ଏଠି ଲୋକେ ତାଙ୍କ ଦେହର ଗୋରା ଚମଡାକୁ ବାଦାମୀ ବା ମାଟିଆ କରିବା ଚିନ୍ତାରେ ବିଭିନ୍ନ ଉପଚାରରେ ମାତିଛନ୍ତି ଆଉ ଆମ ଦେଶରେ ଲୋକେ ପିଢ଼ି ପରେ ପିଢ଼ି ଗୋରା ହେବା ଆଶାରେ ଦେହରେ ଗୋରା ମଲମ ବୋଳି ଚାଲିଛନ୍ତି । ଆମ ଭଳି ଓଧମାନଙ୍କୁ ବାଇ କରିବା ପାଇଁ ଦୂରଦର୍ଶନର ବିଜ୍ଞାପନରେ ଗୋରା ମଲମ ଧରି ଉଭା ହେଉଥିବା ସିନେମାର ଭୁଆଁ ବିଲେଇମାନଙ୍କର ଦାନ୍ତ ଦେଖା, ଆଖି ତରଟା ଆଉ ମୁହଁ ଠାଣିର ଜୁଆର-ଭଟ୍ଟା ଯଥେଷ୍ଟ।
କାଲି, ସିନେମା ଜଗତରେ ସୁଯୋଗ ମିଳି ନ ଥିବା ସମୟରେ କଳିଙ୍ଗ ଛକରେ ଠିଆ ହୋଇ, କୋଇଲା ଚୁଲା ଜାଳି, ଧୁଆଁ-ଧୂଳି ଖାଇ, ଝାଳ-ନାଳ ହୋଇ ପଚାଶ ଡିଗ୍ରୀ ତାତିରେ ଯିଏ ବରା, ପିଆଜି ବିକୁଥିଲା ସିଏ ଆଜି ଟିଭିରେ ଆସି ଗୋରା ମଲମ ବିକୁଛି ଆଉ କହୁଛି,”ଏଇ ମଲମରେ ହିଁ ମୋର ଗୋରପଣର ରହସ୍ୟ ଲୁଚି ରହିଛି, ମୁଁ ଜନ୍ମ ହେଲା ବେଳୁ ହିଁ ଏହି ମଲମକୁ ମୋ ଦେହ, ମୁଣ୍ଡରେ ବୋଳି ହଉଥିଲି, ଏଇ ମଲମ ଯୋଗୁଁ ହିଁ ମୁଁ ଆଜି ତାରକା।”
ପ୍ରକୃତି ବା ବିଜ୍ଞାନର ସମୀକରଣ ବାହାରେ ଆଜି ଯାଏଁ ସତରେ ଗୋରା ମଲମ ଦ୍ୱାରା କେତେ ଜଣଙ୍କର ଦେହର ରଙ୍ଗ ପରିବର୍ତ୍ତନ ହେଲାଣି ଜଣା ନାହିଁ, ହେଲେ ଏ ସିନେମା ତାରକା ଆଉ ମଲମ କମ୍ପାନି ମିଳିମିଶି ଆମକୁ ଭକୁଆ ବନେଇ, ଖରା ବେଳଟାରେ ଆମକୁ ସିନେମାର ଗୋରା-ବାଦାମୀ ସ୍ୱପ୍ନ ଦେଖେଇ ଆମଠୁ କେତେ ଯେ ପଇସା ଲୁଟି ନେଲେଣି ତାର ନିଘା ନାହିଁ।
ମୋଟା ମୋଟି ଭାବେ କେହି ବି ନିଜ ଦେହର ରଙ୍ଗ ପାଇଁ ସନ୍ତୁଷ୍ଟ ନୁହଁନ୍ତି । ବିଷୁବ ରେଖାର ଏପଟ ବାଲା କହୁଛନ୍ତି ସେପଟ ବାଲା ଭଳି ହେବେ, ସେପଟ ବାଲା କହୁଛନ୍ତି ଏପଟ ବାଲା ଭଳି ହେବେ। ବିଚିତ୍ର ଦୁନିଆ !