ପ୍ରବନ୍ଧ

କଳିଙ୍ଗର ପ୍ରତିଶୋଧ

Surendra Mohanty's odia prose Kalingara Pratishodh

ବହୁ ବର୍ଷ ପୂର୍ବେ ମଗଧରାଜ ମହାପଦନ୍ମନନ୍ଦ କଳିଙ୍ଗ ଇଷ୍ଟ ଦେବ ମଗଧ ବିଜୟ ପରେ କଳିଙ୍ଗର ସେହି ଇଷ୍ଟ ଦେବ କଳିଙ୍ଗ ଜିନଙ୍କୁ କଳିଙ୍ଗ ଫେରାଇ ଆଣି ଖଣ୍ଡଗିରିର ଏକ ଗୁହା ମନ୍ଦିରରେ ପୁଣି ପ୍ରତିଷ୍ଠିତ କରାଇଥିଲେ

କଳିଙ୍ଗର ପ୍ରତିଶୋଧ

ଏଠାରେ ଯେଉଁ ସମୟର ଘଟଣା ବିବୃତ ହେଉଅଛି ସେ ସମୟରେ ମଗଧ ସମ୍ରାଟ ଅଶୋକଙ୍କ ମୃତ୍ୟୁ ପରେ ପରେ ବିଶାଳ ମୌର୍ଯ୍ୟ-ସାମ୍ରାଜ୍ୟ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡୁଥିଲା । ନରହତ୍ୟା, ରକ୍ତପାତ ଓ ଆସୁରିକ ଶକ୍ତି ଉପରେ ଯେଉଁ ସାମ୍ରାଜ୍ୟ ଗଢ଼ା ହୋଇଥିଲା ତାହା ବା କେତେକାଳ ତିଷ୍ଠନ୍ତା । ମୌର୍ଯ୍ୟ-ସମ୍ରାଜ୍ୟରୁ ଗୋଟିକ ପରେ ଗୋଟିଏ ହୋଇ ବିଜିତ ରାଜ୍ୟ ସ୍ୱାଧୀନ ହୋଇଯାଉଥିଲା । ମୌର୍ଯ୍ୟବଂଶର ଶେଷ ରାଜା ବୃହଦ୍ରଥଙ୍କୁ ହତ୍ୟା କରି ସେନାପତି ପୁଷ୍ପମିତ୍ର ମଗଧ ସିଂହାସନରେ ଅଧିଷ୍ଠିତ ହୋଇଥିଲେ । ମଗଧ-ସାମ୍ରାଜ୍ୟର ଏ ଦୁର୍ଦ୍ଦିନର ସୁଯୋଗ ନେଇ, ଭାରତର ଉତ୍ତର-ପଶ୍ଚିମ ସୀମାନ୍ତଆଡୁ ଗ୍ରୀକ୍ ଆଣ୍ଟିଓକସ୍ ଭାରତ ଉପରେ ପୁଣି ଆକ୍ରମଣ ଆରମ୍ଭ କରିଦେଲେ । ବହୁକାଳ ପୂର୍ବେ ଆଲେକ୍ଜାଣ୍ଡାରଙ୍କ ସେନାପତି ସେଲ୍ୟୁକସ୍ ଉତ୍ତର-ଭାରତରେ ଗ୍ରୀକ୍ ସାମ୍ରାଜ୍ୟ ପ୍ରତିଷ୍ଠାର ସ୍ୱପ୍ନ ଦେଖିଥିଲେ । ମାତ୍ର ମୌର୍ଯ୍ୟ ଚନ୍ଦ୍ରଗୁପ୍ତଙ୍କ ଦ୍ୱାରା ପରାସ୍ତ ହୋଇ ଗ୍ରୀକ୍ ଶକ୍ତି ଭାରତରେ ସାମ୍ରାଜ୍ୟ ପ୍ରତିଷ୍ଠାର ଆଶା ହରାଇ ସାରିଥିଲେ । କିନ୍ତୁ ଅଶୋକଙ୍କ ମୃତ୍ୟୁ ପରେ ମଗଧର ଆଭ୍ୟନ୍ତରୀଣ ଦୁର୍ବଳତାର ସୁଯୋଗ ନେଇ ଗ୍ରୀକ୍‌ମାନେ ପୁଣି ଭାରତ ଅଧିକାର ପାଇଁ ଅଭିଯାନ ଆରମ୍ଭ କରିଦେଲେ ।

xxxxxx

ସେଦିନ କଳିଙ୍ଗ ନଗରର ଗଣସଭା-ଭବନ କଳିଙ୍କର ବହୁ ସାମନ୍ତ, ସେନାପତି ଓ ଜନନେତାଙ୍କ ଦ୍ୱାରା ପୂର୍ଣ୍ଣ ହୋଇ ଯାଇଥିଲା । କଳିଙ୍ଗ ନଗରର ଶ୍ରେଷ୍ଠୀ ଓ ବଣିକଙ୍କ ଠାରୁ ଆରମ୍ଭ କରି ସାଧାରଣ କୃଷକ ଓ ଶିଳ୍ପୀ ପର୍ଯ୍ୟନ୍ତ ସମସ୍ତେ ଗଣଭବନ ଚାରିକଡ଼େ ସମବେତ ହୋଇଥିଲେ । ମଗଧର ଦାସତ୍ୱରୁ କଳିଙ୍ଗ ପୁଣି କିପରି ସ୍ୱାଧୀନ ହେବ, ସେହି ଆଲୋଚନା ଦିନ ଦିନ ଧରି ଗଣସଭାରେ ଚାଲିଥିଲା ।

ଜଣେ ବୃଦ୍ଧ ସେନାପତି ଉଠି କହିଲେ- “ହେଇ ସେଦିନ ପରି ମନେପଡୁଛି ଆଜି ମୋତେ ଆସି ଅଶୀ ବର୍ଷ ହେଲା । ଅଶୋକ ଯେତେବେଳେ କଳିଙ୍ଗ ଯୁଦ୍ଧରେ ଆସିଥିଲେ, ସେତେବଳେ ମୋର ବୟସ ଥିଲା ପଚିଶ । ଏ ଦୟାନଦୀର ପାଣି ସେଦିନ କଳିଙ୍ଗୀ ପାଇକର ରକ୍ତରେ ନାଲି ହୋଇ ଉଠିଥିଲା । କଳିଙ୍ଗର ବୀର ପାଇକକୁଳ ସେହି ଲଢ଼େଇରେ ମରି ଶେଷ ହୋଇଥିଲେ । ତା’ପରେ ଏ ପଞ୍ଚାବନ ବର୍ଷ ପରାଧୀନତା ଭିତରେ କଳିଙ୍ଗର ଅଣ୍ଟା ଭାଙ୍ଗି ପଡ଼ିଛି । ମନରେ ବଳ ଅଛି, ହେଲେ ମଗଧକୁ ଜୟ କରିବା ପାଇଁ ମନବଳ ସାଙ୍ଗକୁ ଦେହ ବଳ କାହିଁ ?”

ଆଉ ଜଣେ ସେନାପତି ଉଠି କହିଲେ- “ମଗଧ ଜୟ ପାଇଁ ବାହାରିଛ ଯେ, ଏଣେ ତମ ଚାରିଆଡ଼େ ତ ଶତ୍ରୁ । ସମସ୍ତେ ଚାହିଁ ବସିଛନ୍ତି କଳିଙ୍ଗକୁ ଗ୍ରାସ କରିବା ପାଇଁ । ଦକ୍ଷିଣାପଥର ସାତବାହନ ସାତକର୍ଣ୍ଣୀ, କୃଷ୍ଣାକୂଳର ମୁଷିକ, ପୁଣି ବିନ୍ଧ୍ୟର ଅରଣ୍ୟ ଭିତରେ ରାଷ୍ଟ୍ରିକ ଓ ଭୋଜିକ ସମସ୍ତଙ୍କ ଆଖି କଳିଙ୍ଗ ଉପରେ । ତେଣେ ତମେ ପାଟଳୀପୁତ୍ରରେ ପହଞ୍ଚିଲା ବେଳକୁ, ଏଣେ ତମ ଚୁଲିଚାଳ ନଥିବ । ଏସବୁ କ’ଣ ପିଲାଖେଳ କଥା ହୋଇଛି ?”

ଏହାଙ୍କ କଥା ଓ କହିବା ଭଙ୍ଗୀରେ ଗଣ-ସଭା ଭବନ ସମବେତ ଜନତାର ଅଟ୍ଟାହାସ୍ୟରେ ଫାଟି ପଡ଼ିଲା ।

ଜଣେ ଯୁବକ ଗଣସଭା ଭବନରେ ଗୋଟିଏ କଣରେ ନିରବରେ ବସି ଏ ସମସ୍ତ ଆଲୋଚନା ଶୁଣୁଥିଲେ । କଳିଙ୍ଗ ନଗରର ଚେଦୀ ବଂଶୀୟ ସେ ଜଣେ ସାମନ୍ତ-ପୁତ୍ର । ରୂପରେ, ବିଦ୍ୟାରେ, ସମର କୁଶଳତାରେ କେହି ତାଙ୍କର ସମକକ୍ଷ ନ ଥିଲେ । ପନ୍ଦର ବର୍ଷ ବୟସ ବେଳକୁ ସେ ଲେଖ, ରୂପ, ଗଣନ, ବ୍ୟବହାର ଓ ବିଧି ପ୍ରଭୃତି ବିଦ୍ୟାରେ ପାରଙ୍ଗମ ହୋଇ ସାଥିଲେ । ତାଙ୍କ ନାମ ଖାରବେଳ ।

ଜନତାର ଦାସତ୍ୱ ଓ କ୍ଳୀବତ୍ୱ ନିପୀଡ଼ିତ ଅଟ୍ଟହାସ୍ୟ ନିରବ ହେଲା ପରେ, ସେ ଉଠି ଠିଆ ହେଲେ । (ତାଙ୍କ ପ୍ରଶସ୍ତ କପାଳେ, ଖଣ୍ଡାଧାର ପରି ଋଜୁ ନାସିକାରେ, ପୁଣି କୃଷ୍ଣ ଭ୍ରୁଲତା ତଳେ ବୃଦ୍ଧି ଦୀପ୍ତ ଦୁଇ ଆଖିରେ କଳିଙ୍ଗ ଆକାଶରେ ଏକ ନୂତନ ସୂର୍ଯ୍ୟ ଯେପରି ନୈରାଶ୍ୟ ଓ ଜଡ଼ତାର ଅନ୍ଧକାର କାଟି ଚେଇଁ ଉଠିଲା ।

ଖାରବେଳ କହିଲେ, “ଆପଣମାନେ ଏଣୁ ନମସ୍ୟ କିନ୍ତୁ ବାର୍ଦ୍ଧକ୍ୟରେ ଆପଣମାନଙ୍କର କେବଳ ଦେହର ବଳ ଭାଙ୍ଗି ନାହିଁ, ମନର ବଳ ମଧ୍ୟ ଭାଙ୍ଗି ପଡ଼ିଛି । ଆପଣମାନେ ପଛରେ ରହି ଆମକୁ ଆଶୀର୍ବାଦ ଦିଅନ୍ତି । ଆମେ ଆଜି ବାହାରୁଛୁ । ସର୍ବକ୍ଷତ୍ରାନ୍ତକ ମହାପଦ୍ମନନ୍ଦଙ୍କଠାରୁ ଅଶୋକଙ୍କ ପର୍ଯ୍ୟନ୍ତ ମଗଧ, କଳିଙ୍ଗ ଉପରେ ଯେଉଁ ଅତ୍ୟାଚାର କରି ଆସିଛି । କଳିଙ୍ଗକୁ ତା’ର ପ୍ରତିଶୋଧ ନେବା ପାଇଁ ପଡ଼ିବ । ଆଜି ସେଥିପାଇଁ ସୁଯୋଗ ଆସି ପହଞ୍ଚିଛି । ଏତେବେଳେ ଆପଣମାନେ ଉତ୍ସାହ ଦିଅନ୍ତୁ- କଳିଙ୍ଗର ଲଲାଟରୁ ଦାସତ୍ୱର କଳଙ୍କ ଲିଭିଯାଉ ।”

ଖାରବେଳଙ୍କ କଥା ଶୁଣି ଗଣସଭା ଏକ ନୂତନ ଉତ୍ତେଜନା ଓ ନୂତନ ବିକ୍ରମରେ ମାତି ଉଠିଲା । ଜୟ ଖାରବେଳଙ୍କର ଜୟ, ଜୟ କଳିଙ୍ଗର ଜୟ ନାଦରେ କଳିଙ୍ଗ ନଗରର ଗଣସଭା ଭବନ ମୁଖରିତ ହୋଇ ପଡ଼ିଲା । ସେହିଦିନ ସର୍ବସମ୍ମତିକ୍ରମେ କଳିଙ୍ଗର ନବୀନ ଅଭ୍ୟୁଦୟ ଓ ନବୀନ ଜାଗରଣରେ ଖାରବେଳ ନେତା ରୂପରେ ଅଭିଷିକ୍ତ ହେଲେ ।

ତା’ର ତିନି ବର୍ଷ ପରେ. . . ।

କଳିଙ୍ଗ ନଗରର ଘରେ ଘରେ, ଭଲ କରି ସକାଳ ନ ହେଉଣୁ କୁଳବଧୂମାନେ ପୂର୍ଣ୍ଣକୁମ୍ଭ ଓ ତୋରଣ ବସାଇ ଅଛନ୍ତି । ଆଜି ମହାମେଘବାହନ ଖାରବେଳ ଦକ୍ଷିଣାପଥ ଅଭିମୁଖରେ ବିଜୟ ଅଭିଯାନରେ ବାହାରିବେ । କଳିଙ୍ଗର ଚାରିଆଡୁ ପାଇକମାନେ ଆସି କଳିଙ୍ଗନଗରରେ ଠୁଳ ହୋଇଅଛନ୍ତି । କଳିଙ୍ଗ ନଗରର ଦୁର୍ଗ ପ୍ରାଚୀର-ଚୂଡ଼ାରେ ସକାଳର ଖରା ପଡ଼ିବା ସଙ୍ଗେ ସଙ୍ଗେ, ମାଦଳ, ଭେରୀ, ତୂରୀ ଓ କାହାଳୀର ଶବ୍ଦରେ ଚାରିଆଡ଼ କମ୍ପି ଉଠିଲା । କଳିଙ୍ଗ ନଗରର ପାଇକମାନେ ରାଜପଥ ଦୁଇ କଡ଼େ ଆସି ଠିଆ ହୋଇଗଲେ । ପାଇକବଧୂମାନଙ୍କର ହୁଳହୁଳି ଯୁଦ୍ଧବାଦ୍ୟର ଶବ୍ଦକୁ ସୁଦ୍ଧା ବୁଡ଼ାଇ ଦେଲା । ବୃଦ୍ଧ ପିତା ବିଦାୟୋନ୍ମୁଖ ପୁତ୍ରକୁ ପାଦତଳୁ ଉଠାଇ ଆଣି ତା’ ମୁଣ୍ଡରେ ସ୍ନେହ ଓ ଆଶୀର୍ବାଦରେ ହାତ ବୁଲାଇ ଆଣିଲେ । ଜନନୀ ଗୋଟିଏ ହାତରେ ଆଖିରୁ ଲୁହ ପୋଛି ଆର ହାତରେ ପୁତ୍ରର କପାଳରେ ସିନ୍ଦୂରର ଟୀକା ପିନ୍ଧାଇ ଦେଲେ । . . . କ୍ରମେ ଦେଖାଗଲା, ହସ୍ତୀପୃଷ୍ଠରେ ଆସୀନ ଗଜବାହିନୀ । ଗଜବାହିନୀ ପଛରେ ଏକ ସୁସଜ୍ଜିତ ରଥ ଉପରେ ମହାମେଘବାହନ ଖାରବେଳେ । ଶିରସ୍ତ୍ରାଣର ମଣିମୁକ୍ତା ଉପରେ ସୂର୍ଯ୍ୟର ଆଲୋକ, ଶତ ଶତ ସୂର୍ଯ୍ୟର ଦ୍ୟୁତିରେ ଝଲମଲ ହୋଇ ଉଠୁଛି । ଖାରବେଳଙ୍କ ଦୁଇ ପାଖରେ ସେନାପତିମାନେ ଅଶ୍ୱପୃଷ୍ଠରେ ଆସୁଛନ୍ତି ଯୁଦ୍ଧବେଶରେ ସଜ୍ଜିତ ହୋଇ । ଅଶ୍ୱବାହିନୀ ପଛରେ ଆସୁଛନ୍ତି ପାଞ୍ଚଲକ୍ଷ ପଦାତିକ ସୈନ୍ୟବାହିନୀ ଢାଲ, ତରବାରୀ, ଧନୁ, ତୀର ଓ ତୂଣୀରରେ ସଜ୍ଜିତ ହୋଇ ।

ଜନନୀ ପୁତ୍ରକୁ ବିଦାୟ ଦେଇ କହିଲେ. . . “ଧର୍ମର ଜୟ ହେଉ ।” କୁଳବଧୂ ସ୍ୱାମୀଙ୍କୁ ବିଦାୟ ଦେଇ କହିଲେ. . .”ପ୍ରାଣ ଯାଉ ପଛେ ମାନ ଦେବ ନାହିଁ ।” ପିତା ପୁତ୍ରକୁ ସ୍ନେହାଶୀଷ ଦେଇ କହିଲେ. . . “କଳିଙ୍ଗର ଜୟ ହେଉ ।”

. . . ଏ ଯୁଦ୍ଧଯାତ୍ରା, ଏ ଉନ୍ମାଦନା, ମୁକ୍ତିର ଆକାଙ୍କ୍ଷାର ଏ ପ୍ରଚଣ୍ଡ ପ୍ରକାଶ କଳିଙ୍ଗ ନଗର କେବେ ଦେଖି ନ ଥିଲା ।

ସେ ବର୍ଷ ସାତବାହନ ଆନ୍ଧ୍ରରାଜା ଶ୍ରୀ ସାତକଣ୍ଣୀ ଓ କୃଷ୍ଣାକୂଳର ମୁଷିକ୍ମାନଙ୍କୁ ପରାସ୍ତ କରି ଖାରବେଳ କଳିଙ୍ଗ ନଗର ଫେରିଆସିଲେ । ତା’ ପରବର୍ଷ ପୁଣି କଳିଙ୍ଗର ଅଭିଯାନ ଆରମ୍ଭ ହେଲା ମଧ୍ୟଦେଶର ରାଷ୍ଟ୍ରିକ ଓ ଭୋଜିକମାନଙ୍କ ବିରୁଦ୍ଧରେ । ରାଷ୍ଟ୍ରିକ ଓ ଭୋଜିକମାନେ ମଧ୍ୟ ପରାସ୍ତ ହୋଇ କଳିଙ୍ଗର ଆଧିପତ୍ୟ ସ୍ୱୀକାର କଲେ । ଏହା ପରେ ମହାମେଘବାହନ ଖାରବେଳ କଳିଙ୍ଗ ନଗରରେ ଏକ ରାଜସୂୟ ଯଜ୍ଞ ଆରମ୍ଭ କଲେ, କଳିଙ୍ଗର ଅଦ୍ଭୁଦୟ ବିଶ୍ୱରେ ଘୋଷଣା କରିବା ପାଇଁ । ଏ ରାଜସୂୟ ଯଜ୍ଞକୁ ଆସିଲେ ଦକ୍ଷିଣାପଥ ଓ ମଧ୍ୟଦେଶର ବିଜିତ ରାଜାମାନେ, ନବଜାଗ୍ରତ କଳିଙ୍ଗକୁ ଅଭିନନ୍ଦନ ଜଣାଇବା ପାଇଁ । ଏଥର କଳିଙ୍ଗ ନିରାପଦ । ଏହାପରେ ଉତ୍ତରାପଥ ଆକ୍ରମଣ କରି, ମଗଧ ଜୟ କରିବାର ପଥ ନିଷ୍କଣ୍ଟକ ହୋଇଗଲା ।

ରାଜତ୍ୱର ଅଷ୍ଟମ ବର୍ଷରେ ଖାରବେଳ ମଗଧ ବିରୁଦ୍ଧରେ ଆରମ୍ଭ କଲେ କଳିଙ୍ଗର ବହୁ ବାଞ୍ଛିତ ଅଭିଯାନ । ମଗଧ ସାମ୍ରାଜ୍ୟର ଦ୍ୱାର ପ୍ରଦେଶ ଗୋରଥଗିରିଠାରେ ଏକ ଭୀଷଣ ଯୁଦ୍ଧ ହେଲା । ସେଥିରେ ଝଡ଼ ମୁହଁରେ ଶୁଖିଲା ପତ୍ରପରି ମଗଧବାହିନୀ କେଉଁଆଡ଼େ ଯେ ଉଡ଼ିଗଲେ ତା’ର ପତ୍ତା ରହିଲା ନାହିଁ । ଗୋରଥଗିରି ପରେ ରାଜଗୃହ ମଧ୍ୟ କଳିଙ୍ଗ ସେନା ଆଗରେ ତିଷ୍ଠିପାରିଲା ନାହିଁ । ରାଜଗୃହ ଜୟ କରିବା ପରେ ଖାରବେଳ ବାହାରିଲେ ପାଟଳୀପୁତ ଅଭିମୁଖରେ ।

ପାଟଳୀପୁତ୍ରର ଭାଗ୍ୟାକାଶରେ ସେ ଏକ ନୀରନ୍ଧ୍ର ଅନ୍ଧକାର ରାତ୍ରି । ପାଟଳୀପୁତ୍ର ଉପକଣ୍ଠରେ ଖାରବେଳ ଶିବିର ପକାଇ, ଆକ୍ରମଣ ପ୍ରତୀକ୍ଷାରେ ଅପେକ୍ଷା କରି ରହିଛନ୍ତି । ତେଣେ ଡିମିଟ୍ରିୟମ୍ ଗ୍ରୀକ୍-ସୈନ୍ୟବାହନୀ ଧରି ଜଗି ବସିଛନ୍ତି ପାଟଳୀପୁତ୍ର ଅଧିକାର ପାଇଁ । ବୃହସ୍ପତିମିତ୍ର ପାଟଳୀଦୁର୍ଗ ଭିତରେ ବନ୍ଦୀପରି ଚରମ ମୁହୂର୍ତ୍ତର ଅପେକ୍ଷାରେ ପଡ଼ି ରହିଛନ୍ତି ।

ଜଣେ ସେନାପତି, ବୃହସ୍ପତିମିତ୍ରଙ୍କୁ ସମ୍ୱାଦ ଦେଲେ. . . ମହାମେଘବାହନ ଖାରବେଳ ଆପଣଙ୍କ ସହିତ ସାକ୍ଷାତ୍ ପାଇଁ ଦୁର୍ଗ ବାହାରେ ଅପେକ୍ଷା କରିଛନ୍ତି ।

କିଏ ମହାମେଘବାହୁନ ଭାରତ-ବିଜୟୀ ଖାରବେଳ । ସେ ତ ଆଦେଶ ଦେଇ ପାରିଥାନ୍ତେ, ଆଉ ବୃହସ୍ପତିମିତ୍ର ଆସିଥାନ୍ତେ ନତମସ୍ତକରେ ଆଦେଶ ଶିରୋଧାର୍ଯ୍ୟ କରି । ପୁଷ୍ପମିତ୍ର କହିଲେ. . . “ତାହାକୁ ସମ୍ମାନେ ଏଠାକୁ ଘେନିଆସ । ମୁଁ ଜାଣେ ସେ ଆସିଛନ୍ତି ମୋତେ ବନ୍ଦୀ କରିବା ପାଇଁ । ତାଙ୍କୁ ପ୍ରତିରୋଧ କରିବାର ଶକ୍ତି ଆଜି ମଗଧର ନାହିଁ ।”

ଖାରବେଳ ବୃହସ୍ପତିମିତ୍ରଙ୍କ କକ୍ଷରେ ପ୍ରବେଶ କଲାମାତ୍ରେ ବୃହସ୍ପତିମିତ୍ର ମଗଧର ରାଜମୁକୁଟ ଖାରବେଳଙ୍କ ପାଦତଳେ ସମର୍ପଣ କରି କହିଲେ- “ମୁଁ ଜଣେ ମହାପଦ୍ମନନ୍ଦଙ୍କଠାରୁ ଆଶୋକଙ୍କ ପର୍ଯ୍ୟନ୍ତ ମଗଧର ସବୁ ଅବିଚାର ସବୁ ଅତ୍ୟାଚାରର ପ୍ରତିଶୋଧ ପାଇଁ ଆପଣ ଆଜି ମଗଧ ଅଭିଯାନରେ ଆସିଛନ୍ତି । ମଗଧ ହାରିଛି, କଳିଙ୍ଗ ଜିଣିଛି । ମତେ ଆପଣ ଆଜି ବନ୍ଦୀ କରିପାରନ୍ତି ।”

ଖାରବେଳ ସ୍ମିତ ହସି କହିଲେ, “. . . ମଗଧରାଜ, କଳିଙ୍ଗ ଏଡ଼େ ନୀଚ, ସୁବିଧାବାଦୀ ଓ ଦୁର୍ବଳ ନୁହେଁ ଯେ ଆଜି ଡିମିଟ୍ରିୟସ୍ର ସୁଯୋଗ ନେଇ କଳିଙ୍ଗ ମଗଧ ଆକ୍ରମଣ କରିବ ।”

ତା’ପରେ ବୃହସ୍ପତିମିତ୍ରଙ୍କ ମୁଣ୍ଡରେ ରାଜମୁକୁଟ ପିନ୍ଧାଇ ପୁଣି ତାଙ୍କ ହାତରେ ନିଜର ତରବାରୀ ଦେଇ ଖାରବେଳ କହିଲେ. . . “ଭାରତର ଶତ୍ରୁ ଆଜି ଗ୍ରୀକ୍ ଡିମିଟ୍ରିୟସ୍ ଭାରତରେ ପୁଣି ସେ ଗ୍ରୀକ୍ ସାମାଜ୍ୟ ପ୍ରତିଷ୍ଠାର ସ୍ୱପ୍ନ ଦେଖୁଛି । ଭାରତର ସ୍ୱାଧୀନତା, ଭାରତର ମାନ ଠାରୁ, କଳିଙ୍ଗର ମାନ, ଅପମାନ ବଡ଼ ନୁହେଁ । ଭାରତର ସ୍ୱାର୍ଥ ପାଇଁ କଳିଙ୍ଗ ଅକାତରେ ଆତ୍ମଦାନ କରିପାରେ । ଆପଣ ନିଶ୍ଚିନ୍ତ ରୁହନ୍ତୁ ମଗଧରାଜ, ଡିମିଟ୍ରିୟସ୍କୁ ଭାରତଭୂମିରୁ ଦୂର ନ କରିବା ପର୍ଯ୍ୟନ୍ତ କଳିଙ୍ଗ ମଗଧ ଆକ୍ରମଣ କରିବ ନାହିଁ ।”

ବିସ୍ମୟରେ ବୃହସ୍ପତିମିତ୍ର ହତ୍‌ବାକ୍ ହୋଇଗଲେ ।

xxxxxx

ସେଥର ଡିମିଟ୍ରିୟସ୍କୁ ପରାସ୍ତ କରି ଗ୍ରୀକ୍ ଆକ୍ରମଣରୁ ଉତ୍ତର ଭାରତକୁ ସମ୍ପୂର୍ଣ୍ଣ ନିରାପଦ ରଖି, ଖାରବେଳ କଳିଙ୍ଗ ଫେରି ଆସିଲେ । ତା’ର ପୁଣି ତିନି ବର୍ଷ ପରେ ଖାରବେଳ ମଗଧ ଅଭିଯାନରେ ବୃହସ୍ପତିମିତ୍ରଙ୍କୁ ସମ୍ପୂର୍ଣ୍ଣ ରୂପେ ପରାସ୍ତ କରିଥିଲେ । ବହୁ ବର୍ଷ ପୂର୍ବେ ମଗଧରାଜ ମହାପଦନ୍ମନନ୍ଦ କଳିଙ୍ଗ ଇଷ୍ଟ ଦେବ ମଗଧ ବିଜୟ ପରେ କଳିଙ୍ଗର ସେହି ଇଷ୍ଟ ଦେବ କଳିଙ୍ଗ ଜିନଙ୍କୁ କଳିଙ୍ଗ ଫେରାଇ ଆଣି ଖଣ୍ଡଗିରିର ଏକ ଗୁହା ମନ୍ଦିରରେ ପୁଣି ପ୍ରତିଷ୍ଠିତ କରାଇଥିଲେ । କଳିଙ୍ଗର ଇତିହାସରେ ସେ ଆଉ ଗୋଟିଏ ଦିନ । ସେ ଦିନ ଯେପରି କି କୁରୁସଭା ତଳେ ଲାଞ୍ଛିତା ଦ୍ରୌପଦୀର ପୁଣି ଥରେ ବେଶୀ ବନ୍ଧନ ହୋଇଥିଲା । ମଞ୍ଚପୁରୀ ଗୁହାରେ ଆଜି ସୁଦ୍ଧ କଳିଙ୍ଗ ଜିନଙ୍କ ସେହି ପବିତ୍ର ପୀଠ ରହିଛି । ସେ ପୀଠ ଦେହରେ କଳିଙ୍ଗ ଜିନଙ୍କ ମୂର୍ତ୍ତି ସହିତ ଖାରବେଳଙ୍କ କଳିଙ୍ଗ ପ୍ରତ୍ୟାବର୍ତ୍ତନର ଚିତ୍ର ଆଜି ସୁଦ୍ଧ ଉତ୍କୀର୍ଣ୍ଣ ହୋଇ ରହିଅଛି । କଳିଙ୍ଗ ଜନିଙ୍କ ପ୍ରତ୍ୟାବର୍ତ୍ତନର ଚିତ୍ର ଆଜି ସୁଦ୍ଧା କଳିଙ୍ଗର ମର୍ମବାଣୀ ପ୍ରଚ୍ଛନ୍ନ ହୋଇ ରହିଅଛି । . . . ବିଶ୍ୱର କଲ୍ୟାଣ ପାଇଁ ଯେଉଁ କଳିଙ୍ଗ ଆତ୍ମଦାନ ଦେଇପାରେ, ସେ କଳିଙ୍ଗର ମୃତ୍ୟୁ ନାହିଁ । ଶତ ଲାଞ୍ଛନା ଓ ପରାଜୟ ଭିତରେ ସୁଦ୍ଧା ସେ କଳିଙ୍ଗର ଅଭ୍ୟୁଦୟ ହେବ ।

ତୁମେ କେବେ ଚେଷ୍ଟା କଲ, ଖଣ୍ଡଗିରିର ନିର୍ଜନ ଗୁହା ଭିତରେ ଏହାର ପ୍ରତିଧ୍ୱନି ହୁଏତ ଶୁଣି ପାରିବ ।

xxxxxx

ଲେଖକ ପରିଚୟ :-

ନାମ:- ସୁରେନ୍ଦ୍ର ମହାନ୍ତି (୧୯୨୦-୧୯୯୦) । ଠିକଣା:- ପୁରୁଷୋତ୍ତମପୁର, କଟକ ।

ଆଧୁନିକ ଯୁଗର ବିଶିଷ୍ଠ କଥା ଶିଳ୍ପୀ । ପ୍ରାବନ୍ଧିକ ଓ ସମାଲୋଚକ ଭାବେ ମଧ୍ୟ ସେ ଯଶସ୍ୱୀ । ସାମ୍ୱାଦିକ ଓ ସମାଜସେବୀ ରାଜନୀତିଜ୍ଞ ଭାବରେ ସେ କର୍ମଜୀବନ ଅତିବାହିତ କରିଥିଲେ । ନୀଳଶୈଳ, ଅନ୍ଧଦିଗନ୍ତ, କୃଷ୍ଣାବେଣୀରେ ସନ୍ଧ୍ୟା ପ୍ରଭୃତି ଉପନ୍ୟାସ, କୃଷ୍ଣଚୂଡ଼ା, ସବୁଜପତ୍ର, ଧୂସର ଗୋଲାପ, ମରାଳର ମୃତ୍ୟୁ, ମହାନିର୍ବାଣ ଓ କାଲକାଟା, ଦୁଇ ସୀମାନ୍ତ ଆଦି ଗଳ୍ପଗ୍ରନ୍ଥ, ଫକୀରମୋହନ ସମୀକ୍ଷା, ଓଡ଼ିଆ ସାହିତ୍ୟର ଆଦି – ପର୍ବ ଓ ମଧ୍ୟ – ପର୍ବ ପ୍ରଭତି ସାହିତ୍ୟ-ସମାଲୋଚନା ତାଙ୍କର ଉଲ୍ଲେଖଯୋଗ୍ୟ କୃତି । ନାଟକୀୟତା ଏବଂ ବ୍ୟଞ୍ଜନାତ୍ମକ ଭାଷାବିନ୍ୟାସ ତାଙ୍କର ରଚନାକୁ ବୈଶିଷ୍ଟ୍ୟ – ସମ୍ପନ୍ନ ଓ ମନୋଜ୍ଞ କରିଅଛି । ଏହି ରଚନାଟି ଲେଖକଙ୍କର ଉତ୍କଳ ଯୁଗେ ଯୁଗେ ଗ୍ରନ୍ଥରୁ ଗୃହୀତ । ଏଥିରେ ଐତିହାସିକ ଘଟଣାକୁ ଉପଜୀବ୍ୟ କରି ଖାରବେଳଙ୍କ ଶୌର୍ଯ୍ୟ, ବୀର୍ଯ୍ୟ ଓ ପୌରୁଷ ସହିତ କଳିଙ୍ଗର ଆଦର୍ଶ ତଥା ଉନ୍ନତ ଚିନ୍ତାଧାରା ଉପସ୍ଥାପିତ ।

ଲୋକପ୍ରିୟ ଲେଖା

To Top