ପ୍ରବନ୍ଧ

କୀଟନାଶକ ଗୁଡିକର ସଠିକ୍ ଓ ସୁରକ୍ଷିତ ପ୍ରୟୋଗ ବିଧି ଏବଂ ଅବଲମ୍ବନଯୋଗ୍ୟ ସାବଧାନତା

Sandeep Kumar Sathua's odia prose Keetanaashak Gudikara Sathik o Surakshita Prayog Bidhi ebn Abalambanajogya Saabadhaanataa

କୀଟନାଶକ ପ୍ରୟୋଗର ତୁରନ୍ତ ବାଦେ ରାନ୍ଧିବା ଲାଗି ଗଛରୁ ଫଳ ତୋଳନ୍ତୁ ନାହିଁ , ଏହା ଶରୀର ପ୍ରତି ଅତ୍ୟନ୍ତ ହାନିକାରକ ଅଟେ

କୀଟନାଶକ ଗୁଡିକର ସଠିକ୍ ଓ ସୁରକ୍ଷିତ ପ୍ରୟୋଗ ବିଧି ଏବଂ ଅବଲମ୍ବନଯୋଗ୍ୟ ସାବଧାନତା

କୀଟନାଶକ ପ୍ରୟୋଗ କରିବା ପୁର୍ବରୁ କଣ କରିବେ-

  • ସର୍ବ ପ୍ରଥମେ ଅନିଷ୍ଟକାରୀ କୀଟ ଏବଂ ତାର ଜୀବନ ଚକ୍ର, ଏହା ଦ୍ୱାରା ହେଉଥିବା କ୍ଷତିର ଲକ୍ଷ, ଅର୍ଥନୈତିକ ପ୍ରଭାବି ସୀମା (ETL) ଏବଂ ଶସ୍ୟର ଜୀବନ ଚକ୍ର ବିଷୟରେ ଜାଣିରଖନ୍ତୁ ।
  • କୀଟ ନିୟତ୍ରଣ କରିବାର ସଠିକ୍ ସମୟ ଓ ଉପାୟ ବିଷୟରେ କୃଷି ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନିଅନ୍ତୁ କିମ୍ବା ନିଃଶୁଳ୍କ କୃଷି ହେଲ୍ପ ଲାଇନ ‘୧୮୦୦-୧୮୦-୧୫୫୧’ କୁ ଯୋଗାଯୋଗ କରି ଦିଆ ଯିବା ପରାମର୍ଶକୁ ଅନୁସରଣ କରନ୍ତୁ ।
  • ପ୍ରୟୋଗ ପୁର୍ବରୁ ସଠିକ୍ କୀଟନାଶକ ଏବଂ ଏହାର ଉପଯୁକ୍ତ ମାତ୍ରା ଚୟନ କରନ୍ତୁ ଯାହାକି କୀଟର ଖାଦ୍ୟ ପ୍ରକୃତି, କୀଟନାଶକର ପ୍ରକାରଭେଦ ଏବଂ କ୍ଷତିର ପରିମାଣ ଅନୂଯାୟୀ ପରିବର୍ତ୍ତନୀୟ ଅଟେ ।
  • କୀଟନାଶକ ଡବା ଉପରେ ଲେଖା ଯାଇଥିବା ନାମପଟି (ଲେବେଲ୍), ବୈଧ ସମୟର ଶେଷ ତାରିଖ (expiry date) ଏବଂ ଅନ୍ୟାନ ଜରୁରୀ ସୂଚନା ଗୁଡିକୁ ଠିକ୍ ଭାବରେରେ ପଢନ୍ତୁ ।
  • କୀଟନାଶକ ପ୍ରୟୋଗ କରିବା ପୂର୍ବରୁ ଏହାର ବିସାକ୍ତ ପ୍ରକିୟା ଠାରୁ ରକ୍ଷା ପାଇବା ପାଇଁ ନିଜକୁ ହାତ ମୋଜା (ଗ୍ଲୋଭ୍), ମୁଖା ଏବଂ ଟୋପି ପରି ରକ୍ଷାତ୍ମକ ପୋଷାକ ଦ୍ୱାରା ଆବୃତ କରି ରଖନ୍ତୁ ।
  • ସମ୍ଭାବିତ ପାଣିପାଗର ବିବରଣୀକୁ ଅନୁଧ୍ୟାନ କରନ୍ତୁ ଏବଂ ଯଦି ନିକଟ ଭବିଷ୍ୟତରେ ବର୍ଷା ହେବାର ସୂଚନା ଦିଆଯାଇଥାଏ, ତାହା ହେଲେ କୀଟନାଶକ ସିଞ୍ଚନ କରିବାର ଯୋଜନା କରନ୍ତୁ ନାହିଁ ।
  • କୀଟନାଶକ ପ୍ରୟୋଗକାରୀ ଉପକରଣ ଗୁଡ଼ିକର କାର୍ଯ୍ୟକ୍ଷମତା ଯାଞ୍ଚ କରି ନିଅନ୍ତୁ, ସେଗୁଡିକ ତୃଟିବିହିନ ଏବଂ ସଠିକ୍ ଭାବବେ କାର୍ଯ୍ୟ କରୁଥିବା ନିହାତି ଆବଶ୍ୟକ । ଦୀର୍ଘ ଦିନ ହେଲା ବ୍ୟବହୃତ ହୋଇ ନଥିବା କିମ୍ବା କଣା ଥିବା ଉପକରଣ ଗୁଡିକୁ ଆଦୌ ବ୍ୟବହାର କରନ୍ତୁ ନାହିଁ ।
  • ପ୍ରୟୋଗ ସ୍ଥଳକୁ ବା ଜମିକୁ କେବଳ ଆବଶ୍ୟକ ମାତ୍ରାର କୀଟନାଶକ ନିଅନ୍ତୁ ଏବଂ ତାହାକୁ ନିରାପଦ ସ୍ଥାନରେ ରଖନ୍ତୁ ।
  • ପୁର୍ବରୁ କୌଣସି ରୋଗରେ ଆକ୍ରାନ୍ତ ଥିଲେ କିମ୍ବା ଶରୀର ଅସୁସ୍ଥ ଥିଲେ କୀଟନାଶକ ପ୍ରୟୋଗ କରିବାଲାଗି ଯାଆନ୍ତୁ ନାହିଁ ।

କୀଟନାଶକ ମିଶ୍ରଣ ପ୍ରସ୍ତୁତି ଓ ପ୍ରୟୋଗ କରିବା ସମୟରେ କଣ କରିବେ-

  • କୀଟନାଶକ ବିଷ ବ୍ୟବହାର କରିବା ସମୟରେ କଦାପି ଏକୁଟିଆ କାର୍ଯ୍ୟ କରନ୍ତୁ ନାହିଁ । ଏହି କାର୍ଯ୍ୟ କରିବା ପାଇଁ କୌଣସି ଶିଶୁ କିମ୍ଵା ଅନଭ୍ୟସ୍ତ ବ୍ୟକ୍ତିଙ୍କ‍ ସାହାଯ୍ୟ ନିଅନ୍ତୁ ନାହିଁ ।
  • କୀଟନାଶକ ମିଶ୍ରଣ ପ୍ରସ୍ତୁତ କରିବା କିମ୍ଵା ପ୍ରୟୋଗ କରିବା ସମୟରେ ଖାଇବା, ପିଇବା କିମ୍ଵା ଧୁମ୍ରପାନ କରନ୍ତୁ ନାହିଁ ।
  • କୀଟନାଶକ ଡବାର ଠିପିକୁ ପାଟି ଦ୍ୱାରା କଦାପି ଖୋଲନ୍ତୁ ନାହିଁ ।
  • କୀଟନାଶକ ରସାୟନ ମିଶ୍ରଣ କରିବା ସମୟରେ ଏହାର ଛିଟିକା ଯେପରି ଚର୍ମ, ଚକ୍ଷୁ କିମ୍ବା ପାଟିରେ ନ ପଡ଼େ ସେଥିପ୍ରତି ଜାଗ୍ରତ ରୁହନ୍ତୁ ।
  • ସର୍ବଦା କାର୍ଯ୍ୟ ସ୍ଥଳରେ ଧୁଆଧୋଇ କରିବା ଲାଗି ପର୍ଯ୍ୟାପ୍ତ ପରିମାଣର ପାଣିର ସୁବିଧା କରି ରଖନ୍ତୁ ।
  • ଗୁଣ୍ଡଜାତିୟ କୀଟନାଶକ ବ୍ୟବହାର କରିବା ସମୟରେ ବିଷାକ୍ତ କଣିକା ଯେପରି ନାକ ଭିତରକୁ ପ୍ରବେଶ ନକରେ ସେଥିପ୍ରତି ସଚେତନ ରୁହନ୍ତୁ ।
  • ସିଞ୍ଚନ ହେବାକୁ ଥିବା କୀଟନାଶକର ନିର୍ଦ୍ଧିଷ୍ଟ ମାତ୍ରା ଏବଂ ଆବଶ୍ୟକ ଜଳର ପରିମାଣକୁ ପୂର୍ବରୁ ହିସାବ କରି ରଖନ୍ତୁ । ଉତ୍ତମ ଫଳାଫଳ ଲାଗି ସର୍ବଦା କୀଟନାଶକର ଅନୁମୋଦିତ ମାତ୍ରା ହିଁ ବ୍ୟବହାର କରନ୍ତୁ ।
  • ଜଳରେ ଦ୍ରବଣୀୟ କୀଟନାଶକ ଗୁଡିକର ଦ୍ରବଣ ପ୍ରସ୍ତୁତ କରିବାବେଳେ, ପ୍ରଥମେ କୀଟନାଶକକୁ ଏକ ବଡ ପାତ୍ରରେ ଢାଳନ୍ତୁ ଏବଂ ପରେ ସେଥିରେ ଆବଶ୍ୟକ ପରିମାଣର ଜଳ ଢାଳି ମିଶାନ୍ତୁ । ଏହା ଦ୍ୱାରାରାସାୟନଟି ସମାନ ଭାବରେ ଜଳରେ ମିସିଯିବ ।
  • ଏହା ଉପଦେଶଯୋଗ୍ୟ ଯେ, ପ୍ରଥମେ କୀଟନାଶକ ରସାୟନକୁ ବାହାରେ ଏକ ଅଲଗା ପାତ୍ରରେ ଭଲଭାବେ ପାଣିରେ ମିଶାଇ ତାପରେ ଏହାକୁ ସିଞ୍ଚନ ଉପକରଣ କିମ୍ବା ସିଞ୍ଚନ ଟାଙ୍କିକୁ ସ୍ଥାନାନ୍ତର କରନ୍ତୁ ।
  • କୀଟନାଶକର ପ୍ରକାର ଅନୁଯାୟୀ ସର୍ବଦା ସଠିକ୍ ଉପକରଣ ବ୍ୟବହାର କରନ୍ତୁ, ଯଥା : ଜଳରେ ଦ୍ରବଣୀୟ କୀଟନାଶକ ପ୍ରୟୋଗ ପାଇଁ ଜଳ ସିଞ୍ଚନ ଯନ୍ତ୍ର (ନାପସାକ୍ ସ୍ପ୍ରେୟର), ଗୋଡଚଳିତ ଯନ୍ତ୍ର (ଫୁଟ୍ ସ୍ପ୍ରେୟର) ବା ରକିଂଗ୍ ସ୍ପ୍ରେୟର୍; ଗୁଣ୍ଡ ପ୍ରୟୋଗ ପାଇଁ ଗୁଣ୍ଡ ବିଞ୍ଚନ ଯନ୍ତ୍ର (ଡସ୍ଟର); ଦାନାଦାର୍ ପ୍ରୟୋଗ ପାଇଁ ଦାନାଦାର ବିଞ୍ଚନ ଯନ୍ତ୍ର (ଗ୍ରାନୁଲେଟର୍ ବା ଗ୍ରାନୁଲ୍ ଆପ୍ଳିକେଟର୍); ଧୂଆଁ ଦେବା ପାଇଁ ଧୂଆଁ ସୃଷ୍ଟିକାରୀ ଯନ୍ତ୍ର (ସ୍ମୋକ ଜେନେରେଟର ବା ଥର୍ମାଲ୍ ଫଗର୍) ।
  • ଦାନାଦାର କୀଟନାଶକ ପ୍ରୟୋଗ କରିବା ସମୟରେ ମାଟି ସାମାନ୍ୟା ଓଦା ଥିବା ଅତ୍ୟନ୍ତ ଜରୁରୀ । ମାଟି ଅତ୍ୟଧିକ ସୁଖିଲା ଥିବା ସମୟରେ ଦାନାଦାର ଜାତୀୟ କୀଟନାଶକ ପ୍ରୟୋଗ କରନ୍ତୁ ନାହିଁ ।
  • କୀଟନାଶକ ସିଞ୍ଚନ / ବିଞ୍ଚନ ସୁବୁବେଳେ ପବନ ବହୁଥିବା ଦିଗକୁ ହିଁ କରନ୍ତୁ । ପବନର ବେଗ ଅତ୍ୟଧିକ ଥିଲେ ଜୀବନାଶକ ପ୍ରୟୋଗ କରନ୍ତୁ ନାହିଁ ।
  • କୀଟନାଶକ ଓ ଫିମ୍ପିନାଶକର ସିଞ୍ଚନ ସର୍ବଦା ହୋଲୋକୋନ୍ ନୋଜଲ ଫିଟ୍ ହୋଇଥିବା ସ୍ପ୍ରେୟର ଦ୍ୱାରା କରନ୍ତୁ ।
  • ବାଷ୍ପିଭୁତ ହେବାରୁ ରକ୍ଷା କରିବା ପାଇଁ ସିଞ୍ଚନ କାର୍ଯ୍ୟ ସର୍ବଦା ସକାଳେ କିମ୍ବା ସନ୍ଧ୍ୟା ପୁର୍ବରୁ କରିବା ଉଚିତ୍ । ଗୁଣ୍ଡ ଜାତିୟ କୀଟନାଶକ ପ୍ରୟୋଗ ସର୍ବଦା ସକାଳ ସମୟରେ ଯେତେବେଳେ ଗଛ ର ପତ୍ର ଗୁଡିକ କାକର ରେ ଭିଜି କରି ଥିବ ସେତେବେଳେ କରାଯିବା ଆବଶ୍ୟକ ।
  • ଜମିରେ ଗୋଟିଏ ଜାତୀୟ ବା ସମାନ ପ୍ରକାରର କୀଟନାଶକ ବାରମ୍ବାର ପ୍ରୟୋଗ କରନ୍ତୁ ନାହି । ଏହାଦ୍ୱାରା କୀଟନାଶକ ପ୍ରତି କୀଟର ପ୍ରତିରୋଧ କ୍ଷମତା ବଢି ଥାଏ ।
  • କୀଟନାଶକ ସିଞ୍ଚନ ଏହିପରି ଭାବେ କରିବା ଉଚିତ୍ ଯେପରି ଏହା ସମସ୍ତ ଗଛ ଏବଂ ଗଛର ସମସ୍ତ ଅଂଶରେ ସମାନ ଭାବରେ ଉପଚାରିତ ହୋଇଥିବ ।
  • ଏହା ଉପଦେଶଯୋଗ୍ୟ ଯେ, ଅଧିକ ପରିମାଣର ଜମିରେ କୀଟନାଶକ ସିଞ୍ଚନ କରିବାର ଥିଲେ, ମଝିରେ ମଝିରେ ବିଶ୍ରାମ ନିଅନ୍ତୁ । କ୍ରମାଗତ ଭାବରେ ଦୀର୍ଘ ସମୟ ଧରି ସିଞ୍ଚନ କାର୍ଯ୍ୟ କରନ୍ତୁ ନାହିଁ ।

କୀଟନାଶକ ପ୍ରୟୋଗ କରିସାରିବା ପରେ କଣ କରିବେ-

  • ସଫା କରିବା କ୍ଷାର କିମ୍ବା ସାବୁନ ଦ୍ରବଣ ଦ୍ୱାରା ସମସ୍ତ ଉପକରଣ ଗୁଡିକୁ ଭଲ ଭାବରେ ସଫା କରନ୍ତୁ ଏବଂ ସାଇତି ରଖିବା ପୁର୍ବରୁ ସଠିକ୍ ରୂପେ ସୁଖାଇ ଦିଅନ୍ତୁ, ଯେପରିକି ସେଥିରେ ପାଣି ଜମି ନରୁହେ ।
  • ମଇଳା ଅଟକି ରହିଥିବା ଉପକରଣର ନଳୀକୁ କଦାପି ପାଟିରେ ଫୁଙ୍କି କିମ୍ବା ଖାଲି ହାତରେ ସଫା କରନ୍ତୁ ନାହିଁ ।
  • କେବେହେଲେ ଅବ୍ୟବହୃତ କୀଟନାଶକ ଗୁଡିକୁ କ୍ଷେତରେ ଛାଡି କରି ଆସନ୍ତୁ ନାହିଁ । ସେଗୁଡିକୁ ଭଣ୍ଡାରକୁ ଫେରାଇ ଆଣି ସାଇତି ରଖନ୍ତୁ ।
  • ଖାଲି ହୋଇ ଯାଇଥିବା କୀଟନାଶକ ଡବା ଗୁଡିକୁ ନିରାପତାର ସହ ନଷ୍ଟ କରିଦେବା ଉଚିତ୍ କିମ୍ବା ଚାରଣ ଭୂମି ଓ ଜଳାଶ୍ରୟ ଠାରୁ ଦୂରରେ ଫିଙ୍ଗିଦେବା ଉଚ୍ଚିତ । ଯଦି କୌଣସି ପାତ୍ରକୁ ନିଆଁରେ ଜଳେଇବା ଦରକାର ପଡେ, ତେବେ ପୋଡିଲାବେଳେ ଧୂଆଁ ପାଖରେ ଛିଡା ହୁଅନ୍ତୁ ନାହିଁ ।
  • ସିଞ୍ଚନ ସମୟରେ ପିନ୍ଧିଥିବା ପୋଷକ ଗୁଡିକୁ ଖୋଲି ଏହାକୁ ସାବୁନ କିମ୍ବା ସଫାକାରୀ ପଦାର୍ଥ ଦ୍ୱାରା ସଫା କରି ଦିଅନ୍ତୁ ।
  • ନିଜେ ଉପଯୁକ୍ତ ଭାବରେ ସାବୁନ ଲଗାଇ ଗାଧୋଇ ପଡନ୍ତୁ ଏବଂ ଉତ୍ତମ ବାୟୁ ଚଳାଚଳ ହେଉଥିବା ସ୍ଥାନରେ ବିଶ୍ରାମ ନିଅନ୍ତୁ ।
  • ପଡୋଶୀ ଲୋକମାନଙ୍କୁ ଜମିରେ କୀଟନାଶକ ସିଞ୍ଚନ ବିଷୟରେ ସତର୍କ ସୂଚନା ପ୍ରଦାନ କରନ୍ତୁ ଓ ସମ୍ଭବତଃ ଜମିରେ ବିପଦ ସୁଚନା ଫଳକ ଲଗାଇ ରଖନ୍ତୁ । କୀଟନାଶକ ପ୍ରୟୋଗ ହୋଇଥିବା ଜମିରେ କୌଣସି ବ୍ୟକ୍ତି କିମ୍ବା ତୃଣଭୋଜି ପ୍ରାଣୀଙ୍କୁ ପଶିବାକୁ ଦିଅନ୍ତୁ ନାହିଁ ।
  • କୀଟନାଶକ ପ୍ରୟୋଗର ତୁରନ୍ତ ବାଦେ ରାନ୍ଧିବା ଲାଗି ଗଛରୁ ଫଳ ତୋଳନ୍ତୁ ନାହିଁ , ଏହା ଶରୀର ପ୍ରତି ଅତ୍ୟନ୍ତ ହାନିକାରକ ଅଟେ । କୀଟନାଶକ ପ୍ରୟୋଗ କରିବାର ୫ ରୁ ୭ ଦିନ ପରେ ହିଁ ଗଛର ଫଳକୁ ଖାଇବା କିମ୍ବା ରାନ୍ଧିବାରେ ବ୍ୟବହାର କରନ୍ତୁ ।
  • ଏହା ଉପଦେଶଯୋଗ୍ୟ ଯେ, ପ୍ରୟୋଗ କରାଯାଇଥିବା କୀଟନାଶକର ନାମ ସହିତ ପ୍ରୟୋଗର ତାରିଖକୁ ଲେଖି ରଖନ୍ତୁ ।
  • କୀଟନାଶକ ସିଞ୍ଚନ କରିବା ସମୟରେ କିମ୍ବା ତାପରେ ଯଦି କୌଣସି ପାର୍ଶ୍ୱପ୍ରତିକ୍ରିୟା ବା ସ୍ଵାସ୍ଥ୍ୟରେ ଅସ୍ଵଭାବିକତା ଅନୁଭବ ହୁଏ, ତାହାହେଲେ ଯଥା ଶୀଘ୍ର ନିକଟସ୍ଥ ସ୍ଵାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ସହ ଯୋଗଯୋଗ କରନ୍ତୁ ।

କୀଟନାଶକ ପ୍ରୟୋଗ ସମୟରେ ଆବଶ୍ୟକୀୟ ରକ୍ଷାତ୍ମକ ପୋଷାକ-

ଲୋକପ୍ରିୟ ଲେଖା

To Top