ପ୍ରବନ୍ଧ

ଓଡ଼ିଆ ଭାଷା କେଉଁଠି ?

Biraja Routray's odia prose Odia Bhasha Keunthi ?

ସଠିକ୍ ଆଧୁନିକତାର ସାମଗ୍ରିକ ପୁରୋଦୃଷ୍ଟିଟି ଯଦି ଆମ ପାଖରେ ଥାଆନ୍ତା, ତେବେ ଆମେ ହୁଏତ ଆମର ଭୂମି ସଂଲଗ୍ନ ଚେରଗୁଡ଼ିକୁ ନିଜ ହାତରେ ଏହିପରି କାଟି ଚାଲିନଥାନ୍ତୁ ।

ଓଡ଼ିଆ ଭାଷା କେଉଁଠି ?

ନିଜକୁ ଆଧୁନିକ ପରି ସଜେଇ ହେବାର ନିଶା ଆମ ଓଡ଼ିଶାରେ ଏତେ ପ୍ରବଳ ଯେ ଏହି କୃତ୍ରିମ ସଜେଇ ହେବା ଭିତରେ ଆମେ ଆମର ଅସଲି ପ୍ରାକୃତିକ ପରିଚୟବୋଧକୁ ହରାଇ ଚାଲିଛୁ । ସଠିକ୍ ଆଧୁନିକତାର ସାମଗ୍ରିକ ପୁରୋଦୃଷ୍ଟିଟି ଯଦି ଆମ ପାଖରେ ଥାଆନ୍ତା, ତେବେ ଆମେ ହୁଏତ ଆମର ଭୂମି ସଂଲଗ୍ନ ଚେରଗୁଡ଼ିକୁ ନିଜ ହାତରେ ଏହିପରି କାଟି ଚାଲିନଥାନ୍ତୁ ।

ଭଲା କେଉଁ ଆଧୁନିକତାର ନାଁରେ ଆମେ ଆମର ମାତୃଭାଷାକୁ ଉପେକ୍ଷା କରିଚାଲିଛୁ ତାହା ଆମକୁ ମଧ୍ୟ ଜଣାନାହିଁ । ସମୟର ଏହି ନୂତନ ପ୍ରବାହରେ ଆମେ ବାହାରର ଭାଷା ଓ ଚଳଣି ଦ୍ୱାରା ଯେତିକି ମାତ୍ରାରେ ପ୍ରଭାବିତ ହେଲୁ ସେତିକି ମାତ୍ରାରେ ଖୋଦ୍ ନିଜ ମାଟିରେ ବାହାରକୁ ପ୍ରଭାବିତ କରିପାରିଲୁ ନାହିଁ । ଓଡ଼ିଶା ପ୍ରଦେଶର ଅପେକ୍ଷାକୃତଭାବେ ଉନ୍ନତ ଓ ଆଧୁନିକ ବୋଲି କୁହାଯାଉଥିବା ସହରମାନଙ୍କରେ ଏହି ତଥାକଥିତ ବାହ୍ୟସ୍ରୋତଟିର ପ୍ରଭାବରେ ଓଡ଼ିଆ ଭାଷା ଦିନକୁ ଦିନ କ୍ଷତିଗ୍ରସ୍ତ ହେବାରେ ଲାଗିଛି । ଏହି କିଛିବର୍ଷ ହେଲା ଆର୍ଥିକ ଓ ଅନ୍ୟାନ୍ୟ କ୍ଷେତ୍ରରେ ଉଦାରୀକରଣ ପ୍ରଭାବ ଯୋଗୁଁ ଶିକ୍ଷାଠାରୁ ଆରମ୍ଭ କରି ବାଣିଜ୍ୟ ଜଗତ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ର ଏକ ଅଭିନବ ଚାକଚକ୍ୟରେ ନିଜକୁ ଉପସ୍ଥାପିତ କରିବାରେ ଲାଗିପଡ଼ିଛନ୍ତି । ଏହି ନୂତନ ବହୁଦେଶୀୟ ରଙ୍ଗରେ ଆମ ମୁହଁର ପ୍ରିୟ ଭାଷାଟି କ୍ରମଶଃ ବେରଙ୍ଗ ହେବାରେ ଲାଗିଛି ।

ସହରମାନଙ୍କୁ ପ୍ରଗତି ଓ ଆଧୁନିକତାର ଏକ ବିକଶିତ ପେଣ୍ଠସ୍ଥଳୀ ବୋଲି ସାଧାରଣତଃ ବିବେଚନା କରାଯାଇଥାଏ । ଯାହାଫଳରେ ଗାଁ ଗୁଡ଼ିକରେ ଅନ୍ୟାନ୍ୟ ସହରୀ ସଂକ୍ରମଣ ପରି ସହରର ଭାଷା ମଧ୍ୟ ଗ୍ରାମାଞ୍ଚଳର ଭାଷାକୁ ପ୍ରଭାବିତ କରିଥାଏ । ଓଡ଼ିଶାର ଏହି ହାତଗଣତି ସହରମାନଙ୍କରେ ଓଡ଼ିଆ ଭାଷାର ସ୍ଥିତିକୁ ଅନୁଧ୍ୟାନ କଲେ ଏହି ଚିନ୍ତା ଉଦ୍ରେକକାରୀ ଭାଷା ସମସ୍ୟାଟି ସମ୍ମୁଖକୁ ଆସିବ । ସହରରେ ବସବାସ କରୁଥିବା ଲକ୍ଷାଧିକ ଲୋକଙ୍କର ବ୍ୟକ୍ତିଗତ ଓ ସାମୁହିକ ଜୀବନଚର୍ଯ୍ୟାରେ ଭାଷା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ମାତ୍ର ଆଧୁନିକତାର ଫେସନ୍‌ରେ ସଜ୍ଜିତ ଏହିସବୁ ସହରମାନଙ୍କରେ ବିଶେଷ କରି ଘରୋଇ ଉଦ୍ୟୋଗ, ସପିଙ୍ଗ୍ କମ୍ପ୍ଲେକ୍ସ, ରେସ୍ତୋରାଁ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ଓଡ଼ିଆ ଭାଷା ଗୌଣ ରୂପେ ବ୍ୟବହାର ହେଉଥିବାର ଦେଖାଯାଏ । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହିସବୁ ସ୍ଥାନମାନଙ୍କରେ କାରବାର କରୁଥିବା ଶତକଡ଼ା ନବେ ଭାଗ ମଣିଷମାନେ ଖାଣ୍ଟି ଓଡ଼ିଆ ଅଟନ୍ତି । କିନ୍ତୁ କେଜାଣି କାହିଁକି କେଉଁ ହୀନମନ୍ୟତା ଯୋଗୁଁ ହେଉ କିମ୍ୱା ନିଜକୁ ସଦ୍ୟତମ ସଭ୍ୟ ଜଗତର ଶ୍ରେଣୀ ପ୍ରତିନିଧି ବୋଲି ଭାବି ଫୁଲେଇ ହେବାକୁ ହେଉ ଏହିସବୁ ଓଡ଼ିଆମାନଙ୍କ ତୁଣ୍ଡରେ ଓଡ଼ିଆ ଭାଷା ବଦଳରେ ଭକ୍ ଭକ୍ ଅଣଓଡ଼ିଆ ଭାଷା ସବୁ ବାହାରୁଥିବାର ଦେଖାଯାଏ । ଓଡ଼ିଆ ଭାଷା ନିମନ୍ତେ ନିତ୍ୟାନ୍ତ ବିଷମୟ ଦୃଶ୍ୟଟି ହେଉଛି ଏହିସବୁ ସ୍ଥାନମାନଙ୍କରେ ଦୁଇଜଣ ଓଡ଼ିଆ ଲୋକ ମଧ୍ୟ ନିଜ ନିଜ ମଧ୍ୟରେ ଅଣଓଡ଼ିଆ ଭାଷାରେ କଥାବାର୍ତ୍ତା ହେଉଥିବାର ଦୃଶ୍ୟ । ଏହି ଦୃଶ୍ୟକୁ ଦେଖିଲେ ଆମେ ଓଡ଼ିଆ ଭାଷା ନିଜ ଘର ଭିତରେ କେଉଁଠି କଣଠେସା ହୋଇ ପଡ଼ିରହିଥିବା ପରି ଲାଗେ ।

କଟକ, ଭୁବନେଶ୍ୱର ଓ ରାଉରକେଲା ପରି ଓଡ଼ିଶାର ବଡ଼ ବଡ଼ ସହରମାନଙ୍କରେ ଯଦି ପ୍ରାଦେଶିକ ଭୂଗୋଳ ବିଷୟରେ ଜ୍ଞାନ ନ ଥିବା କୌଣସି ବ୍ୟକ୍ତିକୁ ଛାଡ଼ିଦିଆଯାଏ ତେବେ ସେ କଦାପି ଏହି ସହରମାନଙ୍କୁ ଦେଖି ଓଡ଼ିଶାର ବୋଲି ଭାବିବ ନାହିଁ । ଏହିସବୁ ସ୍ଥାନମାନଙ୍କରେ ଆଖିମେଲି ଚାରିଆଡ଼କୁ ଚାହିଁଲେ ଇଂରାଜୀ ଭାଷାର ଯେଉଁ ବିଜ୍ଞାପନର ଶୋଭାଯାତ୍ରା ଦେଖିବାକୁ ମିଳିବ ଏହାକୁ ଦେଖି ଯିଏ ବି କେହି ଓଡ଼ିଶା ବୋଲି ଚିହ୍ନିବାକୁ ସନ୍ଦେହ କରିବସିବ । ଓଡ଼ିଆ ଭାଷା ଯଦି ଓଡ଼ିଆ ଜାତିର ଓ ଓଡ଼ିଶା ପ୍ରଦେଶର ଏକ ପ୍ରମୁଖ ପରିଚୟ ବୋଲି ବିଚାର କରାଯାଉଥାଏ ତେବେ ଏହି ସହରମାନଙ୍କର ବାହ୍ୟ ଶୋଭାରେ ଏହାର କାଣିଚାଏ ଲକ୍ଷଣ ସୁଦ୍ଧା ପ୍ରତିଫଳିତ ହୋଇନଥାଏ ।

ଏବେ ବହୁ ବିଳମ୍ୱରେ ହେଲେ ବି ଓଡ଼ିଶା ସରକାର ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ନିମନ୍ତେ ଆଗକୁ ଅଣ୍ଟା ଭିଡ଼ି ବାହାରିଛନ୍ତି । ଏହି ଭାଷାର ସୁରକ୍ଷା, ପ୍ରଚାର ଓ ପ୍ରସାର ନିମନ୍ତେ କେତେକ ବିଧିବଦ୍ଧ ପଦକ୍ଷେପମାନ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଯାହାଫଳରେ ଏଥର ଓଡ଼ିଶାର ସବୁ ଦୋକାନ ବଜାର ଓ ସରକାରୀ ବେସରକାରୀ ଅନୁଷ୍ଠାନମାନଙ୍କରେ ଲଗାଯାଇଥିବା ସାଇନବୋର୍ଡଗୁଡ଼ିକ ଓଡ଼ିଆ ଭାଷାରେ ଲେଖାଯିବ । ଏପରିକି ବିବାହ, ବ୍ରତ ଆଦି ଉତ୍ସବମାନଙ୍କରେ ବ୍ୟବହାର ହେଉଥିବା ନିମନ୍ତ୍ରଣ କାର୍ଡଗୁଡ଼ିକ ମଧ୍ୟ ଓଡ଼ିଆ ଭାଷାରେ ଛପାଯିବ । ନିଶ୍ଚିତ ଭାବରେ ଓଡ଼ିଆ ଭାଷାର ଆଜିର ଏହି ସ୍ଥିତି ଶଙ୍କୁଳ ଦୃଶ୍ୟପଟରେ ଉପରଲିଖିତ ସରକାରୀ ନିଷ୍ପତ୍ତିକୁ ଏକ ଆଶା ସଞ୍ଚାରକାରୀ ପଦକ୍ଷେପ ବୋଲି କୁହାଯିବ । କିନ୍ତୁ ଏହିସବୁ ନିୟମ କେତେଦୂର କାର୍ଯ୍ୟକାରୀ ହେବ ସେଥିପାଇଁ ସନ୍ଦେହ ଯଦିଓ ରହିଛି, ତଥାପି ଏହାକୁ ନେଇ ଭାଷାପ୍ରେମୀ ମାନଙ୍କ ମହଲରେ କିଛିଟା ଆଶ୍ୱାସନା ପ୍ରକାଶ ପାଇଛି । ସହରୀ ଆବହାୱାରେ ନିଜର ଅସ୍ତିତ୍ୱକୁ ହରାଇ ଚାଲିଥିବା ଓଡ଼ିଆ ଭାଷାର ସୁରକ୍ଷା କ୍ଷେତ୍ରରେ ଦେଖାଯାଉଥିବା ପ୍ରତିବନ୍ଧକ ଗୁଡ଼ିକ କିଛି ପରିମାଣରେ ଦୂରୀଭୂତ ହୋଇପାରିବ ବୋଲି ଆଶା ପ୍ରକାଶ ପାଉଛି । ସେଥିପାଇଁ ଏହିସବୁ ଗୃହୀତ ନିୟମଗୁଡ଼ିକ କେତେ ମାତ୍ରାରେ ନିଷ୍ଠାର ସହିତ କଡ଼ାକଡ଼ି ଭାବେ ପାଳନ କରାଯାଉଛି ତାହା ଦେଖିବାର କଥା । ଅତୀତରେ ମଧ୍ୟ ଏହା ପୂର୍ବରୁ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ଓ ପ୍ରଚାର ନିମନ୍ତେ ସରକାରୀ ସ୍ତରରେ ଉଦ୍ୟମ କରାଯାଇଥିଲା । ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେବା ନିମନ୍ତେ ପଦକ୍ଷେପମାନ ନିଆଯାଇଥିଲା । ମାତ୍ର ଆଜି ପର୍ଯ୍ୟନ୍ତ ମଧ୍ୟ ଓଡ଼ିଶାର ସାଧାରଣ ଜନତାଙ୍କ ବୃହତ୍ତର ସ୍ୱାର୍ଥକୁ ଅବଜ୍ଞା କରି ଏହି ମହତ୍ତର ଉଦ୍ଦେଶ୍ୟକୁ ସାକାର କରାଇ ଦିଆଯାଉନାହିଁ ।

ଏଠାରେ ଯେଉଁ ସ୍ୱତଃପ୍ରବୃତ୍ତ ପ୍ରଶ୍ନଟିଏ ମନକୁ ଆସୁଛି, ତାହା ହେଉଛି କେବଳ କ’ଣ ସରକାରୀ ସୁରକ୍ଷା ବଳୟ ଭିତରେ ଭାଷାକୁ ଜୀବିତ ଓ ବିକଶିତ କରି ରଖାଯାଇ ପାରିବ କି ? ସମ୍ଭବତଃ ନୁହେଁ । ଏଇଥିପାଇଁ ବେସରକାରୀ ସ୍ତରରେ ଉଦ୍ୟମ ବ୍ୟାପକ ଭାବରେ ହେବାର ଆବଶ୍ୟକତା ରହିଛି । ଓଡ଼ିଶାରେ ବିଚ୍ଛୁରିତ ହୋଇ ଗ୍ରାମ ଠାରୁ ଆରମ୍ଭ କରି ସହର ନଗର ପର୍ଯ୍ୟନ୍ତ ଅନେକ ସାହିତ୍ୟ ଅନୁଷ୍ଠାନମାନ ରହିଛନ୍ତି । ଯେଉଁମାନେ ରୀତିମତ୍ ସଭା ସମିତିମାନଙ୍କରେ ଅତ୍ୟନ୍ତ କ୍ଷୋଭର ସହିତ ଓଡ଼ିଆ ଭାଷାର ଅବକ୍ଷୟ ପାଇଁ ଚିନ୍ତା ପ୍ରକଟ କରିଆସୁଛନ୍ତି ଅଥଚ ବାସ୍ତବ କ୍ଷେତ୍ରରେ ଏହି ଭାଷାର ବିକାଶ ଓ ସମୃଦ୍ଧି ନିମନ୍ତେ କୌଣସି ରଚନାତ୍ମକ କାର୍ଯ୍ୟପନ୍ଥା ହାତକୁ ନେଇନଥାନ୍ତି । ସେମାନଙ୍କର ଭାଷାପ୍ରୀତି କେବଳ ସାହିତ୍ୟ ରଚନା ଓ ସଭା ସମିତିର ଶବ୍ଦବାଜୀ ମଧ୍ୟରେ ସୀମିତ । ନିଜର ଭାଷାକୁ ନେଇ ଯେଉଁ ସର୍ବମୂଳ ଆତ୍ମଗୌରବଟି ଆମ୍ଭମାନଙ୍କ ଭିତରେ ବସା ବାନ୍ଧି ରହିବା କଥା ତାହା ବୋଧହୁଏ ବାହାରର ପାଶ୍ଚାତ୍ୟ ଆକାଶକୁ ଦେଖି ଡେଣା ଝାଡ଼ି ଉଡ଼ିଯିବାକୁ ବାହାରିଲାଣି । ଓଡ଼ିଆଭାଷୀ ଲୋକଟିଏ କେବଳ ଏକଭାଷୀ ନହୋଇ ଏକ ବା ଏକାଧିକଭାଷୀ ହେଲେ ଓଡ଼ିଆ ଭାଷା ଆଦୌ କ୍ଷତିଗ୍ରସ୍ତ ହେବନାହିଁ । ବରଂ ନିଜର ବହୁ ବାବଦୂକତାର ପ୍ରତିଭା ହେତୁ ଓଡ଼ିଆ ବୋଲି ପରିଚୟଟିକୁ ଅଧିକ ଗୌରବାନ୍ୱିତ କରିବ ।

ଆମେ ବୋଧହୁଏ ଭୁଲିଯାଇଛୁ ଯେ ଓଡ଼ିଆ ଭାଷା ଏକ ପ୍ରତିଷ୍ଠିତ ମାନକ ଭାଷା ଅଟେ । ଏହାର ଏକ ସ୍ୱତନ୍ତ୍ର ଲିପି ରହିଛି । ଏକ ସମୃଦ୍ଧ ପ୍ରାଚୀନ ପରମ୍ପରା ରହିଛି । ଏହା ଆଦୌ ଏକ ଉପଭାଷା ନୁହେଁ । ଦେଖାଯାଉଛି ଆଧୁନିକ ରୁଚିର ପ୍ରବାହରେ ଏହି ଭାଷା ଦିନକୁ ଦିନ ନିଜ ବ୍ୟବହାର ଉପଯୋଗିତା ହରାଇ କେବଳ ଏକ ବୋଲିରେ ପରିଣତ ହେବାକୁ ଯାଉଛି । ଉଦାହରଣ ରୂପେ ଯେକୌଣସି ସହରୀ ଶିକ୍ଷିତ ମଣିଷର ବ୍ୟବହାରିକ ଜୀବନଧାରାକୁ ପର୍ଯ୍ୟାଲୋଚନା କଲେ ଏହା ଜଣା ପଡ଼ିଥାଏ । କୌଣସି ଆବଶ୍ୟକତାବଶତଃ ଯଦି ତାକୁ କୌଣସି ସ୍ଥାନରେ ଦସ୍ତଖତ କିମ୍ୱା ଏକ ଦରଖାସ୍ତଟିଏ ଦେବାକୁ ହେଇଥାଏ ସେ ଲେଖିଥାଏ ଇଂରାଜୀ ଭାଷାରେ । ପିଲାମାନଙ୍କୁ ପାଠ ପଢ଼ାଏ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ । ଅଫିସକୁ ଗଲେ କାମ କରେ ଇଂରାଜୀ ଭାଷାରେ ।

ତା’ହେଲେ ଓଡ଼ିଆ ଭାଷା ରହିଲା ଆଉ କେଉଁଠି ? କେବଳ କ’ଣ ଖାଲି ମୁହଁରେ ? ବିଳମ୍ୱରେ ହେଲେ ବି ଏହିସବୁ ଯଥାର୍ଥ ପ୍ରଶ୍ନଗୁଡ଼ିକୁ ସାମନା କରିବା ନିମନ୍ତେ ଆମ୍ଭମାନଙ୍କଠାରେ ଆନ୍ତରିକ ଉତ୍ସାହ ପ୍ରକାଶ ପାଇବା ଆବଶ୍ୟକ ।

ଲୋକପ୍ରିୟ ଲେଖା

To Top