ପ୍ରବନ୍ଧ

କଟ୍ଟାପା ବାହୁବଳୀକୁ କାହିଁକି ମାରିଲା ???

Nishikant Padhi's odia prose Kattappaa Baahubaliku Kaahinki Maarilaa

ଆଜିର ଶିକ୍ଷିତ ମଣିଷମାନେ ଭାବିବା ଆବଶ୍ୟକ ଯେ, ଯେଉଁ ଚିନ୍ତା ଓ ଚେତନା କର୍ମ ପୃଷ୍ଠଭୂମି ତାକୁ ଯଦି ଅତ୍ୟଧିକ ଭାବପ୍ରବଣତାରେ ଦୁର୍ବଳ କରିଦିଆଯାଏ ତଥା ମସ୍ତିଷ୍କ ମଧ୍ୟକୁ ଯଦି ଉନ୍ନତ ଗଠନମୂଳକ ତଥା ଆଦର୍ଶ ଚିନ୍ତାଧାରାର ପ୍ରବାହ ନ ହୁଏ ତେବେ କର୍ମର ପୃଷ୍ଠଭୂମି ଦୁର୍ବଳ ଓ କଳୁଷିତ ହୋଇପଡିବ ।

କଟ୍ଟାପା ବାହୁବଳୀକୁ କାହିଁକି ମାରିଲା ???

“କଟ୍ଟାପା ବାହୁବଳୀକୁ କାହିଁକି ମାରିଲା” ଏ ପ୍ରଶ୍ନଟି ଗୋଟିଏ ସାଧାରଣ ପ୍ରଶ୍ନ ନୁହେଁ । ସାରା ବିଶ୍ୱର ଏକ ଚର୍ଚ୍ଚିତ ପ୍ରଶ୍ନ । ଏ ପ୍ରଶ୍ନ କୌଣସି ଦେଶ ଓ ସମାଜର କୌଣସି ପ୍ରଗତି ଓ ସମୃଦ୍ଧିର ନୁହେଁ, କି କୌଣସି ଉତ୍ଥାନ ପତନର ନୁହେଁ । ପ୍ରଶ୍ନ ଏକ ପରଦା ପୃଷ୍ଠାର ଚଳଚ୍ଚିତ୍ରର ବିଷୟ ବସ୍ତୁରୁ ତଥା ଏକ ଅସମ୍ଭବ ଭାବପ୍ରବଣତାରୁ । ବାହୁବଳୀ ପରି ବହୁ ଚର୍ଚ୍ଚିତ ଚଳଚ୍ଚିତ୍ରର ବିଷୟ ବସ୍ତୁର ଏ ପ୍ରଶ୍ନ । ବାହୁବଳୀର ପ୍ରଥମ ଭାଗରେ ଏହି ପ୍ରଶ୍ନ ସୃଷ୍ଟି ହୋଇଥିଲା ବେଳେ ଏହାର ଉତ୍ତର ବାହୁବଳୀର ଦ୍ୱିତୀୟ ଭାଗରେ ହିଁ ଦେଖିବାକୁ ମିଳୁଛି । ବାହୁବଳୀ ଚଳଚ୍ଚିତ୍ରର ଦ୍ୱିତୀୟଭାଗ ଇତି ମଧ୍ୟରେ ହଜାରେ କୋଟିରୁ ଉଦ୍ଧ୍ୱର୍ଟଙ୍କା ରୋଜଗାର କରିଛି । ଚଳଚ୍ଚିତ୍ରକୁ ଦେଖିବା ପାଇଁ ସିନେମା ହଲ୍ ମାନଙ୍କରେ ଦର୍ଶକମାନଙ୍କର ଅସମ୍ଭବ ଭିଡ ତଥା କଳାବଜାରୀ ଟିକେଟର ବିକ୍ରି ଖୁବ୍ ଆଶ୍ଚର୍ଯ୍ୟ ସୃଷ୍ଟିକରିଛି । ତେବେ ମନୋରଞ୍ଜନର ଖର୍ଚ୍ଚ ତଥା ଉତ୍ସାହ ଓ ଆନ୍ତରିକତା ଯଦି ଚର୍ଚ୍ଚାର ବିଷୟ ହୋଇପାରୁଛି କାଳ୍ପନିକ ବିଷୟବସ୍ତୁ ପ୍ରତି ମଣିଷ ଯଦି ଅଧିକ ଆକର୍ଷିତ ହୋଇପଡୁଛି ତେବେ ଦେଶାତ୍ମବୋଧ, ମାନବିକ ମୂଲ୍ୟବୋଧ ତଥା ସାମାଜିକ ଦାୟିତ୍ୱଠାରୁ ଏ ମଣିଷ ନିଜକୁ ଦୂରେଇ ନେଉଛି କାହିଁକି ??? କାହିଁକି ଆଜି ସାରାବିଶ୍ୱରେ ଭାରତକୁ ଗୋଟିଏ ରାଷ୍ଟ୍ର ବୋଲି କୁହାଯାଉଛି ? ଆଉ ସାରା ଭାରତ ବର୍ଷରେ ଓଡିଶାକୁ ଏକ ପଛୁଆ ରାଜ୍ୟ ବୋଲି କାହିଁକି ମାନ୍ୟବର ପ୍ରଧାନଙ୍କର ମୁହଁରେ ଚର୍ଚ୍ଚା ହେଉଛି । ଏହାର ଅନେକ କାରଣ ଅଛି ହେଲେ ସେଥି ମଧ୍ୟରେ ଆମ୍ଭମାନଙ୍କର ଅସମ୍ଭବ ଭାବପ୍ରବଣତା ଏକ କାରଣ ବୋଲି କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ସାମାନ୍ୟ ଭାବପ୍ରବଣତାରେ ଭାସିଯାଇ ଆମେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଦେଉଛେ ଅଥଚ ରାସ୍ତାରେ ଯଦି କୁକୁରଟିଏ ମରିପଡିଛି କି କୌଣସି ଅସହାୟ ମଣିଷ ଯଦି ସହାୟତା ଲୋଡୁଛି ଆମେ ପରିସ୍ଥିତିକୁ ଏଭଏଡ୍ କରି ବାଟ କାଟି ଚାଲିଯାଉଛେ । “କଟ୍ଟାପା ବାହୁବଳୀକୁ କାହିଁକି ମାରିଲା” ଏ ପ୍ରଶ୍ନ ବଦଳରେ ଯଦି ଆମେ ପ୍ରଶ୍ନ କରିବା ସମାଜରେ ଦୁର୍ନୀତୀ କାହିଁକି ଚାଲୁଛି ? ଲୋକମାନେ କଳାଟଙ୍କା କିପରି ପାଉଛନ୍ତି ? ଜେଲ୍ ଭିତରକୁ ନିଶା ଓ ମାଦକ ଦ୍ରବ୍ୟ କିପରି ଯାଉଛି ? ଅପରାଧୀମାନଙ୍କୁ ଜେଲ୍ ଭିତରେ ଅୟସ କରି ବିଳାସପୂର୍ଣ୍ଣ ଜୀବନ ବିତାଇବା ପାଇଁ ସୁଯୋଗ କିଏ ଦେଉଛି ? ପରୀକ୍ଷାର୍ଥୀମାନଙ୍କର ଖାତାକୁ ତ୍ରୁଟିପୂର୍ଣ୍ଣ ଭାବେ ମୂଲ୍ୟାଙ୍କନ କରି କାହିଁକି ସେମାନଙ୍କର ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦିଆଯାଉଛି ? ଚାଷୀମାନଙ୍କ ସମସ୍ୟା ପ୍ରତି ସରକାର କାହିଁକି ଉଦାସୀନ ରହୁଛନ୍ତି ? ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ତଥା ଚାଷ ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ସରକାର କାହିଁକି ଶସ୍ତା ଯୋଜନାରେ ମାତିଛନ୍ତି ? କାହିଁକି ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି ? ଗରୀବ ଖଟିଖିଆ କର୍ମଠ ମଣିଷମାନଙ୍କୁ ଶସ୍ତା ଚାଉଳ ଓ ସୁବିଧା ଯୋଗାଇ ଦିଆଯାଇ ସରକାରଙ୍କର ଶସ୍ତା ଲୋକପ୍ରିୟତା ଅର୍ଜନ କରିବା ପଛର ରହସ୍ୟ କଣ ? ସହରୀ ଲୋକମାନଙ୍କୁ ମାଗଣା ଖାଦ୍ୟ କାହିଁକି ଦିଆଯାଉଛି ? କାହିଁକି କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାମାନଙ୍କରେ ଉନ୍ନତୀ ମାଇଲ ଖୁଣ୍ଟ ପାଖରେ ଅଟକି ରହିଛି । ଧାନର ଅଭାବୀ ବିକ୍ରି, ଚାଷୀ ଆତ୍ମହତ୍ୟା, ପାନୀୟ ଜଳର ଉତ୍କଟ ଅଭାବ, ଆଜି କେବିକେ ଜିଲ୍ଲାର ଲୋକମାନଙ୍କୁ ନିଷ୍ପେସିତ କରିପକାଇଛି । କାହିଁକି ଓଡିଶାର ଭାଷା ଓ ସଂସ୍କୃତି ଲିଭି ଲିଭି ଆସୁଛି ? ଆଖି ଆଗରେ ଏତେଗୁଡିଏ ପ୍ରଶ୍ନ ଡହଳ ବିକଳ ହୋଇ ଉତ୍ତରକୁ ଅପେକ୍ଷା କରିଥିବା ବେଳେ ଆମେ ହଜାରେ କୋଟି ଟଙ୍କା ଉଡାଇ ଦେଇ ଗୋଟିଏ ଭାବ ପ୍ରବଣତାର ପ୍ରଶ୍ନର ଉତ୍ତରକୁ ନେଇ ମାତିଛେ । ଏବେ ଅନେକ ଅସମାଧିତ ପ୍ରଶ୍ନ ବିଷଧର ସର୍ପ ହୋଇ ଏ ମଣିଷର ମନକୁ ଦଂଶନ କରେ । କାହିଁକି ଗତ ଦିନରେ ପିପିଲି ଦୁର୍ଘଟଣାରେ ତିନୋଟି ବସକୁ ଜାଳିଦିଆଗଲା ? ପ୍ରକୃତରେ ଭୁଲ୍ କାହାର ଥିଲା । କାହିଁକି ଦୁର୍ଦ୍ଧାନ୍ତ ଅପରାଧୀମାନଙ୍କୁ ଜାମିନରେ ଛାଡିଦିଆଯାଉଛି ? କାହିଁକି ପୋସ୍କୋ ପରି ଏକ ବୃହତ୍ତ ପ୍ରକଳ୍ପ ଓଡିଶା ଛାଡି ପଳାଇଗଲା ? ରାୟପୁରର ଶାଢୀ ଓ ଚୁଡି ତ ଓଡିଶା ଆସୁଛି, ହେଲେ କାହିଁକି ମହାନଦୀର ପାଣି ରୋକି ଛତିଶଗଡ ଓଡିଶାକୁ ମରୁଭୂମିରେ ପରିଣତ କରାଇବାକୁ ଚାହୁଁଛି ? କାହିଁକି ଆଦିବାସୀମାନଙ୍କର ଜଳ, ଜମି ଓ ଜଙ୍ଗଲକୁ ଧ୍ୱଂସ କରାଯାଉଛି ? ନକ୍ସଲ ନାମରେ ଆଦିବାସୀମାନଙ୍କର ସଂହାର କାହିଁକି ? କାହିଁକି ନଗଡା ସମସ୍ୟା ଆଜି ବାରମ୍ବାର ମୁଣ୍ଡ ଟେକୁଛି ? ଏ ସବୁର ପ୍ରଶ୍ନର ଉତ୍ତର ପାଇଁ ଆଜିର ଏ ସମୟ ମଣିଷମାନଙ୍କୁ ଆହ୍ୱାନ ଦେଉଛି । ଏ ପ୍ରଶ୍ନ ବାହୁବଳୀ ଚଳଚ୍ଚିତ୍ରର ନୁହେଁ । ଏ ପ୍ରଶ୍ନ ଏ ଦେଶର, ଏ ସମାଜର ତଥା ମଣିଷମାନଙ୍କର ପ୍ରଗତି ଓ ସମୃଦ୍ଧିର । ପ୍ରଶ୍ନ ଖୋଜେ ଉପଯୁକ୍ତ ଉତ୍ତର । ବିଧାନସଭାରେ ବିରୋଧୀ ଦଳର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସରକାର ଅନେକ ସମସ୍ୟାର ସମାଧାନର ପନ୍ଥା ନିର୍ଦ୍ଧାରଣ କରନ୍ତି । ଯେଉଁ ପ୍ରଶ୍ନରେ ସମାଜର ପ୍ରଗତି ଓ ସମୃଦ୍ଧି ନିହୀତ ଥାଏ ସେପରି ପ୍ରଶ୍ନ ସର୍ବଦା ସ୍ୱାଗତ ଯୋଗ୍ୟ । ସେହି ପ୍ରଶ୍ନର ଉତ୍ତର ଗୁଡିକ କିପରି ମିଳିପାରିବ ଏବଂ ତାହା କିପରି କାର୍ଯ୍ୟରେ ପରିଣତ ହେବ ସେଥିପ୍ରତି ଏ ସମାଜର ମଣିଷମାନେ ସଚେତନ ହେବା ବାଞ୍ଛନୀୟ । ଆଜିର ସମାଜରେ ଅସମ୍ଭବ ଭାବ ପ୍ରବଣତା, ଅତ୍ୟଧିକ ମାନସିକ ଅସ୍ଥିରତା ତଥା ଯୌବନର ଯାନ୍ତବ ଉଦାମତାକୁ ନେଇ ମଣିଷ କିପରି ଜୀବନ ବିତାଉଛି ତାହା ସାଂପ୍ରତିକ ସମାଜ ପାଇଁ ଖୁବ୍ ବିପଦ ଜନକ । ବିଶେଷକରି ଭାବ ପ୍ରବଣତାକୁ ନେଇ ଭାରତୀୟ ମାନେ ଯେପରି ଅର୍ଥ, ସମୟ ଓ ଶକ୍ତି ଅପଚୟ କରିଥାନ୍ତି ତାହା ଅନ୍ୟ କୋ÷÷ଣସି ଦେଶରେ ଦେଖାଯାଇ ନ ଥାଏ । କ୍ରିକେଟ୍ ଖେଳ ହେଉ, ଯାତ୍ରା ତାମସା ହେଉ, କିମ୍ବା ଥିଏଟର ହେଉ କିମ୍ବା ପର ଚର୍ଚ୍ଚା ହେଉ ଅଥବା ଶସ୍ତା ସାହିତ୍ୟ ସର୍ଜନା ହେଉ, ଏ ସବୁ କ୍ଷେତ୍ରରେ ଯଥେଷ୍ଟ ସମୟର ଆବଶ୍ୟକତାକୁ କେବେ ଅବମାନନା କରାଯାଇ ନ ପାରେ । ଆଜିର ସମୟରେ ଛାତ୍ରଛାତ୍ରୀମାନେ କି୍ରକେଟ୍ ଖେଳକୁ ନେଇ ଅନେକ ସମୟ ନଷ୍ଟ କରୁଛନ୍ତି ଘରେ ଅଭାବ ଅନଟନରେ ପିଲାଛୁଆ ଓ ସ୍ତ୍ରୀ କାଳ କାଟୁଥିଲା ବେଳେ ସ୍ୱାମୀର କ୍ରିକେଟ୍ ନିଶା ଯେତିକି ହାସ୍ୟାସ୍ପଦ ସେତିକି ମଧ୍ୟ ଦୁଃଖଦାୟକ । ପ୍ରଗତି, ସମୃଦ୍ଧି, ବୌଦ୍ଧିକ ବିକାଶ ଚାରିତ୍ରିକ ସଂସ୍କାର ଏସବୁ କିଛି ମିଳୁ ନ ଥିବା ଗୋଟିଏ ପ୍ରକ୍ରିୟାକୁ କାହିଁକି ଯେ ଲୋକମାନେ ପସନ୍ଦ କରୁଛନ୍ତି । କାହିଁକି ମଣିଷମାନଙ୍କ ମନରେ ବିଦ୍ରୋହ ସୃଷ୍ଟିହେଉଛି ? କାହିଁକି ହାର ଜିତ୍ ଶବ୍ଦଗୁଡିକୁ ନେଇ ମନ ଓ ହୃଦୟ ବିଶାଦଗ୍ରସ୍ତ ହୋଇଉଠୁଛି । ଆଜିର ମଣିଷ ଦିନେ ଖଟି ପାଞ୍ଚଦିନ ଶୋଇବାର ହୀନ ମାନସିକତାକୁ ନେଇ ନିଜ ଜୀବନର ରୁଟିନ୍ ତିଆରି କରୁଛି । ସେହିପରି ଘରର ମୁଖ୍ୟ ଯଦି କବିତା ଲେଖୁଛନ୍ତି ତାହାହେଲେ ହାଟ ବଜାରରୁ ସଉଦା ଆଣିବା ବନ୍ଦ, ପିଲାମାନଙ୍କୁ ପାଠ ପଢାଇବା ବନ୍ଦ, ସ୍ତ୍ରୀକୁ ଡାକ୍ତରଖାନାକୁ ନେବା ବନ୍ଦ, ସମସ୍ତ ଉନ୍ନତିମୂଳକ ଚିନ୍ତାଧାରାଗୁଡିକୁ ଗଭୀର ପ୍ରତିରୋଧ । କେବଳ କଳ୍ପନା ହିଁ କଳ୍ପନା । ଶବ୍ଦ, ସାହିତ୍ୟ, ଛନ୍ଦ ଆଃ କେଡେ ଚମତ୍କାର । ଯେତେବେଳେ ଦେଖ, ହାତରେ କାଗଜ କଲମ ଆଉ ବକ୍ ବକ୍ କରି ଚାହିଁଥିବେ କୁଆଡକୁ ବଗ ଭଳିଆ । ଠିକ୍ ଅଛି ସାହିତ୍ୟର ସାନ କାଳଜୟୀ କରୁ ମାନପତ୍ରରେ କାନ୍ଥସାରା ପୂରି ଉଠୁ, ହେଲେ କର୍ତ୍ତବ୍ୟ ତ ଜାରି ରହୁ । ସାହିତ୍ୟ କରୁଥିବା ବ୍ୟକ୍ତିର ପିଲାମାନେ ଯଦି ଭୋକ ଉପାସରେ କାଳ କାଟୁଥିବେ ତେବେ ସେ ସାହିତ୍ୟର ମାନେ କଣ ? ସାହିତ୍ୟିକମାନେ କଥାକୁ ଭୁଲ ବୁଝିବେନି । ଏଠାରେ ସାହିତ୍ୟକୁ ଅଙ୍ଗୁଳି ପ୍ରଦର୍ଶନ କରାଯାଉ ନାହିଁ, ଏଠାରେ ମଣିଷର ଅତ୍ୟଧିକ ଭାବ ପ୍ରବଣତା, ଦୁର୍ବଳ ମାନସିକତା ତଥା ଅଳସୁଆ ପଣ ପ୍ରତି ଦୃଷ୍ଟି ନିକ୍ଷେପ କରାଯାଇଛି । ଆଜିର ଶିକ୍ଷିତ ମଣିଷମାନେ ଭାବିବା ଆବଶ୍ୟକ ଯେ, ଯେଉଁ ଚିନ୍ତା ଓ ଚେତନା କର୍ମ ପୃଷ୍ଠଭୂମି ତାକୁ ଯଦି ଅତ୍ୟଧିକ ଭାବପ୍ରବଣତାରେ ଦୁର୍ବଳ କରିଦିଆଯାଏ ତଥା ମସ୍ତିଷ୍କ ମଧ୍ୟକୁ ଯଦି ଉନ୍ନତ ଗଠନମୂଳକ ତଥା ଆଦର୍ଶ ଚିନ୍ତାଧାରାର ପ୍ରବାହ ନ ହୁଏ ତେବେ କର୍ମର ପୃଷ୍ଠଭୂମି ଦୁର୍ବଳ ଓ କଳୁଷିତ ହୋଇପଡିବ । ଜୀବନ ଦୁଃଖପୂର୍ଣ୍ଣ ହୋଇପଡିବ । ଝିଣ୍ଟିକା ପରି ଅଳସୁଆ ହୋଇ ଏ ମଣିଷ ପରକୁ ହାତ ପତେଇବ । ତେଣୁ ସମୟ ଆସିଛି ଆମେ ବାହୁବଳୀ ଚଳଚ୍ଚିତ୍ରର ପ୍ରଶ୍ନରେ ଅତ୍ୟଧିକ ଭାବପ୍ରବଣ ନ ହୋଇ ଆମେ ନିଜ ଦେଶ, ସମାଜ ଓ ପରିବାରର ଚିନ୍ତା କରିବା । କାଳ୍ପନିକ ଆନନ୍ଦର କ୍ଷଣ ଭଙ୍ଗୁର ପ୍ରବାହରେ ଭାସି ନ ଯାଇ ଆମେ ବାସ୍ତବମୁଖୀ ହୋଇ ବଞ୍ଚିବାର ପ୍ରୟାସ କରିବା । ଆମେ ଆମର ଆଗନ୍ତୁକ ବଂଶଧର ମାନଙ୍କ ପାଇଁ କିପରି ଏକ ସୁସ୍ଥ ସମାଜ, ଦେଶ ଓ ପରିବେଶ ଛାଡିଯିବା ସେ ଦିଗରେ ଚିନ୍ତାକରିବା ସହିତ ଉଚିତ କର୍ମ କରି ଜୀବନକୁ ମଙ୍ଗଳମୟ କରିବା ।
ଧନ୍ୟବାଦ୍ ।

ଲୋକପ୍ରିୟ ଲେଖା

To Top