ପ୍ରବନ୍ଧ

କଳୁଷିତ ବାତାବରଣ

Dr Chhayakanta Sarangi's Odia Prose KALUSHITA BAATABARANA

ଭାଣ୍ଡର ଅଭିନୟରେ ମୁଗ୍ଧ ହୋଇ ରାଜା ପ୍ରବଳ ହସିଲେ । ସେହି ହସର ପ୍ରଭାବରେ ରାଜାଙ୍କ ରକା ଭଲ ହୋଇଗଲା । ରାଜା ଆଦେଶ ଦେଲେ, ଆଜିଠୁ ସେହି ଭାଣ୍ଡ ହେବ ରାଜ୍ୟର ମୁଖ୍ୟ ଡାକ୍ତର ।

କଳୁଷିତ ବାତାବରଣ

ଆଜି ସମ୍ପତ୍ତି ଠୁଳ କରିବାର ଦୁର୍ବାର ପ୍ରଲୋଭନରେ କେତେକ ବ୍ୟବସାୟୀ ଭେଜାଲ୍ ଔଷଧ ତିଆରି କରି ଓ ବିକ୍ରି କରି ମୃତ୍ୟୁର ବଣିକ ସାଜିଛନ୍ତି । ଅବଶ୍ୟ ଏବେ ସେମାନେ ଧରା ପଡ଼ିଛନ୍ତି । ମାତ୍ର ପରବର୍ତ୍ତୀ ସମୟରେ ଏମାନେ ନ୍ୟାୟାଳୟକୁ ଯିବେ । ପ୍ରମାଣକୁ ଧ୍ୱଂସ କରିଦେଇପାରିଲେ ନିର୍ଦ୍ଦୋଷରେ ଖଲାସ ହୋଇଯିବେ ବା ପ୍ରମାଣ ମିଳିଲେ ସ୍ୱଳ୍ପ ସମୟ ପାଇଁ ଜେଲଦଣ୍ଡ ଭୋଗିବେ । ପୁଣି କଳଙ୍କମୁକ୍ତ ହୋଇ ସମାଜରେ ଜୀବନଯାପନ କରିବେ । ଏହି ଭେଜାଲ୍ ଔଷଧ ନିର୍ମାତା ମୃତ୍ୟୁର ସୌଦାଗରଙ୍କ କାର୍ଯ୍ୟ ମନେପକାଇ ଦିଏ । ଆମେରିକାର ପ୍ରଖ୍ୟାତ ନାଟ୍ୟକାର ଇବ୍‌ସେନ୍‌ଙ୍କ ଏକ ନାଟକ ସମସ୍ତେ ମୋର ପୁଅ । ଜୋ କେଲର୍ ଥିଲେ ଜଣେ ଶିଳ୍ପପତି । ତାଙ୍କର କାରଖାନାରେ ତିଆରି ହେଉଥିଲା ଯୁଦ୍ଧ ବିମାନରେ ବ୍ୟବହୃତ ହେଉଥିବା ସିଲିଣ୍ଡରର ଶୀର୍ଷାଂଶ । ଯୁଦ୍ଧ ଚାଲିଥାଏ । ଜୋ କେଲର୍ ଯୁଦ୍ଧ ବିମାନ ପାଇଁ ସିଲିଣ୍ଡର୍ ଯୋଗାଇବା ପାଇଁ ଚୁକ୍ତିବଦ୍ଧ ଥିଲେ । ସିଲିଣ୍ଡର ନିର୍ମାଣ ହେଲା । ମାତ୍ର ସମସ୍ତ ସିଲିଣ୍ଡର ଶୀର୍ଷାଂଶ ତ୍ରୁଟିଯୁକ୍ତ ଥିବା ଜଣାପଡ଼ିଲା । ସେସବୁ ଯୁଦ୍ଧ ବିମାନରେ ବ୍ୟବହୃତ ହେଲେ ଦୁର୍ଘଟଣା ଘଟିବାର ସମ୍ଭାବନା ଥିଲା । ତଥାପି ଜୋ କେଲର୍ ସେହି ତ୍ରୁଟିଯୁକ୍ତ ଯନ୍ତ୍ରାଂଶକୁ ବିକ୍ରି କଲେ, କାରଣ ତାହା ବିକ୍ରି କରି ନ ଥିଲେ ତାଙ୍କର ପ୍ରଭୂତ କ୍ଷତି ହୋଇଥାନ୍ତା । ସେହି ତ୍ରୁଟିଯୁକ୍ତ ସିଲିଣ୍ଡର୍ ଶୀର୍ଷାଂଶ ଯୁଦ୍ଧବିମାନରେ ବ୍ୟବହୃତ ହେଲା ଓ ବିମାନଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହେଲା । ଫଳରେ ୨୧ଜଣ ବୈମାନିକ ପ୍ରାଣ ହରାଇଲେ । ସେମାନଙ୍କ ମଧ୍ୟରେ ଥିଲେ ଜୋ କେଲର୍‌ଙ୍କ ପୁଅ ଲାରୀ । ଜୋ କେଲର୍ ଭାବୁଥିଲେ ଯେ ସେ ଯାହା କରୁଛନ୍ତି, ତାଙ୍କ ପରିବାରର ଉନ୍ନତି ପାଇଁ । ମାତ୍ର ତାଙ୍କର ଅନ୍ୟତମ ପୁଅ କ୍ରିସ୍ କେଲର୍ ତାଙ୍କୁ ସମର୍ଥନ କଲେ ନାହିଁ । ସେ ଚାହିଁଲେ ଜୋ କେଲର୍ ତାଙ୍କ କୃତକର୍ମ ପାଇଁ ଜେଲ୍ ଯାଆନ୍ତୁ । ପରିଶେଷରେ ଜୋ କେଲର୍ ଅନୁତାପ କରିଛନ୍ତି । ତାଙ୍କର ଅନ୍ତର୍ଦାହ ହୋଇଛି ଓ ଶେଷରେ ସେ ସ୍ୱୀକାର କରିଛନ୍ତି ଯେ, “କେବଳ ଲାରୀ ନୁହଁନ୍ତି, ଯୁଦ୍ଧବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୧ଜଣଯାକ ବୈମାନିକ ସମସ୍ତେ ତାଙ୍କର ପୁଅ ।” ତା’ପରେ ସେ ପଶ୍ଚାତ୍ତାପ କରି ଆତ୍ମହତ୍ୟା କରିଛନ୍ତି । ଆଜି ତିଆରି ହୋଇଥିବା ଭେଜାଲ୍ ଔଷଧ ଖାଇ ଶହ ଶହ ରୋଗୀ ପ୍ରାଣ ହରାଇ ସାରିଲେଣି । ଦେଖିବାକୁ ବାକି ରହିଲା ଏହି ଗଣ ମୃତ୍ୟୁ ପାଇଁ ଦାୟୀ ହୋଇଥିବା ଭେଜାଲ୍ ଔଷଧ ନିର୍ମାତାମାନଙ୍କର ଅନ୍ତର୍ଦାହ ହେଉଛି କି ନାହିଁ ? ଏହି ଗଣହତ୍ୟାରେ ଭେଜାଲ୍ ଔଷଧ ନିର୍ମାତାଙ୍କ ସହ ସାମିଲ୍ ଅଛନ୍ତି ଔଷଧ ନିରୀକ୍ଷକମାନେ, କାରଣ ସେମାନେ ସେମାନଙ୍କର କର୍ତ୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରିଥିଲେ ଏହି ଦୁଃଖଦ ଘଟଣା ଘଟି ନଥାନ୍ତା । ଔଷଧ ନିରୀକ୍ଷକଙ୍କ ସହିତ ଖୁଚୁରା ଔଷଧ ବିକ୍ରେତା ମଧ୍ୟ ସମପରିମାଣରେ ଦାୟୀ । ଏମାନେ କମ୍ ଦାମ୍‌ରେ ଔଷଧ କିଣି ଉଚ୍ଚ ଦରରେ ଔଷଧ ବିକ୍ରୟ କରୁଥିଲେ । ଏଣୁ ସେହି ଭେଜାଲ୍ ଔଷଧ ସମ୍ପର୍କରେ ସେମାନେ ଅବଗତ ଥିବା ଏଡ଼ାଇ ଦିଆଯାଇ ନପାରେ ।

ଆଜି ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତିର ଚେର ଲମ୍ୱିଛି । ଦୁର୍ଭାଗ୍ୟର ବିଷୟ ଯେ ଜୀବନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଶିକ୍ଷା ଓ ସ୍ୱାସ୍ଥ୍ୟ ଏହି ଦୁର୍ନୀତି ବ୍ୟାଧିରେ ପୀଡ଼ିତ । ଭେଜାଲ୍ ଔଷଧ ଭଳି ପରୀକ୍ଷାର ଭେଜାଲ୍ ମାର୍କସିଟ୍ ପ୍ରସ୍ତୁତ ପଛରେ ରହିଛି ରାଜନୈତିକ ପ୍ରଭାବ ଓ ଅର୍ଥଲିପ୍ସା । ସମସ୍ତେ ଚାହୁଁଛନ୍ତି ଅପର୍ଯ୍ୟାପ୍ତ ଅର୍ଥ ରୋଜଗାର କରି ବିଳାସ ସମୟ ଜୀବନଯାପନ କରିବେ । ନିଜର ପ୍ରାପ୍ୟ ବାହାରେ ଅଧିକ ଅର୍ଥ କିପରି ମିଳିବ, ସେଥିପାଇଁ ସମସ୍ତେ ଚେଷ୍ଟିତ । ଏଣୁ ପ୍ରତ୍ୟେକ ସରକାରୀ ଅଫିସ୍‌ରେ କର୍ମଚାରୀ ଓ ଅଧିକାରୀମାନେ କଳାକୁ ଧଳା କରି ଲାଞ୍ଚ ନେଇ ନିଜକୁ ପରିପୁଷ୍ଟ କରୁଛନ୍ତି । ବେଳେବେଳେ ଦୁର୍ବଳ ନେତୃତ୍ୱ ଓ ଦୁର୍ବଳ ଶାସନ ଏହି ଦୁର୍ନୀତିକୁ ପ୍ରଶ୍ରୟ ଦେଇଥାଏ । ଅନେକ ସମୟରେ ରାଜନୀତିରେ ଜ୍ଞାନ ନଥିବା ବ୍ୟକ୍ତି ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ହୋଇ ଶାସନ ଡୋରି ଧରୁଛନ୍ତି । ଆମ ଦେଶରେ ଜଣେ ଡାକୁଣୀ ବି ନିର୍ବାଚିତ ହୋଇ ସାଂସଦ ହୋଇଥିବାର ପ୍ରମାଣ ଅଛି । ରୂପେଲୀ ପରଦାରେ ଜନସାଧାରଣଙ୍କୁ ଆକର୍ଷିତ କରି ଜନପ୍ରିୟ ହୋଇଥିବା ଅନେକ ଚିତ୍ରତାରକା ମଧ୍ୟ ନିର୍ବାଚିତ ହେଉଛନ୍ତି । ନିର୍ବାଚିତ ହୋଇ ଶାସନ ଡୋରି ଧରିବା ପାଇଁ ରାଜନୀତି ଜ୍ଞାନର ଆବଶ୍ୟକତା ପଡୁ ନାହିଁ । ମନେପଡେ଼ ଅଣ୍ଟାରେ ରକା ରହିଥିବା ଜଣେ ରାଜାଙ୍କ କଥା । ଡାକ୍ତର ଔଷଧ ପ୍ରୟୋଗ କଲା ପରେ ମଧ୍ୟ ରାଜାଙ୍କ ରକା ଭଲ ହେଲା ନାହିଁ । ଦିନେ ରାତିରେ ସୁଆଙ୍ଗ ପରିବେଷଣ ହେଉଥାଏ । ଭାଣ୍ଡର ଅଭିନୟରେ ମୁଗ୍ଧ ହୋଇ ରାଜା ପ୍ରବଳ ହସିଲେ । ସେହି ହସର ପ୍ରଭାବରେ ରାଜାଙ୍କ ରକା ଭଲ ହୋଇଗଲା । ରାଜା ଆଦେଶ ଦେଲେ, ଆଜିଠୁ ସେହି ଭାଣ୍ଡ ହେବ ରାଜ୍ୟର ମୁଖ୍ୟ ଡାକ୍ତର । ଠିକ୍ ସେହିପରି ନିର୍ବାଚନରେ ବାହୁବଳ ଓ ଅର୍ଥବଳ ଦ୍ୱାରା ଅସଂଖ୍ୟ ଭୋଟ୍ ସଂଗ୍ରହ କରିପାରିବାର କ୍ଷମତା ଦେଖାଇ ପାରିଲେ ରାଜନୀତି ଜ୍ଞାନ ନ ଥିଲେ ମଧ୍ୟ ସେ ନିର୍ବାଚିତ ହୋଇପାରୁଛି ଓ ମନ୍ତ୍ରୀପଦ ମଧ୍ୟ ପାଇପାରୁଛି । ବହୁ ଅଯୋଗ୍ୟ ବ୍ୟକ୍ତି ରାଜନୀତିରେ ପ୍ରବେଶ କରିବା ଦ୍ୱାରା ରାଜନୈତିକ ବାତାବରଣ କଳୁଷିତ ହେଉଛି । ଏହି କଳୁଷିତ ବାତାବରଣରେ ସାଧୁମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି । ବାତାବରଣର ପ୍ରଭାବ କେତେ ଶକ୍ତିଶାଳୀ ହୋଇପାରେ, କଥାକାର ମନୋଜ ଦାସଙ୍କ ଦ୍ୱାରା ପରିବେଷିତ ନିମ୍ନଲିଖିତ କାହାଣୀ ପ୍ରଣିଧାନ୍ୟ ଯୋଗ୍ୟ ମନେହୁଏ ।

ଥରେ ଜଣେ ରାଜା ତାଙ୍କ ପ୍ରାସାଦରେ ଏକ ଶୃଗାଳ ବୁଲୁଥିବାର ସ୍ୱପ୍ନ ଦେଖି ବିବ୍ରତ ହୋଇପଡିଲେ । ସେ ଘୋଷଣା କଲେ ଯେ ଯିଏ ସେହି ସ୍ୱପ୍ନର ଠିକ୍ ବ୍ୟାଖ୍ୟା କରିବ, ତାକୁ ସେ ଏକଶତ ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ଦେବେ । ଗୋଟିଏ ଗଛତଳେ ବସିଥିବା ଯୁବକଟିଏ ଏହି ଘୋଷଣା ଶୁଣି ଚିନ୍ତା କଲା ସେ ଯଦି ଏହି ସ୍ୱପ୍ନର ଅର୍ଥ ଜାଣନ୍ତା ତା’ର ଦାରିଦ୍ର୍ୟ ଘୁଞ୍ଚିଯାନ୍ତା । ଗଛ ଉପରେ ବସିଥିଲା ଏକ ପକ୍ଷୀ । ପକ୍ଷୀଟି ଯୁବକଟିକୁ କହିଲା “ପୁରସ୍କାରର ଅର୍ଦ୍ଧେକ ତାକୁ ଦେଲେ ସେ ତାର ବ୍ୟାଖ୍ୟା କରିଦେବ ।” ଯୁବକଟି ରାଜି ହେବାରୁ ପକ୍ଷୀଟି କହିଲା- “ଶୃଗାଳ ବିଶ୍ୱାସଘାତକତାର ପ୍ରତୀକ । ଏଣୁ ରାଜାଙ୍କୁ କୁହ ସେ ସତର୍କ ହେବେ ।” ଯୁବକଟି ରାଜାଙ୍କ ପାଖକୁ ଯାଇ ସେଭଳି ବ୍ୟାଖ୍ୟା କଲା ଓ ଏକଶତ ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ପାଇଲା । ମାତ୍ର ସେଥିରୁ କିଛି ବି ସେ ପକ୍ଷୀକୁ ଦେଲା ନାହିଁ । କିଛିଦିନ ପରେ ରାଜା ପ୍ରାସାଦରେ ଏକ ରକ୍ତାକ୍ତ ଛୁରୀକୁ ଝୁଲୁଥିବାର ସ୍ୱପ୍ନ ଦେଖି ପୁଣି ବିବ୍ରତ ହେଲେ ଓ ସେହି ଯୁବକକୁ ତା’ର ବ୍ୟାଖ୍ୟା କରିବା ପାଇଁ ଡକାଇଲେ । ମାତ୍ର ତାହା ବ୍ୟାଖ୍ୟା କରିବାର ଜ୍ଞାନ ଯୁବକର ନଥିଲା । ପକ୍ଷୀକୁ ଅର୍ଦ୍ଧେକ ପୁରସ୍କାର ଦେଇ ନଥିବାରୁ ଅନୁତପ୍ତ ହେଲା ଓ ତା’ର ନିକଟକୁ ଯାଇ କ୍ଷମା ପ୍ରାର୍ଥନା କଲା । ଏଥର ସେ ଅର୍ଦ୍ଧେକ ପୁରସ୍କାର ଦେବ ବୋଲି ପ୍ରତିଜ୍ଞା କଲା ପରେ ପକ୍ଷୀଟି କହିଲା- “ରକ୍ତାକ୍ତ ଛୁରିକା ହେଉଛି ହିଂସାର ପ୍ରତୀକ । ଏବେ ରାଜ୍ୟରେ ହିଂସାର ବାତାବରଣ ଥିବାରୁ ରାଜା ସତର୍କ ହେବା ଉଚିତ୍ ।” ଯୁବକ ରାଜାଙ୍କ ଆଗରେ ଏଭଳି ବ୍ୟାଖ୍ୟା କରି ବିପୁଳ ପୁରସ୍କାର ପାଇଲା । ମାତ୍ର ସେ ଏତେ ଅର୍ଥ ପ୍ରଲୁବ୍ଧ ହୋଇ ପଡ଼ିଥିଲା ଯେ, ଏଥର ବି ସେ ପକ୍ଷୀକୁ ପୁରସ୍କାରର ଅର୍ଦ୍ଧାଂଶ ଦେବାକୁ ଚାହିଁଲା ନାହିଁ । କାଳେ ପକ୍ଷୀଟି ସବୁ କହିଦେବ ବୋଲି ଭାବି ତାକୁ ମାରିଦେବା ପାଇଁ ଏକ ଢେଲା ଫିଙ୍ଗିଲା । ଭାଗ୍ୟକୁ ପକ୍ଷୀଟି ବର୍ତ୍ତିଗଲା । ରାଜା ଆଉଥରେ ଏକ ସ୍ୱପ୍ନ ଦେଖିଲେ ଯେ ପ୍ରାସାଦରେ ଏକ ମେଷଶାବକ ବୁଲୁଛି । ତା’ର ବ୍ୟାଖ୍ୟା କରିବା ପାଇଁ ପୁଣି ରାଜା ସେହି ଯୁବକକୁ ଡାକିବାରୁ ଯୁବକଟି ଅସହାୟ ଅନୁଭବ କଲା । ଯେଉଁ ପକ୍ଷୀଟିକୁ ସେ ମାରିବା ପାଇଁ ଉଦ୍ୟତ ହୋଇଥିଲା, ତା’ ପାଖକୁ ଆଉ ଥରେ ଯିବା ପାଇଁ ତା’ର ସାହସ ହେଲା ନାହିଁ । କୌଣସି ଉପାୟ ନ ପାଇ ପୁଣି ପକ୍ଷୀ ପାଖରେ ପହଞ୍ଚି ତା’ର ଅପକର୍ମ ପାଇଁ କାନ୍ଦିବାକୁ ଲାଗିଲା । ପକ୍ଷୀଟି ଦୟାପରବଶ ହୋଇ କହିଲା- “ଯାଅ, ମେଷଶାବକ ଶାନ୍ତି ଓ ବିଶ୍ୱାସର ପ୍ରତୀକ । ଏବେ ରାଜ୍ୟରେ ଶାନ୍ତିର ବାତାବରଣ ଅଛି ବୋଲି ରାଜାଙ୍କୁ କୁହ ।” ଯୁବକଟି ରାଜାଙ୍କୁ ଏ ପ୍ରକାର ବ୍ୟାଖ୍ୟା ଦେଇ ପୁଣି ବିପୁଳ ପୁରସ୍କାର ପାଇଲା । ଏଥର ସେ ସମସ୍ତ ପୁରସ୍କାର ପକ୍ଷୀଟିକୁ ଦେଲା ଓ ତା’ର ଅତୀତର ବ୍ୟବହାର ପାଇଁ ଦୁଃଖ ପ୍ରକାଶ କଲା । ପକ୍ଷୀଟି କହିଲା- “ଦୋଷ ତୋର ନୁହେଁ, ଦୋଷ ବାତାବରଣର । ପ୍ରଥମଥର ବାତାବରଣରେ ବିଶ୍ୱାସଘାତକତା ଥିବାରୁ ତୁ ମୋ ପ୍ରତି ବିଶ୍ୱାସଘାତକତା କଲୁ । ଦ୍ୱିତୀୟଥର ହିଂସାର ବାତାବରଣ ଥିବାରୁ ତୁ ତା’ ଦ୍ୱାରା ପ୍ରଭାବିତ ହୋଇ ମୋ ପ୍ରତି ହିଂସାଚରଣ କଲୁ । ଶେଷଥର ବାତାବରଣରେ ଥିଲା ବିଶ୍ୱାସ ଓ ଶାନ୍ତି । ଏଣୁ ତୁ ମୋ ପ୍ରତି ବିଶ୍ୱସ୍ତ ହେଲୁ । କହିବାର ତାତ୍ପର୍ଯ୍ୟ ବାତାବରଣ କଳୁଷିତ ହେଲେ ତଦ୍ଦ୍ୱାରା ସମସ୍ତେ ପ୍ରଭାବିତ ହେବେ । ଏଣୁ ଆଜି ସାମାଜିକ ଓ ରାଜନୈତିକ ଜୀବନରେ ବାତାବରଣ କଳୁଷିତ ନ ହେଉ, କାରଣ ଏହାଦ୍ୱାରା ସମଗ୍ର ମାନବ ସମାଜ ପ୍ରଭାବିତ ହେବ ।”

ଲୋକପ୍ରିୟ ଲେଖା

To Top