ପ୍ରବନ୍ଧ

କୃଷ୍ଣ ଏକ ଅଭିବ୍ୟକ୍ତି ନା ଅନୁଭବ

Bikash Ranjan Sahoo's odia prose Krushna Ek Abhibyakti naa Anubhaba

ଯାହାଙ୍କ ଇଙ୍ଗୀତରେ ସବୁକିଛି ସମ୍ଭବ ସେ ନିଜେ ପୁଣି ଜନ୍ମ ନେଇଛନ୍ତି କାରାଗାରରେ ଜନ୍ମ ପରେ ପୁଣି ବିଚ୍ଛେଦ ହୋଇଛନ୍ତି । ତାଙ୍କ ପିତାମାତାଙ୍କଠାରୁ ଏପରି କଷ୍ଟ ହୁଏତ କୌଣସି ମଣିଷ ମଧ୍ୟ ପାଇନଥିବ ।

କୃଷ୍ଣ ଏକ ଅଭିବ୍ୟକ୍ତି ନା ଅନୁଭବ

ଯେଉଁ ଶବ୍ଦର ଉଚ୍ଚାରଣ ମାତ୍ରେ ନିପ୍ରାଣ ହୁଏ ପ୍ରାଣବନ୍ତ, ଯାହାର ଶ୍ରବଣ ମାତ୍ରେ ମୁକ ହୁଏ ମୁଖର । କୃଷ୍ଣ ଏକ ନିରବ ଅନୁଭବ ଯାହା ନିନାଦିତ କରେ ହୃଦୟର ସ୍ପନ୍ଦନରେ ମଧୁର ଝଙ୍କାର । ସେଇ କୃଷ୍ଣ ଶବ୍ଦର ମାଧୁର୍ଯ୍ୟ ବର୍ଣ୍ଣନା କରିବା ମୋର ଧୃଷ୍ଟତା ହେବ ତଥାପି ଏହି କିଞ୍ଚିତ ଜୀବନ କାଳ ମଧ୍ୟରେ ଯାହା ମୋର ଜୀବନକୁ ମଧୁରମୟ କରିଛି ସେହି କୃଷ୍ଣଙ୍କର ଶବ୍ଦରେ ବାଖ୍ୟା କରିବାର ଇଏ ଏକ ଛୋଟିଆ ପ୍ରୟାସ ମାତ୍ର । ବାସ୍ତବରେ ତାଙ୍କର ଉପସ୍ଥିତିକୁ ଅନୁଭବ କରିପାରିବାର ଯୋଗ୍ୟତା ହୁଏତ ହାସଲ କରିବା ମୋ ପକ୍ଷର ସମ୍ଭବ ନୁହେଁ । ମାତ୍ର ତଥାପି ତାଙ୍କର ଭାବନାରେ ହିଁ ଯେଉଁ ଆନନ୍ଦ ଖେଳିଯାଏ ତାହା ହିଁ ଆଜି ମତେ ଶକ୍ତି ଯୋଗାଇଛି ତାଙ୍କୁ ଲେଖନୀରେ ଧରି ରଖିବାର ।

କୃଷ୍ଣ ଶବ୍ଦଟି କର୍ଷ ଶବ୍ଦରୁ ସୃଷ୍ଟି ଯାହାର ପ୍ରକୃତ ମାନେ ଆକର୍ଷଣ । କୃଷ୍ଣ ଯୁଗେ ଯୁଗେ ସବୁ ଆକର୍ଷଣର କେନ୍ଦ୍ରବିନ୍ଦୁ । ସେହି ଶବ୍ଦରେ ହିଁ ଭରି ରହିଛି ଅପୂର୍ବ ଆକର୍ଷଣ ଓ ପ୍ରବଳ ମାଦକତା । ଯାହା ଯୁଗେ ଯୁଗେ ଆକର୍ଷଣ କରିଛି ସମଗ୍ର ମାନବ ଜାତିକୁ । ଯାହାଙ୍କ ଆକର୍ଷଣ ମୁନିଋଷିମାନଙ୍କୁ ଗୋପୀ ରୂପେ ରୂପାନ୍ତରିତ କରିଛି । ଯାହାଙ୍କୁ ଇଙ୍ଗୀତରେ ସମଗ୍ର ପ୍ରକୃତି କ୍ରିୟାଶୀଳ । ସେ କିନ୍ତୁ ନିଜେ ଧାରଣ କରିଛନ୍ତି ମାନବ ରୂପ ଯେଉଁଥିରେ କି ସେ ପାଇଛନ୍ତି ଅସହ୍ୟ କଷ୍ଟ ।

ଆଜି ଯାଏ ଆମେ ଯାହା ବି କାହାଣୀ ଶୁଣୁଛେ ତାହାର ସତ୍ୟତା ହୁଏତ ଅଛି କି ନା ତାହା ହୁଏତ ମୋ ବୁଝିବାର ବାହାରେ ହୋଇପାରେ ମାତ୍ର ତାଙ୍କର ଜୀବନ ଦର୍ଶନ ସମାଜକୁ ଦିଏ ଅପୂର୍ବ ପ୍ରେରଣା । ଯାହାଙ୍କ ଇଙ୍ଗୀତରେ ସବୁକିଛି ସମ୍ଭବ ସେ ନିଜେ ପୁଣି ଜନ୍ମ ନେଇଛନ୍ତି କାରାଗାରରେ ଜନ୍ମ ପରେ ପୁଣି ବିଚ୍ଛେଦ ହୋଇଛନ୍ତି । ତାଙ୍କ ପିତାମାତାଙ୍କଠାରୁ ଏପରି କଷ୍ଟ ହୁଏତ କୌଣସି ମଣିଷ ମଧ୍ୟ ପାଇନଥିବ । ନିଜେ ଏପରି କଷ୍ଟ ସହି ସେ ଦେଇଛନ୍ତି ଅପୂର୍ବ ନିଦର୍ଶନ ।

କୃଷ୍ଣଙ୍କ ସମ୍ୱନ୍ଧରେ ଯାହା ବି କାହାଣୀ ଶୁଣିଛି ସେଥିରେ କେତେ ସତ୍ୟତା ଅଛି ତାହା ବି ଜାଣିନି କି କେବେ ଜାଣିବାକୁ ଚେଷ୍ଟା ବି କରିନି ମାତ୍ର କୃଷ୍ଣଙ୍କର ସେଇ କାଳ୍ପନିକ ଛବି ଯାହାକି ସବୁବେଳେ ଯୋଗାଇ ଆସିଛି ଅପୂର୍ବ ପ୍ରେରଣା ସେଇ ଛବିରେ କୃଷ୍ଣ ଶ୍ୟାମ ବର୍ଣ୍ଣ, ବଂଶୀଧାରୀ, ମୟୂର ଚନ୍ଦ୍ରିକାଧାରୀ, ଖିଲି ଖିଲି ହସ ଧାରଣ କରି ଯୋଗାଇ ଚାଲିଛନ୍ତି ନିରନ୍ତର ପ୍ରେରଣା । କୃଷ୍ଣଙ୍କ ଜୀବନ ଭାବର ଏକ ଅପୂର୍ବ ସମାହାର, କେତେବେଳେ ସେ ରାଧାଙ୍କ ପ୍ରେମଭରା ଅପେକ୍ଷାରେ ତ କେବେ ପୁଣି ମୀରାଙ୍କ ବୀଣାତାନର ଭକ୍ତିରେ । ସେ ଯେତେବେଳେ ଯେଉଁ କଷ୍ଟ ଦିଅନ୍ତି ତାହା ପରୋକ୍ଷରେ ଆମକୁ ଏକ ପରବର୍ତ୍ତୀ ସଂଘର୍ଷ ଲାଗି ପ୍ରସ୍ତୁତ କରୁଥାଏ । ତାହା ଆମେ ଉପଲବ୍ଧି କରି ପାରୁନା ତାଙ୍କୁ ଲାଞ୍ଛନା ଦେବାର ବୋକାମି କରୁ । ଯେ ନିଜର ହସରେ ଜଗତକୁ ଜିଣିଛନ୍ତି ତାଙ୍କୁ ଆମେ ସାମାନ୍ୟ ଲାଞ୍ଚ ଦେଇ ନିଜର କରିବାର ପ୍ରୟାସ ହୁଏତ ତାଙ୍କୁ ମନରେ ମଧ୍ୟ ସ୍ମିତହାସ୍ୟ ସୃଷ୍ଟି କରୁଥିବ ।

କୃଷ୍ଣ କେବଳ ମୂର୍ତ୍ତି ବା ମନ୍ଦିରରେ ନୁହେଁ ସେ ପ୍ରତିଟି ହୃଦୟରେ ପ୍ରତିଟି ସ୍ୱନ୍ଦନରେ । ସେ ନା କେବେ ଲେଖନୀରେ ସମ୍ପୂର୍ଣ୍ଣ ପରିବ୍ୟକ୍ତ ନା ତାଙ୍କର ଲୀଳା କାହାକୁ ଅବଗତ । ତାଙ୍କର ମାୟା କେବେ ଦିଏ କଷ୍ଟ ତ ପୁଣି କେବେ ସୃଷ୍ଟି କରେ ଅସମାହିତ ଦ୍ୱନ୍ଦ୍ୱ । ଛାଡ଼ନ୍ତୁ ନା ଏତେ କଷ୍ଟରୁ ଆମର କ’ଣ ମିଳେ । ତାଙ୍କ ପରି ସଦା ସ୍ମିତହାସ୍ୟ ଦେଇ ଜୀବନରୁ ପ୍ରତିଟି ମୁହୂର୍ତ୍ତକୁ ନୂଆ କରି ବଞ୍ଚିବାର ଏକ ପ୍ରୟାସ ଆମେ କରିପାରିବା । ଯେ ସେ ସତରେ ସକଳ ସୃଷ୍ଟିର ଆଧାର ଓ ସବୁକାର୍ଯ୍ୟର ହିସାବ ତାଙ୍କ ପାଖରେ ତେବେ ସେ ନିଶ୍ଚୟ ଫଳ ଦେବାରେ କୌଣସି ତ୍ରୁଟି କରିବେନି ।

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top