ପ୍ରବନ୍ଧ

ମଣି ଗୌରବ

Odia Writer Nishikanta Padhi

ଗୋପବନ୍ଧୁଙ୍କର ଆଦର୍ଶରେ ଅନୁପ୍ରାଣିତ ଗୌରବାବୁ ଯାହା କରିପାରିନାହାଁନ୍ତି ତାହା ଆଜି ସିପୁନ୍ କରିପାରିଛି । ଖୁସିରେ ଆତ୍ମହରା ହୋଇପଡ଼ିଛି ଗାୟତ୍ରୀ ।

ମଣି ଗୌରବ

ଆଜି ଅକ୍ଟୋବର ନଅ ତାରିଖ । ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁଙ୍କର ଶୁଭ ଜନ୍ମତିଥି । ଗାୟତ୍ରୀ ପାଇଁ ଏକ ସ୍ମରଣୀୟ ଦିନଟିଏ । ତ୍ୟାଗ, ଆଦର୍ଶ ତଥା ସେବା ପରି ଗୁଣର ଅଧିକାରୀ ବାରବର୍ଷର ପୁଅ ସିପୁନ ଆଜି ମୁଖ୍ୟମନ୍ତ୍ରୀଙ୍କ ହାତରୁ ପୁରସ୍କାର ଗ୍ରହଣ କରିବ । ଗୋଟିଏ କୋଳ ଛାଡ଼ି ନଥିବା ତଥା ଦୁନିଆଁକୁ ଭଲ ଭାବେ ଚିହ୍ନିପାରି ନଥିବା କୁନି ବାଳକଟିଏ ଆଜି ଯଶ ଆଉ ଖ୍ୟାତିର ଅଧିକାରୀ ହେବ । ହୋଇ ବି ପାରିଥାଏ ସେ ବାଜି ରାଉତ କି ଧର୍ମପଦର ଅବତାର !!! ଗୌରବାବୁ ଥିଲେ କେତେ ଖୁସି ହୋଇନଥାନ୍ତେ !!! ନିଜର ରକ୍ତ ଆଜି କିପରି ଦେଶ ଆଉ ସମାଜ ପାଇଁ ଗର୍ବ ଆଣିଛି । ଗୋପବନ୍ଧୁଙ୍କର ଆଦର୍ଶରେ ଅନୁପ୍ରାଣିତ ଗୌରବାବୁ ଯାହା କରିପାରିନାହାଁନ୍ତି ତାହା ଆଜି ସିପୁନ୍ କରିପାରିଛି । ଖୁସିରେ ଆତ୍ମହରା ହୋଇପଡ଼ିଛି ଗାୟତ୍ରୀ । ଉଚ୍ଚଶିକ୍ଷିତା ହୋଇ ଅନେକ ସଫଳତାର ଡିଗ୍ରୀ ହାସଲ କରି ତଥା ଜଣେ ଆଦର୍ଶବାନ୍ ସମାଜ ସେବୀଙ୍କର ସହଧର୍ମିଣୀ ହୋଇ ସେ କେବେ ବି ଏ ପ୍ରକାର ଖୁସି ଅନୁଭବ କରିପାରିନଥିଲା ଅତୀତରେ ।

ଗୌରବାବୁ ବଞ୍ଚିଥିବା ବେଳେ ସିପୁନ୍‌କୁ ପାଖରେ ବସାଇ ଗୋପବନ୍ଧୁଙ୍କର ତ୍ୟାଗ, ସେବା ଓ ଆଦର୍ଶ ବିଷୟରେ କେତେ କଥା କୁହନ୍ତି । ଜ୍ୱରରେ ପଡ଼ିଥିବା ପୁଅକୁ ଛାଡ଼ି ଗୋପବନ୍ଧୁ କେମିତି ବନ୍ୟାପ୍ରପୀଡ଼ିତ ଅସହାୟମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଯାଇଥିଲେ ତାହା ବର୍ଣ୍ଣନା କଲାବେଳେ ଗୌରବାବୁ ଭୋ’ ଭୋ’ କାନ୍ଦିପକାନ୍ତି । ଗୋପବନ୍ଧୁଙ୍କର କବିତା “ମିଶୁ ମୋର ଦେହ ଏ ଦେଶ ମାଟିରେ” ଗାୟତ୍ରୀ ତଥା ସିପୁନ୍‌କୁ ଭାବପ୍ରବଣ କରାଏ । “ମାନବ ଜୀବନ ନୁହଁଇ କେବଳ ବର୍ଷ, ମାସ, ଦିନ, ଦଣ୍ଡ” ପଦକୁ ବୁଝାଇ ଗୌରବାବୁ ସିପୁନ୍ କୁହନ୍ତି- “ବାପାରେ ମଣିଷ ମରିଗଲେ ବି କର୍ମରେ ବଞ୍ଚି ରହେ । ଆଦର୍ଶ କର୍ମ ପାଇଁ ଦେଶ ଓ ସମାଜ ମଣିଷକୁ ଝୁରେ ।” ପୁରୀ ଗଲାବେଳେ ବସ୍‌ର ଝରକାରେ ହାତ ଗଳାଇ ଗୌରବାବୁ ସିପୁନ୍ ଆଉ ଗାୟତ୍ରୀକୁ ଭାର୍ଗବୀ ତଥା କୁଶଭଦ୍ରା ନଈ, ଉତ୍କଳମଣିଙ୍କ ଗାଁ ସୁଆଣ୍ଡୋ, ପଞ୍ଚସଖା ପୀଠ, ସତ୍ୟବାଦୀ ବନ ବିଦ୍ୟାଳୟ ଆଦି ଦେଖାନ୍ତି । କଟକକୁ ବାଲିଯାତ୍ରା ଦେଖିବାକୁ ଗଲାବେଳେ ବକ୍ସିବଜାର ଗୋପବନ୍ଧୁ ପାର୍କ ପାଖରେ ଗୌରବାବୁ ରିକ୍ସା ଅଟକାନ୍ତି । ଗୋପବନ୍ଧୁ ଭବନ, ସମାଜ ଅଫିସ୍ ଆଦି ବିଷୟରେ ବୁଝାନ୍ତି । ଲୁହାବାଡ଼ର ଫାଙ୍କାରେ ଦୃଶ୍ୟ ହେଉଥିବା ମାଳ ପକା ମୂର୍ତ୍ତୀଙ୍କୁ ଦେଖାଇ କୁହନ୍ତି- “ବାପାରେ ହେଇ ଉତ୍କଳମଣି । ନମସ୍କାର କର ।” ଗୌରବାବୁ ବାଲିଯାତ୍ରା ନ ବୁଲି ମଧୁବାବୁଙ୍କ ଘର, ନେତାଜୀ ସୁବାଷଙ୍କ ଜନ୍ମପୀଠ ତଥା ବାରବାଟୀ ଦୁର୍ଗକୁ ଦେଖାଇ ଓଡ଼ିଶାର ଗୌରବମୟ ଇତିହାସକୁ ବଖାଣନ୍ତି । ଗୌରବାବୁଙ୍କର ଇଚ୍ଛା ସିପୁନ୍ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏ ଦେଶ ଓ ସମାଜକୁ ଆଦର୍ଶମୟ କରି ଗଢ଼ି ତୋଳିବାରେ ନିଜ ଜୀବନକୁ ଉତ୍ସର୍ଗ କରୁ ।

କାଲି ପରି ଲାଗୁଛି । ଭାର୍ଗବୀ ନଦୀରେ ବନ୍ୟା ହେଲା । ଗାଁକୁ ପାଣି ମାଡ଼ି ଆସିଲା ବେଳେ ପାଣିରେ ପଶି ହରିଜନ ବସ୍ତିର ଲୋକଙ୍କୁ ଉଦ୍ଧାର କରିବାକୁ ଯାଇ ଗୌରବାବୁ ବନ୍ୟାଜଳର ଗଭୀର ସ୍ରୋତରେ ଭାସିଗଲେ । ଭାର୍ଗବୀ ନଦୀର ଦୁର୍ବାର ଆକର୍ଷଣ ସତେ ଯେପରି ଟାଣି ନେଲା ଜଣେ ଦୁଃଖୀ ଦରଦୀର ବନ୍ଧୁ ଗୌରବାବୁଙ୍କୁ । ତା’ ପରଦିନ ପାଖ ଗାଁ ଲୋକେ ଡଙ୍ଗାରେ ଗୌରବାବୁଙ୍କର ମରଶରୀରକୁ ଧରି ଗାଁରେ ପହଞ୍ଚିଲେ । ବିଳପି ଉଠିଲା ଗାୟତ୍ରୀର ମନ ଆଉ ହୃଦୟ । ବାପା ବାପା କହି ଶବଟା ଉପରେ ମୁଣ୍ଡ ବାଡ଼େଇ ସିପୁନ୍ କେତେ କାନ୍ଦିଲା । ଗାଁ ବାଲାଙ୍କ ଆଖିରେ ଲୁହ ରହିଲାନି । ପଶୁପକ୍ଷୀମାନେ ବି ବୋବାଳି ଛାଡ଼ିଲେ । ପାଷାଣ ତରଳିଗଲା ପରି ମନେହେଲା । ହେଲେ ଉଠିଲେନି ଗୌରବାବୁ ବିଶିଷ୍ଟ ସମାଜସେବୀ ଗୌରଚନ୍ଦ୍ର ଦଳବେହେରା । ଶଙ୍ଖା ସିନ୍ଦୂର ଚାଲିଗଲା ପରେ ଗାୟତ୍ରୀ ନିରାଶ୍ରୟା ହୋଇ ପଡ଼ିଲା ସିନା ଭାଙ୍ଗି ପଡ଼ିଲାନି । ରାଜଧାନୀକୁ ଆସି ଟିଉସନ୍ କରି ସରକାରୀ ସ୍କୁଲ୍‌ରେ ସିପୁନ୍‌କୁ ପାଠ ପଢ଼ାଇଲେ । ନିଜର ସୁଗୁଣ ମାର୍ଜିତ ବ୍ୟବହାର ପାଇଁ ସିପୁନ୍ ଆଜି ବିଦ୍ୟାଳୟର ଜଣେ ଆଦର୍ଶ ଛାତ୍ର ଓ ସମସ୍ତଙ୍କର ଖୁବ୍ ଆପଣାର ହୋଇପାରିଛି ।

ସେଦିନ ସିପୁନ୍ ବିଦ୍ୟାଳୟକୁ ଗଲାବେଳେ ଏକ ଅଘଟଣ ଘଟିଲା । ଅଟୋରିକ୍ସାଟିଏ ଜଣେ ବୃଦ୍ଧଙ୍କୁ ଧକ୍କା ଦେଇ ଚାଲିଗଲା । ବୃଦ୍ଧଜଣକ ଅଚେତ ହୋଇ ତଳେ ପଡ଼ିଗଲେ । ସମସ୍ତେ ନିଜ ନିଜ ବାଟରେ ଚାଲିଯାଉଥିଲେ ମଧ୍ୟ କେହି ଆଡ଼ ଆଖିରେ ବୃଦ୍ଧଙ୍କୁ ଚାହୁଁ ନଥିଲେ । ମାତ୍ର ସିପୁନ୍‌ର ଦରଦୀ ହୃଦୟ ବିଳପି ଉଠିଲା । ସେ ଛାଡ଼ି ଯାଇପାରିଲାନି ବୃଦ୍ଧଙ୍କୁ । ନିଜ ବୋତଲରୁ ପାଣି କାଢ଼ି ବୃଦ୍ଧଙ୍କ ମୁହଁରେ ଛିଞ୍ଚିଲା । ବୃଦ୍ଧଙ୍କର ଚେତା ଫେରିଲା । ନିଜ ଟିଫିନ୍‌ରୁ ବିସ୍କୁଟ୍ ଦି’ଖଣ୍ଡ କାଢ଼ି ବୃଦ୍ଧଙ୍କୁ ଖାଇବାକୁ ଦେଲା । ବୃଦ୍ଧଙ୍କର ମୁଣ୍ଡଫାଟି ରକ୍ତ ଝରୁଥିଲା । ସିପୁନ୍ ବୃଦ୍ଧଙ୍କ ମୁଣ୍ଡ ଉପରେ ରୁମାଲ୍ ରଖି ଅତି ବିକଳ ଭାବେ ଡାକ ପକାଇଲା ରାସ୍ତା ଉପରେ ଯାଉଥିବା ଲୋକମାନଙ୍କୁ । କ୍ରମେ ସିପୁନ୍‌ର ଚାରିପଟେ ଗହଳି ଜମିଲା । ପିସିଆର୍ ଭ୍ୟାନ୍ ପହଞ୍ଚିଲା, ଆମ୍ୱ୍ରଲାନ୍ସ ଆସିଲା । ଆହତ ବୃଦ୍ଧଙ୍କୁ ତତ୍‌କ୍ଷଣାତ୍ ଡାକ୍ତରଖାନାକୁ ନିଆଗଲା । ଗଣମାଧ୍ୟମରେ ସିପୁନ୍‌ର ପରିଚୟ ଏବଂ ଫଟୋ ନେଲେ । ଗୋଟିଏ ଛୋଟିଆ ପିଲାର ଉତ୍ସର୍ଗୀକୃତ ତ୍ୟାଗ, ସେବା ଓ ଆଦର୍ଶ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଗଲା । ବାହାର ରାଜ୍ୟର ସମ୍ୱାଦପତ୍ର ଗୁଡ଼ିକ ମଧ୍ୟ ସିପୁନ୍‌ର ପ୍ରଶଂସା ପାତ୍ର ପାଲଟିଗଲେ । ସ୍କୁଲ୍‌ର ପ୍ରଧାନ ଶିକ୍ଷକ ସିପୁନ୍‌କୁ ନେଇ ଗର୍ବ ଅନୁଭବ କଲେ । ଆସନ୍ତା ଗୋପବନ୍ଧୁ ଜୟନ୍ତୀରେ ରାଜ୍ୟ ସରକାର ସ୍ଥିର କଲେ ସ୍କୁଲ୍‌ରେ ସିପୁନ୍‌କୁ ପୁରସ୍କାର ଦେବା ପାଇଁ । ମୁଖ୍ୟମନ୍ତ୍ରୀଙ୍କ ସମ୍ମତି କ୍ରମେ ସ୍କୁଲ୍‌ର ବାର୍ଷିକ କ୍ରୀଡ଼ା ଉତ୍ସବ ସହିତ ସିପୁନ୍‌କୁ ଏକ ସ୍ୱତନ୍ତ୍ର ପୁରସ୍କାର ଦେବାର ଆୟୋଜନ ଉତ୍କଳମଣିଙ୍କର ଜୟନ୍ତୀରେ କରାଗଲା ।

xxxxxx

ସକାଳୁ ସକାଳୁ ଗାୟତ୍ରୀ ପୁଅକୁ ଧରି ପହଞ୍ଚିଛି ସ୍କୁଲ୍‌ରେ । ସ୍କୁଲ୍‌କୁ ନୋଟିସ୍ ମିଳିଛି ମୁଖ୍ୟମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିବେ, ତେଣୁ ସମସ୍ତେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆସିବା ଦରକାର । ପାଗ ଖରାପ ଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପହଞ୍ଚିଲେ । ତେବେ ପ୍ରଥମେ ସିପୁନ୍‌କୁ ପୁରସ୍କାର ଦେବା ପାଇଁ ଘୋଷଣା କରାଗଲା । ସିପୁନ୍‌କୁ ମଞ୍ଚ ଉପରକୁ ଡକାଗଲା । ଠୁକୁ ଠୁକୁ ପାଦ ପକାଇ ସିପୁନ୍ ମଞ୍ଚ ଉପରକୁ ଆସିଲା । ମୁଖ୍ୟମନ୍ତ୍ରୀ ସିପୁନ୍‌ର ହାତରେ ଧରାଇଦେଲେ ଛୋଟିଆ କାର୍ଡବୋର୍ଡର ବାକ୍ସଟିଏ ଯେଉଁଥିରେ ଥିଲା ଗୋପବନ୍ଧୁଙ୍କର ପଥର ମୂର୍ତ୍ତିଟିଏ । ଆଉ ସିପୁନ୍‌ର ବେକରେ ଉତ୍ତରୀୟଟିଏ ପକାଇ କହିଲେ “ସିପୁନ୍ ଦଳବେହେରା ହେଉଛନ୍ତି ଆମ ଓଡ଼ିଶାର ମଣିଗୌରବ । ପୁଣ୍ୟାତ୍ମା ଗୋପବନ୍ଧୁଙ୍କର ଆଦର୍ଶରେ ଅନୁପ୍ରାଣିତ ସିପୁନ୍ ହେଉଛନ୍ତି ଓଡ଼ିଆ ଜାତିର ଉଜ୍ଜ୍ୱଳ ତାରକା ।” ସମସ୍ତେ କରତାଳି ଦେଲେ । ଗାୟତ୍ରୀର ଆଖିରେ ଭରିଗଲା ଆଖିଏ ଆନନ୍ଦାଶ୍ର୍ର । ମଞ୍ଚରୁ ଓହ୍ଲାଇ ଆସି ସିପୁନ୍ ଗାୟତ୍ରୀକୁ କୁଣ୍ଢାଇ ପକାଇଲା । ପୁଞ୍ଜାଏ ଘଡ଼ଘଡ଼ିର ଶବ୍ଦରେ ଚମକି ପଡ଼ିଲା ସିପୁନ୍ । ଛାତିରୁ ନିଆଁ ଖଣ୍ଡେ ସତେ ଯେପରି ଖସିଗଲା ଗାୟତ୍ରୀର । ପୁରସ୍କାର ବିତରଣ ଚାଲିଛି । ସଭା ସରିବାକୁ ଅନେକ ସମୟ ବାକିଅଛି । ପିଲାଟା ସକାଳୁ ଆସିଛି ଭୋକ ଲାଗିବଣି । ଏପଟେ ଆକାଶରେ କଳାହାଣ୍ଡିଆ ମେଘଘୋଟି ଆସିଲାଣି । ବର୍ଷା ହେବ କି କ’ଣ । ଛତା ବି ହାତରେ ନାହିଁ । ଗାୟତ୍ରୀ ସିପୁନ୍‌ର ପେଟରେ ହାତ ମାରିଲା । ପେଟଟା ଯାଇ ପିଠିରେ ଲାଗି ଗଲାଣି । ବିଳପି ଉଠିଥିଲା ମାତୃ ହୃଦୟ । ଗାୟତ୍ରୀ ବାହାରି ପଡ଼ିଲା ପୁଅକୁ ଧରି ଘରକୁ ଆସିବା ପାଇଁ । ସ୍କୁଲ୍‌ର ଗେଟ୍ ଡେଇଁ ଡାକେ ବାଟ ଆସିଛି କି ନାହିଁ ଆରମ୍ଭ ହୋଇଗଲା ବାଦଲ ଫଟା ବର୍ଷା । ଗାୟତ୍ରୀ ଦ୍ରୁତବେଗରେ ପାଦ ପକାଉଥିବା ବେଳେ ସିପୁନ୍‌ର ହାତକୁ ଜାବୁଡ଼ି ଧରିଥିଲା । ଖାଲଖମା ଭରା ରାସ୍ତା । ଦି’ପଟେ ମୁକୁଳା ନାଳ । ଗାଡ଼ି ମଟରର ପେଁ ପେଁ ଶବ୍ଦ । ବୁଲା କୁକୁରମାନଙ୍କର କାମୁଡ଼ା କାମୁଡ଼ି ଯୁଦ୍ଧ । ଭାରି ଭୟ ଲାଗୁଥାଏ ଗାୟତ୍ରୀକୁ । ପ୍ରଚଣ୍ଡ ପବନ ସହିତ ଆକାଶରୁ ଖସି ପଡୁଥାଏ ବରକୋଳିଆ ଟୋପା ବର୍ଷା । ଆକାଶଟା ସତେ ଯେପରି ସମୁଦ୍ର ହୋଇ ଖସିପଡୁଥାଏ ମଥା ଉପରେ । ବର୍ଷା ଜଳରେ ରାସ୍ତାଘାଟ, ନାଳନର୍ଦ୍ଦମା, ଖାଲଢ଼ିପ ସବୁ ଏକାକାର ହୋଇଗଲା । ଇତସ୍ତତଃ ଭାବେ ପାଦ ପକାଇବା ବେଳେ ଦୁର୍ଭାଗ୍ୟବଶତଃ ଗାୟତ୍ରୀର ଗୋଡ଼ ଖସିଗଲା ମୁକୁଳା ନାଳ ଭିତରକୁ । ସିପୁନ୍ ବି ଟାଣି ହୋଇଗଲା ମା’ ସହିତ । ବର୍ଷାଜଳର ଗଭୀର ସ୍ରୋତ ଟାଣିନେଲା ମା’ ପୁଅ ଦୁହିଁଙ୍କୁ । ଆପ୍ରାଣ ଚେଷ୍ଟା କରି ଗୋଟିଏ ଭଙ୍ଗାସ୍ଲାବ୍‌ର ରଡ଼କୁ ଧରି ଗାୟତ୍ରୀ ସମ୍ଭାଳି ନେଇଗଲା ନିଜକୁ । ହେଲେ ସିପୁନ୍ ରକ୍ଷା ପାଇପାରିନଥିଲା । ନିଷ୍ଠୁର ବର୍ଷାଜଳର ନିର୍ମମ ସଇତାନି ସ୍ରୋତ ସିପୁନ୍‌କୁ ଟାଣି ନେଇଥିଲା ଦୂରକୁ ଦୂରକୁ ବହୁ ଦୂରକୁ । ଗାୟତ୍ରୀର ଆଖି ତନ୍ନ ତନ୍ନ କରି ଖୋଜି ଯାଉଥିଲା ନାଳରେ ଭାସିଯାଉଥିବା ବର୍ଷାଜଳର ଭଉଁରୀଗୁଡ଼ିକୁ । ଘୁ ଘୁ ଗର୍ଜନ କରି ସତେ ଯେପରି ଅଟ୍ଟହାସ୍ୟ କରୁଥିଲା ମୁକୁଳା ନାଳଟା । ଅଦୂରରେ ନାଳ କଡ଼ରେ ଲାଗିଥିବା ଗୁଡ଼ାଏ ଆବର୍ଜନା ମେଳରେ ରହିଯାଇଥିଲା ସିପୁନ୍‌ର ସେହି ପୁରସ୍କାର ବାକ୍ସଟା । ଗାୟତ୍ରୀ ଝପଟିଗଲା ବାକ୍ସଟା ପାଖକୁ । ଶୂନ୍ୟ ବାକ୍ସଟାକୁ ଦେଖି ଗାୟତ୍ରୀ ଆଶ୍ଚର୍ଯ୍ୟ ହୋଇଗଲା । ବାକ୍ସଟା ମଧ୍ୟରେ ଉତ୍କଳମଣି ନଥିଲେ । ସିପୁନ୍‌କୁ ମୃତ୍ୟୁମୁଖରୁ ରକ୍ଷା କରିବା ପାଇଁ ସତେ ଯେପରି ଦାସେ ଆପଣେ କାଗଜ ବାକ୍ସ ଭିତରୁ ଉଭାନ୍ ହୋଇଯାଇଥିଲେ । ବର୍ଷାର ପ୍ରାବଲ୍ୟ ଯୋଗୁଁ ଦେହ କୋଲ ମାରି ଯାଉଥିଲେ ମଧ୍ୟ ଗାୟତ୍ରୀର ଛାତି ତାତିରେ ଖଇ ଫୁଟୁଥିଲା । ସ୍ଥାନୀୟ ଲୋକେ ଖବର ଦେଲେ । ଦମକଳ ଗାଡ଼ି ପହଞ୍ଚିଲା । ଦୁଇ କିଲୋମିଟର ଦୂରରୁ ନାଳ ଭିତରୁ ସିପୁନ୍‌ର ଶବକୁ ଠାବ କରାଗଲା ।

ଗାୟତ୍ରୀର ଆଖି ଆଗରେ ସିପୁନ୍ ଶୋଇଛି । ସିପୁନ୍‌ର ଚାରିପଟେ ମାଳ ମାଳ ମୁହଁ । ଶବ୍ଦମାନଙ୍କର କୋଳାହଳ, ଗଣମାଧ୍ୟମର ଗହଳ ଚହଳ । ସ୍ତବ୍ଧ ଆଉ ନିଶ୍ଚଳ ହୋଇପଡ଼ିଛି ଗାୟତ୍ରୀ । ସମସ୍ତଙ୍କର ଆଖି ଏବେ ସେହି ଅପ୍ରତ୍ୟାଶିତ ତଥା ଅଲୌକିକ ଦୃଶ୍ୟଟି ଉପରେ । ସିପୁନ୍ ଜଡ଼ ପାଲଟିଯାଇଛି । ଛାତିରେ ଯାବୁଡ଼ି ଧରିଛି ଉତ୍କଳ ମଣିଙ୍କର ସେହି ପ୍ରସ୍ତର ମୂର୍ତ୍ତିଟିକୁ । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡ଼ିଛନ୍ତି ଏହି ବିରଳ ଘଟଣାଟିକୁ ଦେଖି । ମଣି ଗୌରବ ଆଉ ଉତ୍କଳମଣି ସତେ ଯେପରି ପରସ୍ପର ମିଶି ଏକ ହୋଇଯାଇଛନ୍ତି । ଗୋପବନ୍ଧୁଙ୍କର ଅଦୃଶ୍ୟ ଦିବ୍ୟାତ୍ମାରେ ସତେ ଯେପରି ଲୀନ ହୋଇଯାଇଛି ସିପୁନ୍‌ର ଆତ୍ମା । ସମସ୍ତେ କହୁଛନ୍ତି ପିଲାଟା ସ୍ୱୟଂ ଉତ୍କଳମଣି, ଦାସେ ଆପଣେ ମାନବାତ୍ମାର ରୂପ ନେଇ ଜନ୍ମ ହୋଇଥିଲେ ସିପୁନ୍ ରୂପରେ । ପୁତ୍ରର ଅକାଳ ବିୟୋଗ ଗାୟତ୍ରୀକୁ ଏକ ଶକ୍ତ ଦାରୁଣ ଧକ୍କା ଦେଇଥିଲେ ମଧ୍ୟ ଜଣେ ଖ୍ୟାତନାମା ସମାଜସେବୀର ସହଧର୍ମିଣୀ ତଥା ଏକ ଆଦର୍ଶ ସନ୍ତାନର ଜନନୀ ଭାବେ ଗାୟତ୍ରୀ ଗର୍ବ ଅନୁଭବ କରୁଥିଲା । ସିପୁନ୍ ଚାଲିଗଲା ପରେ ଭାରି ଏକୁଟିଆ ହୋଇଗଲା ଗାୟତ୍ରୀ । କେମିତି ବା ସେ ବଞ୍ଚିବ । କାହା ପାଇଁ ବଞ୍ଚିବ । ଆଉ କିପରି ବଞ୍ଚିବ । ଭାରି ଅଭିମାନ ହେଲା ଜୀବନଟା ଉପରେ । ସ୍ୱାମୀ ଗୌରଙ୍କର କଥା ମନେ ପଡୁଥିଲା । ଗୌର କହୁଥିଲେ ଜୀବନ ମାନେ ହିଁ ବିପ୍ଳବ । ଜୀବନ ଯୁଦ୍ଧରେ ହାରିଯାଇ ପଳାତକ ସାଜିବା ମଣିଷ ଜୀବନର ଲକ୍ଷ୍ୟ ନୁହେଁ । ଗୋପବନ୍ଧୁଙ୍କର ସେହି ପଦ “ମାନବ ଜୀବନ ନୁହଁଇ କେବଳ ବର୍ଷ, ମାସ, ଦିନ, ଦଣ୍ଡ” ଗାୟତ୍ରୀର ମନରେ ବଞ୍ଚିବାର ଆଶା ସଞ୍ଚାର କଲା । ମଣିଷ ବେଞ୍ଚ କର୍ମରେ । ଆଜି ଗାୟତ୍ରୀ ବଞ୍ଚିବ କର୍ମକୁ ନେଇ । ଏଇ ସମାଜ ପାଇଁ ସେ କର୍ମ କରିବ । ଗୌରବାବୁ ଅନେକଥର ଗାୟତ୍ରୀ ଆଉ ସିପୁନ୍‌କୁ ପାଖରେ ବସାଇ କହିଛନ୍ତି । ସମାଜରେ ଶାନ୍ତି ସମତା ତଥା ପ୍ରଗତି ଆସିବାକୁ ହେଲେ ଆମରି ପରି ସାଧାରଣ ମଣିଷମାନଙ୍କୁ ଚେଷ୍ଟା କରିବାକୁ ହେବ । ଆଜିର ସମାଜରେ କୁସଂସ୍କାର ଓ ଅନ୍ଧବିଶ୍ୱାସର ବିଷବୃକ୍ଷ ମାଡ଼ିବାରେ ଲାଗିଛି । ଶିକ୍ଷାର ମାନ ଦିନକୁ ଦିନ କମିଯାଉଛି । ମାନବିକ ମୂଲ୍ୟବୋଧର ମହାସମାଧି ଘଟିଲାଣି । ରାସ୍ତାଘାଟ ସବୁ ଖାଲଖମାରେ ଭର୍ତ୍ତି ହୋଇଗଲାଣି । ଅଳିଆ ଆବର୍ଜନା ଭରା ମୁକୁଳା ନାଳ ନର୍ଦ୍ଦମା ନର୍କ ପ୍ରାୟ ମନେ ହେଉଛି । ସମାଜର ତଥା ପରିବେଶର ଏହି ବିକଳାଙ୍ଗ ମାନଚିତ୍ରକୁ ଚେଷ୍ଟା କରି କି ଯୋଜନା ଗଢ଼ି କେବଳ ସରକାର ନିଜେ ବଦଳେଇ ଦେଇପାରିବେନି । ଏଥିପାଇଁ ଦରକାର ସାଧାରଣ ମଣିଷମାନଙ୍କର ସହଯୋଗ ଆନ୍ତରିକତା ତଥା ସଚେତନତା । ଏହି ସମାଜ ପାଇଁ ଗୌରବାବୁ ତଥା ସିପୁନ୍ ଯାହା କରିପାରିନାହାଁନ୍ତି ଗାୟତ୍ରୀ ତାକୁ ପୂରଣ କରିବ ।

କେତେକ ମହିଳାମାନଙ୍କୁ ନେଇ ଗାୟତ୍ରୀ ଗଠନ କରିଛି “ମଣି ଗୌରବ ମହିଳା ସମିତି” । ରାତି ପାହିଲେ ସମାଜ ସେବା ଚାଲୁଛି । ରାସ୍ତାଘାଟ ମରାମତି, ନାଳନର୍ଦ୍ଦମା ସଫା, ନିରକ୍ଷର ଗରିବ ଶିଶୁମାନଙ୍କୁ ଠାବ କରି ପାଠ ପଢ଼ାଇବା, ଅନାଥ ଶିଶୁମାନଙ୍କୁ ଥଇଥାନ କରିବା, ନିଶା ନିବାରଣ ପାଇଁ ସଚେତନତା ସୃଷ୍ଟି କରିବା ଆଦି କାମ ସମିତିର ସଭ୍ୟମାନେ କରୁଛନ୍ତି । ସମାଜର ସଭ୍ୟଲୋକ ମାନେ ମୁକ୍ତ ହସ୍ତରେ ଦାନ କରୁଛନ୍ତି ସମିତିକୁ । ସହୃଦୟ ବ୍ୟକ୍ତି ମାନଙ୍କର ଆର୍ଥିକ ତଥା ମାନସିକତାର ସାହାଯ୍ୟ ଆଜି ସମିତିକୁ ଦୃଢ଼ କରିପାରିଛି । ସରକାରୀ ସ୍ତରରେ ସମିତିର ଚର୍ଚ୍ଚା ବି ଚାଲିଲାଣି । ସଚିବାଳୟରୁ ପାର୍ଲାମେଣ୍ଟ୍, ପଲ୍ଲୀରୁ ଦିଲ୍ଲୀ ସବୁଠି ମଣିଗୌରବ ମହିଳା ସମିତିର ଚର୍ଚ୍ଚା ଆଉ ଗାୟତ୍ରୀର ପ୍ରଶଂସା । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଚିଠି ଆସିଛି ଆସନ୍ତା ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର ଲାଲ୍‌କିଲ୍ଲାଠାରେ ମାନ୍ୟବର ରାଷ୍ଟ୍ରପତି ଗାୟତ୍ରୀକୁ ପୁରସ୍କୃତ କରିବେ । ଆଉ ସାଂସଦ ପରିସରରେ ଗାୟତ୍ରୀ ଅତିଥିଭାବେ ଏକ ମୂର୍ତ୍ତି ଉନ୍ମୋଚନ କରିବ ।

ଆଜି ଗଣତନ୍ତ୍ର ଦିବସ । ରାଷ୍ଟ୍ରପତିଙ୍କଠାରୁ “ସେବାରାଣୀ” ପୁରସ୍କାର ପାଇବା ପରେ ଗାୟତ୍ରୀ ଏବେ ସଂସଦର ପରିସରରେ । ଏକ ପରଦା ଆବୃତ୍ତ ମୂର୍ତ୍ତି ଆଗରେ ଛିଡ଼ା ହୋଇଛି ଗାୟତ୍ରୀ । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ସାଂସଦ ତଥା ସମିତିର ସଭ୍ୟମାନେ ସମସ୍ତେ ଦଣ୍ଡାୟମାନ ମୂର୍ତ୍ତି ଆଗରେ । ଅପେକ୍ଷା ସେହି ଇପ୍ସିତ ମୁହୂର୍ତ୍ତକୁ । ଗାୟତ୍ରୀ ପରଦାର ଡୋରକୁ ଟାଣିଲା । ଧିରେ ଧିରେ ଅନାବୃତ୍ତ ହୋଇ ଆସିଲା ମୂର୍ତ୍ତିର ଶରୀର । ଚକିତ ହୋଇପଡ଼ିଲା ଗାୟତ୍ରୀ. . . ଆରେ ଏ ତ ମୋ ସିପୁନ୍. . . !!! ସମସ୍ତଙ୍କ ଆଗରେ ଉନ୍ମୋଚିତ ହୋଇଛି ସିପୁନ୍‌ର ମୂର୍ତ୍ତି । ଛାତିରେ ସେ ଜାବୁଡ଼ି ଧରିଛି ଉତ୍କଳମଣିଙ୍କୁ । ମୂର୍ତ୍ତି ତଳେ ଖୋଦିତ ହୋଇଛି “ମଣିଗୌରବ ସିପୁନ୍ ଦଳବେହେରା” । ବିସ୍ମୟ ଚିତ୍ତରେ ଗାୟତ୍ରୀ ଚାହିଁ ରହିଛି ମୂର୍ତ୍ତିକୁ । ଗୌରବାବୁଙ୍କର ସ୍ୱପ୍ନ ଯେ ସାକାର ହୋଇପାରିଛି । ମନେ ମନେ ଗାୟତ୍ରୀ ଧନ୍ୟବାଦ୍ ଜଣାଉଥିଲା ପ୍ରଭୁ ଜଗନ୍ନାଥଙ୍କୁ । ସମସ୍ତେ କରତାଳି ଦେବା ସହିତ ଆବୃତ୍ତି କରୁଥିଲେ ଗୋପବନ୍ଧୁଙ୍କର ସେହି ଦେଶାତ୍ମବୋଧର କବିତାର ପଦ- “ମିଶୁ ମୋର ଦେହ ଏ ଦେଶ ମାଟିରେ” ।

ଲୋକପ୍ରିୟ ଲେଖା

To Top