ପ୍ରବନ୍ଧ

ଜହ୍ନ ତୋଳିବାର ବେଳ

Nishikanta Padhi's odia prose Jahna Tolibaara Bela

ଓଡିଆ ଜାତିର ଭାଷା ଓ ସାହିତ୍ୟର ସୁରକ୍ଷା ପାଇଁ ଓଡିଶା ସରକାରଙ୍କର କିଛି ଚିନ୍ତା ନାହିଁ କି ଯୋଜନା ନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା ରୁଗଣ ହୋଇପଡିଛି । ଧାର୍ମିକ ଅସହିଷ୍ଣୁତା ସମାଜରେ ଦଙ୍ଗା ସୃଷ୍ଟିକରୁଛି ।

ଜହ୍ନ ତୋଳିବାର ବେଳ

ଆ ଜହ୍ନ ମାମୁଁ ଶରଦ ଶଶି, ମୋ କାହ୍ନୁ ହାତରେ ପଅଡ ଖସି’ କାନ୍ଦୁଥିବା କୁନିପୁଅକୁ ବୁଝାଇବାକୁ ଯାଇ ଅନ୍ଧାର ରାତିରେ ଉପାୟ ନ ପାଇ ଘରୁ ବାହାରକୁ ଯାଇ ମା’ ପୁଅକୁ ପାଖରେ ଧରି ଆକାଶରେ ଜହ୍ନକୁ ଲକ୍ଷ୍ୟକରି କୁହେ । ଜହ୍ନ ତ କେବେ ଖସି ଆସେନା ବରଂ କୁନିପୁଅର କାନ୍ଦଟା ବନ୍ଦ ହୋଇଯାଏ । କୁନିପୁଅଟା ଯଦି ବୁଝିପାରନ୍ତା ଏସବୁ ମା’ର ଛଳନା, ମିଥ୍ୟା ପ୍ରଲୋଭନ ତା ହେଲେ କୁନିପୁଅର କାନ୍ଦଟା ବୋଧେ ବନ୍ଦ ହୋଇନଥାନ୍ତା । ଏମିତି ମିଥ୍ୟା ପ୍ରତିଶୃତି, ପ୍ରଲୋଭନ ତଥା ମନଗଢା ଇସ୍ତାହାର ସୃଷ୍ଟିକରି ଦେଶ ଓ ସମାଜର ନିରୀହ ମଣିଷମାନଙ୍କର ମନକୁ ବ୍ଲାକମେଲିଂ କରି ନିର୍ବାଚନର ମତଦାନକୁ ଆଜି ପ୍ରଭାବିତ କରାଯାଉଛି । ସ୍ୱାର୍ଥରହିତ ମନୋଭାବ, ବିଚାର ବିମର୍ଶ କରି ନ ପାରିବାର ସ୍ଥାଣୁତା ତଥା ପାରିବାରିକ ରାଜନୀତି ଆଜି ଭାରତବର୍ଷର ଗଣତନ୍ତ୍ର ବ୍ୟବସ୍ଥାକୁ କଳୁଷିତ କରିପକାଇଛି । ଗଣତନ୍ତ୍ରକୁ ହତ୍ୟାକରି ତାର ମହାସମାଧି ଉପରେ ଆଜି ରାଜନେତାମାନେ ବସି ଦେଶର ଶାସନ ଡୋରି ଟାଣୁଛନ୍ତି । ସାରା ବିଶ୍ୱରେ ଗଣତାନ୍ତ୍ରିକ ରାଷ୍ଟ୍ର ଯଥା ଇଂଲଣ୍ଡ, ଆମେରିକାରେ ନିର୍ଦ୍ଧିଷ୍ଟ ବ୍ୟବଧାନରେ ସରକାର ବଦଳୁ ଥିବା ବେଳେ ସର୍ବବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବର୍ଷର ଅନେକ ରାଜ୍ୟରେ ବର୍ଷ ବର୍ଷ ଧରି ଦଶବର୍ଷ କୋଡିଏ ବର୍ଷ ପର୍ଯ୍ୟନ୍ତ ସରକାର ଶାସନ ଗାଦିରେ ବସିଆସୁଛନ୍ତି । ଦେଶ ଓ ସମାଜର ନିଃସ୍ୱାର୍ଥପର ଭାବେ ସେବା କରିବା ପାଇଁ ସଂକଳ୍ପ କରି ଶାସନ କ୍ଷେତ୍ରକୁ ଆସୁଥିବା ଶାସକମାନେ ଶେଷରେ ସ୍ୱାର୍ଥ ସର୍ବସ୍ୱ ହୋଇପଡୁଛନ୍ତି । ଫଳରେ ଦେଶ ଓ ସମାଜର ପ୍ରଗତି ଆଜି ମାଇଲଖୁଣ୍ଟ ପାଖରେ ଅଟକି ଯାଇଛି । ଆଜି ଆମ ସମାଜରେ ଧନୀମାନେ ଧନୀ ହେବାରେ ଲାଗିଛନ୍ତି ଆଉ ଗରୀବମାନେ ତଳିତଳାନ୍ତ ହୋଇଯାଉଛନ୍ତି । ଦୁର୍ବଳ ଉପରେ ସବଳର ଶାଗୁଣା ଆଖି ଅହରହ ବୁଲୁଛି । ଦୁର୍ବଳର କାନ୍ଧରେ ପାଦ ଥୋଇ ସବଳମାନେ ଆକାଶକୁ ଛୁଇଁବାର ହୀନ ପ୍ରୟାସକୁ ସଫଳ କରୁଛନ୍ତି । ଗୋଟିଏ ଅନ୍ଧାକାନୁନର ଶାସନ ଆଜି ବର୍ଷ ବର୍ଷ ଧରି କବଳିତ କରିରଖିଛି ଦେଶବାସୀଙ୍କୁ । ସମାଜର ପ୍ରତିଟି ବର୍ଗରେ ସ୍ଥାଣୁତା ତଥା ନିଷ୍କ୍ରିୟତା ଲକ୍ଷ୍ୟ କରାଯାଉଛି । ଓଡିଆ ଜାତିର ଭାଷା ଓ ସାହିତ୍ୟର ସୁରକ୍ଷା ପାଇଁ ଓଡିଶା ସରକାରଙ୍କର କିଛି ଚିନ୍ତା ନାହିଁ କି ଯୋଜନା ନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା ରୁଗଣ ହୋଇପଡିଛି । ଧାର୍ମିକ ଅସହିଷ୍ଣୁତା ସମାଜରେ ଦଙ୍ଗା ସୃଷ୍ଟିକରୁଛି । ଆଇନକାନୁନ ବ୍ୟବସ୍ଥା ଆଜି ଅର୍ଥବଳ ତଥା ବାହୁବଳ ଜରିଆରେ ନିୟନ୍ତ୍ରଣ କରାଯାଉଛି । ଚାଷ ତଥା ଚାଷୀମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଛି । ତଥାପି ଲୋକେ ଚେତୁ ନାହାଁନ୍ତି କି ଲୋକମାନଙ୍କ ମନ ଓ ହୃଦୟରେ ଚେନାଏ ପରିବର୍ତ୍ତନ ମଧ୍ୟ ଆସୁନାହିଁ । ଏହାର ମୁଖ୍ୟ କାରଣ ହେଉଛି ମଣିଷମାନଙ୍କର ସ୍ୱାର୍ଥ, ଲୋଭ ଓ ମୋହ ରହିତ ମନୋଭାବ, ବିଚାର ବିମର୍ଷର ନିଷ୍କ୍ରିୟତା ତଥା ଏ ଦେଶ ଓ ସମାଜ ପାଇଁ କିଛି ନ କରିପାରି ନିଜ ପାଇଁ କେବଳ ନିଜେ ବଞ୍ଚିବାର ହୀନମନ୍ୟତା । ଆମଦେଶର ଅଧିକାଂଶ ଲୋକ ଗରୀବ । ତେଣୁ ସେମାନଙ୍କ ମନକୁ ଶସ୍ତା ପ୍ରଲୋଭନରେ ପ୍ରଭାବିତ କରି ସେମାନଙ୍କ ଭୋଟଦାନକୁ ଅକ୍ତିଆର କରି ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିବା ଖୁବ୍ ସହଜ କାମ । ତେବେ ଏହା ଗଣତନ୍ତ୍ର ବିରୋଧୀ ହେଲେ ମଧ୍ୟ ଆଜି ପାଟି ଖୋଲିବାର ସାହସ କାହାର ନାହିଁ । ମହାତ୍ମା ଗାନ୍ଧୀ କହିଥିଲେ- ପ୍ରକୃତ ଭାରତବର୍ଷ ଗାଁରେ ହିଁ ବଞ୍ଚିଛି । ଗ୍ରାମର ବିକାଶରେ ହିଁ ଦେଶର ବିକାଶ ସମ୍ଭବ । ତେଣୁ ପଞ୍ଚାୟତ ସ୍ତରରେ ନିର୍ବାଚିତ ପ୍ରତିନିଧିମାନେ ଗ୍ରାମଗୁଡିକର ସର୍ବାଙ୍ଗୀନ ବିକାଶ ଦିଗରେ ଦୃଷ୍ଟି ଦେବା ଶାସନର ପ୍ରାଥମିକ ଲକ୍ଷ୍ୟ । କିନ୍ତୁ ଆଜି ପଞ୍ଚାୟତ ଶାସନର ଲକ୍ଷ୍ୟ ଓ ଆଦର୍ଶ ସବୁ କଳୁଷିତ ହୋଇପଡିଛି । ପ୍ରାର୍ଥୀମାନଙ୍କ ନିର୍ବାଚନୀ ଖର୍ଚ୍ଚ ନିର୍ବାଚନ କମିଶନର ନିର୍ଦ୍ଧିଷ୍ଟ ସୀମା ମଧ୍ୟରେ ରଖିଥିଲେ ମଧ୍ୟ ପ୍ରାର୍ଥୀମାନଙ୍କର ଜହ୍ନତୋଳି ଦେବାର ପ୍ରତିଶୃତି ଖୁବ୍ ବଳବତ୍ତର ରହିଛି । କାଗଜ କଲମରେ ଏବେ ପ୍ରସ୍ତୁତି ହେଉଛି ଶସ୍ତା ପ୍ରତିଶୃତି ତଥା ଇସ୍ତାହାରର ତାଲିକାମାନ । ଯାହାକୁ ପ୍ରଚାରକରି ନେତାମାନେ ଟାଣିବେ ନୀରିହ ଜନସାଧାରଣଙ୍କର ମନ ଓ ହୃଦୟକୁ । ଗୋଟିଏ ସଭ୍ୟ ସମାଜ ମଧ୍ୟରେ ଅଗଣତାନ୍ତ୍ରିକ ଭୋଟଦାନକୁ ପ୍ରଶୟ ଦିଆଯାଏ ! ଜୋର ଯାର ମୂଲକ ତାର ନୀତିରେ ମଣିଷର ଅଧିକାର ଓ କର୍ତ୍ତବ୍ୟକୁ ବିଳିଦିଆଯାଏ ! ମିଥ୍ୟା ପ୍ରତିଶୃତି ଓ ମନଗଢା ଇସ୍ତାହାର ମାନ ପଢି ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଦେଶର ଶାସକ ସାଜେ ! ଆଉ ଏସବୁକୁ ବରଦାସ୍ତ କରନ୍ତି ଦେଶର ଜନସାଧାରଣ ! ବାସ୍ତବିକ୍ ଏହାକୁ କେବେ ବିଶ୍ୱାସକରି ହୁଏନା । ତେବେ କାହିଁକି ଏ ମଣିଷ ସଭ୍ୟ ଓ ଶିକ୍ଷିତ ହୋଇ ବି ଦଳେ ଶଠ ଓ ପ୍ରତାରକଙ୍କ ଫମ୍ପା ଆୱାଜରେ ଫସିଯାଏ !!! କାହିଁକି ନିଜର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ହତ୍ୟାକରି ଏକ କୃତ୍ରିମ ମାନସିକତାକୁ ଆପଣେଇ ଜବରଦସ୍ତ ଗୋଟିଏ ଅଯୋଗ୍ୟ ବ୍ୟକ୍ତିକୁ ଦେଶର ଶାସକ ଭାବେ ସମର୍ଥନ କରେ !!! ଏ ସବୁରି ପଛରେ ରହିଛି ସ୍ୱାର୍ଥ ତଥା ଅର୍ଥ ଆପଣେଇବାର କୁତ୍ସିତ ମନୋଭାବ । ପ୍ରତି ନିର୍ବାଚନ ପୂର୍ବରୁ ଏମିତି ଫସିବାର ସମୟମାନ ଆସେ । କ୍ଷମତାକୁ ଆପଣେଇବା ମୋହରେ ଅନ୍ଧ ହୋଇ ପୁଞ୍ଜିପତିମାନେ ନିର୍ବାଚନରେ କୋଟି କୋଟି ଟଙ୍କା ଖର୍ଚ୍ଚକରନ୍ତି । ମଦ ମାଂସର ଆସରରେ ଯୁବକମାନଙ୍କୁ ସାମିଲ କରି ଯୁବକମାନଙ୍କର ପ୍ରଚଣ୍ଡ ଶକ୍ତିକୁ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଉସôର୍ଗ କରାଯାଏ । ଗରୀବ ଖଟିଖିଆ, ଦିନ ମଜୁରିଆ ତଥା ବସ୍ତିବାସିନ୍ଦାଙ୍କ ହାତରେ ଟଙ୍କା ଗୁଞ୍ଜି ଜଗନ୍ନାଥଙ୍କ ମହାପ୍ରସାଦ ଛୁଆଁଇ ପ୍ରାର୍ଥୀଙ୍କୁ ଭୋଟଦେବା ପାଇଁ ରାଣ ଓ ନିୟମ ପକାଯାଏ । ଏମିତି ବର୍ଷ ବର୍ଷ ଧରି ଫସି ଆମେ ଦେଶ ଓ ସମାଜର ଆଜି କି ଉପକାର କରିଛୁ ?? କି ପରିବର୍ତ୍ତନ ଓ ସଂସ୍କାର ଆଣିଛୁ, ଆମ ନୀତି ଆଉ ଆଦର୍ଶରେ ?? କି ସମୃଦ୍ଧି ଆଉ ପ୍ରଗତି ଆଣିଛୁ ସମାଜରେ ?? ବରଂ ବିଗତ ବର୍ଷମାନଙ୍କରେ ଅନେକ କଳଙ୍କିତ ଅଧ୍ୟାୟମାନ ସୃଷ୍ଟି ହୋଇ ଲଜ୍ୟା ସୃଷ୍ଟିକରିଛି ରାଜ୍ୟରେ । ନଗଡାର ଅପପୃଷ୍ଟି ଶିଶୁମୃତ୍ୟୁ, ମାଲକାନାଗିରିର ଜାପାନୀ ଜ୍ୱର, କଳାହାଣ୍ଡିର ଦାନ ମାଝିର ସ୍ତ୍ରୀ ଶବ ବୁହା ଘଟଣା, ଗୁମୁଡୁମହାର ପୋଲିସ୍ ଗୁଳିକାଣ୍ଡରେ ନିରୀହ ଲୋକମାନଙ୍କର ଅକାଳ ମୃତ୍ୟୁ, ଚାଷୀଙ୍କ ଉପରେ ପୋଲିସର ଗୁଣ୍ଡାରାଜ୍, ମହାନଦୀ ଜଳବିବାଦ, ବ୍ରହ୍ମବିବାଦ, ରାସନକାର୍ଡ ଦୁର୍ନିତୀ, ଚାଷୀ ଆତ୍ମହତ୍ୟା ଆଦି ସମସ୍ୟାମାନ ଆଜି ବି ମଧ୍ୟ ଅସମାଧିତ ହୋଇ ଚର୍ଚ୍ଚାର ବିଷୟ ହୋଇ ରହିଛି । ସରକାରଙ୍କର ଶସ୍ତା ଯୋଜନା ରାଜ୍ୟର ବେକାରୀ ସଂଖ୍ୟା ବୃଦ୍ଧିକରିବାରେ ସହାୟକ ହୋଇଛି ।

ଆଜି ଖଣି ଖାଦାନ ସବୁ ଲୁଟ୍ ହେବାରେ ଲାଗିଛି । ଅପରାଧ ପ୍ରବଣ ନେତା ଓ ମନ୍ତ୍ରୀମାନେ ଆଇନକାନୁନକୁ ଚକମା ଦେଖାଇ ଶାସନ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ତଥାପି ଆମେ ଯେ ଆମେ ସବୁ ମଣିଷ ଏ ଦେଶ ଓ ସମାଜର ଗୋଟିଏ ଗୋଟିଏ ଅବିଛେଦ୍ୟ ଅଙ୍ଗ । ଆମର ଚିନ୍ତା ଓ ଚେତନା ଉପରେ ଆମର କର୍ମ, ସମାଜର ପରିବର୍ତ୍ତନ ତଥା ଦେଶର ଭବିଷ୍ୟତ ନିର୍ଭର କରେ । ସମାଜକୁ ଛାଡି ଆମେ କେବେ ଏକା କି ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ରହି ବଞ୍ଚିପାରିବା ନାହିଁ । ଆମକୁ ସମାଜର ଲୋକମାନଙ୍କ ସହିତ ବଞ୍ଚିବାକୁ ହେବ । ସମାଜରେ ବସବାସ କରୁଥିବା ପ୍ରତିଟି ସ୍ତରର ମଣିଷମାନଙ୍କର ଉନ୍ନତି ପାଇଁ ଆମକୁ ସହାୟତାର ହାତ ବଢାଇବାକୁ ହେବ । କାହାରି ଜହ୍ନ ତୋଳା ପ୍ରତିଶୃତିରେ ନ ଫସି ସ୍ୱାଧୀନ ମତଦେଇ ଆମକୁ ଗୋଟିଏ ଶୃଙ୍ଖଳିତ ତଥା ଆଦର୍ଶ ଲୋକ ପ୍ରତିନିଧିଙ୍କୁ ବାଛିବାକୁ ହେବ । ଯିଏ ଆମର ଦୁଃଖ ଦୁର୍ଦ୍ଧିନରେ ସହାୟ ହୋଇ ପାରିବେ । ଆମଦେଶ ଓ ସମାଜକୁ ଆଦର୍ଶ ଭାବେ ଗଢିତୋଳି ପାରିବେ ତଥା ମଣିଷମାନଙ୍କର ସାମାଜିକ ଜୀବନରେ ଶାନ୍ତି ଓ ପ୍ରଗତି ଆଣିପାରିବେ । ଯିଏ ଭଲ ମଣିଷ, ଯୋଗ୍ୟ ପ୍ରାର୍ଥୀ ଯିଏ ଦେଶ ଓ ସମାଜ ପାଇଁ ଜୀବନକୁ ଉସôର୍ଗ କରିଛି, ବନ୍ୟା, ବାତ୍ୟା, ମରୁଡିରେ ଆମ ସହିତ ସାମିଲ ହୋଇଛି । ଦେଶ ଓ ସମାଜର ଉତଥାନ ପାଇଁ ଯାହାର ଅନ୍ତର ସଦା ସର୍ବଦା ଜାଗ୍ରତ ହୋଇରହିଛି । ଆମେ ତାକୁ ହିଁ ଭୋଟଦେଇ ଜୟଯୁକ୍ତ କରିବା । ଏହି ପରିପ୍ରେକ୍ଷୀରେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ବି ଆଲୋଚନା କରାଯାଇପାରେ । ଯେଉଁ ପ୍ରାର୍ଥୀମାନେ ନିରୀହ ଜନସାଧାରଣଙ୍କୁ ଜହ୍ନ ତୋଳିଦେବାର ପ୍ରତିଶୃତି ଦେଇ ପ୍ରତାରଣା କରୁଛନ୍ତି ସେମାନଙ୍କୁ କିପରି ନିୟନ୍ତ୍ରଣ କରାଯାଇପାରିବ । ସେଥିପାଇଁ ତ ନିର୍ବାଚନ ଆୟୋଗ ରହିଛି । ପ୍ରାର୍ଥୀଙ୍କର ସମ୍ପତ୍ତି ତାଲିକା, ପରିବାର ବିବରଣୀ, ଜୀବନ ଇତିହାସ, ଶିକ୍ଷାଗତ ଯୋଗ୍ୟତାର ସ୍ୱଛତା ଏସବୁ ବିଷୟରେ ନିର୍ବାଚନ କମିଶନର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଆବଶ୍ୟକ । ତାଛଡା ନିର୍ବାଚନ ସରିବା ପର୍ଯ୍ୟନ୍ତ ଯେତେ ସବୁ କାର୍ଯ୍ୟ ରହିଛି ସେ ସବୁକୁ ନିୟମାନୁସାରେ ପାଳନ କରାଯାଉଛି ନାହିଁ ତଦନ୍ତ କରିବା ଖୁବ୍ ଜରୁରୀ । ପ୍ରାର୍ଥୀମାନଙ୍କର ପ୍ରଚାର, ସଭାସମିତି, ରାଲି, କ୍ୟାମ୍ପନିଙ୍ଗର ଭିଡିଓ କ୍ଲିପ୍ମାନ ତିଆରି ହେବା ବାଞ୍ଛନୀୟ । ନିର୍ବାଚନ ଆଚରଣବିଧି ଉଲଂଘନକାରୀଙ୍କ ପ୍ରାର୍ଥୀପତ୍ର ନାକଚ ହେବା ସହିତ ଦଣ୍ଡବିଧାନ ହେବା ଆବଶ୍ୟକ । ଜଣେ ସାଧାରଣ ଗରୀବ ଲୋକ ପ୍ରାର୍ଥୀଙ୍କଠାରୁ ଶହେଟଙ୍କା ନେଇ ଭୋଟଦେବା ପାଇଁ ରାଜି ହେବାଟା ସ୍ୱାଭାବିକ କଥା । କାରଣ ଗରୀବର ଅଭାବ ରହିଛି । କେବଳ ସଚେତନତା ସଂସ୍କାର ଆଣିପାରେ କିନ୍ତୁ ଯେଉଁମାନେ ଆଇନକାନୁନ ତିଆରିକରି ଶାସକ ହେବାକୁ ଯାଉଛନ୍ତି ସେମାନେ ଯଦି ଗଣତନ୍ତ୍ରର ବିଶ୍ୱାସରେ ବିଷବୋଳି ଭ୍ରଷ୍ଟାଚାର ତଥା ଦୁର୍ନିତୀକୁ ପ୍ରଶୟ ଦେବେ ତେବେ ସେମାନଙ୍କୁ ବା ନିୟନ୍ତ୍ରଣ କରିବ କିଏ । କେବଳ ନିର୍ବାଚନ ଆୟୋଗ । ତେଣୁ ନିର୍ବାଚନ କମିଶନର ମହୋଦୟଙ୍କୁ ଅଖଣ୍ଡ କ୍ଷମତା ଦିଆଯାଉ । ଆଇନକାନୁନର ବଳ ପ୍ରୟୋଗ କରି ସେ ଜହ୍ନତୋଳିବାର ପ୍ରତିଶୃତି ଦେଉଥିବା ପ୍ରାର୍ଥୀମାନଙ୍କୁ ନିୟନ୍ତ୍ରଣ କରାନ୍ତୁ । ଏଇଠି ଶେଷରେ କହି ରଖେ କି, “ଜହ୍ନ ତୋଳିବା”ର ପ୍ରତିଶୃତି କେବଳ ବିଭ୍ରାନ୍ତକାରୀ ପ୍ରଚାରକୁ ହିଁ ବୁଝାଯାଇ କୁହାଯାଇଛି । ତେବେ ସବୁ ପ୍ରତିଶୃତି ଜହ୍ନତୋଳିବା ସହିତ ସମାନ ନୁହେଁ କି ସବୁ ଜହ୍ନତୋଳିବା ପ୍ରତିଶୃତି ସବୁଲୋକଙ୍କୁ ପ୍ରଭାବିତ କରି ନ ଥାଏ ।

ଲୋକପ୍ରିୟ ଲେଖା

To Top