ପ୍ରବନ୍ଧ

କର୍ଣ୍ଣ ପିଶାଚୀ ଯନ୍ତ୍ରର କବଳରେ ବିଶ୍ୱ

Nishikant Padhi's odia prose Karnna Pishachi Jantrara Kabalare Bishwa

ମୋବାଇଲକୁ ଏବେ ଗୋଟିଏ କର୍ଣ୍ଣ ପିଶାଚୀ ଯନ୍ତ୍ର କହିଲେ ମଧ୍ୟ କିଛି ଅସଙ୍ଗତ ହେବନାହିଁ ବୋଧେ ।

କର୍ଣ୍ଣ ପିଶାଚୀ ଯନ୍ତ୍ରର କବଳରେ ବିଶ୍ୱ

ଆମେ ଆଜି ବିଜ୍ଞାନ ଯୁଗରେ ବସବାସ କରୁଛେ । ଆଧୁନିକ ବିଜ୍ଞାନ ମଣିଷର ଜୀବନ ଯାତ୍ରାକୁ ଖୁବ୍ ସରଳ ଏବଂ ସହଜ କରିପକାଇଛି । ସାରାବିଶ୍ୱ ଆଜି ସଂକୁଚିତ ହେଲା ପରି ଲାଗୁଛି । ଆକାଶ, ପୃଥିବୀ, ନଦୀ, ସାଗର, ପାହାଡ, ପର୍ବତ ଓ ବନସ୍ପତିଙ୍କ ମଧ୍ୟରେ ମଣିଷର ସଂପର୍କକୁ ବିଜ୍ଞାନ ଦିନକୁ ଦିନ ସୁଦୃଢ କରିବାରେ ଲାଗିଛି । ତଥାପି ମଣିଷର ଆବଶ୍ୟକତାକୁ ନେଇ ବିଜ୍ଞାନ ଯାହାକିଛି ଦେଇଛି ମଣିଷ ବିଜ୍ଞାନର ଦୂରୁପଯୋଗ କରି ଦିନକୁ ଦିନ ନିଜର ଅଶେଷ କ୍ଷତିସାଧନ କରିଚାଲିଛି । ବିଜ୍ଞାନକୁ ଉପଯୋଗ କରି ପାଶ୍ଚାତ୍ୟ ରାଷ୍ଟ୍ରମାନେ ବିତ୍ତଶାଳୀ ହୋଇଉଠୁଥିବା ବେଳେ ଆମଦେଶ ତଥ ସମାଜରେ ବିଜ୍ଞାନର ନକାରାତ୍ମକ ପ୍ରଭାବକୁ ଆମେ ଆଜି ମର୍ମେ ମର୍ମେ ଅନୁଭବ କରୁଛୁ । ଅତୀତରେ ସାମାନ୍ୟ କାଲକୁଲେଟରକୁ ନେଇ ହିସାବ କିତାବ କରୁଥିବା ମଣିଷ ଆଜି କମ୍ପ୍ୟୁଟରର ସଫ୍ଟୱେର ଭିତରେ ହଜିଯାଇଛି । ଦିନଥିଲା କାହା ହାତରେ ମୋବାଇଲ ଫୋନଟିଏ ଦେଖିଲେ ଲୋକର ପ୍ରତିଷ୍ଠା ତଥା ଆଭିଜାତ୍ୟର ବାସ୍ନାକୁ ସହଜରେ ବାରି ହେଉଥିଲା । ଲୋକଟି ଧନୀ ବୋଲି ତଳ ପାହାଚର ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିଲା । ହେଲେ ଆଜି ସମସ୍ତଙ୍କ ହାତରେ ମୋବାଇଲ୍, ଅଫିସରଙ୍କଠାରୁ ଆରମ୍ଭକରି, ରିକ୍ସାବାଲା, ମାଛବାଲା, ପରିବା ବାଲା, ଜରିଗୋଟାଳି, ମେହେନ୍ତର, ପୂଜାପଣ୍ଡା, କାମବାଲି, ଧୋବା, ଶବବାହକଙ୍କ ହାତରେ ଆଜି ମୋବାଇଲ୍ ଫୋନ ମାନ ଦେଖିବାକୁ ମିଳୁଛି । ମୋବାଇଲ ଫୋନର ଉପଯୋଗୀତା ଆମ ସମସ୍ତଙ୍କର କର୍ମପ୍ରଣାଳୀକୁ ସହଜ କରିଦେଇଛି । ତତ୍ ସହିତ ମୋବାଇଲ୍ ଫୋନଗୁଡିକର ଆର୍ଥିକ ମୂଲ୍ୟ ମଧ୍ୟ ବହୁତ କମିଯାଇଛି । ଖୁବ୍ କମ୍ ଟଙ୍କାରେ ମଧ୍ୟ ଜଣେ ସାଧାରଣ ସ୍ତରର ମଣିଷର ହାତକୁ ମୋବାଇଲ ଫୋନଟିଏ ଆସିପାରୁଛି । ଏପରିକି ଅନେକ କର୍ମଜୀବି ଗାଧୋଇ ସାରିବା ପରେ ପ୍ରଥମେ ଠାକୁରଙ୍କୁ ଧୂପ ଦ୍ୱୀପ ଓ ନୈବେଦ୍ୟ ନ ଦେଇ ପ୍ରଥମେ ମୋବାଇଲ୍ ଫୋନରେ ଫୁଲ ଚନ୍ଦନ ଲଗାଉଛି । ଦିନଟିର ରୋଜଗାର ଯେ କେବଳ ଫୋନକଲ ଉପରେ ନିର୍ଭର କରୁଛି । ସେହିପରି ରୋଷେଇଆ, ନୂଆକରି ପୂଜାପାଠ କରୁଥିବା ପଣ୍ଡିତେ ଆପଣେ, ନୂଆକରି ଗାଡି ଶିଖୁଥିବା ଡ୍ରାଇଭର ଏମାନେ ମୋବାଇଲ ଯୋଗେ ନିଜର ଟ୍ରେନିଂ ମାଷ୍ଟରଙ୍କଠାରୁ ସଠିକ୍ ତଥ୍ୟ ହାସଲକରି ନିଜ ନିଜର କାମକୁ ଆଗେଇ ନେଉଛନ୍ତି । ମୋବାଇଲ ନାହିଁ ତ ରୋଷେଇଆ ଭାଇନା ମସଲା କସିପାରୁନି । ପଣ୍ଡିତେଙ୍କର ରୁଦ୍ରାଭିଷେକ ମନ୍ତ୍ର କି ପିଣ୍ଡଦାନ ମନ୍ତ୍ର ମନେପଡୁନି । ଡ୍ରାଇଭର କ୍ଲଚ୍ ଟିପିବା କି ବ୍ରେକ୍ ଚିପିବା କିଛି ସ୍ଥିର କରିପାରୁନି । ସତରେ ମୋବାଇଲ୍ ବିନା କେମିତି ସାଧାରଣ ଜୀବନ ପ୍ରବାହ ଅସ୍ତବ୍ୟସ୍ତ ହୋଇପଡୁଛି ଅନେକ କିଛି ଭୁଲ ହୋଇଯାଉଛି ଆଉ କର୍ମତତ୍ପର ମଣିଷମାନେ ଅନେକ ଅସୁବିଧାର ଏକ ସ୍ୱାଗତ ଯୋଗ୍ୟ ସୁତ୍ର ଏକ ଉପକାରୀ ଯନ୍ତ୍ର ତଥା ଏକ ସାହାଯ୍ୟ ପ୍ରଦାନକାରୀ ହାତଟିଏ । ହେଲେ ବର୍ତ୍ତମାନ ସମୟରେ ମୋବାଇଲ ଫୋନ ଅନେକ ଘଟଣା ଓ ଦୁର୍ଘଟଣାର କାରଣ ହୋଇପଡିଛି । ଯେଉଁଥି ପାଇଁ କି ମୋବାଇଲକୁ ଏବେ ଗୋଟିଏ କର୍ଣ୍ଣ ପିଶାଚୀ ଯନ୍ତ୍ର କହିଲେ ମଧ୍ୟ କିଛି ଅସଙ୍ଗତ ହେବନାହିଁ ବୋଧେ । ସେ ଦିନର ସେହି ସ୍ଲୋଗାନ “କରଲୋ ଦୁନିଆ ମୁଠି ମେ” ଆଜି ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଅଘଟଣ ଘଟିବାର ସଂକେତ ଦେଉଛି । ବିଶେଷକରି ସଭ୍ୟ ଓ ଶିକ୍ଷିତ ମଣିଷମାନେ ମୋବାଇଲ ଫୋନର ଦୂରୁପୋଯୋଗ କରି ଅପରାଧ ପ୍ରବଣ ହୋଇପଡୁଛନ୍ତି । ଉନ୍ନତମାନର ଏଣ୍ଡ୍ରଏଡ୍ ଫୋନ୍‌ରେ ବିଭିନ୍ନ ପ୍ରକାରର ଆପ୍ଲିକେସନର ସୁବିଧା ମିଳୁଛି । ଯାହାକି ମଣିଷକୁ ଆଜି ଅପରାଧୀଟିଏ ସଜାଇବା ପାଇଁ ଖୁବ୍ ଖୋରାକ୍ ଯୋଗାଉଛି । ପ୍ରଥମେ ଚିନ୍ତା କରନ୍ତୁ ସମୟ କଥା । ସମୟ ବଡ ବଳବାନ । ପ୍ରତିଟି ମୁହୂର୍ତ୍ତ ମଣିଷ ପାଇଁ ଖୁବ୍ ମୂଲ୍ୟବାନ୍ । ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟର ଗୁରୁତ୍ୱ ଯଥେଷ୍ଟ ଅଧିକ । ହେଲେ ଆଜିକାଲି ଛାତ୍ରଛାତ୍ରୀ ତଥା ସାଧାରଣ ମଣିଷମାନେ ମୋବାଇଲ ଫୋନରେ ଅନେକ ସମୟ ନଷ୍ଟଳରୁଛନ୍ତି । ଅଶ୍ଳୀଳ ଭିଡିଓ, ପ୍ରେମ ସଂପର୍କୀୟ ଚାଟିଙ୍ଗ୍, ଅଯଥା କଥାବାର୍ତ୍ତା ଏ ସବୁଥିରେ ଅଧିକ ସମୟ ଅକାରଣେ ନଷ୍ଟ କରାଯାଉଛି । ଫଳରେ ଛାତ୍ରଛାତ୍ରୀମାନେ ଠିକ୍‌ଭାବେ ପାଠକୁ ଅଭ୍ୟାସ କରିପାରୁନାହାଁନ୍ତି । ଅନ୍ୟମାନଙ୍କର ଦୈନନ୍ଦିନ କର୍ମରେ ମଧ୍ୟ ବିଭିନ୍ନ ପ୍ରକାରର ବାଧା ସୃଷ୍ଟିହେଉଛି । ଆଜିକାଲିର ଅଳ୍ପବୟସ୍କ ଯୁବକ ଓ ଯୁବତୀମାନେ ଗାଡି ଚଳାଇବା ବେଳେ କାନରେ ମୋବାଇଲ ଫୋନ ଦେଇ କଥାବାର୍ତ୍ତା ହେଉଛନ୍ତି । ଯାହାକି ଦୁର୍ଘଟଣାର କାରଣ ହୋଇ ଅକାଳ ମୃତ୍ୟୁକୁ ଡାକିଆଣୁଛି । ସେହିପରି ଡାକ୍ତରଖାନା, ବ୍ୟାଙ୍କ, ଗ୍ରୋସରି ଦୋକାନ, ଔଷଧ ଦୋକାନ ତଥା ବିଭିନ୍ନ ସରକାରୀ କାର୍ଯ୍ୟାଳୟମାନଙ୍କରେ କର୍ତ୍ତବ୍ୟରତ କର୍ମଚାରୀମାନେ ମୋବାଇଲ ଫୋନରେ ସମୟ ଦେଇ ଗ୍ରାହକ, ରୋଗୀ ତଥା ଜନସାଧାରଣଙ୍କର ମୂଲ୍ୟବାନ ସମୟକୁ ନଷ୍ଟକରୁଛନ୍ତି । ଶ୍ରେଣୀରେ ଶିକ୍ଷକମାନେ ମୋବାଇଲ ଫୋନ ବ୍ୟବହାର କରି ଶିକ୍ଷାଦାନରେ ବାଧା ସୃଷ୍ଟିକରୁଛନ୍ତି । ଏହି କର୍ଣ୍ଣପିଶାଚୀ ଯନ୍ତ୍ର ଆଜି ମଣିଷର କର୍ମତାତ୍ପରତାକୁ ଦିନକୁ ଦିନ କମାଇବାରେ ଲାଗିଛି । ଅତୀତରେ ବିଧାନସଭାରେ ବିଧାୟକଙ୍କ ୟୁ ଟ୍ୟୁବରେ ଅଶ୍ଳୀଳ ଭିଡିଓ ଦେଖା ଖୁବ୍ ଚର୍ଚ୍ଚାହୋଇଛି । ସେହିପରି ପାର୍ଲାମେଣ୍ଟରେ ମଧ୍ୟ ନେତାମାନେ ଦେଶର ସମସ୍ୟା ବିଷୟରେ ଆଲୋଚନା ପ୍ରତି ଦୃଷ୍ଟି ନ ଦେଇ ହାତମୁଠାରେ ଥିବା ମୋବାଇଲ ଉପରେ ସଦାସର୍ବଦା ଆଖି ରଖୁଛନ୍ତି । ଘର ଓ ପରିବାର ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଥିବା ବେଳେ ପରିବାରର ସଦସ୍ୟମାନେ ମୋବାଇଲ ଫୋନରେ ଅଯଥା ସମୟ ନଷ୍ଟକରୁଛନ୍ତି । କିଏ ଗେମ୍ ଖେଳୁଛି ତ କିଏ ହ୍ୱାଟ୍ସଆପ୍ ମେସେଜରେ ବ୍ୟସ୍ତ ରହୁଛି ତ କିଏ ଫେସବୁକ୍ ଚାଟିଂରେ ପୁରା ହଜିଯାଉଛି । ପିଲା କଣ ପାଠପଢୁଛି, ଘରେ ପରିବାପତ୍ର କି ସଉଦା ଅଛି କି ନାହିଁ ଏଥିପ୍ରତି ସଦସ୍ୟ ମାନଙ୍କର ନିଘାନାହିଁ । ସତେ ଯେପରି ସେହି କର୍ଣ୍ଣ ପିଶାଚୀ ଯନ୍ତ୍ରଟି ଭିତରେ ସବୁକିଛି ପୁରି ରହିଛି । ଆଜି କର୍ଣ୍ଣ ପିଶାଚୀ ଯନ୍ତ୍ର ତାର ଜାଲ ବିଛାଇଛି ବିଶ୍ୱର ପ୍ରତି କୋଣକୁ । ଦେଶ ଦେଶ ମଧ୍ୟରେ ଅପରାଧ ସୃଷ୍ଟି କରାଇବାରେ ମୋବାଇଲ ଫୋନ ଆଜି ଯଥେଷ୍ଟ ଖୋରାକ୍ ଯୋଗାଉଛି । ସନ୍ତ୍ରାସବାଦୀ, ନକ୍ସଲ ତଥା ମାଓବାଦୀମାନଙ୍କୁ ଆତ୍ମରକ୍ଷା ପାଇଁ ମୋବାଇଲ ଯଥେଷ୍ଟ ସାହାଯ୍ୟ କରୁଛି । ବିଦେଶୀ ଯୁବକ ଯୁବତୀମାନେ ପ୍ରେମ ସଂପର୍କର ଆଳ ଦେଖାଇ ନିଜର ଇ-ମେଲ୍ ଆଇଡିରେ ସଂପର୍କ ଯୋଡି ନିରୀହ ଜନସାଧାରଣ ତଥା ମୋବାଇଲ ପାଗଳ ମଣିଷମାନଙ୍କୁ ବ୍ଲାକ୍‌ମେଲିଂ କରୁଛନ୍ତି । ଆକାଉଣ୍ଟରେ ଟଙ୍କା ଗାଏବ ହୋଇଯାଉଛି । ଫେସବୁକ୍ ପ୍ରେମ ଅନେକ ଯୁବକ ଯୁବତୀଙ୍କୁ ଦିଗହରା କରିପକାଉଛି । ଏପରିକି ଫେସ୍‌ବୁକ୍ ଭିଡିଓ କଲ୍, ହ୍ୱାଟସଆପ୍ ଭିଡିଓ କଲ୍ ତଥା ସ୍ପାଇସ୍ ଆକାଉଣ୍ଟ ମାଧ୍ୟମରେ ପ୍ରେମିକ ପ୍ରେମିକାମାନେ କିପରି ଆତ୍ମହତ୍ୟା କରୁଛନ୍ତି ତାହାର ବାସ୍ତବ ଦୃଶ୍ୟ ମଧ୍ୟରେ ବିଶ୍ୱ ଦରବାରରେ ପ୍ରଦର୍ଶିତ ହେଉଛି । ମୋବାଇଲ ଫୋନ୍ ମାନଙ୍କରେ କ୍ୟାମେରା ସୁବିଧା ରହିଛି । ଏହି କ୍ୟାମେରାରେ ସେଲଫି ଫଟୋ ନେବା ଆଜିର ଯୁବକ ଓ ଯୁବତୀମାନଙ୍କର ଏକ ମାନିଆ ହୋଇଛି । ଅନେକ ସଭ୍ୟ ଓ ଶିକ୍ଷିତ ଲୋକମାନେ ସେଲ୍ଫି ନେବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ୍ୟୁବରଣ କରୁଛନ୍ତି । ବିଶେଷକରି ଆଜିର ଯୁବପୀଢି ତଥା ଛାତ୍ରଛାତ୍ରୀମାନେ ମୋବାଇଲ ଫୋନର ଅପବ୍ୟବହାର କରି ନିଜର ଭବିଷ୍ୟତ ଜୀବନକୁ ଅନ୍ଧକାରକରି ପକାଉଛନ୍ତି । ୟୁ ଟ୍ୟୁବରେ ସେକ୍ସ ଭିଡିଓ ଦେଖି ଯୁବକ ଯୁବତୀମାନେ ନିଜ ନିଜକୁ ଅସତ୍ ମାର୍ଗରେ ପରିଚାଳିତ କରାଉଛନ୍ତି । ଛାତ୍ରଛାତ୍ରୀମାନେ ଫେସବୁକ ଚାଟିଂ ସମୟରେ ନିଜର କ୍ୟାରିଅରକୁ ବରବାଦ୍ କରୁଛନ୍ତି । ତାଛଡା ଆରେଞ୍ଜ ମ୍ୟାରେଜର ପ୍ରଥମ ପର୍ବ ଆରମ୍ଭ ନ ହେଉଣୁ ମିଡିଏଟର ମାଧ୍ୟମରେ ଫୋନନମ୍ବର ଦିଆ ନିଆ ଚାଲୁଛି । ବିବାହ ବେଦୀକୁ ଯିବା ପୂର୍ବରୁ କନ୍ୟା ଗର୍ଭବତୀ ହେଉଛି । ଏକ ଶୃଙ୍ଖଳିତ ପୁଣ୍ୟର ପର୍ବ ଆଜି କଳୁଷିତ ହୋଇପଡୁଛି । ମଣିଷର ଇମୋସନ୍, ପାସିଆନ ଦୈହିକ କାମନାକୁ ଚରିତାର୍ଥ କରିବା ପାଇଁ ମୋବାଇଲ ଫୋନ ଆଜି ସହଜ, ସରଳ ତଥା ରୋମାଣ୍ଟିକ ପ୍ଲାଟ୍‌ଫର୍ମ ଯୋଗାଇ ଦେଇପାରୁଛି । ତେଣୁ ବିଜ୍ଞାନର ଉଦଭାବନ ମଣିଷ ଜଗତର ଉପକାର ପାଇଁ ଉଦ୍ଧିଷ୍ଟ ଥିଲେ ମଧ୍ୟ ମଣିଷମାନଙ୍କର ଅଜ୍ଞତା, ଦୁର୍ବଳତା ତଥା ହୀନ ମାନସିକତା ଆଜି ବିଜ୍ଞାନର ଅପ ପ୍ରୟୋଗ କରି ଏ ଦେଶ ତଥା ଏ ସମାଜକୁ ଧ୍ୱଂସମୁଖୀ କରାଉଛି । ମୋବାଇଲ ଫୋନର ଯଥେଷ୍ଟ ଉପକାରୀତା ରହିଛି । ମୋବାଇଲ ଯୋଗେ ଶିକ୍ଷାଦାନ ହୋଇପାରୁଛି । ଡାକ୍ତର ରୋଗୀଙ୍କୁ ପରାମର୍ଶ ଦେଉଛନ୍ତି, ବ୍ୟାଙ୍କ ଟ୍ରାନ୍ଜେକସନ, ସପିଙ୍ଗ୍ ତତା ଯୋଗଶିକ୍ଷା ମଧ୍ୟ ହୋଇପାରୁଛି । ରାସ୍ତାଘାଟ, ସ୍ଥାନ ଦର୍ଶାଇବାରେ ମୋବାଇଲ ଆପ୍ର ଅବଦାନ ଖୁବ୍ ପ୍ରଶଂସନୀୟ, ମୋବାଇଲ ଫୋନ୍ମାନଙ୍କରେ ଇଣ୍ଟରନେଟ୍ ସୁବିଧାମାନ ଉପଲବଧ ହେଉଛି । ଯାହାକି, ଟ୍ରେନ୍ ଟିକଟ, ଏୟାର ଟିକଟ, ହୋଟେଲ ବୁକିଂ, ବସ୍ ଟିକଟ, ସିନେମା ଟିକଟ ଆଦି ଖୁବ୍ ସହଜରେ ଏବଂ କମ୍ ସମୟ ମଧ୍ୟରେ ହୋଇପାରୁଛି । ତେଣୁ ମୋବାଇଲ ଫୋନର ଏତେ ସବୁ ଉପାଦେୟତା ଥିବାବେଳେ ମୋବାଇଲ ଫୋନର ଦୂରୁପୋଯୋଗ ଆଜି ମଣିଷମାନଙ୍କୁ ପଥଭ୍ରଷ୍ଟ କରାଉଛି । ତେବେ ଶିକ୍ଷିତ ମଣିଷ, ଛାତ୍ରଛାତ୍ରୀ ତଥା ଯୁବକ ଯୁବତୀମାନଙ୍କୁ ନିବେଦନ ଯେ ସେମାନେ ଏହି କର୍ଣ୍ଣ ପିଶାଚୀ ଯନ୍ତ୍ରର କ୍ରୁର କବଳରେ ନ ପଡି ଆଧୁନିକ ବିଜ୍ଞାନର ପ୍ରକୃତ ଉପାଦେୟତାକୁ ଉପଯୋଗକରି ନିଜ ଦେଶ, ସମାଜ, ପରିବାର ତଥା ନିଜ ଜୀବନର ମଙ୍ଗଳ କରାନ୍ତୁ ।

ତେବେ ଶେଷକଥାରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜନସାଧାରଣଙ୍କର ଅବଗତି ପାଇଁ ପ୍ରକାଶ କରାଯାଇପାରେ । ମୋବାଇଲ୍ ଫୋନ କେତେଗୁଡିଏ ଇଲେକ୍ଟ୍ରିକ ସର୍କିଟ୍ ତଥା ମ୍ୟାଗନେଟକୁ ନେଇ ତିଆରି ଏଥିରେ ରାସାନୟନିକ ସହିତ ବ୍ୟାଟେରୀ ମଧ୍ୟ ରହିଥାଏ । ବେଳେ ବେଳେ ଅତ୍ୟଧିକ ବ୍ୟବହାର ଯୋଗୁଁ ବ୍ୟାଟେରୀ ଗରମ ହୋଇ ଫାଟିଯାଇ ଦୁର୍ଘଟଣା ଘଟାଉଥିବାର ଅନେକ ଉଦାହରଣ ସମାଜରେ ରହିଛି । ତାଛଡା ମ୍ୟାଗନେଟର ଭ୍ରାଇବେସନ ତଥା ରିଙ୍ଗଟୋନର ଶବ୍ଦ ରକ୍ତ, ହାଡ ମାଂସର ଶରୀର ପାଇଁ କ୍ଷତିକାରକ । ବେଳେ ବେଳେ ଏହା ଆମର ସ୍ନାୟୁକୁ ମଧ୍ୟ କ୍ଷତି ଦେଇଥାଏ । ଅଣ୍ଟାରେ ଖୋସୁଥିବା ମୋବାଇଲ ପୁରୁଷମାନଙ୍କର ଟେଷ୍ଟିକୁ ପ୍ରଭାବିତ କରାଇଥାଏ । ଫଳରେ ସ୍ପର୍ମ କାଉଣ୍ଟ କମିଯାଇଥାଏ । ତେଣୁ ମାତ୍ରାଧିକ ସେଲୁଲାର ଫୋନର ବ୍ୟବହାର ଜୀବନ ପ୍ରତି ବିପଦ ସୃଷ୍ଟିକରିଥାଏ ।

ଲୋକପ୍ରିୟ ଲେଖା

To Top