ପ୍ରବନ୍ଧ

କଳାଧଳା ଫଟୋ

Odia Author Biraja Routray

ସମୟକ୍ରମେ ଫଟୋଗ୍ରାଫିର ପ୍ରୟୋଗ କୌଶଳ ଓ ଉତ୍ପାଦନ କୌଶଳରେ ପରିବର୍ତ୍ତନ ସଂଗଠିତ ହେବାରୁ କଳାଧଳା ଫଟୋଗ୍ରାଫି ଏବେ ଇତିହାସରେ ପରିଣତ ହେବାକୁ ଯାଉଛି ।

କଳାଧଳା ଫଟୋ

ସମ୍ପ୍ରତି ଫଟୋଗ୍ରାଫି ଟେକ୍ନୋଲୋଜିର ଏହି ସର୍ବୋକୃଷ୍ଟ ସମୟକାଳରେ ଲୋକେ କଳାଧଳା (ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍) ଫଟୋକୁ ଭୁଲିଯିବାକୁ ବସିଲେଣି । ଫଟୋଗ୍ରାଫିର ଏହି ପୁରୁଣା ପ୍ରତିରୂପଟିର ଉଭୟ ଚାହିଦା ଓ ଅସ୍ତିତ୍ୱ, ବ୍ୟାପ୍ତି ଓ ପରିସର ସମୟକ୍ରମେ ସଙ୍କୁଚିତ ହେବାରେ ଲାଗିଛି । ଓଜନିଆ ବାକ୍ସ ସଦୃଶ କ୍ୟାମେରାରୁ ସହଜରେ ସାଙ୍ଗରେ ନେଇ ହେଲା ଭଳି ଛୋଟ ପକେଟ୍ କ୍ୟାମେରା ଓ ଏବେକାର ସରୁ ତନୁ ପତଳା ଡିଜିଟାଲ୍ କ୍ୟାମେରା ପର୍ଯ୍ୟନ୍ତ ଆକାରଗତ ପରିବର୍ତ୍ତନ ପୁଣି କଳାଧଳା ଫଟୋଚିତ୍ରରୁ ଚକ୍ ଚକ୍ ରଙ୍ଗୀନ୍ ଡିଜିଟାଲ୍ ଫଟୋକପି ପର୍ଯ୍ୟନ୍ତ ଉତ୍ପାଦନଗତ ପରିବର୍ତ୍ତନ ମଧ୍ୟ ଦେଇ ଫଟୋଗ୍ରାଫିର ନିରନ୍ତର ଅଗ୍ରସର ଯାତ୍ରା । ଏହି ଯାତ୍ରାର ପ୍ରାରମ୍ଭିକ କାଳରେ ଅର୍ଥାତ୍ ଯେବେଠାରୁ କ୍ୟାମେରାରେ ଉତ୍ତୋଳନ କରାଯାଇଥିବା ଦୃଶ୍ୟର ରାସାୟନିକ କାଗଜରେ ପ୍ରତିଛବି ଉତ୍ପନ୍ନ ହେବା ସମ୍ଭବ ହେଲା ସେହିଦିନ ଠାରୁ କଳାଧଳା ଫଟୋ ପ୍ରଚଳନ, ଆଦର ଓ ଉପଯୋଗିତା ରହିଆସିଥିଲା । ମାତ୍ର ସମୟକ୍ରମେ ଫଟୋଗ୍ରାଫିର ପ୍ରୟୋଗ କୌଶଳ ଓ ଉତ୍ପାଦନ କୌଶଳରେ ପରିବର୍ତ୍ତନ ସଂଗଠିତ ହେବାରୁ କଳାଧଳା ଫଟୋଗ୍ରାଫି ଏବେ ଇତିହାସରେ ପରିଣତ ହେବାକୁ ଯାଉଛି ।

୧୫ଶ ଶତାବ୍ଦୀରେ ଫଟୋଗ୍ରାଫିର ପ୍ରଧାନ ଉପକରଣ ରୂପେ କ୍ୟାମେରାର ଆବିଷ୍କାର ହେବା ଦିନଠାରୁ ଏହା ଚିତ୍ରକଳାରେ ଏକ ସହଯୋଗୀ ଉପକରଣ ରୂପେ ବ୍ୟବହୃତ ହୋଇ ଆସୁଥିଲା । ପ୍ରଥମ କରି ବିଂଶଶତାବ୍ଦୀରେ କ୍ୟାମେରା ମାଧ୍ୟମରେ ପ୍ରକୃତିର ଅବିକଳ ପ୍ରତିରୂପାୟନ ସମ୍ଭବ ହେବା ଦିନଠାରୁ ଆନୁଷ୍ଠାନିକ ଭାବେ ଫଟୋଗ୍ରାଫିର ଆରମ୍ଭ ଓ ପ୍ରସାର ଘଟିଥିଲା । ଆଧୁନିକ ସମୟରେ ଏହି ମାଧ୍ୟମଟିର ନାନାଦି ଉନ୍ନତି ସାଧିତ ହୋଇପାରିଛି । ଅତ୍ୟାଧୁନିକ ଅଟୋମ୍ୟାଟିକ୍ କ୍ୟାମେରା, ହାଇସ୍ପିଡ୍ ଫିଲ୍ମ ଓ କମ୍ପ୍ୟୁଟର ବିଜ୍ଞାନ ଫଟୋଗ୍ରାଫିର ଦୃଷ୍ଟି ଓ ଦିଗ୍‌ବଳୟକୁ ବହୁଧା ପ୍ରସାରିତ କରି ଦେଇଛି । ଏହାର ସାହାଯ୍ୟରେ ପ୍ରକୃତ ଚିତ୍ରକୁ ବାସ୍ତବତାଠାରୁ ପୃଥକ କରାଯାଇପାରୁଛି । କଳାଧଳାକୁ ରଙ୍ଗୀନ କରାଯାଇପାରୁଛି । ସୀମାହୀନ ବାଟ ଓ ବାଗରେ କୌଣସି ଦୃଶ୍ୟଚିତ୍ରକୁ ଅସରନ୍ତି ରୂପ ଓ ରଙ୍ଗର ସ୍ପର୍ଶରେ ପରଷା ଯାଇପାରୁଛି ।

ଆମ ସମୟରେ ଉଣା ଅଧିକେ ସମସ୍ତେ ପ୍ରାୟ ଫଟୋ କ’ଣ ବୋଲି ଜାଣନ୍ତି । ଅତି କମ୍ରେ ଥରେ ବା ବହୁଥର ନିଜର ବା ପରିବାର ସହ ଫଟୋଟିଏ ଉଠାଇ ଥାଆନ୍ତି । ଫଟୋ ଏକ ସ୍ମୃତି ବିଗତ ସମୟର । ମଣିଷ ପାଖରେ ଅତୀତ ନ ଥାଏ । କିନ୍ତୁ ପାଖେ ପାଖେ ରହିଥାଏ ଅତୀତର ସ୍ମୃତିଚିତ୍ର ବହନ କରୁଥିବା ଏହି ଫଟୋ । ଅତୀତର ଏହି ସ୍ଥିର ଚିତ୍ରମାନଙ୍କର ନୈପଥ୍ୟରେ ବିତିଯାଇଥିବା ସମୟ ତଥାପି ଜୀବିତ ହୋଇ ରହିଥିବା ପରି ଜଣାପଡେ଼ । ଯେଉଁ ସମୟକୁ ସ୍ପର୍ଶ କରି ମଣିଷ କିଛି ସମୟ ପାଇଁ ଆତ୍ମ ବିସ୍ମୃତ ପାଲଟେ । ସେଥିପାଇଁ ଫଟୋକୁ ଅତୀତର ଚିତ୍ରିତ ସମ୍ପଦ ବୋଲି କୁହାଯାଇଥାଏ । ଯେଉଁଥିରେ ଥାଏ ଅଭୂଲା ମୁହୂର୍ତ୍ତର ସ୍ମୃତି ଉଦ୍ରେକକାରୀ ପ୍ରତିଛବି ।

ଏକ ସମୟ ଥିଲା ଘରେ ଘରେ କଳା ଧଳା ଫଟୋର ସଯତ୍ନ ସାଇତା ଏକ ଆଲବମ୍‌ଟିଏ ଥିଲା । ଯେଉଁ ଆଲବମ୍‌ର କଳାକାଗଜ ଫର୍ଦ୍ଦ ଉପରେ ଶୋଭା ପାଉଥିଲା ଘର ଘରର ପ୍ରିୟ ମୁହୂର୍ତ୍ତ ଓ ପ୍ରିୟ ମଣିଷମାନଙ୍କର କଥାକୁହା ଚିତ୍ର । କ୍ୟାମେରା ଲେନ୍ସ ଦ୍ୱାରା ଆୟତ୍ତ କରାଯାଇଥିବା ବିଗତ ଦିନର ଏହି କଳାଧଳା ଫଟୋ ଗୁଡ଼ିକ ଆମକୁ ଆଉ ଥରେ ପୁରୁଣା ଦିନଗୁଡ଼ିକ ମନେ ପକେଇବାକୁ ଉତ୍‌ପ୍ରେରିତ କରିଥାନ୍ତି । ଏଗୁଡ଼ିକ ଯେମିତି ଆମ ଜୀବନରେ ଅତୀତ ସହିତ ବର୍ତ୍ତମାନର ଏକ ଦୃଶ୍ୟ ସମ୍ପର୍କ ତିଆରି କରିଥାନ୍ତି । ଏହି ସମ୍ପର୍କର ଡୋରରେ ଇହଲୀଳା ତ୍ୟାଗ କରିସାରିଥିବା ଜେଜେବାପା ଓ ଜେଜେମା’ଙ୍କ ମୁହଁ ଏବେ ବି ଆମ ଆଖିରେ ପରିଷ୍କାର ଭାବେ ପ୍ରତିଫଳିତ ହୋଇଥାଏ ଏଥି ସହିତ ପୁରୁଣା ଦିନମାନଙ୍କର ଉତ୍ସବ ଅନୁଷ୍ଠାନ, ପୂର୍ବପୁରୁଷ ଓ ଜ୍ଞାତିକୁଟୁମ୍ୱମାନଙ୍କର ଫଟୋ ପ୍ରଭୃତି ଏହି କଳାଧଳା ଆଲବମ୍‌ରେ ଦେଖିବାକୁ ମିଳିଥାଏ । ଏଗୁଡ଼ିକ ଦେଖିଲେ ମନେହୁଏ ସତେ ଯେପରି ପ୍ରତ୍ୟେକଟି ନିଜ ଭିତରେ ଗୋଟିଏ ଗୋଟିଏ କାହାଣୀକୁ ସାଇତି ରଖିଛନ୍ତି । ସେ କାହାଣୀ ଭିତରେ ବିଗତ ଦିନର ସମୟ, ଘଟଣା, ମଣିଷ ଓ ମୁହୂର୍ତ୍ତମାନେ ଉଜ୍ଜୀବିତ ହୋଇ ରହିଛନ୍ତି । ଖବରକାଗଜର ଭାଷାରେ ସେଥିପାଇଁ କୁହାଯାଇଥାଏ ଯେ ଗୋଟିଏ ଫଟୋ ହଜାରେ ଶବ୍ଦର କଥା କହିଥାଏ । ଏହିପରି ଫଟୋଗୁଡ଼ିକ ଆଖିର କାଚରେ ବିମ୍ୱିତ ହୋଇ କେତେବେଳେ ଅତୀତକୁ ଧରି ଆଣି ସ୍ୱୟଂ ଆମ ଆଖି ଆଗରେ ଠିଆ କରାଇ ଦେଇଥାନ୍ତି ତାହା ଜଣାପଡେ଼ ନାହିଁ । ତାହା ପୁଣି ନିହାତି ଅକପଟ ଭାବରେ ।

ଯେତେବେଳେ ରଙ୍ଗୀନ୍ ଫଟୋର ଆବିଷ୍କାର ହୋଇ ନଥିଲା ଏହି କଳାଧଳା ଫଟୋର ସାମ୍ରାଜ୍ୟ ଓ ସମ୍ମୋହନ ଥିଲା ଅପାର । ଫଟୋଗ୍ରାଫି ଇତିହାସରେ ପର୍ଯ୍ୟାୟକ୍ରମେ ଯେତେବେଳେ ରଙ୍ଗୀନ ଫିଲ୍ମର ଆବିଷ୍କାର ହେଲା ଓ ଏହା ରୋଲ୍ ଫିଲ୍ମ ଆକାରରେ କ୍ଷୁଦ୍ର ୩୫ ଏମ୍ ଏମ୍ କ୍ୟାମେରା ନିମନ୍ତେ ଉପଲବ୍‌ଧ ହେଲା ସେତେବେଳେ ଫଟୋଗ୍ରାଫି କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନର ଯୁଗ ଆରମ୍ଭ ହେଲା । କଳାଧଳା ଫଟୋ ବଦଳରେ ଲୋକେ ରଙ୍ଗୀନ୍ ଫଟୋକୁ ପସନ୍ଦ କଲେ । ଏହି ଫଟୋଗୁଡ଼ିକ ଅଧିକ ଜୀବନ୍ତ ଓ ସ୍ୱାଭାବିକ ରଙ୍ଗରେ ବାସ୍ତବ ଚିତ୍ରକୁ ପ୍ରତିଫଳିତ କରୁଥିବାରୁ ଏହାର ଲୋକପ୍ରିୟତା ବୃଦ୍ଧି ପାଇବାକୁ ଲାଗିଲା । ଦେଖୁ ଦେଖୁ ଆଲବମ୍‌ର ପୃଷ୍ଠାରେ କଳାଧଳା ଫଟୋ ବଦଳରେ ଶୋଭା ପାଇଲା ରଙ୍ଗୀନ ଫଟୋ । ପୂର୍ବର କଳାଧଳା ଫଟୋଗୁଡ଼ିକ ପୁରୁଣା ଦିନର ପ୍ରତୀକ ସ୍ୱରୂପ ଅଖୋଜା ଅଲୋଡ଼ା ଅବସ୍ଥାରେ ପଡ଼ିରହିଲେ ଥାକର କେଉଁ କୋଣରେ ।

ଫଟୋଗ୍ରାଫିର ଏହି ରୂପାନ୍ତରିତ ଯାତ୍ରାରେ ଏବେ ଡିଜିଟାଲ୍ ଫଟୋଗ୍ରାଫିର ଯୁଗ ଡିଜିଟାଲ୍ କ୍ୟାମେରା, ମୋବାଇଲ୍ କ୍ୟାମେରା, କମ୍ପ୍ୟୁଟର, ସ୍କାନର୍ ଓ ପ୍ରିଣ୍ଟିର୍ ପ୍ରଭୃତି ଉପକରଣର ସହଯୋଗ ଫଟୋଗ୍ରାଫି ବିଦ୍ୟାକୁ କରିଦେଇଛି ଖୁବ୍ ସହଜ ଓ ସରଳ ଏଥିପାଇଁ କୌଣସି ବିଧିବଦ୍ଧ ତାଲିମ୍‌ର ଆବଶ୍ୟକତା ଦରକାର ନାହିଁ । କୌଣସି ରୀତିମତ ଅଭିଜ୍ଞତାର ମଧ୍ୟ ଆବଶ୍ୟକତା ଲୋଡ଼ା ନାହିଁ । କ୍ୟାମେରାରେ ଉଠାଯାଇଥିବା ଫଟୋକୁ କମ୍ପ୍ୟୁଟର ଜରିଆରେ ପରିବର୍ଦ୍ଧିତ ଓ ତ୍ରୁଟିଶୂନ୍ୟ କରି ବାହାର କରିଯାଇପାରୁଛି । ସେଥିପାଇଁ କେହି ଜଣେ ପୁରୁଖା ଫଟୋଗ୍ରାଫର ପରିହାସ ଛଳରେ ସାମ୍ପ୍ରତିକ ସମୟରେ ଜଣେ ଭଲ ଫଟୋଗ୍ରାଫର ହେବାକୁ ହେଲେ ଆଉ ଷ୍ଟୁଡ଼ିଓ ଡାର୍କରୁମ୍ର ଅଭିଜ୍ଞତା ଦରକାର ନାହିଁ ବୋଲି କହିଥିଲେ । ଫଟୋ ଷ୍ଟୁଡ଼ିଓମାନଙ୍କରେ ଥିବା ଡାର୍କରୁମ୍ ଏବେ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି । ଯେଉଁ ଡାର୍କରୁମ୍‌କୁ କଳାଧଳା ଫଟୋ ତିଆରିର କାରଖାନା ବୋଲି କୁହାଯାଇଥାଏ ଏବେ ତାହା ଅପାଙ୍କ୍ତେୟ । ଏବେ କ୍ୟାମେରା ଧରି ଏପଟେ ଫଟୋ ଉଠାଇଲେ ସେପଟେ ଫଟୋର ପ୍ରିଣ୍ଟ୍‌କପି ବାହାରି ଆସୁଛି । ଏପରି ଇନଷ୍ଟାଣ୍ଟ୍ ବା ତାତ୍‌କ୍ଷଣିକ ଫଟୋଗ୍ରାଫିର ଯୁଗରେ କଳାଧଳା ଫଟୋକୁ ପଚାରୁଛି ବା କିଏ ?

ପୁରୁଣା ଆଲବମ୍‌ର କଳାକାନ୍ଥ ରୂପକ ପୃଷ୍ଠାରେ ଲଟକିଥିବା ଏହି କଳାଧଳା ଫଟୋଗୁଡ଼ିକ ସମୟରେ କ୍ଷୟିଷ୍ଣୁ ଚାପରେ ଯଦି ଓ ରଙ୍ଗଛଡ଼ା ହୋଇ ଆସିଲାଣି ତଥାପି ଏଗୁଡ଼ିକର ଚାହାଣୀରେ ହଜିଲା ସମୟର ଯେଉଁ ଆବେଦନ ଲୁକ୍କାୟିତ ହୋଇ ରହିଥାଏ ତାହାକୁ ଶବ୍ଦରେ ପ୍ରକାଶ କରିବା ଅସମ୍ଭବ । ନୀରବରେ ଏମାନେ ଆମର ସୁପ୍ତ ଆବେଗକୁ ଉଦ୍ରେକ କରାନ୍ତି । କିଛି ସମୟ ପାଇଁ ଆମକୁ ରୂପେଲି ଅତୀତ ମଧ୍ୟରେ ନିମଜ୍ଜି ଯିବାକୁ ବାଧ୍ୟ କରିଥାନ୍ତି । ଏକଥା ସତ ଯେ ସମୟର ଧାରା ହେଉଛି ନିରବଚ୍ଛିନ୍ନ ଓ ଗତିଶୀଳ । ଯେଉଁ ଧାରା କି ଆଖି ପଲକ ଭିତରେ ବର୍ତ୍ତମାନକୁ ଅତୀତରେ ପରିଣତ କରିଦେଇଥାଏ ଏବଂ ଭବିଷ୍ୟତକୁ ଆଣି ବର୍ତ୍ତମାନରେ ଠିଆ କରାଇଦେଇଥାଏ । ସେହି ଚଳମାନ ସମୟର ଗତିଶୀଳତାକୁ ଖୁବ୍ ନାଟକୀୟ ଓ ସ୍ମରଣୀୟ ଢଙ୍ଗରେ ଫଟୋଗ୍ରାଫଗୁଡ଼ିକ ହିଁ ଅଟକାଇ ରଖିଥାଏ । ଏମାନେ ସେହି ବିଗତ କଳାଧଳା ସମୟର ସାକ୍ଷ୍ୟପ୍ରଦାନ କରିଥାନ୍ତି ସମୟର ଉତ୍ତରାର୍ଦ୍ଧରେ ।

ସମୟରସ୍ରୋତରେ ଫଟୋଗ୍ରାଫିର ରୂପରେଖରେ ଯେଉଁ ଧରଣର ପ୍ରଗତି ସବୁ ସମ୍ଭବ ହୋଇଚାଲିଛି, ସେଥିଯୋଗୁଁ କ୍ରମଶଃ କଳାଧଳା ଫଟୋର ନିଶ୍ଚିତ ବିଲୟ ଘଟିବ ବୋଲି ଆଶଙ୍କା ସବୁ ପ୍ରକାଶ ପାଉଛି । ମାତ୍ର ତାହାକୁ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରାଯାଇ ନ ପାରେ । ପ୍ରଥମେ ଯେତେବେଳେ ଫଟୋଗ୍ରାଫିର ଉଦ୍ଭାବନ ଘଟି ଏହି ମାଧ୍ୟମଟିର ବିକାଶ ସାଧିତ ହେଲା ସେତେବେଳେ ତତ୍କାଳୀନ ଅଧିକାଂଶ ଚିତ୍ରଶିଳ୍ପୀମାନଙ୍କର ଆଖିରୁ ନିଦକୁ ଚୋରାଇ ନେଇଥିଲା । ସବୁଠି ଆଶଙ୍କା ଦେଖା ଦେଇଥିଲା ଯେ ଫଟୋଗ୍ରାଫିର ପ୍ରଭାବରେ ପେଣ୍ଟିଂ ବା ଚିତ୍ରକଳାର ବିଲୟ ଘଟିବ । ମାତ୍ର ସେହି ଆଶଙ୍କାକୁ ଅମୂଳକ ବୋଲି ପ୍ରମାଣିତ କରି ଉଭୟ ଚିତ୍ରକଳା ଓ ଫଟୋଗ୍ରାଫିର କଳାକୌଶଳ ଚିତ୍ରକଳା ସମୃଦ୍ଧିରେ ଅଶେଷ ଭାବରେ ସହାୟକ ସାବ୍ୟସ୍ତ ହୋଇଥିଲା । ସେହିପରି ରଙ୍ଗୀନ୍ ଫିଲ୍ମର ଆବିଷ୍କାର ଓ ଏହାର ବହୁଳ ପ୍ରଚଳନ ପୂର୍ବୋକ୍ତ କଳାଧଳା ଫଟୋ ଯୁଗର ପରିସମାପ୍ତି ଘଟାଇବ ବୋଲି କୁହାଗଲା । କିନ୍ତୁ ଦେଖାଗଲା ଯେ ପୂର୍ବାପେକ୍ଷା କଳାଧଳା ଫଟୋର ଆଦର କମିଯାଇଛି ସତ ମାତ୍ର ଏହା ସମ୍ପୂର୍ଣ୍ଣ ରୂପେ ଅନାବୃତ ହୋଇନାହିଁ । ଆଜି ମଧ୍ୟ ଏକ ବିଶେଷ ଦୃଷ୍ଟିକୋଣରୁ ଏହାର ସ୍ୱତନ୍ତ୍ର ଆକର୍ଷଣ ଆମ ସୌନ୍ଦର୍ଯ୍ୟବୋଧ ନିକଟରେ ପ୍ରାସଙ୍ଗିକ ହୋଇ ରହିଛି ଓ ରହିଥିବ ମଧ୍ୟ ।

ଲୋକପ୍ରିୟ ଲେଖା

To Top