ପ୍ରବନ୍ଧ

ଓଡ଼ିଶାରେ ପୁସ୍ତକ ମେଳା

Biraja Routray's Odia Prose ODISHARE PUSTAKAMELAA

ଆଜିକି ବାଇଶି ବର୍ଷ ତଳେ ଓଡ଼ିଶାରେ ସର୍ବପ୍ରଥମ କରି ଆୟୋଜିତ ହୋଇଥିବା ଏହି ମେଳାଟି ଓଡ଼ିଶାର ପାଠକମାନଙ୍କ ଦ୍ୱାରା ଆଶାତୀତ ଭାବେ ଗ୍ରହଣୀୟ ହୋଇପାରିଥିଲା ।

ଓଡ଼ିଶାରେ ପୁସ୍ତକ ମେଳା

ପ୍ରତିବର୍ଷ ନଭେମ୍ୱର ମାସ ବେଳକୁ ଆମ ଓଡ଼ିଶାରେ ଆରମ୍ଭ ହୋଇଥାଏ ପୁସ୍ତକ ମେଳାର ଲଗାଣ ଯାତ୍ରା । ନଭେମ୍ୱର ମାସରୁ ଆରମ୍ଭ ହେଉଥିବା ଏହି ମେଳା ପଛକୁ ପଛ ଓଡ଼ିଶାର ବିଭିନ୍ନ ସ୍ଥାନର ଅନୁଷ୍ଠିତ ହୋଇ ପର ବର୍ଷର ଏପ୍ରିଲ୍, ମେ ମାସ ପର୍ଯ୍ୟନ୍ତ ଚାଲିଥାଏ । ପୁସ୍ତକ ମେଳାର ପାଠକୀୟ ଚାହିଦା ଓ ଏଥିରେ ହେଉଥିବା ବ୍ୟବସାୟିକ ସଫଳତା ହେତୁ କ୍ରମଶଃ ବଡ଼ ବଡ଼ ସହରମାନଙ୍କ ବ୍ୟତୀତ ଏହି ମେଳା ଏବେ ଓଡ଼ିଶାର ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପ୍ରସାରିତ ହୋଇ ସାରିଛି ।

୧୯୮୫ ମସିହା ପୂର୍ବରୁ “ପୁସ୍ତକ ମେଳା” ଶବ୍ଦ ସହିତ ଓଡ଼ିଶାବାସୀ ପରିଚିତ ନ ଥିଲେ । ଯଦିଓ “ମେଳା” ଶବ୍ଦଟି ସହିତ ଓଡ଼ିଶାବାସୀଙ୍କର ଏକ ଭାବଗତ ସାଂସ୍କୃତିକ ପରିଚୟ ରହିଆସିଛି । ପ୍ରଥମଥର କରି ଭାରତ ସରକାରଙ୍କ ଅଧୀନରେ ଥିବା ସ୍ୱୟଂଶାସିତ ପୁସ୍ତକ ପ୍ରକାଶନ ସଂସ୍ଥା- “ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ୍” ଓ ଓଡ଼ିଶା ଲେଖକ ସାମ୍ମୁଖ୍ୟର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଏକ ପୁସ୍ତକ ମେଳାର ଆୟୋଜନ କରାଯାଇଥିଲା । ଏହିପରି ଏକ ମେଳାର ଆୟୋଜନ କରିବା ପଛରେ କଲିକତା ବହି ମେଳାକୁ ସେତେବେଳେ ଏହାର ଆଦର୍ଶ ରୂପେ ଗ୍ରହଣ କରାଯାଇଥିଲା । ଆଜିକି ବାଇଶି ବର୍ଷ ତଳେ ଓଡ଼ିଶାରେ ସର୍ବପ୍ରଥମ କରି ଆୟୋଜିତ ହୋଇଥିବା ଏହି ମେଳାଟି ଓଡ଼ିଶାର ପାଠକମାନଙ୍କ ଦ୍ୱାରା ଆଶାତୀତ ଭାବେ ଗ୍ରହଣୀୟ ହୋଇପାରିଥିଲା । ଏହାର ପରବର୍ଷ ଠାରୁ କିଛି ପ୍ରତିଷ୍ଠିତ ଲେଖମାନଙ୍କ ଦ୍ୱାରା ଏକ ପୁସ୍ତକ ମେଳା କମିଟି ଗଠନ କରାଯାଇ ପ୍ରତିବର୍ଷ ଭୁବନେଶ୍ୱର ପୁସ୍ତକ ମେଳାର ଆୟୋଜନ କରାଯାଇ ଆସୁଅଛି । ପ୍ରଥମେ ପ୍ରଥମେ ଏହି ମେଳାରେ ଅଂଶଗ୍ରହଣ କରିବାକୁ ଆସୁଥିବା ପୁସ୍ତକ ପ୍ରକାଶନ ଓ ବିକ୍ରେତାମାନଙ୍କ ସଂଖ୍ୟା ଶହେରୁ ଉର୍ଦ୍ଧ୍ଵ ଥିଲା ବେଳେ ବର୍ତ୍ତମାନ ଏହି ସଂଖ୍ୟା ତିନି ଶହରୁ ଚାରିଶହ ପାଖାପାଖି ପହଞ୍ଚିଲାଣି । ଏଥିରେ ଖ୍ୟାତନାମା ସର୍ବଭାରତୀୟ ପୁସ୍ତକ ପ୍ରକାଶନ ସଂସ୍ଥାଗୁଡ଼ିକ ଅଂଶଗ୍ରହଣ କରିବା ସହିତ ଆନ୍ତର୍ଜାତିକ ପ୍ରକାଶନ ସଂସ୍ଥାନ ମଧ୍ୟ ଅଂଶଗ୍ରହଣ କରୁଥିବାର ଦେଖାଯାଉଅଛି ।

ଏକ ସମୟରେ ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ଏହି ପୁସ୍ତକ ମେଳା ରୂପକ ଲିଖିତ ବୌଦ୍ଧିକ ସମ୍ପଦର ବଜାରଟି କେବଳ ଗୋଟିଏ ଜାଗାରେ ସୀମିତ ନ ରହି ବର୍ଷକୁ ବର୍ଷ ଓଡ଼ିଶାର ବିଭିନ୍ନ ଜିଲ୍ଲାର ସଦର ମହକୁମାରଠାରୁ ଆରମ୍ଭ କରି ଛୋଟ ଛୋଟ ସହର ଆଡ଼କୁ ବ୍ୟାପି ସାରିଲାଣି । ଓଡ଼ିଶା ପରି ଯଥେଷ୍ଟ ପାଠକୀୟ କ୍ରୟ ଶକ୍ତି ନଥିବା ଏକ ଅର୍ଦ୍ଧସାକ୍ଷର ଅର୍ଦ୍ଧଶିକ୍ଷିତ ରାଜ୍ୟରେ ପୁସ୍ତକ ମେଳାର ଦ୍ରୁତ ପ୍ରସାର ଓ ଆଦର ଅଭୂତପୂର୍ବ ଘଟଣା ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । ପୁଣି ଏହି ସଫଳତା ମାତ୍ର ଗତ ଦୁଇ ଦଶନ୍ଧି ମଧ୍ୟରେ ସମ୍ଭବ ହୋଇଛି । ବହିମାନଙ୍କର ଭଲ ବ୍ୟବସାୟ ଦ୍ୱାରା ବ୍ୟବସାୟିକ ସଫଳତାର ପରିମାଣରେ ବୃଦ୍ଧି ଘଟିଛି । ଭୁବନେଶ୍ୱର ପରି ଅଞ୍ଚଳେ ଯେତେବେଳେ ନୂଆ କରି ପୁସ୍ତକ ମେଳା ଆରମ୍ଭ କରାଯାଇଥିଲା ସେତେବେଳେ ବହିର କିଣାବିକା କେତେ ଲକ୍ଷ ଟଙ୍କାରେ ସୀମିତ ହୋଇଥିବା ବେଳେ ଏବେ ଏହି କାରବାର କେତେ କୋଟି ଟଙ୍କାରେ ଆସି ପହଞ୍ଚିଛି । ଯାହା ଫଳରେ ଏବେ ଭୁବନେଶ୍ୱରର ସେହି ଏକ ପ୍ରଦର୍ଶନୀ ପଡ଼ିଆରେ ମାତ୍ର ମାସେ ଦୁଇମାସର ବ୍ୟବଧାନ ମଧ୍ୟରେ ଦୁଇଟିରୁ ଅଧିକ ପୁସ୍ତକ ମେଳା ସଫଳତାର ସହିତ ଅନୁଷ୍ଠିତ କରାଯାଇ ପାରୁଛି ।

ଏହା ମଧ୍ୟରେ ଓଡ଼ିଶାରେ ପୁସ୍ତକ ମେଳାର ଏକ ସୁଦୃଢ଼ ପରମ୍ପରା ପ୍ରତିଷ୍ଠିତ ହୋଇସାରିଲାଣି । ବିଭିନ୍ନ ସ୍ଥାନରେ ଏହି ମେଳାର ନିୟମିତ ଆୟୋଜନ ଦ୍ୱାରା ମଣିଷ ଓ ବହି ମଧ୍ୟରେ ସୃଷ୍ଟି ହୋଇଥିବା ଆଧୁନିକତା ଓ ସମୟହୀନତା ନାମରେ ବ୍ୟବଧାନଟି ଅନେକ ପରିମାଣରେ ହ୍ରାସ ପାଇଛି । ପୂର୍ବରୁ ସଙ୍କୁଚିତ ଓ ଅପ୍ରସାରିତ ହୋଇ ରହିଥିବା ଓଡ଼ିଶାର ବୌଦ୍ଧିକ ଓ ସାଂସ୍କୃତିକ ଦିଗ୍‌ବଳୟଟି ଏହି ପୁସ୍ତକ ମେଳା ଦ୍ୱାରା ସୁଦୂରପ୍ରସାରୀ ହୋଇପାରିଛି । ଗୋଟିଏ ବାକ୍ୟରେ କହିଲେ ଏହାଦ୍ୱାରା ଲେଖକ ଉପକୃତ ହୋଇପାରିଛି, ପ୍ରକାଶକ ଉପକୃତ ହୋଇପାରିଛି ଓ ପାଠକ ମଧ୍ୟ ଉପକୃତ ହୋଇଛି । ଓଡ଼ିଆ ଭାଷାରେ ଲେଖୁଥିବା ଲେଖକଟିଏ ଏହା ପୂର୍ବରୁ କେବଳ ପତ୍ରପତ୍ରିକା ମାଧ୍ୟମରେ ବିଭିନ୍ନ ସ୍ଥାନକୁ ପହଞ୍ଚି ପାରୁଥିଲା । ସେମାନଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକଟି ବିଷୟରେ ନା ପାଠକଟି ସୂଚନା ପାଇପାରୁଥିଲା ନା କିଣି ପାରୁଥିଲା । ଯେହେତୁ ଲେଖକଟିର ପୁସ୍ତକଟି କେବଳ କଟକ ଓ ଭୁବନେଶ୍ୱର ପରି ବଜାରରେ ସୁଲଭ୍ୟ ଥିଲା । ପୁସ୍ତକ ମେଳା ସେହି ବହିଗୁଡ଼ିକୁ ବିଭିନ୍ନ ଜାଗାରେ ପହଞ୍ଚାଇ ଲେଖକକୁ ପାଠକର ନିକଟବର୍ତ୍ତୀ କରାଇପାରିଛି ।

ଏହାଦ୍ୱାରା ସବୁଠାରୁ ଅଧିକ ଲାଭବାନ୍ ହେଉଛନ୍ତି ଓଡ଼ିଆ ଭାଷାରେ ପୁସ୍ତକ ପ୍ରକାଶ କରୁଥିବା ପ୍ରକାଶନ ସଂସ୍ଥା । ପୂର୍ବରୁ ଓଡ଼ିଆ ଭାଷାରେ ପ୍ରକାଶିତ ହୋଇଥିବା ପୁସ୍ତକ ଗୁଡ଼ିକର ବିକ୍ରି ଖୁବ୍ କମ୍ ଥିବାରୁ ଏଗୁଡ଼ିକ ବିକ୍ରି ହେବା ପାଇଁ ବର୍ଷ ବର୍ଷ ସମୟ ଲାଗୁଥିଲା । ଏହାର କାରଣ ବହିଗୁଡ଼ିକର ପ୍ରସାର ଓ ପ୍ରଚାର ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ନଥିଲା । ଯାହାଫଳରେ ଓଡ଼ିଆ ଭାଷାରେ ବାର୍ଷିକ ପୁସ୍ତକ ପ୍ରକାଶନର ସଂଖ୍ୟା ଖୁବ୍ କମ୍ ଥିଲା । କେବଳ ବର୍ଷକୁ ଥରେ ରାଜା ରାମ ମୋହନ ରାୟ ପାଠାଗାର ନିମନ୍ତେ କିଣାଯିବା ଉଦ୍ଦେଶ୍ୟରେ କିଛି ଓଡ଼ିଆ ବହି ଆତ୍ମପ୍ରକାଶ କରୁଥିଲା । ନହେଲେ କାଁ ଭାଁ କେବେ କେଉଁଠି ବହିଟିଏ ପ୍ରକାଶ ପାଉଥିବାର ଦେଖିବାକୁ ମିଳୁଥିଲା ।

ଏବେ ପ୍ରତିବର୍ଷ ଓଡ଼ିଶାର ବିଭିନ୍ନ ସ୍ଥାନମାନଙ୍କରେ ଆୟୋଜିତ ହେଉଥିବା ପୁସ୍ତକ ମେଳାକୁ ଅପେକ୍ଷା ରଖି ଶହ ଶହ ସଂଖ୍ୟାରେ ପୁସ୍ତକ ପ୍ରକାଶନ କରାଯାଉଅଛି । ସେଗୁଡ଼ିକୁ ପୁସ୍ତକ ମେଳା ପରିସରରେ ଲୋକାର୍ପଣ କରାଯାଉଛି । ପୁସ୍ତକ ପ୍ରକାଶନର ଏହି ନୂତନ ଧାରା ନିଶ୍ଚିତ ଭାବରେ ଓଡ଼ିଆ ଭାଷା ସାହିତ୍ୟର ଭବିଷ୍ୟତ ପାଇଁ ଆଶାପ୍ରଦକ ଅଟେ ।

ଆଜିର ଅତ୍ୟାଧୁନିକ ପ୍ରେକ୍ଷାପଟରେ ଯେତେବେଳେ ସମୟ ମଣିଷ ହାତରୁ ପୁସ୍ତକ ପଠନର ଅବସରକୁ ଛଡ଼ାଇ ନେବାକୁ ଉଦ୍ୟତ, ଯେତେବେଳେ ମଣିଷର ଚାରିପାଖରେ ମନୋରଞ୍ଜନର ଅନ୍ୟାନ୍ୟ ଲୋଭନୀୟ ଆକର୍ଷଣାନ ସୁଲଭ ମୂଲ୍ୟରେ ମିଳିସାରିଲାଣି, ସେତେବେଳେ ପୁସ୍ତକ ମେଳାର ଉପସ୍ଥିତି ଓ ନିରବ ଆକର୍ଷଣ ମଣିଷକୁ ଆଉ ଥରେ ବହି ପାଖକୁ ଫେରାଇ ନେବାରେ ସକ୍ଷମ ହୋଇପାରିଛି । ଆଗରୁ ବହି ଖଣ୍ଡେ ଖୋଜି ଖୋଜି ପାଠକଟିଏ କଟକରୁ ବାଲୁ ବଜାର କିମ୍ୱା ବାଙ୍କା ବଜାରର ଦୋକାନ ଦୁଆରେ ଆସି ପହଞ୍ଚୁଥିଲା । ଏବେ ସେ ସମୟ ଆଉ ନାହିଁ । ପୁସ୍ତକ ମେଳା ଜରିଆରେ ବହିଗୁଡ଼ିକ ଏବେ ପାଠକର ଠିକଣା ଜାଗାରେ ଆସି ପହଞ୍ଚୁଛନ୍ତି । ପାଠକ ଓ ପୁସ୍ତକ ମଧ୍ୟରେ ଥିବା ଦୂରତା ହ୍ରାସ ପାଇସାରିଛି ।

ଲୋକପ୍ରିୟ ଲେଖା

To Top