ପ୍ରବନ୍ଧ

ମଣିଷ

Shri Niranjan Padhee's Odia Prose Manisha

ବିଶ୍ୱାସ କଲେ ବିଷ ଦିଏ । ସୁଯୋଗ ଦେଲେ ଚୋଟ ମାରେ । ଯେତେ ଦେଲେ ମୁହଁ ଫେରାଏ । ନଇଁ ପଡ଼ିଲେ ନାକ ଟେକେ । ବିପଦ ବେଳେ ଦୂରେଇ ଯାଏ । ସମ୍ପଦ ବେଳେ ସାଉଁଟୁଥାଏ । ଭରସା କଲେ ଭସେଇ ଦିଏ ।

ମଣିଷ

ଜେରକ୍ସ କରିସାରିବା ପରେ ସବୁତକ କାଗଜପତ୍ର ମୋତେ ଫେରେଇଦେବା ସହିତ ଦୋକାନର ମାଲିକ ଆଉ ଖଣ୍ଡେ କାଗଜ ମଧ୍ୟ ବଢେ଼ଇ ଦେଇଥିଲେ । ସେଥିପାଇଁ ସେ ମୋଠାରୁ କିଛି ପ୍ରାପ୍ୟ ନେଇ ନଥିଲେ । ସେହି କାଗଜ ଖଣ୍ଡଟିରେ ଜେରକ୍ସ ହୋଇଥିବା ବଡ଼ବଡ଼ ଅକ୍ଷରରେ ଖୁବ୍ ଆକର୍ଷଣୀୟ ଢଙ୍ଗରେ ତଳଲିଖିତ କିଛି ଅନୁଭବର କଥା ଲେଖା ହୋଇଥିଲା । ବିଷୟବସ୍ତୁଟିର ଶିରୋନାମ ଥିଲା “ମଣିଷ” ତା ତଳକୁ ଧାଡ଼ିକିଧାଡ଼ି ଲେଖାଥିଲା- “ବିଶ୍ୱାସ କଲେ ବିଷ ଦିଏ । ସୁଯୋଗ ଦେଲେ ଚୋଟ ମାରେ । ଯେତେ ଦେଲେ ମୁହଁ ଫେରାଏ । ନଇଁ ପଡ଼ିଲେ ନାକ ଟେକେ । ବିପଦ ବେଳେ ଦୂରେଇ ଯାଏ । ସମ୍ପଦ ବେଳେ ସାଉଁଟୁଥାଏ । ଭରସା କଲେ ଭସେଇ ଦିଏ ।”

ଲେଖାଟିକୁ ପାଠ କରିବା ପରେ ମୋ ମୁଣ୍ଡ ଝାଇଁକିନା ହେଲା । କର୍ମବ୍ୟସ୍ତ ଥିବା ଜେରକ୍ସ ଦୋକାନୀକୁ ବାରମ୍ୱାର ଦେଖିବାକୁ ଇଚ୍ଛା ହେଲା । ଖୁବ୍ ବେଶି ହେଲେ ତା’ର ବୟସ ପଚିଶ ହେବ । ଏତିକି ମାତ୍ର ବୟସର ଅବଧି ତାକୁ ମଣିଷର ଏମିତି ଏକ ସଂଜ୍ଞା ଦେଇଛି- ଏହା ଜାଣି ମୋ ମନରେ ଖୁବ୍ ଏକ ଭାବାନ୍ତର ସୃଷ୍ଟି ହେବା ସ୍ୱାଭାବିକ୍ ।

ଏଇ କେତେବର୍ଷ ତଳର ପୁରୀ ରଥଯାତ୍ରାର କଥା । ପ୍ରାୟ ନଅଲକ୍ଷ ଭକ୍ତମାନଙ୍କର ଗହଳି ଭିତରେ ଦୂରଦୂରାନ୍ତରୁ ଆସିଥିବା କେତେକ ସାଧୁସନ୍ନ୍ୟାସୀ ମଧ୍ୟ ଥାଆନ୍ତି । ସେହି ସାଧୁମାନଙ୍କ ଭିତରୁ ଜଣେ ବୃଦ୍ଧସାଧୁ ମଝିରେ ମଝିରେ ସେହି ଜନଗହଳିରେ ହାତ ପତେଇ ଦିଅନ୍ତି । କେହି କେହି ଭକ୍ତ ତାଙ୍କୁ ଅତି ସମ୍ମାନର ସହିତ ଯଥାଶକ୍ତି ପ୍ରଣାମି ଦେଇ ମଥା ନୁଆଁଇ ଦିଅନ୍ତି । ଏହି ବିରଳ ଦୃଶ୍ୟକୁ କେତେକ ସ୍ଥାନୀୟ ସେବକପଣ୍ଡାମାନେ ଦେଖି ଦେଖି ବ୍ୟସ୍ତ ହୋଇପଡ଼ି ସେହି ସାଧୁଙ୍କୁ ଘେରିଯାଇ ଗୁଡ଼େଇ ତୁଡ଼େଇ କିଛି ପ୍ରଶ୍ନ ପଚାରିଥିଲେ- “ଆପଣ ସାଧୁବାବା କେଉଁ ଅଞ୍ଚଳରୁ ଆସିଛନ୍ତି ? ଆମେ ହାତ ପତେଇଲେ ଲୋକମାନେ ଖିଙ୍କାରି ହେଉଛନ୍ତି, ଝିଙ୍ଗାସି କହୁଛନ୍ତି, ରାଗୁଛନ୍ତି, ଚିଡୁଛନ୍ତି, ବହୁତ ବିରକ୍ତ ହୋଇ କେହି କେହି ଖୁବ୍ ହେଲେ ଆଠଅଣା ଟଙ୍କାଏ ଫୋପାଡ଼ି ଦେଉଛନ୍ତି । ଆପଣ କ’ଣ କିମିଆ ଜାଣିଛନ୍ତି ଯେ, ହାତ ପତେଇ ଦେଲେ ସସମ୍ମାନ ଦାନଦକ୍ଷିଣା ମିଳିଯାଉଛି ।”

ସାଧୁବାବା ପ୍ରଥମେ ନିରବ ରହିଲେ । ଜଟାଜୂଟ ଭୂଷଣରେ ଖୁବ୍ ଶୋଭାବନ୍ତ ଦିଶୁଛନ୍ତି ସେ । ମୁଖମଣ୍ଡଳରେ ଉଦାରତାର ଉଦ୍ଭାସ, ସ୍ମିତହାସ୍ୟ । ଖୁବ୍ ଏକ ଓଜନିଆ ରହସ୍ୟମୟ ବ୍ୟକ୍ତିତ୍ୱ ସେ । ପଣ୍ଡାମାନେ କଟାଳ କରିବାରୁ ସେ ସେମାନଙ୍କୁ ସାହାଯ୍ୟ କରିବା ଅର୍ଥରେ ମନଖୋଲି କହିଥିଲେ- “ହେ ମୋର ପ୍ରିୟ ପ୍ରଭୁଙ୍କର ସେବକ ଭାଇମାନେ, ଏଠି ପ୍ରଚାର ହେଉଛି ପ୍ରାୟ ନଅ ଲକ୍ଷ ଭକ୍ତଙ୍କର ଭିଡ଼ । କିନ୍ତୁ କାହିଁ ? ଅତିବେଶିରେ ଏଠି ନଅ ଶହ ଲୋକ ହେବେ କି ନାହିଁ ମୋର ସନ୍ଦେହ । ସେହି ଖୁବ୍ ବିରଳ ମଣିଷମାନଙ୍କୁ ମୁଁ ଏଠାରେ ଦେଖିପାରୁଛି, ଜାଣିପାରୁଛି, ଚିହ୍ନିପାରୁଛି । କେବଳ ସେହିମାନଙ୍କୁ ହିଁ ମୋର ହିମାଳୟରେ ଆଶ୍ରମ ପାଇଁ ଏବଂ ଗସ୍ତଖର୍ଚ୍ଚା ପାଇଁ ହାତ ପତେଇ ସମ୍ୱୋଧନ କରୁଛି । ସେମାନେ ଆନ୍ତରିକ ଓ ଭକ୍ତିଭାବ ସହିତ ମୋ ମନକଥା ବୁଝିପାରୁଛନ୍ତି ଏବଂ ତାଙ୍କର ଶକ୍ତି ଅନୁସାରେ ଏହି ମହତ ପୂଜାର୍ଚ୍ଚନା ପାଇଁ ଯାହାକିଛି ଦାନ ଦେଉଛନ୍ତି । ମୁଁ ଅନ୍ୟମାନଙ୍କ ପାଖରେ କାହିଁକି ଅଯଥା ଅପମାନିତ ହେବା ପାଇଁ ହାତପତାନ୍ତି ଯେ ।”

ପଣ୍ଡାମାନେ ଏ ରହସ୍ୟର ଆଦିଅନ୍ତ ବୁଝି ନପାରିବାରୁ ସାଧୁବାବା ସେମାନଙ୍କ ମୁଖମଣ୍ଡଳରେ କିଛି ଦିବ୍ୟବିଭୂତି ବୋଳି ଦେଇ କହିଲେ- “ମୋ ପ୍ରଭୁଙ୍କର ସେବକ ଭାଇମାନେ ଏଥର ଦେଖ, ତୁମେ କେଉଁମାନଙ୍କ ପାଖରେ ନିର୍ବିକାର ଭାବରେ ହାତ ପାତି ଦେଉଛ ।” ପଣ୍ଡାମାନେ ଦେଖିଲେ, ସତକୁ ସତ ମଣିଷ ଖୁବ୍ ହେଲେ ନଅ ଶହ ହେବେ କି ନାହିଁ, ସେହି ବିଶାଳ ବଡ଼ଦାଣ୍ଡରେ । ଆଉ ସମସ୍ତେ ବାଘ, ସିଂହ, ଭାଲୁ, ସାପ, କଙ୍କଡ଼ା, ବିଛା, ବିଲୁଆ, କୁକୁର. . . ଏମିତି ଅସଂଖ୍ୟ ରକମର ହିଂସ୍ରପ୍ରାଣୀମାନଙ୍କର ସମାବେଶ । ସେମାନଙ୍କ ଉପରେ କେବଳ ଏକ ମଣିଷ ଚେହେରାର ଏକଏକ ସୁନ୍ଦର ଆବରଣ । ବାଘ, ସିଂହ, ସାପମାନଙ୍କ ପାଖରେ ହାତ ପତେଇଲେ ଖାଲି କାମୁଡ଼ା ଓ ଦଂଶନ ମିଳିବନି ତ ଆଉ କ’ଣ ମିଳିବ ? ସେମାନଙ୍କର ବା ଚାରା କ’ଣ ? ସେମାନଙ୍କର ସ୍ୱଭାବ ତ ସେଇଆ । ପଣ୍ଡାମାନେ ପ୍ରକୃତିସ୍ଥ ହେଲା ପରେ ତଟସ୍ଥ ହୋଇଯାଇଥିଲେ ।

ଏଇ କେତେମାସ ତଳେ ଆଉ ଦିନକର କଥା । ମୁଁ ରହୁଥିବା ସହରରେ ବଜାରରୁ ଘରକୁ ଫେରିବା ବାଟରେ ଜଣେ ବୟସ୍କ ତଥା ପୋଖତ ସାହିତ୍ୟିକ ବନ୍ଧୁଙ୍କ ଘରକୁ ତାଙ୍କ ସାକ୍ଷାତ୍ ପାଇଁ ଯାଇଥିଲି । ଏମିତି ଅଚାନକ ମୁଁ ତାଙ୍କ ପାଖକୁ ଯାଏ । ସେଦିନ ସେ ଆଉ କେଉଁ କାର୍ଯ୍ୟରେ କେଉଁଆଡ଼େ ଚାଲିଯାଇଥିଲେ । ଘରେ ଥିବା ତାଙ୍କ ସବା ସାନପୁଅ ମୋତେ ମାନମର୍ଯ୍ୟାଦା ଦେଇ ଖୁବ୍ ଆଦର ଅଭ୍ୟର୍ଥନା କରିଥିଲେ । ସେ ମୋତେ ଏତେ ଶୀଘ୍ର ଛାଡ଼ି ଦେଇ ନଥିଲେ । ସାହିତ୍ୟର ବିଭିନ୍ନ ଦିଗ ବିଷୟରେ ସେ ମୋ ସହିତ ଆଲୋଚନା କରିବାକୁ ଖୁବ୍ ଆଗ୍ରହ ପ୍ରକାଶ କଲେ । ଯେତେହେଲେ ସାହିତ୍ୟ ଘରର ପିଲା ତ । ବୟସ ତିରିଶରୁ ଟପିବ ନାହିଁ, କିନ୍ତୁ ତାଙ୍କର ସାହିତ୍ୟର ଅବବୋଧ ମୋତେ ଅବାକ୍ କରିଦେଇଥିଲା ।

ସେହି ତରୁଣ ସାହିତ୍ୟପ୍ରେମୀ ବନ୍ଧୁଜଣଙ୍କ ମୋତେ କହିଲେ, “ମଉସା, ଆପଣ କିଛି ଖରାପ ଭାବିବେନି, ଆମେ ପାଠକ ସବୁ କାହିଁକି ଏହି ସାହିତ୍ୟିକମାନଙ୍କର ସାହିତ୍ୟକୃତିକୁ ପଢ଼ିବୁ । ଖୁବ୍ ଅଳ୍ପ କେତେଜଣଙ୍କୁ ଛାଡ଼ିଦେଲେ ଅଧିକାଂଶଙ୍କର ଜୀବନଶୈଳୀ ଖୁବ୍ ପ୍ରତାରଣାମୂଳକ ଓ ଆମମାନଙ୍କ ପାଇଁ ବ୍ୟଥାବ୍ୟଞ୍ଜକ । ସେମାନଙ୍କର କଥାରେ, କାର୍ଯ୍ୟରେ ଏବଂ ଲେଖାରେ କିଛି ହେଲେ ସାମଞ୍ଜସ୍ୟ ନାହିଁ, ତାଳମେଳ ନାହିଁ । ସେମାନଙ୍କର ଜୀବନ ଆଦର୍ଶବିହୀନ, ଛଳନାପୂର୍ଣ୍ଣ । ମିଛ, କପଟ, ଶଠତା, ଧୋକାବାଜି, ପ୍ରବଞ୍ଚନାରେ ସେମାନେ ପାରଙ୍ଗମ । ନୈତିକ ପତନ ଓ ଚାରିତ୍ରିକ ସ୍ଖଳନ ଅଧିକାଂଶଙ୍କର ସମ୍ପଦ । କେବଳ ସାମାଜିକ ଚାକଚକ୍ୟର ମୁଖା ସେମାନଙ୍କର ରକ୍ଷାକାରୀ ଢାଲ । ସେଇଥିପାଇଁ ସେମାନଙ୍କର ସାହିତ୍ୟକୁ ପାଠ କରିବାକୁ କୁଣ୍ଠା ଆସେ । ଖାଲି ପଢ଼ିବା ପାଇଁ ଯାହା କିଛି ପଢୁଛୁ । ତାହା କିନ୍ତୁ ସମ୍ମାନର ସହିତ ନୁହେଁ ।”

କେହି କେହି କହନ୍ତି- ମୁଁ ଯାହା କହୁଛି, ତାହା କର । ମୁଁ ଯାହା କରୁଛି ତାହା କର ନାହିଁ । ଏହି ଉକ୍ତି ତ, ଏକ ଡକାୟତ ତୁଣ୍ଡରୁ ବି ଆସିପାରେ । ଏଥିରେ ବାହାଦୂରୀ ବା କ’ଣ ଅଛି ? ମୁଁ ଯାହା କହୁଛି ତାହା କର- ଏହି ଉକ୍ତିଟି କହୁଥିବା ଲୋକଟି ପ୍ରତି ସମସ୍ତଙ୍କର ସଶ୍ରଦ୍ଧ ନଜର ପଡ଼େ । ସେହି ନଜରରେ ଆସିଥିଲେ ମହାତ୍ମାଗାନ୍ଧୀ ।

ଦସ୍ୟୁ ରତ୍ନାକର ଯଦି ରାମାୟଣ ରଚନା କରିଥାନ୍ତେ ସେହି ଗ୍ରନ୍ଥଟି ରାମାୟଣର କାଳଜୟୀ ଭକ୍ତି ମାଧୁର୍ଯ୍ୟରେ ରସାଣିତ ନ ହୋଇପାରି, ହୁଏ ତ, ନୀତିହୀନ ଗରିଲା ଯୁଦ୍ଧ ଏବଂ ଡକାୟତି ଚାତୁରୀର ବର୍ଣ୍ଣନା ହୋଇଥାନ୍ତା । ଋଷିପ୍ରବର ବଲ୍ମୀକିଙ୍କର ବ୍ୟାକୁଳିତ “ହୃଦୟ-ଗଙ୍ଗା” ସେହି ମହାକାବ୍ୟର ପ୍ରତିଟି ପଂକ୍ତିକୁ ପ୍ରୀତି-ପ୍ରଖ୍ୟାଳିତ କରିଦେଇଥିବା ହେତୁ ତାହା ପ୍ରତିଟି ହୃଦୟକୁ କେବଳ ଛୁଏଁ ନାହିଁ, ଓଁକାରମୟତାରେ ଝଙ୍କୃତ କରେ । ରତ୍ନାକର ବଲ୍ମୀକି ହେବାରେ କିଛି ବାଧା ନାହିଁ, ଅସ୍ୱାଭାବିକତା ନାହିଁ । ଏହା ସବୁକାଳେ ସମ୍ଭବ । ସମ୍ଭବ ବି ହେବା ଉଚିତ୍, ଏ ଦୁରାରୋଗ୍ୟ ପ୍ରପୀଡ଼ିତ ସଦା ଅସୁସ୍ଥ ସମାଜ ପାଇଁ ।

ହେଲେ, ରତ୍ନାକରରୁ ବଲ୍ମୀକି ବହୁତ ଦୂର । ଯୁଗଯୁଗର ବ୍ୟବଧାନ । ରତ୍ନାକରର ଶତସହସ୍ର ଶ୍ମଶାନ ଉପରେ ବଲ୍ମୀକିଙ୍କର ଅନ୍ତୁଡ଼ିଶାଳ । ସେହି ଶିଶୁ-ବାଲ୍ମୀକି ଏକ ଯୁଗ ଆବାହନକାରୀ ଶିଶୁ । ସେ ଏକ ଶ୍ରଦ୍ଧାର ଅବତାର, ସ୍ନେହର ଅବତାର, ସରଳତାର ଅବତାର, କରୁଣାର ଅବତାର, ଦୟାର ଅବତାର, କ୍ଷମାର ଅବତାର, ପ୍ରେମର ଅବତାର । ଏହିସବୁ ରତ୍ନମାନଙ୍କର ରତ୍ନସିଂହାସନରେ ବସନ୍ତି ବଲ୍ମୀକି । ଯଦି ସେହି ରତ୍ନମେଳିରେ ରତ୍ନାକର ଥିବେ ତେବେ ସେ ମଧ୍ୟ ସେହି ରତ୍ନସମ୍ଭାରରୁ ଆଉ ଏକ ରତ୍ନ ।

ତା’ପରେ

ଲୋକପ୍ରିୟ ଲେଖା

To Top