ପ୍ରବନ୍ଧ

ଓଡ଼ିଆ ଓ ଓଡ଼ିଆତ୍ୱ

Subrat Prusty

ଗଣତନ୍ତ୍ରରେ ବିଶ୍ୱାସୀ ତଥା ପଡେ଼ାଶୀରାଜ୍ୟ ସହ ସଦ୍ଭାବନା ଓ ମୈତ୍ରୀ ସ୍ଥାପନାରେ ଦୃଢ଼ବିଶ୍ୱାସୀ ଏକ ବଣିକ ଜାତିକୁ ଆକ୍ରମଣ କରି ନୃଶଂସହତ୍ୟାଦ୍ୱାରା ପୁରୁଷଶୂନ୍ୟ କରିଥିବା ଲୁଣ୍ଠନକାରୀ ଅଶୋକ ନାମକ ରାଜାକୁ ଇତିହାସରେ ମହାନ୍ ରାଜାର ସମ୍ମାନ ଦିଆଯାଉଛି ।

ଓଡ଼ିଆ ଓ ଓଡ଼ିଆତ୍ୱ

ଓଡ଼ିଆ ଜାତି ହେଉଛି କଙ୍କଡ଼ା ଜାତି-

ଏକଥା ଯଦି କେହି କହିବାର ଶୁଣେ, କାହିଁକି କେଜାଣି ସେତେବେଳେ ମୋ ଧମନୀର ରକ୍ତ ଟକ୍‌ମକ୍ ହୋଇ ଫୁଟେ, ମୁହଁ ବିବର୍ଣ୍ଣ ହୋଇଯାଏ ।

ସାମର୍ଥ୍ୟ ଥିଲେ ଦୃଢ଼ ପ୍ରତିବାଦ ମଧ୍ୟ କରିଥାଏ ସ୍ଥାନ-କାଳ-ପାତ୍ର ଭୁଲି । କାରଣ କେବଳ ମୁଁ କିମ୍ୱା ଆମେ ସମସ୍ତେ ଓଡ଼ିଆ ନୁହଁ, ବରଂ ସମଗ୍ର ବିଶ୍ୱ ଜାଣେ ଯେ, ଓଡ଼ିଆ ହେଉଛି ଏକମାତ୍ର ଜାତି; ଯାହ ବିଷୟରେ ଭାରତ ବକ୍ଷରେ ଘଟିଯାଇଥିବା ସର୍ବପ୍ରଥମ ରକ୍ତକ୍ଷୟୀ ଯୁଦ୍ଧର ବର୍ଣ୍ଣନା ଭିତ୍ତିକ ଐତିହାସିକ ସାକ୍ଷ୍ୟ ରହିଛି । ପୁଣି ଏ ଜାତି ଶାନ୍ତିପ୍ରିୟ ଓ ଗଣତନ୍ତ୍ର ପ୍ରେମୀ ଥିଲେ ମଧ୍ୟ ନିଜ ଜାତିପାଇଁ, ନିଜ ଅବଳାର ସମ୍ମାନ -ସ୍ୱାଭୀମାନର ସୁରକ୍ଷାପାଇଁ ସମଗ୍ର ପୁରୁଷଜାତି କିପରି ମୃତ୍ୟୁର ଶିତଳ ସ୍ପର୍ଶକୁ ଆଲିଙ୍ଗନ କରିଥିଲେ, ତାହାମଧ୍ୟ ଏଥିରୁ ସୁଚୀତ ହୁଏ । ଅର୍ଥାତ ଆଜି ମଧ୍ୟ ସମାଜତତ୍ତ୍ୱବିଦ୍‌ମାନେ ବିସ୍ମିତ ହୁଅନ୍ତି ଯେ – କାହିଁକି ଗୋଟିଏ ଜାତି ଏଭଳି ନରସଂହାରକୁ ହସିହସି ବରଣ କରିନେଲା ! ଯଦିଓ ମହାଭାରତ ଓ ରାମାୟଣ ପରି ଦୁଇଟି ବୃହତ ଗ୍ରନ୍ଥ ମାଟି ଓ ନାରୀକୁନେଇ ଗତିଶୀଳ, ମାତ୍ର ଏଥିରେ ବହୁ ପ୍ରତିକୂଳ ସ୍ଥିତି ସତ୍ତ୍ୱେ ଧର୍ମର ଜୟ ଓ ଅଧର୍ମର ପରାଜୟ ଘଟିଛି । ସେଥିପାଇଁ ଏ ଦୁଇଟି ଗ୍ରନ୍ଥ ଆଜି ସର୍ବତ୍ର ପୂଜିତ । ଏହାହିଁ ଭାରତୀୟ ଦର୍ଶନ ଭିତ୍ତିକ ସାମାଜିକ ବ୍ୟବସ୍ଥା, ପାରିବାରିକ ଚଳଣୀ । ଅଥଚ ଗଣତନ୍ତ୍ରରେ ବିଶ୍ୱାସୀ ତଥା ପଡେ଼ାଶୀରାଜ୍ୟ ସହ ସଦ୍ଭାବନା ଓ ମୈତ୍ରୀ ସ୍ଥାପନାରେ ଦୃଢ଼ବିଶ୍ୱାସୀ ଏକ ବଣିକ ଜାତିକୁ ଆକ୍ରମଣ କରି ନୃଶଂସହତ୍ୟାଦ୍ୱାରା ପୁରୁଷଶୂନ୍ୟ କରିଥିବା ଲୁଣ୍ଠନକାରୀ ଅଶୋକ ନାମକ ରାଜାକୁ ଇତିହାସରେ ମହାନ୍ ରାଜାର ସମ୍ମାନ ଦିଆଯାଉଛି । ଏହା କେବଳ ଓଡ଼ିଆ ଜାତି ପ୍ରତି ଚରମ ଅପମାନ ନୁହେଁ, ବରଂ ଧର୍ମ ଅଧର୍ମର ମହାନ ଭାରତୀୟ ବିଚାରଧାରା ଉପରେ କୁଠାରଘାତ କହିଲେ ଅତ୍ୟୁକ୍ତି ହେବ ନାହିଁ । ଯଦିଓ ୨୦୦ବର୍ଷ ଭିତରେ ସୁଯୋଗ୍ୟ ଓଡ଼ିଆପୁଅ ଖାରବେଳ ଏହି ଚରମ ଅପମାନର ପ୍ରତିଶୋଧ ନେବାସହ ସମଗ୍ର ଭାରତବର୍ଷ ବିଜୟକରି କଳିଙ୍ଗର ଶକ୍ତିସାମର୍ଥ୍ୟ ଦେଖାଇଥିଲେ । ତେବେ ଭାରତବାସୀଙ୍କଠାରୁ ଓଡ଼ିଆଜାତି ବିଭତ୍ସକଳିଙ୍ଗ ଯୁଦ୍ଧର ନ୍ୟାୟ ପାଇପାରିଲା କି ?

ଆଜି ପୁଣି ସେହିଭଳି ଏକ ସମସ୍ୟା ଦେଖା ଦେଇଛି । ଉପନିବେଶ ଶାସନରୁ ମୁକ୍ତହୋଇ ସ୍ୱାଧୀନ ଭାରତ ଗଠନ ଦିଗରେ ଓଡ଼ିଆଜାତିର ବଳିଷ୍ଠ ଭୂମିକା ଥିଲେ ମଧ୍ୟ ଭାରତବାସୀ ସ୍ୱୀକାର କରିବାକୁ ଅନିଚ୍ଛୁକ । ଯଦିଓ ଆଜି ସେମାନେ ବିଶ୍ୱାସ କରିବାକୁ ବାଧ୍ୟ ହେଲେଣି ଯେ ଇଂରେଜ ବିରୁଦ୍ଧରେ ଅନୁଷ୍ଠିତ ପ୍ରଥମ ସଶସ୍ତ୍ର ସଂଗ୍ରାମ ୧୮୫୭ର ସିପାହୀ ବିଦ୍ରୋହ ଜାତୀର ସ୍ୱାଧୀନତା ପାଇଁ ନୁହେଁ, ବରଂ କେତେକ ରାଜା, ମହାରାଜା, ଜମିଦାରଙ୍କ ଭତ୍ତାବôଦ୍ଧି ବା ବନ୍ଦ ଭତ୍ତା ପ୍ରଦାନ ସମ୍ପର୍କୀତ ନିଜସ୍ୱ ସ୍ୱାର୍ଥ ଥିଲା । ଅର୍ଥାତ ନିଜର ଭୋଗ, ଲାଳସା ଚରିତାର୍ଥ ପାଇଁ ମୁଷ୍ଟିମେୟ ଇଂରେଜ ବଣିକଙ୍କ ବୁଦ୍ଧିମତ୍ତାରେ ସମ୍ପୂର୍ଣ୍ଣ ବିକ୍ରିହୋଇ ପ୍ରଶାସନ ଓ ରାଜସ୍ୱ କ୍ଷମତା ହସ୍ତାନ୍ତର କରିବାପରେ ଉକ୍ତ ବଣିକଟି ଶାସନ ଚାବୁକ୍ ଧରି ସାଧାରଣ ଜନତାକୁ ନଚାଇ ଯେତେବେଳେ ଏମାନଙ୍କୁ ନଚାଇବାକୁ ଆସିଲା, ସେତେବେଳେ ତଥାକଥିତ ଏହି ରାଜା ମହାରାଜାଗଣ ବ୍ୟସ୍ତ ବିବ୍ରତ ହୋଇ ବିଦ୍ରୋହ କରିଉଠିଲେ ।

ଓଡ଼ିଆ ଜାତି କିନ୍ତୁ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅଲଗା । ସୂର୍ଯ୍ୟବଂଶ ବିଲୟ ପରେ ଓଡ଼ିଶା ଶାସନ କ୍ଷେତ୍ରରେ ସେଭଳି ଉଜ୍ଜ୍ୱଳ ଜ୍ୟୋତିଷ ଦେଖାଦେଇ ନଥିଲା ତଥାପି ଏ ଜାତି ସ୍ଥବିର ପାଲଟିଯାଇ ନ ଥିଲା । ଓଡ଼ିଶା ମାଟିକୁ ଇଂରେଜ ଜାତି ଛୁଇଁବା ପରଠାରୁ ଦୃଢ଼ ବିରୋଧର ସମ୍ମୁଖୀନ ହୋଇଥିଲା । ୧୭୫୭ର ଘୁମୁସର ବିଦ୍ରୋହ,୧୭୬୭ର ପାରଳା ବିଦ୍ରୋହ ଏହାର ଦୃଷ୍ଟାନ୍ତ । ଯାହାର ଅନ୍ତିମ ପରିଣତି ଥିଲା ଖୋର୍ଦ୍ଧାରାଜା ମୁକୁନ୍ଦଦେବଙ୍କ ମନ୍ତ୍ରୀ ଜୟୀ ରାଜଗୁରୁଙ୍କୁ ଫାଶୀ । ତାହା ପୁଣି ନିଜ ମାଟିରେ ନୁହେଁ, ଖୋର୍ଦ୍ଧାଠାରୁ ବହୁଦୂରରେ ମେଦିନିପୁରର ବାଦିତୋଟାଠାରେ ଥିବା ବରଗଛ ଓହଳରେ ବାନ୍ଧି ଦୁଇଫାଳ କରି ଯେଭଳି ଭାବରେ ହତ୍ୟା କଲେ, ସେଥିରୁ ଇଂରେଜ ଶାସକର ଭୟ ଓ ଓଡ଼ିଆତ୍ୱର ପରାକ୍ରମ ଜଣାପଡେ଼ । ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବା ପରି ଇଂରେଜ ଅଧିନତା ସ୍ୱୀକାର କରିବା ପୂର୍ବରୁ ଓଡ଼ିଆ ଜାତିଠାରେ ଏଭଳି ଭୟଙ୍କର ପ୍ରତିବାଦ ଦେଖି ନିଜ ଶାସନାଧୀନ ତିନିଖଣ୍ଡି ଓଡ଼ିଆ ଅଞ୍ଚଳକୁ ଏକାଠି କରିବାକୁ ସାହସ କରିନଥିଲେ ଚତୁର ବଣିକ ଜାତି । ବରଂ “ଦୟା ବା କ୍ଷମାର ପାତ୍ର ହେବା ପାଇଁ ମୁଣ୍ଡ ନୋଇଁବା ପର୍ଯ୍ୟନ୍ତ ତଳିତଳାନ୍ତ କରିଚାଲ” ନୀତି ଆପଣେଇ ଦଳେ ତେଲେଙ୍ଗା, ବଙ୍ଗାଳୀ, ହିନ୍ଦୁସ୍ଥାନୀଙ୍କୁ କିରାଣୀଭାବେ ନିଯୁକ୍ତି ଦେଇ ଶାସନ ନାମରେ ସୀମାହୀନ ଶୋଷଣ କରିବାକୁ ଲାଗିଲେ । ଯାହାର ପରିଣତି ହେଲା ଭୟଙ୍କର ନଅଙ୍କ ଦୁର୍ଭିକ୍ଷ-ଓଡ଼ିଶା ମାଟିରେ ଆଉ ଏକ କଳିଙ୍ଗ ଯୁଗର ପୁନରାବୃତ୍ତି । ଏକ ସ୍ୱାଭିମାନି ଜାତିର ଅଣ୍ଟା ଭାଙ୍ଗି ଯାଉଥିବା ବେଳେ କାଳେ ଓଡ଼ିଆତ୍ୱ ବଞ୍ଚିଯିବ ଭାବି ଏହାର ମଞ୍ଜିଥିବା ଓଡ଼ିଆ ଭାଷାକୁ ଲୋପ କରିବାର ଚକ୍ରାନ୍ତ ଆରମ୍ଭ କରିଦେଲେ । “ଡାହାଣୀ ହୋଇ ଲାଗି ନିଜେ ଗୁଣିଆ ହୋଇ ଝାଡ଼ିବା” ନ୍ୟାୟରେ ଓଡ଼ିଆଙ୍କ ଏହି ଗଭୀର କ୍ଷତରେ ମଲମ ଲଗାଇ ଓଡ଼ିଆ ବୁଦ୍ଧିଜୀବୀଙ୍କୁ ବଶୀଭୂତ କରିବା ଉଦ୍ଦେଶ୍ୟରେ ରେଭେନ୍ସା, ବିମ୍‌ସ, ଫ୍ରେଜର ଇତ୍ୟାଦିଙ୍କୁ ଲଗାଇଦେଲେ ।

ତଥାପି ଏ ଜାତି ନିକଟରେ ଜାତୀୟତାର ଚିହ୍ନ ଲିଭି ନଥିଲା । ଉତ୍କଳଦୀପିକାର ଆଲୋକରେ ମିଞ୍ଜିମିଞ୍ଜି ହୋଇ ଜଳୁଥିବା ଓଡ଼ିଆ ଜାତୀୟତାବୋଧକୁ ଆହୁରି ତେଜିୟାନ୍ କରିବାକୁ ବାହାରି ଆସିଲେ ଏ ଯୁଗର ଖାରବେଳ -ମଧୁସୂଦନ ଦାସ । ଓଡ଼ିଆ ଜାତିୟତାର ପ୍ରତୀକ ଜଗନ୍ନାଥ ଚେତନା ଉପରେ ଶାସକ ଇଂରେଜ ଜାତିର ପ୍ରଚଣ୍ଡ ଆକ୍ରମଣକୁ ସଫଳତାର ସହ ପ୍ରତିହତ କରିସାରିବା ପରେ ସେ ତିନିଥେଣ୍ଟିଆ କାକୁଡ଼ିବାଡ଼ିକୁ ନିବୁଜ କରିବା ଉଦ୍ଦେଶ୍ୟରେ ଗଢ଼ିଲେ ଉତ୍କଳ ସମ୍ମିଳନୀ -ଓଡ଼ିଶା ଲିବେରାଲ ଲୀଗ-ଉତ୍କଳ ୟୁନିୟନ କମିଟି । ବିଖଣ୍ଡିତ ଓଡ଼ିଶା ଏକ ହେଲା । ଭାରତର ଚିନ୍ତା ନାୟକଗଣ ଭାଷାକୁ ନେଇ ରାଜ୍ୟଗଠନ କଥା ଭାବୁଥିବା ବେଳେ ନିସ୍ୱ ଓଡ଼ିଆ ଜାତି କିନ୍ତୁ ଭାଷାଭିତ୍ତିକ ପ୍ରଥମ ରାଜ୍ୟ ମାନ୍ୟତା ପାଇ କାର୍ଯ୍ୟରେ ଦେଖାଇ ଦେଇଥିଲେ । ପୁଣି ଶାସକ ଭାବରେ ଆସ୍ଥାନ ମାଡ଼ି ବସିଥିବା ବିଦେଶୀ ବେପାରୀଙ୍କୁ ହଟାଇବାର ଏକମାତ୍ର ଉପାୟ ସ୍ୱଦେଶୀ ବସ୍ତୁ ବ୍ୟବହାର ଓ ଶିଳ୍ପର ପ୍ରସାର -ମଧୁବାବୁଙ୍କ ଏହି ଭାବନାଙ୍କୁ ଗ୍ରହଣ କରିବା ସହ ସାଧାରଣ ଗରୀବ ଭାରତୀୟଙ୍କ ନିକଟତର ହେବାପାଇଁ ଗୋପବନ୍ଧୁ ଓ ଆଚାର୍ଯ୍ୟ ହରିହରଙ୍କଠାରୁ ଆଣ୍ଠୁ ଲୁଚୁ ନ ଥିବା ଲୁଗା, ଦେହରେ କୁର୍ତ୍ତା ବଦଳରେ ଚଦର ପକାଇବା ଶୈଳୀ ଶିଖି ଭାରତରେ ରାଜନୈତିକ ପରିଚୟ ଖୋଜୁଥିବା ଗୁଜୁରାଟର ମୋହନ ଦାସ ଜାତିର ପିତା ପାଲଟିଗଲେ ।

କେବଳ ସେତିକି ନୁହେଁ, ସ୍ୱାଧୀନ ଭାରତ ଭୂଖଣ୍ଡକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ୫୬୨ଟି ଦେଶୀୟ ରାଜ୍ୟ ମିଶ୍ରଣ ସେମାନଙ୍କ ଇଚ୍ଛାନୁସାରେ ହେବ ବୋଲି ଇଂରେଜ ସରକାରଙ୍କ ନିଷ୍ପତ୍ତିକୁ ଅପରିମାଣଦର୍ଶୀ ରାଜନେତାଗଣ ମାନି ନେଇଥିବା ବେଳେ, ଏହାର କୁପରିମାଣକୁ ଅନୁଭବ କରି ସମସ୍ତ ଦେଶୀୟରାଜ୍ୟ ମିଶ୍ରଣରେ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବର୍ଷ ଗଠନ କରିବ । ପରିକଳ୍ପନା ଓଡ଼ିଆପୁଅ ହରେକୃଷ୍ଣ ମହତାବ କରି ଦୃଷ୍ଟାନ୍ତଭାବେ ଓଡ଼ିଶାର ନିଳଗିରିକୁ ସ୍ୱାଧୀନ ଭାରତରେ ମିଶାଇ ଅନ୍ୟ ଦେଶୀୟ ରାଜ୍ୟ ମିଶାଇବା ପଥ ଫିଟାଇଥିଲେ । ଅଥଚ ସଢେ଼ଇକଳା, ଖରସୁଆଁ, ବସ୍ତର ଭଳି ଓଡ଼ିଆଭାଷୀ ଗଡଜାତ ରାଜ୍ୟ ଓଡ଼ିଶାରେ ମିଶିଲା ନାହିଁ କିମ୍ୱା ଓଡ଼ିଆପୁଅ ମହତାବଙ୍କ ଏହି କୃତିତ୍ୱକୁ ଭାରତବାସୀ ଚିହ୍ନିଲେ ନାହିଁ । ବରଂ ପଟେଲଙ୍କୁ ଏହାର ଶ୍ରେୟ ଦେଇ ଲୌହମାନବ ଉପାଧିରେ ଗୌରବାନ୍ୱିତ କଲେ । ଏହିପରି ବନ୍ୟା, ବାତ୍ୟା କିମ୍ୱା ବାର୍ଷିକ ବଜେଟରେ ଅର୍ଥପ୍ରଦାନ ଓଡ଼ିଶା ପ୍ରତି ଅବହେଳାର ଏକ ମାଇଲ୍‌ଖୁଣ୍ଟ ସଦୃଶ ।

ଏହା ହେଉଛି ମହାଭାରତୀୟତାର ସ୍ରୋତରେ ଭାସି ନିଜ ସ୍ୱାର୍ଥକୁ ବଳି ପକାଉଥିବା ଓଡ଼ିଶାବାସୀଙ୍କ ପ୍ରତି ଭାରତୀୟଙ୍କ ୭୫ ବର୍ଷର ଭେଟି ।

ଔପନିବେଶିକ ଶାସନ ଲୋପ ପରେ ଭାରତ ନାମକ ଯେଉଁ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ରର ଉଦ୍ଭବ ହେଲା । ତାହାର ଅଂଶୀଦାର ରାଜ୍ୟ ଭାବେ ଦୀର୍ଘ ୬୩ବର୍ଷ ଧରି କ’ଣ ପାଇଛୁ-କ’ଣ ହରାଇଛୁ ତାହା ଆଜି ପ୍ରତ୍ୟେକ ଓଡ଼ିଶାବାସୀ ଜାଣିଗଲେଣି । ସାଧାରଣ ଗ୍ରାମଟିଏ ବି ଅନୁଭବ କରୁଛି କେନ୍ଦ୍ରସରକାରଙ୍କ ଓଡ଼ିଶା ପ୍ରତି ଅବହେଳାକୁ, ପକ୍ଷାନ୍ତରେ ଓଡ଼ିଆଜାତିକୁ ପଙ୍ଗୁ କରି ଏହାର ଅକଳନୀୟ ପ୍ରାକୃତିକ ସମ୍ପଦ ଲୁଟ୍ କରିବାର ମାନସିକତାକୁ । ଏଥିରେ ଘୃତାହୁତି ଦେଉଛନ୍ତି ଆମ ଅପାରଗ ରାଜନେତାଗଣ । ଏ ସବୁ କଥା ଜାଣି ମଧ୍ୟ ସାଧାରଣଜନତା ନୀରବ । କିନ୍ତୁ ଏ ନିରବତା ପ୍ରତିବାଦ କରିନପାରିବାର ଅନ୍ତର୍ଦ୍ୱନ୍ଦ ନୁହେଁ ବରଂ ଉପଯୁକ୍ତ ବିଚାର କରି ଠିକଣା ସମୟରେ ନିଷ୍ପତ୍ତି ନେବାର ପୂର୍ବ ପ୍ରସ୍ତୁତି । ତାହା ହୋଇ ନ ଥିଲେ ଗତ ନିର୍ବାଚନରେ ପ୍ରଥମକରି ଏକ ଆଞ୍ଚଳିକ ଦଳକୁ ଓଡ଼ିଶାବାସୀ କ୍ଷମତା ପ୍ରଦାନ କରିନଥା’ନ୍ତେ ।

ସାଧାରଣ ଓଡ଼ିଆଙ୍କ ସ୍ଥବିରତା ପଛରେ କିଛି କାରଣ ନିହିତ ଥିବାବେଳେ ଆମ ଶିକ୍ଷିତଗଣ କିନ୍ତୁ ଏପର୍ଯ୍ୟନ୍ତ ମହାଭାରତୀୟ ଚିନ୍ତାରୁ ମୁକ୍ତ ହୋଇନାହାନ୍ତି । ସତେ ଯେପରି ଭାରତକୁ ଛାଡ଼ିଦେଲେ ଓଡ଼ିଆଜାତିର କୌଣସି ପରିଚୟ ନାହିଁ –ଠିକ୍ ଚାକିରି ନକଲେ ବଞ୍ଚି ହେବ ନାହିଁ ବୋଲି ଏମାନଙ୍କ ଦ୍ୱାରା ସୃଷ୍ଟି ଲୋକ ବିଶ୍ୱାସ ପରି । ତଥାପି କେତେକ ଶିକ୍ଷିତ ଏ ବିଶ୍ୱାସରୁ ଓହରି ଆସିଲେଣି । ସେଥିପାଇଁ କେନ୍ଦ୍ର ନିକଟରେ ବନ୍ୟା, ବାତ୍ୟା, ସମୟରେ ଓଡ଼ିଶାର ଦାବି ଆଉ ଅର୍ଥ କିମ୍ୱା ରେଳ ଚଳାଚଳ ମଧ୍ୟରେ ସୀମିତ ନ ରହି ବିଭିନ୍ନ ତତ୍କାଳୀକ ସମସ୍ୟାର ସମାଧାନ ପାଇଁ କରାଯାଉଛି । ଏବେ ଓଡ଼ିଆ ପିଲା ଅନ୍ୟ ରାଜ୍ୟର ପିଲାଙ୍କ ପରି ଆଇ.ଏ.ଏସ୍ ଭଳି ସର୍ବଭାରତୀୟ ପରୀକ୍ଷା ନିଜ ମାତୃଭାଷାରେ ଦେବାକୁ ଅଣ୍ଟା ଭିଡ଼ି ବାହାରିଲେଣି । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ମଧ୍ୟ ଦାବି କଲେଣି । ଅର୍ଥାତ୍ ଓଡ଼ିଆଙ୍କୁ ସୁହାଇଲା ଭଳି ପଦକ୍ଷେପ ନେବାପାଇଁ କେନ୍ଦ୍ରକୁ ବାଧ୍ୟ କରିବା ଆବଶ୍ୟକ ବୋଲି ଏମାନେ ଅନୁଭବ କଲେଣି ।

ତେବେ ସ୍ଥୂଳବୁଦ୍ଧିସମ୍ପନ୍ନ କେତେକ ହାତଗଣତି ଶିକ୍ଷିତଙ୍କ ପଶ୍ଚାତ୍‌ଗତି ଚିନ୍ତାଧାରା ଯୋଗୁଁ ସମଗ୍ର ଓଡ଼ିଆଜାତି ଆଜି କଙ୍କଡ଼ାଜାତି ଭାବେ ନିନ୍ଦିତ ହେଉଛି । ଦୃଷ୍ଟାନ୍ତ ରୂପେ ନିକଟରେ ଦୈନିକ “ସମାଜ” ପୃଷ୍ଠାରେ ପ୍ରକାଶିତ ଏକ ଆଲେଖ୍ୟ ଓ ଏହାକୁ ଭିତ୍ତିକରି ପ୍ରାପ୍ତପତ୍ର ସ୍ତମ୍ଭରେ ଦୁଇଜଣ ଅଧ୍ୟାପକ (?) ଙ୍କ ମତାମତକୁ ନିଆଯାଇପାରେ । ହନୁ ମଲାବେଳକୁ ସତ କହିବା ପରି ପରିଣତ ବୟସରେ ବିଶ୍ୱପ୍ରସିଦ୍ଧ ଭାଷାବିତ୍ ଓଡ଼ିଆ ଭାଷାର ପ୍ରାଚୀନତା ଓ ଶାସ୍ତ୍ରୀୟ ମାନ୍ୟତା ପ୍ରସଙ୍ଗରେ ବଳିଷ୍ଠ ଯୁକ୍ତିସହ ଓଡ଼ିଆକୁ ସଂସ୍କୃତର ଭଗିନୀ ବୋଲି ଉକ୍ତ ଆଲେଖ୍ୟରେ (ସମାଜ-ତା ୧୬.୦୧.୧୦ ) ପରୋକ୍ଷରେ ଦର୍ଶାଇଛନ୍ତି । ତାହାକୁ ବୁଝି ନ ପାରି ତଥା ଏହି ଲେଖାର ଆବଶ୍ୟକତାକୁ ଅନୁଭବ ନ କରି ଦୁଇଜଣ ବୁଦ୍ଧିଜୀବୀ ପିଲାଙ୍କ ପରି ମତ ଦେଇଛନ୍ତି । ଏବେ ବି ଏମାନଙ୍କର ଧାରଣା ଯେ, ବେଦ, ବେଦାନ୍ତ, ପୁରାଣ ରଚିତ ହୋଇଥିବା ସଂସ୍କୃତଭାଷା ସବୁଠାରୁ ପ୍ରାଚୀନ । ପୁଣି “ବାଟ” ଶବ୍ଦର ପ୍ରାଚୀନତା ଦର୍ଶାଇବା ପାଇଁ ସଂସ୍କୃତ କାବ୍ୟର ଦୃଷ୍ଟାନ୍ତ ଦେଇଛନ୍ତି । ଅଥଚ ସେ ଜାଣନ୍ତି ନାହିଁ ଯେ, ଏ ପର୍ଯ୍ୟନ୍ତ ଆବିଷ୍କୃତ ଭାରତୀୟ ସାହିତ୍ୟର ସର୍ବପ୍ରାଚୀନ କାବ୍ୟ ହେଉଛି ଖାରବେଳଙ୍କ ହାତୀଗୁମ୍ଫା ଅଭିଲେଖ; ଯାହା ସଂସ୍କୃତରେ ରଚିତ ସମସ୍ତ କାବ୍ୟଠାରୁ ପ୍ରାଚୀନ । ଏଥିସହିତ ଭାରତର ସର୍ବପ୍ରାଚୀନ ଭାଷା ସିନ୍ଧୁ ସଭ୍ୟତାର ଭାଷା ଓ ଏହା ଦ୍ରାବିଡ଼ଜାତିର ବୋଲି ପ୍ରମାଣ କରିବାକୁ ଦକ୍ଷିଣ ଭାରତୀୟମାନେ ଲାଗିପଡ଼ିଲେଣି ବୋଲି ଏମାନଙ୍କୁ ଜଣାନାହିଁ । ଅଥଚ ପଲ୍ଲୀ (ପାଲି) ଭାଷା ଯେ ଆମ ଓଡ଼ିଶାର ପ୍ରାଚୀନଭାଷା ଓ ବର୍ତ୍ତମାନର ଓଡ଼ିଆଭାଷା କଳିଙ୍ଗପଲ୍ଲୀ ଭାଷାର ଆଧୁନିକ ସଂସ୍କରଣ -ତାହା ଏହି ସଂସ୍କୃତପ୍ରେମୀ ଓଡ଼ିଆ ବୁଦ୍ଧିଜୀବୀଙ୍କ ବିକଳ ଫୁତ୍କାରରେ ଚାପି ହୋଇଯାଉଛି ।

ସେହିଭଳି ଆଉ ଜଣେ ଅଧ୍ୟାପକ ଉକ୍ତ ଆଲେଖ୍ୟରେ ଥିବା ଐତିହାସିକ ତଥ୍ୟ ତୃଟିଯୁକ୍ତ ବୋଲି ମତ ଦେଇଛନ୍ତି । ସେ ମଧ୍ୟ ଜାଣି ନାହାନ୍ତି ଯେ, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲ୍‌କାନାଗିରି, ମଞ୍ଜୁଷା, ଟିକାଲି ଆଦି ଓଡ଼ିଆ ଅଞ୍ଚଳ ଫରାସୀ ଶାସନାଧୀନ ଥିଲା । ନିଜର କୂପମଣ୍ଡୁକ ଜ୍ଞାନ ନେଇ ବିଚାର ଆଲୋଚନା କରିବାକୁ ବାହାରି ଆସିଥିବା ଏହି ଦୁଇ ବିଜ୍ଞ ଯଦି ଉକ୍ତ ଆଲେଖ୍ୟର ଅନ୍ତିମ ଭାଗକୁ ପଢ଼ିଥା’ନ୍ତେ, ତେବେ ଲେଖକଙ୍କ ଚିନ୍ତା ଭିତରେ ସମଗ୍ର ଓଡ଼ିଆ ଜାତିର ମାର୍ମିକ ବେଦନାକୁ ନିଶ୍ଚିତ ଅନୁଭବ କରିପାରିଥା’ନ୍ତେ ।

ଶେଷରେ ଏତିକି କହିଲେ ଯଥେଷ୍ଟ ହେବ ଯେ, ଏ କଙ୍କଡ଼ା ଜାତିର କାମ କରିବା ପାଇଁ ଦଶଟି ଗୋଡ଼ ଅଛି । ଦୁଇଟି ବଦଳରେ ଦଶଟି ଥିବାରୁ ଆମେ ନିଜନିଜରଗୋଡ଼ ନ ଟାଣି ବରଂ ଅଧିକ ଶକ୍ତି ନେଇ ଓଡ଼ିଆଜାତିର ବିକାଶକୁ ଦୃଢ଼ଗତିରେ ଟାଣିନେବା । ମିଛ ପାଣ୍ଡିତ୍ୟରେ ନ ମାତି ନୂତନ ଭାବେ ଓଡ଼ିଆତ୍ୱର ପରିଚୟ ସୃଷ୍ଟି କରିପାରିବା ।

ଲୋକପ୍ରିୟ ଲେଖା

To Top