ପ୍ରବନ୍ଧ

ଓଡ଼ିଶାର ଲୋକସଂସ୍କୃତିରେ ବୋଇତ

Biraja Routray's odia prose Odishara Lokasanskrutire Boitaa

ସମୁଦ୍ରକୁ ଲମ୍ଫ ଦେବାର ଦୁର୍ଦ୍ଦର୍ଷ କୁଶଳୀ ନାଉରୀପଣ ଆଜି ଅତୀତ ହେଲେ ବି ପର୍ବପର୍ବାଣୀ ଓ ଅନୁଷ୍ଠାନର ପଟୁଆର ଭିତରେ ତା’ର ସ୍ପନ୍ଦନ ଏବେ ବି ଉଷ୍ମ ଏହା ସ୍ୱୀକାର କରିବାକୁ ପଡ଼େ ।

ଓଡ଼ିଶାର ଲୋକସଂସ୍କୃତିରେ ବୋଇତ

ଲୋକ ସଂସ୍କୃତି କେବଳ ଲୋକନୃତ୍ୟ ବା ଲୋକଗୀତରେ ସୀମିତ ନୁହେଁ । ଏସବୁ ତାହାର ଏକ ଏକ ଭଗ୍ନାଂଶ ମାତ୍ର । ତଥାକଥିତ ସଂସ୍କୃତି ଠାରୁ ଲୋକ ସଂସ୍କୃତିର ଫରକ୍ ଏତିକି ଯେ ଏହା ସରକାରୀ କିମ୍ୱା ବେସରକାରୀ ଉଦ୍ୟମରେ ସଂରକ୍ଷିତ କିଛି କାରୁକାର୍ଯ୍ୟ ବା ଅତୀତର ସୁବିନ୍ୟସ୍ତ ପ୍ରଦର୍ଶନ ନୁହେଁ । ଆମର ଅଲକ୍ଷ୍ୟରେ, ଅଯତ୍ନରେ ଯେଉଁ ସଂସ୍କୃତି ଲୋକମାନସରେ, ଲୋକାୟତର ଶିରାପ୍ରଶିରାରେ ଆତଯାତ କରୁଥାଏ, ଯାହା ଅତୀତର କୌଣସି ବିନ୍ଦୁରେ ଠପ୍ କରି ରହି ଯାଇ ନାହିଁ, ଯାହା ଜନଜୀବନର ଓ ଜନକଳ୍ପନାର ସମ୍ଭାର ହୋଇ ରହିଥାଏ, ତାହାକୁ ଲୋକ ସଂସ୍କୃତି କୁହାଯାଇପାରେ । ଯେଉଁଠି ଲୋକଜୀବନର ଆତ୍ମା ରଙ୍ଗମୟ ହୋଇ ପ୍ରକାଶିତ ହୋଇଥାଏ ।

ଆମର ସାମୁଦ୍ରିକ ପରମ୍ପରା ଓ ବୋଇତ ସଂସ୍କୃତି ଯଦିଓ ବଞ୍ଚି ରହି ପାରିନି ଏସବୁ ସତ୍ତ୍ୱେ ଲୋକାଚାର, ପର୍ବପର୍ବାଣୀ, ସ୍ଥାନ ନାମ, ମିଥ୍ ଓ କିମ୍ୱଦନ୍ତୀ ଆଦିରେ ତାର ପାଦଚିହ୍ନ ସ୍ପଷ୍ଟ । ସ୍ଥଳ ବିଶେଷରେ ଅତୀତର ସ୍ମୃତି ଯଦିଓ ନଥାଏ, ଥାଏ ସ୍ମୃତିର ସଙ୍କେତ । କେଉଁଠି ମୂଳ ସଂସ୍କୃତିରୁ ଭିନ୍ନ ହୋଇ ସଙ୍କେତର ଅର୍ଥାନ୍ତର ଘଟି ସାରିଥାଏ ? କିନ୍ତୁ ଲୋକାୟତରେ ଜୀବନ୍ତ ରହିଯାଏ ତାହାର ନିରବଚ୍ଛିନ୍ନ ଛିଟା ପରିଚୟ !

ଭୌଗୋଳିକ ଦୃଷ୍ଟିରୁ ଅସଂଖ୍ୟ ନଦୀ ଓ ଏକ ପାଖରେ ସମୁଦ୍ରର ସ୍ଥିତି ପ୍ରାଚୀନ ଉତ୍କଳବାସୀଙ୍କୁ ସଭ୍ୟତାର କ୍ରମବିକାଶରେ ଏକ ଆହ୍ୱାନ ସଦୃଶ୍ୟ ବିବେଚିତ ହୋଇଥିବ । ଯାହାର ପରିଣତି ସ୍ୱରୂପ ନୌ- ନିର୍ମାଣ ଓ ନୌ- ଚାଳନାର କୌଶଳ ଏହାର ଅଧିବାସୀମାନଙ୍କୁ କୁଶଳୀ କାରିଗର ଓ ସାହସୀ ନାବିକର ପରିଚୟ ଦେଇଥିବ । କାଳକ୍ରମେ ସମୁଦ୍ର ଉପରେ ସ୍ୱଦେଶର ଅଧିକାର ଓ ଦକ୍ଷିଣ- ପୂର୍ବାଞ୍ଚଳର ବିସ୍ତୃତ ବାଣିଜ୍ୟ କ୍ଷେତ୍ର ପ୍ରାଚୀନ ଓଡ଼ିଶାର ନୌ- ଶକ୍ତିର ସାମରିକ ଓ ବାଣିଜ୍ୟିକ ଆବଶ୍ୟକତା ନେଇ ବିକଶିତ ହୋଇଥିବା ଅନୁମେୟ । ଏକ ସମୟରେ ଉଭୟ ରାଜା, ବଣିକ ଓ ଜନସାଧାରଣଙ୍କ ସମର୍ଥନ ଓ ଅଂଶଗ୍ରହଣରେ ଓଡ଼ିଶାର ପ୍ରାଚୀନ ନୌ – ପରମ୍ପରା ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବାର ନିଃସନ୍ଦେହରେ ଅନୁମାନ କରାଯାଇପାରେ ।

FOLKLORE OF ORISSA ପୁସ୍ତକରେ ଓଡ଼ିଶାର ସାମୁଦ୍ରିକ ପରମ୍ପରାର ସୁବର୍ଣ୍ଣ ଅଧ୍ୟାୟ ଓ କାର୍ତ୍ତିକ ପୂର୍ଣ୍ଣିମାର ବିଶେଷତ୍ୱ ସମ୍ପର୍କରେ ଉଲ୍ଲେଖ କରାଯାଇ କୁହାଯାଇଛି- “— This is memory of the early departure of trading expedition in boats to far south of – east Asian maritime and inland from the source of ancient Orissa when here maritime trade was one of the best.।

ଐତିହାସିକ ଯୁଗରେ କଳିଙ୍ଗର ନୌ-ଚାଳନା ଓ ନୌବାଣିଜ୍ୟ ପରମ୍ପରା ଏକ ଗୌରବମୟ ଅଧ୍ୟାୟ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଧର୍ମ ଓ ସଂସ୍କୃତି ର ପ୍ରସାର ସଙ୍ଗେ ସଙ୍ଗେ ଦକ୍ଷିଣ ପୂର୍ବ ଏସିଆ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବିକାଶ ଥିଲା ପ୍ରାଚୀନ ଉତ୍କଳର ନାବିକ ଓ ବଣିକ ଜାତିର ବିଶିଷ୍ଟ ଅବଦାନ । ଏହାର ଉପକୂଳ ଗଙ୍ଗା ମୁହାଣ ଠାରୁ ଗୋଦାବରୀ ମୁହାଣ ଯାଏଁ ବହୁ ନଦନଦୀ ଦ୍ୱାରା ସୁବିଭକ୍ତ ଓ ଦନ୍ତୁରିତ ହୋଇ ନୌଚାଳନ ନିମନ୍ତେ ଅନୁକୂଳ ଥିଲା । ବହିଃଯୋଗାଯୋଗର ସଫଳତମ ଦୃଷ୍ଟାନ୍ତ ଲମ୍ୱି ଯାଇଥିଲା ସମୁଦ୍ରର ଅପରପାର୍ଶ୍ଵ ସୁବର୍ଣ୍ଣଭୂମି (ବ୍ରହ୍ମଦେଶ), ଶ୍ୟାମ (ଥାଇଲାଣ୍ଡ), ତାମ୍ରପର୍ଣ୍ଣୀ (ସିଂହଳ ସୁବର୍ଣ୍ଣ ଦ୍ୱୀପ (ଜାଭା) ଓ କମ୍ୱୋଜ (କାମ୍ୱୋଡ଼ିଆ) ଆଦି ଦେଶର ରାଜପଥକୁ ।

ଖ୍ରୀଷ୍ଟ୍ରୀୟ ପ୍ରଥମ ଓ ଦ୍ୱିତୀୟ ଶତାବ୍ଦୀର ଗ୍ରୀକ୍ ଲେଖକମାନଙ୍କ ପ୍ରଦତ୍ତ ବିବରଣୀରୁ ଜଣାପଡ଼େ ଯେ, ଭାରତର ପୂର୍ବଉପକୂଳରେ ବହୁ ଉନ୍ନତ ଧରଣର ପୋତାଶ୍ରୟ ବିକାଶଲାଭ କରିଥିଲା । ସେହି ପୋତାଶ୍ରୟ ମଧ୍ୟରୁ ଅନେକାଂଶ କଳିଙ୍ଗ ଉପକୂଳ ଅଞ୍ଚଳରେ ଅବସ୍ଥିତ ଥିଲା ବୋଲି ଭୌଗୋଳିକ ଓ ଐତିହାସିକ ସ୍ଥିତି ଦୃଷ୍ଟିରୁ ବିବେଚନା କରାଯାଇପାରେ । ବସ୍ତୁତଃ ପୂର୍ବ ସମୁଦ୍ର ବକ୍ଷରେ ନିଜର ସାମୁଦ୍ରିକ ପରମ୍ପରା ପ୍ରତିଷ୍ଠା କରି ଯୋଗାଯୋଗର ଭିତ୍ତି ପ୍ରତିଷ୍ଠା କରିବାରେ କଳିଙ୍ଗର ନାବିକ ଓ ବଣିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେହିପରି ଫିଲିପାଇନ୍ସଠାରେ ୧୯୨୬-୩୦ ମଧ୍ୟରେ ପ୍ରଫେସର୍ ବେୟର ଯେଉଁ ଭୂ-ଖୋଦନ କରି ଲୌହ ସଭ୍ୟତାର ସନ୍ଧାନ ପୂର୍ବକ ଲୌହ ନିର୍ମିତ ବହୁବିଧ ଅସ୍ତ୍ରଶସ୍ତ୍ର ସହିତ ସବୁଜ ଓ ନୀଳ ରଙ୍ଗର କାଚମାଳିର ଗୋଟି ଏବେ କାଠଚୂଡ଼ିର ଭଗ୍ନାଂଶମାନ ଆବିଷ୍କାର କରିଥିଲେ, ଭାରତର ପୂର୍ବଉପକୂଳରେ ମଧ୍ୟ ସେହି ଧରଣର କାଚ ମାଳି ଓ କାଠଚୁଡ଼ିର ଭଗ୍ନାଂଶ ମିଳିଅଛି । ତେଣୁ ଲୌହ କାଚ ସଭ୍ୟତା ଭାରତର ପୂର୍ବ ଉପକୂଳରୁ ଦକ୍ଷିଣ-ପୂର୍ବ ଏସୀୟ ଦେଶକୁ ପ୍ରସାରିତ ହୋଇଥିବାର ଅନୁମାନ କରାଯାଇପାରେ ।

କଳିଙ୍ଗ ସହିତ ଦକ୍ଷିଣ ପୂର୍ବ ଏସିଆର ରାଜ୍ୟମାନଙ୍କର ବହୁକାଳ ଧରି ସମ୍ପର୍କ ସ୍ଥାପିତ ହୋଇଥିଲା ଏବଂ ସେହି ସମ୍ପର୍କ ଏତେ ଦୂର ଘନିଷ୍ଠ ଥିଲା ଯେ ଏବେ ସୁଦ୍ଧା ଉକ୍ତ ଅଞ୍ଚଳର ବିଭିନ୍ନ ସ୍ଥାନର ଅଧିବାସୀ ନିଜକୁ କଳିଙ୍ଗ ବା କ୍ଲିଙ୍ଗ ବୋଲି ପରିଚୟ ଦେଇଥାନ୍ତି । ଏହିପରି ସଂଖ୍ୟାଧିକ ଐତିହାସିକ ତଥ୍ୟ ସହିତ ପ୍ରାଚୀନ ବୌଦ୍ଧ ଜାତକମାନଙ୍କରେ ଦକ୍ଷିଣ ପୂର୍ବ ଏସୀୟ ରାଜ୍ୟମାନଙ୍କ ସହିତ ଓଡ଼ିଶାର ପ୍ରାଚୀନ ସମ୍ପର୍କକୁ ଆକଳନ କରାଯାଇପାରେ ।

ଏହି ଐତିହାସିକ ପ୍ରାମାଣିକତା ବ୍ୟତୀତ ଲୋକାୟତର ଅଜଣା ଗଳିରେ ସାଗର ଯାତ୍ରାର କରୁଣ ମଧୁର ସ୍ମୃତି ସାମାନ୍ୟ ବିବର୍ତ୍ତିତ ଅଥବା ମୂଳ ଘଟଣା ବିଘଟଣା ଠାରୁ ସମ୍ପୂର୍ଣ୍ଣ ପରିବର୍ତ୍ତିତ ଏକ ପ୍ରତୀକାତ୍ମକ ଅନୁଷ୍ଠାନ ରୂପରେ ଅଦ୍ୟାପି ବଞ୍ଚି ରହି ଏକ ସଂଯୋଗ ସେତୁ ତିଆରି କରେ । ଯେଉଁ ସେତୁର ଦିଗନ୍ତହୀନ ଦୂରତାକୁ ଚାହିଁଲେ ବୋଇତ ପାଲଟେ ଏକ Myth ଅବା କିମ୍ୱଦନ୍ତୀ । ଆଜିର ପଲକ ମାତ୍ର ଯୋଗାଯୋଗର ଯୁଗରେ ଯାହା ବିନିମୟ ମୂଲ୍ୟ ହରାଇଥିବା ଏକ ଅଚଳ ମୁଦ୍ର ସଦୃଶ୍ୟ । ଅଥଚ ଯାହା ଦର୍ପଣ ପରି ଗୋଟିଏ ଜାତିର (ବାଲ୍ଲାଦ) ବା ଦୁର୍ଦ୍ଦର୍ଷତାଭରା ଅତୀତକୁ ପ୍ରତିବିମ୍ୱିତ କରିଥାଏ ।

ଲୋକାୟତରେ ପ୍ରଚଳିତ ଅନୁଷ୍ଠାନ ବା ସାଗର ଯାତ୍ରା ସଂଲଗ୍ନ ପରମ୍ପରା, କିମ୍ୱଦନ୍ତୀ ଓ ମିଥ୍ର ଯଦି ବିଶ୍ଳେଷଣ କରାଯାଏ, ସେଥିରେ ଆବିଷ୍କାର କରାଯାଏ ଜାତିର ସାଂସ୍କୃତିକ ପରିଚୟ ଖୋଜୁଥିବା ଏକ ଅନ୍ୱେଷା, ଯିଏ ସମକାଳୀନତାର ବିନ୍ଦୁ ଉପରେ ଛିଡ଼ା ହୋଇ ସାଧବାଣୀଙ୍କ ଶଙ୍ଖନାଦକୁ ଚିତ୍ରାୟିତ କରାଏ । ଯିଏ ପୁରାତନ ବୈଚିତ୍ର୍ୟ ମଧ୍ୟରୁ ସୂତାଖିଅର ବୈଧତା ଆବିଷ୍କାର କରିଥାଏ ।

ପ୍ରଥମେ ବୋଇତ ଭସାର ତାତ୍ପର୍ଯ୍ୟକୁ ବିଚାର କରାଯାଇପାରେ । ସାରା ବିଶ୍ୱର ଲୋକ ସଂସ୍କôତିରେ ଏହି ଅନୁଷ୍ଠାନଟିର ତୁଳନା ନାହିଁ । ଯେଉଁଦିନ ଆବାଳ-ବୃଦ୍ଧ-ବନିତା ଧର୍ମପାଳନ କଲାଭଳି ଆଲୋକଯୁକ୍ତ ବୋଇତ ଭସାଇ ପାହାନ୍ତି ନଦୀକୁ ପ୍ରଜ୍ଜ୍ୱଳିତ କରିଥାନ୍ତି । ଏଥିରେ ଥିବା ଜନଅନ୍ତର୍ଭୁକ୍ତି ଏକ ବିରଳ ଦୃଷ୍ଟାନ୍ତ । ଏହା ଏକ ବନ୍ଦାପନା ଘରକୁ ଫେରୁଥିବା ବଣିକଙ୍କ ସମ୍ମାନରେ । ଯାହା ପ୍ରମାଣ କରେ ସାଗର ପାରି ବଣିଜ ଏକଦା ଓଡ଼ିଶାର ଆର୍ଥିକ ସ୍ଥିତିର ଅନ୍ୟତମ ପ୍ରଧାନ ଭିତ୍ତିଥିଲା ।

ଦ୍ୱିତୀୟରେ ଆସେ ଆକାଶଦୀପ । କାର୍ତ୍ତିକ ପୂର୍ଣ୍ଣିମାର ଯଥେଷ୍ଟ ପୂର୍ବରୁ ଆକାଶଦୀପ ସ୍ଥାପନ କରିବା ଏକ ଓଡ଼ିଆ ପରମ୍ପରା । ଉଚ୍ଚା ବାଉଁଶ ସଂଲଗ୍ନ ଗୋଟିଏ ଛିଦ୍ରଯୁକ୍ତ ମାଟିହାଣ୍ଡି ଭିତରେ ପ୍ରଦୀପ ଓ ଏହି ଛିଦ୍ରରୁ ଛିଟିକି ପଡୁଥିବା ନିଷ୍ପ୍ରଭ ଆଲୋକ ଯାହାକୁ ଛୋଟ ଛୋଟ ବତୀଘର କୁହାଯାଇପାରେ । ଯାହା ଥିଲା ସମୁଦ୍ର ଅତିକ୍ରମଣ ପରେ ନଦୀପଥ ଦେଇ ମୁଖ୍ୟ ନଗର ଆଡ଼କୁ ଆସୁଥିବା ଘର ବାହୁଡ଼ା ବୋଇତମାନଙ୍କ ନିମନ୍ତେ ଏକ ପ୍ରଦୀପିତ ଅଭିନନ୍ଦନ । ଯେଉଁଥିରେ ରହିଛି ନାବିକମାନଙ୍କୁ ରାତିରେ ଦିଗ୍ଦର୍ଶନ ଦେବାର ସର୍ବପ୍ରାଚୀନ ପ୍ରୟୋଗ ଓ ଦରିଆପାରି ବାଣିଜ୍ୟ ପ୍ରତି ଏକ ସାମୂହିକ ଶୁଭକାମନା ।

ତା’ପରେ ଆସେ ପାନଗୁଆ । “ପାନଗୁଆ ତୋର ମାସକ ଧରମ ମୋର” ଇତ୍ୟାଦି । ବୋଇତ ଭସାଇବା ପୂର୍ବରୁ ସେଥିରେ ପାନଗୁଆ ରଖିବାର ଯଥାର୍ଥତାଟି ବୋଧହୁଏ । ଆମର ସଫଳ ବୈଦେଶିକ ବାଣିଜ୍ୟ ସହ ସମ୍ପୃକ୍ତ । ପାନ ଆସୁଥିଲା ପୂର୍ବବଙ୍ଗରୁ । ଗୁଆ, ଅଳେଇଚ, ଲବଙ୍ଗ ଆଦି ବ୍ରହ୍ମଦେଶ, ମାଳୟ ଓ ଅନ୍ୟାନ୍ୟ ଦ୍ୱୀପରୁ । ଯାହା ଲୋକାୟତରେ ବୈଦେଶିକ ଦ୍ରବ୍ୟର ସମ୍ମାନ ଓ ଆଦର ବଢ଼ାଇଥିଲା । ଯଦିଓ ଏଗୁଡ଼ିକ ଏବେ ଭାରତୀୟ ମାଟି ମଣ୍ଡନ କରିସାରିଲାଣି ।

ଅନ୍ୟ ଏକ ଉଲ୍ଲେଖନୀୟ ପରମ୍ପରା ରହିଚି ଯାହା ନୌ-ବାଣିଜ୍ୟର ସ୍ମୃତି ବହନ କରେ, ତାହା ଗହ୍ମା ପୁନେଇଁ । ପୁନେଇଁ ଅବ୍ୟବହିତ ପୂର୍ବରୁ ସାଧାରଣତଃ ନଦୀକୂଳବାସୀ ଓଡ଼ିଆଙ୍କ ଘରେ କାନ୍ଥରେ ମୋଟା ବା ଗହ୍ମା ମୋଟା ଅଙ୍କନ କରାଯାଏ । ତାହା ଖଡ଼ିରେ ଅଙ୍କା ଏକ ମଗରମୁହାଁ ବୋଇତର ଚିତ୍ର । ଏହି ଗହ୍ମା ମୋଟାକୁ ମାଇପେ (ସ୍ତ୍ରୀ ଲୋକ) ପୂଜା କରନ୍ତି ଓ ଭୋଗ ଦିଅନ୍ତି, ହୁଳହୁଳି ଶଙ୍ଖ ବଜାଇ ବନ୍ଦାପନା ମଧ୍ୟ କରିଥାନ୍ତି । ତେଣୁ ଗହ୍ମାପର୍ବ ଏକ ନୌ-ବନ୍ଦାପନା ପର୍ବ । ଯେଉଁଥିରେ ଘୋର ଶ୍ରାବଣ କାଳରେ ବୋଇତ ଯାତ୍ରା ଶୁଭକାମନା ସମ୍ଭବତଃ କରାଯାଇଥାଏ ।

ଏହା ପରେ ଖୁଦୁରୁକୁଣୀ ଓଷା ବା ତଅପୋଇ ଓଷା ବିଚାର୍ଯ୍ୟ । ସାଧବ ଝିଅ ତଅପୋଇର ଭାଇମାନେ ବୋଇତ ନେଇ ଦୂରଦେଶକୁ ବାଣିଜ୍ୟ କରିଯିବା, ତଅପୋଇ ଭାଉଜମାନଙ୍କ ଦ୍ୱାରା ଲାଞ୍ଛିତ ହେବା, ଛେଳି ଚରାଇବା ଓ ଶେଷରେ ମଙ୍ଗଳା ଠାକୁରାଣୀଙ୍କ ଦୟାରୁ ବଞ୍ଚିବା ଇତ୍ୟାଦି ବର୍ଣ୍ଣିତ ପ୍ରସଙ୍ଗ ଓଡ଼ିଶାର ପୁରପଲ୍ଲୀରେ ସୁପ୍ରଚାରିତ ଏହି କାହାଣୀ ମଧ୍ୟରେ ଉହ୍ୟ ରହିଛି ଏକ ସମୟରେ ଏ ଅଞ୍ଚଳରେ ଥିବା ଆର୍ଥିକ, ସାମାଜିକ ଓ ଧାର୍ମିକ ଅବସ୍ଥିତି । ଯେଉଁଥିରେ ବୋଇତ ବା ସାଗର ପାରି ବଣିଜ ସହିତ ଏ ଜାତିର ଅଙ୍ଗାଙ୍ଗୀ ସମ୍ପୃକ୍ତିକୁ ସ୍ୱୀକୃତି ଦେବାକୁ ହୋଇଥାଏ ।

ଲୋକସଂସ୍କୃତି ଏହି ସବୁ ବିଚିତ୍ରବର୍ଣ୍ଣା ରୂପରେ ଗୁନ୍ଥି ହୋଇ ରହିଛି ଓଡ଼ିଶାର ନୌ-ବାଣିଜ୍ୟର ଗୌରବମୟ ସ୍ମୃତି । ସମୁଦ୍ରକୁ ଲମ୍ଫ ଦେବାର ଦୁର୍ଦ୍ଦର୍ଷ କୁଶଳୀ ନାଉରୀପଣ ଆଜି ଅତୀତ ହେଲେ ବି ପର୍ବପର୍ବାଣୀ ଓ ଅନୁଷ୍ଠାନର ପଟୁଆର ଭିତରେ ତା’ର ସ୍ପନ୍ଦନ ଏବେ ବି ଉଷ୍ମ ଏହା ସ୍ୱୀକାର କରିବାକୁ ପଡ଼େ ।

ଲୋକପ୍ରିୟ ଲେଖା

To Top