ପ୍ରବନ୍ଧ

ମୁଁ ଝିଅ

Sonali Swain's odia prose Mun Jhia

ଭଗବାନ ତ ସୃଷ୍ଟି କରିବା ସମୟରେ ଆଦାମ୍-ଇଭ୍ ଉଭୟ ନାରୀ-ପୁରୁଷଙ୍କୁ ତ ପ୍ରଥମେ ଜନ୍ମ ଦେଇଥିଲେ । ତାହାଲେ ନାରୀମାନଙ୍କୁ ସ୍ୱାଧୀନତାରୁ କ’ଣ ପାଇଁ ବଞ୍ଚିତ କଲେ ।

ମୁଁ ଝିଅ

ଝରକା ଫାଙ୍କର ଦୂର ଦିଗ୍‌ବଳୟର ସବୁଜ ପଡ଼ିଆକୁ ଦେଖିଲେ, ମନରେ ଆପେ ଆପେ ଈର୍ଷା ଜାତ ହୁଏ । ଈର୍ଷାଟି କୌଣସି ଏକ ମୂଲ୍ୟବାନ୍ ବସ୍ତୁ ପାଇଁ ନୁହେଁ କି କୌଣସିଏକ ନାମୀଦାମୀ ମଣିଷ ପାଇଁ ନୁହେଁ । ଈର୍ଷାହୁଏ ଝରକାଫାଙ୍କର ଆଢୁଆଳରେ କ୍ରିକେଟ୍ ଖେଳୁଥିବା ସେସବୁ ପୁଅମାନଙ୍କ ପାଇଁ । ବହୁତ କଷ୍ଟ ହୁଏ, ଭଗବାନଙ୍କୁ ମନେ ମନେ ପ୍ରଶ୍ନ କରେ “ଝିଅଟିଏ” ମତେ କ’ଣ ପାଇଁ କଲେ ?

ଝିଅଟିଏ କୁଆଡ଼େ ଘରର ମର୍ଯ୍ୟାଦା ହୋଇଥାଏ । ମର୍ଯ୍ୟାଦାର ଦ୍ୱାହି ଦେହି ତା’ ଆଗରେ ଟଣା ଯାଇଥାଏ ଲକ୍ଷ୍ମଣରେଖା ଝିଅ ଯଦି ମର୍ଯ୍ୟାଦାର ଲକ୍ଷ୍ମଣରେଖା ରୂପକ ଏରୁଣ୍ଡି ବନ୍ଧକୁ ଡେଇଁ ଯାଏ, ତେବେ ଲୋକହସା ହେବାକୁ ପଡ଼େ ତା’ର ପିତାମାତାଙ୍କୁ ମଧ୍ୟ । କଳୁଷିତ ମନୁଷ୍ୟଙ୍କର ଏ କି କୁତ୍ସିତ ଚିନ୍ତାଧାରାକୁ ଡରି ଦେବୀ ରୂପକ କନ୍ୟା ସନ୍ତାନକୁ ଫିଙ୍ଗି ଦେଇ ଆସନ୍ତି କେଉଁ ଏକ ଅଳିଆ କୁଣ୍ଡରେ ।

କାହିଁକି ଦୁନିଆଁର ଏହି ନୀତି ନିୟମ ପୁଅମାନଙ୍କ ଉପରେ ବି ପ୍ରୟୋଗ କରାଯାଉ ନାହିଁ । ଯଦି ଝିଅଟିଏ ଜନ୍ମ ହେଉ ହେଉ ତାକୁ ଶିକ୍ଷା ଦିଆଯାଉଛି ଘରର ମର୍ଯ୍ୟାଦା ରକ୍ଷା କରିବା କଥା, ତା’ହେଲେ କ’ଣ ପାଇଁ ପୁଅମାନଙ୍କୁ ଦିଆଯାଉନାହିଁ, ଅନ୍ୟମାନଙ୍କ ଘରର ମର୍ଯ୍ୟାଦାଙ୍କୁ ସମ୍ମାନ ଦେବାର ଶିକ୍ଷା ।

କୁନି ଝିଅଟିର କୁଆଁ କୁଆଁ କାନ୍ଦ ଘରର ପାଚେରୀ ନ ଡେଉଣୁ ପାଚେରୀ ସେପାଖରୁ ଶୁଭାଯାଏ ଶେଷରେ ଝିଅଟେ ହେଲା ! ! ! ହାତରେ ସିଲଟ, କାନ୍ଧରେ ବସ୍ତାନି ଧରି କୁନି କୁନି ପାଦରେ ଝୁଣୁଝୁଣୁ ଶବ୍ଦ କରି ଗାଁ ରାସ୍ତାରେ ଚାଲିଗଲେ, ଶୁଣିବାକୁ ପଡ଼େ ଝିଅଟିଏ ପାଠ ପଢ଼ି କ’ଣ କରିବୁ ???

ସ୍କୁଲ ସାରି କଲେଜ୍‌ର ଉଚ୍ଚଶିକ୍ଷା ପାଇଁ ଯଦି ଗାଁ ଛାଡ଼ି ସହରକୁ ଆସିବାକୁ ପଡ଼େ, ବାପାଙ୍କୁ ଶୁଣିବାକୁ ପଡ଼େ, ସେ ତ ଝିଅଟେ ତାକୁ କାଇଁ ଏତେ ଦୂର ଛାଡୁଛ ??

ପାଠ ପଢ଼ିବା ସମୟରେ ବହି, ଖାତା ଧରି ବସିପଡ଼ିଲେ ଗ୍ରାମର ମୂର୍ଖ ବୁଢ଼ା-ବୁଢ଼ୀଙ୍କ ଠାରୁ ଶୁଣିବାକୁ ପଡ଼େ ଦିନ-ରାତି ଏତେପାଠ ପଢୁଛୁ କିଆଁ ? ଘରକାମ ଶିଖି, ବୋଉକୁ ରୋଷେଇରେ ସାହାଯ୍ୟ କର, ଭବିଷ୍ୟତରେ ଖୁସିରେ ରହିବୁ, କୌଣସି ବସତଃ ଘରେ ଯଦି ଝିଅଟେ ବଡ଼-ପାଟିରେ ଚିଲାଇ କିଛି କହେ, ବୋଉର ତାଗିଦ୍ ଆସେ ପାଟିରେ କୋଲପ ପକାଇ ରହ, ତୁ ଝିଅଟିଏ । ସନ୍ଧ୍ୟାରେ ଖୋଲା ଆକାଶକୁ ସ୍ପର୍ଶ କରିବାକୁ ଘରୁ ଗୋଡ଼ କାଢ଼ିଲେ ଆଈମା’ ଠାରୁ ଶୁଣିବାକୁ ପଡ଼େ ସନ୍ଧ୍ୟା ହେଲାଣି, ବାହାରକୁ ଯାଆନି, ତୁ ଝିଅଟିଏ ।

ସତରେ ଏଇ ପୁଅମାନଙ୍କୁ ସବୁଜ ପଡ଼ିଆରେ ଘୋ’ ଘୋ’ ଶବ୍ଦରେ କ୍ରିକେଟ୍ ଖେଳିବାର ଦେଖିଲେ ମନରେ ବହୁତ ଈର୍ଷା ହୁଏ । ବ୍ୟାଟ୍‌ରେ ବଲ୍‌ଟି ବାଜି. ଯଦି ଚୌକା-ଛକାରେ ଆକାଶର ବହୁତ ଦୂରକୁ ଚାଲିଯାଏ । ମତେ ଲାଗେ ଝିଅଟିର ସ୍ୱପ୍ନକୁ ସେ ବଲ୍ ଭିତରେ ପୁରାଇ ବ୍ୟାଟ୍ ସାହାଯ୍ୟରେ ଛକା- ଚୌକା ବାଡ଼େଇ ବହୁତ ଦୂରକୁ ଉଡ଼ାଇ ଦିଆଯାଉଛି ।

ଭଲ ରନ୍‌ର ଅପେକ୍ଷାରେ ଯେତେବେଳେ ଦୁଇଜଣ ବ୍ୟାଟ୍ ଧରିଥିବା ବ୍ୟକ୍ତି ପଡ଼ିଆ ଭିତରେ ବଲ୍କୁ ବ୍ୟାଟ୍‌କୁ ଛୁଅନ୍ତି । ସତେ ଯେପରି ମତେ ଲାଗେ ସେମାନେ ଯେମିତି ଝିଅମାନଙ୍କର ଏପରି ଯନ୍ତ୍ରଣା ଦେଖି ହାତରେ ହାତ ବାଡ଼ଉଛନ୍ତି ।

ଆଉ କ୍ଷୀପ୍ର ବେଗରେ ଦୌଡୁଥିବା ବୋଲରର ସେ କ୍ଷୀପ୍ର ପାଦଦ୍ୱୟକୁ ଦେଖି ସତେ ଯେପରି ଲାଗେ ଝିଅମାନଙ୍କ ସ୍ୱପ୍ନ-ଅଭିଳାଷକୁ ପାଦରେ ଦଳି-ଚକଟି ଛାରଖାର କରି ଦିଆଯାଉଛି ।

ଭଗବାନ ତ ସୃଷ୍ଟି କରିବା ସମୟରେ ଆଦାମ୍-ଇଭ୍ ଉଭୟ ନାରୀ-ପୁରୁଷଙ୍କୁ ତ ପ୍ରଥମେ ଜନ୍ମ ଦେଇଥିଲେ । ତାହାଲେ ନାରୀମାନଙ୍କୁ ସ୍ୱାଧୀନତାରୁ କ’ଣ ପାଇଁ ବଞ୍ଚିତ କଲେ । ସତରେ କ’ଣ ଝିଅଟିଏ ହୋଇ ଜନ୍ମ ନେବା ଏକ ଏମିତି ବଡ଼ ପାପ ! ଯଦି ବି ଝିଅଟିଏ ହୋଇ ଜନ୍ମ ନେଲ ତାହାଲେ ସହ୍ୟ କରିବାକୁ ପଡ଼ିବ ଅସହ୍ୟ ଯନ୍ତ୍ରଣା । ଜନ୍ମରୁ-ମୃତ୍ୟୁ ପର୍ଯ୍ୟନ୍ତ ସବୁବେଳେ ନାରୀକୁ ଅବହେଳା କରାଯାଇଛି ।

ହେଲେ କ’ଣ ପାଇଁ ??? ଏଇ ପ୍ରଶ୍ନବାଚୀର ପରିଧିରୁ କିଏ ମୁକ୍ତି କରିବ ??

ଲୋକପ୍ରିୟ ଲେଖା

To Top