ପ୍ରବନ୍ଧ

ଓଡ଼ିଆ ସାହିତ୍ୟ ପତ୍ରିକା – ସ୍ଥିତି ଓ ସଙ୍କଟ

Dr Biraja Routray's odia prose Odia Saahitya Patrikaa Sthiti o Sankata

ଯେଉଁ ପତ୍ରିକା ଯେତେ ସଫଳ ଭାବରେ ଏହି ତ୍ରିକୋଣୀୟ ଭୂମି ମଧ୍ୟରେ ସହବସ୍ଥାନ ରକ୍ଷା କରିଥାଏ, ସେହି ପତ୍ରିକା ସେତିକି କାଳ ବଞ୍ଚିଥାଏ । ଅନ୍ୟଥା ପତ୍ରିକା ଜଗତର ମୁଦ୍ରିତ ମହାବୃକ୍ଷରେ ଅସଂଖ୍ୟ ବିସ୍ମୃତ ଝଡ଼ାପତ୍ର ପରି ପଲକ ମାତ୍ରରେ ଆବିର୍ଭାବ ସହିତ ଏମାନେ ଅବିଳମ୍ୱେ ତିରୋହିତ ହୋଇଥାନ୍ତି ।

ଓଡ଼ିଆ ସାହିତ୍ୟ ପତ୍ରିକା - ସ୍ଥିତି ଓ ସଙ୍କଟ

କୌଣସି ପତ୍ରିକାଟିକୁ ବଞ୍ଚିବାକୁ ହେଲେ କେତୋଟି ସର୍ବାଗ୍ର କ୍ଷେତ୍ରଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । ପ୍ରଥମତଃ ପତ୍ରିକାଟିର ପରିପାଟ୍ଟୀ, ଦ୍ୱିତୀୟରେ ପତ୍ରିକାଟିରେ ପ୍ରକାଶିତ ଲେଖାର ମାନ, ତୃତୀୟରେ ପତ୍ରିକାଟି ନିମନ୍ତେ ଆବଶ୍ୟକ ପ୍ରସାର ଓ ବିଜ୍ଞାପନ । ଏହି ତିନୋଟି ଆଧାର ଭୂମି ଉପରେ କୌଣସି ପତ୍ରିକାଟିର ଜୀବନ ଓ ଭବିଷ୍ୟତ ନିର୍ଭର କରିଥାଏ । ଯେଉଁ ପତ୍ରିକା ଯେତେ ସଫଳ ଭାବରେ ଏହି ତ୍ରିକୋଣୀୟ ଭୂମି ମଧ୍ୟରେ ସହବସ୍ଥାନ ରକ୍ଷା କରିଥାଏ, ସେହି ପତ୍ରିକା ସେତିକି କାଳ ବଞ୍ଚିଥାଏ । ଅନ୍ୟଥା ପତ୍ରିକା ଜଗତର ମୁଦ୍ରିତ ମହାବୃକ୍ଷରେ ଅସଂଖ୍ୟ ବିସ୍ମୃତ ଝଡ଼ାପତ୍ର ପରି ପଲକ ମାତ୍ରରେ ଆବିର୍ଭାବ ସହିତ ଏମାନେ ଅବିଳମ୍ୱେ ତିରୋହିତ ହୋଇଥାନ୍ତି ।

ପୁନଶ୍ଚ ପତ୍ରିକାଟିର ଉଦ୍ଦିଷ୍ଟ ପାଠବର୍ଗ ମଧ୍ୟ ଅନ୍ୟତମ ଧ୍ୟେୟ ବସ୍ତୁ । ଯେପରି ଶିଶୁ କିମ୍ୱା ମହିଳାମାନଙ୍କ ନିମନ୍ତେ ପ୍ରକାଶିତ ପତ୍ରିକା ସେମାନଙ୍କ ଅଲଗା ଅଲଗା ରୁଚି ପ୍ରତି ଧ୍ୟାନ ଦେଇଥାନ୍ତି, ସେହିପରି ଗପ କିମ୍ୱା କବିତା କିମ୍ୱା ପ୍ରବନ୍ଧଟିଏ ପଢ଼ି ନିରୁତ୍ତା ଆନନ୍ଦ ଲାଭ କରୁଥିବା ପାଠକ ବର୍ଗ ନିମନ୍ତେ ସାହିତ୍ୟ ପତ୍ରିକାଟିର ସ୍ୱତନ୍ତ୍ର ଅସ୍ଥିତ୍ୱ ରହିଆସିଛି । ଏହି ବିଚାରରେ ଓଡ଼ିଆ ଭାଷାରେ ପ୍ରକାଶିତ ସାହିତ୍ୟ ପତ୍ରିକାମାନଙ୍କର ସ୍ଥିତି ଓ ସଙ୍କଟକୁ ଆକଳନ କରାଯାଇପାରେ । ପରିପାଟୀ ଦୃଷ୍ଟିରୁ ସମ୍ପ୍ରତି ଟେକ୍ନୋଲୋଜିର ସାହାଯ୍ୟ ଓ ସଂସ୍ପର୍ଶବଶତଃ ଆଜିକାଲି ପ୍ରକାଶିତ ହେଉଥିବା ଓଡ଼ିଆ ସାହିତ୍ୟ ପତ୍ରିକାଗୁଡ଼ିକର ଦୃଶ୍ୟରୂପ ଖୁବ୍ ଚମତ୍କାର । ଆକର୍ଷକ ରୂପସଜ୍ଜା, ପରିଚ୍ଛନ୍ନ ମୁଦ୍ରଣ ଓ ରଙ୍ଗୀନ୍ ମଲାଟରେ ପ୍ରକାଶିତ ହେଉଥିବା ପତ୍ରିକାଗୁଡ଼ିକ ପ୍ରଥମ ଦେଖାରେ ପାଠକକୁ ଯେପରି ହାତଠାରି ଡାକୁଥିବା ପରି ଜଣାପଡ଼ିଥାନ୍ତି । ସଫା ଧଳା କାଗଜରେ ସେମାନଙ୍କର ଫିନ୍‌ଫିନ୍ ରୂପ ଆଗକାଳର ମସିଆ କୋତରା ନିଉଜ୍‌ପ୍ରିଣ୍ଟ କାଗଜରେ ଛପା ପତ୍ରିକାର ରୂପଭେକ କଥା ଭୁଲାଇ ଦେଇଥାଏ ।

ଲେଖାରମାନ ଦୃଷ୍ଟିରୁ ଓଡ଼ିଆଭାଷାର ପ୍ରାୟ ପ୍ରତିଷ୍ଠିତ ସାହିତ୍ୟ ପତ୍ରପତ୍ରିକାରେ ପ୍ରକାଶିତ ଅଧିକାଂଶ ଲେଖାଗୁଡ଼ିକ ଉଚ୍ଚକୋଟୀର । ଉଭୟ ଭାବ ଓ ଶୈଳୀ ସମୃଦ୍ଧ । ସମକାଳୀନ ଜୀବନର ସ୍ୱପ୍ନ, ସଂଘର୍ଷ ଓ ଯନ୍ତ୍ରଣାକୁ ନିଜସ୍ୱ ସୃଜନଶୀଳତାର ପୁଟ ଦେଇ ସ୍ୱତନ୍ତ୍ର ଭାବେ ଉପସ୍ଥାପିତ କରିବାରେ ସମର୍ଥ । ନୂଆ ସମୟ ସହ ନୂଆ ଜୀବନବୋଧକୁ ପରିବର୍ତ୍ତିତ ଦୃଷ୍ଟିକୋଣରେ ପ୍ରକାଶିତ କରି ପଠନଯୋଗ୍ୟ କରାଇବାରେ ଅନେକାଂଶ ଲେଖା ଗୁଡ଼ିକ ସାର୍ଥକତା ହାସଲ କରିପାରୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏପରିକି ଅନ୍ୟାନ୍ୟ ଭାରତୀୟ ଭାଷାରେ ପ୍ରକାଶିତ ସମୃଦ୍ଧ ସାହିତ୍ୟ ପତ୍ରପତ୍ରିକା ସହ ଏହି ଲେଖାଗୁଡ଼ିକ ସମକକ୍ଷ । ପ୍ରଶ୍ନ ଉଠେ ଯଦି ଉଭୟ ପରିପାଟ୍ଟୀ ଓ ମାନ ଦୃଷ୍ଟିରୁ ଆମ ସାହିତ୍ୟ ପତ୍ରପତ୍ରିକାଗୁଡ଼ିକ ଉନ୍ନତ ଓ ମାର୍ଜିତ, ତେବେ ଆଜି ସେମାନଙ୍କ ଏହି ସ୍ଥିତି ସଙ୍କଟ କାହିଁକି ? ଏହାର ଉତ୍ତରରେ ଆମ ପତ୍ରପତ୍ରିକାଗୁଡ଼ିକର ଦୁର୍ବଳ କିମ୍ୱା ନାସ୍ତିପ୍ରାୟ ପ୍ରସାର ଓ ବିଜ୍ଞାପନ ଦିଗଟିର ଉତ୍ଥାପିତ କରାଯାଇପାରେ । ଏକଥା ସର୍ବାଦୌ ସ୍ୱୀକାର୍ଯ୍ୟ ଯେ ଆମ ସାହିତ୍ୟ ପତ୍ରପତ୍ରିକାଗୁଡ଼ିକ ପ୍ରକାଶ କରୁଥିବା ସଂସ୍ଥା ବା ଅନୁଷ୍ଠାନ ବା ବ୍ୟକ୍ତିବିଶେଷମାନେ ଏହି ବ୍ୟାପାରରେ ନିହାତି ଅଜ୍ଞ ନତୁବା ବେକୁବ୍ ।

ଏବେସୁଦ୍ଧା ଓଡ଼ିଆ ଭାଷାରେ ପ୍ରକାଶିତ ସାହିତ୍ୟ ପତ୍ରପତ୍ରିକାମାନଙ୍କ ମଧ୍ୟରେ ପାରସ୍ପରିକ ନେଟ୍ୱାର୍କ ସମ୍ଭବ ହୋଇପାରନାହିଁ । ଯାହା ଉକ୍ତ ପତ୍ରିକାଗୁଡ଼ିକର ବିପଣନ ବ୍ୟବସ୍ଥାକୁ ସୁଗମ କରିପାରୁଥାନ୍ତି । ଏହା ସମ୍ଭବ ହୋଇପାରୁ ନାହିଁ । କାରଣ, ପ୍ରକାଶ ହେଉଥିବା ଶତକଡ଼ା ୯୦ ଭାଗ ସାହିତ୍ୟ ପତ୍ରିକା ନିୟମିତତା ରକ୍ଷା କରିପାରୁ ନାହାନ୍ତି । ଯେଉଁ ଦଶଭାଗ ନିୟମିତ ପ୍ରକାଶିତ ହେଉଛନ୍ତି, ସେମାନଙ୍କର କୌଣସି ନିର୍ଦ୍ଦିଷ୍ଟ ଓ ବ୍ୟାପକ ବିତରଣ ବ୍ୟବସ୍ଥା ନାହିଁ । ସେହି କଟକ ଓ ଭୁବନେଶ୍ୱରରେ ଥିବା ଦୁଇଟି ପୁରୁଣା ଏଜେନ୍ସି ଉପରେ ନିର୍ଭରଶୀଳ । ଫଳରେ ପତ୍ରିକାଗୁଡ଼ିକ ପାଠକଙ୍କ ପାଇଁ କେବଳ ସହର ମଧ୍ୟରେ ଉପଲବ୍ଧ । ଆଜି ମଧ୍ୟ ଓଡ଼ିଆ ଗଳ୍ପ କବିତା ଓ ଉପନ୍ୟାସ ପ୍ରତି ଆଗ୍ରହ ରଖୁଥିବା ଅନେକ ପାଠକ ଦୂରଦୂରାନ୍ତ, ଗାଁ ଗହଳିମାନଙ୍କରେ ରହିଛନ୍ତି, ଯେଉଁମାନଙ୍କ ପାଖରେ ମନଚାହିଁ ପତ୍ରିକାଟିଏ ପହଞ୍ଚିପାରୁନାହିଁ । ଯଦି ଆଜି ଯେକୌଣସି ଗାଁର ଶେଷ ସୀମାନ୍ତ ଯାଏ ଓ ଉପାନ୍ତ ଓଡ଼ିଆଭାଷୀ ଅଞ୍ଚଳ ଯାଏ ଓଡ଼ିଆ ଖବରକାଗଜଟିଏ ପହଞ୍ଚି ପାରୁଛି, ସେଠାରେ ସାହିତ୍ୟ ପତ୍ରିକାଟିଏ ପହଞ୍ଚି ପାରୁନାହିଁ କାହିଁକି ? ପୁନଶ୍ଚ ବିଜ୍ଞାପନ ଦୃଷ୍ଟିରୁ ତର୍ଜମା କଲେ ଆମ ଓଡ଼ିଆ ସାହିତ୍ୟ ପତ୍ରପତ୍ରିକାମାନଙ୍କର ପ୍ରସାର ଓ ପହଞ୍ଚ ଏତେ କମ୍ ଯେ ବଡ଼ ବଡ଼ ଶିଳ୍ପ ସଂସ୍ଥା ଓ ବ୍ୟବସାୟ ପ୍ରତିଷ୍ଠାନମାନେ ଏଥିରେ ବିଜ୍ଞାପନ ଦେବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ । ଏପରିକି ବିଜ୍ଞାପନ ବିତରଣ କରୁଥିବା ଏଜେନ୍ସିଗୁଡ଼ିକ ସାହିତ୍ୟ ପତ୍ରିକାଗୁଡ଼ିକୁ ଗଣତିରେ ନିଅନ୍ତି ନାହିଁ । ଯେଉଁ ପତ୍ରିକା ପାରିଲା, ନିଜ ଆଡୁ ଧାଁ ଧଉଡ଼ କରି ବିଜ୍ଞାପନ ସଂଗ୍ରହ କରିପାରିଲା ନ ହେଲେ ନାହିଁ । ବଡ଼ ବିଜ୍ଞାପନକୁ ଆଶା ରଖି ଆଜିଯାଏ ଏହି ପତ୍ରିକାଗୁଡ଼ିକ ସ୍ଥାନୀୟ ଛୋଟ ଛୋଟ ବିଜ୍ଞାପନକୁ ଉପେକ୍ଷା କରିଚାଲିବା ଏକ ବିଡ଼ମ୍ୱନାର ବିଷୟ । ଯାହା ପତ୍ରିକାଟିର ଆର୍ଥିକ ଦିଗରେ ନିଶ୍ଚିତ ଉପାଦେୟ ରୂପେ ସାବ୍ୟସ୍ତ ହୋଇପାରନ୍ତା । ମାତ୍ର ବୋଧହୁଏ ଏହାଦ୍ୱାରା ପତ୍ରିକାଟିର କିମ୍ୱା ପ୍ରକାଶକଙ୍କର କିମ୍ୱା ସମ୍ପାଦକଙ୍କର ଆତ୍ମବଡ଼ିମା କ୍ଷୁର୍ଣ୍ଣ ହୁଏ ଭାବି ଏ ଦିଗରେ କାହାର ଆଗ୍ରହ ପ୍ରକାଶ ପାଇନାହିଁ ।

ଏକଥା ସତ ଯେ ସାହିତ୍ୟ ଆଉ ମନୋରଞ୍ଜନର ଏକମାତ୍ର ବୌଦ୍ଧିକ ମାଧ୍ୟମ ହୋଇ ରହିନାହିଁ । ବହୁଧା ରୁଚିର ବିବିଧ ଆବେଦନ ହିଁ ସାମ୍ପ୍ରତିକ ସମୟର ବୈଶିଷ୍ଟ୍ୟ ଅଟେ । ଶିକ୍ଷିତ ପାଠୁଆ ଓଡ଼ିଆମାନଙ୍କ ବୌଦ୍ଧିକ ମନୋରଞ୍ଜନ ନିମନ୍ତେ ଏବେ ଇଲୋକ୍ଟୋନିକ୍ସ ମିଡ଼ିଆ ତା’ର ପ୍ରଭାବ ବିସ୍ତାର କରିସାରିଲାଣି । ଘରେ ଘରେ କେବୁଲ୍ ଟିଭି ଓ ଇଣ୍ଟରନେଟ୍ ଯୁକ୍ତ କମ୍ପ୍ୟୁଟର ପ୍ରଚଳନ ହେଲାଣି । ଏବେ ରିମୋଟ୍ ଆଗରେ ଭଳିଭଳିକା ନ୍ୟୁଜ୍ ଚ୍ୟାନେଲ୍ । ମନୋରଞ୍ଜନର ଭଳି ଭଳିକା କିମିଆ । ଏହି ସବୁ ଅନାହାତ ଆକର୍ଷଣରୁ ମୁକୁଳାଇ ଓଡ଼ିଆ ବୁଦ୍ଧିଜୀବିଟିଏ ଆଉ ଆଗପରି ଗପ, କବିତା, ଉପନ୍ୟାସ କିମ୍ୱା ସେହିପରି କିଛି ସାହିତ୍ୟ ପଠନରେ ମନୋନିବେଶ କରିପାରୁନାହିଁ । ଶସ୍ତା ଓ ଲୋକପ୍ରିୟ ମନୋରଞ୍ଜନର ଆକର୍ଷଣ ତା’ର ବୌଦ୍ଧିକ ସତ୍ତାକୁ କ୍ରମଶଃ କବଳିତ କରିବାରେ ଲାଗିଛି । ସେପଟେ ସାହିତ୍ୟ ତା’ର ପାଠକୀୟ କାଟ୍‌ତି ହରାଇ ହରାଇ ଚାଲିଛି ।

ଗୋଟିଏ ସମୟ ଥିଲା ଝଙ୍କାର, ନବରବି ଓ ଚତୁରଙ୍ଗ ପରିମାସିକ ସାହିତ୍ୟ ପତ୍ରିକାକୁ ଶିକ୍ଷିତ ଓଡ଼ିଆ ବୁଦ୍ଧିଜୀବିଟିଏ ଅପେକ୍ଷା କରି ବସୁଥିଲା । ଏବେ ସାହିତ୍ୟ ପାଇଁ ସେ ଅପେକ୍ଷା ଆଉ ନାହିଁ । ତଥାପି ସାହିତ୍ୟ ପଣ୍ଡିତମାନେ ଆଶ୍ୱସ୍ତ ହେଉଛନ୍ତି ଯେ ସାହିତ୍ୟ ଯେପରି ବଞ୍ଚିବା କଥା ସେହିପରି ବଞ୍ଚିରହିଛି । ଅଶୀ ଦଶକରେ ଯେଉଁଠି କୌଣସି ପତ୍ରିକାର ପ୍ରସାର ସଂଖ୍ୟା ପାଞ୍ଚଶହ ପର୍ଯ୍ୟନ୍ତ ଛୁଉଁ ଥିଲା ଏବେ ତାହା ପ୍ରାୟ ସେହି ସଂଖ୍ୟା ପାଖରେ ଅଟକି ରହିଛି । ବର୍ଷକୁ ବର୍ଷ ସ୍ୱାକ୍ଷରତା ଓ ଶିକ୍ଷିତ ହାର ବୃଦ୍ଧି ପାଉଥିବା ସ୍ଥଳେ ପାଠକ ହାର ବୃଦ୍ଧି ପାଉଥିବା ସ୍ୱାଭାବିକ୍ । ଏହି ଦୃଷ୍ଟିରୁ ପତ୍ରପତ୍ରିକାରେ ପାଠକ ଓ ପ୍ରସାର ସଂଖ୍ୟା କ୍ରମାଗତ ବଢ଼ିବା କଥା ମାତ୍ର ଓଡ଼ିଆ ସାହିତ୍ୟ ପତ୍ରିକା କ୍ଷେତ୍ରରେ ଏହି ଲକ୍ଷଣ ଦିନକୁ ଦିନ ଓଲଟା ଦିଗରେ ପ୍ରବାହିତ ହେବାରେ ଲାଗିଛି । ତାହା ହେଲେ କୁଆଡ଼େ ଗଲେ ଆମ ପାଠକକେ । କେଉଁ ବିକର୍ଷଣରେ ଅବା ମୁହଁ ମୋଡ଼ିଲେ ।

ଏଣେ ଯୁଗ ଦୌଡୁଛି । ସମୟ ଦୌଡୁଛି । ତା’ ସହିତ ମଣିଷର ଅସରନ୍ତି ଶୋଷ ଓ ଜୀବନଧାରଣ ପାଇଁ ସଂଘର୍ଷ ମଧ୍ୟ ଦୌଡୁଛି । ଏହି ଦୌଡ଼ି ଚାଲିବା ଭିତରେ ମଣିଷ ଧିରେ ଧିରେ ତା’ର ଅବସର ସମୟ ହରାଇ ଚାଲିଛି । ସମୟର ଖରଶ୍ୱାସ ଭିତରେ ବୌଦ୍ଧିକ ମନୋରଞ୍ଜନ ପାଇଁ ସାଇତା ଥିବା କ୍ଷୁଧା କ୍ରମଶଃ ସଙ୍କୁଚିତ ହେବାରେ ଲାଗିଛି । ତଥାପି ସାହିତ୍ୟ ବଞ୍ଚିଛି । ସମୟ ସହିତ ତାଳ ଦେଇ ପ୍ରତିଯୋଗିତାର ବେଶପୋଷାକ ପିନ୍ଧି କେବେ ଫୋର୍ କଲର୍ ରୂପରେ ତ କେବେ ଅଫ୍‌ସେଟ୍‌ର ପରିଚ୍ଛନ୍ନ ମୁଦ୍ରଣରେ । ସାହିତ୍ୟ ଇତିମଧ୍ୟରେ ବହୁ ରଙ୍ଗରେ ବହୁ ଢଙ୍ଗରେ ଆଧୁନିକ ହୋଇ ପାଠକର ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରୁଛି । ତଥାପି ସାହିତ୍ୟରୁ ପାଠକୀୟ ସଙ୍କଟ ଟଳିପାରି ନାହିଁ ।

ଦେଖାଯାଉଛି ବହି ବା ପତ୍ରିକାଟିଏ କିଣିବା ନେଇ ଓଡ଼ିଆ ଲୋକଟିଏ ସବୁବେଳେ ଉଦାସୀନ । ନିଜର ଆବଶ୍ୟକତା ମୁତାବକ ବଜାରରେ ବୁଲି ବୁଲି ଲୋକଟି ସବୁ ଜିନିଷ କିଣୁଥିବ । ଅଥଚ ଭଲ ବହିଟିଏ ଦେଖିଲେ ତାକୁ ଛୁଇଁବ, ହାତରେ ଧରିବ, ସେମିତି ରାସ୍ତାକଡ଼ରେ ଛିଡ଼ାହୋଇ ପୃଷ୍ଠା ଲେଉଟାଇ ପୁଳେ ଅଧେ ପଢ଼ିଯିବ କିନ୍ତୁ କିଣିବ ନାହିଁ । ଆମର ପାଠକୀୟ ମାନସିକତାଟି ମୋଟାମୋଟି ଏହିପରି କୌତୂହଳ ଯୁକ୍ତ ଅଥଚ କ୍ରୟଶକ୍ତି ଥାଇ ମଧ୍ୟ ଗରିବ ।

ଲୋକପ୍ରିୟ ଲେଖା

To Top