ପ୍ରବନ୍ଧ

ମାତା ଯଶୋଦା

Dr Gauranga Samantaray's odia prose Maataa Jashodaa

ଆଶ୍ଚର୍ଯ୍ୟ ହେଲେ ମା’ ଯଶୋଦା । କିପରି ତାଙ୍କର ଅନ୍ଧର ଲଉଡ଼ି ନୀଳମଣି ଏତେବଡ଼ ପର୍ବତକୁ କାଣି ଆଙ୍ଗୁଠିରେ ସାତଦିନ ସାତରାତି ଟେକି ଧରିଲା ।

ମାତା ଯଶୋଦା

କୃପାସିନ୍ଧୁ ଜଗଦୀଶ୍ୱରଙ୍କର ଯେଉଁ କୃପା ଯଶୋଦା ମାଆଙ୍କୁ ମିଳିଲା, ତାହା ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ, ସଂହାରକର୍ତ୍ତା ଦେବଦେବ ମହାଦେବଙ୍କୁ ଏପରିକି ନିଜର ଅର୍ଦ୍ଧାଙ୍ଗିନୀ ଲକ୍ଷ୍ମୀଙ୍କୁ ମଧ୍ୟ ମିଳିନାହିଁ । ମହାଭାଗ୍ୟବତୀ ମା’ ଯଶୋଦା, ଯିଏ ବିଶ୍ୱ ବ୍ରହ୍ମାଣ୍ଡ ନାୟକଙ୍କୁ ନିଜର ସ୍ତନ୍ୟପାନ କରାଇଥିଲେ ।

ଭଗବାନ ଭକ୍ତ ପାଇଁ ଅନେକ ଛୋଟ ବଡ଼ କାର୍ଯ୍ୟ କରିଛନ୍ତି । ଯୁଧିଷ୍ଠିରଙ୍କ ଯଜ୍ଞରେ ସମସ୍ତଙ୍କର ପାଦ ଧୋଇଲେ, ବିଦୁର ଘରେ ଶାଗ ଭଜା ଖାଇଲେ, ସୁଦାମାଙ୍କୁ ନିଜ ରତ୍ନ ସିଂହାସନ ଉପରେ ବସାଇ ପାଦ ଧୋଇଲେ, କୁବ୍‌ଜାର ଉଦ୍ଧାର କଲେ ଇତ୍ୟାଦି କିନ୍ତୁ ତାଙ୍କୁ କେହି ଦଉଡ଼ିରେ ବାନ୍ଧି ନାହାନ୍ତି, କେହି କାନ ଧରି ଶାସନ କରି ନାହାନ୍ତି ନା କେହି ବାଡ଼ି ଧରି ବାଡେ଼ଇ ନାହାନ୍ତି । ଏହି ସୌଭାଗ୍ୟ କେବଳ ସୌଭାଗ୍ୟବତୀ ମାତା ଯଶୋଦାଙ୍କୁ ପ୍ରାପ୍ତ ହୋଇଥିଲା । ଏତେ ସୁଖ, ଏତେ ବାତ୍ସଲ୍ୟ ପ୍ରେମ ଆଉ କାହାକୁ ପ୍ରାପ୍ତ ହୋଇ ନଥିଲା କିମ୍ୱା ପ୍ରାପ୍ତ ହେବନାହିଁ ।

ନନ୍ଦରାଜା ଓ ଯଶୋଦାରାଣୀଙ୍କ କୌଣସି ପୁତ୍ର ସନ୍ତାନ ନଥିଲେ । ସେମାନଙ୍କର ବୃଦ୍ଧାବସ୍ଥା ଆସି ଯାଇଥିଲା । ଏପରି ପରିପକ୍ୱ ଅବସ୍ଥାରେ ତାଙ୍କ ଘରକୁ ସୁନ୍ଦର କରି ଆସିଲେ ଶ୍ୟାମ ସୁନ୍ଦର- କହ୍ନେଇଆ- ନୀଳମଣି- ମୂରଲୀ ମନୋହର- ମନ ମୋହନ । ପୂତନା ନିଜର ବିଷ ପୂରିତ ସ୍ତନ କହ୍ନେଇଆକୁ ପାନ କରିବାକୁ ଦେଲା । କିନ୍ତୁ ସେ ବିଷ କ୍ଷୀର ସହିତ ପୂତନା ପ୍ରାଣକୁ ମଧ୍ୟ ଶୋଷିଲେ । କିନ୍ତୁ ଯେତେବେଳେ ପୂତନା କହ୍ନେଇଆକୁ ମଧୁପୁର ଆଡ଼କୁ ନେଇ ଯାଉଥିଲା, ଯଶୋଦାଙ୍କ ପ୍ରାଣ ମଧ୍ୟ ପୂତନା ପଛେ ପଛେ ଧାଇଁଥିଲା । ଯେତେବେଳେ ଗୋପୀମାନେ ଆଣି କହ୍ନେଇଆକୁ ଦେଲେ ସେ ତାଙ୍କୁ ପ୍ରାଣ ଫେରି ପାଇଲେ । ସେ ଗାଈ ଲାଙ୍ଗୁଳ ପୁଚ୍ଛରେ ତାକୁ ଝାଡ଼ି ଗ୍ରହରିଷ୍ଟ ଖଣ୍ଡନ କରାଇଲେ ।

ତା’ପରେ କହ୍ନେଇଆ ଶକଟାସୁର ଓ ବ୍ୟୋମାସୁରକୁ ମଧ୍ୟ ବଧ କଲେ । ରାକ୍ଷସମାନଙ୍କର ଉତ୍ପାତ ଦେଖି ନନ୍ଦବାବା ଓ ଅନ୍ୟ ସମସ୍ତେ ଗୋକୁଳ ଛାଡ଼ି ବୃନ୍ଦାବନ ଚାଲିଆସିଲେ । ବୃନ୍ଦାବନରେ ବୃନ୍ଦାବନ ବିହାରୀ ଅନେକ ଅଲୌକିକତା ପରିପ୍ରକାଶ କଲେ । ଏକଦା ଗୃହକାର୍ଯ୍ୟରେ ଯଶୋଦା ବ୍ୟସ୍ତ ଥିଲେ । ନୀଳମଣି, ଶ୍ୟାମସୁନ୍ଦର କହିଲେ, “ମା’, ମୋତେ ଗୋଡ଼ରେ ବସା ।” ମାତା ତ କାର୍ଯ୍ୟବ୍ୟସ୍ତ ଟିକେ ଡେରି ହୋଇଗଲା, ଆଉ କି ନୀଳମଣି ରହେ, ଧୂଳିରେ ଗଡ଼ି ଗଡ଼ି କାନ୍ଦିବାକୁ ଲାଗିଲା । ଏହି ସମୟରେ ନାରଦ ଆସି ପହଞ୍ଚି ଦେଖିଲେ, ବିଶ୍ୱ ବ୍ରହ୍ମାଣ ପତି ପରମବ୍ରହ୍ମ, ସଚ୍ଚିଦାନନ୍ଦ, ପରମାନନ୍ଦ ମାଆ ଗୋଡ଼ରେ ନ ବସେଇବାରୁ ଆଜି ଧୂଳିରେ ଗଡୁଛନ୍ତି । କି ବିଚିତ୍ର ଲୀଳା ! ଯାହାର ପାଦ ଶଙ୍କର, ଅନ୍ୟ ଦେବତାଗଣ ଉଦ୍‌ଗ୍ରୀବ ହୋଇ ରହିଛନ୍ତି, ସେହି ପରଂବ୍ରହ୍ମ, ପୂର୍ଣ୍ଣାନନ୍ଦ, ପରମାନନ୍ଦ, ପ୍ରେମାନନ୍ଦ ଆଜି ଧୂଳି ଧୂସରିତ, କ୍ରନ୍ଦନରତ ସାମାନ୍ୟ ଗୋଡ଼ରେ ବସିବା ପାଇଁ ।

କାଳୀୟ ଦଳନ ସମୟରେ ଯେତେବେଳେ ମାଆ ଶୁଣିଲେ ଶ୍ୟାମସୁନ୍ଦର କାଳୀୟ ନାଗ ରହୁଥିବା ଯମୁନା ଜଳକୁ ଡେଇଁ ପଡ଼ିଛି, ସତେ ଯେପରି ତାଙ୍କର ପ୍ରାଣବାୟୁ ଉଡ଼ିଗଲା, ସେ କାନ୍ଦି କାନ୍ଦି ଅଚେତ ହୋଇଗଲେ ।

ଯେତେବେଳେ ଗୋପୀମାନଙ୍କଠାରୁ ଶୁଣିବାକୁ ପାଇଲେ ଯେ କାହ୍ନା ଗୋପୀମାନଙ୍କ ଘରୁ ଦୁଧ, ଦହି, ଲବଣୀ ଚୋରୀ କରୁଛି, ସେ କାହ୍ନାର କାନ ଧରି କହିଲେ, “ଦେଖ କାହ୍ନା, ଆମ ଘରେ କ’ଣ କମ୍ ଅଛି ଯେ ତୁ ଯାଇ ପର ଘରୁ ଚୋରୀ କରୁଛ ।”

ଏକଦା ମା’ ଯଶୋଦା ଘରେ ନଥାନ୍ତି । କିଛି ମାଙ୍କଡ଼ ଘର ଆଗ ଦେଇ ଯାଉଥିଲେ । କାହ୍ନା ସେମାନଙ୍କୁ ଘରକୁ ଡାକି ଦୁଧ, ଦହି, ଲହୁଣୀ, ଛେନା ଇତ୍ୟାଦି ଖାଇବାକୁ ଦେଲା । ଏହି ସମୟରେ ମା’ ପହଞ୍ଚିଗଲେ । ଗୋଟିଏ ବାଡ଼ି ଧରି ମାରିବାକୁ ଗୋଡ଼ାଇଲେ । କାହ୍ନା କହିଲା, “ମା’ ଏମାନେ ମୋର ସାଙ୍ଗ ଥିଲେ । ମୋତେ ବହୁତ ସାହାଯ୍ୟ କରିଛନ୍ତି, ସେଥିପାଇଁ ଡାକି କରି ଖୁଆଉଥିଲି ।”

ଧୀରେ ଧୀରେ ଯଶୋଦାଙ୍କର ବାତ୍ସଲ୍ୟମମତା ବଢ଼ିବଢ଼ି ଚାଲିଥିଲା । ନୀଳମଣି ଶ୍ୟାମସୁନ୍ଦରର ଲହୁଣୀ ଚୋରୀ ଓ ଦୁଧ ଦହିଭାଣ୍ଡ ଭାଙ୍ଗିବା ନିତିଦିନିଆ ହୋଇଗଲା । ଥରେ ଯଶୋଦା କାହ୍ନାକୁ କ୍ଷୀର ପିଆଉଥିଲେ ଏହି ସମୟରେ ଚୁଲୀରେ ବସିଥିବା କ୍ଷୀର ଉତୁରି ପଡ଼ିଲା । ଯଶୋଦା କ୍ଷୀରଦେବା ଛାଡ଼ି ଉତୁରି ପଡୁଥିବା କ୍ଷୀର ଆଡ଼କୁ ଗଲେ । ଏଥିରେ କ୍ରୋଧାନ୍ୱିତ ହୋଇ କାହ୍ନା ପାଖରେ ଥିବା ଦୁଧ, ଦହି, ଲହୁଣୀ ଭାଣ୍ଡ ସବୁ ଭାଙ୍ଗିବାକୁ ଲାଗିଲେ । ମାଆ ମଧ୍ୟ କହିଲେ, “ଆଜି ତୋତେ ବାନ୍ଧିବି ।” ସେତିକି କହି ବାନ୍ଧିବାକୁ ଲାଗିଲେ, ହେଲେ ଦଉଡ଼ି ଦୁଇ ଆଙ୍ଗୁଳି ଛୋଟ ହେଉଥାଏ, ଘରେ ସମସ୍ତ ଦଉଡ଼ି ସରିଗଲା, ତଥାପି ଦୁଇ ଆଙ୍ଗୁଳି ଛୋଟ । ଯାହା ହେଉ ଚିନ୍ତାମଣି ସ୍ୱଇଚ୍ଛାରେ ବନ୍ଧା ହେଲେ ।

ବୃନ୍ଦାବନବାସୀ ଦେବରାଜ ଇନ୍ଦ୍ରଙ୍କୁ ପୂଜାରୁ ବଞ୍ଚିତ କରିଛନ୍ତି । କ୍ରୋଧରେ ଇନ୍ଦ୍ର ବୃନ୍ଦାବନ ଉପରେ ମୂଷଳ ଧାରାରେ ବର୍ଷା କରିଛନ୍ତି । ଶ୍ରାବଣମାସ ଭଳି ଅବାରିତ ବର୍ଷା ସହ ବଜ୍ରପାତର ଗୁରୁ ଗମ୍ଭୀର ଗର୍ଜନ ଓ ପ୍ରଳୟଙ୍କରୀ ବାତ୍ୟାର ତାଣ୍ଡବଲୀଳା । ବୃନ୍ଦାବନବାସୀ ଭୀତତ୍ରସ୍ତ । କାହ୍ନା କଥାରେ ଇନ୍ଦ୍ରପୂଜା ବନ୍ଦ ହେବାରୁ ଏ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି । ହେଲେ ସର୍ବଶକ୍ତିମାନ୍ ଭୁବନ ମୋହନ ନିଜ ବାମହସ୍ତର କାଣି ଆଙ୍ଗୁଠିରେ ଟେକି ଧରିଛନ୍ତି ଗିରି ଗୋବର୍ଦ୍ଧନ । ତାରି ତଳେ ଆଶ୍ରୟ ନେଲେ ଗୋପ, ଗୋପୀ, ଗୋପବାଳକ, ଗାଈ ଗୋରୁ ସହ । ସାତ ଦିନ, ସାତରାତି ବର୍ଷି ବର୍ଷି ଇନ୍ଦ୍ର ନିରାଶ ହୋଇ ଭଗବାନଙ୍କ ପାଖରେ କ୍ଷମା ମାଗିଲେ ନିଜ ଭୁଲ୍ ପାଇଁ । ଆଶ୍ଚର୍ଯ୍ୟ ହେଲେ ମା’ ଯଶୋଦା । କିପରି ତାଙ୍କର ଅନ୍ଧର ଲଉଡ଼ି ନୀଳମଣି ଏତେବଡ଼ ପର୍ବତକୁ କାଣି ଆଙ୍ଗୁଠିରେ ସାତଦିନ ସାତରାତି ଟେକି ଧରିଲା ।

କଂସ ଚିଟାଉ ଲେଖିଛି କୃଷ୍ଣ ବଳରାମ ଧନୁଯାତ୍ରା ଦେଖିବା ପାଇଁ ମଥୁରା ଯିବେ । ଅକ୍ରୁର ରଥ ନେଇ ଆସିଛି । କାହ୍ନା ଆଜି ବୃନ୍ଦାବନ ଛାଡ଼ି ଚାଲିଯିବେ । ତା’ର ମଧୁର ହସ, ମଧୁର ଚାଲି, ମଧୁର ବଂଶୀସ୍ୱର, ମଧୁର ପୀତାମ୍ୱର, ମଧୁର ନୃତ୍ୟ, ମଧୁର କଥା, ମଧୁର ଡର ଆଉ ଦେଖିବାକୁ ମିଳିବନି । ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଲେ ମା’ ଯଶୋବନ୍ତୀ । ଆଖିରୁ ଅବାରିତ ଅଶ୍ରୁଧାରା ବୋହି ଚାଲିଲା । କାହ୍ନା କହିଲା- “ମା’ ମୁଁ ପରା ମାମୁଁ ଘରକୁ ଧନୁଯାତ୍ରା ଦେଖିଯାଉଛି । ଯାତ୍ରା ସରିଲେ ପୁଣି ପଳାଇ ଆସିବି ।” ନନ୍ଦବାବା ଓ ଗୋପୀବାଳକମାନେ କାହ୍ନା ସହିତ ମଥୁରା ଗଲେ । କଂସ ମଲା । ମଥୁରାରୁ ନନ୍ଦ ବୃନ୍ଦାବନ ଆସିଲେ । କିନ୍ତୁ କାହ୍ନା ଫେରିଲାନି । ଅତି ଦୁଃଖରେ ଯଶୋଦା ନନ୍ଦବାବାଙ୍କୁ ପଚାରିଲେ, “ତୁମେ କାହ୍ନାକୁ ଛାଡ଼ି ଜୀବନ ଘେନି କିପରି ଆସି ପାରିଲ ?” ନନ୍ଦବାବା ଉତ୍ତରରେ କହିଲେ, “ମୋ ଜୀବନ ତ ଛାଡ଼ି ଛାଡ଼ି ଯାଉଥିଲା, ହେଲେ ବିଦାୟ ବେଳେରେ କାହ୍ନା କହିଲା, “ବାପା, ମୁଁ ତ ଆଉ କିଛି ଦିନ ପରେ ଯିବି, ମାଆଙ୍କୁ କହିବ ମୋ ପାଇଁ ବହୁତ ଭଲ ମାଖନ କରି ରଖିଥିବେ ।” ଏଥିରେ ମୋ ଜୀବନ ବଞ୍ଚିଗଲା । ମୁଁ ତ ଆସି ତୁମକୁ ଏ ଖବର ଦେଇଥାନ୍ତି । ପୁଅ ଯେତେବେଳେ ଆସିବ, କ’ଣ କହିବ, ମାଆଙ୍କୁ ମାଖନ ରଖିବା କଥା କିଛି କହି ନାହାନ୍ତି ।”

କାହ୍ନା କହି ଦେଇ ଆଉ ଫେରିଲାନି । ଉଦ୍ଧବ ସନ୍ଦେଶ ଆଣି ଆସିଲେ । ପୁତ୍ର କଥା ଶୁଣୁ ଶୁଣୁ ମାତାଙ୍କ ହୃଦୟ ଦୁଃଖରେ ଭାଙ୍ଗି ପଡୁଥିଲା । ଆଖିରୁ ବହି ଚାଲିଥିଲା ପ୍ରେମର ଅଶ୍ରୁ ଓ ସ୍ତନରୁ ବହି ଚାଲିଥିଲା କ୍ଷୀରର ଧାରା ।

ଧନ୍ୟ ଯଶୋଦା ମାଆ । ଏପରି ମାଆ କେହି ହୋଇ ନଥିଲେ ନା ଭବିଷ୍ୟତରେ ହେବେ । ଯେ ସଂଯୋଗରୁ ପ୍ରେମସୁଖ ଓ ବିୟୋଗରୁ ମଧ୍ୟ ପ୍ରେମ ସୁଖ ଲାଭ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top