ପ୍ରବନ୍ଧ

ମଣିଷ

Shri Niranjan Padhee's Odia Prose Manisha

ପୃଥିବୀକୁ ଏକକ ପରିବାର ଦୃଷ୍ଟିରେ ଦେଖିବା ତୁମର ମାନବୋଚିତ ଧର୍ମ । ଏ ଦାୟିତ୍ୱକୁ ଏଡ଼ାଇ ଦେବା ପାପ ।

ମଣିଷ

-: ପୂର୍ବରୁ :-

ତରୁଣ ସାହିତ୍ୟପ୍ରେମୀ ସେଦିନ ମୋତେ ପୁଣି ଉଖାରି ଉଖାରି ପଚାରିଲେ- “ମଉସା, ଆମ ସାହିତ୍ୟ ଜଗତର ସାହିତ୍ୟରଥୀମାନେ ଯଦି ବା ରତ୍ନାକର, ସେମାନେ ବାଲ୍ମୀକି ହୋଇଛନ୍ତି ତ ? ସେତେଟା ନ ହେଲେ ବି, ଏ ଦିଗରେ ସେମାନଙ୍କର ଆଗ୍ରହ କେତେ ? ପରାକାଷ୍ଠା କେତେ ? ପ୍ରାୟଶ୍ଚିତ୍ତ କେତେ ? ଉପଲବ୍ଧି କେତେ ?” ନିଜର ଉକ୍ତି, ଉଭୟ ଉଚ୍ଚାରଣ ଏବଂ ଆଚରଣରେ ରୂପାନ୍ତରିତ ନ ହେଲେ, ସେପରି ଲେଖକଙ୍କର ସାହିତ୍ୟର ପ୍ରଭାବ ଜନମାନସରେ କେତେ ଅବା ପଡ଼ିପାରିବ । ଏପରି ଏକ ଅବ୍ୟବସ୍ଥିତ ବାତାବରଣରେ ସାହିତ୍ୟିକ ସ୍ୱରଝଙ୍କାରରେ ଓଁକାର ଊର୍ମିମୟ ହୋଇପାରିବ ତ ?

ସେଦିନ ସେ ଯୁବ ସାହିତ୍ୟପ୍ରେମୀ ବନ୍ଧୁଙ୍କ ନିକଟରେ ମୁଁ ନିର୍ବାକ ହୋଇଯାଇଥିଲି । ମୋ ପାଖରେ ତାଙ୍କ ବୁଝିଲାଭଳି ଏତେଟା ବଳିଷ୍ଠ ଯୁକ୍ତିର ଉପାଦାନ ନ ଥିଲା । ତାହା ହୁଏତ ମୋର ନିଜର ଅକ୍ଷମପଣ । ଉଚ୍ଚାରଣ ଓ ଆଚରଣ, ଏ ଦୁଇଟି ବିରୋଧାଭାସ ଯେ ମଣିଷକୁ କାଳକାଳ ଆନ୍ଦୋଳିତ କରେ, ତାହା ମୁଁ କ’ଣ ଅସ୍ୱୀକାର କରିପାରିବି । ସାହିତ୍ୟିକ ଭଳି ସୃଜନଶିଳ୍ପୀ ଯେ ଏହାକୁ ଅଙ୍ଗୀକାର କରିବେ ନାହିଁ, ଏହା କ’ଣ ମୁଁ ସେ ଯୁବକପାଠକଙ୍କ ପାଖରେ ପ୍ରତାରଣାପୂର୍ଣ୍ଣ ଯୁକ୍ତି ବାଢ଼ିବି । ଏକ ଆନ୍ଦୋଳିତ ମନ ନେଇ ସେଦିନ ମୁଁ ଫେରି ଆସିଥିଲି ।

ସେହିଦିନଠାରୁ ମୁଁ ଘାରିହେବାକୁ ଲାଗିଲି- ତା’ହେଲେ ଏ ମଣିଷ କିଏ ? ମଣିଷ କି ଉପାଦାନରେ ଗଢ଼ା ? ତା’ର ସମୁଚିତ ସଂଜ୍ଞା ତେବେ କ’ଣ ?

ସତରେ, ବଡ଼ ଅଦ୍ଭୁତ ଏହି ସୁବିଶାଳ ସାମାଜିକ ସଂସ୍ଥାନ । ବିଶାଳ ବିଶ୍ୱରେ ଏହା ଏକ ବୃହତ୍ତମ ପରିବାର । ଗଛବୃଚ୍ଛ, ପଶୁପକ୍ଷୀ, କୀଟପତଙ୍ଗ ପରି କୋଟି କୋଟି ଜୀବଜନ୍ତୁଙ୍କଠାରୁ ମଣିଷ ପର୍ଯ୍ୟନ୍ତ ଏହି ପରିବାରର ସଦସ୍ୟ । ସହାବସ୍ଥାନ ହିଁ, ଏହି ବୃହତ୍ ପରିକଳ୍ପନାର ଭିତ୍ତିଭୂମି ।

ଯାହା ଦେଖାଯାଏ, ମଣିଷ ବ୍ୟତୀତ ଏ ପରିବାରର ଅନ୍ୟ ସମସ୍ତେ ପୂର୍ଣ୍ଣ, ପରିପୂର୍ଣ୍ଣ । କେବଳ ଶରୀରର ବୃଦ୍ଧି କ୍ଷୟ ପ୍ରକ୍ରିୟାକୁ ବାଦ୍‌ଦେଲେ, ଚେତନାର ଅଭିବୃଦ୍ଧି ଏବଂ ଉତ୍ତରଣ ସେମାନଙ୍କଠାରେ ସୀମିତ । ନିଜେ କିଏ, ଏହି ଗୂଢ଼ ତତ୍ତ୍ୱର ରହସ୍ୟ ଭେଦ କରିବା ସେମାନଙ୍କ ପକ୍ଷରେ ଏକ ଦୁରୂହ ବ୍ୟାପାର । ଏହି ପୃଷ୍ଠଭୂମିରେ ମଣିଷ ହିଁ, ରହସ୍ୟ ଭେଦ କରିବା ପରିସରକୁ ଆସେ ।

ମଣିଷ ଆଶ୍ଚର୍ଯ୍ୟଜନକ ଭାବରେ ଅପରିପୂର୍ଣ୍ଣ । ଏକ ବିଧି ନିର୍ଦ୍ଦେଶିତ ପରିକଳ୍ପନା ଅନୁସାରେ, ସେ ଅସ୍ୱାଭାବିକ ଭାବରେ ଅସମ୍ପୂର୍ଣ୍ଣ । ପୂର୍ଣ୍ଣତା ପାଇଁ ପ୍ରମତ୍ତ ହେବା, ବ୍ୟାକୁଳ ହେବା ତା’ର ଧରାଧନ୍ୟ ଧର୍ମ । ବାୟୁମଣ୍ଡଳରେ ଅଚାନକ କେଉଁ ଏକ ଶୂନ୍ୟତାକୁ ପରିପୂର୍ଣ୍ଣ କରିବାପାଇଁ, ଆଖପାଖର ବାୟୁ ଖୁବ୍ ଧୁମ୍‌ଧାମ୍‌ରେ ଧସେଇ ପଶେ । ତାକୁ ଆମେ ଆମ ଭାଷାରେ କହୁ ଘୂର୍ଣ୍ଣିବାତ୍ୟା, ଘୂର୍ଣ୍ଣିଝଡ଼ । ସେହି ଘୂର୍ଣ୍ଣିଝଡ଼ ଖୁବ୍ ଅଶାନ୍ତ, ବଡ଼ ଅମାନିଆ, ଅବୋଲକରା । ବାଟଟିଏ ତା’ ପାଇଁ ଫିଟିଯିବା ପାଇଁ ବାଧ୍ୟ । ଅନ୍ୟଥା ସେ ସାଧାରଣ ବାୟୁବେଗରୁ ପ୍ରଳୟ ଏବଂ ପ୍ରଳୟରୁ ମହାପ୍ରଳୟର ଡେଣା ମେଲି ଆତୁଆଲା ହେବ । ଅଶାନ୍ତ ହେବ ।

ଏ ମଣିଷ ତା’ର ପ୍ରତିଟି ଜୀବକୋଷରେ ସୁକୋମଳ, ସୁଶାନ୍ତ ସୃଷ୍ଟିଶୀଳତାର ସମ୍ମୋହନକୁ ଧାରଣ କରିବା ସହିତ, ଏକ କଷଣ-କଠୋର ଅଶାନ୍ତ ସଂହାରପଣର ଅହମିକାକୁ ମଧ୍ୟ ଆୟୁଧ କରିଛି । ଦ୍ୱିଧା, ଦ୍ୱନ୍ଦ୍ୱ ଏବଂ ପରସ୍ପର ବିରୋଧାଭାସର ସଦାସର୍ବଦା ଶିକାର ସେ । ଭଲମନ୍ଦ ସୁଖଦୁଃଖ ପାପପୁଣ୍ୟ ଭଳି ଶତସହସ୍ର ମାୟାଭ୍ରମରେ ସେ ଭ୍ରମିତ । ମନର ମନ୍ଥନରେ ସେ ମୃତବତ୍ ମର୍ମାହତ । ଇନ୍ଦ୍ରିୟମାନଙ୍କର ଶକ୍ତ ନାଗଫାଶ ବନ୍ଧନରେ ସେ ମୁହୁର୍ମୁହୁଃ ଆମୋଦିତ ତ ମୁହୁର୍ମୁହୁଃ ଆକ୍ରାନ୍ତରେ ଆତଙ୍କିତ ।

ତଥାପି ମଣିଷର ଏପରି ଅକୁହା କ୍ଳେଶରୁ କରୁଣାର ଝର୍ଝର ଝରଣାଟିଏ ସବୁକାଳେ ସମ୍ଭାବନା ସୃଷ୍ଟି କରିଥାଏ । ନିମ୍ନରୁ ଊଉର୍ଦ୍ଧ୍ଵକୁ ଉଠିବା ତା’ର ବଂଶ ପରମ୍ପରା । ଅଧୋଗତି ବେଳେ ଉତ୍ତରଣ ଏବଂ ଉଚ୍ଛଳ ଉନ୍ମାଦନା ତା’ର ଉଦ୍‌ବେଳନର ଉଦ୍ଭାସ । ସେ ଅଗ୍ରସର ହେବ । ତା’ ଆଗରେ ଅପୂର୍ବ ଏକ ମାୟାର ମହଲ । ଆରପାରିରେ ଆମନ୍ତ୍ରଣ କରୁଛି ପୂର୍ଣ୍ଣତାର ପ୍ରବେଶ ପଥ । ସେଠି ଅମୃତର ଅନୁଭବ ଅଛି । ଆଶା ଆଶଙ୍କାର ଅଶାନ୍ତ ଆଲୋଡ଼ନ ନାହିଁ ।

ହେ ! ମନୁଆ ମଣିଷ, ତୁମେ ପ୍ରକୃତିସ୍ଥ ହୁଅ, ଆତ୍ମସ୍ଥ ହୁଅ । ନିଜକୁ ନିକୁଟି ନିକୁଟି ନିରୀକ୍ଷଣ କର । ତୁମେ ଏକାଧିକ କାରାଗାରରେ ଅବରୁଦ୍ଧ । ଏହି କାରାଗାରର ଚାବି ତୁମେ ଦେଇଛି ତୁମର ଇନ୍ଦ୍ରିୟମାନଙ୍କୁ । ତୁମର ମନ ସବୁ ଇନ୍ଦ୍ରିୟଙ୍କର ମାଲିକ । ଏବେ ଏହି ମନ ଓ ଇନ୍ଦ୍ରିୟ ତୁମର ଭୃତ୍ୟ ନ ହୋଇ ପ୍ରଭୁ ପାଲଟିଛନ୍ତି । ତୁମ ହାତରୁ ସବୁକିଛି ଖସିଯିବାରେ ଲାଗିଛି । ତୁମେ କାଙ୍ଗାଳ ହୋଇଯିବ ମଣିଷ । ପୂର୍ଣ୍ଣତା ପ୍ରାପ୍ତିର ଅଧିକାରରୁ ତୁମେ ବଞ୍ଚିତ ହେବା ନିଶ୍ଚିତ ପ୍ରାୟ । ତତ୍ସହିତ ତୁମ ଅଭ୍ୟନ୍ତରର ଆଲୋଡ଼ନ ଅକଳ୍ପନୀୟ ହେବ । ତୁମେ ସହିପାରିବ ତ !

ପ୍ରଥମ କାରାଗାରରେ ତୁମେ ଅସୁରମାନଙ୍କର ଗହଣରେ ଅଶାନ୍ତ ହୋଇ ଛଟପଟ ହେଉଛ । ଆସୁରିକ ମାୟା ଓ ଆସୁରିକ ପ୍ରବୃତ୍ତି ତୁମକୁ କବଳିତ କରିଛି । ତୁମ ଇନ୍ଦିୟମାନଙ୍କୁ ଆୟୁଧ କରି ତୁମରି ମନ ହିଁ ତୁମକୁ ମର୍ମାହତ କରି ଚୋଟ ମାରୁଛି । ପାଶବିକ ପ୍ରବୃତ୍ତି ସହିତ ହିଂସ୍ର ଆଚରଣ ତୁମକୁ ଏ ଜଗତରେ ଏକ ଭୟଙ୍କର ହିଂସ୍ର ପ୍ରାଣୀ ଭାବରେ ଉପସ୍ଥାପନ କରୁଛି । ତୁମେ ସଂଯତ ହୁଅ । ମାୟା ଛେଦନ କର ।

ତା’ପରେ ଦେଖିବ ତୁମକୁ ତୁମେ ନିଜେ ମଣିଷ ମଣିଷ ଲାଗିବ । ମଣିଷର ବାହ୍ୟ ଆବରଣ ସହିତ ଅଭ୍ୟନ୍ତର ସଂଯୋଜିତ ହେବ । ମଣିଷ-ବାସ୍ନାର ବିରଳ ମଧୁରିମାରେ ଏ ମାଟି ମହୀୟାନ୍ ହେବ । ମନ ମନ୍ତ୍ର ପଢ଼ିବ । ହୃଦୟ ତରଳିବ । ଇନ୍ଦ୍ରିୟ ଲଗାମ ମାନିବ । ପରମ ଇଚ୍ଛାମୟଙ୍କର ଈପ୍ସିତ ରାଜତ୍ୱର ଅୟମାରମ୍ଭ ହେବ । ଏକ ବିସ୍ଫାରିତ ହୃଦୟ ଏ ବିଶ୍ୱର ବିପୁଳ ବେଦନାବୋଧକୁ ଅବଧାରଣ କରିବାକୁ ସମର୍ଥ ହେବ । ତାହାହିଁ ହେବ ଏ ମଣିଷ ଜୀବନର ସାର୍ଥକତା ଏବଂ ଅମାପ ଆତ୍ମଉପଲବ୍ଧିର ସୁବର୍ଣ୍ଣ ସୁଯୋଗ ।

ଭୟ କର ନାହିଁ ମଣିଷ । ନିର୍ଦ୍ଦିଷ୍ଟ ବୃକ୍ଷର ବୀଜ ସେହି ବୃକ୍ଷ ହିଁ ହେବ । ମଣିଷର ମହନୀୟ ଗୁଣ ତୁମଠାରେ ନିହିତ । ମଞ୍ଜିର ଖୋଳପା ଫାଟିଗଲେ ସବୁ ସମ୍ଭବ । ତୁମର ଅଙ୍କୁରୋଦ୍‌ଗମ୍‌ର ଆବଶ୍ୟକତା ଖୁବ୍ ଜରୁରୀ । ସାହା ଜଗତର ସମସ୍ତ ଶିଶୁଙ୍କଠାରୁ ତୁମେ ଥିଲ ଦୁର୍ବଳତମ ଶିଶୁ । ଏ ସମଗ୍ର ସଂସାରର ସାମଗ୍ରିକ ସହଯୋଗ ହିଁ ତୁମକୁ ଏଡୁଟିରୁ ଏଡୁଟିଏ କରିଛି, ଠିଆ କରେଇଛି । ତୁମେ ଆଉ କିଛି ନ ହୋଇ ତେଣୁ ମଣିଷଟିଏ ହୁଅ । ଏ ସଂସାର ତାହା କେବଳ ଚାହେଁ ତୁମଠାରୁ ।

ତେଣୁ କେବଳ ମଣିଷର ଖୋଳଟିଏ ପିନ୍ଧି, ତାରି ମୁଖାରେ ମୁଖରିତ ହୋଇ କେତେ କାଳ ଆଉ ଏହି ଦିବ୍ୟଭୂମି ଧରିତ୍ରୀରେ ଭେଳିକି ରଚିବ କହିଲ । ବାଘ, ସିଂହ ଆଉ ସାପର ଆଚରଣକୁ ଆୟୁଧ କରି ଆଉ କେତେକାଳ ତୁମେ ମଣିଷର ଅମୂଲ୍ୟ ମହାନତାକୁ ଅବରୁଦ୍ଧ କରି ରଖିବ କହିଲ । ଏହି ପାପର ପ୍ରାୟଶ୍ଚିତ୍ତ ପାଇଁ ଏବେ ବି ସମୟ ଅଛି । ତୁମେ ମନୁଷ୍ୟୋଚିତ ଗୁଣସମ୍ପନ୍ନ ହୁଅ । ତୁମର ପୁରୁଷାକାରକୁ ପ୍ରତିଷ୍ଠା କର । ପଶୁ ଅଥବା ତ୍ରିଶଙ୍କୁ ଅବସ୍ଥାରେ ନ ରହି ତୁମେ ସଦ୍‌ଗୁଣ ସମ୍ପନ୍ନ ହୁଅ । ତୁମେ ଶାନ୍ତ, ଶିଷ୍ଟ, ସ୍ପଷ୍ଟ, ପରିତୁଷ୍ଟ ହୁଅ । ଏକ ବିରଳ ବ୍ୟକ୍ତିତ୍ୱରେ ବିମଣ୍ଡିତହୋଇ ନିଜର ବୈଶିଷ୍ଟ୍ୟ ପ୍ରତିପାଦନ କର ।

ତୁମେ ଉଦୟଭାନୁଙ୍କ ପରି ଉଦ୍ଭାସିତ ହୁଅ । ଉଦ୍ୟମୀ ହୁଅ । ଆତ୍ମଶକ୍ତିରେ ତେଜସ୍ୱୀ ହୁଅ । ଏ ପୃଥିବୀ ପୃଷ୍ଠରେ ପୁରୁଷପୁଙ୍ଗବର ପ୍ରଭୂତ ପରାକାଷ୍ଠାରେ ପ୍ରତିଭାବନ୍ତ ହୋଇ ପୌରୁଷ ପ୍ରକଟ କର । ଭୁଲିଯାଅନା ଯେ, ତୁମେ ପୁରୁଷର୍ଷଭ ! ତୁମେ ବୀର୍ଯ୍ୟବତ୍ତା ! ତୁମେ କୀର୍ତ୍ତିବୀର୍ଯ୍ୟ ! ତୁମେ ମର୍ଯ୍ୟାଦାବନ୍ତ ସ୍ୱାମୀ, ତୁମେ ରକ୍ଷକ, ତୁମେ ପାଳକ । ଜୀବାତ୍ମା ଏବଂ ପରମାତ୍ମାଙ୍କ ମଧ୍ୟରେ ତୁମେ ଏକ ସଶ୍ରଦ୍ଧ ସନ୍ଧିକ୍ଷଣ । ମୁଁ, ତୁମେ ଏବଂ ସେ, ଏହି ତ୍ରିଭୁଜିମାନର ସଙ୍କଟରୁ ଏ ସଂସାରକୁ ଉଦ୍ଧାର କରିବା ପାଇଁ, ତୁମେ ପରମେଶ୍ୱରଙ୍କର ଏକ ପରମ ମାଧ୍ୟମ । ପୃଥିବୀକୁ ଏକକ ପରିବାର ଦୃଷ୍ଟିରେ ଦେଖିବା ତୁମର ମାନବୋଚିତ ଧର୍ମ । ଏ ଦାୟିତ୍ୱକୁ ଏଡ଼ାଇ ଦେବା ପାପ । ଆସ, ଇନ୍ଦ୍ରିୟମାନଙ୍କର ଐନ୍ଦ୍ରଜାଲିକ ମାୟାର, କ୍ଳେଶରୁ ମୁକ୍ତ ହୁଅ । ମାନବ ହୃଦୟର ସରଳ ତରଳ ହାର୍ଦ୍ଦିକତା ସହିତ ମାନବଲୀଳାରେ ମହନୀୟ ହୁଅ ।

ଯାହା ମନେହୁଏ, ଅଠାନବେ ପ୍ରତିଶତ ଲୋକ ଲାର୍ଭା ଅବସ୍ଥା, ଦେଢ଼ ପ୍ରତିଶତ ଲୋକ ପ୍ରଜାପତି ଅବସ୍ଥାରେ ମାନବଲୀଳା ସମ୍ୱରଣ କରିପାରୁଛନ୍ତି । ଆଉ ମାତ୍ର ଅଧେ ପ୍ରତିଶତ ଲୋକ ପରମ ଚୈତନ୍ୟ ଅବବୋଧରେ ଅବଧାବିତ ହେଉଛନ୍ତି । ଏହା ହିଁ ମର୍ତ୍ତ୍ୟରେ ମାନବ ଜୀବନର ବିଡ଼ମ୍ୱନା । ମଣିଷ ଅମିତ ଶକ୍ତିସମ୍ପନ୍ନ । ତା’ ଭିତରେ ଚେତନା ଚିର ଜାଗ୍ରତ । ସେହି ଚୈତନ୍ୟକୁ ଚିହ୍ନିପାରିଲେ ହେଲା । ଏପରି ଆଇନ୍‌ଷ୍ଟାଇନ୍‌ଙ୍କ ପରି ଏକ ଯୋଗଜନ୍ମା ବିଜ୍ଞାନୀପୁରୁଷ, ମଣିଷର ବୁଦ୍ଧିମତାର ଅମାରରୁ କେବଳ ଦଶପନ୍ଦର ପ୍ରତିଶତର ଆଭାସ ପାଇପାରିଥିଲେ । ମଣିଷର ମାନବିକ ଶକ୍ତି ଅମାପ । ଅନୁଭବ କରି ବିନିଯୋଗ କରିପାରିଲେ ହେଲା ।

ସୃଷ୍ଟିର ମଙ୍ଗଳ କାମନା କରିବା ଏକ ସଚ୍ଚା ମଣିଷର ମାନଦଣ୍ଡ । ସେ ବସୁଧୈବ କୁଟୁମ୍ୱକଂ ପରି ବୈଦିକ ମହାମନ୍ତ୍ରରେ ମନ୍ତ୍ରିତ ହୋଇ ବିଧି ନିର୍ଦ୍ଦେଶକୁ ପାଳନ କରିବ, ଉଲ୍ଲଙ୍ଘନ ନୁହେଁ । କୁଟୁମ୍ୱର ମୂଳ ଭାବନା ତ ପ୍ରେମ । କୁଟୁମ୍ୱ ଭାବନାକୁ ପ୍ରଚାର ପ୍ରସାର କଲେ, ସମଗ୍ର ବିଶ୍ୱ ଏକ ବିଶାଳ କୁଟୁମ୍ୱରେ ପରିଣତ ହେବ । ଏହି ମହନୀୟ କାର୍ଯ୍ୟଟି ପାଇଁ ମଣିଷର ଜନ୍ମ ।

ଏପରି ଏକ ପ୍ରଖ୍ୟାତ ପୃଷ୍ଠଭୂମିରେ ତୁମେ ଠିକ୍ କରୁଛ ତ ମଣିଷ । ମନେହୁଏ, ତୁମେ ଏ ସମଗ୍ର ଧରିତ୍ରୀ ପାଇଁ ଏକ ଆଶାତୀତ ବିପଦ । କୋଟି କୋଟି ପରମାଣୁ ବୋମାଠାରୁ ତୁମେ ଆହୁରି ପ୍ରଚଣ୍ଡ । ଯେକୌଣସି ଭୌତିକ ଭୀତିମୟତାଠାରୁ ତୁମେ ଆହୁରି ଭୟାବହ । ତୁମକୁ ଭୟ କରନ୍ତି ଏହି ମର୍ତ୍ତ୍ୟର ପୁରୁଷ, ନାରୀ, ଶିଶୁଙ୍କ ସହିତ ସମଗ୍ର ଜୀବଜଗତ । ନିଜର ସୁଖସମ୍ଭୋଗ ଏବଂ ମତବାଦ ପାଇଁ ତୁମେ ଯାହା କିଛି ଆଚରଣ କରିପାର ।

ଆଜି ଜଗତର ଜନବସତି ଅନ୍ଧ ବୋମାମାଡ଼ରେ ବିଧ୍ୱସ୍ତ । ବନସ୍ତ ବିଧ୍ୱସ୍ତ ପଶୁପକ୍ଷୀଙ୍କଠାରୁ କୀଟପତଙ୍ଗମାନଙ୍କର ବାସସ୍ଥଳୀ ପର୍ଯ୍ୟନ୍ତ ବିଧ୍ୱସ୍ତ । ପ୍ରକୃତି ବିଧ୍ୱସ୍ତ । ସମଗ୍ର କ୍ଷିତିରେ କ୍ଷମତାର କ୍ଷୁଧା, ଅତୃପ୍ତ ତୃଷାର ତାଣ୍ଡବଲୀଳା । ଜୀବନ ଏଠି ନିର୍ବାକ୍ । ସ୍ନେହ ଶ୍ରଦ୍ଧାରେ ଏଠି ସଙ୍କଟ । ଦୟା ଏଠି ଦୁର୍ମୂଲ୍ୟ । ମାନବିକତା ଏଠି ମହାର୍ଘ । ଏତେ ସବୁ ଐଶ୍ୱରିକ ନିଧିସମ୍ପଦ ବିନିମୟରେ ତୁମେ ଆଉ କେଉ ଭଲ ଜିନିଷଟେ ପାଉଛ ମଣିଷ ।

ସନ୍ତ୍ରାସବାଦର ସଂକ୍ରମଣ ଏବେ ସଚରାଚର ଅସହ୍ୟ । ଏହା ଏକ ଅଭିନବ ସଂକ୍ରାମକ ବ୍ୟାଧି । ଏ ଦୃଷ୍ଟିରୁ ମଣିଷ ମାଛିଠାରୁ ବି ହୀନ । ମାଛି ତା’ ପେଟର କ୍ଷୁଧା ପାଇଁ ଅଜାଣତରେ ରୋଗ ସଂକ୍ରମଣ କରେ । କିନ୍ତୁ ମଣିଷର ଏହା ଏକ ଯୋଜନାବଦ୍ଧ ପୈଶାଚିକ ପ୍ରଳାପ ।

ତୁମକୁ ମଣିଷ ବୋଲି ସମ୍ୱୋଧନ କରିବାକୁ ଏଠି ଜୀବନ ଅମଙ୍ଗ ନ ହେଲେ ବି କୁଣ୍ଠାବୋଧ କରେ । ତଥାପି ସେହି ଜୀବନ ତମକୁ ଭରସା କରେ । କାରଣ, ଏହି ଦି ଦିନିଆ ଦୁନିଆରେ ତା’ ପାଇଁ ମଣିଷଠାରୁ ଆଉ ବା କିଏ ନିଜର ଅଛି । ଏପରି ଏକ ବିରଳ ବିଶ୍ୱାସକୁ ବିଘ୍ନିତ କରନି ମଣିଷ ।

ସେଇଥିପାଇଁ ବୋଧୁହୁଏ ବଙ୍ଗଳାର ପ୍ରଖ୍ୟାତ୍ ରହସ୍ୟବାଦୀ ବାଉଲ୍ କବି, ଚଣ୍ଡୀଦାସ କହନ୍ତି-

“ସବାର ଉପର ମାନୁଷ୍ ସତ୍ୟ
ତାର ଉପର୍ କେଓ ନୟ ।”

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top