ପ୍ରବନ୍ଧ

କଲମ ମୁନରେ ବିପ୍ଳବ

Odia Writer Nishikanta Padhi

ଆମେ ନିର୍ବାଚିତ କରୁଥିବା ଜନପ୍ରତିନିଧିମାନେ ଆଜି ସରକାର ବୋଲାଇ ଆମରି ଝାଳବୁହା ଧନକୁ ଟିକସ୍ ଆକାରରେ ନେଇ ଆଜି ନିର୍ମଳ ଭାବମୂର୍ତ୍ତିର ଚେହେରା ଦେଖାଇ ଅୟସ କରୁଛନ୍ତି ।

କଲମ ମୁନରେ ବିପ୍ଳବ

ମଣିଷ ହେଉଛି ସର୍ବଶ୍ରେଷ୍ଠ ବୁଦ୍ଧିଜୀବି ତଥା ଏକ ସାମାଜିକ ପ୍ରାଣୀ । ସମାଜ ଗଠନ କରି ସମାଜର ମଣିଷମାନଙ୍କ ସହିତ ଦୁଃଖ ସୁଖ ବାଣ୍ଟି ସେ ବଞ୍ଚିବାକୁ ପସନ୍ଦ କରେ । ସମାଜର ନିୟମକାନୁନ୍‌କୁ ମାନି ସମାଜକୁ ପ୍ରଗତିଭୀମୁଖୀ କରାଏ । ହେଲେ ସମାଜ ଯେତେବେଳେ ଅଧଃପତନମୁଖୀ ହୁଏ ସ୍ୱାର୍ଥ, ଅର୍ଥ, ଲୋଭମୋହ ଓ ଅନ୍ଧବିଶ୍ୱାସ, କୁସଂସ୍କାରକୁ ପ୍ରଣୟ ଦେଇ ସମାଜର ମଣିଷମାନେ ଯେତେବେଳେ ବିପଥଗାମୀ ହୋଇପଡ଼ନ୍ତି ସେତେବେଳେ ସମାଜରକ୍ଷକ ତଥା ବୁଦ୍ଧିମାନ ମଣିଷମାନେ କ୍ରାନ୍ତି ସୃଷ୍ଟି କରନ୍ତି, ବିପ୍ଳବର ବ୍ୟୁହ ରଚନା କରନ୍ତି । ବିଦ୍ରୋହର ସ୍ୱର ଉଠାନ୍ତି । ମରିଯାଉଥିବା ସମାଜର ପିଣ୍ଡକୁ ବଞ୍ଚାଇବା ପାଇଁ ସେମାନେ ନିଜ ଜୀବନକୁ ଉତ୍ସର୍ଗ କରନ୍ତି । ହେଲେ ଏହି ବିପ୍ଳବ ବା କ୍ରାନ୍ତିରେ ତୋପ ଫୁଟେନା । ବୁଲେନା ବିଦ୍ରୋହ ନିଆଁର ମଶାଲ୍ । ମଣିଷ ଦେହରୁ ରକ୍ତ ଝରେନା, ଝରେନା ଆଖିରୁ ଲୁହ । ବିପ୍ଳବ ଆସେ କଲମର ମୁନରେ । କ୍ରାନ୍ତିର କବିତା ଲେଖେ ଏ କଲମର ମୁନ । ଅନ୍ୟାୟ, ଅପରାଧ, ଦୁର୍ନୀତି, କଳାବଜାରୀ, ଧର୍ଷଣ, ଶୋଷଣ ତଥା ଯୌନ କେଳେଙ୍କାରୀ, ଯୌନ ନିର୍ଯ୍ୟାତନା, ନବବଧୂ ହତ୍ୟା ଆଦି ବିରୁଦ୍ଧରେ କଲମ ଲେଖେ ବିଦ୍ରୋହର ଭାଷା । ମନ୍ତ୍ରୀ, ରାଜନେତା, ବାବା, ସନ୍ୟାସୀ କି ପ୍ରବଚକ କାହାରିକୁ ଭରସା କରେନା ଏ କଲମ । କେବଳ ସେ ବିପ୍ଳବକୁ ଡାକେ ହାତ ଠାରି । କ୍ରାନ୍ତି ଆସେ କଲମ ମୁନରେ । ଭାଷା ସୃଷ୍ଟି କରେ ସାହିତ୍ୟ । ସାହିତ୍ୟ ପରିବର୍ତ୍ତନ ଆଣେ ଭାବରେ, ଚେତନାରେ ତଥା ମନ ଓ ହୃଦୟରେ । ପରିବର୍ତ୍ତନର ପୁତ ମନ୍ଦାକିନୀ ଧାରା ପ୍ରବାହିତ ହୁଏ ଏ ଦେଶ ଓ ସମାଜରେ । ଶାନ୍ତି ଆଉ ସମତା ପରି ଶବ୍ଦମାନେ ଫେରି ଆସନ୍ତି ସମାଜକୁ ।

ଆଜି ଆମେ ବସବାସ କରୁଛେ ଏକ ଭୟ ଓ ଏକ ଆତଙ୍କିତ ସମାଜ ମଧ୍ୟରେ । ଆମେ ଆଜି ଅସୁରକ୍ଷିତ ମଣୁଛେ ଆମ ଚାରି ପାଖର ପରିବେଶକୁ । ଆମ ଝିଅ, ବୋହୂ, ପରିବାର, ଆମ ନଦୀ, ନାଳ, ଜମି ଜଙ୍ଗଲ କେହି ବି ଆଜି ସୁରକ୍ଷିତ ନୁହଁନ୍ତି । ଆମରି ମଣିଷମାନେ ଶୋଷଣ କରୁଛନ୍ତି ଆମକୁ । ଆମରି ମଣିଷମାନେ ଧର୍ଷଣ କରୁଛନ୍ତି ଆମରି ଝିଅ ବୋହୂମାନଙ୍କୁ । ଆମେ ନିର୍ବାଚିତ କରୁଥିବା ଜନପ୍ରତିନିଧିମାନେ ଆଜି ସରକାର ବୋଲାଇ ଆମରି ଝାଳବୁହା ଧନକୁ ଟିକସ୍ ଆକାରରେ ନେଇ ଆଜି ନିର୍ମଳ ଭାବମୂର୍ତ୍ତିର ଚେହେରା ଦେଖାଇ ଅୟସ କରୁଛନ୍ତି । କେନ୍ଦ୍ର ହେଉ ବା ରାଜ୍ୟ ହେଉ ସବୁଠି ନେତା ଓ ମନ୍ତ୍ରୀମାନେ ଦେଖାଉଛନ୍ତି ଭାଷଣ ବାଜିର ପରାକାଷ୍ଠା । ଜନତା ଜନାର୍ଦ୍ଦନଙ୍କର କଷଣ ବୁଝିବାକୁ ଏଠି ନେତା ଓ ମନ୍ତ୍ରୀଙ୍କୁ ସମୟ ନାହିଁ । ଦୁନିଆଁକୁ ବଦଳାଇ ଦେବାର ପ୍ରତିଶ୍ର୍ରତି ଦେଇ ଯେଉଁମାନେ ଆଜି ଲୋକମାନଙ୍କର ହର୍ତ୍ତାକର୍ତ୍ତା ଦଇବ ବିଧାତା ହୋଇଛନ୍ତି ଦେଖନ୍ତୁ ସେମାନେ କିପରି ଆଜି ନିଜର ରାଜନୈତିକ ଭବିଷ୍ୟତ ପାଇଁ ଲାଗିପଡ଼ିଛନ୍ତି । ଦେଶ ଓ ସମାଜ ତଳିତଳାନ୍ତ ହୋଇଯାଉ, ଭାଷା, ସଂସ୍କୃତି ଓ ଜାତୀୟତା ପୋଡ଼ି ପାଉଁଶ ହୋଇଯାଉ ପଛେ ମୋର ମନ୍ତ୍ରୀ ପଦଟା କାଳ କାଳକୁ ରହୁ । ଏହା ହିଁ ଆଜିର ମଣିଷମାନଙ୍କର ଏକ ବିକୃତ ମାନସିକତା ହୋଇଯାଇଛି । ଗରିବ ହେବେ କି ଓଡ଼ିଶା ମହାପ୍ରଭୁ ଜଗନ୍ନାଥଙ୍କର ଭୂମି, ଏକ ଶାନ୍ତିପ୍ରିୟ ଛୋଟିଆ ଭୂଖଣ୍ଡ । ବଙ୍ଗୋପସାଗର କୂଳର ଏହି ଛୋଟିଆ ଭୂଖଣ୍ଡର ଇତିହାସ ଖୁବ୍ ଗୌରବମୟ । ପ୍ରାଚୀନ କୀର୍ତ୍ତିରାଜିର ସ୍ମୃତି ଏବେ ବି ଗର୍ବରେ ଉଦ୍‌ବୁଦ୍ଧ କରାଏ ଓଡ଼ିଆମାନଙ୍କୁ । ଓଡ଼ିଶାର ମାଟିତଳେ ରହିଛି ବିପୁଳ ଧନ ଭଣ୍ଡାର । ହେଲେ ଓଡ଼ିଶାର ମାଟି ଉପରେ ଆଜି ଶୁଭୁଛି ହା’ ଅନ୍ନର ଆର୍ତ୍ତ ଚିତ୍କାର । ରାଜ୍ୟରେ ମହାସମାଧି ଘଟିଛି ଆଇନ୍ ଆଉ କାନୁନ୍‌ର । ନିଷ୍କ୍ରିୟ, ଉନ୍ନତି ହୀନ, ଲୋକପ୍ରିୟ ଯୋଜନାରେ ସରକାର ମୋହ କରିନେଇଛନ୍ତି ଲୋକମାନଙ୍କର ମନ ଓ ହୃଦୟକୁ । ଶସ୍ତା ଯୋଜନାର ଅଫିମ ଖାଇ ଆଜି ଢୁଳାଉଛନ୍ତି ଓଡ଼ିଆମାନେ । ଦୀର୍ଘ ପନ୍ଦର ବର୍ଷ ଧରି ଗୋଟିଏ ମାତ୍ର ସରକାର ଶାସନ କରି ଚାଲିଛି ତ ଚାଲିଛି, ନାହିଁ ତା’ର ବିକଳ୍ପ, ନାହିଁ ତା’ର ବିରୁଦ୍ଧରେ ବାଦ ପ୍ରତିବାଦ । ନାହିଁ ତାକୁ ବଦଳାଇବା ପାଇଁ ବିପ୍ଳବର ସ୍ୱର । ଗୋଟିଏ ଜାତିର ଭାଷା ଓ ସଂସ୍କୃତି ଆଜି ଶେଷ ନିଃଶ୍ୱାସ ଛାଡ଼ିବା ପାଇଁ ମହାପ୍ରସାଦ ପାଣି ଲୋଡ଼ିଲାଣି ଅଥଚ ଓଡ଼ିଆମାନେ ଏ ପର୍ଯ୍ୟନ୍ତ ଏ ବିଷୟ ତିଳେମାତ୍ର ଚିନ୍ତା କରି ନାହାଁନ୍ତି । ଆଜି ଜନପ୍ରିୟ ଶସ୍ତା ଯୋଜନା ସୃଷ୍ଟି କରି ଲୋକମାନଙ୍କର ଭୋଟ୍‌କୁ ପକେଟ୍‌କୁ ଆଣିବା ପାଇଁ ସରକାରଙ୍କର ରାଜକୋଷ ସାହାଣ ମେଲା । ହେଲେ ଗରିବ, ଖଟିଖିଆ, ରୋଗୀ ଦାଦନ ତଥା ଶିଶୁମାନଙ୍କର ଉନ୍ନତି ପାଇଁ କିଛି ଉନ୍ନତ ଯୋଜନା ସୃଷ୍ଟି ହୋଇନାହିଁ । ତେବେ ଏହି ପରିପ୍ରେକ୍ଷୀରେ ଆମେ କେମିତି ବଞ୍ଚିପାରିବା ଏକ ସୁସ୍ଥ ସାମାଜିକ ଜୀବନକୁ ନେଇ । କିପରି ଆମର ଉତ୍ତର ଦାୟାଦମାନେ ବଞ୍ଚିବେ ଏକ ଯନ୍ତ୍ରଣା ଜର୍ଜରିତ ତଥା ଏକ ନିସ୍ପେଷିତ ଜୀବନକୁ ନେଇ । ଆଜିର ଦୁନିଆଁରେ ମନ୍ତ୍ରୀ, ଯନ୍ତ୍ରୀ, ବ୍ୟବସାୟୀ, ଧନୀ କେହି ବି ତିଳେମାତ୍ର ପରିବର୍ତ୍ତନ ଆଣି ପାରିବେ ନାହିଁ ଏହି ସାମାଜିକ ଅବ୍ୟବସ୍ଥାରେ । କେବଳ କଲମ ହିଁ ଆଣିପାରିବ ପରିବର୍ତ୍ତନ । କେବଳ କଲମ ହିଁ ସୃଷ୍ଟି କରିପାରିବ ବିପ୍ଳବ ଏପରି ସାମାଜିକ ଅଧଃପତନର ବିରୁଦ୍ଧରେ । କେବଳ କଲମ ହିଁ ରଚିପାରିବ କ୍ରାନ୍ତି ଦେଶ ଓ ସମାଜରେ ଟିକେ ଶାନ୍ତି ଆଣିବା ପାଇଁ ।

ଲେଖକମାନେ ସମାଜର ଜାଗ୍ରତ ପ୍ରହରି । ପାଶ୍ଚାତ୍ୟ ଦେଶମାନଙ୍କରେ ଋଷୋ, ମୁସୋଲିନ୍, ପ୍ଲାଟୋଙ୍କ ପରି ମହାମାନବଙ୍କର କଲମ ଦେଶରେ ବିପ୍ଳବ ସୃଷ୍ଟି କରିଥିଲା । ଆମରି ଦେଶର ବ୍ରିଟିଶ୍ ସରକାରଙ୍କୁ ହଟାଇବା ପାଇଁ ଗାନ୍ଧୀ, ନେହେରୁ, ସରୋଜିନୀ ତଥା ଅନେକ ସ୍ୱାଧୀନତା ସଂଗ୍ରାମୀମାନଙ୍କର କଲମ ମୁନ ଦେଶରେ କ୍ରାନ୍ତି ସୃଷ୍ଟି କରିଥିଲା । ଓଡ଼ିଶାରେ ଗୋପବନ୍ଧୁ, ମଧୁସୂଦନ, ଫକୀର ମୋହନ, ଗୌରୀଶଙ୍କର, ହରେକୃଷ୍ଣ ମହତାବ ତଥା ନବକୃଷ୍ଣ ଚୌଧୁରୀ କଲମ ମୁନ ଅନେକ ଦେଶାତ୍ମବୋଧକ ସଂସ୍କାରଧର୍ମୀ ତଥା ଚେତନା ଉଦ୍ରେକକାରୀ ଲେଖା ସୃଷ୍ଟି କରି ସମାଜର ମଣିଷମାନଙ୍କର ମନ ଓ ହୃଦୟରେ ପରିବର୍ତ୍ତନ ଆଣିପାରିଛି । ହେଲେ ଆଜି ମଣିଷ ସ୍ୱାର୍ଥ ସର୍ବସ୍ୱ ହୋଇ ଅର୍ଥ ପଛରେ ଧାଇଁ ନିଜକୁ ବିଶ୍ୱର ସର୍ବଶ୍ରେଷ୍ଠ ସମ୍ରାଟ ଭାବେ ଗଢ଼ି ତୋଳିବାକୁ ଚାହୁଁଛି । ଯେଉଁଥି ପାଇଁ ଆଜି ନିଷ୍କ୍ରିୟ ହୋଇପଡ଼ିଛି କଲମର ମୁନ । ଯେଉଁମାନେ ଅବଶ୍ୟ ଲେଖନୀ ଚାଳନା କରୁଛନ୍ତି, ସେମାନଙ୍କର କଲମ ମୁନରୁ ସୃଷ୍ଟି ହେଉନାହିଁ ବର୍ତ୍ତମାନର ସମାଜକୁ ପରିବର୍ତ୍ତନ କରିବା ପାଇଁ ବିପ୍ଳବର ସ୍ୱର । କାହାର ଆନନ୍ଦ ପାଇଁ ତଥା ନିଜର ସାହିତ୍ୟ ଜ୍ଞାନର ସୀମା ଦର୍ଶାଇ ମାନପତ୍ର ତଥା ଫୁଲମାଳକୁ ଆପଣେଇବା ପାଇଁ ସୃଷ୍ଟି ହେଉଛି ଗୁଡ଼ିଏ ଅଦରକାରୀ ସାହିତ୍ୟ ଯାହା କି ସମାଜରେ ସଂସ୍କାର କି ପରିବର୍ତ୍ତନ ଆଣି ପାରୁନାହିଁ । ଆମ ଝିଅ ବୋହୂମାନଙ୍କୁ ବିଚ୍ ବଜାରରେ ଗଣଧର୍ଷଣ କରାଯାଉଛି ଅଥଚ ଆମେ ପ୍ରେମର କବିତା ଲେଖୁଛେ । ଗୋଟିଏ ବିଫଳ ସରକାର ଆଜି ଲୋକମାନଙ୍କୁ ବ୍ଲାକ୍ ମେଲିଂ କରିଚାଲିଛି । ଏ ବିଷୟରେ ଘୂରେ କିଛି ବାର୍ତ୍ତା ରହୁନି ଅଥଚ ଆମେ ନଗ୍ନ ପ୍ରେମ ଓ ପ୍ରଣୟକୁ ନେଇ ଶବ୍ଦର ଲାଳିତ୍ୟ ଓ ସମ୍ଭାର ସୃଷ୍ଟି କରି ଆମେ ଗଳ୍ପ ଲେଖୁଛେ । ଆମେ ଜାତି, ଭାଷା ଓ ସଂସ୍କୃତି ଆଜି ମରିଯିବାକୁ ବସିଲାଣି । ଅଥଚ ଆମ ଲେଖା ମାଧ୍ୟମରେ ଆମେ ଏ ସବୁ ବିଷୟରେ କିଛି ପ୍ରକାଶ କରି ପ୍ରତିବାଦ କରିପାରୁନେ । କିନ୍ତୁ ଏପରି ହୀନମନ୍ୟତାର ଖୋଳରୁ ବାହାରି ଆସି ଆମକୁ ଆମର କଲମ ମୁନକୁ ସକ୍ରିୟ କରିବାକୁ ହେବ । ଏହା ମୋର ସମଗ୍ର ପ୍ରଗତିଶୀଳ ଲେଖକ ଓ ଲେଖିକାମାନଙ୍କୁ ମୋର ବିନମ୍ର ନିବେଦନ । ଏହା ଦ୍ୱାରା ଓଡ଼ିଶାରେ ନିଶ୍ଚୟ ଏକ ନବଜାଗରଣ ସୃଷ୍ଟି ହୋଇପାରିବ । ଆମକୁ ଦେଖାଇ ଦେବାକୁ ହେବ ଆମ କଲମ ମୁନର ପରାକାଷ୍ଠା । ଗୋଟିଏ ମରିବାକୁ ବସିଥିବା ଭାଷା ଯେ କ୍ରାନ୍ତି ସୃଷ୍ଟି କରି ମରଣମୁଖୀ ସମାଜରେ ମୃତ ସଞ୍ଜୀବନୀ ଧାରା ପ୍ରବାହିତ କରିପାରେ ତାହା ଦିନେ ଏ ବିଶ୍ୱବାସୀ ବୁଝିପାରିବେ ।

“ଜୟ ଓଡ଼ିଆ ଜାତିର ଭାଷା
ଜୟ ଓଡ଼ିଆର କଲମ ।”

ଲୋକପ୍ରିୟ ଲେଖା

To Top