ ସେମାନେ ଯାହା ଲେଖିଲେ ବି ପରୀକ୍ଷକ ପାସ୍ ନମ୍ୱର ଦେବା ପାଇଁ ବାଧ୍ୟ । କୌଣସି ଜ୍ଞାନ ନ ଥାଇ ଏମାନେ ପାସ୍ କରିବେ, ଡାକ୍ତର ହେବେ, ଭୁଲ୍ ଚିକିତ୍ସା କରିବେ ଓ ଶେଷରେ ରୋଗୀ ମୃତ୍ୟୁର କାରଣ ହେବେ । ଆଉ ଯେଉଁମାନେ ଭଲ ନମ୍ୱର ରଖି ପାସ୍ କରିବେ ସେମାନେ ଚିକିତ୍ସା ବିଦ୍ୟାକୁ ସେବା ମାଧ୍ୟମ ଭାବରେ ବ୍ୟବହାର ନ କରି ଅର୍ଥ ଉପାର୍ଜନର ମାଧ୍ୟମ ଭାବରେ ବ୍ୟବହାର କରିବେ ।

ବିଭିନ୍ନ ସମୟରେ ରୋଗୀଙ୍କଠାରୁ ଲାଞ୍ଚ ନେବା ଅପରାଧରେ ଡାକ୍ତର ଗିରଫ୍ ହେଉଥିବାର ଖବର ପ୍ରକାଶ ପାଏ । ରୋଗୀକୁ ଅପରେଶନ ଟେବୁଲ୍‌କୁ ନିଆଯିବା ପୂର୍ବରୁ ଦର ନ ଛିଣ୍ଡିଲେ ଡାକ୍ତର ଅପରେଶନ କରୁ ନ ଥିବା ଅଭିଯୋଗ ହୁଏ । କିଡ୍ନୀ ଚୋରି ଅପରାଧରେ ବି ଡାକ୍ତର ଜଡ଼ିତ ଥିବାର ଖବର ଅନେକ ସମୟରେ ପ୍ରକାଶ ପାଏ । ଲୋକଙ୍କ ବିଶ୍ୱାସ ମଣିଷର ବଞ୍ଚିବା ନିର୍ଭର କରେ ଈଶ୍ୱରଙ୍କ ଇଚ୍ଛା ଉପରେ । ରୋଗୀର ବଞ୍ଚିବା ନିର୍ଭର କରେ ଡାକ୍ତରଙ୍କ ଚିକିତ୍ସା ଉପରେ । ସେଇଥିପାଇଁ ବୋଧହୁଏ ଡାକ୍ତରମାନଙ୍କୁ ଦ୍ୱିତୀୟ ଈଶ୍ୱର କୁହାଯାଏ । ପିଲାଦିନେ ମେଧାବୀ ଛାତ୍ରମାନଙ୍କୁ ସେମାନଙ୍କ ଲକ୍ଷ୍ୟ କ’ଣ ବୋଲି ପଚାରିଲେ ଉତ୍ତର ମିଳେ ଆମେ ଡାକ୍ତର ହେବୁ, ମାନବ ଜାତିର ସେବା କରିବୁ । ମାତ୍ର ଡାକ୍ତର ହେବା ପରେ ସେହି ସେବାଭାବ ଉଭେଇଯାଏ । ସେବା ରୂପାନ୍ତରିତ ହୁଏ ବ୍ୟବସାୟରେ । କେବଳ ଧନୀବ୍ୟକ୍ତିମାନେ ତାଙ୍କ ସେବା କିଣିପାରି ସୁସ୍ଥ ହୁଅନ୍ତି । କିନ୍ତୁ ଗରିବମାନେ ଡାକ୍ତରଙ୍କୁ ଉଚ୍ଚ ଫି’ ଦେଇ ନ ପାରି ତାଙ୍କ ଚିକିତ୍ସାରୁ ବଞ୍ଚିତ ହୁଅନ୍ତି ଓ ମୃତ୍ୟୁବରଣ କରନ୍ତି । ଏହି ଦ୍ୱିତୀୟ ଈଶ୍ୱରମାନେ ସେମାନଙ୍କ ଦିବ୍ୟତ୍ୱକୁ ଭୁଲିଯାଆନ୍ତି । ଅର୍ଥ ଉପାର୍ଜନ ଅଭିଳାଷ ସେମାନଙ୍କ ଦିବ୍ୟତ୍ୱ କ’ଣ ମନୁଷ୍ୟତ୍ୱକୁ ବି ହରଣ କରେ । ବିନା ଫି’ରେ ମନୁଷ୍ୟ ମନୁଷ୍ୟ ପ୍ରତି ଯେଉଁ ସମବେଦନା ଦେଖାଇବା କଥା ସେତକ ବି ଦେଖିବାକୁ ମିଳେ ନାହିଁ । ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀର ଯନ୍ତ୍ରଣା ସେମାନଙ୍କ ହୃଦୟକୁ ସ୍ପର୍ଶ କରେ ନାହିଁ । ଗରିବ ହୋଇ ଡାକ୍ତରଙ୍କୁ ଫି’ ଦେଇ ନ ପାରି ସେ ଯଦି ନିଜ ଜୀବନରେ ସେପରି ଯନ୍ତ୍ରଣା ଅନୁଭବ କରିଥାନ୍ତେ ତା’ହେଲେ ହୁଏତ ସେମାନଙ୍କଠାରେ ରୋଗୀ ପ୍ରତି ସମବେଦନାଭାବ ପ୍ରକାଶ ପାଆନ୍ତା । ଏଣୁ ଦାର୍ଶନିକ ପ୍ଲାଟୋ କହିଥିଲେ, “ସବୁଠୁ କୁଶଳୀ ଚିକିତ୍ସକ ହେଉଛି ସେହି ବ୍ୟକ୍ତି, ଯିଏ ପ୍ରତ୍ୟେକ ଅସୁସ୍ଥତାର ଯନ୍ତ୍ରଣା ଭୋଗିଛି ।”

ଏ ସମ୍ପର୍କରେ ଗ୍ରୀକ୍ ଲୋକ କଥାଟିଏ ପ୍ରାସଙ୍ଗିକ ମନେହୁଏ । ଚିରୋନ୍ ଥିଲେ ଏକ ଅଶ୍ୱମାନବ । ଅର୍ଦ୍ଧେକ ଅଶ୍ୱ ଓ ଅର୍ଦ୍ଧେକ ମାବର ଶରୀର । ସେ ସୁରାପାନ ଓ ହିଂସାଠାରୁ ଦୂରେଇ ରହୁଥିଲେ । ସେ ଥିଲେ ବିଜ୍ଞ, ଭଦ୍ର ଓ ଦୟାଳୁ । ତାଙ୍କର ପିତା ଥିଲେ ଭଗବାନ୍ କ୍ରୋନ୍ସ । ଜନ୍ମରୁ ପରିତ୍ୟକ୍ତ ହୋଇଥିବା ଚିରୋନ୍ ସୂର୍ଯ୍ୟ ଦେବତା ଆପୋଲୋଙ୍କ ଦ୍ୱାରା ପାଳିତ ଓ ପ୍ରଶିକ୍ଷିତ ହୋଇଥିଲେ ତଥା ପିତାଙ୍କଠାରୁ ଅମରତ୍ୱର ଆଶୀର୍ବାଦ ପାଇଥିଲେ । ଥରେ ଯୁଦ୍ଧରେ ସେ ହରକ୍ୟୁଲସଙ୍କ ଦ୍ୱାରା ତୀରବିଦ୍ଧ ହେଲେ । ତା’ ସତ୍ତ୍ୱେ ତାଙ୍କର ମୃତ୍ୟୁ ହେଲା ନାହିଁ । ଅନନ୍ତକାଳର ଜୀବନ ଧରି ତାଙ୍କୁ ଅସହ୍ୟ ଯନ୍ତ୍ରଣା ଭୋଗିବାକୁ ପଡ଼ିଲା । ପିତୃଦତ୍ତ ଆଶୀର୍ବାଦ ଏବେ ତାଙ୍କ ଲାଗି ଅଭିଶାପରେ ପରିଣତ ହେଲା । ଗଭୀର ମନସ୍ତାପ ଓ ଯନ୍ତ୍ରଣା ଲାଘବ କରିବା ପାଇଁ ସେ ଅରଣ୍ୟରେ ଔଷଧୀୟ ଗୁଳ୍ମଲତା ଖୋଜିବାକୁ ଲାଗିଲେ । ଏ ଦିଗରେ ତାଙ୍କର ବିଶେଷ ଜ୍ଞାନ ଓ ଦକ୍ଷତା ବଢ଼ିଗଲା । କ୍ରମେ ଯନ୍ତ୍ରଣା ଭୋଗୁଥିବା ପ୍ରାଣୀଙ୍କ ଲାଗି ସମ୍ୱେଦନଶୀଳ ହୋଇ ସେବା ସହ ଔଷଧ ଦାନ କରି ସେ ସେମାନଙ୍କ ଦୁଃଖ ଲାଘବ କଲେ । ସେ ଥିଲେ କ୍ଷତାକ୍ତ ଚିକିତ୍ସକ । ଚିରୋନ୍‌ଙ୍କ ନାମ ଅନୁସାରେ ବୋଧହୁଏ ଫରାସୀ ଶବ୍ଦ “ଚିରରୁଗି” (ଇଂଲିଶରେ ସର୍ଜରି)ର ସୃଷ୍ଟି ।

ଏବେ ରୋଗୀମାନଙ୍କ ପ୍ରତି ଡାକ୍ତରମାନଙ୍କ ସମ୍ୱେଦନଶୀଳତା ପରିଲକ୍ଷିତ ହେଉ ନାହିଁ । ରୋଗରେ ପଡ଼ିଲେ ସାଧାରଣ ବ୍ୟକ୍ତିଟିଏ ସର୍ବସ୍ୱାନ୍ତ ହୋଇଯାଉଛି । ଆଜି ରୋଗର ଭୟାବହତା ଓ ରୋଗୀଙ୍କ ସଂଖ୍ୟା ଯେପରି ବଢ଼ିବାରେ ଲାଗିଛି ଡାକ୍ତରଙ୍କ ଫି’ ମଧ୍ୟ ସେପରି ହୁ’ ହୁ’ ହୋଇ ବଢ଼ିଚାଲିଛି । ରୋଗୀଟିଏ ଯେତେବେଳେ ଘରୋଇ କ୍ଲିନିକ୍ରେ ଭଲ ଚିକିତ୍ସା ପାଇବ ଭାବି ସେଠାକୁ ଯାଏ, ସେ ସୁସ୍ଥ ହୋଇ ଫେରିବା ବେଳକୁ ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ କରି ସାରିଥାଏ । ତଥାପି ଏହି ଅର୍ଥଲୋଭୀ ଯୁଗରେ ଏପରି ଡାକ୍ତର ବି ଅଛନ୍ତି ଯିଏ ରୋଗୀଠାରୁ ମାତ୍ର ପାଞ୍ଚଟଙ୍କା ଫି’ ନିଅନ୍ତି । ବଜାର ଦର ଦିନକୁ ଦିନ ଦ୍ରୁତଗତିରେ ବଢ଼ି ଚାଲିଥିଲେ ମଧ୍ୟ ୧୯୬୭ରୁ ସେ ଆଜି ପର୍ଯ୍ୟନ୍ତ ସେହି ପାଞ୍ଚଟଙ୍କା ଫି’ ନେଉଛନ୍ତି । ସେ ହେଉଛନ୍ତି ରାଞ୍ଚିର ଡାକ୍ତର ଶ୍ୟାମାପ୍ରସାଦ ମୁଖାର୍ଜୀ, ଯାହାଙ୍କ ବୟସ ଏବେ ୭୫ ବର୍ଷ । ଡାକ୍ତର ମୁଖାର୍ଜୀ ଦିନର ଅଧିକାଂଶ ସମୟ ରୋଗୀ ଦେଖାରେ ବିତାଇଥାନ୍ତି । ତାଙ୍କ କ୍ଲିନିକ୍‌ରେ ଏକ ପାଥୋଲୋଜି ଲାବ୍ରୋଟୋରୀ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ଅଛି । କମ୍ ଫି’ରେ ଚିକିତ୍ସା କରିବା ସହ ଗରିବମାନଙ୍କୁ ସେ ମାଗଣାରେ ଔଷଧ ଦିଅନ୍ତି । ଯେଉଁ ଧନୀ ବ୍ୟକ୍ତିମାନେ ତାଙ୍କୁ ବେଶି ଟଙ୍କା ଦେବାକୁ ଚାହାନ୍ତି ସେ ସେମାନଙ୍କୁ କହନ୍ତି, “ମୁଁ ଅଧିକ ଫି’ ନେବି ନାହିଁ । ଯଦି ତୁମେ ଅଧିକ ଖର୍ଚ୍ଚ କରିବାକୁ ଚାହୁଁଛ ତେବେ ଗରିବଙ୍କ ପାଇଁ ଖର୍ଚ୍ଚ କର ।”

shyama_prasad_mukherjeeଡା. ମୁଖାର୍ଜୀ ସାଢ଼େ ଦଶ ବାଜିଲେ ରାଞ୍ଚିର ଲାଲପୁରସ୍ଥିତ ନିଜ କ୍ଲିନିକ୍‌ରେ ପହଞ୍ଚନ୍ତି ଓ ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ରୋଗୀ ଦେଖନ୍ତି । ତାଙ୍କର ଏହି ନିରବଚ୍ଛିନ୍ନ ସେବା ପଛରେ ତାଙ୍କ ପତ୍ନୀ ଉମାଙ୍କର ବି ଯଥେଷ୍ଟ ଅବଦାନ ଅଛି । ନିଜର ଅସୁସ୍ଥତା ସତ୍ତ୍ୱେ ସେ ସ୍ୱାମୀଙ୍କୁ ସର୍ବଦା ରୋଗୀ ସେବାରେ ସାହାଯ୍ୟ ଓ ସହଯୋଗ କରିଛନ୍ତି । ଏତେ କମ୍ ରୋଜଗାରରେ ବି ସେ ବିଭିନ୍ନ ସ୍କୁଲ୍‌କୁ ଅନୁଦାନ ଦେଇଥାନ୍ତି । ଚିକିତ୍ସା ସେବାରୁ ବଞ୍ଚିତ ଗରିବଙ୍କ ମୁହଁରେ ହସ ଫୁଟାଇବାକୁ ସେ କ୍ଲିନିକ୍ ଖୋଲିଛନ୍ତି । ପାଟ୍ନା ମେଡ଼ିକାଲ୍ କଲେଜ୍‌ରୁ ଏମ୍ବିବିଏସ୍ ଡିଗ୍ରୀ ହାସଲ କରି ମୁଖାର୍ଜୀ ଦରଭଙ୍ଗା ମେଡ଼ିକାଲ୍ କଲେଜ୍‌ରୁ ଏମ୍.ଡ଼ି. ଡିଗ୍ରୀ ହାସଲ କରିଛନ୍ତି । ରାଞ୍ଚିର ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ୍ ସାଇନ୍ସ ପାଥୋଲୋଜି ବିଭାଗର ମୁଖ୍ୟ ଭାବେ ସେ ଅବସର ଗ୍ରହଣ କରିଛନ୍ତି । ସେବାକୁ ଜୀବନର ମହାବ୍ରତ ଭାବି ଦୀର୍ଘ ୪୪ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସେବା ଯୋଗାଇ ଆସୁଥିବା ମୁଖାର୍ଜୀ ଆଜିର ଅର୍ଥଲୋଭୀ ଡାକ୍ତରମାନଙ୍କ ପାଇଁ ଜଣେ ଆଦର୍ଶ ନିଶ୍ଚୟ ।

ଯେଉଁ ରାଞ୍ଚି ସହରରେ ଡା. ମୁଖାର୍ଜୀଙ୍କ କ୍ଲିନିକ୍ ସେଠାରେ ଉଚ୍ଚ ଫି’ ନେଉଥିବା ଡାକ୍ତରମାନଙ୍କ ଅଭାବ ନାହିଁ । ଦୁଃଖର ବିଷୟ ଯେ ମୁଖାର୍ଜୀଙ୍କ ଆଦର୍ଶ ଅନ୍ୟ କାହାରି ଉପରେ କୌଣସି ପ୍ରଭାବ ପକାଇପାରେ ନାହିଁ । ସମସ୍ତେ ଅର୍ଥ ପଛରେ ଦୌଡୁଛନ୍ତି । ଯଦି ବି କେବେ ଡାକ୍ତର ବିନା ଅର୍ଥରେ ଚିକିତ୍ସା କରିଥାନ୍ତି, ତା’ ପଛରେ ବି ଅନ୍ୟ କୌଣସି ସ୍ୱାର୍ଥ ଥାଇପାରେ ବୋଲି ଜର୍ଜ ବର୍ଣ୍ଣାଡ୍ ଶ’ଙ୍କ ନାଟକ ଡକ୍ଟର୍ସ ଡିଲେମା ସୂଚନା ଦିଏ । ଡାକ୍ତରମାନଙ୍କ ଚିକିତ୍ସାକୁ ନେଇ ବର୍ଣ୍ଣାଡ ଶ’ ଏହି ନାଟକ ଲେଖିଥିଲେ ।

ଜଣେ ବିଶିଷ୍ଟ ଡାକ୍ତର ଗୋଟିଏ ମାରାତ୍ମକ ରୋଗର ଔଷଧ ଆବିଷ୍କାର କରିଥାନ୍ତି । ତାଙ୍କ ହେପାଜତରେ ଥିଲେ ଦୁଇଜଣ ରୋଗୀ-ଜଣେ ଅକର୍ମଣ୍ୟ ବୃଦ୍ଧ ଡାକ୍ତର ଓ ଅନ୍ୟ ଜଣକ ପ୍ରତିଭାବାନ୍ ଶିଳ୍ପୀ । କିନ୍ତୁ ନାଟ୍ୟକାର ଘଟଣାଟିକୁ ଏପରି ଭାବରେ ସଜାଇଛନ୍ତି- ଚିକିତ୍ସକ ଗବେଷଣାଲବ୍ଧ ସୁବିଧାର ଉପଯୋଗୀ କରି ମାତ୍ର ଜଣକୁ ବଞ୍ଚାଇପାରିବେ । ସମସ୍ୟା ହେଲା, ବୃଦ୍ଧ ଡାକ୍ତର ରୋଗୀକୁ ବଞ୍ଚିବାକୁ ଦେବେ ନା ଯୁବକ ଶିଳ୍ପୀକୁ ? ସୌଜନ୍ୟର ପରମ୍ପରା ଅନୁସାରେ ଅସୁସ୍ଥ ଡାକ୍ତରଟିର ଦାବି ଅଧିକ କିନ୍ତୁ ତା’ ଜୀବନ ରଖିବା ନିରର୍ଥକ । ଅପରପକ୍ଷରେ ଶିଳ୍ପୀର ସମାଜକୁ ବହୁ ଅବଦାନ ଦେବା ନିମନ୍ତେ ସମୟ ଓ ସାମର୍ଥ୍ୟ ଅଛି । ତଥାପି ଚିକିତ୍ସକ ମହୋଦୟ ଅକର୍ମଣ୍ୟ ଡାକ୍ତର-ରୋଗୀକୁ ହିଁ ବଞ୍ଚାଇଲେ ଓ ଶିଳ୍ପୀକୁ ମୃତ୍ୟୁବରଣ କରିବାକୁ ଛାଡ଼ିଦେଲେ । ସେ ଏହା କଲେ ଡାକ୍ତର ପ୍ରତି ଡାକ୍ତରର ସୌଜନ୍ୟ ପରମ୍ପରା ଯୋଗୁଁ ନୁହେଁ, ଅର୍ଦ୍ଧଚେତନ ଭାବରେ ଏତିକି କଲେ, ଯେହେତୁ ଶିଳ୍ପୀଟିର ସୁନ୍ଦର ସ୍ତ୍ରୀ ପ୍ରେମରେ ସେ ପଡ଼ିଯାଇଥିଲେ ଓ ଶିଳ୍ପୀର ବିୟୋଗ ପରେ ସେ ତାକୁ ବିଭା ହେବାର ସ୍ୱପ୍ନ ଦେଖୁଥିଲେ । ନାଟକକୁ ହାସ୍ୟରସାତ୍ମକ କରିବା ପାଇଁ ଶ’ ଶେଷରେ ଏହାକୁ ଏକ ଭିନ୍ନ ମୋଡ଼ ଦେଇଛନ୍ତି । ଯେତେବେଳେ ଚିକିତ୍ସକ ମହୋଦୟ ସେ ପ୍ରସ୍ତାବ ଉପସ୍ଥାପନ କରନ୍ତି ସେତେବେଳେ ସେ ସୁନ୍ଦରୀ ପୁଣି ଥରେ ବିଭା ହୋଇସାରିଲାଣି, କାରଣ ମୃତ୍ୟୁଶଯ୍ୟାରେ ତା’ର ଶିଳ୍ପୀ ସ୍ୱାମୀ ତାକୁ ସେହି ନିର୍ଦ୍ଦେଶ ଦେଇଯାଇଥିଲେ ।

ତଥାପି ସବୁ ଡାକ୍ତର ସମାନ ନୁହଁନ୍ତି । ଏବେ ବି ଅଛନ୍ତି ଦେବତୁଲ୍ୟ ଡାକ୍ତର । ଡାକ୍ତର ମୁଖାର୍ଜୀଙ୍କ ଭଳି ସେମାନେ ରୋଗୀ ସେବାକୁ ନିଜର ବ୍ରତ ବୋଲି ଧରିନେଇ ଚିକିତ୍ସା କରୁଛନ୍ତି । ଯେଉଁ ଡାକ୍ତର ରୋଗୀ ସେବାକୁ ଅର୍ଥ ଉପାର୍ଜନର ମାଧ୍ୟମ ଭାବେ ଗ୍ରହଣ ନ କରି ବ୍ରତ ଭାବରେ ଗ୍ରହଣ କରିଛନ୍ତି ସେମାନେ ପ୍ରକୃତ ଦ୍ୱିତୀୟ ଈଶ୍ୱର । ଏମାନଙ୍କ ଚିକିତ୍ସାରେ ଯେତେବେଳେ ବ୍ୟାଧିମୁକ୍ତ ମଣିଷ ଆଶ୍ୱସ୍ତ ହୁଏ ଏବଂ ତା’ ଓଠରୁ ହସ ଓ ଆଖିରୁ ଲୁହ ଗଡ଼ିପଡ଼େ ତାହା ହିଁ ହେଉଛି ଏହି ଈଶ୍ୱରମାନଙ୍କ ପ୍ରତି ପ୍ରକୃତ ଭକ୍ତି ନୈବେଦ୍ୟ ।

ଲୋକପ୍ରିୟ ଲେଖା

To Top