ପ୍ରବନ୍ଧ

ମୋ ପ୍ରତିବେଶୀବୃନ୍ଦ

Krushna Chandra Panigrahi's odia prose Mora Pratibesheebrunda

ମୋ ଜୀବନର ସର୍ବସମୟରେ ତୁଳନାତ୍ମକ ଦୃଷ୍ଟିରେ ଦେଖି ଜାଣିଛି ଯେ ଆଦିବାସୀମାନଙ୍କଠାରେ ଯେଉଁ ସରଳତା, ସତ୍ୟବାଦିତା ଓ ମାନବିକତା ରହିଛି, ତାହା ସଭ୍ୟ ସମାଜରେ ନାହିଁ ।

ମୋର ପ୍ରତିବେଶୀବୃନ୍ଦ

ଯେଉଁଠାରେ ପ୍ରଥମେ ମାତୃଗର୍ଭରୁ ପଡ଼ିଥିଲି ଏବଂ ପରେ ଯେଉଁଠାରେ ବହୁ ବର୍ଷ ଧରି ବଢ଼ିଥିଲି, ସେହି ସ୍ଥାନର ଓ ସେହି ଅଞ୍ଚଳର ପ୍ରତିବେଶୀମାନଙ୍କ କଥା ଆଜି ଗୋଟି ଗୋଟି ହୋଇ ମନେପଡୁଛି । ମୟୂରଭଞ୍ଜର ପ୍ରସିଦ୍ଧ ଐତିହାସିକ ସ୍ଥଳୀ ମୋର ଜନ୍ମସ୍ଥାନ ଖିଚିଙ୍ଗ୍ ଆଦିବାସୀବହୁତ ଅଞ୍ଚଳରେ ଅବସ୍ଥିତ । ଭୂୟାଁ ଓ ଗଣ୍ଡସାହୀ ଲଗାଲଗି ହୋଇ ରହିଛି ଏବଂ ଏମାନଙ୍କ ମଧ୍ୟସ୍ଥଳେ କେତେକ ଭୂମିଜ ବାସ କରୁଛନ୍ତି । ଏହି ଭୂମିଜମାନଙ୍କ ପାଖରେ ଗ୍ରାମର ଏକମାତ୍ର ବ୍ରାହ୍ମଣ ପରିବାର ଆମ ଘରଟି ଅବସ୍ଥିତ ଥିଲା । ଏଣୁ ବାଲ୍ୟକାଳରୁ ମୋର ସାଙ୍ଗସାଥୀ ଥିଲେ ଭୂମିଜ, ଭୂୟାଁ ଓ ଗଣ୍ଡମାନେ । ଏମାନେ ସମସ୍ତେ ଆଦିବାସୀ ଏବଂ ମୋ ଉପରେ ଏମାନଙ୍କ ପୂର୍ଣ୍ଣ ପ୍ରଭାବ ପଡ଼ିଥିଲା । ଭାଗ୍ୟବଶରେ ଭୂଭାରତର ବହୁ ସ୍ଥାନ ଭ୍ରମିଲି ଓ ବହୁ ସ୍ଥାନରେ ରହିଲି, କିନ୍ତୁ ଏମାନଙ୍କ ପ୍ରଭାବରୁ ମୁକ୍ତ ହୋଇ ପାରିଲି ନାହିଁ । ଯଦି ଆଜି ମଧ୍ୟ କେହି ମୋର ଚରିତ୍ରକୁ ବିଶ୍ଳେଷଣ କରନ୍ତି, ତାହାହେଲେ ଦେଖିବେ ଯେ ସେଥିରେ ଆଦିବାସୀ ଚରିତ୍ରର ପୂର୍ଣ୍ଣ ପ୍ରଭାବ ରହିଛି ।

ଆମ ଗ୍ରାମର ଆଖପାଖ ଅଞ୍ଚଳରେ ଯେଉଁସବୁ ଗ୍ରାମ ଅଛି, ସେଗୁଡ଼ିକ ମୁଖ୍ୟତଃ ଆଦିବାସୀ ବହୁଳ ଗ୍ରାମ । ତା’ ଛଡ଼ା ଖିଚିଙ୍ଗ୍ର ପାଞ୍ଚମାଇଲ୍ ଦୂରରେ ସିଂହଭୂମିର କୋହ୍ଲାନ । କୋହ୍ଲାନ ସର୍ବତୋଭାବରେ କୋହ୍ଲମାନଙ୍କର ଅଞ୍ଚଳ । କରଞ୍ଜିଆ ସବ୍‌ଡିଭିଜନ୍‌କୁ ଲାଗି ଯେଉଁ ବାମନଘାଟି ସବ୍‌ଡିଭିଜନ୍ ଅଛି, ସେଠାରେ ସାନ୍ତାଳମାନେ ବହୁଳ ଭାବରେ ବାସ କରନ୍ତି । ଖିଚିଙ୍ଗ୍ ଠାକୁରାଣୀ ମନ୍ଦିରକୁ ଆସୁଥିବା ଯାତ୍ରୀମାନଙ୍କ ସଂଖ୍ୟା ନିର୍ଣ୍ଣୟ କଲେ ଦେଖାଯିବ ଯେ କୋହ୍ଲ ଓ ସାନ୍ତାଳମାନଙ୍କ ସଂଖ୍ୟା ସର୍ବାଧିକ । ଖିଚିଙ୍ଗ୍ର ଯାତ୍ରାପର୍ବରେ ଯେଉଁ ସମାଗମ ହୁଏ, ସେମାନଙ୍କ ମଧ୍ୟରେ ସୁଦ୍ଧା ଏମାନଙ୍କ ସଂଖ୍ୟା ସର୍ବାଧିକ । ଏହି ପରିବେଶରେ ବଢ଼ିଥିବାରୁ ମୁଁ ବ୍ରାହ୍ମଣକୁଳରେ ଜନ୍ମଗ୍ରହଣ କରିଥିଲେ ହେଁ ସ୍ୱଭାବତଃ ଆଜୀବନ ଆଦିବାସୀ ହୋଇ ରହିଛି । ମୋ ଆଦିବାସୀ ଭାଇମାନଙ୍କ ଦୋଷ ଦୁର୍ବଳତା ସହିତ ସେମାନଙ୍କ ସୁଗୁଣ ମଧ୍ୟ ମୋ ଦେହରେ ଆଜୀବନ ରହିଛି ।

ମୋ ଜୀବନର ସର୍ବସମୟରେ ତୁଳନାତ୍ମକ ଦୃଷ୍ଟିରେ ଦେଖି ଜାଣିଛି ଯେ ଆଦିବାସୀମାନଙ୍କଠାରେ ଯେଉଁ ସରଳତା, ସତ୍ୟବାଦିତା ଓ ମାନବିକତା ରହିଛି, ତାହା ସଭ୍ୟ ସମାଜରେ ନାହିଁ । ଏମାନଙ୍କ ଦାରିଦ୍ର୍ୟ ହିଁ ଏମାନଙ୍କ ସର୍ବପ୍ରଧାନ ଦୁର୍ବଳତା ଏବଂ ଏହି ଦାରିଦ୍ର୍ୟ ହିଁ ଅନେକ ସମୟରେ ଏମାନଙ୍କ ଗୁଣରାଶିକୁ ନାଶ କରିଥାଏ । ଏମାନେ ଦରିଦ୍ର ହେବାର ବହୁ କାରଣ ରହିଛି । ପ୍ରଥମତଃ, ଏମାନେ ଯେଉଁ ଅଞ୍ଚଳେ ବାସ କରନ୍ତି ତାହା ଟଙ୍କିଳ ଅନୁର୍ବର ଓ ସମ୍ପୂର୍ଣ୍ଣ ରୂପେ ବର୍ଷା ଉପରେ ନିର୍ଭରଶୀଳ । ଏମାନେ ଉନ୍ନତ ଧରଣର କୃଷିପଦ୍ଧତି ଜାଣନ୍ତି ନାହିଁ । ଅଞ୍ଚଳଟି ବିସ୍ତୀର୍ଣ୍ଣ ହୋଇଥିଲେ ହେଁ ଚାଷୋପଯୋଗୀ ଜମିର ପରିମାଣ ଅତ୍ୟଳ୍ପ । ଏଣୁ ଏ ଅଞ୍ଚଳ ଜନବହୁଳ ନ ହେଲେ ହେଁ କୃଷିଜାତ ଦ୍ରବ୍ୟ, ଜନସଂଖ୍ୟା ତୁଳନାରେ ପର୍ଯ୍ୟାପ୍ତ ନୁହେଁ । ଅଧିବାସୀମାନେ ଉଦ୍ୟମଶୀଳ ନୁହଁନ୍ତି । ଆବହମାନକାଳରୁ ଏମାନେ ସ୍ୱଳ୍ପ କୃଷିଜାତ ଦ୍ରବ୍ୟ ଉପରେ ନିର୍ଭର କରି ଉଦର ପୋଷଣ କରିଆସିଛନ୍ତି । ଏମାନେ ବଣଜଙ୍ଗଲର ଜୀବମାନଙ୍କଠାରୁ ଆତ୍ମରକ୍ଷା କରିପାରନ୍ତି, କିନ୍ତୁ ଇନ୍ଦ୍ର ରାଜା ଓ ସଭ୍ୟସମାଜଠାରୁ ଆତ୍ମରକ୍ଷା କରିବାର ଉପାୟ ଜାଣନ୍ତି ନାହିଁ । ଏଣୁ ପରାଭୂତ ସେନା ପରି ଏମାନେ ଭଗ୍ନଜାନୁ ହୋଇ ବଣଜଙ୍ଗଲରେ ବାସ କରନ୍ତି । ବର୍ଷ ମଧ୍ୟରୁ ବହୁ ସମୟ ଅନାହାରରେ ରହୁଥିବାରୁ, ଖାଦ୍ୟ ମଧ୍ୟରେ ପୁଷ୍ଟିସାରର ନିତାନ୍ତ ଅଭାବ ଥିବାରୁ, ରୋଗ ସମ୍ମୁଖରେ ନିତାନ୍ତ ନିଃସହାୟ ହୋଇ ପଡୁଥିବାରୁ ଏବଂ ଏମାନଙ୍କ ମଧ୍ୟରେ ଶିକ୍ଷାର ନିତାନ୍ତ ଅଭାବ ଥିବାରୁ, ଏମାନଙ୍କ କର୍ମଶକ୍ତି ପଙ୍ଗୁ ହୋଇପଡ଼ିଛି । ଆଦିବାସୀ କହିଲେ ଯେଉଁ ବହୁ ଉପଜାତିକୁ ବୁଝାଏ, ସେମାନଙ୍କ ମଧ୍ୟରୁ ଭୂୟାଁ, ଗଣ୍ଡ, ଭୂମିଜ, କୋହ୍ଲ, ସାଉଁନ୍ତି, ବାଥୁଡ଼ି ଇତ୍ୟାଦି ଏ ଅଞ୍ଚଳରେ ବାସ କରନ୍ତି, ମାତ୍ର ଏମାନଙ୍କ ମଧ୍ୟରେ ଭାଷାଗତ, ସଂସ୍କୃତିଗତ ବା ଭାବଗତ ଐକ୍ୟ ନାହିଁ । ଏଣୁ ପ୍ରତ୍ୟେକକୁ ପୃଥକ୍ ଭାବରେ ପରାଜୟ କରିବା ଯେ କୌଣସି ଚାଲାକ୍ ଲୋକ ପକ୍ଷରେ ସହଜ ହୋଇଥାଏ । ମୋର ବାଲ୍ୟକାଳରେ ଏମାନଙ୍କର ଯେଉଁ ଅବସ୍ଥା ଥିଲା, ସେଥିରେ ବର୍ତ୍ତମାନ କେତେକାଂଶରେ ଉନ୍ନତି ଘଟିଛି, କିନ୍ତୁ ମୁଁ ମୋର ବାଲ୍ୟକାଳର ଏମାନଙ୍କ ଅବସ୍ଥାର ଚିତ୍ର ହିଁ ଏହିଠାରେ କେତେକାଂଶରେ ଦେଉଛି ।

ଏମାନଙ୍କ ବାସଗୃହ ନିତାନ୍ତ କ୍ଷୁଦ୍ର । ପରସ୍ପରଠାରୁ ବିଚ୍ଛିନ୍ନ କେତୋଟି କୁଟୀର ହିଁ ଗୋଟିଏ ପରିବାରର ବାସଗୃହ ହୋଇଥାଏ । ଏମାନେ ପୁରବନ୍ଦୀ ଘର ତିଆରି କରିବାର କୌଶଳ ଜାଣନ୍ତି ନାହିଁ । ମୋ ବାଲ୍ୟକାଳରେ ଏଠାରେ କାଠର ଅଭାବ ନଥିଲେ ମଧ୍ୟ କୌଣସି ବ୍ୟକ୍ତି କାଠ ସାହାଯ୍ୟରେ ବଡ଼ ମଜବୁତ୍ ଘର ତିଆରି କରୁ ନଥିଲେ । ବର୍ତ୍ତମାନ ଅନେକେ କୁଟାରେ ଘର ଛାଉଣି କରୁଥିଲେ ହେ ମୋ ପିଲାକାଳରେ ସମସ୍ତେ ଛାତ ପାଇଁ ଛଣ (ଜୁଣଘାସ) ବ୍ୟବହାର କରୁଥିଲେ । ଆସବାବ ମଧ୍ୟରେ କାହାରି କାହାରି ଘରେ ଗୋଟିଏ ଯୋଡ଼ିଏ ଦଉଡ଼ିଆ ଖଟ ରହୁଥିଲା । ବିଛଣା ପାଇଁ କେହି କେହି ବନ୍ୟବାମନ ଖଜୁରୀପତ୍ରରେ ନିର୍ମିତ ପାଲ ବ୍ୟବହାର କରୁଥିଲେ । ଅନ୍ୟଥା ଅଧିକାଂଶଙ୍କର ଭୂମିଶୟନ ହିଁ ଅନିବାର୍ଯ୍ୟ ଥିଲା ।

ଗ୍ରାମ ମଧ୍ୟରେ ବହୁ ବାଦ-ବିସମ୍ୱାଦ ଥାଏ, ମାତ୍ର ନିମିତ୍ତ କର୍ମରେ ଏମାନେ ଏପରି ଏକଜୁଟ ହୁଅନ୍ତି ଯେ, ମନେହୁଏ ଯେପରି କି ସେମାନେ ସମସ୍ତେ ଏକ ପରିବାରର ବ୍ୟକ୍ତି । ବିବାହ ଏମାନଙ୍କର ସବୁଠାରୁ ବଡ଼ ଉତ୍ସବ । ବରକନ୍ୟା କୌଣସି ପରିବାର ବିଶେଷର ପୁତ୍ରକନ୍ୟା ହୋଇଥିଲେ ହେଁ, ବିବାହ ସମୟରେ ଏମାନେ ସମଗ୍ର ଗ୍ରାମର ପୁତ୍ରକନ୍ୟା ରୂପେ ବିବେଚିତ ହୋଇଥାନ୍ତି । ବର ବିବାହବେଶରେ କନ୍ୟା ଘରକୁ ଯାଏ, ଏହା ହିଁ ସାଧାରଣ ନିୟମ, ମାତ୍ର ଗଣ୍ଡମାନଙ୍କ ମଧ୍ୟରେ କୌଣସି କୌଣସି ସମୟରେ କନ୍ୟା ମଧ୍ୟ ବିବାହ ପାଇଁ ବରଘରକୁ ଆସେ । ବର ସଙ୍ଗରେ ସ୍ତ୍ରୀ ପୁରୁଷ ଉଭୟେ ବହୁସଂଖ୍ୟାରେ ଆସନ୍ତି, ସାଧାରଣତଃ ସ୍ତ୍ରୀମାନଙ୍କର ସଂଖ୍ୟା ବେଶି ଥାଏ । ଗ୍ରାମର କୁମାରୀମାନେ ବହୁସଂଖ୍ୟାରେ ବର ବା କନ୍ୟାର ଅନୁଗମନ କରନ୍ତି । ବର ଓ କନ୍ୟା ଉଭୟେ ପଦବ୍ରଜରେ ଆସନ୍ତି । ଭୂୟାଁ, ଗଣ୍ଡ, ସାଉଁନ୍ତି ଓ ବାଥୁଡ଼ି ଘରେ ବ୍ରାହ୍ମଣମାନେ ପୌରୋହିତ୍ୟ କରନ୍ତି । ଏଣୁ ବିବାହ ବୈଦିକରୀତିରେ ସମ୍ପନ୍ନ ହୁଏ, ମାତ୍ର ବିବାହ ସମୟରେ ଏମାନଙ୍କ ଆନୁଷଙ୍ଗିକ କୁଳାଚାର ପୂର୍ବପ୍ରଥା ଅନୁସାରେ ଅଦ୍ୟାପି ଚାଲିଆସିଛି । ମୁଁ ଅନେକଥର ଏମାନଙ୍କ ବିବାହରେ ପୌରୋହିତ୍ୟ କରି ଯେଉଁ ଅଭିଜ୍ଞତା ଲାଭ କରିଥିଲି, ତାହା ସ୍ମୃତିପଟରୁ ଲିଭି ନାହିଁ ।

ଏମାନେ ଦାରିଦ୍ର୍ୟର ଅତଳ ଗହ୍ୱରରେ ପଡ଼ିଥିଲେ ସୁଦ୍ଧା ସର୍ବଗ୍ରାସୀ-ସ୍ୱାର୍ଥପରତା ସଭ୍ୟ ସମାଜକୁ ଯେପରି ଗ୍ରାସ କରିଥାଏ, ଏମାନଙ୍କୁ ସେପରି ଗ୍ରାସ କରିପାରେ ନାହିଁ । ଯେଉଁମାନେ ନିଜ ନିଜ ବାଡ଼ିରେ ପରିବା ବା ଫଳ ଉପୁଜାଇଥାନ୍ତି, ସେମାନେ ନିଶ୍ଚୟ ସେଗୁଡ଼ିକୁ ଭୋଗ କରିଥାନ୍ତି, କିନ୍ତୁ ସେଥିରୁ ଅନ୍ୟ କେହି କିଛି ନେଇଗଲେ, ତାହାକୁ ବଡ଼ ଦୋଷ ବୋଲି କେହି ଭାବନ୍ତି ନାହିଁ । ବର୍ଷାର ଶେଷ ଆଡ଼କୁ ବାଡ଼ିରେ ମକ୍କା ପାକଳ ହୁଏ ଏବଂ ସେଥି ସଙ୍ଗକୁ ମକ୍କା ସହିତ ବୁଣା ହୋଇଥିବା କାକୁଡ଼ି ଲଟାମାନଙ୍କରେ ମଧ୍ୟ ପ୍ରଚୁର ପରିମାଣରେ ଫଳ ଧରେ । ଏହି କାକୁଡ଼ିଗୁଡ଼ିକ ପରିବାର ବିଶେଷର ଫଳ ନ ହୋଇ ସର୍ବସାଧାରଣଙ୍କ ଫଳ ରୂପେ ବ୍ୟବହୃତ ହୋଇଥାଏ । ଗ୍ରାମର ପିଲା ଦଳ ପ୍ରତ୍ୟେକ ବାଡ଼ିରେ ପଶି କାକୁଡ଼ି ଖାଆନ୍ତି, ମାତ୍ର ସେମାନଙ୍କୁ କେହି ବାଧା ଦିଅନ୍ତି ନାହିଁ । ଗ୍ରାମର ସମସ୍ତ ଆମ୍ୱତୋଟା, ବିଲର ସମସ୍ତ ମାଛ ଓ ଗ୍ରାମର ସମସ୍ତ ବରକୋଳି ଗଛଗୁଡ଼ିକ ସର୍ବସାଧାରଣଙ୍କ ସମ୍ପତ୍ତି ହୋଇଥାଏ ।

ଆମ ଗ୍ରାମରେ ଆମ୍ୱ, ଜାମୁ ଓ ବରକୋଳି ଗଛ ଛଡ଼ା ଅନ୍ୟ କୌଣସି ଫଳଗଛ ପ୍ରାୟ ନ ଥିଲା । ବରକୋଳି ଗଛଗୁଡ଼ିକ ଫଳଭାରରେ ଆନତ ହୋଇ ଅତ୍ୟନ୍ତ ଆକର୍ଷକ ଓ ପିଲାମାନଙ୍କ ପ୍ରିୟ ହେଉଥିଲା । ପାଠଶାଳାରେ ପଢୁଥିବା ସମୟର ଗଣ୍ଡ ସାହିରେ ଥିବା କେତେଗୁଡ଼ିଏ କୋଳିଗଛ ଅଦ୍ୟାପି ମୋର ମାନସପଟରେ ଲାଗି ରହିଛି । ଏଥି ମଧ୍ୟରୁ ଭଗବାନ ଭାଇର ବାଡ଼ିରେ ଯେଉଁ ଝଙ୍କାଳିଆ କୋଳିଗଛଟି ଥିଲା, ତାହା ସବୁଠାରୁ ବେଶି ଆକର୍ଷକ ହେଉଥିଲା । ଫଳ ସମୟରେ ଏହାର ହରିତ, ପୀତ, ଆରକ୍ତ ଓ ଲୋହିତ ଫଳରାଶି ଖାଇଗଲେ ଭଗବାନ ଭାଇ କିଛି କହୁ ନଥିଲା, କିନ୍ତୁ ବହୁ ଗାଳି ଦେଉଥିଲା । ଏଣୁ ଆମ୍ଭେମାନେ ସୁସଜ୍ଜିତ ସୈନ୍ୟପରି ପ୍ରତ୍ୟେକ ଗୋଟିଏ ଗୋଟିଏ ଫୋପଡ଼ ବା ଟେକା ଧରି ଏକାବେଳକେ କୋଳିଗଛକୁ ଆକ୍ରମଣ କରୁଥିଲୁ । ଏଣୁ ଏଥିରୁ ଅଜସ୍ର ଫଳ ଝଡ଼ି ପଡୁଥିଲା । ନିଜ ଫଳବୃକ୍ଷର ଏପରି ଦୟନୀୟ ଅବସ୍ଥା ଦେଖି, ବହୂ ମୋତେ ହିଁ ନେତା ବୋଲି ଭାବି ଓ ମୋହରି ଆଡ଼କୁ ଆଙ୍ଗୁଳି ଦେଖାଇ ଆରମ୍ଭ କରୁଥିଲା- ଏ ବଦା (ବୋଦା, ଖାସିର ପୂର୍ବାବସ୍ଥା) ଏବଂ ତ’ପରେ ଅଜସ୍ର ଗାଳିବର୍ଷଣ କରୁଥିଲା, ମାତ୍ର ଆମ୍ଭେମାନେ କୋଳି ଗୋଟାଇବାରେ ଏପରି ବ୍ୟସ୍ତ ହୋଇପଡୁଥିଲୁ ଯେ ତାହାର ଗାଳିର କୌଣସି ଅଂଶ ଆମ୍ଭମାନଙ୍କ କାନରେ ପଶୁ ନ ଥିଲା ।

କୋଳି ଖାଇଗଲେ କାହାରିକୁ ଗାଳି ଦେବାଟା ଆଦିବାସୀମାନଙ୍କ ମଧ୍ୟରେ ଗୋଟାଏ ଅସାମାଜିକ କଥା । ବହୂ ହୁଏ ତ ଏ କଥା ପରେ ହୃଦୟଙ୍ଗମ କରିଥିଲା । ବହୁବର୍ଷ ପରେ ମୁଁ ଯେତେବେଳେ ଥରେ ତା’ ପାଖରେ ଯାଇ ପହଞ୍ଚିଲି, ସେ ତାହାର ପୂର୍ବ ସମ୍ୱୋନ ଆରମ୍ଭ କରି କହିଲା- “ଏଃ ବଦା (ବୋଦା), ଏତେଦିନକେ ମନରେ ପଡ଼ିଲା ?” ମୁଁ କହିଲି- “କିସ କରିବି ବହୂ, କେତେବେଳେ ବାରିପଦା, କେତେବେଳେ କଟକ, କେତେବେଳେ କଲିକତା ଆଡ଼େ ଘୂରି ବୁଲୁଛି, ସେଥିପାଇଁ ଆସିପାରେ ନାହିଁ ।” ବହୂ କହିଲା- “କୁଳି ଦୁଇଟା ନାଇ ଖାଇବ ?” ମୁଁ କହିଲି- “ଆଉ ସେଦିନ ନାହିଁ, ବହୂ ।”

ଆଦିବାସୀମାନେ ଦରିଦ୍ର ହେଲେ ହେଁ ପଇସା ବଦଳରେ କୌଣସି ପଦାର୍ଥ ଦେବାକୁ ସହଜରେ ରାଜି ହୁଅନ୍ତି ନାହିଁ । ଥରେ ପୂଜାଛୁଟିରେ ଆମ ଅଞ୍ଚଳରେ କାର୍ଯ୍ୟ କରୁଥିବା କଟକ ଅଞ୍ଚଳର ଜଣେ ପ୍ରାଇମେରୀ ଶିକ୍ଷକଙ୍କ ସଙ୍ଗରେ ବାରିପଦ ହାଇସ୍କୁଲ୍‌କୁ ଫେରିଯାଉଥିଲି । ପଥଶ୍ରମ ହେତୁ ଉଭୟଙ୍କୁ କ୍ଷୁଧା ଓ ତୃଷା ଯୁଗପତ୍ ଆକ୍ରମଣ କଲା । ରାସ୍ତାରୁ ଚାହିଁ ଦେଖିଲୁ ଯେ ଜଣେ କୋହ୍ଲଘର ବାଡ଼ିର ମଞ୍ଚ ଉପରୁ କାକୁଡ଼ି ଝୁଲୁଛି । ଶିକ୍ଷକ ଖୁସି ହୋଇ କାକୁଡ଼ି କିଣିବାକୁ ଚାଲିଗଲେ, ମାତ୍ର ଅଳ୍ପକକ୍ଷ ମଧ୍ୟରେ ରାସ୍ତାକୁ ଫେରି ଆସି କହିଲେ, “ରାମ, ରାମ, ଘରବାଲିଟା ମୋ ଆଡ଼କୁ ବାଘୁଣୀ ପରି ଦଉଡ଼ି ଆସିଲା ହୋ ।” ମୁଁ ପଚାରିଲି “ଆପଣ ତାକୁ କ’ଣ କହିଲେ କି ?” ସେ ଉତ୍ତର ଦେଲେ, “ମୁଁ କହିଲି, ପଇସାଟିଏ ନେ ଲୋ, କାକୁଡ଼ି ଦିଓଟି ଦେ ଲୋ ।” ତା’ପରେ ଏ ଅଞ୍ଚଳରେ ଏପରି କଥା କହିଲେ ଲୋକେ ରାଗି ଯାଆନ୍ତି ବୋଲି ତାଙ୍କୁ ବୁଝାଇ ମୁଁ ନିଜେ କାକୁଡ଼ି ଆଣିବାକୁ ବାହାରି ଗଲି । ବଡ଼ ପାଟିରେ ବହୂ ବହୂ ବୋଲି ଡାକି ଘର ଅଗଣାକୁ ପଶିଗଲି । ବହୂ ଘର ଭିତରୁ ବାହାରି ଆସିଲା ଏବଂ ମୋତେ ଦେଖି ପଚାରିଲା, “ତୁଇ ଏଇ ଖିଚିଙ୍ଗିଆ ବାମୁଣଘର ପିଲା ।” ମୁଁ ମୁଣ୍ଡ ଟୁଙ୍ଗାରି କହିଲି ହଁ । ସେ ସଙ୍ଗେ ସଙ୍ଗେ ଖଟଟିଏ ବାହାର କରି ଅଗଣାରେ ପକାଇ ଦେଲା । ମୁଁ ସେଥିରେ ବସିବା ପରେ ନାନାବିଧ ପ୍ରଶ୍ନ ପଚାରି ବୁଝିଲି ଯେ ଭାଇ ବିଲରେ କାମ କରୁଛି, ଧାନଚାଷ ଭଲ ହୋଇଛି, ତାହାର ହଳେ ବଳଦ, କେତୋଟି ଗାଈ ଓ ଛେଳି ମଧ୍ୟ ଅଛନ୍ତି । ପିଲାମାନଙ୍କ ଦୁଇଟିକୁ ଦେଖାଇ ଦେଲା । କଥା କହୁ କହୁ ପଚାରିଲି, “ବହୂ, ଭାଇ ତୋତେ ଖୁବ୍ ଗେହ୍ଲା କରେ ନା ।” ସେ କହିଲେ “ଦୂର୍”, କିନ୍ତୁ ଖୁବ୍ ବଡ଼ ପାଟିରେ ହସିଲା । ଅବେଶଷରେ ମୁଁ କାକୁଡ଼ି କଥା କହିଲି । ସେ ବିନା ବାକ୍ୟବ୍ୟୟରେ ମୋ ପାଖରେ ଦୁଇଟି କାକୁଡ଼ି ଥୋଇ ଦେଲା, କିନ୍ତୁ ପଇସା ଯାଚିବାରୁ ତାହା ନେଲା ନାହିଁ ।

ତା’ପରେ

ଲୋକପ୍ରିୟ ଲେଖା

To Top