ପ୍ରବନ୍ଧ

ଗାନ୍ଧୀ ମୂଲ୍ୟବୋଧର ପ୍ରାସଙ୍ଗିକତା

Biraja Routray's odia prose Gaandhi Moolyabodhara Praasangikataa

ଗାନ୍ଧୀ ବଳରେ ବଳୀୟାନ୍ ହୋଇ ଭାରତ ସ୍ୱାଧୀନ ହେଲା ସତ । କିନ୍ତୁ ସ୍ୱାଧୀନତା ପରେ ଭାରତ ମାଟିରେ ଗାନ୍ଧୀ ଚେତନାଟି ଯଥାର୍ଥ ଭାବେ ବିକଶିତ ହୋଇପାରିଲା ନାହିଁ ।

ଗାନ୍ଧୀ ମୂଲ୍ୟବୋଧର ପ୍ରାସଙ୍ଗିକତା

ଗାନ୍ଧୀ ମୂଲ୍ୟବୋଧର ପ୍ରାସଙ୍ଗିକତାକୁ ନେଇ ସମୟ ସମୟରେ ଭିନ୍ନ ଭିନ୍ନ ମତ ପୋଷଣ କରାଯାଇଥିବା ବେଳେ ଏବେ ମିଳିତ ଜାତିସଂଘ ଦ୍ୱାରା ମହାତ୍ମା ଗାନ୍ଧୀଙ୍କ ଜନ୍ମତିଥିକୁ ବିଶ୍ୱ ଅହିଂସା ଦିବସର ମାନ୍ୟତା ଦେବା ଏକ ଉଲ୍ଲେଖନୀୟ ଘଟଣା ବୋଲି କୁହାଯିବ । ଖୁବ୍ ନିକଟରେ ଜର୍ମାନୀ ଦେଶର ମ୍ୟୁନିକ୍ ସହରରେ ସେଠାକାର ବିରୋଧି ଦଳ ଦ୍ୱାରା ଏକ ଅଭିନବ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବାର ଦେଖିବାକୁ ମିଳିଥିଲା । ଏହି ବିପ୍ଳବଟି ଥିଲା ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ଏକ ଅହିଂସାତ୍ମକ ପ୍ରତିବାଦ । ସବୁଠାରୁ ଦର୍ଶନୀୟ ଦୃଶ୍ୟଟି ଥିଲା ଏହି ବିକ୍ଷୋଭକାରୀମାନେ ଯେଉଁ ଫଟୋଚିତ୍ରକୁ ସମ୍ମୁଖରେ ରଖି ସେମାନଙ୍କର ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ତାହା ଥିଲା ମହାତ୍ମା ଗାନ୍ଧୀଙ୍କର । ଏହିସବୁ ଘଟଣାଗୁଡ଼ିକ ବିଶ୍ୱସ୍ତରରେ କ୍ରମବର୍ଦ୍ଧିଷ୍ଣୁ ଗାନ୍ଧୀ ମୂଲ୍ୟବୋଧର ପ୍ରାସଙ୍ଗିକତାକୁ ଆଉ ଥରେ ଦୋହରାଇଥାଏ । ଦକ୍ଷିଣ-ପୂର୍ବ ଏସିଆ ତଥା ଆଫ୍ରିକା ମହାଦେଶର ଅନେକ ଦେଶରେ ଗାନ୍ଧୀଙ୍କ ଅହିଂସା ରଣକୌଶଳଟି ସଫଳତାର ସହିତ ଆଦୃତ ହେଲା ପରେ ଏବେ ୟୁରୋପରେ ଗାନ୍ଧିଜୀଙ୍କ ଆଦର ବୃଦ୍ଧି ପାଉଥିବାର ଦେଖାଯାଇଅଛି ।

ଜୀବିତ ଥିବା ପର୍ଯ୍ୟନ୍ତ ଗାନ୍ଧୀ ଥିଲେ ଜଣେ ବ୍ୟକ୍ତି । ସେ ପୁଣି ଦୁର୍ବଳ ଶରୀରଧାରୀ, କୃଷ୍ଣବର୍ଣ୍ଣ ଓ ଅର୍ଦ୍ଧନଗ୍ନ ଏକ ମାନବ । ମୃତ୍ୟୁ ପରେ ସେ ପାଲଟିଗଲେ ଏକ ଚେତନା । ତାହା ପୁଣି କୌଣସି ଦେଶ, କାଳ, ପାତ୍ର ମଧ୍ୟରେ ଆବଦ୍ଧ ହୋଇ ରହିନଥିଲା । ସ୍ୱାଧୀନତା ପାଇଥିବା କୃତଜ୍ଞ ଭାରତ ତାଙ୍କୁ ସିନା ଜାତିର ଜନକ ଆଖ୍ୟାରେ ବିଭୂଷିତ କରାଇଲା । ମାତ୍ର ସମୟର ପ୍ରବାହରେ ସେ ଏବେ ପାଲଟି ସାରିଲେଣି ବିଶ୍ୱମାନବ । ମାନବିକତାର ମୁକ୍ତି ନିମନ୍ତେ ଏକ ଅପରିହାର୍ଯ୍ୟ ପଥ ପ୍ରଦର୍ଶକ । ଯେଉଁ ପଥରେ ରକ୍ତରଞ୍ଜିତ ତରବାରୀ ବଦଳରେ ତୋପ ମୁହଁର ବାରୁଦ ବଦଳରେ ରହିଛି ଅହିଂସାର ସ୍ପର୍ଦ୍ଦିତ ମନ୍ତ୍ରପାଠ ।

ଏକଥା ସତ ଭାରତୀୟ ମୁକ୍ତି ସଂଗ୍ରାମରେ ଗାନ୍ଧିଜୀ ଏକମାତ୍ର ଯୋଦ୍ଧା ନଥିଲେ । ସ୍ୱତନ୍ତ୍ରତା ସଂଗ୍ରାମ ନିମନ୍ତେ ଯେଉଁ ରଣଭୂମିଟିକୁ ତାଙ୍କର ପୂର୍ବଜମାନେ ପ୍ରସ୍ତୁତ କରି ଅଭିନବ ଉପାୟରେ ଯୁଦ୍ଧ ପରିଚାଳନା କରିଥିଲେ । ତାହା ପୁଣି ସମ୍ପୂର୍ଣ୍ଣ ନିରସ୍ତ୍ର ଭାବରେ ଓ ସଶକ୍ତପୂର୍ଣ୍ଣ ଆତ୍ମବଳ ସହିତ । ହାତରେ ଧରିବାକୁ ଥିଲା ଦୁଇଟି ଅଦୃଶ୍ୟ ଅସ୍ତ୍ର । ଅହିଂସା ଓ ସତ୍ୟାଗ୍ରହ । ଏହାର ପ୍ରତିବଦଳରେ ସେ ବ୍ରିଟିଶ୍ ଶାସକର ମସ୍ତକରୁ ମୁକୁଟ ଖସେଇବାରେ ସକ୍ଷମ ହୋଇଥିଲେ । କେମିତି କାହିଁକି ଓ କିପରି ତାହା ଏବେ ଆମ ସମସ୍ତଙ୍କ ନିମନ୍ତେ ଏକ ସ୍ମରଣୀୟ ଇତିହାସ । ଗାନ୍ଧୀ ବଳରେ ବଳୀୟାନ୍ ହୋଇ ଭାରତ ସ୍ୱାଧୀନ ହେଲା ସତ । କିନ୍ତୁ ସ୍ୱାଧୀନତା ପରେ ଭାରତ ମାଟିରେ ଗାନ୍ଧୀ ଚେତନାଟି ଯଥାର୍ଥ ଭାବେ ବିକଶିତ ହୋଇପାରିଲା ନାହିଁ । ଦେଶ ସ୍ୱାଧୀନ ପରେ ବି ଦେଶରେ ଭାରତକୁ ଗାନ୍ଧୀ ଦେଶ ବୋଲି ଚିହ୍ନୁଥିଲେ । ଗାନ୍ଧୀ ବିଚାରରେ ବଳିଷ୍ଠ ଏହି ଦେଶର ସ୍ୱତନ୍ତ୍ରତାକୁ ସମ୍ମାନ ଜଣାଉଥିଲେ । ଏବେ ସ୍ୱାଧୀନତାର ଅଣସ୍ତରି ବର୍ଷ ପରେ ଏହି ଗାନ୍ଧୀ ଦେଶରେ ଦେଖାଯାଇଥିବା ଅଣାୟତ୍ତ ଉଚ୍ଛନ୍ନ ସ୍ରୋତକୁ ଦେଖି କେହି ଅବିଶ୍ୱାସରେ ଜିଭ କାମୁଡ଼ି ପକାଇବା ଅସମ୍ଭବ ନୁହେଁ ।

ଗାନ୍ଧିଜୀ ପରାଧୀନ ଭାରତକୁ କେବଳ ଏକ ରାଜନୈତିକ ସ୍ୱାଧୀନତାର ତ୍ରିରଙ୍ଗା ଧରାଇ ଦେବାକୁ ଚାହିଁ ନଥିଲେ । ତାଙ୍କର ଦୃଷ୍ଟିକୋଣ ଥିଲା ସୁଦୂରପ୍ରସାରୀ । ତୃଣମୂଳରୁ ଆରମ୍ଭ ବହୁବିଧ ପୁଣି ରଚନାତ୍ମକ । ଶିକ୍ଷାକ୍ଷେତ୍ରରୁ ଆରମ୍ଭ କରି ସର୍ବଧର୍ମ ସମନ୍ୱୟ ପର୍ଯ୍ୟନ୍ତ ହରିଜନ ସମାଜ ଠାରୁ ଆରମ୍ଭ କରି ଅସ୍ପୃଶ୍ୟତା ନିବାରଣ ପର୍ଯ୍ୟନ୍ତ । ଯାହା ରାଜନୈତିକ ସ୍ୱାଧୀନତା ସହ ଭାରତବାସୀଙ୍କୁ ସାମାଜିକ ଓ ଅର୍ଥନୈତିକ ଦାସତ୍ୱରୁ ମୁକ୍ତି ଦେବାରେ ପ୍ରୟାସ ଥିଲା । ସେ ପୁଣି ଏହି ଅଖଣ୍ଡ ବିପ୍ଳବକୁ ଭାରତମାଟିରେ ମାଇଲ ମାଇଲ ବ୍ୟାପୀ ପଦଯାତ୍ରାରେ ପ୍ରସାରିତ କରିବା ସହିତ ଦେଶର ଅଖଣ୍ଡତାକୁ ଧରି ରଖିବା ପାଇଁ ରାଷ୍ଟ୍ରଭାଷା ପ୍ରଚାରରେ ନିଜକୁ ନିୟୋଜିତ କରିଥିଲେ । ଗୋଟିଏ ବାକ୍ୟରେ କହିଲେ ଗାନ୍ଧିଜୀଙ୍କ ସଂଗ୍ରାମ ଥିଲା ସର୍ବଦୃଷ୍ଟି ସମ୍ପନ୍ନ । ଏକ ପୂର୍ଣ୍ଣାଙ୍ଗ ଭାରତର ପରିକଳ୍ପନା । ଯାହାକୁ ରାଜନୈତିକ, ଐତିହାସିକ ପରିଭାଷାରେ ପୂର୍ଣ୍ଣ ସ୍ୱରାଜ ବୋଲି କୁହାଯାଇଥାଏ ।

ଗାନ୍ଧିଜୀଙ୍କ ଏହି କଳ୍ପିତ ଭାରତ ଜୀବନ୍ତ ଭାରତ ହେବାରେ ଅସୁବିଧା ରହିଲା କେଉଁଠି ? ଗାନ୍ଧିଜୀଙ୍କ ପରେ ଗାନ୍ଧୀଙ୍କ ଉତ୍ତରଦାୟାଦମାନେ ଆସିଲେ । ଗାନ୍ଧୀଙ୍କ ନାମ ନେଇ, ଗାନ୍ଧୀଙ୍କ ଦ୍ୱାହି ଦେଇ ପ୍ରତ୍ୟକ୍ଷରେ ବା ପରୋକ୍ଷରେ ଦେଶକୁ ଶାସନ କଲେ । ଗାନ୍ଧୀ ବିଚାରରେ ବିଶ୍ୱାସ ରଖୁଥିବା, ଖଦଡ଼ ପିନ୍ଧୁଥିବା ଓ ନିଜକୁ ଗାନ୍ଧିବାଦୀ ବୋଲି ପରିଚୟ ଦେଉଥିବା ମଣିଷମାନେ ଗାନ୍ଧିଜୀଙ୍କର ଅଧା ଅଧୁରା ସଂଗ୍ରାମକୁ ପୂର୍ଣ୍ଣାଙ୍ଗ ରୂପରେଖ ନ ଦେଇ କେବଳ ରାଜନୀତି ପାଖରେ ଅଟକି ରହିଗଲେ । ଚକ ଅରଖକୁ ପ୍ରତୀକ କଲେ । ଗାନ୍ଧୀ ଦିବସରେ ରାସ୍ତା ଘାଟରେ ରାମଧୂନ୍ ଗାଇ ଗାନ୍ଧୀଙ୍କୁ ଏକ ସମର୍ଥ ପୁରୁଷରୁ ମହାପୁରୁଷକୁ ଉତ୍ତୀର୍ଣ୍ଣ କରାଇ ଆମ ଦେଶରେ ପୂଜ୍ୟପୂଜାର ମହାନ୍ ପରମ୍ପରା ଆରମ୍ଭ କରିଦେଲେ । ସେପଟେ ଗାନ୍ଧୀ ବିଚାରଟି ଅପାଂକ୍ତେୟ ଅଧାପନ୍ତରିଆ ହୋଇ ପଡ଼ିରହିଲା ।

ଗାନ୍ଧୀ ବିଚାରରେ ବିଶ୍ୱାସ ରଖୁଥିବା କିଛି ବ୍ୟତିକ୍ରମ ଅବଶ୍ୟ ବାହାରିଲେ । ସର୍ବୋଦୟ ଓ ଭୂଦାନ ଆନ୍ଦୋଳନ ଯଜ୍ଞରେ ଗାନ୍ଧୀ ଚେତନାଟି ତଥାପି ଭାରତବର୍ଷରେ ବଞ୍ଚି ରହିଥିଲା ପରି ଜଣାପଡୁଥିଲା । ମାତ୍ର ଏହି ବିଶ୍ୱାସରେ ବଞ୍ଚୁଥିବା ଗାନ୍ଧିବାଦୀମାନଙ୍କ ସଂଖ୍ୟା ଦିନକୁ ଦିନ ସଂଖ୍ୟାନ୍ୟୁନ ପାଲଟୁଥିବାରୁ ଗାନ୍ଧୀଙ୍କ ବୈଚାରିକ ସ୍ଥିତି ଓ ସିଦ୍ଧାନ୍ତ ଏବେ ମଳିନ ପଡ଼ିଆସୁଥିବା ପରି ଜଣାପଡୁଅଛି । ଏହା ବୋଧହୁଏ ଭାରତର ସାମ୍ପ୍ରତିକ ରାଜନୈତିକ ଅଧୋଗତି, ଧାର୍ମିକ ଅସହିଷ୍ଣୁତା ଓ ହିଂସା ବିତ୍ପାତର କାରଣ ଅଟେ ।

ବୁଦ୍ଧ ଏହି ଭାରତର ଥିଲେ । କାଳକ୍ରମେ ଏଠାରୁ ଅଲୋଡ଼ା ହୋଇ ବୁଦ୍ଧ ଓ ବୌଦ୍ଧଧର୍ମ ଉଭୟ ଭାରତ ବାହାରେ ଆଦର ପାଇଲା । ମହାତ୍ମା ଗାନ୍ଧୀଙ୍କ କଥାଟି ଏବେ ସେହିପରି । ଦେଶ ବିଦେଶକୁ ଗାନ୍ଧୀ ଚେତନା ସମ୍ପ୍ରସାରିତ ହେଉଥିବା ବେଳେ ଭାରତ ଉପମହାଦେଶର ଅର୍ଦ୍ଧାଧିକ ରାଜ୍ୟ ଉଗ୍ରବାଦ ଓ ନକ୍ସଲ୍ ସମସ୍ୟାରେ ଅଧ୍ୟୁଷିତ । ଅସ୍ପୃଶ୍ୟତା, ମୌଳିକ ଶିକ୍ଷା, ଗ୍ରାମ୍ୟ ଅର୍ଥନୀତି ଓ ଧାର୍ମିକ ସଂହତି ପରି ଦେଶର ସର୍ବମୂଳ ଆହ୍ୱାନଗୁଡ଼ିକ “ହେ-ରାମ” ଶବ୍ଦ ପରି ଏବେ ବି ସ୍ୱାଧୀନତାର ଅପୂର୍ଣ୍ଣ ଆକାଶରେ ଗୁଞ୍ଜରିତ ହେଉଛି ।

ସତରେ କ’ଣ ଗାନ୍ଧୀ ବିଚାରଟି ଆଜି ଅପ୍ରାସଙ୍ଗିକ ହୋଇପଡ଼ିଛି ? ସତରେ କ’ଣ ଗାନ୍ଧୀ ପ୍ରେରଣାଟି ଆମ୍ଭମାନଙ୍କ ଭିତରେ ଆଉ ଉତ୍‌ପ୍ରେରକ ଶକ୍ତି ହୋଇ ରହିନାହିଁ ? ଏହାର ସମ୍ଭାବ୍ୟ ଉତ୍ତର ହୁଏତ “ନା” । ହୋଇପାରେ ପ୍ରଲମ୍ୱିତ । କିନ୍ତୁ ଏକ ଆଗତ ସଂଶୟମୁକ୍ତ ସମୟକୁ ନେଇ ନିଶ୍ଚିତ ଆଶାବାଦୀ ।

ଲୋକପ୍ରିୟ ଲେଖା

To Top