ପ୍ରବନ୍ଧ

ଓଢ଼ଣା ତଳର କଥା

Sabita Biswal's odia prose Odhanaa Talara Kathaa

ଓଢ଼ଣାର ହୁମାର ଓ ଗାମ୍ଭିର୍ଯ୍ୟକୁ ଯଦି ଆଜି ସଭ୍ୟ ଶିକ୍ଷିତ ଏକବିଂଶ ଶତାବ୍ଦୀର ନାରୀ ପୁଙ୍ଖାନୁପୁଙ୍ଖ ଭାବରେ ପର୍ଯ୍ୟବେକ୍ଷଣ କରି ନିର୍ଣ୍ଣୟାତ୍ମକ ଭୂମିକା ଗ୍ରହଣ କରନ୍ତା ତା’ହେଲେ ଏପରି ସମାଜର କ୍ଷୁର୍ଣ୍ଣ ହେଉଥିବା ମାନ ଓ ସ୍ୱାଭିମାନ ଅଚିରେ ଫେରି ଆସନ୍ତା ।

ଓଢ଼ଣା ତଳର କଥା

ଓଢ଼ଣା ଏକ ବ୍ୟାପକ ଓ ବିସ୍ତୃତ ଶବ୍ଦ । ଓଢ଼ଣା ଭିତରେ ଥାଏ ଗୋଟିଏ ମହା ମହା ବାସ୍ନାଭରା ପତ୍ନିତ୍ୱ, ନୀଳ ସାଗର ଭଳି ଅମାପ ସ୍ନେହ । ପ୍ରେମ ଆଉ ଆଦର, ଶାଶୁ,ଶ୍ୱଶୁରଙ୍କର ଭବିଷ୍ୟତର ଗର୍ବ, ଦମ୍ଭଭରା ସୁନେଲି ସ୍ୱପ୍ନ । ନଣନ୍ଦ ଦିଅରଙ୍କର ଦୁଃଖ , ସୁଖ, ଭଲ, ମନ୍ଦ, ହସ ,କାନ୍ଦର ମଉଳା ଜହ୍ନରାତି ଭିତରେ ପ୍ରଭାତର ଅରୁଣିମା ଦେଖାଇବା ଭଳି ସ୍ନେହ ସୋହାଗ ଭରା ସାଥି (ମୁଁ କହେ ଓଢ଼ଣା ହେଉଛି ସଂସାରର ବୋଝ । ହେଲେବି ସତରେ ଏ ଓଢ଼ଣାରେ ବିଶ୍ୱର ସବୁ ମିଳେ ) ସେ ବୋଝକୁ ଓଢ଼ଣା ଭିତରେ ଥାଇ ସମ୍ଭାଳି ପାରେ ଏଆଇ ନାରୀ, ସେ ସୁରକ୍ଷିତ ରହି ପରିବାରକୁ ସୁରକ୍ଷା ଦିଏ । ଓଢ଼ଣା ଆମ ଓଡ଼ିଆ ନାରୀର ଶ୍ରେଷ୍ଠ ସମ୍ବଳ, ଓ ଅଳଙ୍କାର । ଲକ୍ଷ୍ୟ ଲକ୍ଷ୍ୟ ଜଣ ସମାଗମରେ ଓଢ଼ଣା ଦେଇଥିବା ନାରୀଟି ପାଏ ସମ୍ମାନ । ଚଳ ଚଞ୍ଚଳ ଝରଣା ଭଳି ଖେଳି ବୁଲୁଥିବା ଝିଅଟିଏ ଓଢ଼ଣା ଦେଲେ ପତ୍ନୀ ଓ ମାଆର ସମ୍ମାନରେ ଅଧିକାରୀ ହୁଏ । ସେ ତା ସ୍ୱାମୀଙ୍କର ଦିବ୍ୟ କର୍ମର ଏକ ସତ୍ୟନିଷ୍ଠ କର୍ମୀ ହୁଏ । ତାରି ପ୍ରେରଣାରେ ତାରି ହାତର ସ୍ପର୍ଶରେ ଘରଟିଏ ହୁଏ ବୈକୁଣ୍ଠ । ଓଢ଼ଣା ତଳୁ ଝରେ ମା’ର ଅମୃତ ଭରା ଶ୍ରଦ୍ଧା , ବେଦି ଉପରକୁ ଗଲା ବେଳେ ସେ ଓଢ଼ଣା ତଳେ ସବୁ ଦେଖୁଥାଏ, ଭବିଷ୍ୟତ କଥା ଭାବି ଆନନ୍ଦରେ ଉତଫୁଲ୍ଲିତ ହେବାବେଳେ ପିତାମାତାଙ୍କୁ ଛାଡି ଯିବାର କୋହକୁ ସମ୍ଭାଳି ନ ପାରି ତାରି ଭିତରେ ଅଶ୍ରୁ ଝରାଉ ଥାଏ । ସେ ଓଢ଼ଣା ତା’ର । ମୁଣ୍ଡରେ ଶାଢ଼ୀ ଦେଇ ଏ ଗୋଲାପ ଫୁଲ ଓ କଣ୍ଟା ଭରା ରାସ୍ତାରେ ଗଲାବେଳେ ତାର ଓଢ଼ଣା ସୁଚାଇଦିଏ ସେ କେଉଁ ଭାଗ୍ୟବାନ ପୁରୁଷର ସ୍ତ୍ରୀଟିଏ ତା କେଉଁ ସନ୍ତାନଟିର ଜନନୀଟିଏ ଓ କେଉଁ କୂଳର କୂଳ ବଧୁଟିଏ ।

ମୁଣ୍ଡରେ ଓଢ଼ଣା ଦେଇ ସେ ଯେତେବେଳେ ମନ୍ଦିରରେ ନମସ୍କାର କରେ, ନିଜ ବିକାଶର ଅର୍ଘ୍ୟ ଭିତରେ ଥାଏ ପ୍ରେମ,ସ୍ନେହ ଓ କୋମଳତା, ସଦିଚ୍ଛା,କରୁଣା,ସମସ୍ତ ଅଳି ଅର୍ଦ୍ଦଳି ଓ ନିଜ ପରିବାରର ସୁଦୃଢ଼ତା ସହିତ ଦେଶ ଓ ଜାତିର ମହନୀୟତା । ନାରୀ ଓଢ଼ଣା ଦେଇ ଶିନ୍ଦୁର ଲଗାଇଲା ବେଳେ ବିଶ୍ୱନିୟନ୍ତାଙ୍କ ନାମ ଜପ ଭିତରେ ନାମର ସ୍ୱାଦ ଓ ମଧୁରତା ଭିତରେ ହଜିଯାଏ । ତା’ର ଅନ୍ତର ମଧୁର ସେ ଓଢ଼ଣା ତଳେ ଥାଇ ସମସ୍ତଙ୍କୁ ମଧୁରତା ବାଣ୍ଟେ ଓ କହେ ‘ସର୍ବେ ଭବନ୍ତୁ ସୁଖିନଃ , ସର୍ବେ ସନ୍ତୁ ନିରାମୟା ‘ ଏବଂ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ । ସେ ଓଢ଼ଣା ଭିତରେ ସ୍ୱାଧୀନ (ସ୍ୱାଧୀନତା ର ଅର୍ଥ ଆପଣାର ବିବେକର ଅଧୀନ) । ସେ ଓଢ଼ଣା ଭିତରେ ଥାଏ ଏତେ ନମ୍ରତା ଓ ବିନୟ କରୁଣାର ଅମୃତତ୍ୱ ତାହା ସାଧାରଣ ମଣିଷ କଳ୍ପନା କରିପାରେନା । ଓଢ଼ଣା ଭାରତୀୟ ସଂସ୍କୃତିର ଏକ ଅଦ୍ଵିତୀୟ ଐତିହ ଓ ପରମ୍ପରା ।

ଓଢ଼ଣା ପ୍ରଚଳନ ପାଇଁ ସମଗ୍ର ବିଶ୍ୱଦରବାର ରେ ଭାରତ ସ୍ଥାନ ସ୍ୱତନ୍ତ୍ର ଏବଂ ମହାନ । ଭାରତର ହିନ୍ଦୁ ସଂସ୍କୃତିର ନାରୀ ଏଇଥିପାଇଁ ମହିୟସୀ ଓ ଗରିୟସୀ । ଓଢଣା ତଳେ ଥିଲେ ସମଗ୍ର ମାନବ ସମାଜ ଭାବିବିଏ ଏହାହିଁ ସ୍ୱର୍ଗର ଅମୃତ ଅନୁଭବ । ପୃଥିବୀରେ ନାରୀର ଯେତେ ଅପରାଧିକରଣ ଦେଖା ଦେଇଛି, ସବୁ ଓଢ଼ଣାର ଅଭାବରୁ ।

ଓଢ଼ଣା ଶୃଙ୍ଖଳାର ବନ୍ଧନ , କିନ୍ତୁ ସ୍ୱାଧିନତାରୁ ସ୍ୱାଧୀନତା ନାଁରେ ସ୍ୱେଚ୍ଛାଚାରିତାର ନମୁନା ନୁହେଁ । ଆମେ ବିବେକର ବିଚାରର ଅଧୀନ ବୋଲି ସଠିକ ଭାବେ ବୁଝିପାରିନୁ ଯାଦ୍ଵାରା ଅପରାଧ ବଢ଼ି ଚାଲିଛି । ଓଢ଼ଣାର ହୁମାର ଓ ଗାମ୍ଭିର୍ଯ୍ୟକୁ ଯଦି ଆଜି ସଭ୍ୟ ଶିକ୍ଷିତ ଏକବିଂଶ ଶତାବ୍ଦୀର ନାରୀ ପୁଙ୍ଖାନୁପୁଙ୍ଖ ଭାବରେ ପର୍ଯ୍ୟବେକ୍ଷଣ କରି ନିର୍ଣ୍ଣୟାତ୍ମକ ଭୂମିକା ଗ୍ରହଣ କରନ୍ତା ତା’ହେଲେ ଏପରି ସମାଜର କ୍ଷୁର୍ଣ୍ଣ ହେଉଥିବା ମାନ ଓ ସ୍ୱାଭିମାନ ଅଚିରେ ଫେରି ଆସନ୍ତା ।

ଲୋକପ୍ରିୟ ଲେଖା

To Top