ପ୍ରବନ୍ଧ

କବିର ଦୁସ୍ତର ନିୟତି ଓ କବି ପ୍ରସାଦ-୨

-: ପୂର୍ବରୁ :-

ଗୋଟିଏ ଶାଖା ଦୁଇଟି ପ୍ରଶାଖା । ଗୋଟିଏ ନଦୀ, ଦୁଇଟି ଉପନଦୀ । ସେହିପରି ଗୋଟିଏ ଜୀବନ ଦୁଇଟି ଭୂମି ପରି କବି ପ୍ରସାଦଙ୍କ କର୍ମଭୂମିଟି ଥିଲା ଶିକ୍ଷାଳୟ ସହିତ ନିବିଡ଼ ଭାବରେ ଜଡ଼ିତ । ଭାବଭୂମିଟି ଥିଲା ସାହିତ୍ୟ ସହିତ ସଂଯୋଜିତ । ଓଡ଼ିଆ ସାରସ୍ୱତ ସୃଜନ ଜଗତରେ ସେ କେବଳ ଜଣେ ସ୍ୱୀକୃତ କବି ରୂପେ ପରିଚିତ ନଥିଲେ, ଏହା ସହିତ ସେ ମଧ୍ୟ ଥିଲେ ଜଣେ ସଫଳ ନାଟ୍ୟକାର । ନିଜର କିଶୋର ଅବସ୍ଥାରୁ ମାଇନର୍ ସ୍କୁଲ୍‌ରେ ପାଠ ପଢୁଥିବା ସମୟରେ ସେ ପ୍ରଥମେ କବିତା ଲେଖିବା ଆରମ୍ଭ କରିଥିଲେ । ପରେ କବିତା ଲେଖାରୁ ଖଣ୍ଡକାବ୍ୟ ଓ ପୂର୍ଣ୍ଣାଙ୍ଗ କାବ୍ୟ ପ୍ରଭୃତି ରଚନା ପର୍ଯ୍ୟନ୍ତ ଥିଲା ତାଙ୍କ କବି ପ୍ରତିଭାର ଦୀର୍ଘ ଯାତ୍ରା । ତାଙ୍କଦ୍ୱାରା ରଚିତ କବିତାବଳୀଗୁଡ଼ିକ ମଧ୍ୟରୁ “ନାମମାନସ”, “ମା”, “ପିତୃଋଣ”, “ସନ୍ଧ୍ୟାସ୍ମୃତି” ଓ “ଏକାମ୍ର ଯାତ୍ରା” ପ୍ରଭୃତି ଚଟିବହି ଆକାରରେ ପ୍ରକାଶିତ ହୋଇଥିଲା । ଏହିସବୁ ରଚନାଗୁଡ଼ିକ ମଧ୍ୟରୁ ଅଧିକáଶ ତାଙ୍କର ବ୍ୟକ୍ତିଗତ ସାମାଜିକ ସମ୍ପର୍କ ଓ ଆବେଗ ଉପରେ ପର୍ଯ୍ୟବେସିତ ଥିଲା । ଯେପରିକି ନିଜର ମାତୃ ବିୟୋଗ ପରେ ମା’ ଓ ପିତୃ ବିୟୋଗରେ ପିତୃଋଣ ପରି କବିତା ସେ ରଚନା କରିଥେଲେ । ଏହାଛଡ଼ା ତାଙ୍କ ଲେଖନୀରୁ ଏକାଧିକ ଖଣ୍ଡକାବ୍ୟମାନ ଚରିତ ହୋଇଥିବାର ଜଣାଯାଏ । ଅଯୋଧ୍ୟପଥେ, ଅଭିଶପ୍ତା ଓ ବିକ୍ଷିପ୍ତା ପରି ଖଣ୍ଡକାବ୍ୟମାନଙ୍କ ମଧ୍ୟରୁ ସେ ସମୟରେ ଅର୍ଥାତ୍ ବିଂଶ ଶତାବ୍ଦୀର ଚତୁର୍ଥ ଦଶକରେ ଅଭିଶପ୍ତା ପୁସ୍ତକଟି ମାଟ୍ରିକୁଲେସନ୍ ସିଲାବସ୍‌ରେ ସ୍ଥାନିତ ହୋଇଥିଲା । ଏହି ପୁସ୍ତକଟି ଯଥାର୍ଥରେ ତାଙ୍କୁ ଜଣେ କବିର ସୁନାମ ଦେବା ସଠିକ୍ କାବ୍ୟ ମୋଦୀ ମହଲରେ ପରିଚିତ କରାଇବାରେ ସକ୍ଷମ ହୋଇଥିଲା । ତାଙ୍କଦ୍ୱାରା ରଚିତ ଦୁଇଟି ପୂର୍ଣ୍ଣାଙ୍ଗ କାବ୍ୟ ହେଉଛି “ଅନୁରକ୍ତା” ଓ “ଅପରାଜିତା” । ଏହି ଦୁଇଟି ଯାକ କାବ୍ୟ “ଅ” ଅନୁପ୍ରାସରେ ଲିଖିତ । ବିଷୟବସ୍ତୁ ସାମାଜିକ ପୃଷ୍ଠଭୂମି ଉପରେ ଏକ ପ୍ରେମୀ ଯୁଗଳଙ୍କ ଚିରାଚରିତ କାହାଣୀକୁ ନେଇ ପର୍ଯ୍ୟବେସିତ । ସେଥିମଧ୍ୟରୁ ଅନୁରକ୍ତା କାବ୍ୟଟିରେ ତତ୍କାଳୀନ ଭାରତ-ଚୀନ୍ ଯୁଦ୍ଧର ଘଟଣାବଳୀ କାବ୍ୟବସ୍ତୁ ସହିତ ସଂଯୁକ୍ତ ହୋଇ ଉକ୍ତ କାବ୍ୟର ଦେଶାତ୍ମବୋଧତା ଓ ସାମାଜିକ ଉତ୍କର୍ଷତାକୁ ପ୍ରତିପାଦିତ କରିଥାଏ । ଏହାର ନାୟକ କିପରି ସମୟର ଆହ୍ୱାନରେ ନବବିବାହିତା ପତ୍ନୀକୁ ପଛ କରି ଦେଶମାତୃକା ନିମନ୍ତେ ଯୁଦ୍ଧରେ ପ୍ରାଣ ବିସର୍ଜନ ଦେଉଛି, ଏହିପରି ଏକ ଘଟଣାକୁ ଓଡ଼ିଆ ସାମାଜିକ ପୃଷ୍ଠଭୂମି ଉପରେ ବର୍ଣ୍ଣନା କରାଯାଇଛି । ଏହି ଅନୁରକ୍ତା କାବ୍ୟଟି କିଛିବର୍ଷ ପାଇଁ ମଧ୍ୟ ଓଡ଼ିଆ ଏମ୍.ଏ. ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିଲା । ଅପରାଜିତା କାବ୍ୟଟି ତାଙ୍କ ଜୀବନର ଶେଷ କବି କର୍ମ ଥିଲା । ସତୁରୀ ଦଶକରେ ଲିଖିତ ଏହି କାବ୍ୟଟିର ରଚନା ପରେ ପରେ ସେ ନିଜକୁ ସମ୍ପୂର୍ଣ୍ଣ ରୂପେ କାବ୍ୟ ଜଗତରୁ ନିବୃତ୍ତ ରଖିଥିଲେ । ଏହାର କାରଣ ସ୍ୱରୂପ ସାହିତ୍ୟ ପ୍ରତି ତାଙ୍କର ସମୟ ସଂଯତ ବିମୁଖତାକୁ ଉତ୍ଥାପିତ କରାଯାଇପାରେ । ସ୍ୱାଧୀନତାର ପରବର୍ତ୍ତୀ ସମୟରେ ଆଧୁନିକ ସାହିତ୍ୟ ନାମରେ ସାହିତ୍ୟର ନୂତନ ପାଶ୍ଚାତ୍ୟ ପ୍ରଭାବିତ ରୂପଚିତ୍ରଟି ଆମ ପାରମ୍ପରିକ ସାହିତ୍ୟର ସାବଲୀଳ ଧାରାକୁ ଗ୍ରାସ କରିବାକୁ ଆରମ୍ଭ କରିଦେଇଥିଲା । ଯାହାଫଳରେ ପାରମ୍ପରିକ କାବ୍ୟଶୈଳୀ ଯେପରିକି ଛାନ୍ଦ, ରାଗ, ବୃତ୍ତ ଓ ଅଳଙ୍କାର ଆଦିରେ ରଚିତ କାବ୍ୟକବିତାଗୁଡ଼ିକ ଆଧୁନିକ ସାହିତ୍ୟ ପଣ୍ଡିତ, ପୃଷ୍ଠପୋଷକ ଓ ଅନୁଷ୍ଠାନମାନଙ୍କ ଦୃଷ୍ଟିରେ ହତାଦର ପାଇବାକୁ ଲାଗିଲା । ପରିଣାମ ସ୍ୱରୂପ କେବଳ କବି ପ୍ରସାଦ ନୁହଁନ୍ତି ତାଙ୍କ ପରି ଅନେକ ଅଳ୍ପ ଆଲୋଚିତ କିମ୍ୱା ଅନାଲୋଚିତ ପାରମ୍ପରିକ କାବ୍ୟଧାରାରେ ବିଶ୍ୱାସ ରଖୁଥିବା କବି ପ୍ରତିଭାମାନେ ଯଥାସ୍ୱୀକୃତି ନ ପାଇ ସାହିତ୍ୟ ଜଗତରୁ ମୁହଁ ଫେରାଇ ନେଇଥିଲେ ।

ସ୍ୱାଧୀନତା ପରବର୍ତ୍ତୀ ସମୟର ପ୍ରଥମ ଦୁଇ ତିନି ଦଶନ୍ଦି କାଳ ଓଡ଼ିଆ ସାହିତ୍ୟ ନିମନ୍ତେ ଏକ ସନ୍ଧିକ୍ଷଣର କାଳ ଥିଲା ବୋଲି କୁହାଯିବ । କାରଣ ପାରମ୍ପରିକତା ଓ ଆଧୁନିକତା ମଧ୍ୟରେ ଉପୁଜିଥିବା ଏହି ପ୍ରକାଶ୍ୟ ସଂଘର୍ଷେ ଯଦିଓ ଆଧୁନିକତା ପ୍ରତିଷ୍ଠା ଲାଭ କରିଥିଲା ମାତ୍ର ଏହି ଦୁହିଁଙ୍କ ଭିତରେ ଏକ ସମନ୍ୱୟର ଅଭାବ ହେତୁ ଓଡ଼ିଆ ସାହିତ୍ୟକୁ ପ୍ରତିବଦଳରେ ବହୁତ କିଛି ହରାଇବାକୁ ପଡ଼ିଥିଲା ।

ଓଡ଼ିଆ ସାହିତ୍ୟ ଇତିହାସର ଯୁଗ ବିଭାଜନ ଦୃଷ୍ଟିରୁ ଦେଖିଲେ କବି ପ୍ରସାଦଙ୍କ କାବ୍ୟ ରଚନାର ଅୟମାରମ୍ଭ ପ୍ରଗତିଯୁଗ ଓ ଜାତୀୟବାଦୀ ଯୁଗର ସମାନ୍ତରାଳ ସମୟର ମଧ୍ୟବର୍ତ୍ତୀ କାଳରେ । ଉତ୍ଥାନ ଠିକ୍ ସ୍ୱାଧୀନତା ପୂର୍ବ ଓ ପରବର୍ତ୍ତୀ ଦଶକରେ । ଏହି ସମୟରେ କବି ରୂପେ ତାଙ୍କ ସୁଖ୍ୟାତି ଏପରି ଏକ ସ୍ତରକୁ ଉତ୍ତୀର୍ଣ୍ଣ ହୋଇଥିଲା ଯେ ସେ ସମୟର ସୁପ୍ରତିଷ୍ଠିତ ସାହିତ୍ୟ ସମାଲୋଚକ ବିଛନ୍ଦ ଚରଣ ପଟ୍ଟନାୟକ ଓ ଡକ୍ଟର ମାୟାଧର ମାନସିଂହ ପ୍ରମୁଖ କବି ପ୍ରସାଦଙ୍କ କାବ୍ୟଗ୍ରନ୍ଥର ଅଗ୍ରଲେଖ ଲେଖିବା ନିମନ୍ତେ ଆଗଭର ହୋଇଥିଲେ । ପୁନଶ୍ଚ ଓଡ଼ିଆ ସାମାଜିକ କାବ୍ୟ ରଚନା ପରମ୍ପରାରେ ତାଙ୍କଦ୍ୱାରା ରଚିତ କାବ୍ୟଗୁଡ଼ିକ ସ୍ୱତନ୍ତ୍ରତା ଦାବି ନ କଲେ ବି ଏହି ଧାରାରେ ଏକ ଏକ ଉଲ୍ଲେଖନୀୟ ଉଦ୍ୟମ ରୂପେ ଗୃହୀତ ହୋଇଥାଏ । ସାମାଜିକ ବିଷୟବସ୍ତୁକୁ କାବ୍ୟ ବସ୍ତୁର ମାନ୍ୟତା ଦେଇ କାବ୍ୟ କବିତା ରଚନା କରିବାର ଧାରା ସେ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟରେ ଖୁବ୍ କ୍ୱଚିତ୍ ପରିଲକ୍ଷିତ ହୋଇଥିଲା । କବି ପ୍ରସାଦ ଏହି ବିରଳ ଧାରାକୁ ଯଥାସମ୍ଭବ ନିଜ ଅଧିକାଂଶ ସୃଷ୍ଟି ସମ୍ପଦ ମାଧ୍ୟମରେ ପ୍ରତିଷ୍ଠିତ କରାଇବାର ନିଷ୍ଠାପର ଆଦର୍ଶ ସୃଷ୍ଟି କରିଯାଇଛନ୍ତି କହିଲେ ଅତୁ୍ୟକ୍ତି ହେବନାହିଁ । ଏହି ଦୃଷ୍ଟିରୁ ସେ ସର୍ବଦା ସ୍ମରଣୀୟ ହୋଇ ରହିଥିବେ ।

କାବ୍ୟ ରଚନା ଶୈଳୀ ଦୃଷ୍ଟିରୁ କବି ପ୍ରସାଦ ନିଜର କାବ୍ୟ କବିତାମାନଙ୍କରେ ଉଭୟ ସରଳ ଓ ଜଟିଳ ପାରମ୍ପରିକ କାବ୍ୟ ପଦ୍ଧତି ଅନୁସୃତ ଏକ ମିଶ୍ରିତ କାବ୍ୟଶୈଳୀକୁ ପ୍ରୟୋଗ କରିଥିଲେ । ଭଞ୍ଜଯୁଗୀୟ ଅଳଙ୍କାର, ଯମକ, ଅନୁପ୍ରାସ ଓ ଜଟିଳ କାବ୍ୟବନ୍ଧ ନିର୍ମାଣ ପରି କଳା କୌଶଳ ସହିତ ରାଧାନାଥ ଯୁଗୀୟ ଉପଧା ମିଳନ ଓ ସରଳ ଛାନ୍ଦର ମିଶ୍ରଣରେ ନିଜ କବିତାକୁ ଏକ ତିଳତଣ୍ଡୁଳିତ ରୂପସଜ୍ଜା ଦେବାରେ ପ୍ରଯତ୍ନ କରିଥିଲେ । ଯଦିଓ କାଳଖଣ୍ଡ ଦୃଷ୍ଟିରୁ ତାଙ୍କର ଅବସ୍ଥାନ ଆଧୁନିକ ଓଡ଼ିଆ ସାହିତ୍ୟର ଉନ୍ମେଷ ଓ ବିକାଶ ପର୍ଯ୍ୟାୟରେ କିନ୍ତୁ କାବ୍ୟକଳା ଓ ଆଙ୍ଗିକ ଦୃଷ୍ଟିରୁ ସେ ଥିଲେ ସମ୍ପୂର୍ଣ୍ଣ ରୂପେ ପରମ୍ପରାବାଦୀ । କାବ୍ୟ ବିଷୟ ଚୟନରେ ସେ ବହୁ ପରିମାଣରେ ସାମାଜିକ ସଂରଚନାକୁ ଆଧାର ଭୂମି ରୂପେ ଗ୍ରହଣ କରି ଏକ ନୂତନ ଆଧୁନିକ ଦୃଷ୍ଟିକୋଣକୁ କିଛି ପରିମାଣରେ ଉପସ୍ଥାପନା କରିବାରେ ସମର୍ଥ ହୋଇଥିଲେ ସୁଦ୍ଧା ବିଷୟବସ୍ତୁର ବିନ୍ୟାସ ଓ ପରିଣାମ ଦୃଷ୍ଟିରୁ ଅସଫଳ ଥିଲେ । ବୋଧହୁଏ ଏହି ଉପରୋକ୍ତ ଦୁର୍ବଳତା ହେତୁ ସେ ଆଧୁନିକ ସାହିତ୍ୟ ପାଠକମାନଙ୍କ ଦୃଷ୍ଟିଗୋଚରକୁ ଆସିପାରି ନଥିଲେ ।

କବି ଭାବରେ ତାଙ୍କ ପରିଚୟ ତାଙ୍କୁ ଯେତିକି ପ୍ରସିଦ୍ଧି ଆଣି ଦେଇପାରିନ ଥିଲା ତାଙ୍କ ଦ୍ୱାରା ରଚିତ ନାଟକଗୁଡ଼ିକ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଭିନୀତ ହୋଇ ତାହାଠାରୁ ଅଧିକ ଲୋକପ୍ରିୟ ହୋଇପାରିଥିଲା । ତାଙ୍କଦ୍ୱାରା ଲିଖିତ-“ମାଟିର ମୋହ”, “ମିଳନପଥେ”, “ସାକ୍ଷୀ ଗୋପାଳ” ଓ “ଯାମିନୀ” ପ୍ରଭୃତି ନାଟକଗୁଡ଼ିକ ସେ ସମୟରେ ବିଭିନ୍ନ ଅନୁଷ୍ଠାନମାନଙ୍କ ଦ୍ୱାରା ଏକାଧିକ ଥର ମଞ୍ଚସ୍ଥ ହୋଇ ଉଚ୍ଚପ୍ରଶଂସିତ ହୋଇଥିବାର ଜଣାଯାଇଥାଏ । ତାଙ୍କ କାବ୍ୟ କବିତାର ସାମାଜିକ ପୃଷ୍ଠଭୂମି ପରି ନାଟକଗୁଡ଼ିକ ମଧ୍ୟ ସାମାଜିକ କାହାଣୀ ଉପରେ ପର୍ଯ୍ୟବେସିତ ଅଟେ । କେବଳ ସାକ୍ଷୀଗୋପାଳ ନାଟକଟି ଧର୍ମଭାବ ସମ୍ୱଳିତ ଅଟେ । କବି ପ୍ରସାଦ ତାଙ୍କ ବ୍ୟକ୍ତିଗତ ଜୀବନରେ ଗୋପାଳଜୀଉଙ୍କୁ ନିଜର ଆରାଧ୍ୟ ଦେବତା ରୂପେ ବରଣ କରିଥିଲେ । ଏହାର ପ୍ରଭାବ ତାଙ୍କ ରଚନାମାନଙ୍କରେ ଦେଖା ଯାଇଥାଏ । ଏହାଛଡ଼ା ସେ “ମୋହ ମଦିରା” ଓ “ମୋକ୍ଷଦା'” ନାମକ ଦୁଇଟି ନାଟକ ମଧ୍ୟ ରଚନା କରିଥିଲେ । ନାଟକ ଚରନା ସହିତ ଅଭିନୟ ଓ ନିଜ ଲିଖିତ ନାଟକର ନିର୍ଦ୍ଦେଶନା ଦେବାରେ ତାଙ୍କର ଦକ୍ଷତା ରହିଥିଲା ।

କବିପ୍ରସାଦଙ୍କ ବ୍ୟକ୍ତିଗତ ଜୀବନ ବିତର୍କ ଓ ବିରୋଧାଭାସର ଏକ ଅଲିଖିତ ଇତିହାସ । ବ୍ୟକ୍ତିଗତ ଦୁର୍ବଳତା ଓ ସବଳତାକୁ ନେଇ ତାଙ୍କ ଜୀବନର ବକ୍ରିଳ ଗତିପଥ କେତେବେଳେ ନାନାବିଧି ସମ୍ମାନ ଓ ପ୍ରଶଂସାରେ ପୁଷ୍ପିତ ପୁଣି କେତେବେଳେ ପ୍ରତ୍ୟାଖ୍ୟାନ ଓ ପ୍ରବଞ୍ଚନାରେ ଅଶୋଭିତ । ସାହିତ୍ୟ ଓ ଶିକ୍ଷା ସହିତ ନିବିଡ଼ ଭାବରେ ବିଜଡ଼ିତ ତାଙ୍କ ଜୀବନ ଥିଲା ଅସଂଖ୍ୟ ଉତ୍ଥାନ ଓ ପତନର ଏକ ନିରବ ମୁକସାକ୍ଷୀ । ଅନେକଥର ଦେଖାଯାଇଛି କବିଟିଏ ନିଜ ଶେଷ ଜୀବନକାଳରେ ଏକ ଅଲଙ୍ଘ୍ୟ ସନ୍ତାପିତ ମରଣକୁ ବରଣ କରିଥାଏ । ପରବର୍ତ୍ତୀ ସମୟରେ ତାହାର ଏହି ତିରୋଧାନ କାଳର କଥାଟି କାହା କାହା ତୁଣ୍ଡରେ ଦୟନୀୟ କାହାଣୀ ପାଲଟି କବିର ଅଭିଶପ୍ତ ଭାଗ୍ୟକୁ ଦୋହରାଇଥାଏ । ନ ହେଲେ ଅପ୍ରକାଶ୍ୟ ହାତଲେଖା ପାଣ୍ଡୁଲିପି ପରି ସମୟର ନିରବଚ୍ଛିନ୍ନ ସ୍ରୋତରେ ମିଳାଇ ଯାଇଥାଏ । କବିପ୍ରସାଦଙ୍କ ଜୀବନର ଦୁସ୍ତର ନିୟତି ସେହିପରି ଏକ ଅପ୍ରକାଶ୍ୟ ପାଣ୍ଡୁଲିପି ପରି ରହିଯାଇଛି ।

ଲୋକପ୍ରିୟ ଲେଖା

To Top