ପ୍ରବନ୍ଧ

ଝିଅଟିଏ ବୋଲି

Bhabani Rath's odia prose Jhiatie Boli

ଯେଉଁ ନାରୀ ବିନା ଏ ସୃଷ୍ଟିର କଳ୍ପନା ଅସମ୍ଭବ । ସେ ସୃଷ୍ଟି ହେବା ପୂର୍ବରୁ ତା’ର ପାଇଁ ଦ୍ୱାର ବନ୍ଦ ହୋଇଯାଉଛି । ବଞ୍ଚିବା ପାଇଁ ପ୍ରତି ମୁହୂର୍ତ୍ତରେ ସେ ସଂଘର୍ଷ କରୁଚି ।

ଝିଅଟିଏ ବୋଲି

ପ୍ରତିଦିନ ଖବରକାଗଜର ପୃଷ୍ଠା ମଣ୍ଡନ କଲାବେଳେ ଗୋଟିଏ ଖବର ଆପଣଙ୍କ ନଜରକୁ ନିଶ୍ଚୟ ଆସିବ, ତାହା ହେଉଛି ଆମ ରାଜ୍ୟରେ କିମ୍ୱା ଦେଶରେ କୌଣସି ନା କୌଣସି ସ୍ଥାନରେ ନାବାଳିକାଠାରୁ ଆରମ୍ଭ କରି ମହିଳାଙ୍କ ଉପରେ ଅତ୍ୟାଚାର । ସେତେବେଳେ ମନରେ ପ୍ରଶ୍ନ ଉଠେ ଆମ ସମାଜରେ ସବୁବେଳେ ନାରୀମାନେ କାହିଁକି ଅବହେଳିତ, ନିସ୍ପେଷିତ । କ’ଣ ଗୋଟିଏ ଝିଅଟିଏ ହୋଇ ଜନ୍ମ ନେବା ଏ ସମାଜରେ ପାପ । ଆମର କ’ଣ ସ୍ୱାଧୀନ ଭାବେ ବଞ୍ଚିବାର ଅଧିକାର ନାହିଁ, ବେଳେବେଳେ ଭାବିବାକୁ ପଡ଼େ । କିନ୍ତୁ କୌଣସି ସନ୍ତୋଷଜନକ ଉତ୍ତର ନ ପାଇଲେ ମନ ଆନ୍ଦୋଳିତ ହୋଇଯାଏ । ଏହିଭଳି ଟେଲିଭିଜନ୍‌ର ଏକ ଖବର ମୋତେ ବହୁତ ମର୍ମାହତ କରିଥିଲା । ଖବରଟି ଥିଲା ଗୋଟିଏ ନାବାଳିକାର ଦୁଃଖଦ କାହାଣୀ ଉପରେ । ତା’ଉପରେ ଖରାପ ନଜର ପକାଉଥିବା ମାନବରୂପୀ ରାକ୍ଷସମାନଙ୍କର ପ୍ରତିବାଦ କରିବାରୁ ନିଜ ଜୀବନ ଦେବାକୁ ପଡ଼ିଲା । ଏ ଘଟଣା ନୂଆ ନୁହେଁ । ରାଜଧାନୀ ଦିଲ୍ଲୀଠାରୁ ଆରମ୍ଭ କରି ଓଡ଼ିଶାର ଟିକିରି ଘଟଣା ପର୍ଯ୍ୟନ୍ତ । ପ୍ରତିଦିନ ହଜାର ହଜାର ମହିଳା ଓ ଶିଶୁ ଏ ଘୃଣ୍ୟ ମାନସିକତାର ଶିକାର ହେଉଛନ୍ତି । ଆମ ସମାଜର କିଛି ବୁଦ୍ଧିଜୀବୀଙ୍କ ମତରେ ଝିଅମାନଙ୍କ ଉପରେ ହେଉଥିବା ଅତ୍ୟାଚାରର କାରଣ ହେଉଛି ସେମାନଙ୍କ ପାଶ୍ଚାତ୍ୟ ବେଶପୋଷାକ ଓ ଜୀବନଶୈଳୀ । ଏହା ସେମାନଙ୍କୁ ବେଶୀ ଉତ୍‌ଶୃଙ୍ଖଳିତ କରିଦେଉଛି । ଏହା କିଛି ମାତ୍ରାରେ ସତ ହୋଇପାରେ । କିନ୍ତୁ ଟିକିଏ ଚିନ୍ତା କଲେ ସୁଦୂର କଳାହାଣ୍ଡି ଓ ମାଲକାନଗିରିରେ ରହୁଥିବା ଆଦିବାସୀ ନାବାଳିକା ଯିଏ ଆଧୁନିକତାର ସଂଜ୍ଞା ମଧ୍ୟ ଜାଣିନାହିଁ । ତା’ ସହିତ ହେଉଥିବା ଦୁଷ୍କର୍ମ ପାଇଁ ମଧ୍ୟ କ’ଣ ଆମେ ତାକୁ ଦାୟୀ କରିବା ?? ନା, ଏଥିପାଇଁ ଦାୟୀ ଆମ ସମାଜ ? ଆମ ଘୃଣ୍ୟ ମାନସିକତା ? ସମାଜ, ଯିଏ ସବୁବେଳେ ମହିଳାଙ୍କୁ ତାଙ୍କ ଅଧିକାର ଦେବାରେ କୁଣ୍ଠାବୋଧ କରେ । ଆମ ପରିବାର ମଧ୍ୟ କିଛି ମାତ୍ରାରେ ଦାୟୀ । ଝିଅମାନଙ୍କୁ ସବୁବେଳେ ପୁଅ ଅପେକ୍ଷା କମ୍ ଅଗ୍ରାଧିକାର ଦିଆଯାଏ । ବାପା, ମାଆ ଓ ଗୁରୁଜନମାନେ ସବୁବେଳେ ଆମକୁ ସଂସ୍କାରୀ ହେବା ପାଇଁ ପରାମର୍ଶ ଦିଅନ୍ତି । ଝିଅମାନଙ୍କୁ ଶିକ୍ଷା ଦିଆଯାଏ କି ସେମାନେ କ’ଣ ପିନ୍ଧିବେ ? କାହା ସହ କେମିତି ବ୍ୟବହାର କରିବେ ? କେତେବେଳେ ଘରକୁ ଫେରିବେ ? କିନ୍ତୁ କ’ଣ ପୁଅମାନଙ୍କ ପାଇଁ କିଛି ସଂସ୍କାର ନାହିଁ ? ଯଦି ସମାନ ପରିମାଣରେ ଆମ ପରିବାରରେ ପୁଅମାନଙ୍କୁ ମଧ୍ୟ ଏ ଶିକ୍ଷା ଦିଆଯାଆନ୍ତା କି ନାରୀମାନଙ୍କୁ କେମିତି ସମ୍ମାନ ଦେବେ, ତା’ହେଲେ ବହୁତ ପରିମାଣରେ ସୁଧାର ଆସିପାରନ୍ତା । ଗୋଟିଏ ପୁଅର ଏ ସମାଜରେ ଯେତିକି ଅଧିକାର ଅଛି ଝିଅର ମଧ୍ୟ ଅଛି । ତାହେଲେ କାହିଁକି ଏ ବାଛବିଚାର ? କାହିଁକି ତାକୁ ତା’ର ସ୍ୱାଧୀନତା ମିଳୁନାହିଁ ? ଆଜି ମଧ୍ୟ ଏ ସଭ୍ୟ ଶିକ୍ଷିତ ସମାଜରେ ଝିଅଟିଏ ଜନ୍ମନେଲେ ତାକୁ ଅଳିଆ ଗଦାରେ ଫୋପାଡ଼ି ଦିଆଯାଉଛି ? ବାଃ, କେଡ଼େ ବିଚିତ୍ର କହିଲେ । ଯେଉଁ ନାରୀ ବିନା ଏ ସୃଷ୍ଟିର କଳ୍ପନା ଅସମ୍ଭବ । ସେ ସୃଷ୍ଟି ହେବା ପୂର୍ବରୁ ତା’ର ପାଇଁ ଦ୍ୱାର ବନ୍ଦ ହୋଇଯାଉଛି । ବଞ୍ଚିବା ପାଇଁ ପ୍ରତି ମୁହୂର୍ତ୍ତରେ ସେ ସଂଘର୍ଷ କରୁଚି । ସେଇ ବାପାମାଆମାନେ ଯେଉଁମାନେ ଝିଅ ଜନ୍ମ ହେଲେ ଅଶୁଭ ବୋଲି ମନେକରନ୍ତି । ସେମାନଙ୍କୁ ମୋର ଅନୁରୋଧ ଥରୁଟିଏ ଚିନ୍ତା କଲେ ଯଦି ସେଇ ଝିଅକୁ ଆପଣ ଉପଯୁକ୍ତ ଶିକ୍ଷା ଆଉ ସଂସ୍କାର ଦେଇ ସମାଜରେ ପ୍ରତିଷ୍ଠିତ କରାଇବେ ତା’ହେଲେ ସେଇଦିନ କେତେ ଗର୍ବିତ ଅନୁଭବ କରିବେ । ସେମାନଙ୍କୁ ଅଣଦେଖା ନ କରି ଉପଯୁକ୍ତ ଶିକ୍ଷା, ସଂସ୍କାର, ଅଧିକାର ଓ ସମ୍ମାନ ଦେଇ ବଞ୍ଚିବାକୁ ଦିଅନ୍ତୁ । ସେମାନଙ୍କ ଅନ୍ତଃର୍ନିହିତ ପ୍ରତିଭାରେ ଏ ସମାଜ ଓ ଦେଶ ନିଶ୍ଚିତ ଦିନେ ଉନ୍ନତିର ଶିଖରରେ ପହଞ୍ଚିବ ।

ଲୋକପ୍ରିୟ ଲେଖା

To Top