ପ୍ରବନ୍ଧ

ଗୁଣ ଓ ଗୁଣାତୀତ

ଏହିପରି ଯେତେବେଳେ ଜଣେ ନିଜର ଯେ କୌଣସି କର୍ମରେ ବଳିଷ୍ଠ ପ୍ରତିପାଦନ କରେ, ସେତେବେଳେ ତାହା ସେହି ବ୍ୟକ୍ତିର ଗୁଣ ରୂପେ ପରିଚିତ ହୁଏ । ଏହି ଗୁଣକୁ ଦୁଇ ଉପାୟରେ ଉପଯୋଗ କରାଯାଇପାରେ ।

ଗୁଣ ଓ ଗୁଣାତୀତ

ମଣିଷ ଏକ ସାମାଜିକ ପ୍ରାଣୀ । ସମାଜରେ ବସବାସ କରିବା ପାଇଁ ପ୍ରତିଦିନ କିଛି କାର୍ଯ୍ୟ କରିଥାଏ । ଦୈନନ୍ଦିନ ଜୀବନରେ ନିତ୍ୟ ନେମିତ୍ତିକ କର୍ମ ହେଉ ଅବା ଉଦର ପୋଷଣ ତଥା ପାରିବାରିକ ପୋଷଣ ନିମିତ୍ତ କର୍ମ ହେଉ, ଅର୍ଥାତ୍ ସର୍ବଦା କର୍ମମୟ ଏ ସାଂସାରିକ ଜୀବନ ଅଟେ । ଏହି ସାଂସାରିକ କର୍ମ ପାଇଁ ଆବଶ୍ୟକ ହୋଇଥାଏ ଶକ୍ତି, ବୁଦ୍ଧି ଓ ବିବେକ । କେଉଁ ବ୍ୟକ୍ତି ଶକ୍ତି ଉପଯୋଗ କରି କର୍ମ କରିଥାଏ ତ ଆଉ କେହି ବୁଦ୍ଧି ତଥା ବିବେକକୁ ଉପଯୋଗ କରି ନିଜ କାର୍ଯ୍ୟ ସମ୍ପାଦନ କରିଥାଏ । ଏହିପରି ଯେତେବେଳେ ଜଣେ ନିଜର ଯେ କୌଣସି କର୍ମରେ ବଳିଷ୍ଠ ପ୍ରତିପାଦନ କରେ, ସେତେବେଳେ ତାହା ସେହି ବ୍ୟକ୍ତିର ଗୁଣ ରୂପେ ପରିଚିତ ହୁଏ । ଏହି ଗୁଣକୁ ଦୁଇ ଉପାୟରେ ଉପଯୋଗ କରାଯାଇପାରେ । ଉତ୍ତମ କାର୍ଯ୍ୟ ସମ୍ପାଦନ କଲେ ତାହା ସୁଗୁଣର ପରିଚୟ ଦେଇଥାଏ, ଅନ୍ୟଥା ବିପରୀତ ହେଲେ ଦୁର୍ଗୁଣ କର୍ମ ବୋଲି କୁହାଯାଇଥାଏ । ଏଣୁ ଗୁଣ କହିବାମାତ୍ରେ ବୁଝାପଡ଼େ ଯେ, ବ୍ୟକ୍ତିର ବିଶେଷତ୍ୱକୁ ସ୍ୱଭାବକୁ ଅଥବା ପ୍ରକୃତିକୁ । ପ୍ରତ୍ୟେକ ବ୍ୟକ୍ତିର ବିଶେଷତ୍ୱ, ସ୍ୱଭାବ ବା ପ୍ରକୃତି ଭିନ୍ନ ହେଉଥାଏ । ଗୁଣରେ ସମାନତା ନ ଥାଏ । ଗୋଟିଏ ପରିବାରରେ ବାସ କରୁଥିବା ସମସ୍ତ ସଦସ୍ୟଙ୍କର ଗୁଣ ସମାନ ହୋଇ ନଥାଏ । ବିଦ୍ୟାଳୟରେ ପଢୁଥିବା ସମସ୍ତ ଛାତ୍ରମାନଙ୍କର ଅଥବା କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷମାନଙ୍କର ଗୁଣ ସମାନ ହୋଇ ନଥାଏ । ସମସ୍ତେ ସ୍ୱତନ୍ତ୍ର ଅଟନ୍ତି । ପ୍ରତ୍ୟେକଙ୍କର ଗୁଣ ବା କାର୍ଯ୍ୟପଦ୍ଧତି ସମାନ ହୋଇ ନ ଥାଏ । କାହା ନିକଟରେ ଗୀତ ଗାଇବା ଗୁଣ, କାହା ନିକଟରେ ଅଧ୍ୟୟନ ପ୍ରବଣତାର ଗୁଣ, କାହା ନିକଟରେ ଚିତ୍ର ଅଙ୍କନ କରିବାର ଗୁଣ, କାହା ନିକଟରେ କ୍ରୀଡ଼ାରେ ନିପୁଣ ହେବାର ଗୁଣ ଏବଂ କାହା ନିକଟରେ ଅଭିନୟରେ ପାରଦର୍ଶିତା ହେବାର ଗୁଣ ଇତ୍ୟାଦି ନିହିତ ଥାଏ । ଜଣେ ବ୍ୟକ୍ତିବିଶେଷଙ୍କ ନିକଟରେ ସମସ୍ତ ଗୁଣ ପ୍ରାୟତଃ ରହି ନଥାଏ । ଏହା ହେବା ମଧ୍ୟ ଅସମ୍ଭବ ଅଟେ । କାରଣ ଜଣେ ବ୍ୟକ୍ତିବିଶେଷ ଏକା ସଙ୍ଗରେ ଡାକ୍ତର, ଇଞ୍ଜିନିୟର୍, ବୈଜ୍ଞାନିକ ଓ ଶିକ୍ଷକ ହୋଇପାରେ ନାହିଁ । ଏହା ପ୍ରକୃତିର ବିରୋଧ ଅଟେ । ସୃଷ୍ଟିର ଭାରସାମ୍ୟ ରକ୍ଷା ହୋଇ ପାରେନାହିଁ । ତେବେ ବର୍ତ୍ତମାନ ଜଣାଗଲା ଯେ, କିଛି ନା କିଛି ଗୁଣ ସମସ୍ତଙ୍କଠାରେ ରହିଛି । ଯାହାର ଯେଉଁ ଗୁଣଟି ଯେତେ ଅଧିକ ହୋଇଥାଏ, ସେହି ଗୁଣଦ୍ୱାରା ସେ ଲୋକଲୋଚନରେ ପରିଚିତ ହୋଇଥାଏ । କିନ୍ତୁ ଆମେ ଅନେକ ସମୟରେ କହନ୍ତି ଯେ ଏହାଦ୍ୱାରା କିଛି କାର୍ଯ୍ୟ ହେବ ନାହିଁ । ଏହା ନିକଟରେ କିଛି ମଧ୍ୟ ଗୁଣ ନାହିଁ । ଏପରି କହିବା ସମ୍ପୂର୍ଣ୍ଣ ଅମୂଳକ, କାରଣ କୁହାଯାଇଛି :-

“ଅମନ୍ତ୍ରମ୍ ଅକ୍ଷରଂ ନାସ୍ତି ନାସ୍ତି ମୂଳଂ ମନୋଷଧମ୍ । ଅଯୋଗଂ ପୁରୁଷଂ ନାସ୍ତି ଯୋଜକସ୍ତତ୍ର ଦୁର୍ଲଭମ୍ ।।”

ଅର୍ଥାତ୍ ଏପରି ଅକ୍ଷର ନାହିଁ, ଯାହାର ମନ୍ତ୍ର ରଚନାରେ ପ୍ରୟୋଗ ହୋଇନପାରେ । ଏପରି ବୃକ୍ଷ ନାହିଁ ଯାହା କୌଣସି ନା କୌଣସି ବ୍ୟାଧିର ଔଷଧ ନହୋଇଥିବ । ଏପରି ବ୍ୟକ୍ତି ନାହିଁ ଯେ କୌଣସି ନା କୌଣସି କାର୍ଯ୍ୟରେ ଯୋଗ୍ୟ ହୋଇ ନ ଥିବ । ସର୍ବଦା ସମସ୍ତଙ୍କର ସଂଯୋଜକ ଦୁର୍ଲଭ ଅଟେ ।

ଏହା କେବଳ ବ୍ୟକ୍ତି ବିଶେଷଙ୍କ ନିକଟରେ ସୀମିତ ନୁହେଁ । ପତ୍ର, ପୁଷ୍ପ, ଫଳ, ବସ୍ତୁ ଓ ସାମଗ୍ରୀ ସମସ୍ତଙ୍କଠାରେ କିଛି ନା କିଛି ବିଶେଷ ଗୁଣ ରହିଥାଏ, ଯାହାଦ୍ୱାରା ସେମାନେ ପରିଚିତ ହୋଇଥାନ୍ତି । କେତେଗୁଡ଼ିଏ ବସ୍ତୁ ବା ପଦାର୍ଥ ଆମ ସମ୍ମୁଖକୁ ଆସେ, ଯାହା ପ୍ରକୃତି ବା ସ୍ୱଭାବ ଦୃଷ୍ଟିରୁ ତା’ର ଗୁଣକୁ ଜାଣିହୁଏ । ଯେପରି ସୁନା କହିବା ମାତ୍ରେ ହଳଦିଆ ରଙ୍ଗ ବୋଲି ଆପେ ଆପେ ବୁଝି ହୋଇଯାଏ । ସୁନାରେ ହଳଦିଆ ରଙ୍ଗ, ଚିନିରେ ମଧୁରତା, ଅଗ୍ନିରେ ଉଷ୍ଣତା, ଜଳରେ ଶୀତଳତା ଇତ୍ୟାଦି ପ୍ରକୃତି ଗୁଣ ଆପେ ଆପେ ଜାଣି ହୋଇଯାଏ । ଏହି ପ୍ରକୃତିଗତ କାରଣରୁ ଗୁଣକୁ ତିନି ଭାଗରେ ବିଭକ୍ତ କରାଯାଇଛି । ତାହା ହେଉଛି ସତ୍ତ୍ୱ, ରଜଃ ଓ ତମଃ । ପ୍ରତ୍ୟେକ ମାନବ ଏହି ତିନିଗୁଣରେ ଆବଦ୍ଧ ହୋଇ ରହିଥାଏ । ତିନି ଗୁଣ ମଧ୍ୟରେ ସାତ୍ତ୍ୱିକ ଗୁଣକୁ ଶ୍ରେଷ୍ଠ ମର୍ଯ୍ୟାଦା ଦିଆଯାଏ । ସାତ୍ତ୍ୱିକମନା ଲୋକର ସ୍ୱଭାବ ହେଉଛି ଉଚ୍ଚମନା, ଆତ୍ମଚିନ୍ତନଶୀଳ, ଜ୍ଞାନ ପ୍ରତି ଯତ୍ନବାନ, ଧୀର, ଶୁଦ୍ଧ ଏବଂ ସର୍ବଦା ଆନନ୍ଦିତ । ରଜଃ ସମ୍ପନ୍ନ ବ୍ୟକ୍ତିର ସ୍ୱଭାବ ହେଉଛି କର୍ମ ତତ୍ପର, ଲୋଭ, ପ୍ରବୃତ୍ତି, ସ୍ପୃହା ଏବଂ କାମନା ଇତ୍ୟାଦି । ତମଃ ସମ୍ପନ୍ନ ବ୍ୟକ୍ତିମାନଙ୍କର ସ୍ୱଭାବ ହେଉଛି ପ୍ରମାଦ, ଆଳସ୍ୟ, ଦୀର୍ଘସୂତ୍ରତା, ନିଦ୍ରା ଏବଂ ସର୍ବଦା ମାନ୍ଦା ରହିବା ଇତ୍ୟାଦି । ସାତ୍ତ୍ୱିକ ଗୁଣ ଶ୍ରେଷ୍ଠ ହୋଇଥିବାରୁ ଏହି ଗୁଣ ସମ୍ପନ୍ନ ବ୍ୟକ୍ତିବିଶେଷମାନେ ଅଧିକ ସଫଳତା ଲାଭ କରିଥାନ୍ତି । ଏଣୁ ସମସ୍ତେ ସର୍ବଦା ସାତ୍ତ୍ୱିକ ହେବା ପାଇଁ ପ୍ରଯତ୍ନ କରନ୍ତି । ହେଲେ ସଂସାରରେ କେହି ଏକ ଗୁଣ ସମ୍ପନ୍ନ ହେଇ ଜୀବନ ନିର୍ବାହ କରିପାରିବେ ନାହିଁ । ଏ ମାନବ ଜାତି ତ୍ରିଗୁଣରେ ବନ୍ଧା ହୋଇଛି । ସତ୍ତ୍ୱ, ରଜଃ ଓ ତମଃ ଗୁଣକୁ ଯଥାକ୍ରମେ ବ୍ରହ୍ମା, ବିଷ୍ଣୁ ଓ ଶିବ ବୋଲି କୁହାଯାଇଥାଏ । ସାତ୍ତ୍ୱିକଗୁଣସମ୍ପନ୍ନ ବ୍ରହ୍ମା ସୃଷ୍ଟିକର୍ତ୍ତା, ରଜଃଗୁଣ ସମ୍ପନ୍ନ ବିଷ୍ଣୁ ପାଳନକର୍ତ୍ତା, ତମଃଗୁଣ ସମ୍ପନ୍ନ ଶିବ ସଂହାରକର୍ତ୍ତା ବୋଲି ଶାସ୍ତ୍ରରେ କୁହଯାଇଛି । ବର୍ତ୍ତମାନ ବିଚାର କରାଯାଉ, ଯଦି କେବଳ ବ୍ରହ୍ମା ସୃଷ୍ଟି କରି ଚାଲିଥିବେ, ପାଳନ ଓ ସଂହାର ଯଥାକ୍ରମେ ବିଷ୍ଣୁ ଓ ଶିବଙ୍କଦ୍ୱାରା ହେଉ ନ ଥିବ ତେବେ ସଂସାର ନିରର୍ଥକ ହୋଇଯିବ । କାରଣ ସଂସାର ସୃଷ୍ଟି, ପାଳନ ଓ ସଂହାରାଦି ତ୍ରିଗୁଣକୁ ଅପେକ୍ଷା ରଖେ । ଏଣୁ କେବଳ ସର୍ବଦା ସତ୍ତ୍ୱସମ୍ପନ୍ନଗୁଣ ପ୍ରାପ୍ତ ହେବାର ପରାମର୍ଶ ଅଗ୍ରହଣୀୟ । କୌଣସି ବ୍ୟକ୍ତି ଶଯ୍ୟା ତ୍ୟାଗ ବେଳେ ଯେତେ ଫୁର୍ତ୍ତି ରହିଥାଏ ପୁନଶ୍ଚ ଶଯ୍ୟାଶାୟୀ ସମୟରେ ସେତେ ଫୁର୍ତ୍ତି ରହେ ନାହିଁ । ଏହା ହେଉଛି ପ୍ରକୃତି । ପ୍ରକୃତି ସଦାସର୍ବଦା ପରିବର୍ତ୍ତନଶୀଳ । ପିଲାଟିଏ ସକାଳୁ ଉଠିବାମାତ୍ରେ ସତ୍ତ୍ୱଗୁଣ ସମ୍ପନ୍ନ ହୋଇ ବିଦ୍ୟାଧ୍ୟୟନ କରେ, ରଜଃ ଗୁଣ ସମ୍ପନ୍ନ ହୋଇ କର୍ମ ତତ୍ପର ହୋଇ ଉଠେ ଓ ରାତ୍ର ସମୟରେ ତମଃଗୁଣକୁ ପ୍ରାପ୍ତ ହୋଇ ଶୟନ କରେ । ଏହା ହେଉଛି ପ୍ରତ୍ୟେକ ମାନବର ଜୀବନ । କେବଳ ମାତ୍ର ଏକ ଗୁଣକୁ ଆଧାର କରି ଜୀବନ ବଞ୍ଚି ହେବ ନାହିଁ । ଏହା ସୃଷ୍ଟିର ନିୟମ ଅଟେ । ସେଥିପାଇଁ ଏହି ସୃଷ୍ଟିରେ କୌଣସି ଗୁଣ ଅନାବଶ୍ୟକ ନୁହେଁ । ଏକ ଗୁଣ ଏକ ସମୟରେ ଆନନ୍ଦ ଦିଏ, ପୁଣି ସେହି ଗୁଣ ଅନ୍ୟ ଏକ ସମୟରେ ଦୁଃଖର କାରଣ ହୋଇଥାଏ । ଯେପରି ଶୀତଦିନେ ସୂର୍ଯ୍ୟଙ୍କର କିରଣ ଆମକୁ ଆନନ୍ଦ ଦେଇଥାଏ, କିନ୍ତୁ ଗ୍ରୀଷ୍ମଦିନେ ନୁହେଁ । ଏଣୁ ପ୍ରତ୍ୟେକ ସମୟକୁ ଆନନ୍ଦ ପୂର୍ବକ ଉପଭୋଗ କରିବା ନିମିତ୍ତ ଏହି ତିନିଗୁଣର ସୃଷ୍ଟି । ତଥାପି ସତ୍ତ୍ୱଗୁଣର ଅଭିବୃଦ୍ଧି ହେଲେ ମାନବ ଜୀବନ ଲକ୍ଷ୍ୟ ପ୍ରାପ୍ତି ଆଡ଼କୁ ସହଜରେ ଅଗ୍ରସର ହୋଇପାରେ, ଏ କଥା ଆମେ ଅସ୍ୱୀକାର କରିପାରିବା ନାହିଁ । ଆମେ ଗୁଣ ବିଷୟରେ ବିଚାର କରି ଏହି ଶେଷ ନିଷ୍କର୍ଷରେ ଉପନୀତ ହେଲେ ଯେ, ଜଣେ ବ୍ୟକ୍ତିର ଶରୀର ବଳବୀର୍ଯ୍ୟସମ୍ପନ୍ନ କ୍ଷତ୍ରୀୟ ପରି, ମନ ସଂସ୍କରସମ୍ପନ୍ନ ବ୍ରାହ୍ମଣ ପରି, ବୁଦ୍ଧି କାର୍ଯ୍ୟକୁଶଳ ସମ୍ପନ୍ନ ବୈଶ୍ୟ ପରି ଏବଂ ଅହଂକାର ସେବା ସମ୍ପନ୍ନ ଶୂଦ୍ର ପରି ହୋଇପାରିଲେ ଜୀବନ ଅତ୍ୟନ୍ତ ଆନନ୍ଦମୁଖର ହୋଇଥାଏ । ଏହି ଚାରି ସାଧାନ ମାଧ୍ୟମରେ ହିଁ ମାନବ ବିବିଧ ଗୁଣ ସମ୍ପନ୍ନ ହୋଇ ସମାଜରେ ପ୍ରତିଷ୍ଠିତ ହୋଇଥାଏ ।

ସାଂସାରିକ ଜୀବନ ନିମିତ୍ତ ତ୍ରିଗୁଣ ନିତାନ୍ତ ଲୋଡ଼ା । ହେଲେ ସଂସାର ତ ମାୟାମୟ ଅଟେ । ସତ୍ତ୍ୱ, ରଜଃ, ତମଃ ଏହା ମାୟାର ତିନୋଟି ଗୁଣ । ମାୟାମୟ ସଂସାରରେ ମାନବ ମାୟାତୀତ ହେବା ନିତାନ୍ତ ବାଞ୍ଛନୀୟ । ମାୟାସମ୍ପନ୍ନ ହୋଇ ମାୟାତୀତ ବା ଗୁଣସମ୍ପନ୍ନ ହୋଇ ଗୁଣାତୀତ ହୋଇପାରିଲେ, ପ୍ରତ୍ୟେକ ମାନବ ତା’ର ଚରମ ଓ ପରମ ଲକ୍ଷ୍ୟ ବ୍ରହ୍ମପ୍ରାପ୍ତି କରିପାରିବ । ପରଂବ୍ରହ୍ମ ହେଉଛନ୍ତି ନିର୍ଗୁଣ ଓ ମାୟାତୀତ । ବର୍ତ୍ତମାନ ମାୟାତୀତ ଓ ଗୁଣାତୀତ ଆଦିର ଅର୍ଥ ଜାଣିବା । ଗୁଣାତୀତ ଶବ୍ଦର ଅର୍ଥ ବୁଝିବା ପୂର୍ବରୁ ଲୋଭାତୀତ, କ୍ରୋଧାତୀତ ଇତ୍ୟାଦି ଶବ୍ଦଗୁଡ଼ିକର ଅର୍ଥ ବୁଝିନେବା ଆବଶ୍ୟକ । ଲୋଭାତୀତ କହିଲେ ଲୋଭକୁ ଜୟ କରିବା । ଅର୍ଥାତ୍ ଯେଉଁ ବସ୍ତୁ ଲୋଭ ଦିଏ ସେହି ବସ୍ତୁର ଉପସ୍ଥିତି କିମ୍ୱା ଅନୁପସ୍ଥିତିରେ ବିଚଳିତ ନ ହେବା ହିଁ ଲୋଭାତୀତ ଅଟେ । ଧନଲୋଭୀ ବ୍ୟକ୍ତିଜଣକ ଯଦି ଧନର ଉପସ୍ଥିତି ବା ଅନୁପସ୍ଥିତି ଦ୍ୱାରା ମନରେ ଆବେଗ ସୃଷ୍ଟି ହୁଏ ନାହିଁ ବା କୌଣସି ବିଚଳିତ ଭାବ ପରିଲକ୍ଷିତ ହୁଏ ନାହିଁ, ତେବେ ସେହି ବ୍ୟକ୍ତି ଜଣକ ଧନରୂପକ ଲୋଭକୁ ଅତିକ୍ରମ କରି ଲୋଭାତୀତ ସ୍ତରକୁ ଗତି କରିପାରିଛି । ଲୋଭାତୀତ କହିଲେ ଲୋଭ ରହିତ ବା ଲୋଭ ତ୍ୟାଗ ନୁହେଁ । ଲୋଭ ଥିଲେ ମଧ୍ୟ ଲୋଭରେ ପତିତ ନ ହେବା ହିଁ ଲୋଭାତୀତ ଅଟେ । ସେହିପରି ଯାହା ମନରେ କ୍ରୋଧ ଜନ୍ମାଏ, ତା’ର ଉପସ୍ଥିତି ବା ଅନୁପସ୍ଥିତି ଦ୍ୱାରା ମନ ବିଚଳିତ ନ ହେବା ହିଁ କ୍ରୋଧାତୀତ ଅଟେ । ଗୁଣାତୀତର ଅର୍ଥ ମଧ୍ୟ ଠିକ୍ ସେହିପରି । ଯେଉଁ ଗୁଣ ଗୁଡ଼ିକ ପ୍ରତିଷ୍ଠା ଆଣେ, ସମ୍ମାନ ବଢ଼ାଏ ଓ ସମାଜରେ ପରିଚୟ ଦିଏ, ସେହି ଗୁଣ ଗୁଡ଼ିକର ଉପସ୍ଥିତ ବା ଅନୁପସ୍ଥିତ ଦ୍ୱାରା ମନରେ କୌଣସି ପ୍ରଭାବ ନ ପଡ଼ିବାର ସ୍ଥିତି ହେଉଛି ଗୁଣାତୀତ । ଏଠାରେ ଗୁଣଗୁଡ଼ିକ ତ୍ୟାଗ କରିଯାଏ ନାହିଁ ଅଥବା ଗୁଣଗୁଡ଼ିକ ଆପେ ଆପେ ଅଦୃଶ୍ୟ ହୋଇଯାଏ ନାହିଁ । ଗୁଣଗୁଡ଼ିକରେ ଆବଦ୍ଧ ନ ହେବା ହିଁ ଗୁଣାତୀତ ଅଟେ । ଗୁଣ ରହିଥିଲେ ମଧ୍ୟ ସେଥିରେ ବଶବର୍ତ୍ତୀ ନ ହେବାର ସ୍ଥିତି ହିଁ ଗୁଣାତୀତ । ଗୁଣ ହିଁ ସର୍ବସ୍ୱ ଏଭଳି ଚିନ୍ତାରୁ ବିରତ ହେବା ହିଁ ଗୁଣାତୀତ । ଗୁଣଦ୍ୱାରା ଭବିଷ୍ୟତ ସୁଦୃଢ଼ କରି ଜୀବନକୁ ଊର୍ଦ୍ଧ୍ଵମୁଖୀ କରିବାର ସ୍ୱପ୍ନ ମନରେ ଜାଗରିତ ନ ହେବା ହିଁ ଗୁଣାତୀତ । ଉଦାହରଣ ରୂପେ ଶିକ୍ଷକର ଶିକ୍ଷାଦାନ ରୂପକ ଗୁଣକୁ ସ୍ୱୀକାର କରାଯାଉ । ଜଣେ ଶିକ୍ଷକର ଶିକ୍ଷାଦାନ ସମୟ ଉପସ୍ଥିତି ବା ଅନୁପସ୍ଥିତି ଦ୍ୱାରା ମନରେ ଅନାବେଗ ଓ ଅବିଚଳିତ ବାବର ସ୍ଥିତିକୁ ଶିକ୍ଷାଦାନ ରୂପକ ଗୁଣର ଗୁଣାତୀତ କୁହାଯାଏ । ଶିକ୍ଷାଦାନର ଉପସ୍ଥିତ ସମୟରେ ଉତ୍କଣ୍ଠା, ଆଗ୍ରହ ଓ ଉତ୍ସାହ ଅଥବା ଶିକ୍ଷାଦାନର ଅନୁପସ୍ଥିତ ସମୟରେ ଅନାଗ୍ରହ, ବିଷାଦ କିମ୍ୱା ନୈରାଶ୍ୟ ସୃଷ୍ଟି ହେବା ଗୁଣାତୀତ ନୁହେଁ । ଶିକ୍ଷାଦାନ ପ୍ରତି ବାରଣ ଓ କରଣ ଉଭୟ ସ୍ଥିତିରେ ବଶବର୍ତ୍ତୀ ନ ହୋଇ, ସେହି ସୋପାନକୁ ଅତିକ୍ରମ କରିବା ହିଁ ଶିକ୍ଷାଦାନ ରୂପକ ଗୁଣର ଗୁଣାତୀତ ଅଟେ । ଏଠାରେ ଶିକ୍ଷାଦାନଗୁଣ କେଉଁଆଡ଼େ ଅଦୃଶ୍ୟ ହୋଇଯାଏ ନାହିଁ ଅଥବା ତ୍ୟାଗ କରାଯାଏ ନାହିଁ । ଶିକ୍ଷାଦାନ ରୂପକ ଗୁଣରେ ଆବଦ୍ଧ ନ ହେବାକ ପଦ୍ଧତି ହିଁ ଶିକ୍ଷାଦାନ ରୂପକ ଗୁଣର ଗୁଣାତୀତ ଅଟେ ।

ସାମାଜିକ ଜୀବନରେ ଜୀବନ ନିର୍ବାହ କରୁଥିବା ମାନବ ନିକଟରେ ଅନେକ ଗୁଣ ରହିଛି । ପରନ୍ତୁ ଏହି ଗୁଣ ଗୁଡ଼ିକ ଦ୍ୱାରା ମୋହିତ ନ ହୋଇ ଗୁଣାତୀତ ସ୍ତରକୁ ଯିବାକୁ ପ୍ରଯତ୍ନ କରିବା ଉଚିତ୍ । କାରଣ ବାସ୍ତବରେ ଏହି ଗୁଣାତୀତ ସ୍ତରକୁ ପ୍ରାପ୍ତ କରିଥିବା ବ୍ୟକ୍ତିବିଶେଷଙ୍କୁ ହିଁ ସ୍ଥିତପ୍ରଜ୍ଞ, ଜ୍ଞାନୀ, ଯୋଗୀ ବୋଲି କୁହାଯାଇଥାଏ । ଅନ୍ୟ ଅର୍ଥରେ କହିଲେ ଗୁଣାତୀତ ଜନ ହିଁ ପରମତତ୍ତ୍ୱ ପ୍ରାପ୍ତ ହୋଇଥାଏ । ଏଣୁ ଭଗବାନ୍ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧର ଅବ୍ୟବହିତ ପୂର୍ବରୁ ନିଜର ପ୍ରିୟ ସଖା ଅର୍ଜୁନଙ୍କୁ ତିନିଗୁଣ ରହିତ ହେବା ପାଇଁ କହିଛନ୍ତି, ଯାହା ଶ୍ରୀମଦ୍ ଭାଗବତ୍ ଗୀତାରେ ଉଲ୍ଲେଖ ଅଛି :-

“ତ୍ରୈଗୁଣ୍ୟବିଷୟା ବେଦା ନିସ୍ତୈଗୁଣ୍ୟୋ ଭବାର୍ଜୁନ ।”

ଲୋକପ୍ରିୟ ଲେଖା

To Top