ପ୍ରବନ୍ଧ

ମୁଖ୍ୟ ବକ୍ତାଙ୍କ ଦୁଃଖ

Dr Chhayakanta Sarangi's odia prose Mukhyabaktaanka Duhkha

କୌଣସି ମନ୍ତ୍ରୀ ବା ରାଜନୈତିକ ନେତା ହିଁ ମୁଖ୍ୟ ଅତିଥି ଭାବରେ ଆମନ୍ତ୍ରିତ ହୁଅନ୍ତି । ସେମାନେ ଆସିଲେ ସଭାର ଶ୍ରୋତା ସଂଖ୍ୟା ବଢେ଼ । ମୁଖ୍ୟ ବକ୍ତା କେବଳ ଶୁଖିଲା ପ୍ରେରଣା ଦିଅନ୍ତି । ମାତ୍ର ମୁଖ୍ୟ ଅତିଥି ଆର୍ଥିକ ସହାୟତା ଘୋଷଣା କରନ୍ତି । ଏଣୁ ସେମାନଙ୍କୁ ନିମନ୍ତ୍ରଣ କରିବା ନିହାତି ଜରୁରୀ ।

ମୁଖ୍ୟ ବକ୍ତାଙ୍କ ଦୁଃଖ

ଦିନ ଥିଲା ସଭାଗୁଡ଼ିକୁ ଜ୍ଞାନୀ, ଗୁଣୀ, ବିଦ୍ୱାନ୍‌ମାନଙ୍କୁ ମୁଖ୍ୟବକ୍ତା ଭାବରେ ନିମନ୍ତ୍ରଣ କରାଯାଉଥିଲା । ମୁଖ୍ୟବକ୍ତା ଥିଲେ ସଭାର ମୁଖ୍ୟ ଆକର୍ଷଣ । ଶ୍ରୋତାମାନେ ତାଙ୍କ ବକ୍ତବ୍ୟରୁ କିଛି ପ୍ରେରଣା ପାଇବା ପାଇଁ ଧୈର୍ଯ୍ୟର ସହ ତାଙ୍କ ଭାଷଣ ଶୁଣୁଥିଲେ । ତାଙ୍କ ଭାଷଣରେ ଉଦ୍‌ବୁଦ୍ଧ ହୋଇ ଫେରୁଥିଲେ ଘରକୁ । ଏବେ ସେ ସମୟ ଆଉ ନାହିଁ । ମୁଖ୍ୟ ବକ୍ତା କୌଣସି ସଭାର ମୁଖ୍ୟ ଆକର୍ଷଣ ନୁହନ୍ତି । ମୁଖ୍ୟ ଆକର୍ଷଣ ହେଉଛନ୍ତି ମୁଖ୍ୟ ଅତିଥି । ପୁଣି କୌଣସି ମନ୍ତ୍ରୀ ବା ରାଜନୈତିକ ନେତା ହିଁ ମୁଖ୍ୟ ଅତିଥି ଭାବରେ ଆମନ୍ତ୍ରିତ ହୁଅନ୍ତି । ସେମାନେ ଆସିଲେ ସଭାର ଶ୍ରୋତା ସଂଖ୍ୟା ବଢେ଼ । ମୁଖ୍ୟ ବକ୍ତା କେବଳ ଶୁଖିଲା ପ୍ରେରଣା ଦିଅନ୍ତି । ମାତ୍ର ମୁଖ୍ୟ ଅତିଥି ଆର୍ଥିକ ସହାୟତା ଘୋଷଣା କରନ୍ତି । ଏଣୁ ସେମାନଙ୍କୁ ନିମନ୍ତ୍ରଣ କରିବା ନିହାତି ଜରୁରୀ । ସାଧାରଣତଃ ଅଧ୍ୟାପକ ବା ଶିକ୍ଷକ ମୁଖ୍ୟ ବକ୍ତା ଭାବରେ ନିମନ୍ତ୍ରିତ ହୁଅନ୍ତି । ସେମାନେ ସମୟ ସଚେତନ ଥିବାରୁ ଠିକ୍ ସମୟରେ ବା ତା’ ପୂର୍ବରୁ ପହଞ୍ଚି ଯା’ନ୍ତି । ମାତ୍ର ମୁଖ୍ୟ ଅତିଥି ନ ଆସିବା ପର୍ଯ୍ୟନ୍ତ ସଭା ଆରମ୍ଭ ହୁଏନାହିଁ । ଆବଶ୍ୟକ ହେଲେ ମୁଖ୍ୟ ଅତିଥିଙ୍କୁ ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ସଭା ସମୟକୁ ଘୁଞ୍ଚାଇ ଦିଆଯାଏ । ମୁଖ୍ୟ ବକ୍ତାଙ୍କୁ ଅପେକ୍ଷା କରିବାକୁ ଅନୁରୋଧ କରାଯାଏ । ମୁଖ୍ୟବକ୍ତା ଅପେକ୍ଷା କରନ୍ତି, ନ ହେଲେ ଫେରିଯାଆନ୍ତି । ଲେଖକ ବାଲେଶ୍ୱର ଜିଲ୍ଲାରେ ଅଧ୍ୟାପନା କରୁଥିବା ବେଳେ ଏଭଳି ଏକ ଅବସ୍ଥାର ସମ୍ମୁଖୀନ ହୋଇଥିଲା । ଏକ ବିଦ୍ୟାଳୟର ବାର୍ଷିକ ଉତ୍ସବକୁ ନିମନ୍ତ୍ରିତ ହୋଇଥିବା ଜଣେ ମନ୍ତ୍ରୀ (ମୁଖ୍ୟ ଅତିଥି) କହିଲେ ଛଅଘଣ୍ଟା ପରେ ସେ ପହଞ୍ଚିବେ । ସଭା ସମୟକୁ ଘୁଞ୍ଚାଇ ଦିଆଗଲା । ଲେଖକ ଠିକ୍ ସମୟରେ ପହଞ୍ଚି ସାରିଥିଲା । ମୁଖ୍ୟ ଅତିଥି ପ୍ରାୟ ବିଳମ୍ୱରେ ହିଁ ଆସିଥାନ୍ତି । ସେ ଆସିଲେ ଜିନ୍ଦାବାଦ୍ ଧ୍ୱନିରେ ସଭା ପ୍ରକମ୍ପିତ ହୁଏ । ତାଙ୍କ ପାଖରେ ସମୟ କମ୍ ଥାଏ । ସେ ଆହୁରି ଅନେକ ସଭାରେ ଯୋଗ ଦେବା ପାଇଁ ସମ୍ମତି ଦେଇଥାନ୍ତି । ତାଙ୍କ ଦଳର ଲୋକମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ବି ଥାଏ । ଏଣୁ ସେ ଦୁଇପଦ କହି ସଭା ଛାଡ଼ିବା ପାଇଁ ଚାହାଁନ୍ତି । ତାଙ୍କ ପାଇଁ ସଭାର କାର୍ଯ୍ୟସୂଚୀ ବଦଳେ । ମୁଖ୍ୟ ବକ୍ତା ପ୍ରଥମେ ଉଦ୍‌ବୋଧନ ଦେବା ପାଇଁ ଓ ପରେ ଅତିଥି ଉଦ୍‌ବୋଧନ ଦେବା ବିଧି ରହିଛି । ମାତ୍ର ମୁଖ୍ୟ ଅତିଥିଙ୍କ ଇଚ୍ଛା ଅନୁସାରେ ତାଙ୍କୁ ପ୍ରଥମେ ସୁଯୋଗ ଦିଆଯାଏ । ସେ କହିବା ଆରମ୍ଭ କଲା କ୍ଷଣି ତାଳି ମାଡ଼ ପଡ଼େ । ସେ କହିସାରି ସଭାରୁ ଚାଲିଗଲେ ଏକ ବଡ଼ ଗୋଷ୍ଠୀର ଶ୍ରୋତା (ତାଙ୍କ ଅନୁଗାମୀ) ତାଙ୍କ ପଛେ ପଛେ ଚାଲିଯାନ୍ତି । ଶେଷରେ ରହିଛି ଅଳ୍ପସଂଖ୍ୟକ ଶ୍ରୋତା । ଏଣୁ ମୁଖ୍ୟ ବକ୍ତାଙ୍କ କହିବାର ଆଉ ସ୍ପୃହା ନ ଥାଏ । ସେ ଅତି ସଂକ୍ଷେପରେ ତାଙ୍କ ଉଦ୍‌ବୋଧନ ଶେଷ କରନ୍ତି । ଲେଖକର ଏହିଭଳି ଏକ ଅନୁଭୂତି ହୋଇଥିଲା ଅଳ୍ପ କିଛିଦିନ ତଳେ ଗୋଟିଏ କ୍ଲବ୍‌ରେ ବାର୍ଷିକ ଉତ୍ସବରେ । ତା’ର ରାତ୍ରିରହଣି ପାଇଁ ବି ଉପଯୁକ୍ତ ବ୍ୟବସ୍ଥା କରାହୋଇ ନଥିଲା । ସେ ନିଜ ପକେଟ୍ରୁ ଟ୍ରେନ୍ ଟିକେଟ୍ କାଟି ସେହି ସହରକୁ ଯାଇଥିଲା ଓ ଫେରିଥିଲା ।

ଦିନ ଥିଲା, ଯେତେବେଳେ ମହାତ୍ମାଗାନ୍ଧୀ, ସୁଭାଷ ବୋଷ, ଲୋକମାନ୍ୟ ତିଳକ ଭାଷଣ ଦେଉଥିଲେ । ତାଙ୍କ ଭାଷଣ ଶୁଣିବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ହେଉଥିଲା । ଥରେ ଲୋକମାନ୍ୟ ତିଳକ ବନାରସ ଆସିଥାନ୍ତି । ସେତେବେଳେ ଲାଲ୍‌ବାହାଦୂର୍ ଶାସ୍ତ୍ରୀ ପଚାଶ ମାଇଲ୍ ଦୂରରେ ଥା’ନ୍ତି । ତିଳକଙ୍କ ଭାଷଣ ଶୁଣିବା ପାଇଁ ସେ ଏତେ ବ୍ୟଗ୍ର ଥିଲେ ଯେ ବନ୍ଧୁମାନଙ୍କଠାରୁ ଟଙ୍କା ଧାର ଆଣି ଟ୍ରେନ୍ ଯୋଗେ ବନାରସ ଯାଇଥିଲେ । ଆଜିକାଲି ଭାଷଣ ଶୁଣିବା ପାଇଁ ଲୋକଙ୍କର ସେଭଳି ଉତ୍କଣ୍ଠା ନାହିଁ କି ମୁଖ୍ୟବକ୍ତାଙ୍କର ସେଭଳି ବିଦ୍‌ବତ୍ତା ନାହିଁ । ଏବେ ନେତା ଓ ମନ୍ତ୍ରୀମାନଙ୍କୁ ବି ମୁଖ୍ୟ ବକ୍ତା ଭାବରେ ଦେଖିବାକୁ ମିଳିଲାଣି । ସେମାନେ ପୁଣି ବିନା ପ୍ରସ୍ତୁତିରେ ଧର୍ମ, ବିଜ୍ଞାନ, ସାହିତ୍ୟ ଯେ କୌଣସି ସଭାରେ ଦୀର୍ଘ ବକ୍ତୃତା ଦେଉଛନ୍ତି । ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ଭାଷାରେ ସେମାନେ ଆଜନ୍ମ ଭାଷଣସିଦ୍ଧ । ସେମାନଙ୍କ ସମ୍ପର୍କରେ କହିବାକୁ ଯାଇ ସେ ଉଦାହରଣ ଦେଉଛନ୍ତି ଉଡ୍ର ଉଇଲସନ୍‌ଙ୍କର । ସେ ଥିଲେ ଆମେରିକାର ପ୍ରାକ୍ତନ ରାଷ୍ଟ୍ରପତି । ଥରେ ତାଙ୍କୁ ଜଣେ ପଚାରିଲେ, “ଆଜ୍ଞା ! ଆପଣଙ୍କୁ ଯଦି ଅଧଘଣ୍ଟାଏ ପାଇଁ ଭାଷଣ ଦେବାକୁ ପଡ଼େ ତେବେ ତା’ ପାଇଁ କେତେ ସମୟର ପ୍ରସ୍ତୁତି ଆବଶ୍ୟକ ହୁଏ ?”ଉଇଲ୍ସନ୍ କହିଲେ, “ଅନ୍ତତଃ ଦୁଇ ସପ୍ତାହର ।”ପ୍ରଶ୍ନକର୍ତ୍ତା ପୁଣି ପଚାରିଲେ, “ଆଚ୍ଛା, ଯଦି ଘଣ୍ଟାଏ କହିବାକୁ ପଡ଼େ ?”ଉଇଲ୍ସନ୍‌ଙ୍କର ଉତ୍ତର ଥିଲା, “ଗୋଟିଏ ସପ୍ତାହର ଆବଶ୍ୟକତା ରହିଛି ।”ପୁଣି ପ୍ରଶ୍ନ ହେଲା, “ଦୁଇ ତିନି ଘଣ୍ଟା ଭାଷଣ ଦେବାକୁ ହେଲେ ଆପଣଙ୍କୁ କେତେ ସମୟର ପ୍ରସ୍ତୁତି ଦରକାର ପଡ଼େ ?”ଉଇଲ୍ସନ୍ କହିଲେ, “ଦୁଇ ତିନି ଘଣ୍ଟା ! ଏବେ କହୁନ-ସଙ୍ଗେ ସଙ୍ଗେ ଭାଷଣ ଆରମ୍ଭ କରିଦେବି ।”ଭାରତର ମୁଖ୍ୟ ବକ୍ତା ଆସନ ଅଳଙ୍କୃତ କରୁଥିବା ଅଧିକାଂଶ ନେତା ଶେଷ ପର୍ଯ୍ୟାୟର ବକ୍ତା । ବିନା ପ୍ରସ୍ତୁତିରେ ସେମାନେ ଘଣ୍ଟା ଘଣ୍ଟା ଭାଷଣ ଦିଅନ୍ତି ଓ ସେମାନଙ୍କର ଅନୁଗାମୀ ଶ୍ରୋତା ବାରମ୍ୱାର ତାଳିମାଡ଼ କରନ୍ତି । ଭାଷଣର ମର୍ମ ବୁଝି ଯେ ସେମାନେ ତାଳିମାଡ଼ କରନ୍ତି ସେପରି ନୁହେଁ । ବଡ଼ଲୋକ ଭାଷଣ ଦେଉଥିବାବେଳେ ମଝିରେ ମଝିରେ ତାଳିମାଡ଼ କରାଯାଏ ବୋଲି ସେମାନଙ୍କ ଧାରଣା । ଅପରପକ୍ଷରେ ଯେତେବେଳେ କୌଣସି ପ୍ରଫେସର୍, ବୈଜ୍ଞାନିକ ବା ସାହିତ୍ୟିକ ମୁଖ୍ୟ ବକ୍ତା ଆସନ ଅଳଙ୍କୃତ କରନ୍ତି ସେମାନେ ବହୁଦିନ ପୂର୍ବରୁ ଭାଷଣ ପ୍ରସ୍ତୁତ କରନ୍ତି । ନୈତିକତା ଓ ସାମାଜିକତାକୁ ଉଜ୍ଜୀବିତ କରିବା ପାଇଁ ସେମାନେ ବେଦ, ଉପନିଷଦ, ପୁରାଣ, ଇତିହାସ ବିଭିନ୍ନ ବିଭାଗରୁ ଉଦାହରଣ ଦିଅନ୍ତି । ଯେତେବେଳେ ସମାଜକୁ ଦିଗ୍‌ଦର୍ଶନ ପାଇଁ ସେମାନେ ଭାବପ୍ରବଣ ହୋଇ ଭାଷଣଙ୍କୁ ଆଗେଇ ନିଅନ୍ତି ସେତେବେଳେ ସଭାପତିଙ୍କ ପାଖରୁ ଶୀଘ୍ର ଭାଷଣ ସାରିବା ପାଇଁ ତାଗିଦ୍ ଥିବା ଗୋଟିଏ ଚିରକୁଟ୍ ପାଆନ୍ତି, କାରଣ ଶ୍ରୋତାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରିଥାନ୍ତି । ବିଭିନ୍ନ ନାଚଗୀତର ଆୟୋଜନ କରାଯାଇଥାଏ । ଧନ୍ୟବାଦ କାର୍ଯ୍ୟକ୍ରମ ପରେ ସଭାପତି ଘୋଷଣା କରନ୍ତି, ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ । ଆପଣମାନେ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ଉପଭୋଗ କରନ୍ତୁ । ଯଦି ସଭା ପରେ ସାଂସ୍କୃତିକ କାର୍ଯ୍ୟ ଆରମ୍ଭ ହୁଏ, ତା’ହେଲେ ନାଚଗୀତ ଆରମ୍ଭ ହେବା ପୂର୍ବରୁ ସଭାରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଯେଉଁ ଉଦ୍‌ବୋଧନ ଦେଉଥିଲେ ତାହା କ’ଣ ଥିଲା ଅସାଂସ୍କୃତିକ ନା ଅଣସାଂସ୍କୃତିକ ? ବକ୍ତା ଓ ଅତିଥିଙ୍କ ସାରଗର୍ଭକ ଭାଷଣ ଯଦି ସାଂସ୍କୃତିକ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ନୁହେଁ, ତା’ଠୁ ବଳି ବଡ଼ ବିଡ଼ମ୍ୱନା କ’ଣ ଥାଇପାରେ !

ସମ୍ପ୍ରତି ଧର୍ମସଭାଗୁଡ଼ିକର ସଂଖ୍ୟ ବଢ଼ିଛି । ବିଭିନ୍ନ ସ୍ଥାନରେ ବଡ଼ ବଡ଼ ପ୍ରବାଚକଙ୍କୁ ନିମନ୍ତ୍ରଣ କରି ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସଭାମାନଙ୍କରେ ହଜାର ହଜାର ଶ୍ରୋତାଙ୍କ ଭିଡ଼ ବି ହେଉଛି । ଭାବବିହ୍ୱଳ ହୋଇ ପ୍ରବଚନ ଶୁଣିବା ବି ପରିଲକ୍ଷିତ ହେଉଛି । ହେଲେ ଲୋକଚରିତ୍ରର ପରିବର୍ତ୍ତନ ହେଉନି । ପ୍ରବଚନ ଶୁଣିବା ପୁଣ୍ୟ ବୋଲି ଲୋକମାନଙ୍କର ଧାରଣା । ବକ୍ତାଙ୍କ ଭାଷଣ ଶୁଣିବା ପରେ ଶ୍ରୋତାମାନେ ତାଙ୍କୁ ଉଚ୍ଚ ପ୍ରଶଂସା କରନ୍ତି ଓ ତା’ପରେ ସବୁ ଭୁଲିଯାନ୍ତି । ଭାଷଣର କୌଣସି ପ୍ରଭାବ ତାଙ୍କ ଉପରେ ପଡ଼ିଥିବାର ଲକ୍ଷ୍ୟ କରାଯାଏ ନାହିଁ । ଜୀବନ ଯେମିତି ଚାଲିଥିଲା, ସେମିତି ଚାଲେ । ପ୍ରବାଚକ ସହରଠୁ ସହର ବୁଲି ପ୍ରବଚନ ଦିଅନ୍ତି । କିଛି ପାରିଶ୍ରମିକ ପାଆନ୍ତି ଓ ସେଥିରେ ସନ୍ତୁଷ୍ଟ ରହନ୍ତି । ତା’ଠୁ ବେଶି କିଛି ଆଶା କରନ୍ତି ନାହିଁ । ପ୍ରବଚନ ଏକ ମନୋରଞ୍ଜନ କାର୍ଯ୍ୟକ୍ରମରେ ପରିଣତ ହୁଏ । ଆଉ ଏକ ଗୋଷ୍ଠୀର ଶ୍ରୋତା ଅଛନ୍ତି, ଯେଉଁମାନେ ଭାଷଣ ଶୁଣିବାକୁ ଚାହାନ୍ତି ନାହିଁ । ରାଜନୈତିକ ସଭାରେ ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ସେମାନେ ଟ୍ରକ୍, ବସ୍‌ରେ ବୁହା ହୋଇଯାଆନ୍ତି ଓ ଅନିଚ୍ଛାସତ୍ତ୍ୱେ ଶ୍ରୋତା ପାଲଟିଯାନ୍ତି ଏବଂ ମଝିରେ ମଝିରେ ତାଳିମାଡ଼ କରନ୍ତି । ଆଜି କିଛି ଭଲ କଥା ଶୁଣିବାକୁ ଆଗ୍ରହ ପ୍ରକାଶ କରୁଥିବା ଲୋକଙ୍କ ସଂଖ୍ୟା କମ୍ । ଯେଉଁଠି ରେକଡ଼ା ଡ୍ୟାନ୍ସ ହେଉଥାଏ କିମ୍ୱା ଅଶ୍ଳୀଳ ନୃତ୍ୟ ଓ ସଙ୍ଗୀତର ଆୟୋଜନ ହେଉଥାଏ ସେଠି ଭଡ଼ ବେଶି । ମନେପଡ଼େ ଗ୍ରୀକ୍ ଦାର୍ଶନିକ ଡାୟୋଜିନିସ୍‌ଙ୍କ ଏ କଥା । ଥରେ ବଜାରର ଏକ ଛକରେ ଠିଆ ହୋଇ ସେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଭାଷଣ ଦେଉଥିଲେ । ନିକଟରେ ବହୁ ଲୋକ ଚଳପ୍ରଚଳ ହେଉଥିଲେ । କିନ୍ତୁ କେହି ତାଙ୍କ ଭାଷଣ ଶୁଣିବା ପାଇଁ ଆସୁ ନଥିଲେ । କିଛି ସମୟ ପରେ ସେ ହଠାତ୍ ଭାଷଣ ବନ୍ଦ କରି ହୁଇସିଲ୍ ମାରିବା ଆରମ୍ଭ କରିଦେଲେ । ଚାହୁଁ ଚାହୁଁ ଲୋକଙ୍କ ଭିଡ଼ ବଢ଼ିଗଲା । ତାଙ୍କ ଆଗରେ ଭିଡ଼ ଜମେଇଥିବା ଜନତାଙ୍କୁ ଲକ୍ଷ୍ୟ କରି ଡାୟୋଜିନିସ୍ କହିଲେ, “କ’ଣ ପାଇଁ ଏ ଭିଡ଼ ?”ଜଣେ ଉତ୍ତର ଦେଲା “ଆପଣ ହୁଇସିଲ୍ ମାରିଲେ । ଏଣୁ ଆମେ ଜମା ହୋଇଗଲୁ କୌତୂହଳବଶତଃ ।”ଡାୟୋଜିନିସ୍ କହିଲେ, “ମଣିଷ ଅଭାବରୁ ଏଭଳି ଦୁର୍ଭାଗ୍ୟଜନକ ପରିସ୍ଥିତି ଉପୁଜିଛି । ଯେତେବେଳେ ମୋର ଶ୍ରୋତା ଦରକାର ଥିଲା ଓ ମୁଁ କିଛି ଗୁରୁତ୍ୱପୂର୍ଣ୍ଣ କଥା କହୁଥିଲି ତୁମ୍ଭମାନଙ୍କ ମଧ୍ୟରୁ କେହି ଜଣେ ବି ଆସିଲ ନାହିଁ । ଅଥଚ ମୋର ଅର୍ଥହୀନ ହୁଇସିଲ୍ ଶବ୍ଦ ଶୁଣି ଏତେ ବଡ଼ ଭିଡ଼ ଜମାଇଦେଲ ।”ଆଜି ସଭାଗୁଡ଼ିକରେ ମୁଖ୍ୟବକ୍ତାଙ୍କ ଅବସ୍ଥା ଠିକ୍ ଡାୟୋଜିନିସ୍‌ଙ୍କ ଭଳି । ମୁଖ୍ୟବକ୍ତାଙ୍କ ସାରଗର୍ଭକ ଭାଷଣ ପରେ ନାଚଗୀତ ଦେଖିବା ପାଇଁ ଅସଂଖ୍ୟ ଭିଡ଼ । ଏହା ଏକ ବିଡ଼ମ୍ୱନା ନୁହେଁ କି ?

ଲୋକପ୍ରିୟ ଲେଖା

To Top