ପ୍ରବନ୍ଧ

ଏହା ସତ୍ୟ ନା ତାହା ସତ୍ୟ

Odia Author Biswajeeban Mishra

ଆପଣମାନେ କାହାକୁ ଦେଖି ହସୁଛନ୍ତି ? ପ୍ରକୃତି ବା ପରମେଶ୍ୱରଙ୍କ ସୃଷ୍ଟିକୁ ନା ସ୍ରଷ୍ଟା ପରମେଶ୍ୱରଙ୍କୁ । ସବୁରି ମୂଳସତ୍ତା ତ ଏକ । ସ୍ରଷ୍ଟା ପରମେଶ୍ୱର ଏବଂ ପରମେଶ୍ୱରଙ୍କ ସୃଷ୍ଟି ଭିତରେ ଭିନ୍ନତା ବା କାହିଁ !

ଏହା ସତ୍ୟ ନା ତାହା ସତ୍ୟ

କଥା ରାଜା ଜନକଙ୍କର . . .

ରାଜ ଉଆସର ଶୟନକକ୍ଷରେ ସ୍ୱପ୍ନାବିଷ୍ଟ ରାଜନ୍ ସ୍ୱପ୍ନରେ ଆଜି ପାଲଟି ଯାଇଛନ୍ତି କପର୍ଦ୍ଦକଶୂନ୍ୟ, ସର୍ବସୁଖ-ସ୍ୱାଚ୍ଛନ୍ଦ୍ୟ ବିଯୁକ୍ତ, ଜଣେ ଦୀନହୀନ ଭିକ୍ଷୁକ । କ୍ଷୁଧା-ତୃଷ୍ଣା ନିବାରଣ ପାଇଁ ଦ୍ୱାର ଦ୍ୱାର ବୁଲିବାର ଉଦ୍ଯୋଗ ନିଷ୍ଫଳ ଉପବାସର ଆଜି ତୃତୀୟ ଦିବସ । ଏକଦା ପ୍ରଚଣ୍ଡ ପରାକ୍ରମର ସ୍ୱାକ୍ଷର ବହନ କରୁଥିବା ବିଶାଳ ବପୁ ଆଜି ଜଠରାଗ୍ନିର ଜ୍ୱାଳାରେ ସନ୍ତୁଳିତ ।

ଦୁର୍ବାର ଯନ୍ତ୍ରଣାରେ ବ୍ୟସ୍ତ, ବ୍ୟାକୁଳିତ ଜନକଙ୍କର ହଠାତ୍ ନିଦ୍ରାଭଙ୍ଗ ହେଲା ଏବଂ ତତ୍‌କ୍ଷଣାତ୍‌ ସ୍ୱପ୍ନାବସ୍ଥାର ଦୃଶ୍ୟଗୁଡ଼ିକ ଅପସରିଗଲା । ସେ ନିଜକୁ ପୂର୍ବବତ୍ ମହଲରେ ତୁଳୀତଳ୍ପ ପଲଙ୍କରେ ଆବିଷ୍କାର କଲେ । ପୂର୍ବର ସମସ୍ତ ସୁଖ, ସୁବିଧା ଯେମିତିକୁ ସେମିତି ଥିଲା ।

ଅତପର ତାଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଲା-

“ଏହା ସତ୍ୟ ନା ତାହା ସତ୍ୟ” ? ଅର୍ଥାତ୍ କିଛି ସମୟ ପୂର୍ବେ ସେ ଯାହା ସ୍ୱପ୍ନରେ ଦେଖୁଥିଲେ- ତାହା ସତ୍ୟ ନା’ ଏବେ ଜାଗ୍ରତରେ ଯାହା ଦେଖୁଛନ୍ତି ତାହା ସତ୍ୟ ?

ଅବିଳମ୍ୱେ ରାଜା ଜନକ ଦେଶର ସବୁ ବଡ଼ ବଡ଼ ବିଦ୍ୱାନମାନଙ୍କୁ ଡକାଇ ଗୋଟିଏ ସଭାର ଆୟୋଜନ କଲେ । ଘୋଷଣା କରିଦିଆଗଲା- ଯେଉଁ ବ୍ୟକ୍ତିବିଶେଷ ରାଜାଙ୍କ ଶଙ୍କା ମୋଚନ କରିବେ ତାଙ୍କୁ ଏକଶତ ଧେନୁ ପ୍ରଦାନ କରାଯିବ ଏବଂ ତତ୍ ସହିତ ସେମାନଙ୍କ ଶିଙ୍ଗରେ ସୁନା ଛାଉଣି ମଧ୍ୟ କରିଦିଆଯିବ । ଅଷ୍ଟାବକ୍ରଙ୍କ ପିତା କହୋଡ଼ଙ୍କ ସମେତ ଅନେକ ବିଦ୍ୱାନ ଜଣକ ପରେ ଜଣେ ରାଜା ଆୟୋଜିତ ସଭାକୁ ଆସିବାକୁ ଆରମ୍ଭ କଲେ । ଦୀର୍ଘ ସମୟ ଧରି ଚେଷ୍ଟା ଚାଲିଲା- ପ୍ରଶ୍ନର ସମାଧାନ ପାଇଁ ଅଥଚ ରାଜାଙ୍କ ଶଙ୍କ ନିବାରଣ ହୋଇପାରିଲା ନାହିଁ । ପ୍ରଶ୍ନ ରହିଗଲା ଅସମାହିତ-“ଏହା ସତ୍ୟ ନା ତାହା ସତ୍ୟ ?” ପିତା କହୋଡ଼ ସମାଧାନର ସୂତ୍ର କାଢ଼ିବାରେ ବିଫଳ ହେବାରୁ ବାରବର୍ଷର ଅଜାତଶ୍ମଶ୍ରୁ ବାଳକ ଅଷ୍ଟାବକ୍ର ସେହି ସଭାରେ ଯୋଗ ଦେବାର ନିଷ୍ପତ୍ତି ନେଲେ ।

ପଣ୍ଡିତମାନଙ୍କ ପାଇଁ ଉଦ୍ଦିଷ୍ଟ ସଭାରେ ଅଷ୍ଟାବକ୍ର ବଙ୍କେଇ ବଙ୍କେଇ ପ୍ରବେଶ କରନ୍ତେ, ଉପସ୍ଥିତ ସଭାସଦ୍‌ମାନେ ତାଙ୍କର ବଙ୍କା-ତେଢ଼ା ଶରୀର, ବକ୍ର ଚାଲି, ବିଚିତ୍ର ପରିପାଟ୍ଟୀକୁ ଦେଖି ଠୋ’ ଠୋ’ ହୋଇ ହସି ଉଠିଲେ । ରାଜା ଜନକ ମଧ୍ୟ ହାସ୍ୟ ସମ୍ୱରଣ କରିପାରିଲେ ନାହିଁ । କିଛି ସମୟ ଅପେକ୍ଷା କରି ଅଷ୍ଟାବକ୍ର ଧୀର, ଗମ୍ଭୀର ସ୍ୱରରେ ଜିଜ୍ଞାସା କଲେ- ଆପଣମାନେ କାହାକୁ ଦେଖି ହସୁଛନ୍ତି ? ପ୍ରକୃତି ବା ପରମେଶ୍ୱରଙ୍କ ସୃଷ୍ଟିକୁ ନା ସ୍ରଷ୍ଟା ପରମେଶ୍ୱରଙ୍କୁ । ସବୁରି ମୂଳସତ୍ତା ତ ଏକ । ସ୍ରଷ୍ଟା ପରମେଶ୍ୱର ଏବଂ ପରମେଶ୍ୱରଙ୍କ ସୃଷ୍ଟି ଭିତରେ ଭିନ୍ନତା ବା କାହିଁ ! କିନ୍ତୁ ହାୟ ! ମାତ୍ର ଏହି ଚମାରମାନଙ୍କ ସଭାରେ ସତ୍ୟର ନିର୍ଣ୍ଣୟ ବା କିପରି ସମ୍ଭବ !

. . . ଏକ ଅଦ୍ଭୁତପୂର୍ବ ଗମ୍ଭୀରତାରେ ସମଗ୍ର ସଭା ବିଲୀନ ହୋଇଗଲା । ଅଷ୍ଟାବକ୍ରଙ୍କର ଏଭଳି ଉଦ୍‌ଘୋଷଣା, ଜିଜ୍ଞାସୁ ଜନକଙ୍କ ଅନ୍ତରରେ ଉଦ୍‌ବେଳନ ସୃଷ୍ଟି କଲା । ସେ ନିରବତା ଭଙ୍ଗ କରି ତାଙ୍କର ବକ୍ତବ୍ୟ ସମ୍ୱନ୍ଧରେ ଅଧିକ ବୁଝାଇ କହିବାକୁ ଅଷ୍ଟାବକ୍ରଙ୍କୁ ଅନୁରୋଧ ଜଣାଇଲେ । ତଦନନ୍ତରେ ଅଷ୍ଟାବକ୍ର ସ୍ୱକୀୟ ବକ୍ତବ୍ୟର ବ୍ୟାଖ୍ୟା କରିବାକୁ ଯାଇ କହିଲେ-

“ଜଣେ ଚର୍ମକାର ହିଁ ଚମଡ଼ାର ମୂଲ୍ୟ ବୁଝିଥାଏ, ଆଉ ଜଣେ ଜ୍ଞାନୀ ଜ୍ଞାନର । ଯେ ଜ୍ଞାନୀ, ସେ ଜ୍ଞାନକୁ ହିଁ ଦେଖିଥାନ୍ତି, ଚମଡ଼ାକୁ ନୁହେଁ । ଏମାନଙ୍କୁ ମୋର ଚମଡ଼ା ଦେଖାଗଲା, ମୋ ଶରୀର ଖର୍ବ, ବିକୃତ ରୂପ ଦେଖାଗଲା । ଯାହାକୁ ଦେଖି ସେମାନେ ବଡ଼ ସହଜରେ ହସି ଦେଲେ । ଏମାନେ କିଭଳି ଜ୍ଞାନୀ ହୋଇପାରିବେ ? ବାସ୍ତବରେ ଏମାନେ ଚମଡ଼ା ସମ୍ପର୍କିତ ଜ୍ଞାନରେ ଧୂରୀଣ ।

ହେ ରାଜନ ! ଘଟ ମଧ୍ୟସ୍ଥ ଆକାଶ ଏବଂ ମଠର ଆକାଶ ମଧ୍ୟରେ କିଛି ଭିନ୍ନତା ଅଛି କି ? ଘଟର ଆକାର ଅନୁସାରେ ଆକାଶର ଆକୃତିରେ ପରିବର୍ତ୍ତନ ଘଟେ କି ? ମନ୍ଦିର ବଙ୍କା ହୋଇଯାଇଥିଲେ ଆକାଶ ବଙ୍କା ହୋଇଯାଏ କି ? ମନ୍ଦିର ଗୋଲ ବା ଲମ୍ୱା ହୋଇଥିଲେ, ଆକାଶ ଗୋଲ ବା ଲମ୍ୱା ହୋଇଯାଏ କି ? ଆକାଶ ସହିତ ଘଟ ବା ମନ୍ଦିରର କୌଣସି ସମ୍ୱନ୍ଧ ନାହିଁ । ଆକାଶ ହେଉଛି ନିରବୟବ ଏବଂ ଘଟ ବା ମନ୍ଦିର ହେଉଛି ସାବୟବ । ଠିକ୍ ସେହିପରି ଆତ୍ମାର ଶରୀର ସହିତ କୌଣସି ସମ୍ୱନ୍ଧ ନାହିଁ । ଶରୀର ବଙ୍କା, ତେଢ଼ା, ଦୁର୍ବଳ, ସବଳ, ସାନ, ବଡ଼ ହୋଇପାରେ ମାତ୍ର ତାହା ଆତ୍ମାର ଧର୍ମ ହୋଇପାରିବ କିପରି ?

ଆତ୍ମା ନିତ୍ୟ ଏବଂ ଶରୀର ଅନିତ୍ୟ । ତେଣୁ ହେ ରାଜନ୍ ! ଆତ୍ମଦୃଷ୍ଟି ରହିଥିବାରୁ, ଜଣେ ଜ୍ଞାନୀ ସର୍ବଘଟରେ ଏକାତ୍ମ ଦର୍ଶନ କରନ୍ତି, ସମତାର ଉପଲବ୍‌ଧ କରନ୍ତି ଅଥଚ ଚର୍ମଦୃଷ୍ଟିରେ ଅଜ୍ଞାନ, ସର୍ବତ୍ର ଭିନ୍ନତା ହିଁ ଦେଖେ ଏବଂ ନିଜର ପ୍ରତିକ୍ରିୟା ପ୍ରକାଶ କରିଥାଏ- ଏପରି ବିକାର ଯୁକ୍ତ ବ୍ୟକ୍ତିମାନଙ୍କୁ ଯଦି ଜ୍ଞାନୀ ବୋଲି କୁହାଯାଏ, ତେବେ ଅଜ୍ଞାନ ତ ଆଉ କେହି ରହିବେ ନାହିଁ !”

ଏଥି ସହ ଅଷ୍ଟାବକ୍ର ଘୋଷଣା କରିଦେଲେ ଯେ- “ଏହା ସତ୍ୟ ନୁହେଁ କି ତାହା ମଧ୍ୟ ସତ୍ୟ ନୁହେଁ । ସ୍ୱପ୍ନାବସ୍ଥା ଏବଂ ଜାଗ୍ରତବସ୍ଥା ଉଭୟ ଯେଉଁ ସ୍ୱୟଂ ପ୍ରକାଶଙ୍କ ଦ୍ୱାରା ପ୍ରକାଶିତ- ସିଏ ହିଁ ସତ୍ୟ ଏବଂ ସିଏ ହିଁ ତୁମେ ! ‘ତତ୍ତ୍ୱମସି’ ।

ଯେପରି ସ୍ୱର୍ଣ୍ଣରୁ ନିର୍ମିତ ଭିନ୍ନ ଭିନ୍ନ ଅଳଙ୍କାର ଗୁଡ଼ିକ ମଧ୍ୟରେ ଏକମାତ୍ର ସତ୍ୟ ହେଉଛି ସ୍ୱର୍ଣ୍ଣ, ଠିକ୍ ସେହିପରି ନାମ, ରୂପ, ଜାତି, ଧର୍ମ, ବର୍ଣ୍ଣ, ଆଶ୍ରମ, ପଦ ପଦବୀ ଭଳି ପ୍ରତୀୟମାନ ସମସ୍ତ ଭିନ୍ନତା ମଧ୍ୟରେ ତୁମେ ହିଁ ସମତାର ସୂତ୍ର । ତୁମେ ହିଁ ଏକମାତ୍ର ସତ୍ୟ । ତୁମେ ସବୁକିଛିର ଦ୍ରଷ୍ଟା, ସାକ୍ଷୀ । ସବୁ ସ୍ଥାନରେ, ସବୁ ସମୟରେ, ସବୁ ବସ୍ତୁରେ, ସବୁ ବ୍ୟକ୍ତିରେ, ସବୁ ଅବସ୍ଥାରେ, ସବୁ ପରିସ୍ଥିତିରେ, ତୁମେ ସମାନ ଭାବେ ବିଦ୍ୟମାନ । ସମଗ୍ର ଜଗତ କେବଳ ମାତ୍ର ତୁମର ହିଁ ପ୍ରତିଫଳନ, ତୁମ ବିନା ଜଗତଶୂନ୍ୟ ।”

ଅଷ୍ଟାବକ୍ରଙ୍କର ଏହି କଥାଗୁଡ଼ିକୁ ଶୁଣି ଜନକ ପ୍ରଭାବିତ ହେଲେ । ସେ ତାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ଜ୍ଞାନ ସମ୍ୱନ୍ଧୀୟ ଉପଦେଶ ଦେବା ପାଇଁ ରାଜପ୍ରାସାଦକୁ ସସମ୍ମାନେ ପାଛୋଟି ନେଲେ ଏବଂ ତାଙ୍କୁ ସିଂହାସନ ଉପରେ ଉପବେଶ କରାଇ ସ୍ୱୟଂ ପାଦ ତଳେ ଉପବିଷ୍ଟ ହୋଇ, ଶିଷ୍ୟ ଭାବେ ପ୍ରଶ୍ନ ପଚାରି ନିଜ ଜିଜ୍ଞାସାର ସମାଧାନ କଲେ । ଏହି ଶଙ୍କା ସମାଧାନ “ଅଷ୍ଟାବକ୍ର-ଜନକ ସମ୍ୱାଦ” ବା “ଅଷ୍ଟାବକ୍ର ଗୀତା” ନାମରେ ସୁପରିଚିତ ଯାହା ସଂସାରାରଣ୍ୟରେ ବାଟହୁଡ଼ି ଯାଉଥିବା ଶୋକ-ସନ୍ତପ୍ତ ସମାଜ ପାଇଁ ଜ୍ଞାନର ଏକ ନିତ୍ୟ ପ୍ରଜ୍ଜ୍ୱଳିତ ଆଲୋକବର୍ତ୍ତିକା, ମୁକ୍ତିର ଏକ ଅମୋଘ ମୂର୍ଚ୍ଛନା ।

ସର୍ବେଷାମ୍ ମଙ୍ଗଳମ୍ ଭବତୁ ।

ଲୋକପ୍ରିୟ ଲେଖା

To Top