ପ୍ରବନ୍ଧ

ଏଭରେଷ୍ଟ୍

Niranjan Padhee's odia prose Everest

ନ୍ୟୁଜିଲ୍ୟାଣ୍ଡ୍‌ର ଏଡ଼ମଣ୍ଡ୍ ହିଲାରୀ ଏବଂ ନେପାଳର ସେର୍ପା ତେନଜିଂ ନୋର୍‌ଗେ କୋଳେଇ ନେଇଥିଲେ ତୁମକୁ

ଏଭରେଷ୍ଟ୍

ତୁମ ବିଷୟରେ କିଏ କ’ଣ ଜାଣଛି ଯେ, ଏଡ଼େ ସହଜରେ ବଖାଣି ବସିବ । ଯିଏ ତୁମକୁ ତନ୍ନ ତନ୍ନ କରି ଦେଖିଛି, ଆତ୍ମଦୃଷ୍ଟିରେ ଅନୁଭବ କରିଛି, ସେ ତ ଭାବବିହ୍ୱଳ ହୋଇ କିଛି ହେଲେ ପଦେ କହି ପାରିବନି । ସେ ସମ୍ଭବତଃ ନିରବି ଯିବ । କାରଣ, ତା’ ପାଇଁ ତୁମେ ଅନ୍ତଃକରଣର ଏକ ନିରଙ୍କୁଶ ନିରବତା ।

ମୁଁ ପୁଣି ତୁମକୁ ଏଯାଏ ବି ଦେଖିନି । ଯାହା ବି ଦେଖିଛି, ସେ କିଛି ନୁହେଁ । ସେ କେବଳ ତୁମର ମଜଭୁତ୍ ମୂଳଦୁଆ, ହିମାଳୟର ପାଦେଶରୁ ଅଳ୍ପ କିଛି ଉଚ୍ଚ । ତଥାପି ସାହସ ସଞ୍ଚୟ କରି ଅନ୍ଧଟିଏ ହାତୀ ଦେଖାର ବୟାନ ପରି, ତୁମ ବିଷୟରେ ଏହି ମୋର ବିନୟ ବୟାନ । ଏହି ଦୁଃସାହସରେ ଥିବା ଭୁଲ୍ ଭଟକା ଅବା ବ୍ୟତିକ୍ରମ ମାର୍ଜନୀୟ !

ଈଶ୍ୱରଙ୍କର କ’ଣ ଆମମାନଙ୍କ ପରି ନାଆଁଟିଏ ଥିଲା ? ତାଙ୍କ ପାଇଁ କ’ଣ ନିହାତି ନାମଟିଏ ଲୋଡ଼ା ? କିନ୍ତୁ ନାଆଁଧରି ଡାକିବା ମଣିଷର ମଜ୍ଜାଗତ ଅଭ୍ୟାସ । ତାହା ବି ଏକରକମ ସୁବିଧାଜନକ । ତା’ ନ ହେଲେ କାହାକୁ ବା କେମିତି ଠଉରେଇବ ସବୁବେଳେ ? ସେଥିପାଇଁ ତାଙ୍କ ନାମର ସଂଖ୍ୟା, ପ୍ରକାରଭେଦ ଅନୁସାରେ ବଢ଼ିଚାଲିଲା ଯଥା- ଈଶ୍ୱର, ଠାକୁର, ପ୍ରଭୁ, ବିଭୁ, ଗଡ୍, ଆଲ୍ଲା, ଯୀଶୁ, ବୁଦ୍ଧ, ମହାବୀର, ନାନକ ଏମିତି ଅନେକ, ଅନେକ । ଏଥିରେ ପୁଣି ଅସଂଖ୍ୟ ଧର୍ମର ଅସଂଖ୍ୟ ଦେବଦେବୀମାନଙ୍କର ନାମାବଳୀ ବଢ଼ିଚାଲିଛି, ସେମାନଙ୍କର ବିବିଧ ବଂଶାବଳୀ ତଥା ବିଭିନ୍ନ ଗୁଣଗରିମା, ମହିମା ସହିତ ।

ଯେତେଯେତେ ନାମରେ ତାଙ୍କୁ ଜଣାଣ କଲେ ମଧ୍ୟ ତାଙ୍କର ଅସଲ ନାମଟି ହେଲା ସର୍ବନାମ କିମ୍ୱା ନିରାକାର ଶୂନ୍ୟମୟତା । ଏହି ନାମର ପାରମାର୍ଥିକ ପରିଚୟରେ, ସେ ଖୁବ୍ ନିର୍ଭୁଲ୍ ଭାବରେ ସ୍ପଷ୍ଟ ଓ ପ୍ରାଞ୍ଜଳ । ହେଲେ, ବୁଝିବାରେ କାହାକୁ କେମିତି କଷ୍ଟ ହୋଇପାରେ ।

ଠିକ୍ ସେମିତି, ମୂଳରୁ ତୁମର ନିର୍ଦ୍ଦିଷ୍ଟ ନାଆଁଟିଏ ନ ଥିଲା । ତୁମେ ଏକ ବିଶାଳ ପଥର ସ୍ତୂପର ଚୂଡ଼ା । ସେହି ପଥର ସ୍ତୂପର ପରବର୍ତ୍ତୀ ନାମ ହେଉଛି “ହିମାଳୟ ପର୍ବତମାଳା”। ହିମାଳୟର ନାମକରଣ ମଧ୍ୟ ଏକ ଭୌଗୋଳିକ ପାଗଯୋଗର ପ୍ରକ୍ରିୟାରୁ ଉଦ୍‌ବୁଦ୍ଧ ହୋଇଥିବ । ଭାରତର ଉତ୍ତର ସୀମାସ୍ଥ ପର୍ବତମାଳା ଏହି ହିମାଳୟ, ଅଷ୍ଟକୁଳାଚଳ ମଧ୍ୟରୁ ପ୍ରଧାନ ପର୍ବତ । ହିମବଳୟ ଭିତରେ ହିମମୟ ଏହି ପ୍ରକାଣ୍ଡ ପର୍ବତମାଳାର ନାମକରଣ, ହିମାଳୟ ବ୍ୟତୀତ ଆଉ କ’ଣ ବା ହୋଇପାରିଥାନ୍ତା ।

ଅନେକ ଜଳଧାର, ଅନେକ ଝରଣା ଏବଂ ଅନେକ ନଦୀର ଉତ୍ସ, ଏହି ହିମାଳୟ । ବିଭାବୈଭବମଞ୍ଜୁଳ ଅନେକ ବନସ୍ତ, ଏହି ହିମାଳୟ । ଋତୁଚକ୍ରରେ, ଋତୁଋତୁ ରୋମାଞ୍ଚର ରୋମନ୍ଥନରେ, ଚିର ରହସ୍ୟମୟ ତଥା ତନ୍ମୟତାର ମହାନ୍ ମନ୍ଦିରଟିଏ, ଏହି ହିମାଳୟ । ଛୋଟ ବଡ଼ ଶତସହସ୍ର ଗିରିଶୃଙ୍ଗମାନଙ୍କର ମହିମାନ୍ୱିତ ମେଳଣଟିଏ ମଧ୍ୟ ଏହି ହିମାଳୟ !

ବିଶ୍ୱର ଏପରି ଏକ ଚିରବନ୍ଦନୀୟ ବିସ୍ମୟ ହିଁ କେବଳ ଜନ୍ମ ଦେଇପାରେ ତୁମ ପରି ନଭଶ୍ଚୁମ୍ୱୀ ଚୂଡ଼ାର ଚେତନା । ହିମାଳୟ ସର୍ବଶ୍ରେଷ୍ଠ ଶୃଙ୍ଗଧର ! ତୁମେ ଶୃଙ୍ଗଶ୍ରେଷ୍ଠ ! ତୁମର ଉତ୍କର୍ଷ ଅପରିମେୟ ! ତୁମେ ଉତ୍ତୁଙ୍ଗ, ତୁମେ ଉନ୍ନିତ, ତୁମେ ଉପାସ୍ୟ । ତୁମେ ଏକ ସେପାରିର ସୃଷ୍ଟି ।

ଏହି ସଂସାରରେ ନବସୃଷ୍ଟିର ନାମକରଣ ହୁଏ ବିଭିନ୍ନ ବିଧିବିଧାନରେ, ଦେଶକାଳପାତ୍ର ଅନୁସାରେ । ଆମର ଏଠି ଜନ୍ମର ଏକୋଇଶ ଦିନ ପରେ ନାମକରଣର ବିଧାନ । ତାହାର ଅନ୍ୟ ନାମ “ଏକୋଇଶା”। କିନ୍ତୁ ବହୁ ବିଳମ୍ୱ ଥିଲା ତୁମର ଏ ନାମକରଣ । ଏ ମର୍ତ୍ତ୍ୟର ମାନବଙ୍କୁ ଅଗୋଚର ଥିଲ ତୁମେ ବହୁକାଳ ଯାଏ । ମେଘରେ ବିଜୁଳି ପରି, ତୁମେ ଥିଲ ମଣିଷର ଆକାଂକ୍ଷାର ଅପହଞ୍ଚ ଆଶା ।

ଏ ମର୍ତ୍ତ୍ୟର ମଣିଷ ତୁମକୁ ଦେଖିବା ପାଇଁ ବାରମ୍ୱାର ବହୁ କଷ୍ଟ ସହିଛି, ବହୁ ବର୍ଷ ପାଇଁ । ଯାହା ଜଣାଯାଏ, ବ୍ରିଟେନ୍‌ର ଜର୍ଜମ୍ୟାଲୋରି ଏବଂ ଆଣ୍ଡ୍‌ରୟୁ ଇରଭାଇନ୍ ୧୯୨୪ ମସିହାରେ ତୁମ ପାଖାପାଖି କିମ୍ୱା ତୁମ ପାଖରେ ପହଞ୍ଚିଥିଲେ କି କ’ଣ, ଏ ଯାଏ ଫେରି ନାହାନ୍ତି । ଏହି ପୃଷ୍ଠଭୂମିରେ ୧୯୫୩ ମସିହା ମେ’ ମାସ ୨୯ ତାରିଖର ଦିନ ସାଢେ଼ ଏଗାରଟା ସମୟ, ଆମ ସମସ୍ତଙ୍କ ପାଇଁ ଥିଲା ଏକ ଶୁଭମଙ୍ଗଳ ମୁହୂର୍ତ୍ତ । ନାହିଁ ନ ଥିବା ଖୁସିରେ ସେଦିନ, ନ୍ୟୁଜିଲ୍ୟାଣ୍ଡ୍‌ର ଏଡ଼ମଣ୍ଡ୍ ହିଲାରୀ ଏବଂ ନେପାଳର ସେର୍ପା ତେନଜିଂ ନୋର୍‌ଗେ କୋଳେଇ ନେଇଥିଲେ ତୁମକୁ । ସେମାନେ ତୁମକୁ ଚୁମିଚୁମି ଚମତ୍କୃତ କରି ଦେଇଥିଲେ । କି ଆନନ୍ଦରେ ତୁମେ କୁରୁଳି ଉଠିଥିବ ସେଦିନ, ତାହା କେବଳ ତୁମକୁ ହିଁ ଜଣା ।

ତୁମର ଏକୋଇଶା ପର୍ବ, ଅନ୍ୟ ଭାଷାରେ ନାମକରଣ ପର୍ବ, ଅବଶ୍ୟ ଖୁବ୍ ବିଳମ୍ୱରେ ହୋଇଥିଲା । ସେତେବେଳକୁ ତୁମର ବୟସ ପାଖାପାଖି ଛଅକୋଟି ବର୍ଷ । ତେବେ ତୁମେ ଯେତିକି ବିସ୍ମୟ, ତୁମର ନାମକରଣ ତତୋଦ୍ଧଧିକ ବିତର୍କବହୁଳ ।

ଖୁବ୍ ପୁରାତନ ପୌରାଣିକ ଯୁଗରେ ତୁମର ନାମ ଦେବଗିରି (ହୋଲି ମାଉଣ୍ଟେନ୍) ଥିଲା ବୋଲି ଅନୁମାନ ହୁଏ । ଏହା ଦେବଦୁର୍ଗ । ଦେବତାମାନଙ୍କର ଦୁର୍ଗ । ଅପହଞ୍ଚପର ଅନ୍ୟ ନାମଟିଏ ତ ଦେବତା । ସେହି ଅଦୃଶ୍ୟ ଦେବତାମାନଙ୍କର ଦୃଶ୍ୟମାନ ରୂପଟିଏ ହିଁ, ତୁମେ ।

ତିବ୍ଦତରେ ତୁମର ଆଞ୍ଚଳିକ ନାମ ଚୋମୋଲାଙ୍ଗମା ଅବା କୋମୋଲାଙ୍ଗମା ଥିବାର ଜଣାଯାଏ । ଏହି ପବିତ୍ର ନାମଟିର ଅର୍ଥ ହେଲା ଜଗତର ମାଆ- ଠାକୁରାଣୀ (ମଦର୍ ଅଫ୍ ଦି ୟୁନିଭର୍ସ) । ଚାଇନାରେ ତୁମ ନାମ ଝୁମୁଲାଙ୍ଗାମା ପେଙ୍ଗ୍ ଅଥବା ସେନ୍‌ଙ୍ଗୁମୁ ପେଙ୍ଗ୍ ଥିବା ପରି ଜଣାଯାଏ । ଏହି ନାମର ଅର୍ଥ ମଧ୍ୟ ଈଶ୍ୱର ସମ୍ପର୍କୀୟ । ନେପାଳରେ ତୁମର ଆଞ୍ଚଳିକ ନାମ ଥିଲା ସଗରମାଥା (ଫୋର୍‌ହେଡ୍ ଅଫ୍ ଦି ସ୍କାଏ) ।

ତୁମ ପାଖାପାଖି ଅଞ୍ଚଳଯାଏ ଯାଇ ତୁମକୁ ଦୂରରୁ ଦେଖିବା, ତୁମ ଉପରେ ଗବେଷଣା କରିବା ଏବଂ ତୁମକୁ ନିଜ ହାତେ ଛୁଇଁଛୁଇଁ ଶିହରିତ ହେବା, ଏ ଦୁଇ କଥା, ଦୁଇ ପର୍ଯ୍ୟାୟର । ପ୍ରଥମ ପର୍ଯ୍ୟାୟରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା ତୁମ ଉଚ୍ଚତାର ଆକଳନ, ଆରୋହଣର ବିଭିନ୍ନ ପଥ ସହିତ ଗବେଷଣାର ଅନ୍ୟାନ୍ୟ ଆନୁଷଙ୍ଗିକ ତଥ୍ୟ ।

ପ୍ରସିଦ୍ଧ ଭାରତୀୟ ଗଣିତଜ୍ଞ ଶ୍ରୀଯୁକ୍ତ ରାଧାନାଥ ସିକ୍‌ଦାର ତାଙ୍କର ସର୍ବେକ୍ଷଣ ପଦ୍ଧତିରେ ତୁମକୁ ୧୮୫୨ ମସିହାରେ ସର୍ବୋଚ୍ଚ ଗିରିଶୃଙ୍ଗ ଭାବରେ ନାମିତ କରିଥିବାର ଜଣାଯାଏ । ବ୍ରିଟିଶ୍ ସର୍ବେକ୍ଷଣକାରୀ ଶ୍ରୀଯୁକ୍ତ ଆଣ୍ଡ୍‌ରୟୁୱଃ କୁହନ୍ତି- ତୁମର ଅବସ୍ଥିତି ଏବଂ ଉଚ୍ଚତାର ସିଦ୍ଧାନ୍ତରେ ଉପନୀତ ହେବା ସହିତ ତୁମ ନାମକରଣର ଏକ ଯୁଗାନ୍ତକାରୀ ନବପର୍ବ ପାଳନର ପଥ ପ୍ରଦର୍ଶକ ହେଉଛନ୍ତି ପୃଥିବୀ ପ୍ରସିଦ୍ଧ ବ୍ୟକ୍ତି, ସାର୍ ଜର୍ଜ ଏଭରେଷ୍ଟ୍ । ସେତେବେଳେ ଉଭୟ ନେପାଳ ଏବଂ ତିବ୍ଦତକୁ ବିଦେଶୀ ପର୍ଯ୍ୟଟକମାନଙ୍କର ପ୍ରବେଶ ନିଷିଦ୍ଧ ଥିଲା । ତେଣୁ ତୁମର ଆଞ୍ଚଳିକ ନାମକୁ ଜାଣିପାରିବାର ସେତେଟା ସୁଯୋଗ ମଧ୍ୟ ନଥିଲା । ଏତଦ୍‌ବ୍ୟତୀତ ସେସବୁ ଅଞ୍ଚଳମାନଙ୍କରେ ରାଜନୈତିକ, ଭୌଗୋଳିକ ତଥା ସୀମା ସମ୍ୱନ୍ଧୀୟ କିଛିକିଛି ଆଭ୍ୟନ୍ତରୀଣ ଅସୁବିଧାଜନକ ପରିସ୍ଥିତି ମଧ୍ୟ ଥିଲା । ଏହିପରି ବିଭିନ୍ନ କାରଣରୁ ଶ୍ରୀଯୁକ୍ତ ଆଣ୍ଡ୍‌ରୟୁ ୱଃ ତୁମକୁ ତାଙ୍କ ଗୁରୁଙ୍କ ନାମ ଅନୁସାରେ ଏଭରେଷ୍ଟ୍ ନାମରେ ଅଭିହିତ କରିଥିଲେ ୧୮୬୫ ମସିହାରେ । ଏହା ବୋଧହୁଏ ଥିଲା ତୁମ ଜୀବନର ପ୍ରଥମ ଓ ପ୍ରଧାନ ପର୍ବପାଳନ ସାରା ବିଶ୍ୱବାସୀଙ୍କ ପାଇଁ ।

ତୁମ ପାଇଁ ଦ୍ୱିତୀୟ ପ୍ରଧାନ ପର୍ବ ପାଳନ କଲେ ଏଡ଼ମଣ୍ଡ୍ ହିଲାରୀ ଏବଂ ତେନଜିଂ ନୋର୍‌ଗେ ୧୯୫୩ ମସିହା ମେ’ ମାସ ୨୯ ତାରିଖରେ । ତୁମ ବିଶାଳ ଦେହରେ ବରଫାବୃତ ପୋଷାକ ଭିତରେ କିଛି ମିଠା ଏବଂ ପ୍ରଭୁ ଯୀଶୁଙ୍କର ଗୋଟିଏ ଛୋଟ କ୍ରସ୍ ଚିହ୍ନକୁ ଗୁଞ୍ଜି ଦେଇ, ସେମାନେ ତାଙ୍କର ଅବତରଣ ପର୍ଯ୍ୟାୟର ଶୁଭାରମ୍ଭ କରିଥିଲେ । ସେହି ମିଠା ଓ ସେହି କ୍ରସ୍‌ଚିହ୍ନଟି ଥିଲା ତୁମ ପାଇଁ ସମଗ୍ର ପୃଥିବୀବାସୀଙ୍କର ସ୍ନେହ ଶ୍ରଦ୍ଧାର ସର୍ବଶ୍ରେଷ୍ଠ ଉପହାର । ସେହିଦିନଠାରୁ ପୃଥିବୀର ଘରେ ଘରେ ତୁମେ ଆମ ସମସ୍ତଙ୍କର ଖୁବ୍ ଆପଣାର ଏକ ସର୍ବକାଳୀନ ଅଭୁଲା ନାମ ।

ଏମିତି ଏକ ପ୍ରମାଦପୂର୍ଣ୍ଣ ଗିରିପଥରେ କିଏ ବା ତୁମ ପାଖରେ ପହଞ୍ଚିବ, କୁହ ତ ଏଭରେଷ୍ଟ୍ ? ସମୁଦ୍ର ପତନର ପ୍ରାୟ ସାଢେ଼ ପାଞ୍ଚ ମାଇଲ ଉଚ୍ଚ । ଅନ୍ୟ ଭାବରେ କହିଲେ, ପ୍ରାୟ ୨୯.୦୨୮ ଫୁଟ ଉଚ୍ଚରେ ତୁମ ଆସ୍ଥାନ । ପୁଣି ଦୁର୍ଗମ ପାହାଡ଼ିଆ ଅଞ୍ଚଳର ଭୟସଙ୍କୁଳ ପରିବେଶ । ପାଦକୁ ଖସେଇ ଦିଏ ତୁଷାରାଚ୍ଛନ୍ନ ମଖମଲିଆ ମାୟା । ତୀବ୍ର ଉଠାଣି ଗଡ଼ାଣି ଅମାନିଆ ଅବାଟରେ ତୀଖତୀକ୍ଷ୍ଣ ପ୍ରବଣତାର ପ୍ରହେଳିକା । ଏହି ଅସାଧ୍ୟ ଆରୋହଣର ଆହ୍ୱାନ୍ ପାଇଁ ତ, ତୁମେ ମାଉଣ୍ଟ୍ ଏଭରେଷ୍ଟ୍ !

ତଥାପି ଏହି ମର୍ତ୍ତ୍ୟର ମଣିଷମାନଙ୍କ ପାଇଁ ତୁମେ ଏକ ମନମୋହିନୀ ମାୟା । ତୁମର ଆକର୍ଷଣ ଆମମାନଙ୍କ ପାଇଁ ଅଲଙ୍ଘ୍ୟ । ଜଳିପୋଡ଼ିଗଲେ ବି ନିଆଁଝୁଲର ପ୍ରେମଆକର୍ଷଣ, ପତଙ୍ଗ କ’ଣ କେବେହେଲେ ଏଡ଼ି ଦେଇପାରେ ? ତୁମପ୍ରତି ପ୍ରେମର ନିଦର୍ଶନ ସ୍ୱରୂପ, ତୁମର ଏହି ପ୍ରିୟ ପୃଥିବୀ ଏଯାବତ୍ ପ୍ରାୟ ୪୦୦୦ ରୁ ଉର୍ଦ୍ଧ୍ଵ ପ୍ରେମୀ ପ୍ରତିନିଧିମାନଙ୍କୁ ତୁମ ପାଖକୁ ପ୍ରେମାସ୍ପଦ ଦୂତ ଭାବରେ ପଠେଇଛି । ସେମାନଙ୍କ ମଧ୍ୟରୁ ପ୍ରାୟ ୬୬୦ ଜଣ ତୁମକୁ ଛୁଇଁ, ଆଉଁସି ଆମମାନଙ୍କୁ ଆମୋଦିତ କରିଛନ୍ତି । ଯାହା ଜଣାପଡ଼େ ପ୍ରାୟ ୧୪୨ ଜଣ ଏହି ପ୍ରେମଯଜ୍ଞରେ ପ୍ରାଣବଳି ଦେଇସାରିଲେଣି । ପ୍ରାୟ ୧୨୦ ଜଣଙ୍କର ଶବକୁ ଏଯାବତ୍ ଏହି ପୃଥିବୀବାସୀ ଫେରି ନ ପାଇ ଶୋକସନ୍ତପ୍ତ ନୟନରେ ଖାଲି ଯାହା ଚାହିଁ ରହିଛନ୍ତି । ତୁମକୁ ଭଲ ପାଇବାର ଏଇ ମାତ୍ର କେତୋଟି ଉଦାହରଣ । ତୁମେ କାହିଁକି ଏତେଟା ଅପହଞ୍ଚ ହେଲ ଯେ ! ତା’ ନ ହୋଇଥିଲେ ସଂସାରରେ ଥିବା ତୁମର ଅସଂଖ୍ୟ ସାଥୀ ସହୋଦରମାନଙ୍କର ବନ୍ଧୁବୁଲା ଆତିଥ୍ୟରେ ତୁମେ ଅସମ୍ଭାଳ ହୋଇଉଠିଥା’ନ୍ତ ।

ହିମାଳୟ ପର୍ବତମାଳାର ପ୍ରାକୃତିକ ଦୃଶ୍ୟରାଜିର ନିଧିମୟତା ତୁମେ । ଐଶ୍ୱରିକ ଐକାନ୍ତିକତାର ଐକତାନ ହିଁ ତୁମେ । ଭାରତ, ନେପାଳ ଓ ତିବ୍ଦତର ତୀର୍ଥ ତନ୍ମୟତାର ସଂଗୋପନ ସୂତ୍ରଧର ହିଁ ତୁମେ । ବିରଳ ବନ୍ଧୁପଣରେ ତୁମକୁ ବାନ୍ଧି ରଖିବାପାଇଁ ପୃଥିବୀର ପ୍ରବାସୀମାନଙ୍କୁ ପାଗଳ ପ୍ରାୟ କରିପାରୁଥିବା ଅନ୍ତଃର୍ମୂଖୀ ଆନନ୍ଦର ଉଲ୍ଲାସଟିଏ ହିଁ ତୁମେ । ଭାରତ-ନେପାଳ ଏବଂ ତିବ୍ଦତର ତ୍ରିଦେଶୀ ତ୍ରିଭୁଜ ଉପରେ ଆସୀନ, ଏ ବିଶ୍ୱର ଉଚ୍ଚତମ ହେ ! ମୋର ପ୍ରିୟ ଶୃଙ୍ଗଶ୍ରେଷ୍ଠ ଏଭରେଷ୍ଟ୍, ତୁମେ ନିଜେ କେବଳ ଗିରିଶ୍ରେଷ୍ଠ ହିମାଳୟର ଚୂଡ଼ାମଣି ନୁହଁ; ତୁମେ ସତରେ ଏ ମହାକାଶର ମଣି ସଦୃଶ ।

ତୁମେ ଯେତିକି ଯେତିକି ରହସ୍ୟମୟ ହେବାର ଲାଗିଛ, ଏ ମର୍ତ୍ତ୍ୟର ମଣିଷ ତୁମ ସମ୍ପର୍କରେ ସେତିକି ସେତିକି ଗବେଷଣାରତ । ତୁମର ସେହି ଅଗମ୍ୟ ଅପହଞ୍ଚପଣ ହିଁ ଗବେଷଣାର ଆଦ୍ୟ ଉପାଦାନ । ବିଭୁଙ୍କୁ ବୁଝିବା ପୂର୍ବରୁ, ତୁମକୁ ବୁଝିପାରିବାର ବ୍ୟାକୁଳତା ହିଁ, ପ୍ରଥମ ସୋପାନ ।

ତୁମକୁ ଈଶ୍ୱର ବୋଲି ଗ୍ରହଣ କରିନେଲେ ସବୁତକ ରହସ୍ୟର ଗଣ୍ଠି ଫିଟିଯାଏ । ତୁମେ ଆଉ କିଏ କି ? ସହଯୋଗୀ ହିମାଳୟଙ୍କର ଜଟାଜୂଟ ମଣ୍ଡିତ ମଥାନ ହିଁ, ତୁମେ । ସେହି ଗିରୀନ୍ଦ୍ର ହିମାଳୟ, ଗିରି ସୁତାଙ୍କର ଜନକ ଏବଂ ଗିରୀଶ ମହାପ୍ରଭୁଙ୍କର ସମ୍ମାନନୀୟ ଶ୍ୱଶୁର । ଗିରିଜାୟାଙ୍କର ଅପାର କରୁଣାବଳରେ, ସମସ୍ତ ପାର୍ବତ୍ୟ ପ୍ରକୃତି ଛଳଛଳ ପ୍ରତିଶ୍ରୁତିମୟ । ଗିରିସଙ୍କଟ ଥିଲେ ବି, ବିପୁଳ ଭଣ୍ଡାର ସେଠି ସଦା ଗହଗହ ।

ପର୍ବତରୁ ଝରିପଡ଼େ, ଅମୃତ । ପର୍ବତ ତଳି ତରାଇ ଉପତ୍ୟକା ଡୋରାଡୁନ୍ ଖୁବ୍ ଉର୍ବର । ସବୁ ସେଠି ଶସ୍ୟମୟ, ଜୀବନମୟ । ପର୍ବତିଆ ପରିଚୟ ଖୁବ୍ ପ୍ରାଣମୟ ପ୍ରେମମୟ । ସାରା ପର୍ବତମାଳା ଗିରିଗୁହା-ଗୁମ୍ପିତ । ମୁନିଋଷି ଯୋଗୀ ସନ୍ନ୍ୟାସୀଙ୍କର ସେଠି କାଳକାଳ ଯାଗଯୋଗ ସହିତ ମନ୍ତ୍ରମୟ ମନ । ଆଧ୍ୟାତ୍ମିକ ଅନ୍ୱେଷଣର ଅନନ୍ୟ ପରିବେଶ । ଏ ମାଟିର ସ୍ୱର୍ଗ ସିଏ, ଏ ମାଟିର ନନ୍ଦନକାନନ । ହିମାଳୟମୟ ସେଠି ପରମ ବୁଦ୍ଧତ୍ୱ ।

ମର୍ତ୍ତ୍ୟର ମଣିଷ ଏ ମାଟିରେ କେତେବେଳେ ନିହାତି ନିଃସଙ୍ଗ ତ, କେତେବେଳେ କୋଳାହଳମୟତାରେ ଆକଣ୍ଠ ଅଥୟ । ତେବେ ଏହି ଅଥୟପଣର ପରିଚୟରେ ସେ ବିପୁଳ ବିଭୋର । ସଂସାର ଭିତରେ ରହି କଷଣ- କାରୁଣ୍ୟର ଅକଳ୍ପନୀୟ କୋଳାହଳକୁ ସେ ତା’ ନିଜ ଅନ୍ତଃକରଣରେ ଆବୋରି ନିଏ । ସେ ହସେ ରସେ, ଲହୁଲୁହାଣ ହୁଏ, ଲୁହ ଝରାଏ । ସେଥିପାଇଁ ସେ ଅସମ୍ଭବ ଭାବରେ ଏଠି ଅଥୟ । ପୁଣି କେବେ ଲୀଳାଖେଳାରୁ ମୁହଁ ଫେରେଇ ନେଇ, ଏକ ନିଦା ନିଖୁଣ ମଗ୍ନମୟତାରେ ନିଃସଙ୍ଗ ହୁଏ । ଏହି ନିଟୋଳ ନିଃସଙ୍ଗତା ହିଁ, ମର୍ତ୍ତ୍ୟମଣ୍ଡଳରେ ତା’ର ନଗ୍ନନିଷ୍ଠୁର ପରିଚୟ । ଅନ୍ତର୍ଦୃଷ୍ଟି ଦର୍ଶନର ଦ୍ୟୁତିରେ ଖୁବ୍ ଏକ ଉଚ୍ଚ ଆଧିଭୌତିକ ଅବବୋଧରେ, ତୁମେ ମଣିଷର ଏହି ସୂକ୍ଷ୍ମତମ ପରିଚୟ ପାଇପାରୁଥିବ ନିଶ୍ଚୟ ।

ସେପରି ଏକ ବିରଳ ମାହେନ୍ଦ୍ର ଯୋଗରେ ମଣିଷ ଯୋଗୀ ହୁଏ । ଠିକ୍ ସେହି ପର୍ଯ୍ୟାୟରେ ସେହି ମଣିଷ, ହିମାଳୟ ଓ ତୁମେ ଗୋଟିଏ ମାତ୍ର ସରଳରେଖାରେ ରହିଥାଅ । ସେଠି କାହା ପାଇଁ କିଛି ବି, ବିଭିନ୍ନତା କିମ୍ୱା ଉଚ୍ଚତାର ଊର୍ମିମୟ ଉଦ୍‌ବେଳନ ନ ଥାଏ । ଏହା ଏକ ପରମ ପାରମାର୍ଥିକ ସଂଯୋଗ । ସବୁକାଳେ ବିରଳରୁ ଆହୁରି ବିରଳ । ସେହି ସମୟ ଗଡ଼ିଯାଇ ଏ ମଣିଷ ଯୋଗଭ୍ରଷ୍ଟ ହେଲେ, ସେ ପୁଣି ଫେରିଆସେ ଏହି ମାୟାମୟ ସଂସାରର କୋଳାହଳମୟ କୋଳର କୂଳକୁ । ରାହାଟିଏ ରହିଥାଏ ତା’ ପାଇଁ ସବୁବେଳେ ଏ ମାଟିର ରୋମାଞ୍ଚରେ, ରମ୍ୟମୟତାରେ । ତା’ ଜୀବନ-ଘଡ଼ିର ପେଣ୍ଡୁଲମ୍, ଉଭୟ ନିରବତା ଏବଂ କୋଳାହଳର ସ୍ପର୍ଶ ପାଇଁ ଦୋଳି ଖେଳେ । ହାହାକାରର ଅହଂକାର, ତା’ ପଛେ ପଛେ ଧାଇଁଥାଏ ଯୁଗୁଯୁଗ, କାଳକାଳ ।

ତୁମର ମୂଳପିଣ୍ଡ ସେହି ବିଶାଳକାୟ ହିମାଳୟର ମୂଳଦୁଆ । ତାହାର ଲମ୍ୱ, ପ୍ରସ୍ଥ ଓ ଗଭୀରତା ତୁମ ତୁଳନାରେ ତତୋଦ୍ଧଧିକ ରହସ୍ୟମୟ ହୋଇଉଠେ । ଖୁବ୍ ଏକ ବୃହତ୍ ଭୌଗୋଳିକ ଅଞ୍ଚଳ, ଜନବସତି, ସମାଜ, ପଶୁପକ୍ଷୀ, କୀଟପତଙ୍ଗ ବନସ୍ତର ସଜ ସବୁଜିମା, ଆର୍ଥିକ ତଥା ପାରମାର୍ଥିକ ପରିଚର୍ଯ୍ୟା ଏବଂ ପ୍ରତିବେଦନ, ଗୂଢ଼ଗହନ ରହସ୍ୟମୟତା ଏହି ହିମାଳୟ । ଦୃଶ୍ୟଅଦୃଶ୍ୟ ଗୋପନୀୟ ଗାମ୍ଭୀର୍ଯ୍ୟପଣ ପରି ଉଭୟ ଭୌତିକ ଓ ଆଧିଭୌତିକ ଅବବୋଧକୁ ଆଧାର କରି ଏକ ମର୍ମମଞ୍ଜୁଳ ମହନୀୟତାରେ ଜୀବନକୁ ସାର୍ଥକ କରୁଛି ଏହି ହିମାଳୟ । ଧରିତ୍ରୀ ସହିତ ତା’ର ଆନୁଭୂମିକ (ହରିଜେଣ୍ଟାଲ୍) ସମ୍ପର୍କ ହିଁ ତାକୁ ଏହି ମର୍ତ୍ତ୍ୟର ମହୋତ୍ସବରେ ମାତି ଉଠିବାକୁ ମନ୍ତ୍ରମୋହିତ କରେ । ମାଟିର ମହକଠାରୁ ରହସ୍ୟର ରୋମାଞ୍ଚ ଯାଏ ତା’ର ଗତି ଓ ପ୍ରଗତି ।

ରହସ୍ୟ ଆଡ଼କୁ ଗତି କଲାବେଳେ, ସେ ଭୂପୃଷ୍ଠରୁ ଲମ୍ୱ ଭାବେ କ୍ରମେ ଉପରକୁ ଉଠେ । ତେଣୁ ସେ ଭୂଲମ୍ୱ । ଭୂଲମ୍ୱରେଖା ଅଙ୍କିତ ଉର୍ଦ୍ଧ୍ୱଧାର (ଭର୍ଟିକାଲ୍) ପର୍ଯ୍ୟାୟରେ କ୍ରମେ ପତଳା ଏବଂ ପରିବେଶରେ ଦେହବାଦରେ ତୁଳନାତ୍ମକ ଭାବରେ ଶୀର୍ଣ୍ଣ । ସେହି ଶୀର୍ଣ୍ଣ ପରିଚୟରେ ତୁମେ ଏଭରେଷ୍ଟ୍, ଈଶ୍ୱରଙ୍କର ରତ୍ନ-ରୋମାଞ୍ଚିତ ସିଂହାସନଟିଏ ପରି ମୋତେ ଲାଗ ।

ଆମମାନଙ୍କର ଏହି ଉପତ୍ୟକାର ଗହଳ କୋଳାହଳ ସଂସ୍ପର୍ଶରେ ଆସି ତୁମ ମୂଳଦୁଆ ହିମାଳୟ, ହାହାକାରର ଶିକାର ହେବାର ଅବକାଶଟିଏ ବି ପାଏନା । କିନ୍ତୁ ତୁମେ ଏଭରେଷ୍ଟ୍, କାହିଁ ନା କେତେ ଉଚ୍ଚ ସିଂହାସନରେ ଥାଇ ଆମର ଏହି ମାନବୀୟ ମାୟାମହକର ବାସ୍ନାରେ ବିଭୋର ହେବାର ସୁଯୋଗ ହରେଇ ବସିଛ ଅନନ୍ତ ଏ ସମୟର ପ୍ରତି ପଲକରେ । ଏ ସୁଦୀର୍ଘ ଶୂନ୍ୟତା, ତୁମର ହର୍ଷୋଚ୍ଛ୍ଵାଶ କି ହାହାକାର ମୁଁ ଜାଣେନା ।

ଲୋକପ୍ରିୟ ଲେଖା

To Top