ପ୍ରବନ୍ଧ

ନୀରସ କାଠର ସରସ କଥା

Dr Bidyadhara Padhi's odia prose Nirasa Kaathara Sarasa Katha

ଝିଅ ଜନମ ଚୂଲି ମୁହଁକୁ ଯେମିତି ନୁହେଁ, ସେମିତି କାଠ ଜନମ ଚୂଲି ଭିତରକୁ ନୁହେଁ ।

ନୀରସ କାଠର ସରସ କଥା

ଗଛର ଡାଳ ଅଗରୁ ମୂଳ ତଳଯାଏଁ ବକଳ ଭିତରେ ହାଡ଼ ପରି ଯେଉଁ ଟାଣୁଆ ଅଂଶ ଥାଏ, ତାରି ନାଁ କାଠ । କାଠ ଜୀଅନ୍ତା ଗଛର ଦୁଇଟି ପ୍ରଧାନ କାମ କରେ । ଏହା ମୂଳରୁ ପାଣି ଓ ସାର ପତ୍ର ଯାଏଁ ବୋହିନିଏ । ଏହା ଗଛକୁ ଶକ୍ତ କରି ମାଟି ଉପରେ ଧରିରଖେ । ମଲାଗଛର କାଠ ଆମର ବହୁ କାମରେ ଲାଗେ । କାଠର ବ୍ୟବହାର ସଙ୍ଗେ ଆମର ଚଳଣି ଏତେ ଲଗାଲଗି ଯେ ଗାଁ କନିଆଁ କଥା ପରି ଆମେ ସେସବୁ ବିଲ୍‌କୁଲ୍ ଭୁଲିଯାଉ । ଶୁଖିଲା କାଠ କହିଲେ ସାଧାରଣତଃ ଜାଳେଣି କାଠ କଥା ମନେପଡ଼େ । କାଠର ଆଉ ଆଉ ଗୁଣଗାରିମା ଆମ ମନକୁ ହଠାତ୍ ଛୁଇଁପାରେ ନାହିଁ ।

ପରୀରାଇଜ ଗପରେ ରାଜଜେମା’ ଅସୁରୁଣୀର କାରସାଦିରୁ ଗରଳଜ୍ୱାଳାରେ ଘାରି ହୋଇ ମରିପଡ଼ିଥିଲା ବାରବର୍ଷ । ତଥାପି ତାରି ରୂପଲାବଣ୍ୟରେ ପାଗଳ ହୋଇ ରାଜକୁମାର ଦେଲା ଚୁମା । ସେଇ ପରଶରେ ଜେମା ଜୀଇଁ ଉଠିଥିଲା । ଠିକ୍ ସେହିପରି ନିପୁଣ ବିନ୍ଧାଣୀ ପରଶ ପାଇଲେ ଶୁଖିଲା କାଠରେ ବି ରୂପ ଫୁଟେ, ରସ ଚହଟେ । ସେଇଥିପାଇଁ ପରା କୁହାଯାଏ, “କାହୁଁ ଅଇଲା ଏ ଅପୂର୍ବ ବିନ୍ଧାଣୀ, ଶୁଖିଲା କାଠରୁ ବୁହାଇଲା ପାଣି ।” ସାହିତ୍ୟିକ କାଲୋଡ଼ି କଳ୍ପନା ସଙ୍ଗେ ଭାଷା ଯୋଡ଼ି ଖଣ୍ଡିଏ ଶୁଖିଲା କାଠରୁ ପିନୋଚିଓ ଚରିତ୍ର ସୃଷ୍ଟି କରି ଅମର ହୋଇଛନ୍ତି । ଯେତେଦିନ ପିଲାଥିବେ, ସେତେଦିନ ସେଇ କାଠପିତୁଳିଟି ସେମାନଙ୍କ ପ୍ରାଣରେ ଆନନ୍ଦଝର ବୁହାଉଥିବ । ସେହିପରି ହିନ୍ଦୁ ଦରଗଢ଼ା କାଠ ପିଣ୍ଡରେ ଭକ୍ତିରସ ନ୍ୟାସ କରି ଜଗଦୀଶ ଜଗନ୍ନାଥଙ୍କ ସର୍ଜନା କରିଛନ୍ତି । କାମନା ଓ କାମ ମିଶି ଚାରୁ କାରୁକାର୍ଯ୍ୟ ଗଢ଼ନ୍ତି । ଜାଣିବା ଲୋକ ହାତରେ ଖୋଦିତ କାଠର କାମ, କାଠର ଶିଳ୍ପ ଅତି ଶୋଭାବନ, ଅନୁପମ । କାଠ କାମରେ ସିଦ୍ଧହସ୍ତ ଦେବଶିଳ୍ପୀଙ୍କ ନାଁ ରଖାଯାଇଛି ବିଶ୍ୱକର୍ମା ।

ଆମ ସଭ୍ୟତାର ବିକାଶରେ ଯେତେ ଯେତେ ଗଢ଼ଣି ଚିଜ କାମରେ ଲଗେଇଛୁ, ତା’ ଭିତରେ କାଠ ସବୁଠୁ ପୁରୁଣା । ହଜାର ହଜାର ବରଷ ପରେ ବି କାଠ ଆଗଠୁଁବଳି ଅଧିକ କାମସାର ଚିଜ ହୋଇଛି । ତା’ର ବ୍ୟବହାର ଓ ଆବଶ୍ୟକତା ବଢ଼ିଛି । ତେଣୁ ନିର୍ମାଣ ଉପାଦାନ ଭାବରେ ଏହା ଏବେ ନୂଆ ଭେକ ଧରିଛି । କୋଡ଼ିଏ ପଚିଶ ବରଷ ଆଗେ ଲୋକ ଯାହା କଳ୍ପନା କରୁ ନଥିଲା, ଏବେ ତାହା ସମ୍ଭବ ହୋଇଛି ବିଜ୍ଞାନ କୌଶଳରୁ ।

ଆଗେ କାମସାର କାଠ ବ୍ୟବହାର କରିବାରେ ଯାହା ସବୁଠୁଁ ବଡ଼ ସମସ୍ୟା ଥିଲା, ଏବେ ତାକୁଇ ସମାଧାନ କରି ଗଢ଼ିଉଠିଛି ନୂଆ ନୂଆ କାଠଶିଳ୍ପ ।

ସବୁ କାଠର ଗୁଣ ସମାନ ନୁହେଁ । ସରସ ଗୁଣ ଯୋଗୁଁ କେତେକ କାଠର ଚାହିଦା ବେଶୀ, କିନ୍ତୁ ସେସବୁ କାଠ ମାଳରୁ ଆଣି କାମରେ ଲଗାଇଲାବେଳକୁ ଅଗରା, ଛେଦରା, କରତଗୁଣ୍ଡ ରଞ୍ଜା ଅଂଶା ଭାବରେ ପ୍ରାୟ ଅଧାଅଧି ଲୋକସାନ ହୁଏ । ଏବେ ଆଉ ତା’ ହେଉନାହିଁ ।

ଛେଦରା ଅଂଶାରୁ ଏବେ ଛେଦରା ପଟା (ପାର୍ଟିକିଲ୍ ବୋର୍ଡ) ନାମରେ ଏକ ପ୍ରକାର ନୂଆ ଉପାଦାନ ତିଆରି ହେଉଛି । ଯେଉଁ ଅଂଶା ଆଗରୁ ପ୍ରାୟ ନଷ୍ଟ ହେଉଥିଲା, ସେଗୁଡ଼ିକ ଅଠା, ତାପ ଓ ଚାପଦ୍ୱାରା ଏକାଠି ବନ୍ଧେଇ ପଟା କରାଯାଉଛି । ସେଇ ପଟାକୁ ମାଠି ରଞ୍ଜି ପାଲିସ୍ କଲେ ଅତି ମନୋହର ହେଉଛି । ତେଣୁ ଘର କାନ୍ଥ, ଛାତ ଓ ତଳର ବିରକ୍ତିକର ଅସମାନତାକୁ ଘୋରେଇବା ପାଇଁ ରୁଚିବନ୍ତ ଗୁଣଜ୍ଞ ଲୋକମାନେ ଏହାର ବହୁଳ ବ୍ୟବହାର କରୁଛନ୍ତି । ଆଉ ବି ଏଇ ଛେଦରା ପଟାରେ ଛାଞ୍ଚ ଗଢ଼ି ତା’ ଉପରେ ମେହଗାନି, ରୋଜ୍ ଉଡ୍ ବା ଓକ୍ ପରି ଦୁର୍ଲ୍ଲଭ କାଠର ପତଳା ପଟାର ମଲାଟ ଲଗେଇ ଦେଲେ ଶକ୍ତ, ସୁନ୍ଦର ଓ ଚମତ୍କାର ଆସବାବ ହେଉଛି । ଆମେରିକାରେ ମେହଗାନି କାଠ ମିଳେ ନାହିଁ । ତେଣୁ ସେଠି ଏଇ ଉପାୟରେ ମହାର୍ଘ ମେହଗାନି ଗୃହପୋକରଣ କାରବାର ସମ୍ଭବ ହେଉଛି । ଆମେରିକା ଅପେକ୍ଷା ଇଉରୋପରେ ଏହି ପ୍ରକାର ଛେଦରା ପଟା ବେଶୀ ବ୍ୟବହୃତ ହେଉଛି । କାରଣ ଇଉରୋପରେ କାମସାର କାଠ ଯୋଗାଣ ଶେଷ ହେବା ଉପରେ । ତେବେ ସବୁ କାମରେ ପ୍ରାୟ ଏହାର ପ୍ରସାର ବଢୁଛି । ଜାତିସଂଘ ମଧ୍ୟ ଏହାର ବହୁଳ ପ୍ରଚାର ପାଇଁ ଆୟୋଜନ କରୁଛନ୍ତି ।

ଫର୍ଦ୍ଦି କାଠ (ଲାମିନେଟ୍ ଉଡ୍) ହେଉଛି ଆଉ ଏକ ନୂଆ କଥା । କାଠଗଡ଼କୁ ଖୁବ୍ ପତଳା ପତଳା କରି କରତା ଯାଏ ଏବଂ ସେହି ପତଳା ପଟାଗୁଡ଼ିକରୁ ସାଧାରଣତଃ ତିନି ପରସ୍ତର ପଟା ଓଲଟ ପାଲଟ କରି ପୁଣି ଉତ୍ତାପ ସାହାଯ୍ୟରେ ଚାପି ଯୋଡ଼ି ଦିଆଯାଏ । ଭେନସ୍ତା ଏକ ପ୍ରକାର ଫର୍ଦ୍ଦି କାଠ । ଏହା ଖୁବ୍ ମଜଭୁତ୍ ଓ ଏହାର ବ୍ୟବହାର ଅନେକ । ସୁଦୃଢ଼ ପୋଲ ଓ ବୃହତ୍ ଅଟ୍ଟାଳିକାର ଖିଲାଣ ଏଥିରେ ବି ତିଆରି ହେଉଛି । ଲୁହା ବଦଳରେ ଫର୍ଦ୍ଦି କାଠ ବ୍ୟବହାର କରି ନୌବାହିନୀର କେତେ ପ୍ରକାର ବୁଡ଼ାଜାହାଜ ପ୍ରଭୃତି ତିଆରି କରାଯାଉଛି । ଲୁହା ପରି ଏହାକୁ ଚୁମ୍ୱକଶକ୍ତି ଟାଣିପାରେ ନାହିଁ । ଏହା ସାଧାରଣ କାଠ ପରି ସହଜରେ ଦରିଆ ପାଣିରେ ଖୋତରିଯାଏ ନାହିଁ ।

ସାଧାରଣ କାଠର ଅନ୍ୟ ଏକ ବିଶେଷ ବ୍ୟବହାର ହେଉଛି ପ୍ଲାଷ୍ଟିକ୍ (ପ୍ଲାଷ୍ଟିକ୍) ଶିଳ୍ପରେ । କାଠର ଗୁଣ୍ଡ ପ୍ଲାଷ୍ଟିକ୍‌ର ମୂଳପିଣ୍ଡ । କାଠର ପ୍ରାକୃତିକ ଆକାର ପ୍ରକାର ନିର୍ଦ୍ଦିଷ୍ଟ ଥିବାରୁ ତାହା ରୁଚି ଅନୁସାରେ ବଦଳେଇ ହୁଏ ନାହିଁ । ତେଣୁ କାଠ ବ୍ୟବହାରରେ ଅନେକ ଅଂଶ ପ୍ରାୟ ନଷ୍ଟ ହୁଏ । କିନ୍ତୁ ପ୍ଲାଷ୍ଟିକ୍ ରୂପରେ ଏହା ନାନା ସୁଦୃଶ୍ୟ ଆକାର ଧାରଣ କରେ ଏବଂ ଗୋଟିଏ ପ୍ଲାଷ୍ଟିକ୍ ବ୍ୟବହାରରୁ ଯାହା ବଳେ, ତାହା ପୁଣି ଅନ୍ୟତ୍ର ବ୍ୟବହାର କରିହୁଏ ।

କାଠ ଦୁଇଟି ଚିଜ୍‌ରେ ଗଢ଼ା । ଗୋଟିଏ ସେଲୁଲୋଜ୍ (ସେଲୁଲୋଜ୍) ଏବଂ ଅନ୍ୟଟି ଲିଗ୍ନିନ୍ (ଲିଗ୍ନିନ୍) । କାଠ ଅସଂଖ୍ୟ କୋଷର ସମଷ୍ଟି । କୋଷର ଭିତ୍ତି ଏ ଦୁଇଟି ଚିଜ୍‌ରୁ ଗଠିତ । ଝାଟି କାନ୍ଥରେ ମାଟି ଲେଶି ମୋଟ ଓ ଶକ୍ତ କରାଗଲା ପରି ସେଲୁଲୋଜ ଉପରେ ଲିଗ୍ନିନ୍ ଲେପ ଦିଆହୋଇଥାଏ । କିନ୍ତୁ କେବଳ ସେଲୁଲୋଜ୍ ପ୍ଲାଷ୍ଟିକ୍ ଶିଳ୍ପରେ ଲୋଡ଼ା ହୁଏ । ଲିଗ୍ନିନ୍ ପ୍ଲାଷ୍ଟିକ୍ ଶିଳ୍ପରେ ମୂଳ । ଦାମିକା ପ୍ଲାଷ୍ଟିକ୍‌ର ପ୍ରାୟ ଶତକଡ଼ା ୭୦ଭାଗ ସେଲୁଲଏଡ୍ ଗଢ଼ା । ସେଲୁଲୋଜ୍ ନାଁରୁ ପ୍ରଥମ ପ୍ଲାଷ୍ଟିକ୍‌ର ନାଁ ଦିଆଯାଇଛି ସେଲୁଲଏଡ୍ । କାଠମଣ୍ଡରୁ ଯେଉଁ ସେଲୁଲୋଜ୍ ମିଳେ, ତାହା ମଧ୍ୟ କାଗଜ ଶିଳ୍ପ ଓ କୃତ୍ରିମ ରେଶମ- ରେୟନର ମୂଳପିଣ୍ଡ ।

କାଠର ଲିଗ୍ନିନ୍ ଏକବାର ଅଲୋଡ଼ା ପଦାର୍ଥ ନୁହେଁ । ସେଥିରୁ ମାଟି ଗଠନକାରୀ ସାର କ୍ରମେ ବହୁ ପରିମାଣରେ ପ୍ରସ୍ତୁତ ହେଉଛି । ଲିଗ୍ନିନ୍ ମଧ୍ୟ କେତେକ ପ୍ରକାର ପ୍ରସାଧନ ସାମଗ୍ରୀ ଓ କେତେକ ରାସାୟନିକ ପଦାର୍ଥ ତିଆରିରେ ନିୟୋଜିତ ହେଉଛି । ତଥାପି କାଠମଣ୍ଡଶିଳ୍ପରେ ଏହା ଏକ ପ୍ରଧାନ ଅନ୍ତରାୟ ଓ ଅନାବଶ୍ୟକ ପଦାର୍ଥ । ଲିଗ୍ନିନ୍‌କୁ ଲଗାଇ କୌଣସି ବଡ଼ ଶିଳ୍ପର ବିକାଶ ସମ୍ଭବ ହୋଇନାହିଁ । ପ୍ଲାଷ୍ଟିକ୍ ଶିଳ୍ପରେ ଲିଗ୍ନିନ୍ ବ୍ୟବହୃତ ହୋଇପାରିଲେ ଗୋଟାଏ ବଡ଼ କଥା ହେବ । ଅଧୁନା ପ୍ଲାଷ୍ଟିକ୍ ଶିଳ୍ପରେ ଯେତିକି କାଠ ବ୍ୟବହୃତ ହେଉଛି, କେବଳ ସେତିକି କାଠ ବଦଳରେ ପ୍ରାୟ ୩୦ ଗୁଣ ଅଧିକ ପ୍ଲାଷ୍ଟିକ୍ ମିଳିଯିବ । ତା’ହେଲେ ଆମ ନିର୍ମାଣଶିଳ୍ପ ପୁରାପରି ବଦଳିଯିବ । ଆମ ଗୃହ ଓ ଗୃହସଜ୍ଜାରେ ରୁଚି, ରୂପ ଓ ରଙ୍ଗ ଏକବାର ନୂଆ ହେବ ।

ଭବିଷ୍ୟତ ପାଇଁ ଏହା ଦିଗ୍‌ଦର୍ଶକ ଏକ ଶର ପରି ହେବା ଉଚିତ୍ । କାଠଖଣ୍ଡକୁ ହେୟଜ୍ଞାନ କରି ଚୂଲି ଭିତରକୁ ଠେଲି ଦେବା ଠିକ୍ ନୁହେଁ । ଝିଅ ଜନମ ଚୂଲି ମୁହଁକୁ ଯେମିତି ନୁହେଁ, ସେମିତି କାଠ ଜନମ ଚୂଲି ଭିତରକୁ ନୁହେଁ । ଆମ ଦେଶରେ ଚୂଲି ପ୍ରାୟ ଜଳାଯାଏ କାଠରେ । ତେବେ ତା’ ବାଦ୍ ଅନେକ କାଠ ଆମ ଦେଶରେ ଅଙ୍ଗାର ପାଇଁ ଓ ପୋଡୁଚାଷ ପାଇଁ ପୋଡ଼ାଯାଏ । ଏହା ନିତାନ୍ତ ଅନ୍ୟାୟ ଓ ଅପକର୍ମ । ଶିଶୁକାଠଖଣ୍ଡ ଜାଳି ନ ଦେଇ ସେଥିରୁ ତେଲ ଟିକକ ଗାଳିନେଲେ କେଡ଼େ କାମରେ ଆମର ଲାଗନ୍ତା ।

ଗୋଟାଏ ମସ୍ତବଡ଼ ବଣ ଦିନକରେ ପୋଡ଼ି ପାଉଁଶ ହୋଇଯିବ । ନିଆଁ ବଣକୁ ବାଇ । କିନ୍ତୁ ବଣଟିଏ ବଢେ଼ଇବାକୁ ପ୍ରାୟ ଶହ ଶହ ବର୍ଷ ଲାଗେ । ତେଣୁ ଜାଗତିଆରି ହୋଇ ସକଳ ଚେଷ୍ଟା କରି ବଣପୋଡ଼ି ରୋକିବାକୁ ହେବ ।

ନାନା ଭାବରେ ବଣସମ୍ପଦ ଆମର କମି କମି ଯାଉଛି । ଏହା ପ୍ରକୃତିଦତ୍ତ । ସେଇଥିପାଇଁ ବିନା ବିଚାରରେ ତା’ର ଅପବ୍ୟୟ କରାଯିବା ଉଚିତ୍ ନୁହେଁ । କାରଣ ତା’ର ପରିଣତି ଭୟାବହ । ବଣ ସଙ୍ଗେ ଆମର ଧନ, ଜନ, ଗୋପ, ଲକ୍ଷ୍ନୀ ସବୁ ଯେ ଘନିଷ୍ଠଭାବେ ଜଡ଼ିତ ଏହା ଆମର ମନେରଖିବା ଉଚିତ୍ ।

ଛେଦରା ପଟା ବା ପ୍ଲାଷ୍ଟିକ୍‌ର ବ୍ୟବହାର ବଢୁ ଓ ବଢ଼ିବା ଉଚିତ୍ । କିନ୍ତୁ କାମସାର କାଠର ଅଭାବ ପଡ଼ିଲେ ଆମେ ନାନା ହଇରାଣରେ ପଡ଼ିବୁ । ଦୀର୍ଘସୂତ୍ରୀ ହେଲେ ଅକଳରେ ଓ ବିକଳରେ ପଡ଼ିବା ସାର ହେବ । ତେଣୁ କାଠକୁ ଘୃଣାବ୍ୟଞ୍ଜକ ଭାଷାରେ ଶୁଷ୍କ କାଷ୍ଠଂ ତିଷ୍ଟତ୍ୟଗ୍ରେ ନ କହି କାଳିଦାସଙ୍କ ସ୍ନେହବୋଳା ଛନ୍ଦକୁ ସାମାନ୍ୟ ପରିବର୍ତ୍ତନ କରି କୁହାଯାଉ ସରସଃ ତରୁବରଃ ପୁରତୋ ଭାତି

ଲୋକପ୍ରିୟ ଲେଖା

To Top