ପ୍ରବନ୍ଧ

ଗାଁର ସୌଖୀନ୍ ଚିତ୍ର ଓ ମନୁଭାଇଙ୍କ କବିତା

Odia Author Biraja Routray

ଏପଟେ ଗାଁ ଛାଡ଼ିଥିବା ଯେତେକ ଦାନାପାଣି ଖୋଜି, ଚାକଚକ୍ୟ ଖୋଜି ଦୀର୍ଘବର୍ଷ ସହରରେ ଅବସ୍ଥାନ କଲାପରେ ବି ଗାଁର ବିଶୁଦ୍ଧ ଚିତ୍ରକୁ ଭାଳି ହେଉଥିବା ବେଳେ, ସେପଟେ ଗାଁ ଗୁଡ଼ିକ ବିକାଶର ମହାପର୍ବରେ ସାମିଲ ହୋଇ ସେମାନଙ୍କର ପୁରୁଣା ଖୋଳପା ପରିତ୍ୟାଗ କରିସାରିଲେଣି ।

ଗାଁର ସୌଖୀନ୍ ଚିତ୍ର ଓ ମନୁଭାଇଙ୍କ କବିତା

ଅଧିକାଂଶ ସହରୀ ଘରର ଡ୍ରଇଁରୁମ୍ କାନ୍ଥରେ ଗାଁମାନଙ୍କର ଭବ୍ୟଦୃଶ୍ୟର ଏକ ଫ୍ରେମ୍‌କରା ଚିତ୍ର ପେଣ୍ଟିଟେ ଆକାରରେ ହେଉ କିମ୍ୱା ଲାମିନେଟେଡ୍ କାଗଜର ସିନେରୀ ଆକାରରେ ହେଉ ଟଙ୍କା ହୋଇଥିବାର ଦେଖିବାକୁ ମିଳିଥାଏ । ଏବେ ଦିନେ ପିପିଲି ଚାନ୍ଦୁଆରେ ତିଆରି ସେହିପରି ଏକ ହାତବୁଣା ଚିତ୍ରର ଶିଳ୍ପକଳା ଦେଖିବାର ସୁଯୋଗ ପାଇଲି । ରଙ୍ଗବେରଙ୍ଗ କପଡ଼ାର ସୂକ୍ଷ୍ମ ହାତ ସିଲେଇରେ ଶୋଭା ପାଉଥିଲା ଧାଡ଼ି ଧାଡ଼ି କେତୋଟି ଚାଳଘର, ଉପରେ ଅସ୍ତଗାମୀ କମଳାରଙ୍ଗର ସୂର୍ଯ୍ୟ ଓ ଏକାଠି ଉଡ଼ିଯାଉଥିବା ଚଢ଼େଇ । ତଳକୁ ଯୋଡ଼ି ବଳଦ ଲଙ୍ଗଳ ଧରି ଗୃହକୁ ବାହୁଡୁଥିବା କୃଷକ ଓ ଦୂରରେ ସବୁଜ ରଙ୍ଗର ଛୋଟବଡ଼ ଗଛବୃକ୍ଷ । ଏସବୁ ମିଶି ଯେଉଁ ଛବିଳ ଦୃଶ୍ୟକୁ ଉପସ୍ଥାପିତ କରୁଥିଲେ ତାହା ଥିଲା ଆମ ପ୍ରିୟ ପରିଚିତ ଗାଁର ।

ଏହାପୂର୍ବରୁ ଚାନ୍ଦୁଆମାନଙ୍କର ହାତୀ, ଘୋଡ଼ା, ଫୁଲ, ପ୍ରଜାପତି ଓ ଚଢ଼େଇ ପ୍ରଭୃତିଙ୍କର ଚିତ୍ର କିମ୍ୱା କୋଣାର୍କ ଚକ୍ରପରି ଭାସ୍କର୍ଯ୍ୟକଳାର ପ୍ରତିରୂପ ଦେଖିବାକୁ ମିଳୁଥିଲା । ଏବେ ଚାନ୍ଦୁଆମାନଙ୍କରେ ଗାଁ ଶୋଭାପାଇଲାଣି । ଏହାର ଅର୍ଥ ନୁହେଁ ଗାଁର ମନଲୋଭା ଦୃଶ୍ୟ ଚାନ୍ଦୁଆକଳାରେ ପ୍ରତିଫଳିତ ହେବା କଥା ନୁହେଁ । ହୋଇପାରେ ଏହାର ଅର୍ଥ ଦ୍ରୁତ ସହରୀକରଣ ଭିତରେ ତଥାପି ମନେପଡୁଥିବା ସେହି ପରିଚିତ ଗାଁ । ସହର ଯେତିକି ମାଡ଼ି ମାଡ଼ି ଚାଲିଛି ଆମେ ସେତିକି ଜୋର୍‌ରେ ଗାଁକୁ ସୁମରଣ କରି ଚାଲିଛୁ । ସେଥିପାଇଁ କର୍ମଜଞ୍ଜାଳରେ ପଡ଼ି ସହରରେ ବାସ କରିବି ଆମେ ଆଖି ଆଗରେ ଗାଁ ସ୍ପର୍ଶ ଟିକେ ପାଇବାକୁ ବ୍ୟାକୁଳ ହୋଇଉଠୁଛୁ । ଦାଣ୍ଡଘରେ ଆଣି ସଜେଇ ରଖୁଛୁ ଗାଁର ସୌଖୀନ ଚିତ୍ର । ତାକୁ ଦେଖି ଗାଁକୁ ମନେ ପକାଉଛୁ । କିଛି ସମୟ ପାଇଁ ଗାଁର ପ୍ରାଣବନ୍ତ ସାବଲୀଳତା ଭିତରେ ହଜିଯାଉଛୁ । ସହରୀ ଜୀବନର କଂକ୍ରିଟ୍ ଅଟୋପ ଭିତରେ ରୁନ୍ଧି ହୋଇ ଖୋଲା ନିଃଶ୍ୱାସଟିଏ ମାରିବା ପାଇଁ ଖୋଜି ହେଉଛୁ ଗାଁର ନିର୍ମଳ ଆକାଶ, ମାଟିକାନ୍ଥ ଓ ନୁଆଁଣିଆ ଚାଳର ଶୀତଳତା । ଧାଡ଼ି ଧାଡ଼ି ତାଳତମାଳ ଗଛର ଆକର୍ଷଣ । ପାଚିଲା ଧାନକ୍ଷେତର ସଂଗୀତ । ଅବିଚଳିତ ପ୍ରକୃତିର କୃତ୍ରିମତା ବିହୀନ ସମ୍ମୋହନ । ଏସବୁ ଯେମିତି ଆମ ଗଭୀର ଚେତନାରେ ଅକ୍ଷତ ଅବସ୍ଥାରେ ଦାନା ବାନ୍ଧି ରହିଛନ୍ତି । ବଢୁଥିବା ସହର ଓ ବ୍ୟାପୁଥିବା ଶିଳ୍ପର ଚୌହଦୀ, ଏମାନଙ୍କ ଦିଗ୍‌ବଳୟର ପ୍ରତୀକସ୍ୱରୂପ ଚିମିଣିରେ ଉଠୁଥିବା କଳାଧୂଆଁ ପୂରା ପୁରି ଘୋଡ଼ାଇ ଦେଇନି ଆମ ହୃଦୟ ଆକାଶରେ ସାଇତା ଗାଁକୁ ।

ସେହି କାରଣରୁ ହୁଏତ ଆମେ ପରୋକ୍ଷରେ ଗାଁର ସାନିଧ୍ୟ ଟିକେ ଉଣ୍ଡାଳି ତାକୁ ଆଣି ସଜେଇ ରଖିଛୁ ସହରର ଡ୍ରଇଁରୁମ୍‌ରେ । ସହର ପାଇଁ ଗାଁ ଏବେ ସାଜସଜ୍ଜାର ଏକ ଉପକରଣ । ସେ ଟେରାକୋଟାର ଚାଳଛପରୀ ଘର ହେଉ, ଜଳ ରଙ୍ଗର ଲ୍ୟାଣ୍ଡସ୍କେପ୍ ହେଉ କିମ୍ୱା ଚାନ୍ଦୁଆ ତିଆରି ହସ୍ତକଳା ହେଉ, ଗାଁକୁ ବର୍ଣ୍ଣନା କରୁଥିବା ଏହିସବୁ କଳାକୃତିଗୁଡ଼ିକ କ୍ରମଶଃ ସହରୀ ପାଲଟୁଥିବା ମଣିଷମାନଙ୍କ ଭିତରେ ଗାଁର ସୌନ୍ଦର୍ଯ୍ୟବୋଧକୁ ଜୀବିତ ରଖିବା ନିମନ୍ତେ ଅଭିପ୍ରେତ । ଦିନକୁ ଦିନ ପୁଞ୍ଜିବାଦ ଓ ଆଧୁନିକ ସଭ୍ୟତାର ପ୍ରତ୍ୟକ୍ଷ ବା ପରୋକ୍ଷ ପ୍ରଭାବରେ ପ୍ରଭାବିତ ହେଉଥିବା ଗାଁ ଗୁଡ଼ିକର ଭୌଗଳିକ ରୂପଚିତ୍ରରେ ଆମୂଳଚୂଳ ପରିବର୍ତ୍ତନ ସଂଗଠିତ ହୋଇ ଚାଲିଛି । ଆଗରୁ ଗାଁ କହିଲେ ମୋଟାମୋଟି ଯେଉଁ ସ୍ଥୂଳ ରୂପଚିତ୍ରର ଏକ ଅବିକଶିତ ଅବସ୍ଥାକୁ ବୁଝାଉଥିଲା ତାହା ଥିଲା ଏପରି- ଖାଲ ଢିପ ମାଟିରାସ୍ତାକୁ ଚିରି ଦୁଇପଟେ ଦୁଇଧାଡ଼ି ଘର । ଗୋବରଲିପା ମାଟିକାନ୍ଥରେ ଝୋଟିଚିତାର ହସ୍ତାକ୍ଷର । ଚାରିଆଡ଼େ ଧାନକ୍ଷେତରେ ଭରା ପ୍ରକୃତିର ଚିର ସବୁଜିମାମୟ ଅଭିସାର । ତା’ ମଧ୍ୟରେ ଅପେକ୍ଷାକୃତ ମୁକ୍ତ ପରିବେଶରେ ସରଳ ଜୀବନଯାପନ କରୁଥିବା ମଣିଷ ପ୍ରକୃତି । ସମ୍ପ୍ରତି ଏସବୁ ଯେପରି ସମୃଦ୍ଧି ଓ ପ୍ରଗତିର ପାର୍ଥିବ ତୂଳୀସ୍ପର୍ଶ ପାଇ ନୂଆ ରୂପରେ ପ୍ରତିଭାତ ହେଉଛନ୍ତି । ଗାଁ ମାନଙ୍କର ପୁରୁଣା ମରହଟ୍ଟୀ ଚେହେରା ଏବେ ଆଉ ନାହିଁ । ପ୍ରାୟ ସବୁ ଗାଁର ଅଣଓସାରିଆ ଅଙ୍କାବଙ୍କା ମାଟିରାସ୍ତାକୁ ଘୋଡ଼ାଇ ପକ୍କା ରାସ୍ତା ଓ ଅଧିକାଂଶ ମାଟିଘର ଭାଙ୍ଗି ଯାଇ ପକ୍କା ଘରରେ ରୂପାନ୍ତରିତ ହେଲାଣି । ସହରର ଛାପରେ ଗାଁମାନଙ୍କର ସରଳ ନିରାଡ଼ମ୍ୱର ଜୀବନଶୈଳୀରେ ଗତିଶୀଳତାର ନୂଆ ତରଙ୍ଗ ଦେଖାଦେଲାଣି । ସଂସ୍କାର ସଂସ୍କୃତି ପ୍ରବଣ ଗ୍ରାମ୍ୟ ମାନସିକତା ସହରୀ ପ୍ରଦୂଷଣରେ ସଂକ୍ରମିତ ହୋଇ ନିଜର ଗାଉଁଲି ଅସ୍ତିତ୍ୱ ହରାଇବାକୁ ବସିଲାଣି ।

ଏପଟେ ଗାଁ ଛାଡ଼ିଥିବା ଯେତେକ ଦାନାପାଣି ଖୋଜି, ଚାକଚକ୍ୟ ଖୋଜି ଦୀର୍ଘବର୍ଷ ସହରରେ ଅବସ୍ଥାନ କଲାପରେ ବି ଗାଁର ବିଶୁଦ୍ଧ ଚିତ୍ରକୁ ଭାଳି ହେଉଥିବା ବେଳେ, ସେପଟେ ଗାଁ ଗୁଡ଼ିକ ବିକାଶର ମହାପର୍ବରେ ସାମିଲ ହୋଇ ସେମାନଙ୍କର ପୁରୁଣା ଖୋଳପା ପରିତ୍ୟାଗ କରିସାରିଲେଣି । ଯୋଗାଯୋଗର ଏହି ଦୁନିଆଁରେ ସହର ଓ ଗାଁ ମଧ୍ୟରେ ଯେପରି ଭାବଗତ ଦୂରତ୍ୱ କମିଆସୁଛି । ସେହିପରି ସ୍ଥାନଗତ ଦୂରତ୍ୱ ମଧ୍ୟ କମି କମି ଚାଲିଛି । ବଜାର ଧସେଇ ପଶୁଛି ଗାଁ ଆଡ଼କୁ । କାଲିର ଖାଁ ଖାଁ ଗାଁ ଦଣ୍ଡା ଛକ ଆଜିର ଛୋଟ ମୋଟ ଖଣ୍ଡେ ବଜାର ପାଲଟିଯାଉଛି । ଆମେ ଭଲ ଭାବରେ ହୃଦୟଙ୍ଗମ କରିସାରିଲୁଣି ଯେ ଆମ ଚାହିଁବା ନ ଚାହିଁବାରେ ଗାଁ ସବୁବେଳେ କେବେ ଗାଁ ହୋଇ ରହିବ ନାହିଁ । ସମୟର ନିରବଚ୍ଛିନ୍ନ ସ୍ରୋତ ତାହା ହିଁ ପ୍ରମାଣିତ କରୁଛି । ସବୁ ବଦଳୁଥିବା ଜିନିଷ ପରି ଗାଁ ମଧ୍ୟ ବଦଳିଯିବ । ଏତେ ସବୁ ପରିବର୍ତ୍ତନ ସତ୍ତ୍ୱେ ଆମର ଆବେଗ ତଥାପି କେଉଁଠି ନା କେଉଁଠି ଖୋଜି ହେଉଥିବ ସେହି ଛାଡ଼ିଆସିଥିବା ଗାଁକୁ ।

ଆମ ସମୟରେ ଗାଁକୁ ନେଇ କବିତା ଲେଖନ୍ତି ମନୁଭାଇ ଓରଫ୍ ମନୋରଞ୍ଜନ ସାହୁ । ଗାଁ ମାଟିରେ ଜନ୍ମିଥିବା ଓ ବଢ଼ିଥିବା ମଣିଷ ସେ । ଚିକ୍କଣ ଶାବନା ରଙ୍ଗର ମୁହଁ । ଗାଲରେ ଛୋଟ ଛୋଟ ଅଯତ୍ନ ବର୍ଦ୍ଧିତ ଦାଢ଼ି । କାନ୍ଧରେ ଖଦି କପଡ଼ାର ଝୁଲା । ଦେଖିଲେ ସଚ୍ଚିରାଉତରାୟଙ୍କ ଭାନୁମତୀର ଦେଶ କବିତା ବହିର ନାୟକ ପରି ଲାଗନ୍ତି । ସବୁବେଳେ ଗାଁକୁ ଭଲ ପାଉଥିବା ଓ ଗାଁ ମନସ୍କ ପ୍ରାଣଟିଏ ଧରି ଘୂରିବୁଲନ୍ତି କବିତା ପାଠୋତ୍ସବ ହେଉଥିବା ସଭାସମିତିମାନଙ୍କରେ । ଆମ ପରି ଗାଁ ବିରହୀ ସହରୀ ମଣିଷମାନଙ୍କ କାନରେ ଶୁଣାନ୍ତି ଗାଁ ଗହଳିର ପରିତ୍ୟକ୍ତ ସଂଗୀତ । କବିତାର ଧାଡ଼ିରେ ସଜେଇ ସଜେଇ ପାଠକ ପାଇଁ ପରଶିଥାନ୍ତି ଗାଁର କଥା ଆଉ ବ୍ୟଥା । ବଦଳୁଥିବା ଚିତ୍ର ଓ ଚରିତ୍ର । ନିରୁପାୟ ଜେଜେବାପା ଓ କ୍ରମଶଃ ଅଚଳ ମୁଦ୍ରା ପାଲଟୁଥିବା ପିତୃପୁରୁଷ ଅମଳର ପ୍ରଥା ଓ ପରମ୍ପରା ।

ସମୟର ଚାପରେ ପରିବର୍ତ୍ତିତ ହୋଇ ଚାଲିଥିବା ଗାଁକୁ ମନୁଭାଇଙ୍କ କବିତା କେମିତି ଉପସ୍ଥାପିତ କରୁଛି ଆସନ୍ତୁ ଦେଖିବା ।

ଜେଜେ ଯେଉଁଠି ତାକୁ ଖୋଜୁଥାନ୍ତି
ସେଠି ସେ ନ ଥାଏ ।
ଖଳାକୁ ଆସିବା ଆସିବା ହେଉଥାଏ
ପାଚିଲା ଧାନ, ଶୀତ, ମୁଆଁସଂକ୍ରାନ୍ତି
ବୁଢ଼ା ହୋଇଯାଉଥାଏ ପିଢ଼ାର ଲାଉ ।

ତାଙ୍କର ଏବେ ନିଘା ନଥାଏ ଏସବୁରେ
ସେ ଠାକୁରଙ୍କ ପରି ବସିଥାନ୍ତି
ଦାଣ୍ଡ ପିଣ୍ଡାରେ
ତେଣେ ଗୋଟାପଣ ମେଲା ବାରିଆଡ଼େ
ଏମିତି ସମୟ ଆସିବ ବୋଲି
ସତରେ ଭାବି ନ ଥିଲେ ଥରେ

ଦାନ୍ତିଆରେ ବଙ୍କୁଲିବାଡ଼ି
କବାଟ କଣରେ କାଠବେଣ୍ଟିଆ ଛତା
କାନ୍ଥ କଣ୍ଟାରେ ଟଙ୍କା ଯାଇଥିବା ବଟୁଆ
ଭାଗବତ ମୁଣ୍ଡ ଉପରେ
ପୁରୀ ନିର୍ମାଲ୍ୟ
କାନ୍ଥର ଗୋଟିଏ ତିନିକଣିଆ ଠଣାରେ

ଆଉ ପୁଣି କ’ଣ ଖୋଜୁଥାନ୍ତି ଜେଜେ ।
(ଜେଜେଙ୍କ ଚଷମା)

ଆଗକୁ ଆଉ କିଛି ବର୍ଷ ପରେ ଆମେ ଦେଖୁଥିବା ଗାଁ ଆଉ ଗାଁ ପରି ହୋଇ ନ ଥିବ । ହୁଏତ ପଚାଶ କି ଶହେ ଖଣ୍ଡେ ବର୍ଷ ପରେ ଗାଁ ସହରର ପୃଥକ୍ ଭୂଗୋଳ ଓ ଆତ୍ମାକୁ ବିଶେଷ ଅଲଗା କରି ଚିହ୍ନି ହେଉ ନଥିବ । ସେଠି କିନ୍ତୁ ମନୁଭାଇଙ୍କ କବିତା ଥିବ । ମ୍ୟୁଜିୟମ୍‌କୁ ବୁଲାଇ ନେବା ପରି ଆମକୁ ବୁଲାଇ ନେଉଥିବ ଗାଁ ଆଡ଼କୁ, ହାତର ଆଙ୍ଗୁଠି ଧରି ।

ଲୋକପ୍ରିୟ ଲେଖା

To Top