ପ୍ରବନ୍ଧ

କିନ୍ନର ଭଗବାନଙ୍କ ସ୍ୱତନ୍ତ୍ର ସୃଷ୍ଟି

Santosj Kumar Moharana's Odia Prose KINNARA BHAGABAANANKA SWATANTRA SHRUSTI

୨୦୧୪ରେ ସୁପ୍ରିମ୍ କୋର୍ଟ କିନ୍ନରମାନଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ଦେବା ପରେ ମୀରା କିନ୍ନରମାନଙ୍କ ଅଧିକାରର ସୁରକ୍ଷା ପାଇଁ ନିଖିଳ ଓଡ଼ିଶା ତୃତୀୟ ଲିଙ୍ଗୀ ଉନ୍ନୟନ ସମିତି ନାମକ ଏକ ସଂଗଠନ ପ୍ରତିଷ୍ଠା କରିଛନ୍ତି ।

କିନ୍ନର ଭଗବାନଙ୍କ ସ୍ୱତନ୍ତ୍ର ସୃଷ୍ଟି

ଏକ ବିଂଶ ଶତାବ୍ଦୀରେ ମଣିଷ ମଙ୍ଗଳ ଗ୍ରହରେ ଜୀବ ସନ୍ଧାନ କରୁଥିବା ବେଳେ ନିଜ ନିଜ ମଧ୍ୟରେ ଥିବା ବିଭେଦକୁ ଦୂର କରିବାରେ ବିଫଳ ହେଇଛି । ଆଜିର ସମାଜରେ ଦେଖା ଦେଇଥିବା ସମସ୍ୟାମାନଙ୍କ ମଧ୍ୟରେ ଲିଙ୍ଗଗତ ବୈଷମତା ଅନ୍ୟତମ । ପୁରୁଷ ଓ ସ୍ତ୍ରୀ ଏହି ଦୁଇଟି ଲିଙ୍ଗକୁ ସ୍ୱୀକୃତି ମିଳିଥିବା ବେଳେ ତୃତୀୟ ଲିଙ୍ଗ ବା କିନ୍ନରଙ୍କ ବିଷୟରେ ସବୁବେଳେ ଚୁପ୍ ରହିଛି ସମାଜ । ସ୍ୱୀକୃତି ମିଳିବା ତ ଦୂରର କଥା ଏମାନେ ସତେ ଯେପରି ସାଧାରଣ ଲୋକଙ୍କର ଥଟ୍ଟା ପରିହାସର ପାତ୍ର ହୋଇ ବଞ୍ଚି ରହିଛନ୍ତି । ପ୍ରତିଦିନ ଅନେକ କିନ୍ନରଙ୍କୁ ଆମେ ଭିକ କିମ୍ୱା ଦେହ ବ୍ୟବସାୟ କରି ବଞ୍ଚୁଥିବାର ଦେଖିଥାଉ । ସତେ ଯେପରି ସମାଜର ଏମାନଙ୍କ ପ୍ରତି କୌଣସି କର୍ତ୍ତବ୍ୟ ନାହିଁ । କିନ୍ତୁ ଏମାନଙ୍କ ମଧ୍ୟରେ ଏପରି ଜଣେ ଅଛି ଯେ କି କିନ୍ନର ହେଲେ ମଧ୍ୟ କେବେ ବି କିନ୍ନର ତାକୁ ନିଜର ଦୁର୍ବଳତା ଭାବିନି ବରଂ ଏହାକୁ ଭଗବାନଙ୍କ ପ୍ରଦତ୍ତ ଏକ ଆଶୀର୍ବାଦ ମଣି ନିଜେ ସମ୍ମାନର ସହ ମୁଣ୍ଡ ଟେକି ବଞ୍ଚିବା ସହ ଅନ୍ୟ କିନ୍ନରଙ୍କ ପାଇଁ ପ୍ରେରଣା ପାଲଟିଛି । ସେ ହେଲେ “ମାୟାଧର ପରିଡ଼ା ଓରଫ୍ ମୀରା ଅପା” ।

ମୀରା ଅପାଙ୍କ ଜୀବନ କାହାଣୀ ଯେତିକି ସଂଘର୍ଷମୟ ସେତିକି ପ୍ରେରଣା ଦାୟକ । ମାୟାଧରରୁ ମୀରା ପର୍ଯ୍ୟନ୍ତ ସେ ଅତିକ୍ରମ କରିଛନ୍ତି ୩୩ ବର୍ଷର କଣ୍ଟକିତ ପଥ । ଘର ତାଙ୍କର ଖୋର୍ଦ୍ଧା ଜିଲ୍ଲାର ଗଡ଼ତାର ଗାଁରେ । ବାପା ଆର୍ତ୍ତବନ୍ଧୁ ପରିଡ଼ା ଓ ମା’ ମଲ୍ଲିକା ପରିଡ଼ାଙ୍କର ସେ ବଡ଼ ପୁଅ । ବାପା ଥିଲେ ଜଣେ ସାଧାରଣ ଚାଷୀ । ଗାଁରେ ବିଲ ବାଡ଼ି ଅଧିକା ନଥିବାରୁ ବାପା, ମା’ ଓ ସାନଭାଇ ଭଉଣୀମାନେ ଭୁବନେଶ୍ୱରକୁ ଚାଲି ଆସିଥିଲେ । ସେଠାରେ ବାପା ଏକ ଜଳଖିଆ ଦୋକାନ କରି ପରିବାରର ଗୁଜୁରାଣ ମେଣ୍ଟାଉ ଥିଲେ । ମାୟାଧର ସେତେବେଳେ ଗାଁରେ ଜେଜେମା’ଙ୍କ ପାଖରେ ରହି ସ୍କୁଲ୍‌ରେ ପାଠ ପଢୁଥିଲେ । ସପ୍ତମରେ ସେ ପଢୁଥିବା ବେଳେ ହଠାତ୍ ତାଙ୍କ ଜେଜେମା’ଙ୍କର ମୃତ୍ୟୁ ହୁଏ । ସେ ପୁରା ଏକଲା ହୋଇଯାଆନ୍ତି ଜୀବନରେ । ଯେତେବେଳେ ତାଙ୍କୁ ୧୪ ବର୍ଷ ସେତେବେଳେ ଧୀରେ ଧୀରେ ତାଙ୍କ ଠାରେ ନାରୀ ସୁଲଭ ଗୁଣ ସବୁ ଦେଖାଯାଏ । ଲୋକେ ତାଙ୍କୁ ଥଟ୍ଟାରେ ମାଈ ବାଛୁରୀ/ମାଈ ଛୁଆ ବୋଲି ଡାକନ୍ତି । ଦେହ ଶାରୀରିକ ଗଠନରେ ପରିବର୍ତ୍ତନ ଘଟିବା, ଏପଟେ ଲୋକଙ୍କ ଟାହି ଟାପରା ଇଚ୍ଛା ଥିଲେ ମଧ୍ୟ ସେ ଏ ବିଷୟରେ କାହା ସହ ମନ ଖୋଲି କଥା ହୋଇ ପାରୁନଥିଲେ । ମନରେ ସବୁବେଳେ ତାଙ୍କର ଇଚ୍ଛା ହୁଏ ଝିଅ ଭଳି ପୋଷାକ ପିନ୍ଧିବାକୁ, ସଜ ହେବାକୁ ହେଲେ ସମାଜ ଓ ବାପାମା’ଙ୍କୁ ଚାହିଁ ନିଜ ଇଚ୍ଛାକୁ ସେ ନିଜ ଭିତରେ ଚାପି ଦିଅନ୍ତି । ବାପାଙ୍କ ଅସୁସ୍ଥତା ନେଇ ନବମ ଶ୍ରେଣୀରେ ପାଠପଢ଼ାରେ ତାଙ୍କର ଡୋରୀ ବନ୍ଧା ହୁଏ । ଏହାପରେ ସେ ଚାଲି ଆସନ୍ତି ଭୁବନେଶ୍ୱର ବାପାଙ୍କ ପାଖକୁ ।

ବାପାଙ୍କ ଦେହ ଖରାପ ଥିବାରୁ ବଡ଼ ପୁଅ ହିସାବରେ ପରିବାରରର ଭାର ପଡେ଼ ମାୟାଧରଙ୍କ ଉପରେ । ୧୪ ବର୍ଷ ବୟସରେ ସେ ଦୈନିକ ୩୫ଙ୍କା ମଜୁରୀରେ ବାଲି, ସିମେଣ୍ଟ୍ କାମ କରନ୍ତି । କାମରେ ମଧ୍ୟ ସେ ମାଲିକ ଦ୍ୱାରା ବହୁ ପ୍ରକାରର ଯୌନ ଶୋଷଣର ଶିକାର ହୁଅନ୍ତି । କିନ୍ତୁ ପରିବାରର ପ୍ରତିପୋଷଣ ପାଇଁ ସବୁ କିଛି ସେ ଚୁପ୍‌ଚାପ୍‌ ସହିଯାଆନ୍ତି । ଏହାପରେ ସେ ଏକ କୋରିୟର୍ କମ୍ପାନୀରେ କାମ କରିବା ସଙ୍ଗେ ସଙ୍ଗେ ମଡ଼ର୍ଣ୍ଣ ଡ୍ୟାନ୍ସ କ୍ଲାସ୍‌ରେ ଯୋଗ ଦିଅନ୍ତି । ସେଠାକୁ ଆସୁଥିବା ଆଉ ଦୁଇଜଣ ପୁଅଙ୍କ ସଙ୍ଗେ ତାଙ୍କର ଦେଖା ହୁଏ । ସେମାନଙ୍କ ସହ ମିଶି କଥା ହେଲା ପରେ ତାଙ୍କୁ ପ୍ରଥମ ଥର ପାଇଁ ଲାଗେ ଯେ ତାଙ୍କ ପରି ଏ ଦୁନିଆଁରେ ଅନ୍ୟମାନେ ମଧ୍ୟ ଅଛନ୍ତି ଓ ସେ ନିଶ୍ଚିତ ହେଇଯାଆନ୍ତି ଯେ ସେ ପୁରୁଷ ନୁହଁନ୍ତି ସେ ଜଣେ କିନ୍ନର । ଡ୍ୟାନ୍ସ କ୍ଲାସ୍‌ରେ ପ୍ରଥମ ଥର ପାଇଁ ତାଙ୍କର ଅନ୍ୟ କିନ୍ନର ସାଥୀମାନେ ତାଙ୍କୁ ମାୟାଧର ପରିବର୍ତ୍ତେ ମୀରା ଡାକନ୍ତି । କୋରିୟର କାମରେ ବିଭିନ୍ନ ଅଫିସ୍‌କୁ ଯାଉଥିଲା ବେଳେ ତାଙ୍କୁ ନିଜକୁ ପୁଅ ପରି ଅଭିନୟ କରି ଚାଲିବାକୁ ପଡେ଼ । ଏପରିକି ଚୁଟି ବାନ୍ଧିଥିଲେ ମଧ୍ୟ କ୍ୟାପ୍ ତଳେ ଲୁଚାଇବାକୁ ପଡେ଼ । ଏହି ସମୟରେ ଜଣେ ଜନୈକ ଅଫିସ୍ କର୍ମଚାରୀଙ୍କ ସହ ତାଙ୍କର ପ୍ରଥମ ପ୍ରେମ ସମ୍ପର୍କ ସୃଷ୍ଟି ହୁଏ । ମାୟାଧର ଏକ କିନ୍ନର ବୋଲି ଜାଣି ମଧ୍ୟ ସେ ତାଙ୍କୁ ପ୍ରେମ କରନ୍ତି । କିନ୍ତୁ ଏ ସମ୍ପର୍କ ବେଶିଦିନ ତିଷ୍ଠି ନଥିଲା । ଏହାପରେ ଟ୍ରାଭେଲ୍ ଏଜେନ୍ସିରେ କାମ କରିବାଠୁ ନେଇ ନିଜେ ଟ୍ରାଭେଲ୍ ଏଜେନ୍ସି କରିବା ପର୍ଯ୍ୟନ୍ତ କୌଣସି ଥିରେ ମଧ୍ୟ ଭାଗ୍ୟ ତାଙ୍କ ସାଥ ଦେଇ ନଥିଲା । ତେଣୁ ନିରାଶ ହୋଇ ସେ ତାଙ୍କର ଜଣେ କିନ୍ନର ବନ୍ଧୁ ଯେ କି ମୁମ୍ୱାଇରେ ଏକ ବାର୍‌ରେ ଡ୍ୟାନ୍ସ କରୁଥିଲେ ତାଙ୍କ ପାଖକୁ ଚାଲିଗଲେ । ମୁମ୍ୱାଇରେ ତାଙ୍କୁ ସେ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଥିଲେ । ସେଠାରେ ସେ ପ୍ରଥମ ଥର ପାଇଁ ଅନୁଭବ କଲେ ଯେ ମୁମ୍ୱାଇରେ ଥିବା କିନ୍ନରମାନଙ୍କ ତୁଳନାରେ ଓଡ଼ିଶାରେ ଥିବା କିନ୍ନରମାନେ କେତେ ଅବହେଳିତ ଅବସ୍ଥାରେ ଅଛନ୍ତି । ତାଙ୍କର ସାଙ୍ଗ ତାଙ୍କ କିନ୍ନରମାନଙ୍କ ଗୁରୁ ଶାନ୍ତି ଗୁରୁଙ୍କ ପାଖକୁ ନେଇଗଲେ । ଯାହାଙ୍କ ପାଖରେ ସେ ନିଜକୁ କିନ୍ନର ବୋଲି ସ୍ୱତଃ ପ୍ରବୃତ୍ତ ଭାବେ ସ୍ୱୀକାର କରି ତାଙ୍କୁ ନିଜ ଗୁରୁ ରୂପେ ସ୍ୱୀକାର କଲେ । ସେଠାରେ ସମ୍ମାନ ଉଦ୍ଦେଶ୍ୟରେ ମଥାରେ ସିନ୍ଦୂର ପିନ୍ଧିଲେ । ସେଠାରେ ସେ କିନ୍ନରମାନଙ୍କ ସଂସ୍କୃତି ବିଷୟରେ ଜାଣିବା ସହ ତାଙ୍କ ମନରେ ଥିବା ଦ୍ୱନ୍ଦ୍ୱର ମଧ୍ୟ ଅବସାନ ଘଟିଲା ।

ସେ ଦୃଢ଼ ନିଶ୍ଚୟ କଲେ ଯେ ଏଣିକି ସେ ଏକ କିନ୍ନର ଭଳି ଜୀବନ ଯାପନ କରିବେ । ତେବେ ମାୟାଧରଙ୍କ ଓରଫ୍ ମୀରାଙ୍କ କହିବା ଅନୁସାରେ ୨୦୦୪ରେ ଘଟିଥିବା ତାଙ୍କର ବିବାହ ତାଙ୍କ ଜୀବନର ଏକ ମସ୍ତବଡ଼ ଭୁଲ୍ ଥିଲା । ଯଦିଓ ସେ ଜାଣିଥିଲେ ସେ ଜଣେ କିନ୍ନର ତଥାପି ପରିବାରର ଚାପରେ ସେ ବିବାହ କରିଥିଲେ ଓ ଏହାର ଚାରିମାସ ମଧ୍ୟରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଥିଲା । ୨୦୦୭ରେ ସେ ତାଙ୍କର ୮/୧୦ କିନ୍ନର ସାଥୀଙ୍କ ସହ ମିଶି କିନ୍ନରମାନଙ୍କ ଉନ୍ନତି ନିମନ୍ତେ ସଖା ନାମକ ଏକ ସଂଗଠନ ଆରମ୍ଭ କଲେ । ପ୍ରଥମେ ପ୍ରଥମେ କୌଣସି କିନ୍ନର ଲୋକ ଲଜ୍ଜ୍ୟା ଦୃଷ୍ଟିରୁ ଆଗକୁ ଆସି ନଥିବା ବେଳେ ମୀରା ଏହି ଆନ୍ଦୋଳନର ମଙ୍ଗ ଧରିଥିଲେ । ୨୦୦୯ରେ ପ୍ରଥମ ଥର ପାଇଁ ମୀରା ସର୍ବସାଧାରଣ ସମ୍ମୁଖରେ ନିଜକୁ କିନ୍ନର ବୋଲି ଘୋଷଣା କରିବା ସଙ୍ଗେ ସଙ୍ଗେ ଆଫିଡ଼େଭିଟ୍ କରି ନିଜ ନାମକୁ ମାୟାଧରରୁ ମୀରାକୁ ପରିବର୍ତ୍ତନ କରିଥିଲେ । ମୀରାଙ୍କ ଏପରି ପଦକ୍ଷେପ ସେତେବେଳେ ତାଙ୍କ ପରିବାର ପ୍ରତି ଆଣି ଦେଇଥିଲା ବହୁ ପରିମାଣର ନିନ୍ଦା ଓ ଅପମାନ । କିନ୍ତୁ ବାପା, ମା’ଙ୍କର ତାଙ୍କ ପ୍ରତି ଥିବା ସମର୍ଥନ ତାଙ୍କର କର୍ତ୍ତବ୍ୟ ପଥରୁ ବିଚ୍ୟୁତ କରିନଥିଲା । ବିଭିନ୍ନ ସାମାଜିକ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହେଉ ଅବା ସେ ରକ୍ତଦାନ ଶିବିର କିମ୍ୱା ଗରିବ ଝିଅଙ୍କ ବିଭାଘର ଅଥବା ବନ୍ୟା ପ୍ରପୀଡ଼ିତଙ୍କ ସାହାଯ୍ୟ ସବୁଠି ମୀରାଙ୍କ ସକ୍ରିୟ ଭୂମିକା ଦେଖିବାକୁ ମିଳେ ।

୨୦୧୪ରେ ସୁପ୍ରିମ୍ କୋର୍ଟ କିନ୍ନରମାନଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ଦେବା ପରେ ମୀରା କିନ୍ନରମାନଙ୍କ ଅଧିକାରର ସୁରକ୍ଷା ପାଇଁ ନିଖିଳ ଓଡ଼ିଶା ତୃତୀୟ ଲିଙ୍ଗୀ ଉନ୍ନୟନ ସମିତି ନାମକ ଏକ ସଂଗଠନ ପ୍ରତିଷ୍ଠା କରିଛନ୍ତି । ତେବେ ନିକଟ ଅତୀତରେ ମୀରା ତାଙ୍କ ମା’ଙ୍କଠୁ ପାଇଥିବା ୧୦୦ ଡେସିମିଲି ଜାଗାକୁ ସେ କିନ୍ନର ଓ ଅସହାୟ ଲୋକଙ୍କ ବୃଦ୍ଧାଶ୍ରମ ନିମନ୍ତେ ଦାନ କରିଛନ୍ତି । ତେବେ କିନ୍ନର ହେବାକୁ ମୀରା କେବେ ବି ନିଜ ଜୀବନରେ ଅଭିଶାପ ହିସାବରେ ଗ୍ରହଣ କରିନାହାଁନ୍ତି ବରଂ ତାଙ୍କ କହିବା ଅନୁସାରେ ଜଣେ କିନ୍ନର ପାଖରେ ପୁରୁଷର ବଳ ଥିବା ସହ ସ୍ତ୍ରୀର ହୃଦୟ ଥିବାରୁ ସେ ଅନ୍ୟ ଠାରୁ ଶ୍ରେଷ୍ଠ ଓ ସ୍ୱତନ୍ତ୍ର ।

ଲୋକପ୍ରିୟ ଲେଖା

To Top