ପ୍ରବନ୍ଧ

ହେ କୋଣାର୍କ ବିଗତ ଯୌବନା

Nishikanta Padhi's odia prose Hey Konarka Bigata Joubanaa

ଲାବଣ୍ୟମୟୀ କୋଣାର୍କର ଦେହରେ ଆଘାତ ଲାଗିଛି । କେତେ ଅଙ୍ଗ ଅବୟବ ତାର ଛିଡିପଡିଛି । ତଥାପି ସୌନ୍ଦର୍ଯ୍ୟ ତାର ସରିଯାଇନି କି ଆତ୍ମା ତାର ମରିଯାଇନି । ତଥାପି ପୁନଃଯୌବନା ହେବାପାଇଁ ସେ ଅପେକ୍ଷା କରିଛି ଆଜି ମଣିଷମାନଙ୍କର ଦୟା ଓ ଅନୁକମ୍ପାକୁ

ହେ କୋଣାର୍କ ବିଗତ ଯୌବନା

ସଂକଟରେ ଐତିହ୍ୟ

ହେ କୋଣାର୍କ ବିଗତ ଯୌବନା” ଶୈକତ ଶୟନା :- କବିଙ୍କର ସେହି କାଳଜୟୀ ପଦ ଆଜି ଆତ୍ମବିସ୍ମୃତ କରିପକାଏ ଏ ମଣିଷକୁ ଆଉ ବିଭୋର କରିବାକୁ ନେଇଯାଏ ମଣିଷର ଅନ୍ତଃଚେତନାକୁ ଶୀଳାପଦ୍ମ କୋଣାର୍କର ସେହି ପ୍ରସ୍ତର ଗାତ୍ରର ରୂପ ଲାବଣ୍ୟ ଭରା ଦୃଶ୍ୟ ଉପରକୁ । ପ୍ରସ୍ତରର କଠିନ ବକ୍ଷର ଖୋଦେଇ ଚିତ୍ରକୁ ସନ୍ଦର୍ଶନ କରି ମଣିଷ ମୁଗଧ ହୁଏ । କବି କବିତା ଲେଖେ, ଭାବୁକ ଚିନ୍ତାମଗ୍ନ ହୁଏ । ପ୍ରେମିକ ପ୍ରେମିକାମାନେ ଭାବପ୍ରବଣ ହୋଇପଡନ୍ତି । ବୈଜ୍ଞାନିକ ଏତେ ସୁନ୍ଦର ସୃଷ୍ଟି ସର୍ଜନାର ତତ୍ତ୍ୱ ଖୋଜି ବସେ । ସାଧାରଣ ମଣିଷମାନେ ଆଶ୍ଚର୍ଯ୍ୟ ହୋଇପଡନ୍ତି । କାବ୍ୟ କୋଣାର୍କ ମଣିଷକୁ ସୌନ୍ଦର୍ଯ୍ୟର କବିତା ଶୁଣାଏ । ଇତିହାସ କୁହେ ଅନେକ ବର୍ଷତଳେ ସୂର୍ଯ୍ୟ ଦେବତାଙ୍କର ପୂଜା ଓ ଉପାସନା ପାଇଁ ରାଜା ଲାଙ୍ଗୁଳା ନରସିଂହ ଦେବ ବାରଶହ ବଢେଇଙ୍କର ତତ୍ତ୍ୱାବଧାନରେ କୋଣାର୍କ ମନ୍ଦିର ନିର୍ମାଣ କରାଇଥିଲେ । ବାରବର୍ଷ ମଧ୍ୟରେ ମନ୍ଦିରର କାମକୁ ସଂପୂର୍ଣ୍ଣ କରାଯାଇଥିଲେ ମଧ୍ୟ ମନ୍ଦିରର ମୁଣ୍ଡିକୁ ସଂପୂର୍ଣ୍ଣ କରିବା ପାଇଁ କାରିଗରକୂଳ ବିଫଳତା ପ୍ରକାଶ କରିଥିଲେ । ମାତ୍ର ବାରବର୍ଷର ବାଳକ ଧରମା ମନ୍ଦିରର ମୁଣ୍ଡି କାମକୁ ସଂପୂର୍ଣ୍ଣକରି ମନ୍ଦିରର ଚୁଡାରୁ ମହୋଦଧିକୁ ଲମ୍ଫପ୍ରଦାନ କରି ତଥା ନିଜ ଜୀବନକୁ ଝାସ ଦେଇ ବାରଶହ ବଢେଇଙ୍କର ଜୀବନ ରକ୍ଷାକରିଥିଲେ । ଫଳରେ ରାଜାଙ୍କର ମୁଣ୍ଡ କାଟ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇନଥିଲା । କୋଣାର୍କ ମନ୍ଦିର ପଛରେ ରହିଥିବା ଏପରି ଏକ ଇତିହାସ ଆଜି ପୃଥିବୀର ମଣିଷମାନଙ୍କ ମନରେ ବିସ୍ମୟ ସୃଷ୍ଟିକରିଥାଏ । ମନ୍ଦିରର କାରୁକାର୍ଯ୍ୟ, ଛୋଟ ବାଳକଟିର ତ୍ୟାଗ, ସାହସ ତଥା ଦକ୍ଷତା ଆଜିର ବୈଜ୍ଞାନିକମାନଙ୍କୁ ମଧ୍ୟ ବିଚଳିତ କରିଥାଏ । ତେବେ ଓଡିଶାର ଏପରି ଏକ ଗୌରବମୟ ଐତିହ୍ୟ ଆଜି କାଳର କରାଳ ଗର୍ଭରେ କ୍ଷୟ ହେବାକୁ ବସିଛି । ମନ୍ଦିରର ଜଗମୋହନରେ ଫାଟ ସୃଷ୍ଟିହୋଇଛି । ମନ୍ଦିର ଭୁଷୁଡି ପଡିବାର ଭୟ ଆଜି ପ୍ରତ୍ନତତ୍ତ୍ୱବିତମାନଙ୍କୁ ଆତଙ୍କିତ କରିଛି । ଉତ୍କର୍ଷ କଳା ଓ ସ୍ଥାପତ୍ୟର କ୍ଷେତ୍ର ହେଉଛି ଓଡିଶା । ଓଡିଶାର ଅନେକ କିର୍ତ୍ତୀରାଜି ଉତ୍କଳର ପ୍ରାଚୀନ କାରିଗର ଓ ଶିଳ୍ପୀମାନଙ୍କର ଅପୂର୍ବ କାରିଗରୀ ଦକ୍ଷତା ଓ କଳା ନୈପୁଣ୍ୟର ପ୍ରମାଣ ସ୍ୱରୁପ ବିଦ୍ୟମାନ । ହେଲେ ଆମରାଜ୍ୟର ଗୋଟିଏ ମାତ୍ର ସ୍ଥାନ ବିଶ୍ୱ ଐତିହ୍ୟ ପୀଠ ଭାବେ ସ୍ୱୀକୃତି ଲାଭକରିଛି । ତାହା ହେଉଛି ଇତିହାସ ପ୍ରସିଦ୍ଧ କୋଣାର୍କ । ଯେଉଁଠି ପ୍ରାଚୀନ ଉତ୍କଳୀୟ ଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତର ବକ୍ଷରେ ସୃଷ୍ଟି ହୋଇଛି ପ୍ରତ୍ନତତ୍ତ୍ୱର ମହାକାବ୍ୟ । ଚନ୍ଦ୍ରଭାଗା ମୁହାଣ ନିକଟରେ ବେଙ୍ଗାପସାଗର ବେଳାଭୂମିରେ ନିର୍ମିତ ଏହି ବିଶ୍ୱପ୍ରସିଦ୍ଧ ଐତିହ୍ୟସ୍ଥଳ ହେଉଛି ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ପ୍ରତିବିମ୍ବ କୋଣାର୍କ । ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ଏହି ମନୋଜ୍ଞ ସୂର୍ଯ୍ୟମନ୍ଦିର ମଧ୍ୟଯୁଗୀୟ ଶିଳ୍ପକଳାର ନିଦର୍ଶନ ବହନକରେ । ଏହା ୧୯୮୪ ମସିହାରେ ୟୁନେସ୍କୋ ଦ୍ୱାରା ମାନ୍ୟତା ପ୍ରାପ୍ତ ହୋଇଥିଲା । ହେଲେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପମାନ ବୃଦ୍ଧି ଯୋଗୁଁ ଆଜି ଏହି ବିଶ୍ୱ ପ୍ରସିଦ୍ଧ ଐତିହ୍ୟ ପୀଠ ପ୍ରତି ବିପଦ ସୃଷ୍ଟି ହେବାରେ ଲାଗିଛି । ତେବେ ବିଶେଷ ଅନୁଧ୍ୟାନରୁ ଜଣାପଡେ ଯେ ସରକାରୀ ଉଦାସୀନତା ରାଜ୍ୟର ଐତିହ୍ୟ ଗୁଡିକୁ ସଂକଟମୁଖୀ କରାଇଛି । ସହର ବଜାର ତଥା ଗାଁ ଗଣ୍ଡାମାନଙ୍କରେ ମନ୍ଦିର, ମଣ୍ଡପ ତିଆରି କରିବା ପାଇଁ ସରକାର ହାତଖୋଲା ଅନୁଦାନ ଦେଉଥିବା ବେଳେ କୋଣାର୍କ ମନ୍ଦିର ପରି ଐତିହ୍ୟ ଗୁଡିକର ସୁରକ୍ଷା ପ୍ରତି ସରକାର ସତର୍କ ଦୃଷ୍ଟି ଦେଉନାହାଁନ୍ତି । ମନ୍ଦିରର ସୁରକ୍ଷା ବିଷୟରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇ ଅଭିଜ୍ଞ ପ୍ରତ୍ନତତ୍ତ୍ୱବିତ୍‌ମାନଙ୍କୁ ବିଦେଶରୁ ଡକାଇ ମନ୍ଦିରର ସୁରକ୍ଷା ପାଇଁ କିଛି ଗଠନମୂଳକ କାମ କରାଯାଇ ପାରନ୍ତା । କୋଣାର୍କ ମନ୍ଦିରର ସୁରକ୍ଷା ପାଇଁ ସାରା ଭାରତବର୍ଷର କୋଣେ ଅନୁକୋଣେ ବାର୍ତ୍ତା ତଥା ସଚେତନତା ମଧ୍ୟ ସୃଷ୍ଟି କରାଯାଇପାରନ୍ତା । ଯାହାକି ସମସ୍ୟାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବା ପାଇଁ ସହାୟକ ହୋଇପାରନ୍ତା । ବର୍ତ୍ତମାନ ମନ୍ଦିରର ରିପେରିଂ କାମରେ କାରୁକାର୍ଯ୍ୟ ଖଚିତ ପଥର ବଦଳରେ ଖାଲି ସାଦା ପଥରଗୁଡିକୁ ବସାଇ ଲାସ୍ୟମୟୀ କୋଣାର୍କର ରୂପକୁ ବିକୃତ କରାଯାଉଛି । ବାର୍ତ୍ତମାନ ଆଧୁନିକ ତଥା କମ୍ପ୍ୟୁଟର ଯୁଗରେ ଉନ୍ନତ କାରିଗରମାନେ ଅଛନ୍ତି । ଯେଉଁମାନଙ୍କୁ ନେଇ ପୁରୁଣା କାରୁକାର୍ଯ୍ୟଗୁଡିକ ନୂତନ ପ୍ରସ୍ତରର ବକ୍ଷରେ ଖୋଦେଇ କରାଯାଇ ପାରନ୍ତା । କିନ୍ତୁ ସେଥିପ୍ରତି ସରକାରଙ୍କର ଆନ୍ତରିକତା ନାହିଁ କି ଉଦ୍ୟମ ବି ମଧ୍ୟ ନାହିଁ । ବର୍ଷ ବର୍ଷଧରି କାରୁକାର୍ଯ୍ୟ ଖଚିତା ପ୍ରସ୍ତର ସୁନ୍ଦରୀ କୋଣାର୍କର ମରାମତି ଚାଲିଛି ଲୌହ ପାଇପର ଶୃଙ୍ଖଳ ମଧ୍ୟରେ ହେଲେ ପୂର୍ଣ୍ଣାଙ୍ଗ ହୋଇପାରୁନି ମରାମତି କାମ । ଗୋଟିଏ ପାଶ୍ୱର୍ରେ ସାମୁଦ୍ରିକ ଲୁଣିବାୟୁ ମନ୍ଦିରର କ୍ଷତି ଘଟାଉଥିବା ବେଳେ ଅନ୍ୟ ପାଶ୍ୱର୍ରେ ବର୍ଷାଦିନେ ମନ୍ଦିରମୂଳରେ ଜମିରହୁଥିବା ପାଣି ମଧ୍ୟ ମନ୍ଦିରର ଭବିଷ୍ୟତ ପ୍ରତି ବିପଦ ସୃଷ୍ଟିକରୁଛି । ଜଳ ନିଷ୍କାସନର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ମନ୍ଦିରର ସ୍ଥିତି ସଂପୂର୍ଣ୍ଣ ବିପଦ ମୁକ୍ତ ନୁହେଁ । ସେହିପରି ମନ୍ଦିରର ଅନେକ ସ୍ଥାନରୁ ପଥର ଖଣ୍ଡମାନ ଖସି ପଡୁଛି । କେତେକ ସ୍ଥାନରେ ଫାଟ ସୃଷ୍ଟି ହେବାର ଲକ୍ଷ୍ୟ କରାଯାଉଛି । ମନ୍ଦିର ପୃଷ୍ଠର ଫାଟ ତଥା ଗାତ ଗୁଡିକରେ ସରିସୃପମାନେ ବାସକରୁଛନ୍ତି । ଯେଉଁମାନେ କି ପର୍ଯ୍ୟଟକମାନଙ୍କର କ୍ଷତି କରିବାର ଅନେକ ସମ୍ଭାବନା ରହିଛି । ତାଛଡା ମନ୍ଦିରର ଚତୁଃପାଶ୍ୱର୍ରେ ପରିତ୍ୟକ୍ତ ପଥର ଖଣ୍ଡମାନ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହି ପରିବେଶର ସୌନ୍ଦର୍ଯ୍ୟରେ ହାନି ସୃଷ୍ଟିକରୁଛି । ଦେଶରେ ତାଜମହଲ, କୁତବମିନାର, ଜାମା ମସଜିଦ୍ ପରି ଐତିହ୍ୟଗୁଡିକୁ ସୁରକ୍ଷା କବଚ ଯୋଗାଇ ଦେବାକୁ ଯାଇ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଓଡିଶାର ଗର୍ବ ଓ ଗୌରବ ବ୍ଲାକ୍ ପାଗୋଡା କୋଣାର୍କର ସୁରକ୍ଷା ପ୍ରତି ଆଜି ଆଖିବୁଜି ଦେଇଛନ୍ତି । ତେବେ ଓଡିଶା ସରକାର ଚାହିଁଲେ ନିଜ ଖର୍ଚ୍ଚରେ ମଧ୍ୟ ନିଜର ଐତିହ୍ୟକୁ ସୁରକ୍ଷା ଯୋଗାଇ ଦେଇ ପାରିବେ । ମନ୍ଦିରର ପାଶ୍ୱର୍ରେ ନବଗ୍ରହ ଦେବତା ଯେପରି ସାଧାରଣ ଛାତ ତଳେ ପୂଜା ପାଉଛନ୍ତି ତାହା ଆଦୌ ଶୋଭନୀୟ ନୁହେଁ । ଦେବାଦେବୀଗଣ ମନ୍ଦିରର ଗର୍ଭ ଗୃହରେ ଆସ୍ଥାନ ପାଇ ପୂଜା ପାଉଥିବା ବେଳେ ନବଗ୍ରହଙ୍କର ପୂଜାପୀଠ ଛାତଘର ଏକ ବ୍ୟତିକ୍ରମ । ରାଜ୍ୟର ସର୍ବତ୍ର ମନ୍ଦିର ତୋଳା ପର୍ବରେ ନେତା ଓ ମନ୍ତ୍ରୀମାନେ ସାମିଲ ହେଉଥିବା ବେଳେ ଗ୍ରହ ଦେବତାଙ୍କର ମନ୍ଦିର ବିଷୟରେ କେହି ଚିନ୍ତା ନ କରିବା ଏକ ବୃହତ୍ତ ବିଡମ୍ବଡା । ଐତିହାସିକ ପୀଠ ଗୁଡିକର ସୁରକ୍ଷା ପାଇଁ ବୃହତ୍ତ ପାଣ୍ଠିର ଆବଶ୍ୟକ ରହିଛି । ବିନା କେନ୍ଦ୍ରୀୟ ଅନୁଦାନରେ ପାଣ୍ଠି ସଂଗ୍ରହ କରିବା ଓଡିଶା ସରକାରଙ୍କ ପାଇଁ ନିଶ୍ଚୟ କଷ୍ଟକର । ତେବେ ପର୍ଯ୍ୟଟନ ଶିଳ୍ପକୁ ଉନ୍ନତ କରାଗଲେ ପର୍ଯ୍ୟାପ୍ତ ପରିମାଣର ପାଣ୍ଠି ସଂଗ୍ରହ କରାଯାଇ ପାରିବ । ବିଶେଷକରି କୋଣାର୍କ ମନ୍ଦିରର ଚତୁଃପାଶ୍ୱର୍ତୁ ପରିଷ୍କାର କରି ଏକ କିଲୋମିଟର ବ୍ୟାସାର୍ଦ୍ଧରେ ବିଭିନ୍ନ ପ୍ରକାରର ଆଧୁନିକ ପ୍ରାସାଦ ମାନ ନିର୍ମାଣ କରାଯାଇ ସେଥିରେ ମନ୍ଦିର ବିଷୟରେ ପ୍ରଦର୍ଶନୀ ମାନ ଦେଖାଯାଇ ପାରିବ । ଲାଇଟ୍ ଓ ସାଉଣ୍ଡ ସୋ ମାଧ୍ୟମରେ ବାରଶହ ବଢେଇ, ଧରମା ତଥା ରାଜା ନରସିଂହ ଦେବଙ୍କର ଇତିହାସକୁ ଖୁବ୍ ଅତ୍ୟାଧୁନିକ ଶୈଳୀରେ ପ୍ରଦର୍ଶନ କରାଯାଇ ପାରିବ । ମନ୍ଦିର ପାଶ୍ୱର୍ରେ ଏକ ପ୍ରେକ୍ଷାଳୟ ରହିବ ଯେଉଁଥିରେ ଓଡିଶାର ରଥଯାତ୍ରା ତଥା ବିଭିନ୍ନ ମନ୍ଦିରମାନଙ୍କର ଇତିହାସ ବିଷୟରେ ଚଳଚ୍ଚିତ୍ର ପ୍ରଦର୍ଶନ ହେବ । କୋଣାର୍କ, ପୁରୀ ଏବଂ ଭୁବନେଶ୍ୱରର ନିକଟବର୍ତ୍ତୀ ସ୍ଥାନ ହୋଇଥିବାରୁ ପ୍ରତିଦିନ କୋଣାର୍କକୁ ଲୋକମାନଙ୍କର ସୁଅ ଛୁଟିବ । କୋଣାର୍କ ମନ୍ଦିରର କିଛି ଦୂରରେ ଅକ୍ଷରଧାମ ମନ୍ଦିର ପରି ଏକ ବିଶାଳ ନବଗ୍ରହ ମନ୍ଦିର ତିଆରି ହେବ ଯେଉଁଥିରେ କି କୋଣାର୍କ, ଖଜୁରାହୋ, ପୁରୀ, ଲିଙ୍ଗରାଜ ତଥା ଅଜନ୍ତାର କାରୁକାର୍ଯ୍ୟ ଆଦି ଫୁଟିଉଠିବ ଏବଂ ଏଥିପାଇଁ କୋଣାର୍କ ବିଦେଶୀ ପର୍ଯ୍ୟଟକମାନଙ୍କ ପାଇଁ ମୁଖ୍ୟ ଏକ ଆକର୍ଷଣୀୟ ବସ୍ତୁ ପାଲଟିବ । ଭାରତବର୍ଷରେ ଅନେକ ଜାଗାରେ ୱାଟର ସୋ ଚାଲୁଛି । କୋଣାର୍କଠାରେ ମଧ୍ୟ ସେପରି ଏକ ସୋ’ର ବ୍ୟବସ୍ଥା କରାଯାଇପାରେ ଯେଉଁଥିରେ କି ଧର୍ମପଦର କାହାଣୀ ପ୍ରଦର୍ଶିତ ହେବ ଏବଂ ତାହା ଓଡିଶାର ସୁପ୍ତ ଇତିହାସକୁ ଲୋକଲୋଚନକୁ ଆଣିବାରେ ବିଶେଷ ସହାୟକ ହୋଇପାରିବ ।

କୋଣାର୍କ ମନ୍ଦିର ସାରାବିଶ୍ୱରେ ଏକ ଅଦ୍ୱିତୀୟ ସୃଷ୍ଟି । ମନ୍ଦିର ଗାତ୍ରର କାରୁକାର୍ଯ୍ୟ, ଭାସ୍କର୍ଯ୍ୟ, ଚିତ୍ରଲେଖ ତଥା ବିଭିନ୍ନ ପ୍ରସଙ୍ଗ ଖୁବ୍ ଚିତ୍ତାକର୍ଷକ । କୋଣାର୍କକୁ ନେଇ ଓଡିଶାର ଭାଷା ଓ ସାହିତ୍ୟ ହୋଇଛି ରୁଦ୍ଧିମନ୍ତ । ଅନେକ ଓଡିଆ ଗାଳ୍ପିକ ଓ କବି କୋଣାର୍କର ବିଭିନ୍ନ ରୂପନେଇ ବିଭିନ୍ନ କଥା ଲେଖିଯାଇଛନ୍ତି । ପ୍ରସ୍ତର ଗାତ୍ରର ଛବି ସେତେବେଳର ଇତିହାସ ବଖାଣିଥାଏ । ତେଣୁ ଏପରି ଏକ ଐତିହ୍ୟ ଆଜି କାଳର ଗର୍ଭରେ ଲିନ ହେବାକୁ ବସିଲାଣି । ସମୟ ଆସିବ କୋଣାର୍କ ମନ୍ଦିରର ଦୁର୍ବଳ ସ୍ଥିତି ପ୍ରତି ଗଭୀର ଦୃଷ୍ଟି ଦିଆ ନ ଗଲେ ତାହା ଦିନେ ଭୁଷୁଡି ପଡିବ । ଅନେକ କାରୁକାର୍ଯ୍ୟ ଭରା କାହାଣୀ ସବୁ ମାଟିରେ ମିଶିଯିବେ । ସମସ୍ତଙ୍କ ପାଇଁ ଶୀଳା ପଦ୍ମ କୋଣାର୍କ ସୁନ୍ଦରୀ ପାଲଟିଯିବ ସ୍ୱପ୍ନଟିଏ । ସମୟର କ୍ରୁର ସୋପାନରେ ଯେ ଏପରି ଏକ ଦୁର୍ଘଟଣାଟିଏ ଯେ ଘଟିଯିବ ତାହାକୁ କେବେ ସହି ପାରିବେନି ଏହି ଓଡିଶାବାସୀ । ଆଜି ବି ସମୟ ଆହ୍ୱାନ ଦେଉଛି ସରକାରଙ୍କୁ କୋଣାର୍କର ସୁରକ୍ଷା ପାଇଁ ଗଠନମୂଳକ ପଦକ୍ଷେପ ତୁରନ୍ତ ନେବାପାଇଁ । ଲୁଣିବାୟୁର ପ୍ରକୋପରୁ କିପରି ମନ୍ଦିରକୁ ବିପଦମୁକ୍ତ ରଖିବାକୁ ହେବ ଏବଂ ମନ୍ଦିରର ଭାରସାମ୍ୟ ବହନ କରୁଥିବା ଭୂମିର ଦୃଢତା କେତେଦୂର ସକ୍ରିୟ ରହିଛି ଏବଂ ବର୍ଷାଜଳର ପ୍ରଭାବରେ କି କ୍ଷତି ହେଉଛି ସେ ବିଷୟରେ ଦକ୍ଷ ପ୍ରତ୍ନତତ୍ତ୍ୱବିଦମାନେ ଗଭୀର ଅନୁଧ୍ୟାନ କରିବା ଆବଶ୍ୟକ ମନେହୁଏ । ତାଛଡା ପର୍ଯ୍ୟଟକମାନଙ୍କ ପାଇଁ କୋଣାର୍କଠାରେ କିପରି ଉନ୍ନତମାନର ହୋଟେଲ, ପାର୍କ ତଥା ଦୋକାନ ବଜାରର ବ୍ୟବସ୍ଥା କରିହେବ ସେ ଦିଗରେ ଓଡିଶା ସରକାର ଉଚିତ ପଦକ୍ଷେପ ଗ୍ରହଣ କିପରି ବା‚ନୀୟ । ବର୍ଷକୁ ଥରେ ପଡୁଥିବା ମାଘମେଳାରେ କୋଣାର୍କ ଲୋକାରଣ୍ୟ ହୋଇଉଠେ ଏବଂ କୋଣାର୍କ ମହୋତ୍ସବରେ ମଧ୍ୟ କୋଣାର୍କଠାରେ ଆନନ୍ଦର ମାହୋଲ ସୃଷ୍ଟିହୁଏ । ତେବେ ଆବଶ୍ୟକ ସୁବିଧା ନ ଥିବାରୁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ମନ୍ଦିରଠାରୁ ଟିକେ ଦୂରରେ ଥିବା ମ୍ୟୁଜିୟମଠାରେ ମନ୍ଦିର ସମ୍ବନ୍ଧିତ ସବିଶେଷ ତଥ୍ୟ ମିଳି ନ ଥାଏ । ସେହିପରି ପାନ୍ଥଶାଳାର ସୀମିତ ପରିସର ପର୍ଯ୍ୟଟକମାନଙ୍କ ପାଇଁ ଯଥେଷ୍ଟ ନୁହେଁ । ତାଛଡା ଏକ ଗୁରୁତ୍ୱପୂର୍ଣ୍ଣ କଥାହେଲା କୋଣାର୍କଠାରେ ଆଜିକାଲି ପର୍ଯ୍ୟଟକମାନଙ୍କୁ ସନ୍ତୋଷ ମିଳିପାରୁ ନାହିଁ । ଏକ ନିର୍ଜୀବ ପ୍ରସ୍ତରର ବକ୍ଷରୁ ଅଫୁରନ୍ତ ଆନନ୍ଦ ଆହରଣ କରୁଥିବା ମଣିଷମାନେ ସଜୀବ ମଣିଷମାନଙ୍କ ପାଖରୁ ଅସନ୍ତୋଷ ପାଇଥାନ୍ତି । ଏହା ବାସ୍ତବିକ୍ କ୍ଷୋଭର ବିଷୟ । ସମୟର ସେହି ଭାସମାନ ପିଠିରେ ସ୍ମୃତିର ଆଇନାରେ ଦେଖାଯାଏ ଅତୀତ । ବାରଶହ ବଢେଇଙ୍କ ମୁଣ୍ଡକାଟର ଧମକ ପରେ ଛିଡାହୁଏ କୋଣାର୍କ । ଦୁଇମୁଠା ଆହାରର ଆଶ୍ୱାସନାରେ କାରିଗରକୂଳ ଗଢିଦିଅନ୍ତି ସପ୍ତାଶ୍ଚର୍ଯ୍ୟ । ସତ ହୁଏ । ସ୍ୱପ୍ନ ସମୟ କଡ ଲେଉଟାଏ । ସବୁ କେମିତି ଇତିହାସ ପାଲଟିଯାଏ ସିନା ଭଙ୍ଗା ମନ୍ଦିର ଇତିହାସ ଶୁଣାଏ ଆଉ ଆନନ୍ଦର ମାହୋଲ ବିସ୍ତାରେ । ସମସ୍ତଙ୍କର ସ୍ୱପ୍ନର କୋଣାର୍କଟିଏ ହୋଇ ଲାଖି ରହେ ଆଖିରେ ମନରେ ହୃଦୟରେ । ପୃଥିବୀ ବକ୍ଷରେ ଯୁଦ୍ଧ ବିଶ୍ୱଯୁଦ୍ଧ, କଳାପାହାଡର ଆକ୍ରମଣ ଓ କେତେ ଆତଙ୍କବାଦୀଙ୍କ ବିସ୍ଫୋରଣ କେତେ କଣ ଘଟିଯାଇଛି । ଲାବଣ୍ୟମୟୀ କୋଣାର୍କର ଦେହରେ ଆଘାତ ଲାଗିଛି । କେତେ ଅଙ୍ଗ ଅବୟବ ତାର ଛିଡିପଡିଛି । ତଥାପି ସୌନ୍ଦର୍ଯ୍ୟ ତାର ସରିଯାଇନି କି ଆତ୍ମା ତାର ମରିଯାଇନି । ତଥାପି ପୁନଃଯୌବନା ହେବାପାଇଁ ସେ ଅପେକ୍ଷା କରିଛି ଆଜି ମଣିଷମାନଙ୍କର ଦୟା ଓ ଅନୁକମ୍ପାକୁ । କିଏ ଜାଣେ କେବେ ସରକାରଙ୍କର ଶୁଭ ଦୃଷ୍ଟି ପଡିବ ଏ ବିଗତ ଯୌବନା କୋଣାର୍କ ଉପରେ !!!

ଲୋକପ୍ରିୟ ଲେଖା

To Top