ପ୍ରବନ୍ଧ

ଇଂଜିନ୍ ରିସ୍କ୍

Prasanta Kumar Behera's odia prose Engine Risk

ସେ ଯୁବ ସେବାୟତ ମୋ କଥା ଶୁଣି ରାଗିଯାଇ କହିଲେ, “ସେମିତି ହେଲେ ଇଂଜିନ୍ ରିସ୍କ୍ ମୁଁ ନେବି ନାହିଁ ।”

ଇଂଜିନ୍ ରିସ୍କ୍

(କାହାର ଧର୍ମିୟ ଭାବନାକୁ ଦୁଃଖ ପହଞ୍ଚାଇବା ମୋର ଉଦେଶ୍ୟ ଆଦୌ ନୁହେଁ । )

୨୦୦୧ ମସିହା କଥା । ସେତେବେଳେ ବାଇକ୍‌ ମାର୍କେଟ୍‌ରେ ଚହଳ ସୃଷ୍ଟି କରିଥାଏ ହିରୋ ହୁଣ୍ଡା କମ୍ପାନୀର ସ୍ପେଣ୍ଡର୍ ମଟର ସାଇକଲ୍ । ମୋ ବଡଭାଇ ତା’ ପୁରୁଣା ବାଜାଜ୍ ଚେତକ୍ ସ୍କୁଟର୍‌ଟିକୁ ବିକିବାକୁ ମନସ୍ଥ କରି ଗୋଟେ ହିରୋ ହୁଣ୍ଡା ସ୍ପେଣ୍ଡର୍ ବାଇକ୍ କିଣି ଆଣିଲା ।

ଚାଲୁଥିବା ବିଧି ତଥା ବିଶ୍ୱାସ ମୁତାବକ ବାଇକ୍ କିଣା ହେବା ଦିନ ହିଁ ଏକ ମନ୍ଦିରରେ ପୁଜା କରିବା ପାଇଁ ସ୍ଥିର କରାଗଲା ।

ଆମ ଘରଠାରୁ ମାତ୍ର ୧୫ କିଲୋମିଟର ଦୂରରେ ରହିଛି ଓଡିଶାର ପ୍ରମୁଖ ଶକ୍ତି ପୀଠ ମାନଙ୍କ ଭିତରେ ବାଣୀକ୍ଷେତ୍ର ଝଙ୍କଡ ଅନ୍ୟତମ , ଯାହା ବାକବାଦିନୀ ଶ୍ୱତପଦ୍ମାସନା ଦେବୀ ଶାରଳାଙ୍କର ପୀଠ । ଏହି ଦେବୀ ପୀଠ ସମଗ୍ର ଓଡିଶାରେ ସର୍ବପ୍ରାଚୀନ ପ୍ରସିଦ୍ଧ ଶକ୍ତି ପୀଠ । ଉତ୍କଳୀୟ କଳା, ସାହିତ୍ୟ ଓ ସଂସ୍କୃତିର ଇଷ୍ଟଦେବୀ ରୂପେ ମା’ ଶାରଳା ବନ୍ଦନୀୟା ଓ ପୂଜନୀୟା । ବାଇକ୍ ସେଇଠି ମା’ ଶାରଳାଙ୍କ ପାଖରେ ପୂଜା କରିବା ଠିକ୍ ହେବ ବୋଲି ସ୍ଥିର କରାଗଲା । ସେହି ମୁତାବକ୍ ନୂଆ ବାଇକ୍‌ରେ ଭାଇ ଆଉ ଭାଉଜ ତଥା ମୋ ପୁରୁଣା ୟାମାହା ବାଇକ୍‌ରେ ମୁଁ ଓ ସନ୍ଧ୍ୟା ଶାରଳା ମନ୍ଦିରକୁ ବାହାରିଲୁ । ପ୍ରାୟ ୩୦ ମିନିଟ୍ ପରେ ଆମେ ମନ୍ଦିରରେ ପହଞ୍ଚିଗଲୁ ।

ସେତେବେଳେ ମୁହଁ ସନ୍ଧ୍ୟା ହୋଇ ସାରିଥାଏ । ମା’ ଙ୍କର ସନ୍ଧ୍ୟା ଆଳତି ଚାଲିଥାଏ । ଏମିତି ଶୁଭ ମୁହୁର୍ତ୍ତରେ ପହଞ୍ଚି ଥିବାରୁ ଆମେ ସମସ୍ତେ ବହୁତ ଖୁସି ହେଲୁ ।

ଶାରଳା ମନ୍ଦିର ନିୟମ ମୁତାବକ୍ ପ୍ରତ୍ୟେକ ଅଞ୍ଚଳ ପାଇଁ ନିଦ୍ଧିଷ୍ଟ ରାଉଳ ବା ସେବାୟତ ରହିଛନ୍ତି । ଆମ ଅଞ୍ଚଳ ପାଇଁ “ମମତ ” ନାମଧାରୀ ସେବାୟତ ବୋଲି ଆମେ ପୂର୍ବରୁ ଜାଣିଥିଲୁ । ସେଠି ଆମେ ମନ୍ଦିର ଭିତରକୁ ପଶୁ ପଶୁ କିଛି ସେବାୟତ ଆମ ଆଡକୁ ଝପଟି ମାରି ଆସି ଆମ ଘର କେିଉଁଠି ବୋଲି ପଚାରିଲେ ।

ମୁଁ ସିଧା କହିଲି, “ଆମର ସେବାୟତ ହେଉଛନ୍ତି ‘ମମତା’ ନନା । ସେ କେଉଁଠି ଅଛନ୍ତି ?”

ସେମାନଙ୍କ ଭିତରୁ ଜଣେ ମୋ କଥା ଶୁଣିବା ପରେ କହିଲେ, ” ସେ ‘ମମତା’ ଅଜି ବନ୍ଧୁ ଘରକୁ ଯାଇଛି । ତା’ ଜାଗାରେ ତା’ ସମ୍ପର୍କୀୟ ଭାଇ ପୂଜା କରିବ ।”

ତାପରେ ସେ ବଡ ପଟିରେ ଜଣଙ୍କୁ ଡାକିଲେ । ଦେଖିଲୁ ଆମ ଆଡକୁ ଜଣେ ଯୁବ ସେବାୟତ ଖୁସିରେ ଦୌଡି ଦୌଡି ଆସିଲେ । ଆମ ପାଖରେ ପହଞ୍ଚି ଗାଡି ପୂଜା କରିବାକୁ ଆସିଛୁ ଜାଣି ତା’ଙ୍କ ଖୁସି ଦିଗୁଣା ହେଲା ପରି ଲାଗିଲା । ଇସାରାରେ ଆମକୁ ମନ୍ଦରର ଗୋଟେ କଣକୁ ଡାକି ନେଇ ପଚାରିଲେ, “ଗାଡି ପୂଜା କରିବ ? କେମିତି ପୂଜା କରିବ ?”

ମୁଁ କହିଲି, “କେମିତି ମାନେ ? ଆପଣ କ’ଣ ଆଗରୁ କୌଣସି ଗାଡି ପୂଜା କରି ନାହାନ୍ତି ?”

ସେ କହିଲେ, ” ୫୦୦ରୁ ଅଧିକ ଗାଡି ପୂଜା କରିଥିବି ।”

ମୁଁ କହିଲି, ” ତାହେଲେ ସମିତି ଆମ ଗାଡିକୁ ବି ପୂଜା କରିବେ । ପୁଣି କେମିତି ବୋଲି ପଚାରୁଛନ୍ତି କାହିଁକି ?”

ସେ କହିଲେ, ” ଗୋଟେ ଛଅ ହାତିଆ ଶାଢୀ ମା’ଙ୍କ ଉପରେ ଚଢାଇ ବାଟୁଳାଏ ଚନ୍ଦନ ଘୋରି ଭଲ କରି ଗାଡିକୁ ପୂଜା କରିଦେବା ।”

ମୁ କହିଲି, ” ଦେଖନ୍ତୁ ନନା , ଗୋଟେ କାମ କରନ୍ତୁ, ଆମେ କିଣିଥିବା ଏ ଭୋଗକୁ ମା’ଙ୍କୁ ଅର୍ପଣ କରି, ମା’ଙ୍କ ଦେହରୁ ଗୋଟେ ଫୁଲମାଳ, କିଛି ଚନ୍ଦନ ସହ ସିନ୍ଦୁର ଆଣି ଆସନ୍ତୁ । ବାଇକ୍‌ରେ ସିନ୍ଦୁର ଚନ୍ଦନ ମାରି ଫୁଲମାଳକୁ ବାଇକ୍ ହେଣ୍ଡେଲ୍ ରେ ପକାଇ ଆମେ ଆଣିଥିବା ୨ଟି ଲେମ୍ୱୁ ଗାଡି ଗାଡି ଚକତଳେ ବଳି ଚଢେଇ ପୂଜା କରି ଦିଅନ୍ତୁ ।”

ସେ ଯୁବ ସେବାୟତ ମୋ କଥା ଶୁଣି ରାଗିଯାଇ କହିଲେ, “ସେମିତି ହେଲେ ଇଂଜିନ୍ ରିସ୍କ୍ ମୁଁ ନେବି ନାହିଁ ।”

ତାଙ୍କ କଥା ଶୁଣି ମୋ ବଡ ଭାଇ ମୁହଁ ଶୁଖିଗଲା । ସେ ବୋଧେ ମନେ ମନେ ଭାବୁଥିଲା କି ସେବାୟତ ଯେମିତି କହୁଛନ୍ତି ସେମିତି ପୂଜା କରିଦେଲେ ଯାଏ । ମୁଁ କିନ୍ତୁ ନଛୋଡ଼ବନ୍ଦା । କିନ୍ତୁ ମୁ ନାସ୍ତିକ ଆଦୌ ନୁହେଁ । ମା’ ଶାରଳାଙ୍କ ମହିମା ଉପରେ ମୋର ଅଗାଧ ବିଶ୍ୱାସ । କିନ୍ତୁ କିଛି ପୂଜକ ମାନଙ୍କ ବ୍ୟବହାର, ଭକ୍ତଙ୍କୁ ଶୋଷଣ ଏସବୁର ମୁଁ ଘୋର ବିରୋଧି । ଏମିତିରେ ମୁଁ ଛୋଟ ଥିବା ବେଳେ ମୋ ମୁଣ୍ଡରେ ଥିବା ଦୁଇଟି ଲମ୍ବା ଜଟ ପାଇଁ ଶ୍ରୀକୃଷ୍ଣ ଏକାଡେମୀରେ ସାଙ୍ଗ ମାନେ ଜଟିଆ ଡାକିବାରୁ ରାଗରେ ସେ ଜଟକୁ କାଟି କଲେଜଛକରେ ମାଛଗାଁ କେନାଲ୍‌ରେ ଭସାଇ ଦେଇଥିଲି । ସେ ଜଟକୁ ମୋ ବୋଉ ଭଦ୍ରଖର ଆରେଡି ସ୍ଥିତ ଆଖଣ୍ଡଳମଣିଙ୍କ ପାଖରେ ଯାଚିଥିଲା ପିଲାବେଳେ ମୋ ଦେହ ଖରାପ ଥିଲାବେଳେ । ଯେଉଁ ଦିନ ଜଟ କାଟିଦେଇ ଘରକୁ ଫେରିଲି ସେଦିନ ବାପାଙ୍କ ଠାରୁ ଖୁବ୍ ଗାଳି ଖାଇଥିଲି ଆଉ ମୋ ବୋଉ ବହୁତ କାନ୍ଦିଥିଲା । ପରେ ମୋ ପୁଅ ସୋନୁ ଜନ୍ମ ହେବାପରେ ୨୦୦୨ରେ ତାକୁ ମୋ ବୋଉ ଆଖଣ୍ଡଳମଣିଙ୍କ ପାଖକୁ ନେଇ ସେଠି ତା’ ଜଟ ପକାଇ ମୋ ପାଇଁ କରିଥିବା ମାନସିକକୁ ପୂରଣ କରିଥିଲା ।

ମୁଁ ମନକୁ ଦୃଢ କରି ବଡ ପାଟିରେ କହିଲି, ” ନା ନା ଆପଣ କାଇଁ ଇଂଜିନ୍ ରିସ୍କ୍ ନେବେ, ଗାଡିର ବୀମା କରା ଯାଇଛି , ସେ ବୀମା କମ୍ପାନୀ ଇଂଜିନ୍ ରିସ୍କ୍ ନେଇଛି । ଆପଣ ମୁଁ ଯେମିତି କହିଲି ଆମ ବାଇକ୍ କୁ ସେମିତି ପୂଜା କରନ୍ତୁ ।”

ସେଇ ନିଜଟରେ ଥାଇ ଆମ ଯୁକ୍ତିତର୍କ ଶୁଣୁଥିବା ଅନ୍ୟ ଦୁଇଜଣ ବୟସ୍କ ସେବାୟତ ଖୁବ୍ ଯୋରରେ ହସି ଉଠିଲେ । ସେମାନଙ୍କ ଭିତରୁ ଜଣେ ଏ ଯୁବ ସେବାୟତକୁ କହିଲେ, ” ଆରେ ଯା ଯା , ତୋ କଥା କିଛି ଏଠି କାମ କରିବନି । ସେ ବାବୁ ଯେମିତି କହୁଛନ୍ତି ସେମିତି ଗାଡି ପୂଜା କରିଦେ ।”

ଯୁବ ସେବାୟତ ଜଣକ ବାଧ୍ୟ ହୋଇ ମୋ କଥା ମୁତାବକ୍ ଗାଡି ପୂଜା କଲେ ଆଉ ଦକ୍ଷିଣା ବାବଦକୁ ଆମେ ଦେଇଥିବା ୧୦୦ ଟଙ୍କାକୁ ଚୁପ୍ ଚାପ୍ ବିନା ମୁଲଚାଲରେ ଗ୍ରହଣ କଲେ ।

ଏଠାରେ କହି ରଖୁଛି, ମୋ ବଡ ଭାଇ ସେ ବାଇକ୍ କୁ ଏ ଯାଏ ଦୀର୍ଘ ୧୭ ବର୍ଷ ହେଲାଣି ବ୍ୟବହାର କରୁଛି । ସେ ବାଇକ୍ ୨୦୦୮ ମସିହାରେ ଚୋରି ହୋଇଗଲା । କିନ୍ତୁ ତା ପରଦିନ ସେ ଚୋର ଧରା ପଡିବା ସହ ସେ ବାଇକ୍ ଅଲଣାହାଟରୁ ମିଳିଥିଲା । ସେହିପରି ୨୦୧୨ରେ ବାଇକ୍ ଚଲାଇ ଯାଉଥିବା ଅବସ୍ଥାରେ ଆଗ ଚକ ଫାଟି ଯିବାରୁ ଭାଇ ଭାରସାମ୍ୟ ହରାଇ ରାସ୍ତାରେ ପଡି ଗୋଡ ଭାଙ୍ଗିଲେ ସୁଦ୍ଧା ଇଂଜିନ୍‌ର କିଛି କ୍ଷେତି ହୋଇନଥିଲା ।

ଅବଶ୍ୟ ଏ ଘଟଣାରେ ସେ ଯୁବ ସେବାୟତ ଜଣକ ସେମିତି କିଛି ପାଦୃଭାବ ଦେଖାଇ ନାହାନ୍ତି । କେବଳ ଅଧିକ ପାଉଣା ଆଶା କରି ଆମକୁ ଇଂଜିନ୍ ରିସ୍କ୍ ନେବେନି ବୋଲି କହି ଡରାଇବାକୁ ଚେଷ୍ଟା କରିଥିଲେ ।

କିନ୍ତୁ ବିଭିନ୍ନ ଧର୍ମାନୁଷ୍ଠାନ ମାନଙ୍କରେ କିଛି ହାତ ଗଣତି ସେବାୟତ ରହିଛନ୍ତି ଯେଉଁମାନେ ଭକ୍ତ ମାନଙ୍କୁ ଶୋଷଣ, ନିର୍ଯାତନା ତଥା ଝିଅ ବୋହୁ ମାନଙ୍କୁ ଖରାପ ବେବହାର ଦେଖାଇ ଥାନ୍ତି । ସେମାନେ ଭକ୍ତ ଆଉ ଭଗବାନଙ୍କ ଭିତରେ ଯୋଗସୁତ୍ର ରକ୍ଷା କାରୀ ବୋଲି ପ୍ରଚାର କରନ୍ତି । ସେମାନଙ୍କ ବିନା ଭକ୍ତର କଥା ଭଗବାନଙ୍କ ପାଖରେ ପହଞ୍ଚି ପାରିବାନି ଏମିତି ଧାରଣା ଭକ୍ତ ମାନଙ୍କ ମନରେ ସୃଷ୍ଟି କରନ୍ତି । ଅଧିକାଂଶ ଭକ୍ତ ଧର୍ମଭିରୁ ହୋଇଥିବା ହେତୁ କାଳେ କିଛି ଅଘଟଣ ଘଟିବ ସେଥି ପାଇଁ ଡରି ମରି ସେପରି ସେବାୟତ ମାନଙ୍କ ଦ୍ୱାରା ଶୋଷିତ ହେବାକୁ ଶ୍ରେୟ ମଣନ୍ତି ।

ଏଇ ୩ ବର୍ଷ ତଳେ ଆମ ଜିଲ୍ଲାର ଉପରିସ୍ଥ ମହିଳା ପୁଲିସ୍ ଅଫିସର୍ ସାଧା ପୋଷାକରେ ମନ୍ଦିରକୁ ଯାଇଥିଲେ । ସେଠାରେ ସେ ପୂଜା ପୂଜା ଅର୍ଚ୍ଚନା କରୁଥିବା ଅବସ୍ଥାରେ ଜଣେ ବିଶୃଙ୍ଖଳ , ସେବାୟତ ହେବାକୁ କୌଣସି ଯୋଗ୍ୟତା ନଥିବା ଯୁବକ ତାଙ୍କୁ ଖରାପ ବ୍ୟବହାର ଦେଖାଇବା ଆରମ୍ଭ କଲେ । ଆଗରୁ ସେ ନିଶ୍ଚେ ବହୁ ନିରୀହ ଝିଅ ବୋହୁଙ୍କୁ ଏମିତି ଖରାପ ବ୍ୟବହାର ଦେଖାଇ ଆସୁଥିବେ । ସେଦିନ ତା’ ବେଳା ଖରାପ ପଡିଗଲା । ଭଗବାନ୍ ଆଉ ସହି ପାରିଲେନି । ସେ ଭଣ୍ଡ ସେବାୟତକୁ ଠିକ୍ ଜାଗାରେ ସେମିତି ବ୍ୟବହାର ଦେଖାଇବାକୁ ପ୍ଲଟ୍ ସୃଷ୍ଟିକରିଥିଲେ । ସେ ମହିଳା ଜଣଙ୍କ ଜିଲ୍ଲାର ଉଚ୍ଚପଦସ୍ଥ ପୁଲିସ୍ ଅଫିସର୍ ହୋଇଥିବାରୁ ସେଦିନ ସେ ଯୁବ ସେବାୟତକୁ ଢେର୍ ଉତ୍ତମ ମଧ୍ୟମ ଦେଇ ଆଇନ୍ ଅନୁଯାଇ ଦୃଢ଼ ପଦକ୍ଷେପ ନେଇଥିଲେ । ସେତେବେଳେ ସେଭଳି କିଛି ଅସମାଜିକ ସେବାୟତଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଏଠୋରେ ସ୍ପଷ୍ଟ କରିଦେକୁ ଚାହେଁ ଯେ ସବୁ ସେବାୟତ ସେପରି ନୁହନ୍ତି । କିଛି ମୃଷ୍ଟିମେୟ ସେବାୟତଙ୍କ ପାଇଁ ସମସ୍ତଙ୍କୁ ଦୋଷ ଦେବା ଆଦୌ ଠିକ୍ ନୁହେଁ ।

ଏପରି ଘଟଣା ପାଇଁ ବିଶ୍ୱ ବିଖ୍ୟାତ ପୁରୀ ଶ୍ରୀମନ୍ଦିରରେ ଭକ୍ତ ମାନଙ୍କୁ ଶୋଷଣ ଓ ନିର୍ଯ୍ୟାତନା ଦିଆଯିବା ପ୍ରସଙ୍ଗରେ ଆଗତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ମାନ୍ୟବର ସୁପ୍ରିମ୍ କୋର୍ଟ ତା ୦୮/୦୬/୨୦୧୮ ରିଖରେ ଏକ ଅନ୍ତରୀଣ ନିର୍ଦ୍ଦେଶ ଦେଇ ଯଥାର୍ଥରେ କହିଛନ୍ତି କି ଭକ୍ତମାନଙ୍କ ଠାରୁ ସେବାୟତ କୌଣସି ଦାନ କି ଦକ୍ଷିଣା ଆଦୟ କରିପାରିବେ ନାହିଁ । ଏହା ନିଶ୍ଚିତ ଭାବେ ଏକ ଯୁଗାନ୍ତକାରୀ ନିର୍ଦ୍ଦେଶ ଏବଂ ଏହା ଭକ୍ତ ଓ ଭଗବାନ୍ ଙ୍କ ଭିତରେ ଦୂରତା ସୃଷ୍ଟି କରୁଥିବା କିଛି ଭଣ୍ଡ ସେବାୟତଙ୍କୁ ସାବାଡ୍ କରିବାକୁ ସଂପୂର୍ଣ୍ଣ ସକ୍ଷମ ହେବ ବୋଲି ଆଶା ଓ ବିଶ୍ୱାସ ।

ଲୋକପ୍ରିୟ ଲେଖା

To Top