ପ୍ରବନ୍ଧ

କୀର୍ତନଭକ୍ତି ରହସ୍ୟ

Sushant Kumar Mahapatro's odia prose Kirtanbhakti Rahasya

ଯଦି କୀର୍ତନ କରିବା ପାଇଁ ଈଛୁକ ତେବେ ନିତାଇ , ଗୈାରାଙ୍ଗଙ୍କ ପରି କୀର୍ତନ କର । ଗାଇବା ପାଇଁ ଚାହୁଁଥିଲେ ରାଧାଙ୍କ ପରି ଗାଅ ।

କୀର୍ତନଭକ୍ତି ରହସ୍ୟ

ନବଧା ଭକ୍ତିର ଦ୍ୱିତୀୟ ପର୍ଯ୍ୟାୟ କୀର୍ତନ ଭକ୍ତି । ଭଗବାନଙ୍କର ନାମ, ରୂପ, ଗୁଣ, ପ୍ରଭାବ, ଚରିତ୍ର, ତତ୍ୱ ଓ ରହସ୍ୟାଦିକୁ ଶ୍ରଦ୍ଧା ଏବଂ ପ୍ରେମ ପୂର୍ବକ ଉଚ୍ଚାରଣ କରିବାହିଁ କୀର୍ତନ ଭକ୍ତି ଅଟେ । ନର୍ତକୀ ଯେପରି ନୃତ୍ୟର ତାଳେ ତାଳେ ଅବିରାମ ଗତିରେ ଛନ୍ଦାୟିତ ପଦଯୁଗଳକୁ ଚାଳିତ କରି ନୂପୁର ନିକ୍ୱଣର କିଣିି କିଣି ନିନାଦରେ ଜନମନ ହରଣ କରିଥାଏ, ଠିକ୍ ସେହିପରି ଭଗବତ୍ କଥା ବ୍ୟାଖ୍ୟାନ ଦ୍ୱାରା, ଉପାଂଶୁ ଜପ କିମ୍ବା ଉଚ୍ଚ ସ୍ୱର ସହିତ ଏକାକୀ ଏକାନ୍ତରେ ଅଥବା ଏକାଧିକ ବ୍ୟକ୍ତିଙ୍କ ଗହଣରେ ଉପବେଶନ କରି କିମ୍ବା ଉତ୍ଥିତ ହୋଇ ସ୍ତୁତି, ପ୍ରାର୍ଥନା କରେ ତାହାହିଁ କୀର୍ତନ ଭକ୍ତି ଅଟେ । ଏକାଗ୍ରତା ଓ ତନ୍ମୟତା ଶରୀରରେ ଅଷ୍ଟ ସାତ୍ୱିକ ଭାବ-ରୋମାଞ୍ଚ, କଣ୍ଠାବରୋଧ ,ଅଶ୍ରୁପାତ, ପ୍ରଫୁଲ୍ଲତା, ମୁଗ୍ଧତା ପ୍ରଭୃତି ସୃଷ୍ଟି ହୋଇଥାଏ । ଭୁଲିଯାଏ ସେ ତାହାର ସ୍ଥିତି ସ୍ଥାପକତାକୁ । ଭକ୍ତିରସ ପିପାଶୁ ଭକ୍ତ ପାଇଁ ଶୁଦ୍ଧ ଆଚରଣ, ବୟସ, ବିଦ୍ୟା, ରୂପ, ଧନ, ବଂଶ ଗାରିମା, ପୈାରୁଷର ଆବଶ୍ୟକତା ନଥାଏ । ନାରଦୀୟ ଭକ୍ତିସୂତ୍ରରେ ଭଗବାନ କହିଛିନ୍ତି-

ବ୍ୟାଧସ୍ୟାଚରଣଂ ଧ୍ରୁବସ୍ୟଚ ବୟଃ ବିଦ୍ୟା ଗଜେନ୍ଦ୍ରସ୍ୟକା,
କୁବ୍‌ଜାୟାଂ କିମୁନାମ ରୂପମଧିକଂ କିନ୍ତତ୍ ସୁଦାମ୍ନୋ ଧନଃ,
ବଂଶଃ କଃ ବିଦୁରସ୍ୟ ଯାଦବ ପତେଃ ଉଗ୍ରସ୍ୟ କିଂ ପୈାରୁଷମ୍,
ଭକ୍ତ୍ୟା ତୁଷ୍ୟତି କେବଳଂ ନ ଚ ଗୁଣୈଃ ର୍ଭକ୍ତିପ୍ରିୟୋ ମାଧବଃ ।

ରାମାୟଣ ଯୁଗର ଶବରୀର ନଥିଲା ଜ୍ଞାନ, ଗୁଣର ଗରିମା, ନଥିଲା ଶୁଦ୍ଧ ଆଚରଣ । ଚାଖି ଚାଖି ମିଠା କୋଳି ଖୁଆଉଥିଲା ମର୍ଯ୍ୟାଦା ପୁରୁଷୋତମ ଭଗବାନ ଶ୍ରୀରାମଚନ୍ଦ୍ରଙ୍କୁ । ସାତ ବରଷର ବାଳକ ଧ୍ରୁବର ନଥିଲା ଚିନ୍ତାଶୀଳ ପରିପକ୍ୱ ବୟସ, ଗଜର ନଥିଲା ବିଦ୍ୟା ବିଚକ୍ଷଣତା, ମନଲୋଭା ରୂପ ନଥିଲା ଦ୍ୱାପର ଯୁଗର କୁବ୍‌ଜାର, ସୁଦାମାଙ୍କର ଧନର ପ୍ରାଚୁର୍ଯ୍ୟ, ଦାସୀ ପୁତ୍ର ବିଦୂରଙ୍କ ବଂଶ ଗାରିମା, ମହାପ୍ରତାପୀ କଂସ ର ପିତା ଉଗ୍ରସେନଙ୍କ କଅଣ ବା ଥିଲା ପୈାରୁଷ, କିନ୍ତୁ ଏହି ସମସ୍ତ ଭକ୍ତ ନିଜର ଭକ୍ତିର ମନ୍ଦାକିନୀରେ ଭଗବାନଙ୍କ ହୃଦୟକୁ ପ୍ଳାବିତ କରି ଭଗବତ୍ କରୁଣା ପ୍ରାପ୍ତ ହୋଇଥିଲେ । ଯେଉଁଠାରେ ଭକ୍ତିର ମଧୁର ମୂର୍ଚ୍ଛନା ମଧୁ ଗୁଞ୍ଜରଣ ସୃଷ୍ଟିକରେ ,ସେହିସ୍ଥାନରେ ପ୍ରକଟିତ ହୁଅନ୍ତି ଭକ୍ତିପ୍ରିୟ ମାଧବ ବୈକୁଣ୍ଠବିହାରୀ । ସ୍ୱୟଂ ଭଗବାନଙ୍କ ମୁଖପଦ୍ମରୁ ସୁଧା ସମ ବିଗଳିତ ହୋଇଛି-

ନାହଂ ତିଷ୍ଠାମି ବୈକୁଣ୍ଠେ ଯୋଗୀନାଂ ହୃଦୟେ ନ ଚ ,
ମଦ୍ ଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ

ହେ ଭକ୍ତପ୍ରବର ନାରଦ, ମୁଁ ସର୍ବଦା ବୈକୁଣ୍ଠରେ ନଥାଏ କିମ୍ବା ଯୋଗୀ ମାନଙ୍କର ହୃଦପଦ୍ମରେ ନିବାସ କରିନଥାଏ, ମୋର ଭକ୍ତ ମାନେ ଯେଉଁ ସ୍ଥାନରେ ଭକ୍ତି ଓ ପ୍ରେମର ସହିତ ମୋର ଗୁଣାନୁକୀର୍ତନ କରୁଥାଆନ୍ତି, ମୁଁ ସେହି ସ୍ଥାନକୁ ନ ଆସି ରହିପାରେନାହିଁ । ଅନୁଭବୀ ବ୍ୟତିରେକ ତାହା ବର୍ଣ୍ଣନା କରିବା ସହଜସାଧ୍ୟ ନୁହେଁ । ଯେପରିକି ମିଠାର ମିଷ୍ଠତା ବର୍ଣ୍ଣନା ଦ୍ୱାରା ସମ୍ଭବ ନୁହେଁ, ଜିଜ୍ଞାସୁ ବ୍ୟକ୍ତିକୁ ମିଠା ଖାଇବାକୁହିଁ ପଡିଥାଏ । “କଥାରେ କହନ୍ତି-ରାମ ନାମେ କି ରସ ଅଛି ? ପାନ କଲା ଲୋକ ସିନା ଜାଣିଛି” । ଯେପରିକି ଜ୍ଞାନୀନାଂ ଅଗ୍ରଗଣ୍ୟ ଭକ୍ତ ଶିରୋମଣି ହନୁମାନ୍ ଶ୍ରୀରାମ ନାମ କୀର୍ତନ ସମୟରେ ଏତେଦୂର ଭାବବିଭୋର ହୋଇଯାନ୍ତି, ତାହାଙ୍କର ଚକ୍ଷୁଦ୍ୱୟରୁ ଧାରା ଶ୍ରାବଣର ବାରିଧାରା ପରି ଅଶ୍ରୁର ବନ୍ୟା ଛୁଟିଆସେ ।

ଯତ୍ର ଯତ୍ର ରଘୁନାଥ କୀର୍ତନଂ, ତତ୍ର ତତ୍ର କୃତ ମସ୍ତକାଞ୍ଜଳୀ,
ବାଷ୍ପ ବାରୀ ପରିପୂର୍ଣ୍ଣ ଲୋଚନଂ , ମାରୁତି ନମନ୍ତ ରାକ୍ଷସାନ୍ତକମ୍ ।

ଏକାଗ୍ରତା ଓ ତନ୍ମୟଭାବ ବିନା ଭଗବାନଙ୍କ ଅସ୍ତିତ୍ୱ ଓ ସାନ୍ନିଧ୍ୟ ଲାଭ ଅସମ୍ଭବ, ଏଣୁ ଯଥାର୍ଥରେ କୁହାଯାଇଛି-

Do keertan like gauranga,sing like radha,
Pray like prahallad and weep like meera

ଯଦି କୀର୍ତନ କରିବା ପାଇଁ ଈଛୁକ ତେବେ ନିତାଇ , ଗୈାରାଙ୍ଗଙ୍କ ପରି କୀର୍ତନ କର । ଗାଇବା ପାଇଁ ଚାହୁଁଥିଲେ ରାଧାଙ୍କ ପରି ଗାଅ । ପ୍ରହ୍ଳାଦଙ୍କ ଭଳି ପ୍ରାର୍ଥନା କର ଏବଂ କାନ୍ଦିବା ପାଇଁ ଇଚ୍ଛା ହେଲେ ମୀରାଙ୍କ ପରି କାନ୍ଦ, ତେବେ ଯାଇ ଭଗବାନଙ୍କ ପାଖକୁ ତୁମେ ଯିବାକୁ ପଡିବ ନାହିଁ, ସ୍ୱୟଂ ଭକ୍ତବତ୍ସଳ ଭଗବାନ ତୁମ ସମ୍ମୁଖରେ ଆବିର୍ଭୁତ ହୋଇଯିବେ ।

ଗୋସ୍ୱାମୀ ତୁଳସୀ ଦାସ ମହାରାଜ-ନାମର ମହିମା ବର୍ଣ୍ଣନା କରିବାକୁ ଯାଇ କହନ୍ତି,

ନାମ ଜପତ ପ୍ରଭୁ କୀହ୍ନ ପ୍ରସାଦୁ,ଭଗତ ଶିରୋମନି ଭେ ପ୍ରହଲ୍ଲାଦୁ,
ସୁମିରି ପବନ ସୁତ ପାବନ ନାମୁ,ଅପନେ ବଶ କରି ରାଖେ ରାମୁ

ନାମୋଚ୍ଚାରଣ ର ମହିମା ଏତେଦୂର ପରିବ୍ୟାପ୍ତ ଯେ-ପାପୀ ଅଜାମିଳ, ମୃତ୍ୟୁ ସମୟରେ ନାରାୟଣ ନାମଧାରୀ ପୁଅକୁ ଡାକି ମଧ୍ୟ ତରିଯାଇଥିବା କଥା ଦାଢ୍ୟତା ଭକ୍ତିରେ ରହିଛି । ଜନଶୃତିରେ ପ୍ରବାଦ ଅଛିଯେ- ନାମ ସଂକୀର୍ତନ ସମୟରେ ଗିନି, ଝାଞ୍ଜର ତାଳେ ତାଳେ ତାଳେ ବାଦ୍ୟଯନ୍ତ୍ର ମୃଦଙ୍ଗ ଧିକ୍ତାଂ ଧିକ୍ତାଂ ଶବ୍ଦ ମାଧ୍ୟମରେ ଉଦ୍ଘୋଷିତ କରେ-ସେହି ମାନଙ୍କୁ ଧିକ୍, ଧିକ୍ ସେହି ମାନଙ୍କୁ– ଯେଉଁ ବ୍ୟକ୍ତି ମାନଙ୍କର ନନ୍ଦନନ୍ଦନ ଯଶୋଦା ପ୍ରାଣଧନ ପଦକଞ୍ଜରେ ଆଦୈା ଭକ୍ତି ନାହିଁ, ଯେଉଁ ମାନଙ୍କର କର୍ଣ୍ଣ ଦ୍ୱୟ କୃଷ୍ଣ ପ୍ରଣୟିନୀ ଅପ୍ରାକୃତ ପ୍ରେମଭକ୍ତିର ପ୍ରତୀକା ରାଧାରାଣୀ ଙ୍କ ପ୍ରିୟଗୁଣ କଥନକୁ ଓ ଶ୍ରୀକୃଷ୍ଣ ଲୀଳାକୁ ଆଦରର ସହ ଶ୍ରବଣ କରିନାହିଁ, ସେହି ମାନଙ୍କୁ ଧିକାର କରି ମୃଦଙ୍ଗ ଧିକ୍ ତାଂ, ଧିକ୍ ତାଂ ଶଦ୍ଧ ମାଧ୍ୟମରେ ସଚେତନ କରାଉଛି ।

ବାସ୍ତବରେ କଳିଯୁଗର ଅଳୀକ ଜୀବନକାଳ ମଧ୍ୟରେ ଭବ ସାଗରରୁ ଉଦ୍ଧାର ପାଇଁ ହରିନାମ ରୂପକ ତରଣିକୁ ଆଶ୍ରୟ କରିବା ବ୍ୟତୀତ ଅନ୍ୟ କୈାଣସି ସରଳ ଓ ସହଜଲଭ୍ୟ ଉପାୟ ନାହିଁ । ଏଣୁ ଯଥାର୍ଥରେ କୁହାଯାଇଛି-

ହରେର୍ନାମ ହରେର୍ନାମ ହରେର୍ନାମୈବ କେବଳମ୍,
କଳୈା ନାସ୍ତୈବ ନାସ୍ତୈବ ନାସ୍ତୈବ ଗତିରନ୍ୟଥା

ଅତଏବ ବିଭିନ୍ନ ପ୍ରକାରର ସ୍ତୁତି, ସ୍ତୋତ୍ର, ପ୍ରାର୍ଥନା ମଧ୍ୟରେ କେବଳ କଳିଯୁଗର ବତ୍ରିଂଶାକ୍ଷର ମହାମନ୍ତ୍ର “ ହରେ ରାମ ହରେ ରାମ ରାମ ରାମ ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ” ସର୍ବ ପ୍ରଧାନ । ଅତଏବ ନିଷ୍ଠାର ସହ ଏକାଗ୍ରଚିତରେ ମନ, ମୁନ, ଚଇତନ ଲଗାଇ ଭଗବାନଙ୍କ ନାମ ସକୀର୍ତନ କରିପାରିଲେ ଭଗବତ୍ ପ୍ରାପ୍ତି ଅବଶ୍ୟ ପାଇ ପାରିବା ।

ଲୋକପ୍ରିୟ ଲେଖା

To Top