ପ୍ରବନ୍ଧ

ମାଙ୍କଡ଼ ଓ ମଣିଷ

ମଣିଷ ନିଜକୁ ମାଙ୍କଡ଼ଠାରୁ ଉଚ୍ଚ ଚେତନାର ଅଧିକାରୀ ବୋଲି ଭାବୁଛି ସିନା, ତା’ର ଜୀବନଶୈଳୀରେ ସେ ସମ୍ପୂର୍ଣ୍ଣ ମାର୍ଜିତ ହୋଇ ନାହିଁ ଓ ମାଙ୍କଡ଼ାମିରୁ ମୁକ୍ତ ହୋଇ ନାହିଁ ।

ମାଙ୍କଡ଼ ଓ ମଣିଷ

ନିର୍ବୋଧ ଭାବରେ ଅନ୍ୟକୁ ଅବିକଳ ଅନୁକରଣ କରିବା, ଅନ୍ୟ ହାତରୁ ଜିନି ଛଡ଼େଇ ନେବା ଓ ଡେଇଁ ଡେଇଁ ନାଚିବା ହେଉଛି ମାଙ୍କଡ଼ର ଗୁଣ । ଯେତେବେଳେ ମଣିଷ ପାଖରେ ଏହି ସବୁ ଗୁଣ ଦେଖିବାକୁ ମିଳେ ଆମେ ତାକୁ ମାଙ୍କଡ଼ାମି କହୁ । ମାଙ୍କଡ଼ ଓ ମଣିଷ ମଧ୍ୟରେ କିଏ ଉନ୍ନତ ଚେତନାର ଅଧିକାରୀ ବୋଲି ପ୍ରଶ୍ନ କରାଗଲେ, ଉତ୍ତର ମିଳିବ ମଣିଷ । କାରଣ ଡାରଉଇନ୍‌ଙ୍କ ମତ ଅନୁସାରେ ମାଙ୍କଡ଼ର ବିବର୍ତ୍ତିତ ସଭ୍ୟ ରୂପ ହେଉଛି ମଣିଷ । ମାଙ୍କଡ଼ ଓ ମଣିଷ ମଧ୍ୟରେ ପାର୍ଥକ୍ୟ ହେଲା ମାଙ୍କଡ଼ର କିଛି ଲକ୍ଷ୍ୟ ବା ମହତ୍ ଆକାଂକ୍ଷା ନ ଥାଏ, ମାତ୍ର ପ୍ରତ୍ୟେକ ମଣିଷର କିଛି ନା କିଛି ମହତ୍ ଆକାଂକ୍ଷା ଥାଏ ଓ ସେ ତାକୁ ବୁଦ୍ଧି ବଳରେ ପୂରଣ କରିବା ପାଇଁ ସତତ ଚେଷ୍ଟା କରେ । କଠୋପନିଷଦରେ ବୁଦ୍ଧିକୁ ଜୀବନର ସାରଥି ବୋଲି କୁହାଯାଇଛି (ବୁଦ୍ଧିଂ ତୁ ସାରଥିବିଦ୍ଧି) । ସାରଥି ମାଲିକ ନୁହେଁ, ଏକ ଭୃତ୍ୟ ମାତ୍ର । ଏଣୁ ବୁଦ୍ଧି ମଧ୍ୟ ଏକ ଭୃତ୍ୟ । ମଣିଷ ଜୀବନ କିପରି ଅତିବାହିତ ହେବ ତାହା ନିର୍ଭର କରେ ବୁଦ୍ଧିକୁ ପରିଚାଳିତ କରୁଥିବା ଚେତନା ଉପରେ । କେହି କେହି ସମାଜର ମଙ୍ଗଳ କରିବା ପାଇଁ ବୁଦ୍ଧିକୁ ବ୍ୟବହାର କରୁଥିବାବେଳେ ଆଉ କେହି ଅନ୍ୟର ଅମଙ୍ଗଳ କରିବା ପାଇଁ ବୁଦ୍ଧିକୁ ବ୍ୟବହାର କରିଥାଏ । ଚୋରର ଯେପରି ବୁଦ୍ଧି ରହିଛି, ଜଣେ ସାଧୁର ମଧ୍ୟ ସେପରି ବୁଦ୍ଧି ରହିଛି । ମାତ୍ର ଉଭୟଙ୍କ ବୁଦ୍ଧିକୁ ଦୁଇଟି ଭିନ୍ନ ଚେତନା ପରିଚାଳିତ କରୁଛି । ମାଙ୍କଡ଼ର କୌଣସି ମହତ ଆକାଂକ୍ଷା ନ ଥିବାରୁ ତା’ର ବୁଦ୍ଧିର ଠିକ୍ ଉପଯୋଗ ହୁଏ ନାହିଁ । ଯେଉଁମାନେ ମଣିଷକୁ ମାଙ୍କଡ଼ଠାରୁ ଉଚ୍ଚତର ଚେତନାର ଅଧିକାରୀ ବୋଲି ମତ ଦିଅନ୍ତି, ସେମାନଙ୍କ ଦୃଷ୍ଟିରେ ମାଙ୍କଡ଼ ଏକ ପଶୁ । ଉଚ୍ଚତର ଚେତନାର ଅଧିକାରୀ ବୋଲି ଦାବି କରୁଥିବା ମଣିଷ ପାଖରୁ ପଶୁସୁଲଭ ଗୁଣ ଆଶା କରାଯାଏ ନାହିଁ । ମାତ୍ର ଏକବିଂଶ ଶତାବ୍ଦୀର ମଣିଷର ଜୀବନ ଶୈଳୀକୁ ଅନୁଧ୍ୟାନ କଲେ ଅନୁଭବ କରିହୁଏ ଯେ, ଆଜି ବି ମଣିଷ ଅନେକ ଦୃଷ୍ଟିରୁ ମାଙ୍କଡ଼ଠାରୁ ଭିନ୍ନ ନୁହେଁ ।

ବିସ୍ମୟର ବିଷୟ ଯେ, ଦୈବ ଚେତନାର ଅଧିକାରୀ ହନୁମାନ ମଣିଷ ଦୃଷ୍ଟିରେ ଏକ ମାଙ୍କଡ଼ । ମାତ୍ର ମଣିଷ ଜାଣି ରଖିବା ଉଚିତ୍ ଯେ, ସେ ହେଉଛନ୍ତି ଭଗବାନ ଶିବଙ୍କ ବିଭୂତି । ସେ ଏକାଧାରରେ ଜଣେ କର୍ମଯୋଗୀ, ଜ୍ଞାନଯୋଗୀ ଓ ଭକ୍ତିଯୋଗୀ । ଏହିଭଳି ଏକ ପ୍ରାଣୀ କେବେ ବାନର ହୋଇ ନ ପାରେ । ସମ୍ଭବତଃ ରୂପରେ ହନୁମାନ ବାନରର ନିକଟତର ହୋଇଥିବାରୁ ତାଙ୍କୁ ବାନର ଭାବରେ ଚିତ୍ରିତ କରାଯାଇଛି । ବୈଜ୍ଞାନିକ ଦୃଷ୍ଟିକୋଣରୁ ମଣିଷ ମାଙ୍କଡ଼କୁ ତା’ଠାରୁ ଏକ ନିକୃଷ୍ଟ ପ୍ରାଣୀ ଭାବରେ ବିଚାର କଲେ ମଧ୍ୟ ବାସ୍ତବ ଜୀବନରେ ସେ ମାଙ୍କଡ଼କୁ ନିଜଠାରୁ ଏକ ଉଚ୍ଚତର ଚେତନାର ଅଧିକାରୀ ଭାବରେ ସ୍ୱୀକାର କରୁଛି । ସେଇଥିପାଇଁ ହନୁମାନ ଜଣେ ବିଶ୍ୱସ୍ତ ସେବକର ପ୍ରତୀକ ଓ ଦେବତା ଭାବରେ ପୂଜିତ । ଥରେ ଅଯୋଧ୍ୟାରେ ବାନରମାନେ ଏକ ପଂକ୍ତିଭୋଜନରେ ବସିଥାନ୍ତି । ଜଣେ ଯୁବ ବାନର ତରକାରୀରେ ଥିବା ଗୋଟିଏ କୋଳି ଚିପିଦେବାରୁ ତା’ର ମଞ୍ଜିଟି ଉପରକୁ ଛିଟିକି ପଡ଼ିଲା । ବାନରଟି କହିଲା, ଆରେ କୋଳି ମଞ୍ଜି । ତୁ ପୁଣି ମୋତେ ଲମ୍ଫ ଶିଖାଉଛୁ । ତୋ’ଠାରୁ ମୁଁ ଆଉ କେତେ ଉପରକୁ ଡେଇଁପାରେ ଦେଖ୍ । ଏହା କହି ସେ ଖୁବ୍ ଜୋର୍‌ରେ ଉପରକୁ ଡେଇଁଲା । ତାକୁ ଦେଖି ଅନ୍ୟ ବାନରମାନେ ମଧ୍ୟ ଆହୁରି ଉପରକୁ ଡେଇଁପାରିବେ ବୋଲି ଦାବି କଲେ ଓ ଡେଇଁବା ଆରମ୍ଭ କରିଦେଲେ ଏବଂ ଏହା ଏକ ପ୍ରତିଯୋଗିତାରେ ପରିଣତ ହେଲା । କିନ୍ତୁ ଗୋଟିଏ କୋଣରେ ହନୁମାନ ଚୁପ୍‌ଚାପ୍‌ ବସିଥାନ୍ତି । ଜଣେ ସଭାସଦ୍ ହନୁମାନଙ୍କୁ କହିଲେ, ତୁମେ ଥରଟିଏ ଲମ୍ଫ ଦେଲେ ଏହି ମୂର୍ଖ ବାନରମାନେ ବୁଝିପାରନ୍ତେ ଲମ୍ଫ କାହାକୁ କୁହାଯାଏ । ମାତ୍ର ହନୁମାନ କୌଣସି ପ୍ରତିକ୍ରିୟା ପ୍ରକାଶ କଲେ ନାହିଁ । ସେ ହସି ଦେଇ କହିଲେ ମୋର ଶକ୍ତିର ସାମାନ୍ୟତମ ଅଂଶ ବି ମୁଁ ପ୍ରଦର୍ଶନ ପାଇଁ ବ୍ୟବହାର କରିବାକୁ ଚାହେଁ ନାହିଁ । ମୋର ସମସ୍ତ ଶକ୍ତି ଭଗବତ୍ ନିର୍ଦ୍ଦେଶିତ । କେବଳ ଶ୍ରୀରାମଚନ୍ଦ୍ରଙ୍କ ସେବାରେ ହିଁ ତାହା ବ୍ୟବହାର କରାଯାଇପାରେ । ମଣିଷ ଦୃଷ୍ଟିରେ ଯେଉଁ ହନୁମାନ ଜଣେ ବାନର, ସେ ଜଣେ ସମର୍ପିତ ସେବକ, ଅଥଚ ବାନରଠାରୁ ନିଜକୁ ଉଚ୍ଚତର ଚେତନାର ଅଧିକାରୀ ବୋଲି ଦାବି କରୁଥିବା ଆଜିର ମଣିଷ ସ୍ୱାର୍ଥପର ଓ ବିଶ୍ୱାସଘାତକ ।

ସେତୁ ସମୁଦ୍ର ପ୍ରକଳ୍ପ ପ୍ରସଙ୍ଗରେ କେନ୍ଦ୍ର ସରକାର ରାମସେତୁ ପ୍ରାକୃତିକ ଅଟେ ଓ ରାମଚନ୍ଦ୍ର ଏକ କାଳ୍ପନିକ ଚରିତ୍ର ବୋଲି ସତ୍ୟପାଠ କଲେ । ଏହି ସତ୍ୟପାଠ ଭାରତର କୋଟି କୋଟି ହିନ୍ଦୁଙ୍କୁ କ୍ଷୁବ୍ଧ କଲା । ଫଳରେ ସରକାର ତାକୁ ପ୍ରତ୍ୟାହାର କଲେ । ହିନ୍ଦୁ ଭୋଟକୁ ହାତଛଡ଼ା ନ କରିବା ଥିଲା ଏହି ସତ୍ୟପାଠ ପ୍ରତ୍ୟାହାରର ଏକମାତ୍ର କାରଣ । ତାମିଲନାଡୁର ମୁଖ୍ୟମନ୍ତ୍ରୀ କରୁଣାନିଧି ରାମଚନ୍ଦ୍ର କେଉଁ ଇଞ୍ଜିନିୟରିଂ କଲେଜରେ ପଢ଼ିଥିଲେ ବୋଲି ପ୍ରଶ୍ନ କଲେ ଓ କୋଟି କୋଟି ହିନ୍ଦୁମାନଙ୍କୁ କ୍ଷୁବ୍ଧ କଲେ । ରାମଚନ୍ଦ୍ର କାଳ୍ପନିକ ଚରିତ୍ର ହୁଅନ୍ତୁ ବା ଐତିହାସିକ ଚରିତ୍ର ହୁଅନ୍ତୁ, ରାମସେତୁ ପ୍ରାକୃତିକ ହେଉ ବା ମଣିଷ କୃତ ହେଉ, ସେଥିରେ ଭାରତର କୋଟି କୋଟି ହିନ୍ଦୁଙ୍କର ବିଶ୍ୱାସ ଜଡ଼ିତ । ରାମଚନ୍ଦ୍ରଙ୍କ ବିରୋଧରେ କହିବା ଅର୍ଥ ଭାରତର ଅଧିକାଂଶ ଜନତାଙ୍କ ବିରୁଦ୍ଧାଚରଣ କରିବା । ଏହା ଗଣତନ୍ତ୍ର ପ୍ରତି କୁଠାରାଘାତ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଜି ଯେଉଁମାନେ ନିଜକୁ ଗଣତନ୍ତ୍ର ସମର୍ପିତ ବୋଲି ଦାବି କରୁଛନ୍ତି ଓ ରାମଚନ୍ଦ୍ରଙ୍କ ବିରୋଧରେ ମତବ୍ୟକ୍ତ କରୁଛନ୍ତି ସେମାନେ ଭୁଲିଯିବା ଉଚିତ୍ ନୁହେଁ ଯେ ରାମଚନ୍ଦ୍ର ଥିଲେ ଗାଣତାନ୍ତ୍ରିକ ମୂଲ୍ୟବୋଧର ପ୍ରବକ୍ତା । ଗଣକୁ ସମ୍ମାନ ଦେବା ପାଇଁ ସେ ନିଜର ପ୍ରାଣପ୍ରିୟା ପତ୍ନୀଙ୍କୁ ମଧ୍ୟ ବିସର୍ଜନ ଦେଇଥିଲେ । ଜନତା ସୀତାଙ୍କ ସତୀତ୍ୱକୁ ନେଇ ପ୍ରଶ୍ନ କରିଥିଲେ । ରାଜ୍ୟର ଶହ ଶହ ପ୍ରଜା ମିଥ୍ୟାକୁ ସତ୍ୟ ବୋଲି କହିଲେ, ତାକୁ ସତ୍ୟ ବୋଲି ବିବେଚନା କରିବା ରାଜଧର୍ମ ବୋଲି ରାମଚନ୍ଦ୍ର ବିଚାର କରିଥିଲେ ।

ମିଥ୍ୟା କଥା ଯେବେ
ପ୍ରଜାଏ କହିବେ
ମେଳ ହୋଇ ଶତଶତ,
ମିଥ୍ୟା ଜାଣି ଜାଣି
ତାକୁ ମାନି ମାନି
ବୋଲାଯାଏ ସତସତ । – ତପସ୍ୱିନୀ : ଗଙ୍ଗାଧର

ଏହି ଦୃଷ୍ଟିରୁ ରାମସେତୁ ଓ ରାମଚନ୍ଦ୍ର ମିଥ୍ୟା ହୋଇଥିଲେ ମଧ୍ୟ ତାହା କୋଟି କୋଟି ଜନତାଙ୍କ ଦୃଷ୍ଟିରେ ସତ୍ୟ ହୋଇଥିବାରୁ ସେ ସତ୍ୟ ପ୍ରତି ସମ୍ମାନ ଦେଖାଇବା ସରକାରଙ୍କ କର୍ତ୍ତବ୍ୟ, କାରଣ ଭାରତ ହେଉଛି ଏକ ଗଣତନ୍ତ୍ର । ଆଜି ଗଣତନ୍ତ୍ରକୁ ନେତାମାନେ ନିଜର ଆଦର୍ଶ ଭାବରେ ଗ୍ରହଣ କରି ସେଥିପ୍ରତି ସମର୍ପିତ ବୋଲି ଦାବି କରୁଛନ୍ତି । ମାତ୍ର ବାସ୍ତବ ଜୀବନରେ ଗଣତନ୍ତ୍ର ପ୍ରତି ବିଶ୍ୱାସଘାତକତା କରୁଛନ୍ତି । ଅପରପକ୍ଷରେ ହନୁମାନ ମଣିଷ ଦୃଷ୍ଟିରେ ବାନର ଭାବରେ ଚିତ୍ରିତ ହୋଇଥିଲେ ମଧ୍ୟ ସେ ତାଙ୍କର ଆଦର୍ଶ (ରାମଚନ୍ଦ୍ର) ପ୍ରତି ପ୍ରତ୍ୟେକ କର୍ମରେ ପୂର୍ଣ୍ଣ ସମର୍ପିତ ଥିଲେ । ବିଡ଼ମ୍ୱନାର ବିଷୟ ଯେ ମଣିଷ ନିଜକୁ ବାନରଠାରୁ ଉଚ୍ଚ ଚେତନାର ଅଧିକାରୀ ବୋଲି ଚିନ୍ତା କରୁଛି ଓ ଦୈବଚେତନାର ଅଧିକାରୀ ହନୁମାନଙ୍କୁ ଏଖ ବାନର ରୂପେ ପରିକଳ୍ପନା କରିଛି ।

ମାଙ୍କଡ଼ ଯେପରି ନିର୍ବୋଧ ଭାବରେ ଅନ୍ୟକୁ ଅନୁକରଣ କରେ, ଆଜି ମଣିଷ ପାଶ୍ଚାତ୍ୟ ଭଳି ଡେଇଁ ଡେଇଁ ଅସଂଯତ ଅରୁଚିକର ନୃତ୍ୟ ପ୍ରଦର୍ଶନ କରୁଛି । ଏହିଭଳି ଜୀବନଶୈଳୀ ଦେଖିଲେ ମନେହୁଏ ଆଜିର ମଣିଷ ମାଙ୍କଡ଼ାମିରୁ ମୁକ୍ତ ହୋଇ ନାହିଁ । ଏବେ ତା’ର ଲାଞ୍ଜଟି ନାହିଁ ସିନା, କିନ୍ତୁ ସେ ତା’ର ପୂର୍ବପୁରୁଷର ଲାଞ୍ଜଟିକୁ ଖୋଜିବାରେ ଲାଗିଛି । ଏ ପ୍ରସଙ୍ଗରେ ମନେ ପଡ଼େ ବିଶିଷ୍ଟ କଥାକାର ମନୋଜ ଦାସଙ୍କର କାହାଣୀଟିଏ । ଥରେ ଜଣେ କାଠୁରିଆ କାଠ ଗଡ଼ଟାଏ କରତ ଯୋଗେ ଅଧାପର୍ଯ୍ୟନ୍ତ ଦୁଇ ଫାଳ କରି ଫାଟ ମଝିରେ କୀଳକଟିଏ ଗୁଞ୍ଜି ଦେଲା ଓ ଦିବାହାର ପାଇଁ ବାହାରକୁ ଗଲା । ଏହି ସମୟରେ ମାଙ୍କଡ଼ଟିଏ ଗଛରୁ ଓହ୍ଲାଇ ଆସି ସେହି ଜୀବଳକଟିକୁ ଉପାଡ଼ି ଦେବା ପାଇଁ ଚେଷ୍ଟା କରି ସଫଳ ହେଲା । କୀଳକଟି ବାହାରି ଆସିଲା, ମାତ୍ର ସେହି ସନ୍ଧି ଭିତରେ ତା’ର ଲାଞ୍ଜଟି ଚିପି ହୋଇଯାଇ ଛିଣ୍ଡିଗଲା । କିଛି ଦିନ ପରେ ସେ ଜଣେ ସାଧୁଙ୍କ ନିକଟରେ ପହଞ୍ଚି କହିଲା, ମହାଭାଗ, ଆପଣଙ୍କ ସେବା କରିବାର ସୁଯୋଗ ଦେଲେ ମୁଁ ଧନ୍ୟ ହେବି । ସାଧୁ ତାକୁ ସେବା କରିବା ସୁଯୋଗ ଦେଲେ ଓ ତା’ର ସେବାରେ ପ୍ରୀତ ହୋଇ ସେ ତାକୁ ଏକ ବର ଦେବା ଲାଗି ଇଚ୍ଛା ପ୍ରକାଶ କଲେ । ମାଙ୍କଡ଼ଟି ତା’ର ହରାଇଥିବା ବିଧିଦତ୍ତ ଲାଞ୍ଜଟିକୁ ଫେରି ପାଇବା ପାଇଁ ବର ନ ମାଗି ମଣିଷ ରୂପ ପାଇବା ପାଇଁ ବର ମାଗିଲା । ସାଧୁ ମଣିଷ ରୂପ ପାଇବା ପାଇଁ ଏକ ମନ୍ତ୍ର ଶିଖାଇ ଦେଇ କିଛି ମାସ ପାଇଁ ତୀର୍ଥ ଗମନ କଲେ । ମନ୍ତ୍ରର ପ୍ରୟୋଗ କରି ମାଙ୍କଡ଼ଟି ନିଜେ ମଣିଷ ରୂପ ପାଇବା ସଙ୍ଗେ ସଙ୍ଗେ ତା’ର ଜ୍ଞାତି, ପରିଜନ, ବନ୍ଧୁ ସମସ୍ତଙ୍କୁ ମଣିଷରେ ରୂପାନ୍ତରିତ କରିଦେଲା । ରୂପ ସିନା ପରିବର୍ତ୍ତନ ହେଲା, ପ୍ରକୃତିରେ ପରିବର୍ତ୍ତନ ହେଲା ନାହିଁ । ସେମାନେ ପୂର୍ବପରି ଜନବସତିରୁ ଲୁଗାପଟା, ଖାଦ୍ୟସାମଗ୍ରୀ ଚୋରି କରି ଜୀବିକା ନିର୍ବାହ କରୁଥିଲେ । ତୀର୍ଥରୁ ଫେରି ସାଧୁ ଯେତେବେଳେ ସମସ୍ତ ବିଷୟ ଅବଗତ ହେଲେ, ସେ ରାଗିଯାଇ ସେମାନଙ୍କୁ ଅଭିଶାପ ଦେଲେ ଯେ ସେମାନେ ପୁଣି ସେମାନଙ୍କର ଲାଙ୍ଗୁଳ ଫେରି ପାଆନ୍ତୁ । ମଣିଷ ରୂପଧାରୀ ମାଙ୍କଡ଼ମାନେ ଅନୁତାପ କରି ସାଧୁଙ୍କୁ ଏହି ଅଭିଶାପ ଫେରାଇ ନେବାକୁ କାକୁତିମିନତି କରିବାରୁ ସାଧୀ କହିଲେ, ତୁମେ ହେଉଛ ମନୁଷ୍ୟ ରୂପଧାରୀ ମାଙ୍କଡ଼ । ବିଧିଦତ୍ତ ଶାରୀରିକ ଗଠନ ଅନୁଯାୟୀ ତୁମର ଲାଞ୍ଜ ରହିବା ଆବଶ୍ୟକ । ଆଜିଠୁ ତୁମର ଲାଞ୍ଜ ଅଦୃଶ୍ୟ ହୋଇଯିବ । ମାତ୍ର ତୁମେ ସର୍ବତା ତା’ର ଅଭାବ ଅନୁଭବ କରୁଥିବ ଓ ତାକୁ ଖୋଜିବା ପାଇଁ ଚେଷ୍ଟା କରୁଥିବ । କାହାଣୀଟିର କେନ୍ଦ୍ରୀୟ ବକ୍ତବ୍ୟ ହେଲା ମଣିଷ ନିଜକୁ ମାଙ୍କଡ଼ଠାରୁ ଉଚ୍ଚ ଚେତନାର ଅଧିକାରୀ ବୋଲି ଭାବୁଛି ସିନା, ତା’ର ଜୀବନଶୈଳୀରେ ସେ ସମ୍ପୂର୍ଣ୍ଣ ମାର୍ଜିତ ହୋଇ ନାହିଁ ଓ ମାଙ୍କଡ଼ାମିରୁ ମୁକ୍ତ ହୋଇ ନାହିଁ ।

ଲୋକପ୍ରିୟ ଲେଖା

To Top