ପ୍ରବନ୍ଧ

ହାଡଭଙ୍ଗା ଶିତରେ ସକାଳ ନିଆଁପୁଆଁ

Er Bidyadhar Panda's odia prose Haadabhangaa Shitare Sakaal Niaanpuaan

ଏସବୁଥିରୁ ନିର୍ଗତ ବିଶାକ୍ତ ଗ୍ୟାସ ପରିବେଶକୁ ତ ଯଥା ସମ୍ଭବ ଧ୍ୱଂସ କରେ କିନ୍ତୁ ତାହା ସହ କିଛି ପରିମାଣରେ ଡ଼ାୟକ୍‌ସିନ୍ ଆମ ପନିପରିବା ଏବଂ ପାଣି ସହ ମିଶି ଆମ ଖାଦ୍ୟ ବାଟ ଦେଇ ଶରୀର ଭିତରକୁ ପଶିଥାଏ ।

ହାଡଭଙ୍ଗା ଶିତରେ ସକାଳ ନିଆଁପୁଆଁ

ସମଗ୍ର ଓଡ଼ିଶାରେ ଏବେ ଶୀତର ରାଜୁତି । ସନ୍ଧ୍ୟା ୫ଟା ପରେ ପ୍ରାୟ ସହରର ତାପମାତ୍ରା ଦଶ(୧୦) ଡ଼ିଗ୍ରୀରୁ ତିନି(୩) ଡ଼ିଗ୍ରୀ କମ୍ କିମ୍ବା ବେଶି ରହୁଛି ଯାହାକି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକ ମାନଙ୍କ ପାଇଁ ଅସହ୍ୟ । ମୁଲିଆଟିଏ ମୁଲରୁ ୫ଟାରେ ଛୁଟି ହୋଇ ସଉଦା ପତର ପାଇଁ ସହର ଆସୁଛି । ତା’ ପାଇଁ ହାଟ ବଜାର ବି ୭ଟା ପର୍ଯ୍ୟନ୍ତ ଖୋଲା ରହୁଛି । ଉଭୟ ବିକିବା ଲୋକ ଏବଂ କିଣିବା ଲୋକ ପାଇଁ ଗରମ ବସ୍ତ୍ର ଅଭାବରୁ ନିଆଁ ପୁଆଁଇବାର ଦରକାର ପଡ଼ୁଛି । ଏ ଅଞ୍ଚଳର ଅନେକାଂଶ ହାଟ ବା ବଜାର ରାସ୍ତା କଡ଼ରେ ହିଁ ବସିଥାଏ । ବିଶେଷକରି ସହରର ବସ୍ତିରେ ରହୁଥିବା ଗରିବ ଲୋକମାନେ ମୁନିସିପାଲଟି ଲୋକ ମାନଙ୍କଦ୍ୱାରା ଓଳାଓଳି ପରେ ଯାଗା ଯାଗା ଜମା କରାଯାଇଥିବା ଅଳିଆ ଗଦା ଗୁଡ଼ିକରେ ନିଆଁ ଲଗାଇ ଶୀତ ଦାଉରୁ ନିଜକୁ ରକ୍ଷା କରିବାର ଦେଖିବାକୁ ମିଳୁଛି ଯାହାକି ସେମାନଙ୍କ ସ୍ୱାସ୍ଥ୍ୟ ପକ୍ଷରେ ଅତ୍ୟନ୍ତ ହାନି କାରକ । ସହରର ଏଇ କୁଡ଼ାଗଦା ଗୁଡ଼ିକରେ ପ୍ଲାଷ୍ଟିକ (PVC) ଥଳି ଏବଂ ରବର ଜାତୀୟ ଜିନିଷ ଅଧିକ ମାତ୍ରାରେ ରହୁଛି । ଏସବୁ ଜଳିଲା ସମୟରେ ଏହାର ଧୂଆଁସହ ପି.ଓ.ପି. (Persistent organic pollutant), ପି.ସି.ଡ଼ି.ଡ଼ି,(PCDD ) ପି.ସି.ଡ଼ି.ଏଫ୍.(PCFD ) ଓ ପି.ଏ.ଏଚ୍.(PAH ) (Poly-Aromatic Hydrocarbons) ସହ ଡ଼ାୟକ୍ସିନ୍ ନାମକ ଏକ ରାସାୟିନିକ ଗ୍ୟାସ ନିର୍ଗତ ହୋଇଥାଏ ଯାହା ମାନବ ଶରୀର ପାଇଁ ଅତୀବ କ୍ଷତିକାରକ । ବୈଜ୍ଞାନିକ ମାନଙ୍କ ମତରେ ୧୦ଟନ୍ ଆବର୍ଜନା ଆଧୁନିକ ଇନସିନେରେଟର ଚୁଲାରେ ଜଳାଇଲେ ଯେତିକି ବିଶାକ୍ତ ଗ୍ୟାସ୍ ନିର୍ଗତ ହେବ, କେବଳ ୧କିଲୋ ଘର ଆବର୍ଜନା ଯେଉଁଥିରେ ପ୍ଲାଷ୍ଟିକ ଥଳି, ଗୁଟକା ଜରି, କ୍ଷୀର ପ୍ୟାକେଟ୍, ଜଗ୍, ଖେଳନା, ସିଗାରେଟ୍ ଖୋଳ ଇତ୍ୟାଦି ଅଛି ତାହା ଜଦି ଖୋଲା ଆକାଶ ତଳେ ଜଳାଯାଏ ତେବେ ସେତିକି ପରିମାଣର ଗ୍ୟାସ୍ ନିର୍ଗତ ହୁଏ ।

ବେଳେ ବେଳେ ବହୁ ଶିକ୍ଷିତ ଲୋକ ମଧ୍ୟ ଅଗଣାର ପଛପଟରେ ଏଭଳି ସବୁ ପଦାର୍ଥକୁ ଏକାଠି କରି ନିଆଁ ଲଗାଇ ଦେଇଥାନ୍ତି । ଏସବୁଥିରୁ ନିର୍ଗତ ବିଶାକ୍ତ ଗ୍ୟାସ ପରିବେଶକୁ ତ ଯଥା ସମ୍ଭବ ଧ୍ୱଂସ କରେ କିନ୍ତୁ ତାହା ସହ କିଛି ପରିମାଣରେ ଡ଼ାୟକ୍‌ସିନ୍ ଆମ ପନିପରିବା ଏବଂ ପାଣି ସହ ମିଶି ଆମ ଖାଦ୍ୟ ବାଟ ଦେଇ ଶରୀର ଭିତରକୁ ପଶିଥାଏ । ମାଆ ମାନଙ୍କ ଠାରୁ ଛୁଆ ମାନଙ୍କ ଦେହକୁ ଆସିଯାଏ । ଏତଦ୍ୱାରା ବହୁତ ପ୍ରକାର ବ୍ୟାଧିର କାରଣ ହୋଇ ଜୀବନକୁ ଦୁର୍ବିଶହ କରିଦିଏ । ବେଳେ ବେଳେ ଦେଖିବାକୁ ମିଳୁଛି ଖିରଖିଆ ଛୁଆଙ୍କୁ କୋଳରେ ଧରି ବି ମାଆମାନେ ସେଇ ନିଆଁ ପାଖରେ ବହୁ ସମୟ ଧରି ବସି ରହୁଛନ୍ତି, ଯେଉଁଥିରେ ସିଧାସଳଖ ଛୁଆର ଫୁସ୍‌ଫୁସ୍ , ଯକୃତ ଏବଂ ଶ୍ୱାସନଳୀ ରୋଗଗ୍ରସ୍ତ ହୋଇ ନଷ୍ଟ ହେବାର ମଧ୍ୟ ସମ୍ଭାବନା ରହୁଛି । ଅନେକ ଏଥିପାଇଁ ମୁଣ୍ଡବିନ୍ଧା, ଶ୍ୱାସରୋଗ (ଆଜମା), କାମଳ(ଜଣ୍ଡିସ୍), ମସ୍ତିସ୍କଜ୍ୱର ଭଳି ଭୟଙ୍କର ବ୍ୟାଧି ଇତ୍ୟାଦିର ଶିକାର ହେଉଛନ୍ତି । କେତେକ ବୈଜ୍ଞାନିକ ମାନେ ମତ ଦେଉଛନ୍ତି ଯେ ଦୁର୍ବଳତା, ଅଧକପାଳି, ଆନ୍ତ୍ରୀକ ଜ୍ୱର ଏବଂ ସ୍ତ୍ରୀ ଲୋକ ମାନଙ୍କର ଗର୍ଭାଶୟ ଜନିତ ରୋଗ ବି ଏଭଳି ସବୁ ବିଶାକ୍ତ ଗ୍ୟାସ ଗୁଡ଼ିକର କୁ-ପ୍ରଭାବ । ଯଦି ରବର ଜାତୀୟ କିଛି ଆବର୍ଜନା ବେଶି ପରିମାଣରେ ଥାଏ ତେବେ ଏହା ମସ୍ତିଷ୍କ ବିକୃତ ଏବଂ ହୃଦ୍ ଘାତ ଭଳି ଭୟଙ୍କର ରୋଗକୁ ବି ଆମନ୍ତ୍ରଣ କରି ମୃତ୍ୟୁ ମୁଖକୁ ଠେଲିଦିଏ ।

ମୂଖ୍ୟତଃ ଏଇ ପାଞ୍ଚଟି କଥା ଉପରେ ଧ୍ୟାନ ଦେଲେ ଏହାର କୁ-ପ୍ରଭାବରୁ କିଛିଟା ତ୍ରାହି ମିଳି ପାରନ୍ତା ।

୧) ଆବର୍ଜନାରୁ ପ୍ଲାଷ୍ଟିକ୍ କୁ ଅଲଗା କରି କେବେ ବି ଏଭଳି ପଦାର୍ଥକୁ ନିଜ ଘରେ କିମ୍ବା ଅଗଣାରେ ନ ଜଳାଇବା,
୨) ପ୍ଲାଷ୍ଟିକ୍ ଥଳି ପ୍ରଭୃତିକୁ ବାରମ୍ବାର ବ୍ୟବହାର କରି ଆବର୍ଜନା ପରିମାଣ ଯଥା ସମ୍ଭବ ହ୍ରାସ କରିବା,
୩) ପ୍ଲାଷ୍ଟିକ୍ ଥଳି, ଖିର ପ୍ୟାକେଟ୍ ଭଳି ବସ୍ତୁକୁ ଅଲଗା ରଖି ନିର୍ମାଣ କର୍ତ୍ତାଙ୍କୁ ବିକ୍ରି କରିଦେବା ,
୪) ପାଖାପାଖି ଦୋକାନୀ ମାନଙ୍କୁ ବୁଝାଇ ପ୍ଲାଷ୍ଟିକ୍ ଥଳି ବ୍ୟବହାର ଠାରୁ ଦୁରରେ ରହିବାକୁ ଅନୁରୋଧ କରିବା,
୫) ନିଜନିଜ ମୁନିସିପାଲଟି କାର୍ଯ୍ୟାଳୟ ଯାଇ ପ୍ଲାଷ୍ଟିକ୍ , ଧାତୁ ଏବଂ କାଚ ଜାତୀୟ ପଦାର୍ଥକୁ ଭିନ୍ନ ଉପାୟରେ ସଂଗ୍ରହ କରି ନିର୍ମାଣକର୍ତ୍ତା ମାନଙ୍କୁ ଫେରାଇବାର ବନ୍ଦୋବସ୍ତ କରାଯାଉ ନଚେତ ଜନବସତି ଠାରୁ ଦୂରରେ ପୋତିବାର ଯୋଜନା ଚିନ୍ତା କରିବାକୁ ଅନୁରୋଧ କରିବା ।

ଇଏତ ହେଲା ଅଜବ ନିଆଁ ରୁ ନିର୍ଗତ ଗଜବ ଧୂଆଁ ର କାହାଣୀ । ଆଉ ଗୋଟେ କଥା ହେଲା ରୋଷେଇ ଘର କାଠଚୁଲି ମୁଣ୍ଡରେ ଶୋଇବା । ଏଦିନେ ଗରିବ ପରିବାରରେ ଏମିତି ଜାଗା କମ ଥାଏ ଏବଂ ଗରମ ଲାଗିବା ପାଇଁ ବୟସ୍କ ବ୍ୟକ୍ତି ମାନେ ଚୁଲି ମୁଣ୍ଡ ପାଖକୁ ଲାଗି ଶୋଇଯାନ୍ତି । ରାତିରେ ନିଦ ବାଉଳାରେ ନିଜର ଚଦର ଆଦି ନିଆଁ ଉପରେ ପଡ଼ିଗଲେ ଦେହ ବି ପୋଡ଼ିଯାଏ । ଏଭଳି ଅନେକ ଦୃଷ୍ଟାନ୍ତ ଦକ୍ଷିଣ ପଶ୍ଚିମ ଓଡ଼ିଶାର ଗାଁ ଗହଳିରେ ଦେଖିବାକୁ ମିଳେ ଯାହାଲାଗି ଜନ ସଚେତନତା ଦରକାର ପଡ଼ୁଛି । ପରିଶେଷରେ ଯଦି ଏହି ସବୁ ଅଞ୍ଚଳରେ ପ୍ରଶାସନ ତରଫରୁ ସରକାରୀ ସହଯୋଗରେ ପ୍ଲାଷ୍ଟିକ୍ ଜଳାଇବା ଦ୍ୱାରା ନିର୍ଗତ ହେଉଥିବା ଡ଼ାୟକ୍ସିନ୍ ଓ ଅନାନ୍ୟ ସମସ୍ତ ରାସାୟିନିକ ଗ୍ୟାସର କୁପ୍ରଭାବ ବିଷୟରେ ଗରୀବ ଲୋକମାନଙ୍କୁ ସଚେତନ କରାଇ କିଛି ପ୍ରାଥମିକ ପ୍ରତିଶେଧକ ଶିକ୍ଷାଦେଇ ଜନସାଧାରଣଙ୍କୁ ଏସବୁ ଉପରେ ଗୁରୁତ୍ୱର ବିଚାର କରିବାକୁ ଆଗ୍ରହ କରାଯାଇପାରନ୍ତା, ତେବେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଅନେକ ପରିବାରର ଶିଶୁ ଓ ଘର ଚଳାଉଥିବା କିଛି ଅଭିଭାବକ ଲୋକ ରୋଗଗ୍ରସ୍ତ ନହୋଇ ସୁସ୍ଥ ଜୀବନ ଯାପନ କରିବା ସହ ସମାଜର ଗଠନଶୀଳ ପ୍ରକ୍ରିୟାରେ ଭାଗିଦାର ହୋଇ ପରିବେଶ ସୁରକ୍ଷାରେ ନିଜର ଦାୟିତ୍ୱ ଠିକ୍ ରୁପେ ତୁଲାଇ ପାରନ୍ତେ ବୋଲି ଆଶା ଓ ବିଶ୍ୱାସ ।

ଲୋକପ୍ରିୟ ଲେଖା

To Top