ପ୍ରବନ୍ଧ

କୃଷକ ଜୀବନ

Pt Mrutyunjaya Rath's Odia Prose Krushaka Jeebana

ଯେ ପର୍ଯ୍ୟନ୍ତ ଭୂମିରୁ କୌଶଳ ପ୍ରୟୋଗ ଦ୍ୱାରା ଶସ୍ୟୋତ୍ପାଦିତ ହୋଇନଥାଏ, ସେ ପର୍ଯ୍ୟନ୍ତ ମନୁଷ୍ୟକୁ ବହୁତ କଷ୍ଟରେ କାଳାତିପାତ କରିବାକୁ ହୁଏ ।

କୃଷକ ଜୀବନ

ସମସ୍ତ ମାନବ ପ୍ରାଣରେ ବୁଭୁକ୍ଷା ବିଦ୍ୟମାନ ଅଛି । ସେହି ବୃତ୍ତିର ବିଦ୍ୟମାନତା ହେତୁର ମାନବ ନିତ୍ୟ ଖାଦ୍ୟାନ୍ୱେଷଣରେ ବ୍ୟାପୃତ ଥାଏ । ଭୋଜ୍ୟବସ୍ତୁଦ୍ୱାରା ଉଦର ପୂରଣ ନ କଲେ ଜୀବନ ଧାରଣ ହୁଏ ନାହିଁ, ଅତଏବ ଖାଦ୍ୟ ସମସ୍ତଙ୍କର ନିତାନ୍ତ ପ୍ରୟୋଜନୀୟ ।

ଏହି ରତ୍ନଗର୍ଭା ଧରିତ୍ରୀଗର୍ଭରେ ସମସ୍ତ ପ୍ରାଣୀମାନଙ୍କ ଭୋଜନ ନିମିତ୍ତ ଆହାରୀୟ ଦ୍ରବ୍ୟ ନିହିତ ଅଛି । ମାନବ ତହିଁରୁ କେବଳ ନିଜ ପରିଶ୍ରମାନୁସାରେ ଉପଯୁକ୍ତ ଖାଦ୍ୟ ଲାଭ କରେ । ପୃଥିବୀରେ ଖାଦ୍ୟ ଅଛି, ଏହାର ଅର୍ଥ ଏପରି ବୁଝିବାକୁ ହେବ ନାହିଁ ଯେ, ତାହା ଏକତ୍ର ପୁଞ୍ଜୀକୃତ ହୋଇ ରକ୍ଷିତ ହୋଇଅଛି, ଇଚ୍ଛାନୁସାରେ ଭୁକ୍ତ ହୋଇପାରିବ । ଖାଦ୍ୟ ପୃଥିବୀରେ ଅତି ପ୍ରଚ୍ଛନ୍ନ ରୂପରେ ଅଛି । ଭୂମିରେ କୌଶଳ ପ୍ରଯୁକ୍ତ ହେଲେ, ତାହା ରୂପାନ୍ତରିତ ହୋଇ ଆମ୍ଭମାନଙ୍କ ନିକଟକୁ ଖାଦ୍ୟ ରୂପେ ଆନୀତ ହୁଏ । ଯେ ପର୍ଯ୍ୟନ୍ତ ଭୂମିରୁ କୌଶଳ ପ୍ରୟୋଗ ଦ୍ୱାରା ଶସ୍ୟୋତ୍ପାଦିତ ହୋଇନଥାଏ, ସେ ପର୍ଯ୍ୟନ୍ତ ମନୁଷ୍ୟକୁ ବହୁତ କଷ୍ଟରେ କାଳାତିପାତ କରିବାକୁ ହୁଏ । ପ୍ରଥମରେ କିଛି ମନୁଷ୍ୟମାନଙ୍କ ପାଇଁ ପୃଥିବୀରେ ଖାଦ୍ୟ ଥୁଆ ହୋଇ ନଥିଲା, ତତ୍କାଳୀନ ଲୋକମାନେ ଖାଦ୍ୟାଭାବରୁ ଅରଣ୍ୟ-ଫଳମୂଳ ଏବଂ ପଶୁମାଂସାଦି ଭକ୍ଷଣ କରୁଥିଲେ । ତା’ପରେ ସ୍ୱ ସ୍ୱ ବାସନ୍ନିକଟସ୍ଥ ସ୍ଥାନରେ ବୃକ୍ଷାଦି ରୋପଣ କରି ତାହାର ଫଳମୂଳ ଭକ୍ଷଣ କରିବାକୁ ଆରମ୍ଭ କଲେ । ଏହିପରି ବୃକ୍ଷାଦି ରୋପଣ କରି ଓ ତଲ୍ଲବ୍ଧ ଫଳମୂଳ ଭକ୍ଷଣ କରି ଟିକିଏ ନିଶ୍ଚିନ୍ତ ହେଲାରୁ ସେମାନଙ୍କ ହୃଦୟରେ ନବ ନବ କୌଶଳ ଉଦ୍ଭାବନର ଉପକ୍ରମ ହେଲା । କାହିଁକି ନା ଲୋକ ଟିକିଏ ଭୋଜନ ବିଷୟରେ ନିଶ୍ଚିନ୍ତ ନ ହେଲେ କୌଣସି ମହତ୍ ବିଷୟ ଉଦ୍ଭାବନ କରିପାରେ ନାହିଁ । କାଳକ୍ରମେ ସେମାନେ ଭୂମିରେ ବୀଜବପନ କରି ତହିଁରୁ ଶସ୍ୟୋତ୍ପାଦନ କରିବାକୁ ଶିକ୍ଷା କଲେ । ଅଳ୍ପକାଳ ମଧ୍ୟରେ ସେହି ଜୀବନରକ୍ଷିଣୀ ବୃତ୍ତି ସମସ୍ତଙ୍କର ଅବଲମ୍ୱନୀୟ ହେଲା । ସେହି ବୃତ୍ତି କୃଷି ଏବଂ ତତ୍କର୍ତ୍ତା କୃଷକ ନାମରେ ଅଭିହିତ ।

କୃଷି ଗୋଟିଏ ଉତ୍କୃଷ୍ଟ ଜୀବନ ରକ୍ଷଣୋପଯୋଗୀ ଓ ପବିତ୍ର ବ୍ୟବସାୟ ଅଟେ । ଏତଦୁପଲବ୍ଧ ଶସ୍ୟରୁ ଆମ୍ଭେମାନେ ପରମ ଖାଦ୍ୟ ଅନ୍ନ ପ୍ରାପ୍ତ ହେଉ । ଏହାକୁ ଯେ ଅବଲମ୍ୱନ କରେ, ସେ ସାମାନ୍ୟ ବ୍ୟବସାୟୀ ନୁହେଁ । ତାହାର ବ୍ୟବସାୟ ଅପରାଧର ବ୍ୟବସାୟ ଅପେକ୍ଷା କୌଣସିରୂପେ ନିକୃଷ୍ଟ ନୁହେଁ । ତଦୀୟ ବ୍ୟବସାୟଦ୍ୱାରା ସାକ୍ଷାତ୍ ଭାବରେ ଜୀବନ ରକ୍ଷା ହୁଏ । ଅନ୍ୟାନ୍ୟ ଉତ୍କୃଷ୍ଟ ବ୍ୟବସାୟ ଦ୍ୱାରା ସାକ୍ଷାତ୍ ଭାବରେ ଜୀବନ ରକ୍ଷା ହୁଏ । ଅନ୍ୟାନ୍ୟ ଉତ୍କୃଷ୍ଟ ବ୍ୟବସାୟୀମାନେ ଅଧିକ ଲାଭବାନ ହୁଅନ୍ତି ସତ୍ୟ ମାତ୍ର ପାନଭୋଜନାଦି ବିଷୟରେ ସେମାନଙ୍କୁ କୃଷକର ଅନୁଗ୍ରହାପେକ୍ଷୀ ହେବାକୁ ହୁଏ । ସେମାନେ ଆଉ ଆହାର ସମ୍ୱନ୍ଧରେ ନିଶ୍ଚିତ ହୋଇପାରନ୍ତି ନାହିଁ ।

ଅନ୍ୟାନ୍ୟ ଦେଶରେ ପ୍ରାୟ ସର୍ବଜାତୀୟ ଲୋକମାନେ ଉକ୍ତ ବ୍ୟବସାୟ ଅବଲମ୍ୱନ କରିଥାନ୍ତି । ଆମ୍ଭମାନଙ୍କ ଦେଶରେ ତାହା ଜାତୀୟ ବ୍ୟବସାୟ ରୂପରେ ପ୍ରଚଳିତ ହୋଇ ଆସୁଅଛି । ତଦ୍ ବ୍ୟବସାୟୀମାନେ କୃଷକ ବୋଲି ପରିଚିତ । ଆଜିକାଲି ତାହା ଅନ୍ୟାନ୍ୟ ଜାତିମାନଙ୍କ ମଧ୍ୟରେ କିଞ୍ଚିତ୍ ପରିମାଣରେ ଚଳିଲାଣି । ଉକ୍ତ ବ୍ୟବସାୟ ସମ୍ୱନ୍ଧରେ ଅଧୁନାତନ ଓ ପ୍ରାଚୀନ ରୀତି ଅନେକାଂଶରେ ବିଭିନ୍ନ ଅଟେ । ପ୍ରାଚୀନ ଆର୍ଯ୍ୟ ମହର୍ଷିମାନେ ଯେଉଁ କୃଷିକୁ ପବିତ୍ର ନେତ୍ରରେ ଦେଖି, ତାହାକୁ ସାଦର ଅବଲମ୍ୱନ କରୁଥିଲେ, ଆଧୁନିକ ଅଭିନବ ସତ୍ୟତାପିପାସୁ ଲୋକେ ସେହି ମେଧ୍ୟ କୃଷିବୃତ୍ତିକୁ ଘୃଣା ଚକ୍ଷୁରେ ଦେଖନ୍ତି । ସେମାନେ କୃଷକକୁ ନିକୃଷ୍ଟ ବ୍ୟବସାୟୀ ବୋଲି ମନେ କରନ୍ତି, କିନ୍ତୁ ସେମାନଙ୍କର ଏହି ଧାରଣା ବା ମତ ଅଭ୍ରାନ୍ତ, ଏହା କୁହାଯାଇ ନ ପାରେ ।

କୃଷକତୁଲ୍ୟ ଉତ୍କୃଷ୍ଟ ବ୍ୟବସାୟୀ ଓ ସୁଖୀ ପୃଥିବୀରେ ଅଳ୍ପସଂଖ୍ୟାରେ ଦୃଷ୍ଟ ହୁଅନ୍ତି । କୃଷକ ଯାଦୃଶ ସ୍ୱାଧୀନ ଭାବରେ ଅଧିକାରୀ ହୁଏ, ଅନ୍ୟ କାହାରି ହୃଦୟରେ ତାଦୃଶ ଭାବର ଉଦୟ ହୁଏ ନାହିଁ । ସେ ଯେପରି ପ୍ରକୃତିଗତ ଆମୋଦ ଅନୁଭବ କରେ, ଅନ୍ୟ କେହି ସେପରି ଅନୁଭବି ହୋଇପାରିବେ ନାହିଁ । କୃଷକ କିପରି ବହୁ ବିଷୟକ ସୁଖର ଅଧିକାରୀ ହୁଏ, ତାହାର କିଞ୍ଚିତ୍ ଆଭାଷ ପଶ୍ଚାତ୍ କଥିତ ହେଉଅଛି । ଅସ୍ମଦେଶୀୟ କୃଷକମାନଙ୍କର ଦୂରବସ୍ଥା ଦେଖି କେହି କେହି କୃଷକମାନଙ୍କର ସେହି ସୁଖ ଭାଗୀତ୍ୱକୁ ଅସମ୍ଭବ ବୋଲି ମନେ କରିପାରନ୍ତି, କିନ୍ତୁ ଆମ୍ଭମାନଙ୍କ ଦେଶରେ ପ୍ରକୃତ କୃଷକମାନଙ୍କର ଅଭାବ ଦୁଷ୍ଟ ହେଲେ ହେଁ ଅନ୍ୟାନ୍ୟ ଦେଶରେ ସେମାନଙ୍କର ସଂଖ୍ୟା ବହୁଳ ଦେଖାଯାଏ ।

ଭିନ୍ନ ଭିନ୍ନ ଦେଶୀୟ କୃଷିଜୀବିମାନଙ୍କ ସୁଖର ବିଷୟ ଆନ୍ଦୋଳନ କରିବାକୁ ଗଲେ, ଟିକିଏ ଇତିହାସ ଜ୍ଞାନ ଆବଶ୍ୟକ, କିନ୍ତୁ ମାଦୃଶ ବ୍ୟକ୍ତିମାନଙ୍କର ଭୂଗୋଳ ଇତିହାସରେ ଅନଭିଜ୍ଞତା ନିତାନ୍ତ ଅସମ୍ଭବ ନୁହେଁ । ସୁତରାଂ ତତ୍ସମ୍ୱନ୍ଧରେ ବିଶେଷ କହିବା ମାଦୃଶ ବ୍ୟକ୍ତିର ଶକ୍ତି ବହିର୍ଭୂତ । ତେବେ ଏତିକିମାତ୍ର କୁହାଯାଇପାରେ ଯେ, କୃଷକକୁ ଅନେକ ସୁଖଭୋଗ କରିବାକୁ ଏବଂ ଶିକ୍ଷା କରିବାକୁ ଅବସର ମିଳେ । ସେ ଇଚ୍ଛା କଲେ ସ୍ୱଚ୍ଛନ୍ଦରେ ବିଦ୍ୟାଚର୍ଚ୍ଚା କରିପାରିବ ଏବଂ ଶିକ୍ଷାଜନିତ ନିର୍ମଳ ଆନନ୍ଦ ଅନୁଭବ କରିପାରିବ । ଯଦି କେହି କହନ୍ତି, ଯେ କୃଷି କରିବ, ସେ ପୁଣି କାହୁଁ ବିଦ୍ୟାଚର୍ଚ୍ଚା କରିବ । ଶିକ୍ଷିତାବସ୍ଥାରେ ଅବଶ୍ୟ କାଳଯାପନ କରିପାରିବ ନାହିଁ । ତାହାହେଲେ ବିଦେଶୀୟ କୃଷକମାନେ ଶିକ୍ଷିତାବସ୍ଥାରେ ଅଛନ୍ତି କିପରି ? କୃଷକକୁ ଅବସର ମିଳୁ ନଥିଲେ ପୂର୍ବୋକ୍ତ କଥା ଘଟି ପାରନ୍ତା, ମାତ୍ର କୃଷକକୁ ଯଥେଷ୍ଟ ଅବସର ମିଳେ । ସେ ସର୍ବଦା କିଛି କୃଷିରେ ବ୍ୟାପୃତ ନ ଥାଏ । ସମୟ ସମୟରେ ଦୀର୍ଘକାଳ ବସି ରହିବାକୁ ହୋଇଥାଏ । ସେତେବେଳେ ସୁଚାରୁ ରୂପେ ପଠନକାର୍ଯ୍ୟ ଚଳିପାରେ । କୃଷିରେ ମଧ୍ୟ ବିଦ୍ୟାବୁଦ୍ଧିର ପ୍ରୟୋଜନୀୟତା ଅଛି । ଅତଏବ କୃଷକ ଚେଷ୍ଟା କଲେ ବିଦ୍ୟାର ପୁଣ୍ୟନନ୍ଦମୟ ସୁଖ ଭୋଗ କରିପାରିବ । ପ୍ରଥମରେ କିଞ୍ଚିତ୍ ବିଦ୍ୟାଶିକ୍ଷା କରି କୃଷିରେ ପ୍ରବେଶ କର୍ତ୍ତବ୍ୟ । ତଦନ୍ତର କୃଷିର ପ୍ରତ୍ୟାବସରରେ ବିଦ୍ୟାଧ୍ୟୟନ କରାଯାଇପାରେ । କାହିଁକି ନା, ଯେ ପୂର୍ବରୁ ଶିକ୍ଷିତ ହୋଇ ନ ଥିବ, ତାହାଦ୍ୱାରା କୃଷିର ଆବସରିକ କାର୍ଯ୍ୟ ସୁନ୍ଦର ରୂପେ ସମାହିତ ହୋଇପାରିବ ନାହିଁ । କୃଷି କରିବାକୁ ଗଲେ ଟିକିଏ ବିଜ୍ଞାନ ଓ ରସାୟନ ବିଷୟରେ ଅଭିଜ୍ଞତା ଆବଶ୍ୟକ । ତାହା ନ ହେଲେ ଯେତେବେଳେ କୃଷିର ପ୍ରଥମେ ମୃତ୍ତିକା ପରୀକ୍ଷା କରିବାକୁ ହେବ, ସେତେବେଳେ କେଉଁ ଜାତୀୟ ଭୂମିରେ କୀଦୃଶ ବୀଜ ବପନ କରିବା ଉଚିତ୍, ତାହା ଜଣାଯିବ ନାହିଁ । ଆହୁରି ମଧ୍ୟ କୃଷକର ତଦ୍ ବିଷୟରେ ଜ୍ଞାନ କୃଷି କର୍ମରେ ଆଲୋଚିତ ହୋଇ କ୍ରମେ ପରିପକ୍ୱ ହୁଏ, କିନ୍ତୁ ତଦନଭିଜ୍ଞ କୃଷିକର୍ମ ସମ୍ୟକ୍ରୂପେ ସମାହିତ ହୋଇପାରିବ ନାହିଁ । ବର୍ତ୍ତମାନ ଏହା ସ୍ପର୍ଶରୂପେ ପ୍ରତୀତ ହୋଇଅଛି ଯେ ଶିକ୍ଷିତ କୃଷକଦ୍ୱାରା ଯେ ସୁଫଳ ଲବ୍ଧ ହୁଏ, ଅଶିକ୍ଷିତଦ୍ୱାରା ତାହା କଦାପି ହୋଇପାରିବ ନାହିଁ । ଏହି ବିଷୟରେ ବହୁ କହିବାର ଆବଶ୍ୟକତା ନାହିଁ, ତଥାପି ଗୋଟିଏ ସାମାନ୍ୟ ଦୃଷ୍ଟାନ୍ତ ନିମ୍ନରେ ପ୍ରଦତ୍ତ ହେଲା । ଜର୍ମାନ୍, ଇଲାଣ୍ଡ ପ୍ରଭୃତି ଦେଶର ଭୂମି ଭାରତଭୂମି ଅପେକ୍ଷା ଅଧିକ ଉର୍ବରା ନୁହେଁ, କିନ୍ତୁ ସେଥିରୁ ଅଧିକ ଶସ୍ୟ ଉତ୍ତୋଳିତ ହେବାର ଦେଖାଯାଏ । ତାହାର କାରଣ, ଏହି କୃଷକମାନେ ଶିକ୍ଷିତ ଥିବାରୁ ନିତ୍ୟ କ୍ରମୋଦ୍ଭାବିତ ନବ ନବ କୌଶଳମାନ ତହିଁରେ ପ୍ରୟୋଗ କରନ୍ତି । ଏଣୁ କରି ସେ ସ୍ଥାନର ଭୂମି ଅଧିକ ଶସ୍ୟବତୀ ହେଉଅଛି, କିନ୍ତୁ ବିଦେଶୀୟମାନେ ଯାହାକୁ ଶସ୍ୟଶାଳିନୀ ମନେ କରି ତହିଁରୁ ବହୁଳ ଶସ୍ୟା ଶୋଷଣ କରୁଥିଲେ ଏବଂ କରୁଅଛନ୍ତି, ସେହି ରତ୍ନପ୍ରସୂ ଭାରତଭୂମି ବର୍ତ୍ତମାନ ତୃଣପ୍ରସୂ ଆଖ୍ୟାରେ ଆଖ୍ୟାତ ହେବାର ଯୋଗ୍ୟ ହେଲାଣି । ତତ୍ରତ୍ୟ ଲୋକମାନେ ଆଜି ଅନ୍ନାଭାବରୁ ଦୁର୍ଭିକ୍ଷର ଦୁର୍ବିସହ ଯନ୍ତ୍ରଣାରେ ପ୍ରପୀଡ଼ିତ ହୋଇ ଅକାଳ ମୃତ୍ୟୁର କରାଳ କବଳରେ କବଳିତ ହେଉଅଛନ୍ତି । ଏହାର କାରଣ କଅଣ ? ତାହାର କାରଣ ନିର୍ଦ୍ଦେଶ କରିବା ମାଦୃଶ ବ୍ୟକ୍ତିର ସାଧ୍ୟାତୀତ । ସେପରି ଅବନତି ହେବାର ଅନେକ ପ୍ରଧାନ କାରଣ ଅଛି, କିନ୍ତୁ ସେମାନଙ୍କ ଉଲ୍ଲେଖ ଏଠାରେ ଆବଶ୍ୟକ ନୁହେଁ । ତନ୍ମଧ୍ୟରେ ଗୋଟିଏ ପ୍ରଧାନ କାରଣ ପ୍ରକୃତ କୃଷକର ଅଭାବ ଅଥବା କୃଷିପ୍ରତି ଅନାଦର ବା ଅନାସ୍ଥା ।

ଏହି ଦେଶରେ ପୂର୍ବେ ଯେପରି ଭାବରେ କୃଷି ହେଉଥିଲା, ବର୍ତ୍ତମାନ ମଧ୍ୟ ପ୍ରାୟ ସେହିପରି ଚଳୁଅଛି । ଏତାବତ୍ କାଳ ଅତୀତ ହେଲା, ତାହାର କୌଣସି ବିଶିଷ୍ଟ ଉନ୍ନତି ସାଧିତ ହୋଇନାହିଁ । ଯଦି ଆଗ୍ରହ ଓ ସମାଦରସହକାରେ ସେହି କର୍ମ ସମ୍ପାଦିତ ହେଉଥାନ୍ତା, ତାହାହେଲେ ଏହି ଭୂମିରେ ବହୁବିଧ କୃଷିଜାତ ଦ୍ରବ୍ୟର ଉତ୍ପାଦନ ହୋଇ ପାରନ୍ତା । ତଦନୁକ୍ରମେ ହେଉଥିଲେ, ପୂର୍ବ-ଅବସ୍ଥା ଟିକିଏ ଉନ୍ନତି ହୁଅନ୍ତା, ଆଉ ଏତାଦୃଶ ଶସ୍ୟାଭାବ ଉପସ୍ଥିତ ହୁଅନ୍ତା ନାହିଁ, କିନ୍ତୁ ତତ୍ସମ୍ୱନ୍ଧରେ ଅନେକ ତ୍ରୁଟି ଥିବାରୁ ଆମ୍ଭମାନଙ୍କର ହିତ ସାଧନ ହୋଇ ପାରୁନାହିଁ । ତନ୍ମଧ୍ୟରେ ଗୋଟିଏ ମହାଦୋଷ ଏହି ଯେ, କୃଷି ଜାତୀୟ ବ୍ୟବସାୟ ମଧ୍ୟରେ ସ୍ଥାନ ପାଇଅଛି । ସହି କାରଣରୁ ଅନ୍ୟାନ୍ୟ ବ୍ୟବସାୟୀମାନେ ଇଚ୍ଛାସତ୍ତ୍ୱେ ତାହା ଅବଲମ୍ୱନ କରି ପାରି ନାହାନ୍ତି । କୃଷକମାନଙ୍କର କେବଳ ତହିଁରେ ଅଧିକାର ଥାଏ । ଆଜିକାଲି ସେହିପରି ଭାବ ଟିକିଏ ହ୍ରାସ ହୋଇଅଛି । ତଥାପି କୌଣସି ଅନ୍ୟ ବ୍ୟବସାୟୀ କୃଷି କଲେ ତାହାକୁ ଲୋକେ କହିଥାନ୍ତି, ତୁମ୍ଭେ କ’ଣ ଚଷା ତି ? ଚଷାଙ୍କର କରଣୀୟ ବୃତ୍ତିରେ ହସ୍ତକ୍ଷେପ କରୁଅଛ । ଏତ ଗଲା ଏକ ପ୍ରକାର ସାଧାରଣ ମତ । ଅନ୍ୟଥା ଯେଉଁ କୃଷକ ମହାଶୟମାନେ କୃଷି କରନ୍ତି, ସେମାନେ ତଦ୍ ବିଷୟରେ ନିତାନ୍ତ ଅନଭିଜ୍ଞ । ସୁତରାଂ କୃଷି ସମ୍ୱନ୍ଧରେ ନବ ନବ କୌଶଳ ଉଦ୍ଭାବନ କରିବା ସେମାନଙ୍କ ପକ୍ଷରେ ସମ୍ଭବପର ନୁହେଁ । ସେମାନେ କେବଳ ଯାହା ପୂର୍ବପୁରୁଷମାନଙ୍କ ଠାରୁ ଦେଖି ଆସୁଥାନ୍ତି ତାହାକୁ ହିଁ ଅନୁକରଣ କରି ଅଭ୍ୟାସ ସହକାରେ କାର୍ଯ୍ୟ କରନ୍ତି । ଶିଖିକରି ହେଉ ବା ଦେଖି କରି ହେଉ, ସେମାନେ ଯାହା କରନ୍ତି, ତାହା ସାଗ୍ରହରେ ଓ ସୁଚାରୁ ରୂପେ ନିଷ୍ପନ୍ନ କରନ୍ତି ନାହିଁ । ଯେ କୌଣସି ପ୍ରକାରେ ପୁଞ୍ଜାଏ ଖାଇଲେ ଢେର୍ ହେଲା । ଅଧିକ କଥାକୁ କିଏ ପଚାରେ ? ବା ଦେଶର ଉନ୍ନତିକୁ ପଚାରେ କିଏ ? ଅଶିକ୍ଷାବଶରୁ ସେମାନେ ବୁଝନ୍ତି ନାହିଁ ଯେ, ଏହି ବ୍ୟବସାୟ ଗ୍ରହଣ କରିବା ଦ୍ୱାରା ଆମ୍ଭମାନଙ୍କ ଉପରେ ଦେଶର ଗୋଟିଏ ବଡ଼ ଦାୟିତ୍ୱ ନ୍ୟସ୍ତ ହୋଇଅଛି । ଏହିପରି କରିବାର ପରିଣାମଫଳ କୃଷିର ଅଧଃପତନ ବା ଶସ୍ୟାଭାବ, କିନ୍ତୁ ସେହି ହେତୁରୁ ଭାରତରେ ଯେ କି ମହାନିଷ୍ଟ ସଂଘଟିତ ହେଉଅଛି, ତାହା ସାଧାରଣଙ୍କର ହୃଦୟ ସ୍ପର୍ଶ କରିଥିବ । ଯଦି ନବ ନବ କୌଶଳ ପ୍ରୟୋଗ ଦ୍ୱାରା ଅଧିକ ଶସ୍ୟୋତ୍ପାଦିତ ହୋଇ ଉଦ୍ ବୃତ୍ତାଂଶ ସଞ୍ଚିତ ହେଉଥାନ୍ତା, ତାହାହେଲେ ଏହି ଦେଶବାସୀମାନଙ୍କୁ ଭୀଷଣ ଦୁର୍ଭକ୍ଷରେ ଏକାସନଶାୟୀ ହେବାକୁ ହୁଅନ୍ତା ନାହିଁ । ବିଦେଶୀୟ ଲୋକମାନଙ୍କଦ୍ୱାରା ବହୁ ଶସ୍ୟ ଶୋଷିତ ହେଉଅଛି ବୋଲି ଯେ ଆମ୍ଭମାନଙ୍କ ଦେଶବାସୀମାନେ ନିର୍ଦ୍ଦୋଷ, ଏହା କୁହାଯାଇନପାରେ । ସେହି ମହାଦୋଷ ବ୍ୟତୀତ ନିଜ ନିଜ ଦୋଷରୁ ଅସ୍ମଦ୍ଦେଶୀୟ ଲୋକମାନଙ୍କୁ ଅତ୍ୟନ୍ତ କଷ୍ଟଭୋଗ କରିବାକୁ ହେଉଅଛି । ପାଶ୍ଚାତ୍ୟ ଦେଶର କୃଷି ପ୍ରଣାଳୀ ଆଡ଼କୁ ଦୃଷ୍ଟି ପକାଇଲେ, ଆମ୍ଭେମାନେ ତଦ୍ ବିଷୟରେ ନିଜ ନିଜ ତ୍ରୁଟି ବୁଝିପାରିବୁ ।

ଇଂଲଣ୍ଡରେ ବଣିଜମାନେ କୃଷିକୁ ବାଣିଜ୍ୟବତ୍ ଲାଭଜନକ ବ୍ୟବସାୟ ବୋଲି ଗ୍ରହଣ କରି ପ୍ରାପ୍ତ୍ୟାଶାରେ ଶସ୍ୟୋତ୍ପାଦନାର୍ଥ ତହିଁରେ ବହୁ ମୂଳଧନ ବ୍ୟୟ କରନ୍ତି । ଆମ୍ଭମାନଙ୍କ ଦେଶର କୃଷକମାନେ କୃଷିକୁ ସେପରି ଭାବରେ ଗ୍ରହଣ କରନ୍ତି ନାହିଁ । କର୍ଷଣଭୂମିରେ କେବଳ ପୁଞ୍ଜାଏ ବିହନ ବୁଣି ଥରେ ଦୁଇଥର ହଳ କଲେ ଯାହା ମିଳିଲା ସେହି ଯଥେଷ୍ଟ । ବେଶି ପଇସା ଖରଚ କରିବେ କାହିଁକି, କିନ୍ତୁ ସେମାନେ ଏହା ବୁଝିପାରନ୍ତି ନାହିଁ ଯେ ଏପରି କରିବା ଦ୍ୱାରା କ୍ଷତି ହେଉଅଛି, ଆଉ ଟିକିଏ ଅଧିକ ବ୍ୟୟ ଓ ପରିଶ୍ରମ ସ୍ୱୀକାର କଲେ ଅନେକାଂଶରେ ଲାଭ ହେବ । ଆଉ ଏକ ଶ୍ରେଣୀର କୃଷକ ଦେଖାଯାନ୍ତି ଯେ ସେମାନେ ନିଜେ କୃଷି ନ କରି ଅନ୍ୟ ଏକଜଣକୁ ଭାଗ ଦିଅନ୍ତି, କିନ୍ତୁ ଅଂଶଗ୍ରହୀତାଙ୍କର ଉକ୍ତ ପ୍ରତି ଅନାସ୍ଥା, ଅନ୍ୟର ଭୂମି ପ୍ରତି କଅଣ ବା ନ ହେବ । ସେପରି କରିବାଦ୍ୱାରା ବହୁ କ୍ଷତି ହୁଏ । ଅନ୍ୟଦେଶୀୟ କୃଷକମାନେ ନିଜେ କୃଷିକର୍ମସୁକର ଯନ୍ତ୍ର ବ୍ୟବହାର ଏବଂ ଭିନ୍ନ ଭିନ୍ନ ଉପକରଣ ସଂଗ୍ରହ କରି ଲାଭବୃଦ୍ଧି କରନ୍ତି । ଏଠାରେ ସେପରି କିଛି ନ ଥିବାରୁ ଲାଭବୃଦ୍ଧି ହେବା ଦୂରେ ଥାଉ, ବରଂ କ୍ଷତିବୃଦ୍ଧି ହେଉଅଛି । ପୂର୍ବେ ଏ ଦେଶରେ ଯେଉଁ କାଷ୍ଠଲଙ୍ଗଳ ବ୍ୟବହୃତ ହେଉଥିଲା, ବର୍ତ୍ତମାନ ସୁଦ୍ଧା ତାହାର ପ୍ରଚଳନ ଅଛି । ତାହାର ପରିବର୍ତ୍ତନ ହେବା ଦୂରେ ଥାଉ ତହିଁରେ ନୂତନ ହୋଇ ଖଣ୍ଡିଏ କୀଳକ ସୁଦ୍ଧା ବ୍ୟବହୃତ ହୋଇନାହିଁ । ତଦ୍ଦେଶରେ କୃଷିର ସୁବିଧା ନିମିତ୍ତ ଜଳପ୍ରଣାଳୀ ଦ୍ୱାରା ଜଳ ଆନୀତ ହୋଇ ଶସ୍ୟକ୍ଷେତ୍ର ନିକଟରେ ରକ୍ଷିତ ହେଉଅଛି । ମାତ୍ର ଏଠାରେ ସେପରି ସୁବିଧା ନାହିଁ । ଏହି ଦେଶ କୃଷିପ୍ରଧାନ ଓ ନଦୀମାତୃକ ହେଲେ ହେଁ ବର୍ତ୍ତମାନ ଅନେକ ସ୍ଥଳେ ଜଳାଭାବ ଦେଖାଯାଏ, ଅପିଚ ସେହି ସ୍ଥାନକୁ ଜଳ ଯୋଗାଇବାକୁ ଜଳଧାର ନାହିଁ ଏବଂ ଯେଉଁ ସବୁ ପୁଷ୍କରିଣୀରେ ଜଳ ଥାଏ ସେଠାରୁ କ୍ଷେତ୍ରକୁ ଜଳ ନେବାକୁ ହେଲେ ସେଣା (ସେଚନୀ) ବ୍ୟତୀତ ଅନ୍ୟ କୌଣସି ଜଳୋତ୍ତୋଳକ ଯନ୍ତ୍ରର ବ୍ୟବହାର ହୋଇନାହିଁ । ଏହିପରି ଅନେକ ଅସୁବିଧା ଓ ପ୍ରତିବନ୍ଧକମାନ ଥିବାରୁ ଏ ଦେଶର ଅତି ଉର୍ବରା ଭୂମିରୁ ସୁଦ୍ଧା ଅଧିକ ଶସ୍ୟ ଉତ୍ପାଦିତ ହେଉନାହିଁ । ଉକ୍ତ ଅସୁବିଧା ସବୁ ଘଟିବାର ପ୍ରଧାନ କାରଣ, ଏତଦ୍ଦେଶୀୟ କୃଷକମାନଙ୍କ ଅନଭିଜ୍ଞତା ।

ଦେଶର ଉନ୍ନତି, ସୁଖବୃଦ୍ଧି ଓ ଧନବୃଦ୍ଧି ତଦ୍ଦେଶୀୟ କୃଷକମାନଙ୍କ ଅବସ୍ଥାର ଉନ୍ନତି ଉପରେ ନିର୍ଭର କରେ । କୃଷକମାନେ ଶିକ୍ଷିତ ନ ହେଲେ ଦେଶର ବିଶେଷ ମଙ୍ଗଳ ସାଧିତ ହେବ ନାହିଁ । କୋଡ଼ିହଣା ଚାଷୀ ଅପେକ୍ଷା ରୟାୟନବିତ୍ ପଣ୍ଡିତ କୃଷିରେ ଅଧିକ ଲାଭବାନ୍ ହେବେ, ଏଥିରେ ସନ୍ଦେହ ନାହିଁ । ଆମ୍ଭମାନଙ୍କ ଦେଶର ଅନଭିଜ୍ଞ କୃଷକମାନେ କୌଣସି ଭୂମିରେ ପ୍ରତିବର୍ଷ ଏକ ପ୍ରକାର ଶସ୍ୟ ଉତ୍ପାଦନ କରି ତାହାର ଉର୍ବରତା ନଷ୍ଟ କରି ପକାଉ ଅଛନ୍ତି । ଅନ୍ୟବିଧ ଶସ୍ୟଦ୍ୱାରା ସେମାନେ ଅଧିକ ଲାଭବାନ୍ ହେବେ, ଅଥଚ ଭୂମିର ଉର୍ବରତା ଆଦୌ ନଷ୍ଟ ହେବ ନାହିଁ । ଏହା ସେମାନଙ୍କ ଜ୍ଞାନକୁ କେବେ ସ୍ପର୍ଶ କରି ନ ଥାଏ, କିନ୍ତୁ ଯଦି ରସାୟନବିତ୍ ଜଣେ କୃଷି କରି ଥାଆନ୍ତେ ଅବଶ୍ୟ ଯଥେଷ୍ଟ ପରିମାଣରେ ବିଭିନ୍ନ ଶସ୍ୟ ପ୍ରାପ୍ତ ହୋଇପାରନ୍ତେ, ଏବଂ ତାହାର ସମ୍ୟକ୍ ଉନ୍ନତି ନିମିତ୍ତ ଚେଷ୍ଟା କରନ୍ତେ । ଯେ ପର୍ଯ୍ୟନ୍ତ କୃଷକମାନେ ଶିକ୍ଷିତ ହୋଇ କୃଷିର ସମ୍ୟକ୍ ଉନ୍ନତି ନ କରିବେ, ସେ ପର୍ଯ୍ୟନ୍ତ ଦେଶର ମଙ୍ଗଳ ସାଧିତ ହେବ ନାହିଁ । ଦେଶରେ କେବଳ ଦରିଦ୍ର, ଅପଟୁ, ଅଳସୁଆ ଓ ଭିକ୍ଷୁକମାନଙ୍କର ସଂଖ୍ୟା କ୍ରମଶଃ ବୃଦ୍ଧିପ୍ରାପ୍ତ ହେବ । ଉକ୍ତ ଦୂରବସ୍ଥାମାନଙ୍କର ଦୂରୀକରଣ ଅବଶ୍ୟ ମଙ୍ଗକର ଅଟେ । ମାନନୀୟ, ଗଭର୍ଣ୍ଣମେଣ୍ଟ୍ କୃଷି ସମ୍ୱନ୍ଧରେ ଯେ ଶିକ୍ଷାପ୍ରଣାଳୀ ଚଳାଇବାର ପ୍ରସ୍ତାବ କରୁଅଛନ୍ତି, ତାହା ଅବଶ୍ୟ ହିତକର । ସେହି ଶିକ୍ଷା ସର୍ବସାଧାରଣଙ୍କର ପ୍ରାଥମିକ ଶିକ୍ଷା ହେବା ଉଚିତ୍ । ତାହା ଫଳବତୀ ହେଲେ ମାନନୀୟ ପ୍ରସ୍ତାବକ ମହାଶୟ ଶତଧନ୍ୟବାଦର ପାତ୍ର ହେବେ । କେତେଗୁଡ଼ିଏ ବିଷୟରେ ବିଚାର କଲେ ଅବଶ୍ୟ ଆମ୍ଭମାନଙ୍କ କଥଞ୍ଚିତ୍ ଉନ୍ନତି ହୋଇପାରିବ । ପ୍ରଥମତଃ କୃଷି ଜାତୀୟ ବ୍ୟବସାୟ ମଧ୍ୟରେ ଗଣ୍ୟ ହେବା ଉଚିତ୍ ନୁହେଁ । ତାହା ସାଧାରଣ ବୃତ୍ତି ହେବା ବିଧେୟ । କିଛି ହେଲେ କୃଷି ନଥିଲେ, ସମୟରେ ଲୋକଙ୍କୁ ବହୁ ଯନ୍ତ୍ରଣା ଭୋଗ କରିବାକୁ ହୁଏ । ଅନେକେ କେବଳ ଆହାରାନ୍ୱେଷଣରେ ବୃଥା କାଳାତିପାତ କରନ୍ତି । ସୁତରାଂ ଭିକ୍ଷାଜୀବିମାନଙ୍କର ସଂଖ୍ୟା ବୃଦ୍ଧିପ୍ରାପ୍ତ ହୁଏ ।

ଦ୍ୱିତୀୟତଃ ଦେଶବାସୀମାନଙ୍କର ସାଧାରଣ ଶିକ୍ଷା । ସାଧାରଣ ଲୋକେ ଟିକିଏ ଶିକ୍ଷିତ ହେଲେ ନିଷ୍କର୍ମା ହୋଇ ବସିବାକୁ ଭଲ ମନେ କରିବେ ନାହିଁ । ଅବଶ୍ୟ କୌଣସି ବ୍ୟବସାୟରେ ବ୍ୟାପୃତ ହେବେ କିମ୍ୱା ଭିନ୍ନ ବ୍ୟବସାୟ ସୃଷ୍ଟି କରିବେ । ତାହାହେଲେ ଦେଶର ଅପଟୁ ଲୋକଙ୍କ ସଂଖ୍ୟା ଅଧିକ ଦେଖାଯିବ ନାହିଁ । କିଞ୍ଚିତ ଶିକ୍ଷା କଲା ପରେ କୃଷି ବ୍ୟବସାୟୀକୁ ବିଶେଷତଃ ପ୍ରକୃତ ବିଜ୍ଞାନ ଓ ରସାୟନ ସମ୍ୱନ୍ଧରେ ଶିକ୍ଷା ଦେବା ବିଧେୟ, କାହିଁକି ନା ସେ ଜ୍ଞାନ କୃଷିରେ ଲୋଡ଼ା ହୁଏ ।

ଏ ତ ଗଲା ଶିକ୍ଷାର କଥା, କିନ୍ତୁ ତାହା କାର୍ଯ୍ୟରେ ପରିଣତ ହେବ କିପରି ? ସେମାନଙ୍କୁ ଶିକ୍ଷା ଦେବ କିଏ ? ଶିକ୍ଷା ପ୍ରଚଳନ ନିମିତ୍ତ ଶାସନକର୍ତ୍ତାମାନେ ସଚେଷ୍ଟ ଅଛନ୍ତି, କିନ୍ତୁ ପ୍ରଧାନ ପ୍ରଚାରକ ବିଦ୍ୟମାନ ଥିଲେ ହେଁ ତାହା ଶୀଘ୍ର ଏବଂ ସମ୍ପୂର୍ଣ୍ଣରୂପେ ସମ୍ପାଦିତ ହୋଇପାରିବ ନାହିଁ । ସେଥିପାଇଁ ସ୍ଥାନୀୟ ଭଦ୍ରଲୋକମାନଙ୍କର ବିଶେଷରୂପେ ମନୋଯୋଗ କରିବା ବିହିତ ଅଟେ । ସେମାନେ ଯଦି ବିଳାସ ଉତ୍ସବରେ ବହୁ ଅର୍ଥ ଅପବ୍ୟୟ ନ କରି ଦେଶ ହିତକର ଏହି ମହତ୍ କାର୍ଯ୍ୟ ସାଧନ ନିମିତ୍ତ ତାହା ସଞ୍ଚୟ କରିବେ, ତତ୍ସନ୍ନିକଟସ୍ଥ ଲୋକମାନଙ୍କୁ ଉପଦେଶ ଓ ଉତ୍ସାହ ପ୍ରଦାନ କରି ସେମାନଙ୍କୁ ଶିକ୍ଷାରେ ଅଗ୍ରସର କରିବାକୁ ଯଥାସାଧ୍ୟ ଯତ୍ନ କରିବେ ଏବଂ ସମାଜର ଅନିଷ୍ଟକାରୀ କୁସଂସ୍କାର ସବୁ କ୍ରମେ ଦୂରୀଭୂତ କରିବେ, ତାହାହେଲେ ଦେଶର ଅନେକ ପରିମାଣରେ ମଙ୍ଗଳ ସାଧିତ ହେବ । ସେମାନଙ୍କର ମଧ୍ୟ ବହୁ ଉପକାର ହେବ । ତାହାହେଲେ ସେମାନଙ୍କ ଦୁଆରେ ପ୍ରତିଦିନ କୋଡ଼ିଏ ଜଣ ଲେଖାଏଁ ଭିଖାରୀ ଠିଆ ହେବେ ନାହିଁ ।

କୃଷିଦ୍ୱାରା ଲୋକ ଯେପରି କାର୍ଯ୍ୟକ୍ଷମ ଓ ଅନଳସ ହୁଏ ସେହିପରି ମଧ୍ୟ ବଳିଷ୍ଠ ହୁଏ । କାରଣ କୃଷିକର୍ମରେ ନିତ୍ୟ ନିୟମିତ ବ୍ୟାୟାମ ହେବାରୁ ସେମାନଙ୍କର ଯଥୋଚିତ ଶୋଣିତ ସଞ୍ଚାଳିତ ହୁଏ । ସେହି ହେତୁରୁ କୃଷକ ଅନ୍ୟାନ୍ୟମାନଙ୍କ ଅପେକ୍ଷା ବଳବାନ୍ ଓ ସୁସ୍ଥ । ସୁତରାଂ ଏକ କାର୍ଯ୍ୟରେ କୃଷକର ଦୁଇ ପ୍ରକାର ଉପକାର ଲବ୍ଧ ହୁଏ । ତନ୍ମଧ୍ୟରୁ ଗୋଟିଏ ନିଜର ଲାଭ ଓ ପରୋପକାର, ଅନ୍ୟଟି ନିଜ ଶରୀରର ସ୍ୱାସ୍ଥ୍ୟ ବଳବତ୍ତା ଓ କର୍ମପଟୁତା ।

ପରକୁ ଅନ୍ନ ଦେବା ପାଇଁ ଯେଉଁ କୃଷକମାନେ ଭୂମିରେ ନିଜର ରକ୍ତମାଂସାସ୍ତି ବ୍ୟୟ କରି ଶସ୍ୟୋପାର୍ଜ୍ଜନ କରନ୍ତି, ସେମାନେ ଅବଶ୍ୟ ଦେଶହିତକାରୀ, ଏଥିରେ ପ୍ରାୟ ସମସ୍ତେ ଏକମତ ହେବେ । ସେମାନଙ୍କ ଅଭାବରେ ଲୋକମାନଙ୍କୁ ଅତ୍ୟନ୍ତ ଦୁର୍ଦ୍ଦଶା ଭୋଗ କରିବାକୁ ହୁଏ । ମହା ମଧ୍ୟ ଦେଖାଯାଉଅଛି, ଯେଉଁ ଦେଶର କୃଷକମାନେ ଅବିଜ୍ଞ ଏବଂ କର୍ମଠ ତଦ୍ଦେଶବାସୀମାନେ ଅପେକ୍ଷାକୃତ ସୁଖୀ । ପୁଣି କୃଷକ ସୁସ୍ଥ, ସବଳ, କାର୍ଯ୍ୟକ୍ଷମ, ଦେଶହିତକାରୀ, ଭୋଜନରେ ନିଶ୍ଚିନ୍ତ ଏବଂ ବିଦ୍ୟାଚର୍ଚ୍ଚା ସମ୍ୱନ୍ଧରେ ଅବସରପ୍ରାପ୍ତ ହୁଏ । ରାଜକର୍ମଚାରୀମାନେ ବହୁ ଅର୍ଥ ଉପାର୍ଜ୍ଜନ କରନ୍ତି ସତ୍ୟ, କିନ୍ତୁ ସେମାନଙ୍କୁ ସମୟରେ ଭୋଜନର ଅନାଟନରେ ପତିତ ହେବାକୁ ହୁଏ । ତାହାହେଲେ ସମସ୍ତେ କୃଷକ ଜୀବନ ସୁଖମୟ ନୁହେଁ ଏହା କହିପାରିବେ ନାହିଁ । ସେମାନଙ୍କୁ ଅବଶ୍ୟ ସ୍ୱୀକାର କରିବାକୁ ହେବ ଯେ କୃଷକ ଜୀବନରେ ଅନେକ ସୁଖ ଅଛି ।

ପରିଶେଷରେ ବକ୍ତବ୍ୟ ଏହି ଯେ ଦେଶ ହିତକର ସେହି କୃଷି ଆମ୍ଭମାନଙ୍କ ନିକଟରେ ଆଉ ଘୃଣ୍ୟ ନ ହୋଇ ମଧ୍ୟ ବ୍ୟବସାୟ ରୂପେ ଆଦୃତ ହେଉ ଏବଂ ଶିକ୍ଷିତମଣ୍ଡଳୀ ପରିଶ୍ରମ ସ୍ୱୀକାରପୂର୍ବକ ତାହାର ଉନ୍ନତି ସାଧନରେ ଯତ୍ନବାନ୍ ହୁଅନ୍ତୁ ।

ଲେଖକ ପରିଚୟ :-

ପଣ୍ଡିତ ମୃତ୍ୟୁଞ୍ଜୟ ରଥ (୧୮୮୨-୧୯୨୪) ଦକ୍ଷିଣ ରାଜସ ଶାସନ, ପୁରୀ । ବିଶିଷ୍ଟ ପ୍ରବନ୍ଧ ଲେଖକ, ସମାଲୋଚକ ଓ ଅନୁବାଦକ । ତାଙ୍କର ବହୁ ପ୍ରବନ୍ଧ, ସମାଲୋଚନା ଉତ୍କଳ ସାହିତ୍ୟ, “ମୁକୁର” ଆଦି ପତ୍ରିକାରେ ପ୍ରକାଶିତ । ତାହାଙ୍କ ପ୍ରକାଶିତ ଗ୍ରନ୍ଥ ମଧ୍ୟରେ “ସାରଳା ଚରିତ”, “ନାରୀ ଦର୍ପଣ”, “କର୍ମଯୋଗୀ ଗୌରୀଶଙ୍କର”, ଊନବିଂଶ ଶତକର ଉତ୍କଳର ପତ୍ରପତ୍ରିକା, ପ୍ରବନ୍ଧ ପାଠ (ଦୁଇ ଭାଗ) ପ୍ରଭୃତି ଉଲ୍ଲେଖଯୋଗ୍ୟ । ନରାଜ ତାହାଙ୍କର ଅନ୍ୟତମ କାବ୍ୟକୃତି । ବହୁ ସଂସ୍କୃତ କାବ୍ୟ, ନାଟକର ଅନୁବାଦକ ଭାବେ ସେ ସୁବିଦିତ । କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜୀବନ ଓ ସାହିତ୍ୟକୃତିର ଅନୁଶୀଳନ ପାଇଁ, ସେ ପ୍ରଥମେ କ୍ଷେତ୍ର ଅଧ୍ୟୟନ ପଦ୍ଧତି ଅନୁସରଣ କରିଥିଲେ । କୃଷକ ଜୀବନ ପ୍ରବନ୍ଧଟିରେ ପ୍ରାକ୍ ସ୍ୱାଧୀନତା କାଳର କୃଷି ଓ କୃଷକ ଜୀବନର ବିବିଧ ପ୍ରସଙ୍ଗ ଆଲୋଚିତ । ତାହାଙ୍କ ଭାଷା ମାର୍ଜିତ ଓ ସାଧୁଶବ୍ଦ ବହୁଳ ।

ଲୋକପ୍ରିୟ ଲେଖା

To Top