ପ୍ରାକ୍ ସ୍ୱାଧୀନତାର ଭାରତବର୍ଷ କୃଷକ ବା ପ୍ରଜାମେଳିର ଅସରନ୍ତି ସଂଘର୍ଷକୁ ନେଇ ସ୍ୱକୀୟ ରୀତିରେ ମହିମାଦୀପ୍ତ । ସବୁଥର ଏବଂ ସବୁଠି ଏହି ସଂଘର୍ଷ ମାଟିର ନିଃଶ୍ୱାସରେ ପହଁରି ମସନ୍ଦର ପେଣ୍ଠସ୍ଥଳୀକୁ କ୍ଷଣକ ପାଇଁ ହେଲେ ବି ସ୍ତବ୍ଧ କରିଦେଇଛି । କନିକା ପ୍ରଜାମେଳିର ମହାନାୟକ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ଭୂଗୋଳର କେଉଁ ଅନାମଧ୍ୟେୟ ଇଲାକାରୁ ମାଟିର ମଣିଷର ନ୍ୟାର୍ଯ୍ୟଦାବୀକୁ ପ୍ରତିନିଧିତ୍ୱ କରୁଥିବା ଏକ ବଳିଷ୍ଠ ସ୍ୱର ଥିଲେ ।
୧୯୧୨ ମସିହାରେ କଲିକତାଠାରେ ତତ୍କାଳୀନ ବଙ୍ଗଭଙ୍ଗ ଆନ୍ଦୋଳନରେ ଆନନ୍ଦ ଚନ୍ଦ୍ର ସକ୍ରିୟ ଭାବେ ଅଂଶଗ୍ରହ କରି କାରାବରଣ କରିଥିଲେ । ଏହି କଲିକତାରେ ହିଁ ତାଙ୍କ ବୈପ୍ଳବିକ ଜୀବନର ଆଦ୍ୟଉନ୍ମେଷ ଘଟିଥିଲା । ଯାହାର ଉତ୍ତରଣ ସମ୍ଭବ ହୋଇଥିଲା ନିଜ ଜନ୍ମ ମାଟି ସୁଦୂର କନିକାରେ । ସେଠାରେ ସେ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାଏଙ୍କ ପରି ଜାତୀୟତାବାଦୀ ନେତାଙ୍କ ସଂସ୍ପର୍ଶରେ ଆସି ସ୍ୱଦେଶୀ ଓ ଦେଶାତ୍ମବୋଧ ପରି ବିଚାରଧାରା ସହିତ ପରିଚିତ ହୋଇଥିଲା । ପରେ ଓଡ଼ିଶାକୁ ଆସିଲା ପରେ ବିଶେଷ କରି କନିକା ମାଟିକୁ ନିଜର ବୈପ୍ଳବିକ ଜୀବନାଦର୍ଶର ପ୍ରୟୋଗଶାଳା ରୂପେ ବାଛିଥିଲେ । ଭାରତୀୟ ଜାତୀୟ କଂଗ୍ରେସର ଭାବାଦର୍ଶ, ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁ ପ୍ରମୁଖ ହିଁ ଥିଲେ ତାଙ୍କର ମାର୍ଗପ୍ରଦର୍ଶକ । ଏପରିକି ସେ ସତ୍ୟବାଦୀ ବନ ବିଦ୍ୟାଳୟର ଆଦର୍ଶରେ ଅନୁପ୍ରାଣିତ ହୋଇ କନିକା ଅନ୍ତର୍ଗତ ଅଖ୍ୟାତ ମେଘପୁର ଗ୍ରାମରେ ଏକ ଚାଟଶାଳୀ ଖୋଲି ଜାତୀୟତାର କୁନି କୁନି ଅଙ୍କୁର ସୃଷ୍ଟି କରିବାର ପ୍ରତ୍ୟୟ ରୋପଣ କରିଥିଲେ । ସୁଦୂର କଲିକତା ନଗରରୁ ଆରମ୍ଭ ହୋଇ ଅନ୍ଧାରୀ ମୂଲକ କନିକାଗଡ଼ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିଲା ତାଙ୍କର ବିପ୍ଳବର ରଣକ୍ଷେତ୍ର ।
୧୮୮୪ ମସିହା ଜୁଲାଇ ୧୭ ତାରିଖରେ କନିକା ଅନ୍ତର୍ଗତ ଡାଳିକାଏନ୍ଦା ନାମକ ଏକ ଅଖ୍ୟାତ ପଲ୍ଲୀରେ ଆନନ୍ଦ ଚନ୍ଦ୍ର ଜନ୍ମଗ୍ରହଣ କରିଥିଲେ । କିନିକା ରାଜତନ୍ତ୍ର ବିରୁଦ୍ଧରେ ନିଜର ସାଲିସ୍ ବିହୀନ ସଂଗ୍ରାମ ଯୋଗୁଁ ଏକ ନାଟକୀୟ ଷଡ଼ଯନ୍ତ୍ରର ଶିକାର ହୋଇ ୧୯୪୬ ମସିହା ଜାନୁୟାରୀ ୨୭ ତାରିଖରେ ପ୍ରାଣତ୍ୟାଗ କରିଥିଲେ । ସମାନ୍ତରାଳ ଭାବେ ବ୍ରିଟିଶ୍ ସରକାର ଓ ସ୍ୱେଚ୍ଛାଚାରୀ ସାମନ୍ତବାଦ ବିରୁଦ୍ଧରେ ନିଜର ବିପ୍ଳବାତ୍ମକ କାର୍ଯ୍ୟକଳାପ ଯୋଗୁଁ ସେ ନିଜର ମାତ୍ର ବାଆଷଠୀ ବର୍ଷ ଅବଧିର ସୀମିତ ଜୀବନକାଳ ମଧ୍ୟରୁ ବାରବର୍ଷ କାରାବାସରେ କଟାଇଥିଲେ । ବିଂଶଶତକର ପ୍ରାରମ୍ଭିକ ପାଞ୍ଚ ଦଶନ୍ଧି ଥିଲା ତାଙ୍କ ନିରବଚ୍ଛିନ୍ନ କର୍ମମୟ ଜୀବନର ଏକ ତ୍ୟାଗପୂତ ଇତିହାସ । ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ଶେଷ ପର୍ଯ୍ୟନ୍ତ ତାଙ୍କ ପ୍ରତିବାଦର ସ୍ୱର ଥିଲା ଦୃପ୍ତ । ପରିଣାମ ସ୍ୱରୂପ ଏଥିପାଇଁ ତାଙ୍କୁ ନିଜର ସମସ୍ତ ସ୍ଥାବର ସମ୍ପତ୍ତି ହରାଇବାକୁ ପଡ଼ିଥିଲା । ଏପରିକି ଶେଷ ପର୍ଯ୍ୟାୟରେ ନିଜର ଜୀବନରକ୍ଷା ପାଇଁ ତାଙ୍କୁ ପରିବାର ସହିତ ଭିଟାମାଟି ଛାଡ଼ିବାକୁ ମଧ୍ୟ ପଡ଼ିଥିଲା ।
ସେ ସମୟରେ କଲିକତାରୁ ଏଣ୍ଟ୍ରାନ୍ସ ପାସ୍ କରିଥିବା ଆନନ୍ଦଚନ୍ଦ୍ର ପରବର୍ତ୍ତୀ ସମୟରେ ନିଜ ଜନ୍ମ ମାଟି କନିକାରେ ଶିକ୍ଷକତା ଆରମ୍ଭ କରିଥିଲେ । ମାତ୍ର କନିକା ରାଜତନ୍ତ୍ର ଓ ଅମଲାତନ୍ତ୍ରର ଶୋଷଣ ଓ ଅତ୍ୟାଚାରକୁ ଦେଖି ତାଙ୍କ ଭିତରେ ଥିବା ବିଦ୍ରୋହୀ ଆତ୍ମା ହୃଦୟରୁ ଆତ୍ମପ୍ରକାଶ କଲା ଦୁଃଖିନୀ କନିକା ପୁସ୍ତକ । କଟକର ଦତ୍ତ ପ୍ରେସ୍ରୁ ୧୯୨୨ ମସିହାରେ ମୁଦ୍ରିତ ହୋଇଥିବା ଏହି କ୍ଷୁଦ୍ର କାବ୍ୟଟିର ମୂଲ୍ୟ ମାତ୍ର ଦୁଇ ପଇସା ରଖାଯାଇଥିଲା । ଅଥଚ ବିପ୍ଳବର ବହ୍ନିକୁ ବଣ ନିଆଁ ପରି ପ୍ରସାର କରାଇବାରେ ଏହାର ଅବଦାନ ଅତୁଳନୀୟ ଥିଲା । ଭାଗବତର ନବାକ୍ଷରୀ ଛନ୍ଦରେ ରଚିତ ଏହି ପୁସ୍ତକରେ କନିକା ରାଜାଙ୍କ କୁଶାସନ, ପ୍ରଜାଙ୍କଠାରୁ ବଳପୂର୍ବକ ଚଉଷଠି ପ୍ରକାର କର ଆଦାୟ ଓ ନିରୀହ ପ୍ରଜାମାନଙ୍କ ଅକଥନୀୟ ଦୁର୍ଦ୍ଦଶା ଆଦିର ବର୍ଣ୍ଣନା ଉକ୍ତ ପୁସ୍ତକର ଗୁରୁତ୍ୱ ଓ ଲୋକପ୍ରିୟତା ବୃଦ୍ଧିରେ ସହାୟକ ହୋଇଥିଲା । ଏପରିକି ଇଂରେଜ ସରକାର ଏହି ପୁସ୍ତକଟିକୁ ବାଜ୍ୟାପ୍ତ କରି ନିଷିଦ୍ଧ ଘୋଷଣ କରିଥିଲେ । ସେହି ସମୟରେ ଗାନ୍ଧିଜୀଙ୍କ ଦ୍ୱାରା ସମ୍ପାଦିତ “ୟଙ୍ଗ୍ ଇଣ୍ଡିଆ” ସାପ୍ତାହିକ ପତ୍ରିକାରେ ଦୁଃଖିନୀ କନିକାକୁ ନେଇ ଏକ ଆଲେଖ୍ୟ ମଧ୍ୟ ପ୍ରକାଶିତ ହୋଇଥିଲା । ଯାହାଫଳରେ କନିକା ପ୍ରଜାମାନଙ୍କର ଦୁଃଖ ଦୁର୍ଦ୍ଦଶାର କାହାଣୀ ପ୍ରତି ସାରା ଭାରତବର୍ଷର ନେତୃତ୍ୱ ସମ୍ୱେଦନଶୀଳ ହୋଇଉଠିଲା । ଏହାଛଡ଼ା ଏହି ବିପ୍ଳବୀ ଦରଦୀ କବିଙ୍କ ଲେଖନୀରୁ କନିକା ବନ୍ଧୁ, ମାତୃଦେବୀ, ଭକ୍ତ ପ୍ରହ୍ଲାଦ, ମୂଢ଼ମତି, ବାରକଥା ପ୍ରଭୃତି ଅନେକ କାବ୍ୟ କବିତାମାନ ସୃଷ୍ଟି ଲାଭ କରିଥିଲା । ଏହିସବୁ ସୃଷ୍ଟି ସମୂହର ସାହିତ୍ୟିକ ମୂଲ୍ୟ ଯାହା ଥାଉନା କାହିଁକି ତତ୍କାଳୀନ କନିକା ପ୍ରଜା ଆନ୍ଦୋଳନର ପରିପ୍ରେକ୍ଷୀରେ ଆନନ୍ଦଚନ୍ଦ୍ରଙ୍କ ଦ୍ୱାରା ରଚିତ ଦୁଃଖିନୀ କନିକା ଓ କନିକାର ବନ୍ଧୁ ପୁସ୍ତକ ଦ୍ୱୟ ବିପ୍ଳବର ଦୁଇ ଜ୍ୱଳନ୍ତ ଆଗ୍ନେୟାସ୍ତ୍ର ରୂପେ ସାବ୍ୟସ୍ତ ହୋଇଥିଲା ।
ଆନନ୍ଦ ଚନ୍ଦ୍ର ନିଜକୁ କେବଳ କନିକା ପ୍ରଜା ଆନ୍ଦୋଳନ ମଧ୍ୟରେ ସୀମିତ ରଖି ନ ଥିଲେ । ତାଙ୍କର ଅଙ୍ଗୀକାରବଦ୍ଧ ବ୍ୟକ୍ତିତ୍ୱ ନିଜର କ୍ଷୁଦ୍ର ଅଞ୍ଚଳ କନିକାଗଡ଼ ସହିତ ପରାଧୀନ ଭାରତବର୍ଷର ମୁକ୍ତି ନିମନ୍ତେ ବ୍ୟାକୁଳ ଥିଲା । ସମସାମୟିକ ଜାତୀୟ ମୁକ୍ତି ସଂଗ୍ରାମରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଥିବାର ଦେଖିବାକୁ ମିଳେ । ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ପରିଚାଳିତ ଅସହଯୋଗ ଆନ୍ଦୋଳନ, ୧୯୨୫ ମସିହାରେ ଚରଖା ଆନ୍ଦୋଳନ, ୧୯୩୦ ମସିହାରେ ଲବଣ ସତ୍ୟାଗ୍ରହ ଓ ସର୍ବୋପରି ୧୯୪୨ ମସିହାର ଭାରତଛାଡ଼ ଆନ୍ଦୋଳନରେ ତାଙ୍କର ପ୍ରତ୍ୟକ୍ଷ ଯୋଗଦାନ ରହିଆସିଥିଲା । ସେ ମଧ୍ୟ ଭାରତୀୟ ଜାତୀୟ କଂଗ୍ରେସର ଅନ୍ୟତମ ଦକ୍ଷ ସଂଗଠକ ରୂପେ ଜଣାଶୁଣାଥିଲେ । ସେ ସମୟର ଏକ ହିସାବ ଅନୁସାରେ ୧୯୨୨ ମସିହାରେ ସମଗ୍ର ଓଡ଼ିଶାରୁ କୋଡ଼ିଏ ହଜାର କଂଗ୍ରେସର ପ୍ରାଥମିକ ସଭ୍ୟ ଗ୍ରହଣ କରାଯାଇଥିବା ସ୍ଥଳେ କେବଳ କନିକା ଜମିଦାରର କ୍ଷୁଦ୍ର ଛାମୁକାରୁ ୪,୦୦୦ ସଭ୍ୟ ସଂଗୃହିତ ହୋଇଥିଲେ । ଏହି ସଭ୍ୟ ସଂଗ୍ରହ ଅଭିଯାନରେ ଆନନ୍ଦଚନ୍ଦ୍ରଙ୍କ ଭୂମିକା ଥିଲା ସମସ୍ତଙ୍କ ଆଗରେ । ପୁନଶ୍ଚ ୧୯୧୭ ମସିହାରେ ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମରେ ଦୀର୍ଘ ତିନିମାସ ରହି ପ୍ରଶିକ୍ଷଣ ପାଇବାରେ ଆନନ୍ଦଚନ୍ଦ୍ର ହେଉଛନ୍ତି ପ୍ରଥମ ଓଡ଼ିଆ ।
ଅନ୍ୟାୟ ମୁଦ୍ରାର ଗୋଟିଏ ପାର୍ଶ୍ଵ ହେଲେ ବିଦ୍ରୋହ ତା’ର ଅପରପାର୍ଶ୍ଵ । ମାନବ ଇତିହାସର ଅସଂଖ୍ୟ ପୃଷ୍ଠା ଶୋଷଣ, କଷଣ, ଅନ୍ୟାୟ ଆଉ ଅତ୍ୟାଚାରର ରୁଦ୍ଧଶ୍ୱାସରେ କରୁଣ ଓ ବିବର୍ଣ୍ଣ ହୋଇଥିବା ବେଳେ ଆର ଅସଂଖ୍ୟ ପୃଷ୍ଠା ମଣିଷ ଚିତ୍ତୋ ବିଦ୍ରୋହରେ ଶାଣିତ ଓ ଶବଳିତ । ହିଂସ କିମ୍ୱା ଅହିଂସ ସହସ୍ର ବିପ୍ଳବ ଅସରନ୍ତି ବୀରତ୍ୱ ଗାଥାରେ ରୁଦ୍ଧିମନ୍ତ । ଭାରତର ସ୍ୱାଧୀନତା ସଂଗ୍ରାମର ତାଳେ ତାଳେ ବିକ୍ଷିପ୍ତ ଭାବରେ ଦେଶର ବିଭିନ୍ନ ପ୍ରାନ୍ତରେ ରାଜତନ୍ତ୍ର ଓ ସାମନ୍ତବାଦ ବିରୁଦ୍ଧରେ ପ୍ରଜାଶକ୍ତିର ମିଳିତ ବିକ୍ଷୋଭ ଦେଖିବାକୁ ମିଳିଥାଏ । ଗୋଟିଏ ପଟେ ଇଂରେଜ ସରକାର ରାଜଶକ୍ତିର ସ୍ୱେଚ୍ଛାଚାରୀ କୁଶାସନକୁ ପ୍ରଶ୍ରୟ ଦେଉଥିବା ବେଳେ ଆରପଟେ ଦେଶରେ ପ୍ରବାହିତ ହେଉଥିବା ଜାତୀୟ ଆନ୍ଦୋଳନର ମୁଖ୍ୟସ୍ରୋତଟି ଏହି ବିଚ୍ଛିନ୍ନ ପ୍ରଜାଶକ୍ତି ସହ ସହ ବନ୍ଧିତ ହୋଇ ସ୍ୱାଧୀନତା ରୂପକ ଆନ୍ଦୋଳନକୁ ବହୁ ପ୍ରସାରୀ କରିପାରିଥିଲେ । ବିପ୍ଳବୀ ଆନନ୍ଦ ଚନ୍ଦ୍ର ରାଜତନ୍ତ୍ର ଓ ଇଂରେଜ ସରକାର ବିରୁଦ୍ଧରେ ନିଜର ଦ୍ୱୈତ୍ୟ ଭୂମିକାକୁ ଦକ୍ଷତାର ସହିତ ନିର୍ବାହ କରିବାରେ ସଫଳ ହୋଇଥିଲେ ବୋଲି କହିବାକୁ ହେବ ।