ପ୍ରବନ୍ଧ

କିଏ କରୁଛି ସ୍ମାର୍ଟ ଓଡ଼ିଶାର ଚିନ୍ତା ??

Nishikanta Padhi's Odia Prose KIE KARUCHI SMART ODISHARA CHINTAA

ଖୁସି ହୋଇପାରିବେ କି ବନ୍ୟା ମରୁଡ଼ିରେ କ୍ଷତିଗ୍ରସ୍ତ ହେଉଥିବା ସର୍ବହରା ଚାଷୀମାନେ ? ତେବେ କାହିଁକି ଆମର ଛାତି ସବୁ ଫାଟି ପଡୁଛି ଗର୍ବରେ ? ବର୍ଷ ବର୍ଷ ଧରି ରାଜଧାନୀକୁ ରଙ୍ଗେଇବା ପାଇଁ ଯୋଜନାମାନ ଚାଲୁଛି ତ ଚାଲୁଛି ।

କିଏ କରୁଛି ସ୍ମାର୍ଟ ଓଡ଼ିଶାର ଚିନ୍ତା ??

ଆମ ରାଜଧାନୀ ଭୁବନେଶ୍ୱର ଆଜି ସ୍ମାର୍ଟ ସିଟି ତାଲିକାର ଶୀର୍ଷରେ ସ୍ଥାନ ପାଇଛି । ସେଥିପାଇଁ ଆଜି ଆମେ ଗର୍ବ ଅନୁଭବ କରୁଅଛେ । ଏବେ ରାଜଧାନୀ ଆହୁରି ଚଳଚଞ୍ଚଳ ହୋଇଉଠିବ । ହାତ ପାହାନ୍ତାରେ ସବୁ ସୁବିଧା ମିଳିବ । ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ । ରାସ୍ତାଘାଟ, ହାଟବଜାର ସବୁରେ ଉନ୍ନତିକରଣ କରାଯିବ । ହେଲେ କେତେ ଓଡ଼ିଆ ଏ ସବୁକୁ ଉପଭୋଗ କରିପାରିବେ ? ଖୁସି ହୋଇପାରିବେ କି ଓଡ଼ିଶାର ଗାଁଗଣ୍ଡାରେ ଭୋକ ଉପାସରେ ନିଷ୍ପେସିତ ହେଉଥିବା ଦରିଦ୍ର ଓଡ଼ିଆମାନେ ? ଖୁସି ହୋଇ ପାରିବେ କି ପରଦେଶୀ ଦାଦନ ଖଟୁଥିବା ଓଡ଼ିଆମାନେ ? ଖୁସି ହୋଇପାରିବେ କି ବନ୍ୟା ମରୁଡ଼ିରେ କ୍ଷତିଗ୍ରସ୍ତ ହେଉଥିବା ସର୍ବହରା ଚାଷୀମାନେ ? ତେବେ କାହିଁକି ଆମର ଛାତି ସବୁ ଫାଟି ପଡୁଛି ଗର୍ବରେ ? ବର୍ଷ ବର୍ଷ ଧରି ରାଜଧାନୀକୁ ରଙ୍ଗେଇବା ପାଇଁ ଯୋଜନାମାନ ଚାଲୁଛି ତ ଚାଲୁଛି । କାନ୍ଥବାଡ଼ ଚିତ୍ର ବିଚିତ୍ର ହେଉଛି । ଫ୍ଲାଇଓଭର୍ ତିଆରି ହେଉଛି । ରାସ୍ତା ଚଉଡ଼ା ହେଉଛି । ଦିନରାତି କମିଶନରେଟ୍ ପୋଲିସ୍‌ର ପିସିଆର୍ ଭ୍ୟାନ୍ ଚାଲୁଛି । ରାସ୍ତାଘାଟ, ନାଳ କଡ଼ରେ ବ୍ଲିଚିଙ୍ଗ୍ ପଡୁଛି । ହେଲେ ବଦଳି ପାରୁନି ଗୋଟିଏ ଭୋକିଲା ଭୂଖଣ୍ଡର ଭୌଗୋଳିକ ମାନଚିତ୍ର । ପରିବର୍ତ୍ତନ ଆସୁନି ହୃଦୟରେ, ମନରେ ତଥା ଆଚରଣ, ଚରିତ୍ର ଓ ବ୍ୟବହାରରେ । ଯିଏ ଧନୀ, ପୁଞ୍ଜିପତି, କୋଟିପତି ସେ ଗଢ଼ିଚାଲିଛି ଟଙ୍କାର ପାହାଡ଼ ପରେ ପାହାଡ଼ । କଳା ହେଉ ବା ଧଳା ହେଉ ସେ ଏକ କଳ୍ପନାର ରାଜପୁତ୍ର, କୁବେର, ଜମିଦାର ଆଉ ଯିଏ ଗରିବ ସେ ଦିନକୁ ଦିନ ନିଃସ୍ୱ ହୋଇଯାଉଛି । ଆଉ ଏସବୁର ଲୀଳା କ୍ଷେତ୍ର ପାଲଟିଛି ସ୍ମାର୍ଟ ସିଟି ଭୁବନେଶ୍ୱର । ଯେଉଁଠି ଏ.ସି. ଦପ୍ତର ଭିତରେ ବସି ମନ୍ତ୍ରୀ ଆଉ ଅମଲାମାନେ ଗରିବର ଭାଗ୍ୟକୁ ନେଇ କରୁଛନ୍ତି ଛଳନା ଓ ପ୍ରତାରଣାର ଜଟିଳ ଜ୍ୟାମିତିକୁ । ନିପଟ ମଫସଲର ମା’ଥନରୁ କ୍ଷୀର ଝରେନା ଝରେ ରକ୍ତ, ଭୋକ ବଦଳରେ ଶିଶୁ ଆଖିବୁଜେ ଅଥଚ ସ୍ମାର୍ଟ ସିଟିରେ ଚାଲେ ଆଧାର ବଣ୍ଟନ । ଗରିବର ଘରେ ଜଳେନା ଚୂଲି, ଜଳେନା ଡିବି କି ଲଣ୍ଠନ । ଅଭାବର ଜାନୁ ଜଙ୍ଘ ଲୁଚାଇବା ପାଇଁ ନ ଥାଏ କନା କି କପଡ଼ା ଅଥଚ ସ୍ମାର୍ଟ ସିଟି ଝଲସେ ନିଅନର ଆଲୁଅରେ । ସେମାନଙ୍କ ପାଇଁ ରାତ୍ରି ଆଣେ ଅନେକ ଦୁଃସ୍ୱପ୍ନ ଅନେକ ଭୟ ଓ ଆତଙ୍କ ହେଲେ ସ୍ମାର୍ଟ ସିଟିର ରାତି ଝୁମେ ଚିଅର୍ସ ପିଆଲାରେ । ସ୍ମାର୍ଟ ସିଟିର ଝଲକ କେବେ ବଦଳାଇ ପାରିବନି ଓଡ଼ିଆ ଜାତିର ଭାଗ୍ୟ । ବିଶ୍ୱ ଦରବାରରେ ଓଡ଼ିଆ ଜାତିର ପରିଚୟ ପ୍ରତିଷ୍ଠା ପାଇଁ ପ୍ରତ୍ୟେକ ଓଡ଼ିଆଙ୍କୁ ହିଁ ସ୍ମାର୍ଟ ହେବାକୁ ପଡ଼ିବ । ଆଜି କେନ୍ଦ୍ର ଅନୁଦାନରୁ ଓଡ଼ିଶା ଉପେକ୍ଷିତ ହେଉଛି । ଓଡ଼ିଶାର ସ୍ୱାର୍ଥ ଓ ନ୍ୟାୟ ଦାବିକୁ କୁଠାରଘାତ କରାଯାଉଛି ଅଥଚ ସଂସଦରେ ଓଡ଼ିଆମାନେ ପାଟି ଚୁପ୍ କରି ବସୁଛନ୍ତି । ଏଇ କ’ଣ ଆମର ସ୍ମାର୍ଟନେସ୍ ? ବହୁ ପ୍ରତୀକ୍ଷିତ ପାରାଦ୍ୱୀପର ତୈଳ ବିଶୋଧନାଗାର ପ୍ରଧାନମନ୍ତ୍ରୀଙ୍କ କର କମଳରେ ଲୋକାର୍ପିତ ହେଲା । ଗ୍ରାମାଞ୍ଚଳ ତଥା ମଫସଲର ଓଡ଼ିଆମାନଙ୍କ ପାଖରେ ବାର୍ତ୍ତା ନ ଥିଲା । ଅଥଚ ରାଜଧାନୀର ଦଳୀୟ ହୋର୍ଡିଂର ତାମସା ଚାଲିଲା । ଦଳୀୟ ରାଜନୀତିକୁ ନେଇ ବହୁ ଅଘଟଣ ଘଟିଗଲା । ହୋର୍ଡିଂରେ ରାଜନେତାଙ୍କର ମୁହଁ ଦଳୀୟ ରାଜନୀତିର ସନ୍ଦେଶ ନେଇ ଯେପରି ବିଦ୍ରୁପ କରୁଥିଲେ । ଆଜି ଦିବାଲୋକରେ ଗଣଧର୍ଷଣ ଚାଲୁଛି । ଖଣି ଲୁଟ୍ ହେଉଛି, କନ୍ୟାଭ୍ରୁଣ ହତ୍ୟା ଚାଲିଛି, ଶିଶୁ ଶ୍ରମିକମାନେ ଦାଦନ ଖଟୁଛନ୍ତି । ନେତା ଓ ମନ୍ତ୍ରୀଙ୍କ ସୁପାରିଶରେ ସେକ୍ସରାକେଟ୍ ଚାଲିଛି । ମାଫିଆମାନେ ଅପରାଧ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି । ଗୋଟିଏ ଜାତିର ଭାଷା ଓ ସଂସ୍କୃତି ଆଜି ମରିଯିବାକୁ ବସିଲାଣି । ଏସବୁ ଦିଗରେ ଓଡ଼ିଆମାନେ ଆଜି ନିରବ । ସ୍ୱାର୍ଥ ଦାବି ପାଇଁ ସ୍ମାର୍ଟସିଟିର ଲୋଅର ପି.ଏମ୍.ଜି. ଆଜି ଗର୍ଜନରେ ଥରହର ହେଉଛି । ଆମେ ଖାଲି ଆଜି ନିଜ ପାଇଁ ବଞ୍ଚିଛେ । ତେବେ ଏଇ କ’ଣ ଆମର ସ୍ମାର୍ଟନେସ୍ ? ସ୍ମାର୍ଟ ସିଟି ନୁହେଁ ଆମର ଲୋଡ଼ା ସ୍ମାର୍ଟ ଓଡ଼ିଶା । ଯେଉଁଥି ପାଇଁ ସ୍ୱାର୍ଥର ସଂକୀର୍ଣ୍ଣ ଖୋଳପାରୁ ବାହାରି ପ୍ରତ୍ୟେକ ଓଡ଼ିଆକୁ ସ୍ମାର୍ଟ ହେବାକୁ ପଡ଼ିବ ଏବଂ ସମଗ୍ର ବିଶ୍ୱ ଦରବାରରେ ଗୋଟିଏ ସଚ୍ଚା ଓଡ଼ିଆର ପରାକାଷ୍ଠା ଦେଖାଇବାକୁ ହିଁ ହେବ । ଯାହାଫଳରେ ଓଡ଼ିଆ ଜାତିର, ଭାଷା ଓ ସଂସ୍କୃତିକୁ ନେଇ ପ୍ରଗତିର ନନ୍ଦିଘୋଷ ଆଗେଇ ଯିବ ଆଗକୁ ଆଗକୁ ।

“ଜୟ ଓଡ଼ିଶା ସ୍ମାର୍ଟ ଓଡ଼ିଶା”

ପ୍ରତ୍ୟେକ ଓଡ଼ିଆର ଆଶା ଓ ଭରସା ।

ଲୋକପ୍ରିୟ ଲେଖା

To Top